ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

‘ମନ କି ବାତ’ର ୧୩୧ତମ ଅଧ୍ୟାୟରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ


ଓଡ଼ିଶାରୁ ଆତ୍ମନିର୍ଭର କୃଷିର ସଫଳ ଦୃଷ୍ଟାନ୍ତ; ଯୁବଚାଷୀ ହିରୋଦ ପଟେଲଙ୍କ ଅଭିନଵ ମଡେଲକୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା

ପୋଷ୍ଟ କରାଯିବା ଦିନାଙ୍କ: 22 FEB 2026 11:38AM by PIB Bhubaneshwar

‘ମନ୍ କି ବାତ୍’କୁ ଆପଣଙ୍କୁ ସ୍ୱାଗତ ଏବଂ ଅଭିନନ୍ଦନ । ‘ମନ୍ କି ବାତ୍’ ଦେଶ ଏବଂ ଏହାର ନାଗରିକଙ୍କ ସଫଳତାକୁ ଉଜ୍ଜ୍ୱଳ କରିବା ପାଇଁ ଏକ ଶକ୍ତିଶାଳୀ ମଞ୍ଚ। ଦେଶ ସମ୍ପ୍ରତି ଦିଲ୍ଲୀରେ ଅନୁଷ୍ଠିତ ଗ୍ଲୋବାଲ୍ ଏଆଇ ଇମ୍ପାକ୍ଟ ଶିଖର ସମ୍ମିଳନୀରେ ସମାନ ସଫଳତା ଦେଖିଛି। ବହୁ ଦେଶର ନେତା, ଶିଳ୍ପ ନେତା, ନବସୃଜନକାରୀ ଏବଂ ଷ୍ଟାର୍ଟ-ଅପ୍ କ୍ଷେତ୍ର ସହିତ ଜଡିତ ଲୋକମାନେ ଏଆଇ ଇମ୍ପାକ୍ଟ ଶିଖର ପାଇଁ ଭାରତ ମଣ୍ଡପମରେ ଏକାଠି ହୋଇଥିଲେ। ଏହି ଶିଖର ସମ୍ମିଳନୀ ଭବିଷ୍ୟତରେ ବିଶ୍ୱ କିପରି ଏଆଇର ଶକ୍ତିକୁ ବ୍ୟବହାର କରିବ ତାହାର ଗତିପଥରେ ଏକ ଉଲ୍ଲେଖନୀୟ ମୋଡ଼ ସାବ୍ୟସ୍ତ ହୋଇଛି।

ବନ୍ଧୁଗଣ,

ଏହି ସମ୍ମିଳନୀରେ ମୋତେ ବିଶ୍ୱର ନେତୃବୃନ୍ଦ ଏବଂ ଟେକ ସିଇଓମାନଙ୍କ ସହିତ ସାକ୍ଷାତ କରିବାର ସୁଯୋଗ ମଧ୍ୟ ମିଳିଲା । ଏଆଇ ସମ୍ମିଳନୀ ପ୍ରଦର୍ଶନୀରେ ମୁଁ ବିଶ୍ୱର ନେତାମାନଙ୍କୁ ଅନେକ ଉତ୍ପାଦ ଦେଖାଇଥିଲି । ମୁଁ ଦୁଇଟି ଉତ୍ପାଦ ବିଶେଷ ଭାବେ ଉଲ୍ଲେଖ କରିବାକୁ ଚାହୁଁଛି । ସମ୍ମିଳନୀରେ ଏହି ଦୁଇଟି ଉତ୍ପାଦ ବିଶ୍ୱର ନେତାମାନଙ୍କୁ ବହୁତ ପ୍ରଭାବିତ କରିଥିଲା । ପ୍ରଥମ ଉତ୍ପାଦ ଅମୁଲ୍ ବୁଥ୍ ଉପରେ ଥିଲା । ଏଥିରେ ଦର୍ଶାଯାଇଥିଲା ଯେ କିଭଳି ଏଆଇ ପଶୁମାନଙ୍କ ଚିକିତ୍ସା କରିବାରେ ଆମର ସାହାଯ୍ୟ କରୁଛି ଏବଂ କିଭଳି ୨୪ ଘଣ୍ଟିଆ ଏଆଇ ସହାୟତା ସାହାଯ୍ୟରେ ଚାଷୀ ନିଜର ଦୁଗ୍ଧ ଉତ୍ପାଦନ କେନ୍ଦ୍ର ଏବଂ ପଶୁମାନଙ୍କ ହିସାବ ରଖୁଛନ୍ତି ।

ବନ୍ଧୁଗଣ, 

ଦ୍ୱିତୀୟ ଉତ୍ପାଦଟି ଆମ ସଂସ୍କୃତି ସହିତ ଜଡିତ ଥିଲା। ସାରା ବିଶ୍ୱର ନେତାମାନେ ଏହା ଦେଖି ଆଶ୍ଚର୍ଯ୍ୟ ହୋଇଗଲେ ଯେ କିପରି ଆମେ ଏଆଇ ସାହାଯ୍ୟରେ ଆମର ପ୍ରାଚୀନ ଗ୍ରନ୍ଥ, ଆମର ପ୍ରାଚୀନ ଜ୍ଞାନ, ଆମର ପାଣ୍ଡୁଲିପିକୁ ସଂରକ୍ଷଣ କରୁଛୁ ଏବଂ ଆଜିର ପିଢ଼ି ସହିତ ସେଗୁଡ଼ିକୁ ଗ୍ରହଣ କରୁଛୁ।

ବନ୍ଧୁଗଣ, 

ପ୍ରଦର୍ଶନୀ ସମୟରେ ପ୍ରଦର୍ଶନ ପାଇଁ ସୁଶ୍ରୁତ ସଂହିତାକୁ ଚୟନ କରାଯାଇଥିଲା । ପ୍ରଥମ ପଦକ୍ଷେପରେ ଦର୍ଶାଗଲା ଯେ କିଭଳି ଟେକ୍ନୋଲଜି ସାହାଯ୍ୟରେ ଆମେ ପାଣ୍ଡୁଲିପିଗୁଡ଼ିକର ଛବିର ମାନ ଉନ୍ନତ କରି ସେଗୁଡ଼ିକୁ ପଠନଯୋଗ୍ୟ କରୁଛୁ । ଦ୍ୱିତୀୟ ପଦକ୍ଷେପରେ ଏହି ଛବିକୁ ଯନ୍ତ୍ର ପାଇଁ ପଠନଯୋଗ୍ୟ ଲିପିରେ ପରିବର୍ତ୍ତିତ କରାଗଲା । ପରବର୍ତ୍ତୀ ପଦକ୍ଷେପରେ ଯନ୍ତ୍ର ଦ୍ୱାରା ପଠନଯୋଗ୍ୟ ଲିପିକୁ ଜଣେ ଏଆଇ ଅବତାର ପାଠ କଲା । ଆଉ ପୁଣି ପରବର୍ତ୍ତୀ ପଦକ୍ଷେପରେ ଆମେ ଏହା ମଧ୍ୟ ଦେଖାଇଲୁ ଯେ କିଭଳି ଟେକ୍ନୋଲଜି ଦ୍ୱାରା ଦୁର୍ମୂଲ୍ୟ ଭାରତୀୟ ଜ୍ଞାନ ଭାରତୀୟ ଭାଷାଗୁଡ଼ିକୁ ଏବଂ ବିଦେଶୀ ଭାଷାଗୁଡ଼ିକୁ ଅନୁବାଦିତ କରାଯାଇପାରେ । ଭାରତର ପ୍ରାଚୀନ ଜ୍ଞାନକୁ ଆଧୁନିକ ଅବତାର ମାଧ୍ୟମରେ ଜାଣିବାରେ ବିଶ୍ୱ ନେତୃବୃନ୍ଦ ବହୁତ ଆଗ୍ରହ ପ୍ରଦର୍ଶନ କରିଥିଲେ ।

