ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଇଣ୍ଡିଆ ଚିପ୍ ଲିମିଟେଡର ଶିଳାନ୍ୟାସ ସମାରୋହରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
ପୋଷ୍ଟ କରାଯିବା ଦିନାଙ୍କ:
21 FEB 2026 7:29PM by PIB Bhubaneswar
ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, କେନ୍ଦ୍ର କ୍ୟାବିନେଟରେ ମୋର ସହକର୍ମୀ, ଅଶ୍ୱିନୀ ବୈଷ୍ଣବ, ଜିତିନ ପ୍ରସାଦ, ଉତ୍ତର ପ୍ରଦେଶ ସରକାରଙ୍କ ସମସ୍ତ ମନ୍ତ୍ରୀ, ଫକ୍ସକନର ସେମିକଣ୍ଡକ୍ଟର ବ୍ୟବସାୟ ଗୋଷ୍ଠୀର ଅଧ୍ୟକ୍ଷ ବବ୍ ଚେନ୍, ଏଚ୍ସିଏଲ ଟେକ୍ନୋଲୋଜିର ଅଧ୍ୟକ୍ଷା ରୋଶନି ନାଦର, କାର୍ଯ୍ୟକ୍ରମରେ ଉପସ୍ଥିତ ଶିଳ୍ପ ନେତୃବୃନ୍ଦ ଏବଂ ଅନ୍ୟାନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି, ମହିଳା ଓ ଅନ୍ୟ ବ୍ୟକ୍ତି ବିଶେଷମାନେ !
ଆଜି,ଭାରତ ବିକଶିତ ହେବା ଲକ୍ଷ୍ୟ ଦିଗରେ ଦ୍ରୁତ ଗତିରେ ଅଗ୍ରଗତି କରୁଛି। ମୁଁ ଲାଲକିଲ୍ଲାରୁ ଏହା ମଧ୍ୟ କହିଥିଲି ଯେ : ଭାରତ ପାଖରେ ଅଟକିବା କିମ୍ବା ବିରାମ ନେବାର ସମୟ ନାହିଁ। ୨୦୨୬ ପ୍ରାରମ୍ଭରୁ, ଭାରତ ଏହାର ପ୍ରଗତିକୁ ଆହୁରି ତ୍ୱରାନ୍ୱିତ କରିଛି। ଜାନୁଆରୀ ୧୨ ତାରିଖରେ, ଦେଶ ବ୍ୟାପି ଲକ୍ଷ ଲକ୍ଷ ଯୁବକ ବିକଶିତ ଭାରତ ଯୁବ ନେତାଙ୍କ ଆଲୋଚନାରେ ଯୋଗ ଦେଇଥିଲେ । ଜାନୁଆରୀ ୧୬ ତାରିଖରେ, ଆମେ ଜାତୀୟ ଷ୍ଟାର୍ଟଅପ୍ ଦିବସ ପାଳନ କରି ଭାରତର ଷ୍ଟାର୍ଟଅପ୍ ବିପ୍ଳବକୁ ନୂତନ ଶକ୍ତି ପ୍ରଦାନ କରିଥିଲୁ। ଜାନୁଆରୀରେ ହିଁ "ଭାରତ ଶକ୍ତି ସମ୍ମିଳନୀରେ" ଭାରତ ଏହାର ସମ୍ଭାବନା ସହିତ ବିଶ୍ୱର