ରାଷ୍ଟ୍ରପତିଙ୍କ ସଚିବାଳୟ
'ଜଳ ମହୋତ୍ସବ ୨୦୨୬'କୁ ସମ୍ବୋଧିତ କଲେ ରାଷ୍ଟ୍ରପତି
ଆମର ଭବିଷ୍ୟତକୁ ସୁରକ୍ଷିତ କରିବା ପାଇଁ, ଜଳ ସଂରକ୍ଷଣକୁ ଆମ ଜୀବନର ଏକ ଅବିଚ୍ଛେଦ୍ୟ ଅଂଶ କରିବାକୁ ପଡିବ : ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ପୋଷ୍ଟ କରାଯିବା ଦିନାଙ୍କ:
11 MAR 2026 2:31PM by PIB Bhubaneshwar
ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଆଜି ନୂଆଦିଲ୍ଲୀରେ 'ଜଳ ମହୋତ୍ସବ ୨୦୨୬' କାର୍ଯ୍ୟକ୍ରମରେ ଯୋଗଦେଇ ଏହାକୁ ସମ୍ବୋଧିତ କରିଥିଲେ।
ଏହି ଅବସରରେ, ଭାରତରେ ଜଳ କେବଳ ଏକ ମୌଳିକ ଆବଶ୍ୟକତା ନୁହେଁ, ବରଂ ଏହା ଆମର ସଂସ୍କୃତି, ପରମ୍ପରା, ଜୀବିକା ଏବଂ ସାମୂହିକ ଜୀବନ ସହିତ ଗଭୀର ଭାବରେ ଜଡିତ ବୋଲି ରାଷ୍ଟ୍ରପତି କହିଛନ୍ତି । ଏତେ ବର୍ଷ ଧରି, ଗ୍ରାମବାସୀ, ବିଶେଷ କରି ମହିଳା ଏବଂ ପିଲାମାନଙ୍କୁ ଦୂର ସ୍ଥାନରୁ ପାନୀୟ ଜଳ ଆଣିବାକୁ ପଡୁଥିଲା। ସ୍ୱଚ୍ଛ ଜଳ ଯୋଗାଣ କେବଳ ସୁବିଧା ପ୍ରଦାନ କରିବାର ବିଷୟ ନଥିଲା ; ଏହା ସମୟ, ସ୍ୱାସ୍ଥ୍ୟ ଏବଂ ମର୍ଯ୍ୟାଦାର ବିଷୟ ଥିଲା। ଏହି ଆହ୍ଵାନ ଗୁଡ଼ିକର ମୁକାବିଲା କରିବା ପାଇଁ, ଭାରତ ସରକାର 'ଜଳ ଜୀବନ ମିଶନ' ଆରମ୍ଭ କରିଥିଲେ। ପାନୀୟ ଜଳ ପାଇବା ପାଇଁ ସଂଘର୍ଷ କରୁଥିବା ଗ୍ରାମବାସୀମାନେ ଏବେ ସେମାନଙ୍କ ଘରେ ସ୍ୱଚ୍ଛ ଏବଂ ସୁରକ୍ଷିତ ଜଳ ପାଇପାରୁଛନ୍ତି।
କେବଳ ସରକାର ନୁହଁନ୍ତି, ଯେତେବେଳେ ସମଗ୍ର ସମୁଦାୟ ଏକ ସମ୍ପଦର ଦାୟିତ୍ୱ ଗ୍ରହଣ କରେ, ସେତେବେଳେ ଏହାର ସଂରକ୍ଷଣ ଅଧିକ ପ୍ରଭାବଶାଳୀ ଏବଂ ସ୍ଥାୟୀ ହୋଇଯାଏ ବୋଲି ରାଷ୍ଟ୍ରପତି କହିଛନ୍ତି । ଜଳ ପରିଚାଳନା ଏବଂ ସଂରକ୍ଷଣରେ ସାମୁହିକ ମାଲିକାନା ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରେ । ସେ ବିଶ୍ୱାସ ପ୍ରକାଶ କରିଥିଲେ ଯେ, 'ଜଳ ଅର୍ପଣ ଦିବସ' ପାଳନ କରିବା ଦ୍ୱାରା ଗ୍ରାମ ପଞ୍ଚାୟତକୁ ଜଳ ଯୋଗାଣ ଭିତ୍ତିଭୂମିର ଆନୁଷ୍ଠାନିକ ହସ୍ତାନ୍ତର ସାମୁଦାୟିକ ମାଲିକାନା ଭାବନାକୁ ସୁଦୃଢ଼ କରିବ।