ବନ୍ଧୁଗଣ, 

ଏହି ସମ୍ମିଳନୀରେ ବିଶ୍ୱକୁ ଏଆଇ କ୍ଷେତ୍ରରେ ଭାରତର ଚମତ୍କାର କ୍ଷମତା ଦେଖିବାକୁ ମିଳିଲା । ଏହି ସମୟରେ ଭାରତ ତିନୋଟି ଭାରତରେ ନିର୍ମିତ ଏଆଇ ମଡେଲର ମଧ୍ୟ ଶୁଭାରମ୍ଭ କଲା । ଏହା ଏପର୍ଯ୍ୟନ୍ତ ସର୍ବବୃହତ ଏଆଇ ସମ୍ମିଳନୀ । ଏହି ସମ୍ମିଳନୀକୁ ନେଇ ଯୁବବର୍ଗଙ୍କ ଉତ୍କଣ୍ଠା ଓ ଉତ୍ସାହ ମଧ୍ୟ ବେଶ୍ ପରିଲକ୍ଷିତ ହେଉଥିଲା । ମୁଁ ସମସ୍ତ ଦେଶବାସୀଙ୍କୁ ଏହି ସମ୍ମିଳନୀର ସଫଳତା ପାଇଁ ଅଭିନନ୍ଦନ ଜଣାଉଛି ।

ବନ୍ଧୁଗଣ, 

ମୁଁ ପ୍ରାୟତଃ କହିଥାଏ ଯେ ‘ଯିଏ ଖେଳେ – ତା’ର ବିକାଶ ହୁଏ’ । ଖେଳ ଆମ ମଧ୍ୟରେ ଏକତା ବି ସୃଷ୍ଟି କରେ । ଆଜିକାଲି ଆପଣ ଟି-ଟ୍ୱେଣ୍ଟି ବିଶ୍ୱକପ୍ ମ୍ୟାଚଗୁଡ଼ିକ ଦେଖୁଥିବେ । ଆଉ ମୋର ଦୃଢ଼ ବିଶ୍ୱାସ ଯେ ମ୍ୟାଚ୍ ଦେଖିବା ସମୟରେ ଆପଣଙ୍କ ଦୃଷ୍ଟି କୌଣସି ନିର୍ଦ୍ଦିଷ୍ଟ କ୍ରୀଡ଼ାବିତ୍ ଉପରେ ରହୁଥିବ । ଜର୍ସୀ କୌଣସି ଅନ୍ୟ ଦେଶର ହୋଇଥିବ କିନ୍ତୁ ନାଁ ଶୁଣି ଲାଗିବ - ଆରେ ୟେ ତ ଆମରି ଦେଶର । ସେତେବେଳେ ହୃଦୟର କୌଣସି କୋଣରେ ଟିକିଏ ଖୁସି ଅନୁଭୂତ ହୁଏ । କାରଣ ସେହି ଖେଳାଳି ଭାରତୀୟ ବଂଶୋଦ୍ଭବ ହୋଇଥାଏ ଏବଂ ସେ ସେହି ଦେଶ ପାଇଁ ଖେଳୁଥାଏ ଯେଉଁଠି ତା’ର ପରିବାର ସ୍ଥାୟୀ ହୋଇରହିଛନ୍ତି । ସେ ନିଜ ଦେଶର ଜର୍ସୀ ପିନ୍ଧି ପଡ଼ିଆକୁ ଓହ୍ଲାନ୍ତି ଏବଂ ସମ୍ପୂର୍ଣ୍ଣ ନିଷ୍ଠାର ସହିତ ସେହି ଦେଶର ପ୍ରତିନିଧିତ୍ୱ କରନ୍ତି । କାନାଡା ଟିମରେ ସବୁଠାରୁ ଅଧିକ ଭାରତୀୟ ବଂଶୋଦ୍ଭବ ଖେଳାଳି ରହିଛନ୍ତି । ଟିମର ଅଧିନାୟକ ଦିଲପ୍ରିତ୍ ବାଜ୍ୱାଙ୍କ ଜନ୍ମ ପଞ୍ଜାବର ଗୁରୁଦାସପୁରରେ ହୋଇଥିଲା । ନବଜୀତ୍ ଧାଲୀବାଲ ହେଉଛନ୍ତି ଚଣ୍ଡିଗଡ଼ର । ଏହି ସୂଚୀରେ ହର୍ଷ ଠାକର, ଶ୍ରେୟସ ମୋୱା ଭଳି ଅନେକ ନାଁ ରହିଛି, ଯେଉଁମାନେ କାନାଡା ସହିତ ଭାରତର ଗୌରବ ମଧ୍ୟ ବୃଦ୍ଧି କରୁଛନ୍ତି । ଆମେରିକା ଦଳର ଅନେକ ଚେହେରା ଭାରତର ଘରୋଇ କ୍ରିକେଟରୁ ବାହାରିଛନ୍ତି । ଆମେରିକା ଦଳର ଅଧିନାୟକ ମୋନାଙ୍କ ପଟେଲ୍ ଗୁଜୁରାଟର ଅଣ୍ଡର-୧୬ ଏବଂ ଅଣ୍ଡର-୧୮ ଦଳ ପାଇଁ ମଧ୍ୟ ଖେଳିସାରିଛନ୍ତି । ମୁମ୍ବାଇର ସୌରଭ, ହରମିତ୍ ସିଂହ, ଦିଲ୍ଲୀର ମିଲିନ୍ଦ କୁମାର – ଏମାନେ ସମସ୍ତେ ଆମେରିକା ଦଳର ଗୌରବ । ଓମାନ୍ ଦଳରେ ଆଜି ଅନେକ ଖେଳାଳି ରହିଛନ୍ତି ଯେଉଁମାନେ ପୂର୍ବରୁ ଭାରତର ବିଭିନ୍ନ ରାଜ୍ୟରେ ଖେଳିସାରିଛନ୍ତି । ଯତିନ୍ଦର ସିଂହ, ବିନାୟକ ଶୁକ୍ଲା, କରନ, ଜୟ, ଆଶିଷଙ୍କ ଭଳି ଖେଳାଳି ଓମାନ୍ କ୍ରିକେଟ୍ ଦଳକୁ ଶକ୍ତିଶାଳୀ କରିଛନ୍ତି । ନ୍ୟୁଜିଲାଣ୍ଡ, ୟୁଏଇ ଏବଂ ଇଟାଲୀର ଦଳଗୁଡ଼ିକରେ ମଧ୍ୟ ଭାରତୀୟ ବଂଶୋଦ୍ଭବ ଖେଳାଳିମାନେ ନିଜର ସ୍ଥାନ ସଂରକ୍ଷିତ କରୁଛନ୍ତି । ଏଭଳି ଅନେକ ଭାରତୀୟ ବଂଶୋଦ୍ଭବ ଖେଳାଳି ରହିଛନ୍ତି ଯେଉଁମାନେ ନିଜ ଦେଶକୁ ଗୌରବାନ୍ୱିତ କରୁଛନ୍ତି । ସେଠାକାର ଯୁବବର୍ଗଙ୍କ ପାଇଁ ପ୍ରେରଣାର ଉତ୍ସ ହେଉଛନ୍ତି । ଭାରତୀୟତାର ଏହାହିଁ ତ ବିଶେଷତ୍ୱ । ଭାରତୀୟମାନେ ଯେଉଁଠିକୁ ଗଲେ ମଧ୍ୟ ନିଜର ମାତୃଭୂମି ସହିତ ଜଡ଼ିତ ହୋଇ ରହନ୍ତି ଏବଂ ନିଜର କର୍ମଭୂମି ଅର୍ଥାତ୍ ଯେଉଁ ଦେଶରେ ସେମାନେ ରହୁଛନ୍ତି ସେଠାକାର ବିକାଶରେ ମଧ୍ୟ ସହଯୋଗ କରିଥାନ୍ତି ।

