ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
‘‘ପରୀକ୍ଷା ପେ ଚର୍ଚ୍ଚା ୨୦୨୬” କାର୍ଯ୍ୟକ୍ରମର ଦ୍ୱିତୀୟ ଅଧ୍ୟାୟରେ ଛାତ୍ରଛାତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀଙ୍କ କଥୋପକଥନ
ପୋଷ୍ଟ କରାଯିବା ଦିନାଙ୍କ:
09 FEB 2026 3:03PM by PIB Bhubaneshwar
ପ୍ରଧାନମନ୍ତ୍ରୀ: ମୋର ପ୍ରିୟ ବନ୍ଧୁମାନେ, ପରୀକ୍ଷା ପେ ଚର୍ଚ୍ଚାର ଏହି ଗୁରୁତ୍ୱପୂର୍ଣ୍ଣ ସଂସ୍କରଣକୁ ଆପଣମାନଙ୍କୁ ସ୍ୱାଗତ। ଏଥର ଏହା ଟିକେ ଅଲଗା, ଟିକେ ସ୍ୱତନ୍ତ୍ର। ଅନେକ ଛାତ୍ର ପରାମର୍ଶ ଦେଇଥିଲେ ଯେ ପରୀକ୍ଷା ପେ ଚର୍ଚ୍ଚା ଦେଶର ବିଭିନ୍ନ ପ୍ରାନ୍ତରେ ମଧ୍ୟ ଅନୁଷ୍ଠିତ ହେବା ଉଚିତ। ତେଣୁ ଏଥର ମୁଁ ଏହି ଆଲୋଚନା କରିବା ପାଇଁ ସମଗ୍ର ଭାରତର ଛାତ୍ରଛାତ୍ରୀଙ୍କ ସହ ବସିଛି। ଏହି ବିଶେଷ ଅଧ୍ୟାୟରେ ଆପଣ ଠିକ୍ ସେଇଆ ଦେଖିବେ। ଚାଲନ୍ତୁ ତାମିଲନାଡୁର କୋଏମ୍ବାଟୁରରୁ ଆରମ୍ଭ କରିବା। ତାମିଲନାଡୁର ଛାତ୍ରଛାତ୍ରୀଙ୍କ ଶକ୍ତି ଏବଂ କୌତୁହଳ ମୋତେ ବହୁତ ପ୍ରଭାବିତ କରିଛି। ଆସନ୍ତୁ ନଜର ପକାଇବା।
ପ୍ରଧାନମନ୍ତ୍ରୀ: ବଣକ୍କମ!
ଛାତ୍ରଛାତ୍ରୀ: ବଣକ୍କମ, ସାର୍!
ପ୍ରଧାନମନ୍ତ୍ରୀ: ଆପଣମାନେ କିଛି ଖାଇଲେଣି ନା ନାହିଁ?
ଛାତ୍ରଛାତ୍ରୀ: ନାହିଁ ସାର୍, ଆମେ ଆଗରୁ ଖାଇ ସାରିଛୁ।
ପ୍ରଧାନମନ୍ତ୍ରୀ: ଆପଣମାନେ କ’ଣ ଖାଇଲେ?
ଛାତ୍ରଛାତ୍ରୀ: ଆମେ ଘରୁ ଖାଦ୍ୟ ଆଣିଥିଲୁ।
ପ୍ରଧାନମନ୍ତ୍ରୀ: ଘରୁ, ବହୁତ ଭଲ।
ଛାତ୍ର: ତାଙ୍କୁ ଦେଖିବା ପରେ ମୁଁ ମୋ ଆଖିକୁ ବିଶ୍ୱାସ କରିପାରିଲି ନାହିଁ।
ଛାତ୍ର: ପ୍ରଥମେ ମୁଁ ଏକ ଗତିଶୀଳ, ନାଟକୀୟ ପ୍ରବେଶ ଆଶା କରୁଥିଲି କାରଣ ଶେଷରେ ସେ ପ୍ରଧାନମନ୍ତ୍ରୀ ଅଟନ୍ତି, କିନ୍ତୁ ସେ ବହୁତ ସରଳ, ନମ୍ର ଏବଂ ମାଟି ସହ ଯୋଡ଼ି ହୋଇରହିଥିବା ଜଣେ ମଣିଷ।
ଛାତ୍ର: ଯେତେବେଳେ ସେ ଭିତରକୁ ଆସିଲେ, ମୋର ରୋମାଞ୍ଚ ହେଲା। ସେ ପ୍ରକୃତରେ ମହାନ।
ପ୍ରଧାନମନ୍ତ୍ରୀ: ଅନେକ ବର୍ଷ ଧରି ମୁଁ ପରୀକ୍ଷା ପେ ଚର୍ଚ୍ଚା ମାଧ୍ୟମରେ ଦଶମ ଏବଂ ଦ୍ୱାଦଶ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ସହ କଥାବାର୍ତ୍ତା କରିଆସୁଛି। ମୁଁ ଏହା ଶିଖାଇବା ପାଇଁ ନୁହେଁ, ବରଂ ଶିଖିବା ପାଇଁ କରିଥାଏ। ମୋ ପାଇଁ ଏହା ଏକ ବଡ଼ ଶିକ୍ଷଣୀୟ ଅଭିଜ୍ଞତା। ସେଥିପାଇଁ ଆଜି ମୁଁ ତାମିଲନାଡୁର ଯୁବପିଢ଼ିଙ୍କୁ ଭେଟୁଛି- ଆପଣଙ୍କଠାରୁ ଶିଖିବା ପାଇଁ। ତେଣୁ ଯଦି ଆପଣମାନଙ୍କ ମଧ୍ୟରୁ କେହି କିଛି ସେୟାର୍ କରିବାକୁ ଚାହାଁନ୍ତି, ମୁଁ ଶୁଣିବା ପାଇଁ ଏଠାରେ ଅଛି। କିଏ ଆରମ୍ଭ କରିବ?