ଦୃଷ୍ଟି ଆକର୍ଷଣ କରିଥିଲା। ତା'ପରେ ବିକଶିତ ଭାରତକୁ ନୂତନ ଗତି ଦେଉଥିବା ବଜେଟ୍ ଆସିଥିଲା, ଏବଂ ଏବେ ଏହି ସପ୍ତାହ ମଧ୍ୟ ଭାରତ ପାଇଁ ଐତିହାସିକ ପ୍ରମାଣିତ ହେଉଛି। । ଗ୍ଲୋବାଲ୍ ଏଆଇ ଇମ୍ପାକ୍ଟ ଶିଖର ସମ୍ମିଳନୀରେ, ବିଶ୍ୱର ଅନେକ ଦେଶର ରାଷ୍ଟ୍ରମୁଖ୍ୟ, ପ୍ରଯୁକ୍ତିବିଦ୍ୟା ଜଗତର ମହାନ ବ୍ୟକ୍ତିତ୍ୱ ମାନେ ଦିଲ୍ଲୀରେ ଏକତ୍ରିତ ହୋଇଥିଲେ। ଏହି ଶିଖର ସମ୍ମିଳନୀରେ, ବିଶ୍ୱ ଭାରତର ପ୍ରଯୁକ୍ତିବିଦ୍ୟା ସାମର୍ଥ୍ୟକୁ ଦେଖିଥିଲା, ଆମ ଦୃଷ୍ଟିକୋଣକୁ ବୁଝିଥିଲା ଏବଂ ପ୍ରଶଂସା ମଧ୍ୟ କରିଥିଲା।
ବନ୍ଧୁଗଣ,
ଏହି ଶିଖର ସମ୍ମିଳନୀ ଗତକାଲି ଶେଷ ହୋଇଛି, ଏବଂ ଏବେ ଆମେ ଭାରତର ସେମିକଣ୍ଡକ୍ଟର ଇକୋସିଷ୍ଟମ ସହିତ ଜଡିତ ଏକ ପ୍ରମୁଖ କାର୍ଯ୍ୟକ୍ରମର ଅଂଶ ହେବାକୁ ଯାଉଛୁ।
ବନ୍ଧୁଗଣ,
ଆଧୁନିକ ବିଶ୍ୱକୁ ଚଳାଇବା ପାଇଁ ଆବଶ୍ୟକ ପ୍ରକ୍ରିୟାକରଣ ଶକ୍ତିରେ ଭାରତ ଏବେ ବିଶ୍ୱର ଶ୍ରେଷ୍ଠ ଦେଶମାନଙ୍କ ସହିତ ସମକକ୍ଷ ହେବାକୁ ଚେଷ୍ଟା କରୁଛି। ଏହାର ଅର୍ଥ ହେଉଛି ଭାରତ ସଫ୍ଟୱେର୍ ଏବଂ ହାର୍ଡୱେର୍ ଉଭୟ କ୍ଷେତ୍ରରେ କାମ କରୁଛି। ଏହା ଆମ ସମସ୍ତଙ୍କ ପାଇଁ ଗର୍ବର ବିଷୟ ଯେ ଉତ୍ତର ପ୍ରଦେଶ ମଧ୍ୟ ଭାରତର ସେମିକଣ୍ଡକ୍ଟର ଇକୋସିଷ୍ଟମର ଏକ ପ୍ରମୁଖ କେନ୍ଦ୍ର ହେବାକୁ ଯାଉଛି । ଏଚ୍ ସିଏଲ୍ (HCL ) ଏବଂ ଫକ୍ସକନ୍( Foxconn )ଦ୍ୱାରା ଏହି ନୂତନ କାରଖାନା ଉତ୍ତର ପ୍ରଦେଶର ଏକ ପ୍ରଯୁକ୍ତିବିଦ୍ୟା ପାୱାରହାଉସ୍ ଭାବରେ ନୂତନ ପରିଚୟକୁ ଆହୁରି ମଜବୁତ କରିବ। ଉତ୍ତର ପ୍ରଦେଶର ସାଂସଦ ଭାବରେ, ଏହା ମୋ ପାଇଁ ଏକ ବଡ଼ ଗର୍ବର ମୁହୂର୍ତ୍ତ। ଏହି