ମୋର ପ୍ରିୟ ଦେଶବାସୀଗଣ, 

କୌଣସି ପିତାମାତାଙ୍କ ପାଇଁ ନିଜ ସନ୍ତାନକୁ ହରାଇବାଠାରୁ ବଡ଼ ଦୁଃଖ ଆଉ କିଛି ହୋଇନପାରେ । କୁନିପିଲାଟିକୁ ହରାଇବା ଦୁଃଖ ତ ଆହୁରି କଷ୍ଟଦାୟକ । କିଛିଦିନ ପୂର୍ବେ ଆମେ କେରଳର ନିରୀହ ଝିଅ ଆଲିନ୍ ଶେରିନ୍ ଆବ୍ରାହମକୁ ହରାଇଦେଇଛୁ । ମାତ୍ର ୧୦ ମାସ ବୟସରେ ସେ ଏହି ଦୁନିଆ ଛାଡି ଚାଲିଗଲେ । କଳ୍ପନା କରନ୍ତୁ ତ – ତା’ ଆଗରେ ଏକ ଦୀର୍ଘ ଜୀବନ ଥିଲା, ଯାହା ହଠାତ୍ ଶେଷ ହୋଇଗଲା । କେତେ କେତେ ସ୍ୱପ୍ନ ଏବଂ ଖୁସି ଅସମ୍ପୂର୍ଣ୍ଣ ରହିଗଲା । ତାଙ୍କର ପିତାମାତା ଯେଉଁ କଷ୍ଟ ଦେଇ ଗତି କରୁଥିବେ, ତାକୁ ଭାଷାରେ ପ୍ରକାଶ କରାଯାଇପାରିବ ନାହିଁ । କିନ୍ତୁ ଏତେ ଗଭୀର ଯନ୍ତ୍ରଣା ସତ୍ତ୍ୱେ ଆଲିନଙ୍କର ପିତା ଅରୁଣ ଆବ୍ରାହମ୍ ଏବଂ ମା’ ଶେରିନ୍ ଏଭଳି ଗୋଟିଏ ନିଷ୍ପତ୍ତି ଗ୍ରହଣ କଲେ, ଯାହା ଯୋଗୁଁ ପ୍ରତ୍ୟେକ ଦେଶବାସୀଙ୍କ ହୃଦୟ ତାଙ୍କପ୍ରତି ସମ୍ମାନରେ ପରିପୂର୍ଣ୍ଣ ହୋଇଗଲା । ସେମାନେ ଆଲିନର ଅଙ୍ଗଦାନ ପାଇଁ ନିଷ୍ପତ୍ତି ଗ୍ରହଣ କଲେ । ମାତ୍ର ଏହି ଗୋଟିଏ ନିଷ୍ପତ୍ତିରୁ ଜଣାପଡୁଛି ଯେ ସେମାନଙ୍କ ଚିନ୍ତାଧାରା ଏବଂ ବ୍ୟକ୍ତିତ୍ୱ କେତେ ବିଶାଳ । ଏକପକ୍ଷରେ ସେମାନେ ନିଜ ଝିଅକୁ ହରାଇବାର ଶୋକରେ ବୁଡିରହିଥିଲେ ତ ଅନ୍ୟପକ୍ଷରେ ଅନ୍ୟମାନଙ୍କୁ ସାହାଯ୍ୟ କରିବାର ଭାବନା ମଧ୍ୟ ସେମାନଙ୍କ ମଧ୍ୟରେ ରହିଥିଲା । ସେମାନେ ଚାହୁଁଥିଲେ ଯେ କୌଣସି ପରିବାରକୁ ଏଭଳି କଷ୍ଟ ସହିବାକୁ ନ ପଡୁ । ଆଲିନ୍ ସେରିନ୍ ଆବ୍ରାହମ୍ ଆଜି ଆମ ଗହଣରେ ନାହାନ୍ତି, କିନ୍ତୁ ତାଙ୍କର ନାଁ ଦେଶର କମ୍ ବୟସର ଅଙ୍ଗଦାତା ସୂଚୀରେ ଲିପିବଦ୍ଧ ହୋଇଯାଇଛି । ବନ୍ଧୁଗଣ, ଆଜିକାଲି ଭାରତରେ ଅଙ୍ଗଦାନକୁ ନେଇ ସଚେତନତା କ୍ରମାଗତ ଭାବେ ବୃଦ୍ଧି ପାଇଚାଲିଛି । ଏହାଦ୍ୱାରା ସେହିମାନଙ୍କୁ ସହାୟତା ମିଳିପାରୁଛି ଯାହାକୁ ଏହାର ଆବଶ୍ୟକତା ରହିଛି । ଏହା ସଙ୍ଗେସଙ୍ଗେ ଦେଶର ମେଡ଼ିକାଲ ଗବେଷଣା ମଧ୍ୟ ସୁଦୃଢ଼ ହୋଇପାରୁଛି । ଏହି ଦିଗରେ ଅନେକ ଅନୁଷ୍ଠାନ ଏବଂ ଲୋକ ଅସାଧାରଣ କାର୍ଯ୍ୟ କରୁଛନ୍ତି ।

ବନ୍ଧୁଗଣ, 

କେରଳର ଆଲିନଙ୍କ ଭଳି ଅନେକ ଲୋକ ରହିଛନ୍ତି ଯେଉଁମାନେ ଅଙ୍ଗଦାନ ଜରିଆରେ କାହାରିକୁ ନବଜୀବନ ପ୍ରଦାନ କରିଛନ୍ତି । ଯେମିତିକି ଦିଲ୍ଲୀର ଲକ୍ଷ୍ମୀ ଦେବୀ । ସେ ଗତବର୍ଷ କେଦାରନାଥ ଯାତ୍ରା କରିଥିଲେ । ଏଥିପାଇଁ ତାଙ୍କୁ ୧୪ କିଲୋମିଟର ଟ୍ରାକିଙ୍ଗ କରିବାକୁ ପଡିଥିଲା । ଏକଥା ଜାଣି ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗିବ ଯେ ସେ ଏହି ଯାତ୍ରା ହାର୍ଟ ପ୍ରତିରୋପଣ ପରେ କରିଥିଲେ । ତାଙ୍କ ହାର୍ଟ ମାତ୍ର ୧୫ ପ୍ରତିଶତ କାର୍ଯ୍ୟକ୍ଷମ ଥିଲା । ଏଭଳି ପରିସ୍ଥିତିରେ ତାଙ୍କୁ ଜଣେ ଡୋନର ହାର୍ଟ ମିଳିଲା, ଯାହାଙ୍କର ମୃତ୍ୟୁ ହୋଇଯାଇଥିଲା । ତା’ପରେ ତ ତାଙ୍କ ଜୀବନ ହିଁ ବଦଳିଗଲା । ପଶ୍ଚିମବଙ୍ଗର ଗୌରାଙ୍ଗ ବାନାର୍ଜୀ ଦୁଇଥର ନାଥୁଲା ଯାଇଛନ୍ତି । ଏହା ସମୁଦ୍ରପତନଠାରୁ ୧୪ ହଜାର ଫୁଟ୍ ଉଚ୍ଚତାରେ ରହିଛି ଏବଂ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଯେ ସେ ଏହି ଉପଲବଧି ଫୁସଫୁସ ପ୍ରତିରୋପଣ ପରେ ହାସଲ କରିଛନ୍ତି । ରାଜସ୍ଥାନରେ ସିକର୍ର ରାମଦେବ ସିଂହଙ୍କୁ ବୃକକ୍ ପ୍ରତିରୋପଣ କରାଇବାକୁ ପଡିଥିଲା । ଆଜି ସେ କ୍ରୀଡ଼ା କ୍ଷେତ୍ରରେ ଚମତ୍କାର ପ୍ରଦର୍ଶନ କରୁଛନ୍ତି ।

ବନ୍ଧୁଗଣ, 

ଆପଣଙ୍କୁ ଏଭଳି ଅନେକଗୁଡ଼ିଏ ପ୍ରେରଣାଦାୟୀ ଉଦାହରଣ ଦେଖିବାକୁ ମିଳିବ । ଏଥିରୁ ଏକଥା ମଧ୍ୟ ପ୍ରମାଣିତ ହୁଏ ଯେ କୌଣସି ଜଣେ ଲୋକର ଉତ୍ତମ ଗୁଣ ଯୋଗୁଁ ଅନେକ ଲୋକମାନଙ୍କର ଜୀବନ ମଧ୍ୟ ପରିବର୍ତ୍ତନ ହୋଇଯାଏ । ମୁଁ ସେହି ଲୋକମାନଙ୍କୁ ଅନ୍ତରରୁ ପ୍ରଶଂସା କରୁଛି ଯେଉଁମାନେ ଏଭଳି ଉଚ୍ଚ ପ୍ରଶଂସନୀୟ କାର୍ଯ୍ୟ କରିଛନ୍ତି ।

ମୋର ପ୍ରିୟ ଦେଶବାସୀଗଣ, 

ମୁଁ ଲାଲକିଲ୍ଲାରୁ ସ୍ୱାଧୀନତାର ଅମୃତ ମହୋତ୍ସବ ସମୟରେ ପଞ୍ଚପ୍ରାଣର କଥା କହିଥିଲି । ସେଥିରୁ ଗୋଟିଏ ହେଲା, ଦାସତ୍ୱର ମାନସିକତାରୁ ମୁକ୍ତି । ଆଜିକାଲି ଦେଶ ଦାସତ୍ୱ ପ୍ରଥାକୁ ପଛରେ ପକେଇ ଭାରତୀୟ ସଂସ୍କୃତି ସହିତ ଜଡ଼ିତ ଜିନିଷକୁ ମହତ୍ତ୍ୱ ଦେବାରେ ଲାଗିଛି । ଏହି ପରିପ୍ରେକ୍ଷୀରେ ଆମର ରାଷ୍ଟ୍ରପତି ଭବନ ମଧ୍ୟ ଏକ ମହତ୍ତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛି । ଆସନ୍ତାକାଲି, ଅର୍ଥାତ୍ ଫେବୃୟାରୀ ୨୩ ତାରିଖରେ ରାଷ୍ଟ୍ରପତି ଭବନରେ ‘ରାଜାଜୀ ଉତ୍ସବ’ ପାଳନ କରାଯିବ । ଏହି ଅବସରରେ ରାଷ୍ଟ୍ରପତି ଭବନର ମୁଖ୍ୟ ପ୍ରାଙ୍ଗଣରେ ସି. ରାଜଗୋପାଳଚାରୀଙ୍କ ପ୍ରତିମାର ଅନାବରଣ ହେବ । ସେ ସ୍ୱାଧୀନ ଭାରତର ପ୍ରଥମ ଭାରତୀୟ ଗଭର୍ଣ୍ଣର ଜେନେରାଲ ଥିଲେ । ସେ ସେହିମାନଙ୍କ ଭଳି ଥିଲେ ଯିଏକି କ୍ଷମତାକୁ ପଦ ଭଳି ନ ଦେଖି ସେବା ଦୃଷ୍ଟିରେ ଦେଖୁଥିଲେ । ସାର୍ବଜନୀନ ଜୀବନରେ ତାଙ୍କର ଆଚରଣ, ଆତ୍ମସଂଯମ ଏବଂ ସ୍ୱତନ୍ତ୍ର ଚିନ୍ତନ ଆଜି ମଧ୍ୟ ଆମ୍ଭମାନଙ୍କୁ ପ୍ରେରଣା ଯୋଗାଇଥାଏ । ଦୁର୍ଭାଗ୍ୟର ବିଷୟ ଯେ, ସ୍ୱାଧୀନତା ପରେ ମଧ୍ୟ ରାଷ୍ଟ୍ରପତି ଭବନରେ ବ୍ରିଟିଶ ପ୍ରଶାସକମାନଙ୍କର ମୂର୍ତ୍ତିଗୁଡ଼ିକ ଯଥାବତ୍ ରହିଲା । କିନ୍ତୁ ଆମ ଦେଶର ମହାନ ବରପୁତ୍ରମାନଙ୍କୁ ସ୍ଥାନ ମିଳିଲା ନାହିଁ । ରାଷ୍ଟ୍ରପତି ଭବନରେ ବ୍ରିଟିଶ ଆର୍କିଟେକ୍ଟ ଏଡ୍ୱିନ୍ ଲୁଟିଏନ୍ସଙ୍କର ପ୍ରତିମା ଲାଗିଥିଲା । ଏବେ ଏହି ପ୍ରତିମା ସ୍ଥାନରେ ରାଜାଜୀଙ୍କର ପ୍ରତିମା ସ୍ଥାନିତ ହେବ । ରାଜାଜୀ ଉତ୍ସବ ଅବସରରେ ରାଜଗୋପାଳଚାରୀଙ୍କ ଉପରେ ଆଧାରିତ ପ୍ରଦର୍ଶନୀ ମଧ୍ୟ ଆୟୋଜିତ ହେବ । ଏହି ପ୍ରଦର୍ଶନୀ ଫେବୃୟାରୀ ୨୪ ତାରିଖରୁ ମାର୍ଚ୍ଚ ୧ ତାରିଖ ପର୍ଯ୍ୟନ୍ତ ଚାଲିବ । ଆପଣମାନେ ମଧ୍ୟ ସମୟ ବାହାର କରି ଏହାକୁ ଦେଖିବାକୁ ନିଶ୍ଚୟ ଆସିବେ ।

ମୋର ପ୍ରିୟ ଦେଶବାସୀଗଣ, 

ମୁଁ ‘ମନ୍ କି ବାତ୍’ରେ ଡିଜିଟାଲ୍ ଗିରଫ ବିଷୟରେ ଆପଣମାନଙ୍କୁ ବିସ୍ତୃତ ଭାବେ କହିଛି । ଏହାପରେ ଦେଶରେ ଡିଜିଟାଲ୍ ଗିରଫ ଏବଂ ଡିଜିଟାଲ୍ ଠକେଇକୁ ନେଇ ଆମ ସମାଜରେ ବହୁତ ସଚେତନତା ସୃଷ୍ଟି ହୋଇଛି, କିନ୍ତୁ ଏବେବି ଆମ ଆଖପାଖରେ ଏଭଳି ଅନେକ ଘଟଣାମାନ ଘଟୁଛି ଯାହା ଅକ୍ଷମଣୀୟ । ନିର୍ଦୋଷ ଲୋକମାନଙ୍କୁ ଡିଜିଟାଲ୍ ଗିରଫ ଓ ଡିଜିଟାଲ୍ ଠକେଇର ଶୀକାର କରାଯାଉଛି । କେତେଥର ଜଣାପଡ଼ିଛି, କୌଣସି ବରିଷ୍ଠ ନାଗରିକଙ୍କର ପୁରା ଜୀବନର ରୋଜଗାର ଲୁଟ କରିନିଆଯାଇଛି । କେତେବେଳେ ସେହି ପଇସାକୁ ଠକିନେଇଛନ୍ତି ଯାହା ସେ ପିଲାମାନଙ୍କର ଫିସ ଦେବାପାଇଁ ଜମା କରି ରଖିଥିଲେ । ବ୍ୟବସାୟୀମାନେ ମଧ୍ୟ ଠକାମିର ଶୀକାର ହେବାର ଖବର ଆମେ ପାଉଛୁ । କେହି ଯଦି ଫୋନ୍ କରି କହେ – ମୁଁ ଜଣେ ବଡ଼ ଅଧିକାରୀ । ଆପଣଙ୍କୁ କିଛି ବିବରଣୀ ସେୟାର କରିବାକୁ ହେବ । ତା’ପରେ ନିରୀହ ଲୋକମାନେ ଏଭଳି କରିଥାନ୍ତି । ତେଣୁ ଆପଣ ସତର୍କ ଏବଂ ସଚେତନ ରହିବା ନିହାତି ଜରୁରୀ ।