ସ୍ୱୟଂ ସହାୟକ ଗୋଷ୍ଠୀଗୁଡ଼ିକ ଜଳ ପରୀକ୍ଷା, ପରିଚାଳନା ଏବଂ ଅନ୍ୟାନ୍ୟ ରକ୍ଷଣାବେକ୍ଷଣ କାର୍ଯ୍ୟକଳାପରେ ସାମିଲ ଅଛନ୍ତି ଜାଣି ରାଷ୍ଟ୍ରପତି ଖୁସି ବ୍ୟକ୍ତ କରିଥିଲେ । ସେ ଉଲ୍ଲେଖ କରିଥିଲେ ଯେ, ଏପରି ଅନେକ ଉଦାହରଣ ଅଛି ଯେଉଁଠାରେ ସ୍ୱୟଂ ସହାୟକ ଗୋଷ୍ଠୀଗୁଡ଼ିକର ପ୍ରତିବଦ୍ଧତା ଏବଂ ସମର୍ପଣ ମହିଳା ଏବଂ ସମାଜର ଜୀବନରେ ସକାରାତ୍ମକ ପରିବର୍ତ୍ତନ ଆଣିଥାଏ। ଜଳ ସୁରକ୍ଷା ସମସ୍ୟାର ସମାଧାନ ପାଇଁ ସ୍ୱୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ମହିଳାମାନଙ୍କ ଦକ୍ଷତାକୁ ଉପଯୋଗ କରିବା ବହୁତ ଲାଭଦାୟକ ହେବ ବୋଲି ସେ ବିଶ୍ୱାସ ପ୍ରକାଶ କରିଥିଲେ।
ଜଳ ସୁରକ୍ଷାକୁ ସୁଦୃଢ଼ କରିବା ପାଇଁ ବହୁବିଧ ଏବଂ ସହଯୋଗୀ ପ୍ରୟାସ ଜରୁରୀ ବୋଲି ରାଷ୍ଟ୍ରପତି କହିଥିଲେ। ସେ ଏହା ଜାଣି ଖୁସି ହୋଇଥିଲେ ଯେ "ସ୍ୱଚ୍ଛ ଭାରତ ମିଶନ" ସହିତ ସମନ୍ୱୟରେ ଗ୍ରାମାଞ୍ଚଳରେ ଅପରିଷ୍କାର ଜଳ ପରିଚାଳନାକୁ ପ୍ରୋତ୍ସାହିତ କରାଯାଉଛି। ଜଳ ସମ୍ପଦଗୁଡ଼ିକୁ ବଜାୟ ରଖିବା ପାଇଁ, କେନ୍ଦ୍ରୀୟ ଭୂତଳ ଜଳ ବୋର୍ଡ ଏବଂ ଅନ୍ୟାନ୍ୟ ସମ୍ପୃକ୍ତ ସଂଗଠନ ସହିତ ଭୂତଳ ଜଳ ପୁନଃଚାର୍ଜ ଏବଂ ଜଳ ସଂରକ୍ଷଣ ଉପରେ କାର୍ଯ୍ୟ କରାଯାଉଛି। କ୍ୟାଚ୍ ଦି ରେନ୍ ଏବଂ ଜଳ ସଞ୍ଚୟ ଜନ ଭାଗୀଦାରୀ ଭଳି ଅଭିଯାନ ବର୍ଷା ଜଳ ସଂଗ୍ରହରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି। ସେ କହିଥିଲେ ଯେ, ଏପରି ସମନ୍ୱୟ ଜଳ ସୁରକ୍ଷା ସୁନିଶ୍ଚିତ କରିବ । ରାଷ୍ଟ୍ରପତି କହିଥିଲେ ଯେ, ଜଳ ସଂରକ୍ଷଣ କରିବା ହେଉଛି ସମସ୍ତଙ୍କର ଦାୟିତ୍ୱ।
ଆମେ ଜଳକୁ କେବଳ ଏକ ସାମଗ୍ରୀ ଭାବରେ ନୁହେଁ, ବରଂ ଭବିଷ୍ୟତ ପିଢ଼ି ପାଇଁ ଏକ ମୂଲ୍ୟବାନ ସମ୍ପଦ ଭାବରେ ଦେଖିବା ଉଚିତ। ଆମର ଭବିଷ୍ୟତକୁ ସୁରକ୍ଷିତ କରିବା ପାଇଁ, ଆମକୁ ଜଳ ସଂରକ୍ଷଣକୁ ଆମ ଜୀବନର ଏକ ଅତ୍ୟାବଶ୍ୟକୀୟ ଅଂଶ କରିବାକୁ ପଡିବ। ଜଳ ପରିଚାଳନା ଏବଂ ସଂରକ୍ଷଣ ବିଷୟରେ ଯୁବ ପିଢ଼ିଙ୍କ ମଧ୍ୟରେ ସଚେତନତା ଭବିଷ୍ୟତରେ ଦେଶର ଜଳ ସୁରକ୍ଷାକୁ ସୁନିଶ୍ଚିତ କରିବ। ସେ ବିଶ୍ୱାସ ପ୍ରକାଶ କରିଥିଲେ ଯେ, 'ଜଳ ମହୋତ୍ସବ' ଭାରତର ଜଳ ସୁରକ୍ଷା ପାଇଁ ଏକ ପ୍ରମୁଖ ଆନ୍ଦୋଳନର ମାଧ୍ୟମ ହେବ।
ଜଳ ଜୀବନ ମିଶନ ଅଧୀନରେ ଗ୍ରାମାଞ୍ଚଳରେ ପାନୀୟ ଜଳ ସେବା ପ୍ରଦାନ କରିବାରେ ଜନଭାଗୀଦାରୀ ଏବଂ ସାମୁଦାୟିକ ମାଲିକାନାକୁ ସୁଦୃଢ଼ କରିବା ପାଇଁ ଜଳ ଶକ୍ତି ମନ୍ତ୍ରଣାଳୟ ମାର୍ଚ୍ଚ ୮ ରୁ ୨୨ ତାରିଖ ପର୍ଯ୍ୟନ୍ତ ସାରା ଦେଶରେ ଜଳ ମହୋତ୍ସବ ୨୦୨୬ ଆୟୋଜନ କରୁଛି।
***
SSP
(ରିଲିଜ ଆଡି: 2238622)
ପରିଦର୍ଶକ କାଉଣ୍ଟର : 7