ସେମିକଣ୍ଡକ୍ଟର କାରଖାନା ଉତ୍ତର ପ୍ରଦେଶ ଏବଂ ଦେଶର ଯୁବକମାନଙ୍କୁ ବହୁ ସଂଖ୍ୟକ ନିଯୁକ୍ତି ପ୍ରଦାନ କରିବ। କାରଣ ଯେଉଁଠାରେ ଏକ ସେମିକଣ୍ଡକ୍ଟର ୟୁନିଟ୍ ପ୍ରତିଷ୍ଠିତ ହୁଏ, ସେଠାରେ ଡିଜାଇନ୍ ଘର, ଗବେଷଣା ଏବଂ ବିକାଶ କେନ୍ଦ୍ର ଓ ଷ୍ଟାର୍ଟଅପ୍ ଇକୋସିଷ୍ଟମ ସୃଷ୍ଟି ହୁଏ। ଏହି ସବୁ ଏବେ ଉତ୍ତର ପ୍ରଦେଶରେ ମଧ୍ୟ ହେବାକୁ ଯାଉଛି। ମୁଁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବଂ ତାଙ୍କର ଦଳ ଓ ଉତ୍ତର ପ୍ରଦେଶର ଲୋକମାନଙ୍କୁ ମୋର ହୃଦୟରୁ ଅଭିନନ୍ଦନ ଜଣାଉଛି।
ବନ୍ଧୁଗଣ,
ମୁଁ ପ୍ରାୟତଃ କହେ ଯେ ଏହି ଦଶନ୍ଧି ହେଉଛି ଭାରତର ପ୍ରଯୁକ୍ତିବିଦ୍ୟାର ଦଶନ୍ଧି । ଏହି ଦଶନ୍ଧିରେ ଭାରତ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଯାହା କିଛି କରୁଛି ତାହା ଏକବିଂଶ ଶତାବ୍ଦୀରେ ଆମର ସମ୍ଭାବନାର ମୂଳଦୁଆ ପାଲଟିବ। ଏହା ସବୁଜ ଶକ୍ତି,ମହାକାଶ ପ୍ରଯୁକ୍ତିବିଦ୍ୟା, ଡିଜିଟାଲ ପ୍ରଯୁକ୍ତିବିଦ୍ୟା, ଉତ୍ପାଦନ ପ୍ରଯୁକ୍ତିବିଦ୍ୟା କିମ୍ବା କୃତ୍ରିମ ବୁଦ୍ଧିମତ୍ତା ହେଉ, ଭାରତ ଆଜି ମାନବତାର ଭବିଷ୍ୟତ ନିର୍ଣ୍ଣୟ କରୁଥିବା ପ୍ରତ୍ୟେକ ପ୍ରଯୁକ୍ତିବିଦ୍ୟାରେ ଅଭୂତପୂର୍ବ ନିବେଶ କରୁଛି। ଭାରତରେ ଏକ ଦୃଢ଼ ସେମିକଣ୍ଡକ୍ଟର ଇକୋସିଷ୍ଟମର ବିକାଶ ହେଉଛି ଏହାର ଏକ ଉତ୍କୃଷ୍ଟ ଉଦାହରଣ। ଯଦିଓ ଭାରତ ସେମିକଣ୍ଡକ୍ଟର କ୍ଷେତ୍ରରେ ବିଳମ୍ବରେ ଏହାର ଯାତ୍ରା ଆରମ୍ଭ କରିଥାଇପାରେ, କିନ୍ତୁ ଆଜି ଆମେ ବହୁତ ଦ୍ରୁତ ଗତିରେ ଆଗକୁ ବଢ଼ୁଛୁ। ଏହାର ସେମିକଣ୍ଡକ୍ଟର ମିଶନ ଅଧୀନରେ, ଭାରତ ଏପର୍ଯ୍ୟନ୍ତ ୧୦ ଟି ସେମିକଣ୍ଡକ୍ଟର ନିର୍ମାଣ ଏବଂ ପ୍ୟାକେଜିଂ ପ୍ରକଳ୍ପକୁ ଅନୁମୋଦନ କରିଛି। ଏହି ୟୁନିଟ୍ ମଧ୍ୟରୁ ଚାରୋଟି ଖୁବ୍ ଶୀଘ୍ର ଉତ୍ପାଦନ ଆରମ୍ଭ କରିବାକୁ ଯାଉଛି।