ବନ୍ଧୁଗଣ, 

ଆପଣ ସମସ୍ତେ କେୱାଇସି - ଆପଣଙ୍କ ଗ୍ରାହକଙ୍କୁ ଜାଣନ୍ତୁ, ଅର୍ଥାତ୍ ନିଜ ଗ୍ରାହକକୁ ଜାଣନ୍ତୁ, ଏହି ପ୍ରକ୍ରିୟା ସମ୍ପର୍କରେ ତ ଜାଣିଥିବେ ? ବେଳେବେଳେ ଆପଣଙ୍କୁ ବ୍ୟାଙ୍କରୁ କେୱାଇସି ଅପଡେଟ କିମ୍ବା ରି-କେୱାଇସି କରିବାର ମେସେଜ୍ ଆସିଥାଏ, ସେତେବେଳେ ମନରେ ପ୍ରଶ୍ନ ଉଠେ – ମୁଁ ତ ଆଗରୁ କେୱାଇସି କରିଛି । ତେବେ ପୁଣି କାହିଁକି? ମୋର କହିବା କଥା, ଆପଣ ବିରକ୍ତ ହୁଅନ୍ତୁନି । ଏହା ଆପଣଙ୍କର ପଇସାର ସୁରକ୍ଷା ପାଇଁ ହିଁ ଉଦ୍ଦିଷ୍ଟ । ଆମେ ସମସ୍ତେ ଜାଣୁ, ଆଜିକାଲି ପେନସନ୍, ସବସିଡି, ବୀମା, ୟୁପିଆଇ ସବୁକିଛି ବ୍ୟାଙ୍କ ଖାତା ସହିତ ଜଡ଼ିତ । ଏହି କାରଣରୁ ବ୍ୟାଙ୍କ ବେଳେବେଳେ ରି-କେୱାଇସି କରେ, ଯାହାଦ୍ଦ୍ୱାରା ଆପଣଙ୍କର ବ୍ୟାଙ୍କ ଆକାଉଣ୍ଟ ସୁରକ୍ଷିତ ରହିବ । ହଁ, ଏହା ସହିତ ଆପଣ ଆଉ ଗୋଟିଏ କଥା ମନେରଖିଥିବେ । ଯିଏ ଅପରାଧୀ, ସେ ମିଛ କଲ କରେ, ଏସଏମଏସ ଏବଂ ଲିଂକ ମଧ୍ୟ ପଠାଏ । ତେଣୁ, ଆମେ ସତର୍କ ରହିବା ଓ ଏଭଳି ଠକମାନଙ୍କ ଫାଶରେ ପଡିବା ନାହିଁ । କେୱାଇସି ହେଉ ବା ରି-କେୱାଇସି କେବଳ ନିଜ ବ୍ୟାଙ୍କର ଶାଖା କିମ୍ବା ଅଧିକୃତ ଆପ ଏବଂ ପ୍ରାଧିକୃତ ମାଧ୍ୟମ ଦ୍ୱାରା ହିଁ କରାଇବେ । ଓଟିପି, ଆଧାର ନମ୍ବର ବା ବ୍ୟାଙ୍କ ଖାତା ସମ୍ବନ୍ଧୀୟ ସୂଚନା କାହାକୁ କେବେ ଦେବେନାହିଁ ଏବଂ ସବୁଠାରୁ ଅତି ଆବଶ୍ୟକ କଥା ଯେ ଆପଣ ପାସୱାର୍ଡକୁ ମଝିରେ ମଝିରେ ନିଶ୍ଚୟ ବଦଳାଇ ଦେଉଥିବେ । ଯେମିତି ପ୍ରତ୍ୟେକ ପାଗ ଅନୁସାରେ ଆମେ ଖାଦ୍ୟପେୟ ଓ ପରିଧାନ ବଦଳେଇଥାଉ, ଠିକ୍ ସେହିଭଳି ଆପଣ ନିୟମ କରି ମଝିରେ-ମଝିରେ ନିଜର ପାସୱାର୍ଡକୁ ବଦଳାଉଥିବେ ।

ବନ୍ଧୁଗଣ, 

ଭାରତୀୟ ରିଜର୍ଭ ବ୍ୟାଙ୍କ ନିକଟରେ ଏହି ବିଷୟରେ ‘ଆର୍ଥିକ ସାକ୍ଷରତା ସପ୍ତାହ’ ଆୟୋଜନ କରିଥିଲା । ଏହି ଆର୍ଥିକ ସାକ୍ଷରତା ଅଭିଯାନ ବର୍ଷସାରା ଜାରି ରହିବ । ଏଥିପାଇଁ, ଭାରତୀୟ ରିଜର୍ଭ ବ୍ୟାଙ୍କର ମେସେଜ ପ୍ରତି ଦୃଷ୍ଟି ଦେବେ ଏବଂ ନିଜର କେୱାଇସି ଅପଡେଟ କରୁଥିବେ ।

ମନେ ରଖନ୍ତୁ –

ସଠିକ୍ କେୱାଇସି, ସମୟାନୁସାରେ ରି-କେୱାଇସି କରି ବ୍ୟାଙ୍କଖାତା ସୁରକ୍ଷିତ ରଖନ୍ତୁ ।

ସଶକ୍ତ ନାଗରିକ ହୁଅନ୍ତୁ

କାରଣ ସଶକ୍ତ ନାଗରିକଙ୍କ ଦ୍ୱାରା ହିଁ ଦୃଢ଼ ତଥା ଆତ୍ମନିର୍ଭର ଭାରତର ଗଠନ ହୋଇଥାଏ ।

ମୋର ପ୍ରିୟ ଦେଶବାସୀଗଣ, 

ଆମ କୃଷକମାନେ କେବଳ ଅନ୍ନଦାତା ନୁହଁନ୍ତି । ସେମାନେ ମାଟି ମା’ର ପ୍ରକୃତ ସାଧକ । ମାଟି କିପରି ସୁନା ହେବ, ସେକଥା ଆମେ କୃଷକଙ୍କଠାରୁ ଶିଖିବା । ଆଜିର କୃଷକ ତ ପରମ୍ପରା ଏବଂ ଟେକ୍ନୋଲଜି ଉଭୟଙ୍କୁ ସାଥିରେ ନେଇ ଚାଲେ । ମୁଁ ବହୁତ ଖୁସି ଯେ ଆମ କୃଷକମାନେ କେବଳ ଉତ୍ପାଦନ କରୁନାହାନ୍ତି, ତତସହିତ ସେମାନେ ଗୁଣାତ୍ମକତା, ମୂଲ୍ୟ ମିଶ୍ରଣ ଏବଂ ନୂଆ ବଜାର ଉପରେ ମଧ୍ୟ ଧ୍ୟାନ ଦେଉଛନ୍ତି । ଓଡ଼ିଶାର ଯୁବଚାଷୀ ହିରୋଦ ପଟେଲଙ୍କ କଥା ବାସ୍ତବିକ ବହୁତ ପ୍ରେରଣାଦାୟୀ । ପ୍ରାୟ ଆଠବର୍ଷ ପୂର୍ବରୁ ସେ ତାଙ୍କ ବାପା ଶିବଶଙ୍କର ପଟେଲଙ୍କ ସହିତ ପାରମ୍ପରିକ ଶୈଳୀରେ ଧାନଚାଷ କରୁଥିଲେ । କିନ୍ତୁ ସେ ଚାଷକାର୍ଯ୍ୟକୁ ଗୋଟିଏ ନୂତନ ଦୃଷ୍ଟିରେ ଦେଖିବା ଆରମ୍ଭ କଲେ । ସେ ନିଜ ଜମିରେ ଥିବା ପୋଖରୀ ଉପରେ ଗୋଟିଏ ଶକ୍ତ ଜାଲି ଢାଞ୍ଚା ତିଆରି କଲେ । ସେଠାରେ ଲତାଜାତୀୟ ପରିବା ଲଗାଇଲେ । ପୋଖରୀ ଚତୁଃଦିଗରେ କଦଳୀ, ପିଜୁଳି ଓ ନଡ଼ିଆ ଗଛ ଲଗାଇଲେ ଏବଂ ପୋଖରୀରେ ମତ୍ସ୍ୟଚାଷ ମଧ୍ୟ ଆରମ୍ଭ କଲେ । ଏହାଦ୍ୱାରା ଗୋଟିଏ ଜାଗାରେ ପାରମ୍ପରିକ ଚାଷ ହେବା ସହିତ ପରିବା, ଫଳ ଓ ମାଛଚାଷ ମଧ୍ୟ ହେଲା । ଏଥିରୁ ଜମିର ଉତ୍ତମ ଉପଯୋଗ ହେଲା, ପାଣି ସଞ୍ଚିତ ହେଲା ଏବଂ ଅତିରିକ୍ତ ଆମଦାନୀ ମଧ୍ୟ ହେଲା । ଏବେ, ଦୂରଦୂରାନ୍ତରୁ କୃଷକମାନେ ତାଙ୍କର ମଡେଲ ଦେଖିବାକୁ ଆସୁଛନ୍ତି ।

ବନ୍ଧୁଗଣ, 

କେରଳର ତ୍ରିସୂର ଜିଲ୍ଲାରେ ଗୋଟିଏ ଗାଁ ଅଛି ଯୋଉଠି ଗୋଟିଏ କ୍ଷେତରେ ୫୭୦ କିସମର ଧାନ ଲାଗିଛି । ଏଥିରେ ସ୍ଥାନୀୟ କିସମର ଧାନ ମଧ୍ୟ ଅଛି । ହର୍ବାଲ ଅଛି ଓ ଅନ୍ୟ ରାଜ୍ୟରୁ ଆସିଥିବା ପ୍ରଜାତିର ଧାନ ମଧ୍ୟ ରହିଛି । ଏହା କେବଳ ଚାଷ ନୁହେଁ, ମଞ୍ଜିର ପରମ୍ପରାକୁ ସଂରକ୍ଷିତ କରିବାର ମହାଅଭିଯାନ । ଆମ କୃଷକମାନଙ୍କର ପରିଶ୍ରମର ପ୍ରଭାବ ପରିସଂଖ୍ୟାନରେ ମଧ୍ୟ ଦେଖାଯାଉଛି । ବର୍ତ୍ତମାନ ବିଶ୍ୱର ସର୍ବବୃହତ ଧାନ ଉତ୍ପାଦକ ଦେଶ ହେଉଛି ଭାରତ । ୧୫ କୋଟି ଟନରୁ ଅଧିକ ଧାନର ଉତ୍ପାଦନ ଗୋଟିଏ ଛୋଟିଆ ଉପଲବଧି ନୁହେଁ । ଆମେ ନିଜର ଆବଶ୍ୟକତା ପୂର୍ଣ୍ଣ କରୁଛୁ ଏବଂ ଦୁନିଆର ଫୁଡ୍ ବାସ୍କେଟରେ ମଧ୍ୟ ଆମର ଯୋଗଦାନ ରହିଛି ।

ବନ୍ଧୁଗଣ, 

ଏବେ କୃଷି ଉତ୍ପାଦନ ଆକାଶମାର୍ଗ ଦ୍ୱାରା ଅତି ସହଜରେ ବିଦେଶରେ ପହଞ୍ଚାଯାଇପାରୁଛି । କର୍ଣ୍ଣାଟକର ନଞ୍ଜନଗୁଡ଼ କଦଳୀ, ମୈସୁରର ପାନପତ୍ର ଏବଂ ଇଣ୍ଡି ଲେମ୍ବୁକୁ ମାଳଦ୍ୱୀପ ପଠାଯାଉଛି । ଏହି ଉତ୍ପାଦଗୁଡ଼ିକ ନିଜର ସ୍ୱାଦ ଓ ଗୁଣବତ୍ତା ପାଇଁ ପରିଚିତ ଏବଂ ଏହାକୁ ଏଓ ଟ୍ୟାଗ୍ ମଧ୍ୟ ମିଳିଛି । ଆଜିର କୃଷକ ଗୁଣବତ୍ତା ଚାହେଁ, ପରିମାଣ ମଧ୍ୟ ବଢ଼ାଏ ଏବଂ ନିଜର ପରିଚୟ ମଧ୍ୟ ସୃଷ୍ଟି କରିଥାଏ।

ମୋର ପ୍ରିୟ ଦେଶବାସୀଗଣ, 

ବିଗତ ବର୍ଷ ଏହି ସମୟରେ ଆୟୋଜିତ ହୋଇଥିବା ମହାକୁମ୍ଭର ଅପୂର୍ବ ଓ ମନମୋହକ ଛବି ଆପଣଙ୍କ ସ୍ମୃତିପଟଳରେ ନିଶ୍ଚୟ ଉଜ୍ଜିବିତ ଥିବ । ସଙ୍ଗମକୂଳରେ ଉପସ୍ଥିତ ଜନସମାଗମ, ଅତୁଟ ଆସ୍ଥା ଏବଂ ସ୍ନାନର ସେହି ପବିତ୍ର ମୁହୂର୍ତ୍ତରେ ମନେହେଉଥିଲା ସତେଯେମିତ ଭାରତ ନିଜର ସନାତନୀ ଚେତନା ସହ ଏକୀଭୂତ ହୋଇଉଠିଛି । ବନ୍ଧୁଗଣ, ମହାକୁମ୍ଭର ସେହି ଧାରା, ମାଘମାସର ସେହି ଶୁଭବେଳା, ଶ୍ରଦ୍ଧାର ସେହି ସ୍ନେହବୋଳା ସ୍ୱର ଯେତେବେଳେ ଉତ୍ତରରୁ ଦକ୍ଷିଣ ଆଡ଼କୁ ଅଗ୍ରସର ହୁଏ, ସେତେବେଳେ ଏକ ଭିନ୍ନ ପରିଚୟ ସୃଷ୍ଟି କରେ ।

ବନ୍ଧୁଗଣ, 

କେରଳର ଭାରତପ୍ପୁଝା ନଦୀକୂଳରେ ଅବସ୍ଥିତ ତିରୁନାବାୟାଠାରେ ହଜାର ହଜାର ବର୍ଷ ଧରି ‘ମାମଂଗମ୍’ ନାମରେ ଏକ ବହୁପୁରାତନ ମହୋତ୍ସବ ପାଳିତ ହୋଇଆସୁଛି । କିଛି ଲୋକ ଏହାକୁ ମାଘ ମହୋତ୍ସବ ବା କେରଳର କୁମ୍ଭ ରୂପେ ଅଭିହିତ କରିଥାନ୍ତି । ମାଘମାସରେ ପବିତ୍ର ନଦୀରେ ସ୍ନାନ କରିବା ଏବଂ ସେହି କ୍ଷଣକୁ ଜୀବନର ଅବିସ୍ମରଣୀୟ ମୁହୂର୍ତ୍ତ କରିଦେବା ହିଁ ହେଉଛି ଏହାର ଆତ୍ମା । ସମୟ ସହିତ ଏହି ପରମ୍ପରା ସତେ ଯେପରି ଉଭେଇ ଯାଇଥିଲା । ପ୍ରାୟତଃ ୨୫୦ ବର୍ଷ ଧରି ଏହି ଆୟୋଜନ ସେହି ଭବ୍ୟତାର ସହ ହେଉନଥିଲା, ଯେମିତି ଆଗରୁ ହେଉଥିଲା । କିନ୍ତୁ ଆଜି ଆମ ଦେଶର ଐତିହ୍ୟକୁ ପୁନଃସ୍ୱୀକୃତି ମିଳିଛି, ପୁଣି ଇତିହାସ ଏକ ନୂଆ ମୋଡ଼ ନେଇଛି । ଏଥର କୌଣସି ପ୍ରଚାର-ପ୍ରସାର ବିନା କେରଳ କୁମ୍ଭର ସଫଳ ଆୟୋଜନ କରାଯାଇପାରିଛି । ଏହି ଆୟୋଜନ ସମ୍ପର୍କରେ ଲୋକମାନେ ପରସ୍ପରକୁ ଅବଗତ କରିଥିଲେ । ଜଣେ ଆଉ ଜଣକୁ କହିଥିଲା, ଏମିତି କୁହାକୁହି ଦ୍ୱାରା ହିଁ ଏ ସମ୍ପର୍କରେ ଖବର ପ୍ରଚାରିତ ହୋଇଗଲା ଓ ଦେଖୁଦେଖୁ ବହୁସଂଖ୍ୟକ ଶ୍ରଦ୍ଧାଳୁ ତିରୁନାବାୟାଠାରେ ଆସି ପହଂଚିଲେ ।

ବନ୍ଧୁଗଣ 

ମହାକୁମ୍ଭ ହେଉ ବା କେରଳର କୁମ୍ଭ, ଏହା କେବଳ ସ୍ନାନର ପର୍ବ ନୁହେଁ । ଏହା ଆମ ସ୍ମୃତିର ଜାଗରଣ, ସଂସ୍କୃତିର ପୁନଃସ୍ମରଣ । ଉତ୍ତରରୁ ଦକ୍ଷିଣ ପର୍ଯ୍ୟନ୍ତ ଯଦ୍ୟପି ନଦୀଗୁଡ଼ିକ ଭିନ୍ନ-ଭିନ୍ନ, କୂଳ ମଧ୍ୟ ଭିନ୍ନ-ଭିନ୍ନ, କିନ୍ତୁ ଆସ୍ଥାର ଧାରା ସବୁଠି ସେଇ ଗୋଟିଏ । ଏହାହିଁ ଭାରତ ।