ବନ୍ଧୁଗଣ,
ଆପଣମାନେ ସମସ୍ତେ ଜାଣନ୍ତି ଯେ ବିଂଶ ଶତାବ୍ଦୀରେ, ଯେଉଁ ଦେଶ ପାଖରେ ତେଲ ଥିଲା, ସେ ସମୃଦ୍ଧି ଏବଂ ଶକ୍ତି ଉଭୟ ପାଉଥିଲା । ଏକବିଂଶ ଶତାବ୍ଦୀରେ, ଏହି ଶକ୍ତି ଛୋଟ ଚିପ୍ ଏବଂ ଏହା ସହିତ ଜଡିତ ଦକ୍ଷତା ଓ ସାମଗ୍ରୀରେ ନିହିତ ଅଛି। କରୋନା ମହାମାରୀ ସମୟରେ ଆମେ ଦେଖିଛୁ, ଛୋଟ ଚିପ୍ର ଯୋଗାଣ ଶୃଙ୍ଖଳ କେମିତି ଦୁର୍ବଳ ଥିଲା। ଚିପ୍ସର ଯୋଗାଣ ବାଧାପ୍ରାପ୍ତ ହେବା ମାତ୍ରେ, ସାରା ବିଶ୍ୱରେ କାରଖାନା ବନ୍ଦ ହୋଇଗଲା ଏବଂ ଅର୍ଥନୀତି ମଧ୍ୟ ଦୁର୍ବଳ ହୋଇ ପଡିଥିଲା। ଭାରତ ସେହି ସଙ୍କଟ ସମୟରୁ ଶିକ୍ଷା ଲାଭ କଲା ଏବଂ ଏହାକୁ ଏକ ସୁଯୋଗରେ ପରିଣତ କରିବାର ପ୍ରୟାସ ଆରମ୍ଭ କଲା। ଆମେ ଚିପ୍ ନିର୍ମାଣରେ ଭାରତକୁ ଆତ୍ମନିର୍ଭରଶୀଳ କରିବାକୁ ନିଷ୍ପତ୍ତି ନେଇଥିଲୁ। ଏହା କରିବା ପାଇଁ, ଆମକୁ ଭାରତରେ ଏକ ସେମିକଣ୍ଡକ୍ଟର ଇକୋସିଷ୍ଟମ ନିର୍ମାଣ କରିବାକୁ ପଡିବ। ଆଜିର କାର୍ଯ୍ୟକ୍ରମ ଏହି ଦୃଷ୍ଟିକୋଣର ଏକ ପ୍ରତିଫଳନ ଅଟେ ।
ବନ୍ଧୁଗଣ,
ଏକ ବିକଶିତ ଭାରତ ସେତେବେଳେ ହିଁ ନିର୍ମିତ ହେବ ଯେତେବେଳେ ଭାରତ ଆତ୍ମନିର୍ଭରଶୀଳ ହେବ ଏବଂ ଏଥିପାଇଁ, ମେଡ୍ ଇନ୍ ଇଣ୍ଡିଆ ଚିପ୍ସ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ । କାରଣ ଯେତେବେଳେ ଭାରତର ଚିପ୍ସ ମେଡ୍ ଇନ୍ ଇଣ୍ଡିଆ ହେବ, ଆମକୁ ଆମର ଆଧୁନିକ ଉପକରଣ ନିର୍ମାଣ ପାଇଁ ଆଉ ଅନ୍ୟମାନଙ୍କ ଉପରେ ନିର୍ଭର କରିବାକୁ ପଡ଼ିବ ନାହିଁ। ଡିଜିଟାଲ୍ ଇଣ୍ଡିଆ, ଏଆଇ, 5G-6G, ବୈଦ୍ୟୁତିକ ଯାନବାହନ କିମ୍ବା ପ୍ରତିରକ୍ଷା କ୍ଷେତ୍ର ହେଉ ଆଜି ପ୍ରତ୍ୟେକ ଅତ୍ୟାବଶ୍ୟକ ଜିନିଷର ଆତ୍ମା ହେଉଛି ସେମିକଣ୍ଡକ୍ଟର ଏବଂ ଚିପ୍। ଯଦି ଆମର ନିଜସ୍ୱ ଚିପ୍ ଥାଏ, ତେବେ ପ୍ରତ୍ୟେକ କ୍ଷେତ୍ରରେ ଭାରତର ପ୍ରଗତି ନିରବଚ୍ଛିନ୍ନ ଭାବରେ ଜାରି ରହିବ।
ବନ୍ଧୁଗଣ,
ଆଜି, ଫକ୍ସକନ୍ ଭଳି ବିଶାଳ କମ୍ପାନୀଗୁଡ଼ିକ ଭାରତ ଆସିବା ଏବଂ ଚିପ୍ ନିର୍ମାଣରେ ସହଯୋଗ କରିବା ମଧ୍ୟ ଏକ ବିଶ୍ୱସ୍ତରୀୟ ବାର୍ତ୍ତା ବହନ କରେ। ଭାରତ ଭଳି ଏକ ଗଣତାନ୍ତ୍ରିକ ଦେଶ ବିଶ୍ୱର ଏକ ବିଶ୍ୱସ୍ତ ସହଯୋଗୀ । ଯେକୌଣସି ମୂଲ୍ୟ ଶୃଙ୍ଖଳରେ ଭାରତର ବୃଦ୍ଧି ପାଉଥିବା ଅଂଶଗ୍ରହଣ ସେହି ମୂଲ୍ୟ ଶୃଙ୍ଖଳର ସ୍ଥିରତାକୁ ମଧ୍ୟ ବୃଦ୍ଧି କରିବ। ତେଣୁ, ବିଶ୍ୱର କାରଖାନା ଭାବରେ ଭାରତର ମାନ୍ୟତା, ଭାରତ ଏବଂ ଅନ୍ୟାନ୍ୟ ଦେଶଗୁଡିକ ପାଇଁ ‘ୱିନ୍-ୱିନ୍’ ପରିସ୍ଥିତି ପରି ।
ବନ୍ଧୁଗଣ,
ଆଜି ବିଶ୍ୱ ଭବିଷ୍ୟତରେ ଭାରତକୁ ପ୍ରଯୁକ୍ତିବିଦ୍ୟାର କେନ୍ଦ୍ର ଭାବରେ ଦେଖୁଛି। ଏହାର ଏକ ପ୍ରମୁଖ କାରଣ ହେଉଛି ଭାରତର ପ୍ରତିଭା। ଭାରତ କେବଳ ଏହାର ଚିପ୍ ଡିଜାଇନ୍ ପ୍ରତିଭା ସମୂହକୁ ବିସ୍ତାର କରୁନାହିଁ ବରଂ ଅନ୍ୟାନ୍ୟ ସେମିକଣ୍ଡକ୍ଟର-ସମ୍ବନ୍ଧୀୟ ଦକ୍ଷତା ଉପରେ ମଧ୍ୟ ଗୁରୁତ୍ୱ ଦେଉଛି। ଭାରତ ସରକାର ଚିପ୍ ଟୁ ଷ୍ଟାର୍ଟଅପ୍ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି। ଏହାର ଉଦ୍ଦେଶ୍ୟ ହେଉଛି ସେମିକଣ୍ଡକ୍ଟର ଡିଜାଇନରେ ୮୫,୦୦୦ ରୁ ଅଧିକ (ଇଣ୍ଡଷ୍ଟ୍ରି ରେଡି) ପେଶାଦାରମାନଙ୍କୁ ପ୍ରସ୍ତୁତ କରିବା। ଏହି ବର୍ଷର