ବନ୍ଧୁଗଣ, 

ଆମ ଦେଶରେ ଯେଉଁମାନେ ନିଜର ସତକାର୍ଯ୍ୟରେ ଜନସାଧାରଣଙ୍କୁ ପ୍ରାଥମିକତା ପ୍ରଦାନ କରିଛନ୍ତି ଯେଉଁ ବ୍ୟକ୍ତିମାନେ ସମାଜର କଲ୍ୟାଣ ପାଇଁ କାମ କରିଛନ୍ତି, ସେମାନେ ସଦାସର୍ବଦା ଜନସାଧାରଣଙ୍କ ମନମନ୍ଦିରରେ ନିଜ ପାଇଁ ସ୍ଥାନ ସୃଷ୍ଟି କରିବାରେ ସକ୍ଷମ ହୋଇପାରିଛନ୍ତି । ଆମ୍ମା ଜୟଲଳିତା ଜୀ ସେପରି ଜଣେ ଜନପ୍ରିୟ ନେତ୍ରୀ ଥିଲେ । ଫେବୃୟାରୀ ୨୪ ତାରିଖ ହେଉଛି ତାଙ୍କ ଜନ୍ମଦିନ । ତାମିଲନାଡୁର ଜନସାଧାରଣଙ୍କ ତାଙ୍କପ୍ରତି ଥିବା ଗଭୀର ସ୍ନେହ ଏବେବି ମୋତେ ସେହି ରାଜ୍ୟ ଗସ୍ତ କରିବା ସମୟରେ ଅନୁଭବ ହୋଇଥାଏ । ଆମ୍ମା ଜୟଲଳିତାଙ୍କ କଥା ଆସିବା ମାତ୍ରେ ତାମିଲନାଡୁ ଲୋକମାନଙ୍କ ମୁହଁରେ ହସ ଫୁଟିଉଠେ । ଆମ ନାରୀଶକ୍ତିର ତ ଜୟଲଳିତାଙ୍କ ସହ ଆହୁରି ନିବିଡ଼ ସମ୍ପର୍କ ରହିଆସିଛି । ଏହାର ପ୍ରମୁଖ କାରଣ ହେଲା ସେ ଯେତେବେଳେ କ୍ଷମତାରେ ଥିଲେ ସେତେବେଳେ ମା’-ଭଉଣୀ, ଝିଅ-ବୋହୂମାନଙ୍କ ଉନ୍ନତିକଳ୍ପେ ସେ ଅନେକ ପ୍ରଶଂସନୀୟ କାର୍ଯ୍ୟ କରିଥିଲେ । ରାଜ୍ୟର ଆଇନଶୃଙ୍ଖଳା ପରିସ୍ଥିତିକୁ ସୁଦୃଢ଼ କରିବା ନିମନ୍ତେ ସେ ଅନେକ ଦୃଢ଼ ନିଷ୍ପତ୍ତି ଗ୍ରହଣ କରିଥିଲେ । ତାଙ୍କ ଭିତରେ ଦେଶଭକ୍ତି ଭରିହୋଇ ରହିଥିଲା । ଭାରତର ସାଂସ୍କୃତିକ ଐତିହ୍ୟକୁ ନେଇ ସେ ଗର୍ବ ଅନୁଭବ କରୁଥିଲେ । ଆମ୍ମା ଜୟଲଳିତାଙ୍କ ସହ ହୋଇଥିବା ମୋର ପ୍ରତ୍ୟେକ କଥାବାର୍ତ୍ତା, ପ୍ରତ୍ୟେକ ସାକ୍ଷାତକାର ଆଜି ବି ମୋ ମନରେ ଉଜ୍ଜୀବିତ । ୨୦୦୨ ଏବଂ ୨୦୧୨ ମସିହାରେ ଗୁଜୁରାଟରେ ଅନୁଷ୍ଠିତ ଶପଥ ଗ୍ରହଣ ଉତ୍ସବରେ ସେ ଦୁଇଥର ମଧ୍ୟ ସାମିଲ ହୋଇଥିଲେ । ଆମେ ଦୁହେଁ ଯେତେବେଳେ ନିଜ ନିଜ ରାଜ୍ୟର ମୁଖ୍ୟମନ୍ତ୍ରୀ ରୂପେ ଦାୟିତ୍ୱ ନିର୍ବାହ କରୁଥିଲୁ ସେତେବେଳେ ସୁଶାସନ ସମ୍ପର୍କିତ ବିଷୟ ଉପରେ ପ୍ରାୟତଃ ଆମେ କଥାବାର୍ତ୍ତା ହେଉଥିଲୁ । ତାଙ୍କ ଚିନ୍ତାଧାରା ଥିଲା ଖୁବ୍ ସ୍ପଷ୍ଟ । ବିଚାରବୋଧ ବି ଥିଲା ଖୁବ୍ ମାର୍ଜିତ । ବାସ୍ତବରେ ଏହାହିଁ ଥିଲା ତାଙ୍କ ବିଶେଷତ୍ୱ । ଅନେକ ବର୍ଷ ତଳେ ପୋଙ୍ଗଲ ଅବସରରେ ମଧ୍ୟାହ୍ନଭୋଜନ ପାଇଁ ସେ ମୋତେ ଚେନ୍ନାଇ ଆସିବା ପାଇଁ ନିମନ୍ତ୍ରଣ କରିଥିଲେ । ସ୍ନେହବୋଳା ତାଙ୍କର ସେହି ନିମନ୍ତ୍ରଣ ସେହି ଭଲପାଇବା ମୋ ପାଇଁ ସଦାସର୍ବଦା ଅବିସ୍ମରଣୀୟ ହୋଇରହିବ । ଆଉଥରେ ପୁଣି ମୁଁ ତାଙ୍କୁ ମୋର ବିନମ୍ର ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି ।

ଜୟଲଳିତା ଅୱରଗଲକ୍କ,

ୟେନ ନିନୈୱାଂଜଳି-ଗଳ,

ସମୁଦାୟତ୍ତିର୍କ୍କୁ,

ଅୱର ଆଟ୍ରିୟ ସେବୈ ୟଂଡ୍ରୁମ୍ ନିନୈୱିଲ ଇରୁକ୍କୁମ ।

ଅର୍ଥାତ୍ – (ଜୟଲଳିତାଙ୍କୁ ମୁଁ ମୋର ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି । ଜନସାଧାରଣଙ୍କ ନିକଟରେ ତାଙ୍କର ତ୍ୟାଗ ଓ ସେବା ପାଇଁ ସେ ସର୍ବଦା ଅବିସ୍ମରଣୀୟ ହୋଇ ରହିବେ ।)

ମୋର ପ୍ରିୟ ଦେଶବାସୀଗଣ, 

ବର୍ତ୍ତମାନ ମୁଁ ମୋର ପ୍ରତିଭାଶାଳୀ ପ୍ରିୟ କୁନି ପିଲାମାନଙ୍କ ସହ କଥାହେବି । ବିଶେଷକରି ସେହି ପିଲାମାନଙ୍କ ସହ ଯେଉଁମାନଙ୍କର ବର୍ତ୍ତମାନ ପରୀକ୍ଷା ଚାଲିଛି । ମୁଁ ଆଶା କରେ, ତୁମେମାନେ ଏଇ ମାସ ପ୍ରାରମ୍ଭରେ ଅନୁଷ୍ଠିତ ‘ପରୀକ୍ଷା ପେ ଚର୍ଚ୍ଚା’ କାର୍ଯ୍ୟକ୍ରମ ଦେଖିଥିବ । ମୁଁ ଭାବୁଛି ସେଥିରୁ ତୁମେମାନେ ନିଶ୍ଚୟ କିଛି ଶିଖିଥିବ । ସେ ଯାହା ହେଉନା କାହିଁକି, ଏହାପରେ ବି ମୁଁ ତୁମମାନଙ୍କୁ ପଚାରିବାକୁ ଚାହେଁ ଯେ ପାଠପଢ଼ା ପାଇଁ ତୁମେମାନେ ଅଧିକ ଟେନସନ୍ ନେଉନ ତ ?

ମୋର ପ୍ରିୟ ପିଲାମାନେ, 

ତୁମେମାନେ ତ ପରୀକ୍ଷା ଯୋଦ୍ଧା। ମୋର ବିଶ୍ୱାସ ଯେ ତୁମେମାନେ ମନଦେଇ ପରୀକ୍ଷା ପ୍ରସ୍ତୁତିରେ ଲାଗିପଡ଼ିଥିବ । ଏପରି ସମୟରେ ମନରେ କିଛି ଆଶଙ୍କା ଜାତ ହେବା ସ୍ୱାଭାବିକ । ବେଳେବେଳେ ଲାଗେ ସବୁ ମନେରହିବ କି ରହିବନି ! ଆଉ କେତେବେଳେ ଲାଗେ ପରୀକ୍ଷାରେ ସମୟ ଅଣ୍ଟିବ ତ । ଏକଥା ପ୍ରତ୍ୟେକ ପିଢ଼ିର ପିଲାମାନେ ଅନୁଭବ କରିଆସିଛନ୍ତି, ତେଣୁ ତୁମେ ଜମା ଏକୁଟିଆ ନୁହଁ, ଏହା ଏକ ଚିରାଚରିତ ପ୍ରକ୍ରିୟା । ମନେରଖ, ତୁମ ମୂଲ୍ୟାଙ୍କନ ତୁମ ମାର୍କସିଟ୍ ଦ୍ୱାରା ହୋଇନଥାଏ । ତେଣୁ ତୁମେମାନେ ନିଜ ଉପରେ ବିଶ୍ୱାସ ରଖ । ଯାହା ପଢ଼ିଛ, ତାକୁ ମନଧ୍ୟାନ ଦେଇ ଲେଖ । ଆଉ ଯେଉଁ ପ୍ରଶ୍ନଟିର ଉତ୍ତର ତୁମକୁ ଆସିଲା ନାହିଁ, ସେହି ଗୋଟିଏ ପ୍ରଶ୍ନକୁ ନେଇ ସବୁବେଳେ ମନକୁ ଭାରାକ୍ରାନ୍ତ କରନାହିଁ । ଯେକୌଣସି ପରିସ୍ଥିତି ଆସୁନା କାହିଁକି ତୁମେମାନେ ତୁମ ପିତା-ମାତା, ଶିକ୍ଷକ-ଶିକ୍ଷୟିତ୍ରୀଙ୍କ ସହିତ କଥା ହୁଅ । ସେମାନେ ତୁମ ନମ୍ବରକୁ ଦେଖି ନୁହେଁ, ତୁମ ପ୍ରଚେଷ୍ଟାକୁ ଦେଖି ତୁମକୁ ଠଉରେଇଥାନ୍ତି । ସେ ସବୁବେଳେ ତୁମ ପରିଶ୍ରମକୁ ଦେଖି ଖୁସି ହୁଅନ୍ତି । ମୁଁ ଦୃଢ଼ନିଶ୍ଚିତ ଯେ ତୁମେମାନେ ପରୀକ୍ଷାରେ କୃତକାର୍ଯ୍ୟ ହେବ ଓ ତା’ସହିତ ଜୀବନରେ ସଫଳତାର ନୂତନ କୀର୍ତ୍ତିମାନ ସ୍ଥାପନ କରିବ ।

ବନ୍ଧୁଗଣ, 

ବର୍ତ୍ତମାନ ରମଜାନ ଚାଲିଛି । ମୁଁ ଏହି ପବିତ୍ର ମାସରେ ସମସ୍ତଙ୍କୁ ଶୁଭକାମନା ଜଣାଉଛି । କିଛିଦିନ ପରେ ହୋଲି ବି ଆସିବ । ଅର୍ଥାତ୍ ରଙ୍ଗ, ଅବିର ଏବଂ ଆନନ୍ଦ ଉଲ୍ଲାସର ସମୟ ଆସି ଆମ ଆଗରେ ଉପନୀତ ହେବ । ଆପଣମାନେ ସମସ୍ତେ ନିଜ ପରିବାର ଓ ଆତ୍ମୀୟସ୍ୱଜନମାନଙ୍କ ସହ ମିଶି ହସଖୁସିରେ ସମସ୍ତ ପର୍ବପର୍ବାଣୀ ପାଳନ କରନ୍ତୁ । ହଁ, ଏହି ଅବସରରେ କିଛି ମନ୍ତ୍ର ସବୁବେଳେ ମନେ ରଖିଥିବେ, ଯେମିତିକି ‘ଭୋକାଲ୍ ଫର ଲୋକାଲ୍’ ଆମ ହୋଲିରେ ହେଉ ଅଥବା ଅନ୍ୟାନ୍ୟ ପର୍ବପର୍ବାଣୀରେ, ଏପରି ଅନେକ ଘରକରଣା ଓ ସୌନ୍ଦର୍ଯ୍ୟ ପ୍ରସାଧନ ସାମଗ୍ରୀ ଆମ ଚଳଣୀ ଭିତରକୁ ପଶିଆସିଲାଣି, ଯାହାସବୁ ହେଉଛି ବିଦେଶୀ । ଏଗୁଡ଼ିକୁ ପର୍ବପର୍ବାଣୀଠାରୁ ଦୂରେଇ ରଖନ୍ତୁ । ହୋଲିରୁ ଦୂରେଇ ରଖନ୍ତୁ । ସ୍ୱଦେଶୀ ସାମଗ୍ରୀ ଆପଣାନ୍ତୁ । ମନେରଖନ୍ତୁ ଆପଣମାନେ ଯେତେବେଳେ ସ୍ୱଦେଶୀ ସାମଗ୍ରୀ କିଣୁଛନ୍ତି ସେତେବେଳେ ଆପଣ ଦେଶକୁ ଆତ୍ମନିର୍ଭରଶୀଳ କରିବାର ଅଭିଯାନରେ ମଧ୍ୟ ସହଯୋଗ କରୁଛନ୍ତି ।

ବନ୍ଧୁଗଣ, 

ପ୍ରତ୍ୟେକ ମାସରେ ‘ମନ୍ କି ବାତ୍’ ପାଇଁ ଆପଣମାନଙ୍କଠାରୁ ମୋ ପାଖକୁ ଅନେକ ପ୍ରସ୍ତାବ ଆସୁଛି । ଆପଣମାନଙ୍କଠାରୁ ମିଳୁଥିବା ଏହି ବାର୍ତ୍ତାଗୁଡ଼ିକୁ ଦେଖି ଦେଶର କୋଣ-ଅନୁକୋଣରେ ଲୁକ୍କାୟିତ ଅସାମାନ୍ୟ ପ୍ରତିଭାମାନଙ୍କ ସମ୍ପର୍କରେ ସୂଚନା ମିଳିପାରୁଛି । ନିଜସ୍ୱ ସ୍ୱାର୍ଥକୁ ଜଳାଞ୍ଜଳି ଦେଇ ସମାଜ ପାଇଁ କିଛି କରିବାର ଅନେକ ପ୍ରେରଣାଦାୟୀ ପ୍ରସଙ୍ଗ ଆପଣମାନଙ୍କ ଦ୍ୱାରା ସମଗ୍ର ଦେଶର ଜନସାଧାରଣଙ୍କ ପାଖରେ ପହଞ୍ଚିପାରିଛି। ଆପଣମାନେ ଏହିପରି ନିରନ୍ତର ପ୍ରୟାସ ଜାରି ରଖନ୍ତୁ । ମୁଁ ସବୁବେଳେ ଆପଣମାନଙ୍କ ପତ୍ରକୁ ଅପେକ୍ଷା କରିବି । ପୁଣିଥରେ ମୋ ତରଫରୁ ଆପଣଙ୍କୁ ଓ ଆପଣଙ୍କ ପରିବାରର ସମସ୍ତ ସଦସ୍ୟମାନଙ୍କୁ ଆଗାମୀ ପର୍ବପର୍ବାଣୀର ଅନେକ ଅନେକ ଶୁଭକାମନା । ବହୁତ ବହୁତ ଧନ୍ୟବାଦ । ନମସ୍କାର ।

 

**********


(ରିଲିଜ ଆଡି: 2231480) ପରିଦର୍ଶକ କାଉଣ୍ଟର : 15