ବଜେଟରେ ଭାରତ ସେମିକଣ୍ଡକ୍ଟର ମିଶନର ଦ୍ୱିତୀୟ ପର୍ଯ୍ୟାୟ ମଧ୍ୟ ଘୋଷଣା କରାଯାଇଛି। ଏହାର ଅର୍ଥ ହେଉଛି ସମସ୍ତ ପ୍ରକାରର ଫ୍ୟାବ୍, ଉନ୍ନତ ପ୍ୟାକେଜିଂ ଏବଂ ଗବେଷଣା ଓ ବିକାଶ ପାଇଁ ଭାରତରେ ଏକ ସମ୍ପୂର୍ଣ୍ଣ ସମର୍ଥନ ପ୍ରଣାଳୀ ବିକଶିତ କରାଯାଉଛି। ସେମିକଣ୍ଡକ୍ଟର ଏବଂ ବ୍ୟାଟେରୀ ନିର୍ମାଣ ପାଇଁ ମଧ୍ୟ ରେୟାର୍ ଅର୍ଥ ଖଣିଜ ପଦାର୍ଥ ଅତ୍ୟାବଶ୍ୟକ। ସେମିକଣ୍ଡକ୍ଟର ଓ ବ୍ୟାଟେରୀ ଉତ୍ପାଦନ ପାଇଁ ରେୟାର୍ ଅର୍ଥ ମିନେରାଲ୍ସ ମଧ୍ୟ ଅତ୍ୟନ୍ତ ଆବଶ୍ୟକ। ଏହି କ୍ଷେତ୍ରରେ ମଧ୍ୟ ଆତ୍ମନିର୍ଭରତା ପାଇଁ ଭାରତ ବଡ଼ ପଦକ୍ଷେପ ଗ୍ରହଣ କରୁଛି। ଏହି ବର୍ଷର ବଜେଟ୍ରେ ଦେଶରେ ‘ରେୟାର୍ ଅର୍ଥ କରିଡୋର୍ସ’ ଗଠନ କରାଯିବ ବୋଲି ଘୋଷଣା କରାଯାଇଛି। ଏହା ସେମିକଣ୍ଡକ୍ଟର କ୍ଷେତ୍ର ପାଇଁ ମଧ୍ୟ ଏକ ବଡ଼ ପ୍ରୋତ୍ସାହନ ପାଲଟିବ ।
ବନ୍ଧୁଗଣ,
ଗତ ୧୧ ବର୍ଷ ଧରି, ଭାରତ ବାରମ୍ବାର ପ୍ରଦର୍ଶନ କରିଛି ଯେ ଆମେ ଯେଉଁ ଲକ୍ଷ୍ୟ ହାସଲ କରିବାକୁ ସ୍ଥିର କରିଥିଲୁ ତାହା ଆମେ ହାସଲ କରିଛୁ। କିଛି ବର୍ଷ ପୂର୍ବେ, ଯେତେବେଳେ ଦେଶ ମେକ୍ ଇନ୍ ଇଣ୍ଡିଆ ପାଇଁ ସଙ୍କଳ୍ପ ନେଇଥିଲା, ସେତେବେଳେ କିଛି ଲୋକ ସନ୍ଦେହ ଏବଂ ଆଶଙ୍କା ପ୍ରକାଶ କରିଥିଲେ। କିନ୍ତୁ ଆଜି, ମେକ୍ ଇନ୍ ଇଣ୍ଡିଆ ଏକ ଶକ୍ତିଶାଳୀ ବ୍ରାଣ୍ଡ ଭାବରେ ଉଭା ହୋଇଛି। ଗତ ୧୧ ବର୍ଷ ମଧ୍ୟରେ, ଭାରତରେ ଇଲେକ୍ଟ୍ରୋନିକ୍ସ ଉତ୍ପାଦନ ପ୍ରାୟ ଛଅ ଗୁଣ ବୃଦ୍ଧି ପାଇଛି। ଇଲେକ୍ଟ୍ରୋନିକ୍ସ ରପ୍ତାନି ମଧ୍ୟ ପ୍ରାୟ ଆଠ ଗୁଣ ବୃଦ୍ଧି ପାଇଛି। ମୋବାଇଲ୍ ଉତ୍ପାଦନ, ନିଶ୍ଚିତ ଭାବରେ, ଅଠେଇଶ ଗୁଣରୁ ଅଧିକ ବୃଦ୍ଧି ପାଇଛି ଏବଂ ଆମର ମୋବାଇଲ୍ ଫୋନ୍ ରପ୍ତାନି ମଧ୍ୟ ଶହେ ଗୁଣରୁ ଅଧିକ ବୃଦ୍ଧି ପାଇଛି।
ବନ୍ଧୁଗଣ,
ମୁଁ ସନ୍ତୁଷ୍ଟ ଅଛି ଯେ ଉତ୍ତର ପ୍ରଦେଶ ମଧ୍ୟ ଭାରତର ଉତ୍ପାଦନ ସଫଳତାର ଏକ ଦୃଢ଼ ସ୍ତମ୍ଭ ଭାବରେ ଉଭା ହେଉଛି। କେବଳ ମୋବାଇଲ୍ ଫୋନ୍ ନିର୍ମାଣ ବିଷୟରେ କହିବାକୁ ଗଲେ, ଦେଶର ଅଧାରୁ ଅଧିକ ମୋବାଇଲ୍ ଫୋନ୍ ଆଜି ଉତ୍ତର ପ୍ରଦେଶରେ ନିର୍ମିତ ହେଉଛି। ଆଗାମୀ ସମୟରେ ଉତ୍ତର ପ୍ରଦେଶର ଏହି କ୍ଷମତା ଆହୁରି ବଢ଼ିବାକୁ ଯାଉଛି। କାରଣ, ସେମିକଣ୍ଡକ୍ଟର ଇକୋସିଷ୍ଟମ ସହିତ, ଇଇଲେକ୍ଟ୍ରୋନିକ୍ସ ସଂପୃକ୍ତ ଛୋଟ ଛୋଟ ଉପାଦାନଗୁଡ଼ିକ ମଧ୍ୟ ଏଠାରେ ନିର୍ମିତ ହେବାକୁ ଯାଉଛି। ଏହା ମଧ୍ୟ ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ।
ବନ୍ଧୁଗଣ,
ଆଜି, ଉତ୍ତର ପ୍ରଦେଶକୁ ଏହାର ଉତ୍ପାଦନ ପାଇଁ ଆଲୋଚନା କରାଯାଉଛି। ଏଠାକୁ ଆସୁଥିବା ହଜାର ହଜାର କୋଟି ଟଙ୍କାର ନିବେଶ ଏବଂ ଏଠାରେ ସ୍ଥାପିତ ହେଉଥିବା ନୂତନ କାରଖାନାମାନଙ୍କ ପାଇଁ ଉତ୍ତର ପ୍ରଦେଶ ଆଜି ଆଲୋଚନାର ବିଷୟ ବସ୍ତୁ ପାଲଟିଛି । କିନ୍ତୁ ପ୍ରାୟ ଏକ ଦଶନ୍ଧି ପୂର୍ବ ପର୍ଯ୍ୟନ୍ତ ଉତ୍ତର ପ୍ରଦେଶକୁ ନକାରାତ୍ମକ ରାଜ୍ୟ ଭାବେ ଆଲୋଚନା କରାଯାଉଥିଲା । ପ୍ରବାସ, ଅଭାବ, ଅସୁବିଧା ଏବଂ ଅପରାଧ - ଏହା ଦେଶର ସର୍ବବୃହତ ରାଜ୍ୟର ଦୁର୍ଭାଗ୍ୟ ପାଲଟିଥିବା ପରି ମନେ ହେଉଥିଲା। ମୁଁ ବହୁତ ଗର୍ବିତ ଯେ ଉତ୍ତର ପ୍ରଦେଶର ଲୋକମାନେ ଡବଲ-ଇଞ୍ଜିନ ସରକାରଙ୍କ ଉପରେ ସେମାନଙ୍କର ଭରସା ଏବଂ ବାରମ୍ବାର ଆଶୀର୍ବାଦ ଦେଇଛନ୍ତି, ଓ ଏହାର ଫଳାଫଳ ନିରନ୍ତର ଦୃଶ୍ୟମାନ ହେଉଛି। ଆଜି, ଉତ୍ତର ପ୍ରଦେଶ ଏକ୍ସପ୍ରେସୱେର ରାଜ୍ୟ ଭାବେ ପରିଗଣିତ ହୋଇଛି। ପ୍ରତିରକ୍ଷା କରିଡର ପାଇଁ ମଧ୍ୟ ଉତ୍ତର ପ୍ରଦେଶ ବିଷୟରେ ଆଲୋଚନା ହେଉଛି। ଦେଶ ଏବଂ ବିଶ୍ୱର ଲୋକମାନେ ଉତ୍ତର ପ୍ରଦେଶକୁ ଏକ ପର୍ଯ୍ୟଟନ ସ୍ଥଳ ଭାବେ ଗଣତି କରୁଛନ୍ତି ।
ବନ୍ଧୁଗଣ,
ଆଜି ବିଶ୍ୱର ନିବେଶକମାନେ ଉତ୍ତର ପ୍ରଦେଶ ଆସୁଛନ୍ତି କାରଣ ସେମାନେ ଜାଣନ୍ତି ଯେ ଉତ୍ତର ପ୍ରଦେଶରେ ସେମାନଙ୍କର ନିବେଶର ଉତ୍କୃଷ୍ଟ ଫଳାଫଳ ନିଶ୍ଚିତ ମିଳିବ । ଡେଡିକେଟେଡ୍ ଫ୍ରେଟ୍ କରିଡୋର ଏବଂ ଜେଵର ଇଣ୍ଟରନ୍ୟାସନାଲ୍ ଏୟାରପୋର୍ଟ ପରି ଆଧୁନିକ ସଂଯୋଗ ବ୍ୟବସ୍ଥା ଏହି ସମଗ୍ର ଅଞ୍ଚଳକୁ ବିକାଶର ନୂତନ ଶିଖରରେ ପହଞ୍ଚାଉଛି। ଆସନ୍ତାକାଲି, ଅର୍ଥାତ ରବିବାର ଦିନ , ମୁଁ ଦିଲ୍ଲୀ-ମେରଠ ନମୋ ଭାରତ ଟ୍ରେନ୍ କରିଡରର ଉଦଘାଟନ କରିବି। ଯେଉଁଠାରେ ଏପରି ଉତ୍କୃଷ୍ଟ କାର୍ଯ୍ୟ ହେଉଛି, ସେହି ଉତ୍ତର ପ୍ରଦେଶ ନିଶ୍ଚିତ ଭାବେ ବିକଶିତ ହେବ। ମୁଁ ପୁଣିଥରେ ଏଚ୍ ସିଏଲ୍( HCL) ଏବଂ ଫକ୍ସକନ୍ (Foxconn) ପ୍ରତି ମୋର ଗଭୀର କୃତଜ୍ଞତା ପ୍ରକାଶ କରୁଛି। ମୁଁ ନିଶ୍ଚିତ ଯେ ଏହି ସେମିକଣ୍ଡକ୍ଟର ୟୁନିଟ୍ ଉତ୍ତର ପ୍ରଦେଶର ବିକାଶର ଗତିକୁ ଆହୁରି ତ୍ୱରାନ୍ୱିତ କରିବ।
ଆପଣମାନଙ୍କୁ ସମସ୍ତଙ୍କୁ ପୁଣି ଥରେ ମୋର ଶୁଭକାମନା।
ଆପଣମାନଙ୍କୁ ବହୁତ ବହୁତ ଧନ୍ୟବାଦ।
*****
SPD
(ରିଲିଜ ଆଡି: 2248844)
ପରିଦର୍ଶକ କାଉଣ୍ଟର : 25
ଏହି ରିଲିଜ ପଢନ୍ତୁ :
हिन्दी
,
Tamil
,
English
,
Urdu
,
Bengali
,
Bengali-TR
,
Manipuri
,
Assamese
,
Punjabi
,
Gujarati
,
Telugu
,
Kannada
,
Malayalam