ଛାତ୍ରୀ: ମୋ ନାମ ଛବି ଜୈନ। ମୁଁ ଏକ ଷ୍ଟାର୍ଟଅପ୍ ଆରମ୍ଭ କରିବାକୁ ଚାହୁଁଛି। ମୋତେ କେଉଁ ବିଷୟଗୁଡ଼ିକ ବିଷୟରେ ଜାଣିବା ଉଚିତ୍ ଏବଂ ଶିକ୍ଷାଗତ ସ୍ତରରେ ମୋ ଷ୍ଟାର୍ଟଅପ୍ ପାଇଁ ମୋତେ ସାହାଯ୍ୟ କରିବାକୁ ମୁଁ କ’ଣ କରିବା ଉଚିତ୍?
ପ୍ରଧାନମନ୍ତ୍ରୀ: ତୁମେ ବଢ଼ିଆ ପ୍ରଶ୍ନ ପଚାରିଛ। ଆଜିକାଲି ମୁଁ ଯେତେବେଳେ ବି ଯୁବକମାନଙ୍କୁ ଭେଟେ, ସେମାନେ ତୁରନ୍ତ ଷ୍ଟାର୍ଟଅପ୍ ବିଷୟରେ କଥା ହୁଅନ୍ତି। ପ୍ରଥମେ ତୁମେ କ’ଣ କରିବାକୁ ଚାହୁଁଛ ସେଥିପ୍ରତି ଧ୍ୟାନ ଦେବା ଉଚିତ୍। କିଛି ଷ୍ଟାର୍ଟଅପ୍ ବୈଷୟିକ ନବସୃଜନ ବିଷୟରେ- କେହି ଡ୍ରୋନ୍ ତିଆରି କରିବାକୁ ଚାହାଁନ୍ତି, କେହି ଘରେ ବିଜୁଳି ପାଇଁ ନୂତନ ବ୍ୟବସ୍ଥା ସୃଷ୍ଟି କରିବାକୁ ଚାହାଁନ୍ତି। ତୁମେ କିଛି ସାଙ୍ଗଙ୍କୁ ଜାଣିଥିବ ଯେଉଁମାନେ ଟେକ୍ନୋଲୋଜିରେ ବିଶେଷଜ୍ଞ, ଅନ୍ୟ ଜଣେ ଯିଏ ଅର୍ଥନୀତିରେ ଭଲ। ଚାରିଜଣ ସାଙ୍ଗଙ୍କର ଏକ ଛୋଟ ଦଳ ଗଠନ କର ଏବଂ ପାର୍ଶ୍ୱରେ କିଛି ଆରମ୍ଭ କର। ଷ୍ଟାର୍ଟଅପ୍ ପାଇଁ ୨୫ ବର୍ଷର ବୟସ ଆବଶ୍ୟକତା ନାହିଁ- ତୁମେ ଯେକୌଣସି ସମୟରେ ଆରମ୍ଭ କରିପାରିବ। ଏପରିକି ଛୋଟ ଷ୍ଟାର୍ଟଅପ୍ ମଧ୍ୟ ବଡ଼ ହୋଇପାରେ। ଯଦି ତୁମେ ଆଗ୍ରହୀ, ତେବେ ଏହା ଚମତ୍କାର। କିଛି ଷ୍ଟାର୍ଟଅପ୍ ପରିଦର୍ଶନ କର, ଏକ ପ୍ରୋଜେକ୍ଟ ରିପୋର୍ଟ ପ୍ରସ୍ତୁତ କର ଏବଂ ସେମାନଙ୍କୁ ସଚ୍ଚୋଟ ଭାବରେ କୁହ, "ମୁଁ ଜଣେ ସ୍କୁଲ୍ ଛାତ୍ର, ମୁଁ ଏକ ସ୍କୁଲ୍ ପ୍ରୋଜେକ୍ଟ କରୁଛି।" ସେମାନେ କିଛି ଲୁଚାଇବେ ନାହିଁ; ସେମାନେ ତୁମ ସହିତ ସେୟାର୍ କରିବେ। ଧୀରେ ଧୀରେ ଏହା କିପରି କରାଯାଇପାରିବ ସେ ବିଷୟରେ ତୁମେ ଜ୍ଞାନ ଆହରଣ କରିବ।
ଛାତ୍ର: ସାର୍, ମୁଁ ସବୁବେଳେ ଭୟ କରେ ଯେ ଯଦି ମୁଁ ପାଠପଢ଼ାରେ ଅଧିକ ଧ୍ୟାନ ଦିଏ, ତେବେ ମୋର ଆବେଗକୁ ଅବହେଳା କରିବି। ଆଉ ଯଦି ମୁଁ ମୋ ପ୍ୟାସନ୍ ଉପରେ ଅଧିକ ଧ୍ୟାନ ଦିଏ, ମୋର ପାଠପଢ଼ା ପ୍ରଭାବିତ ହେବ। ମୁଁ କିପରି ଉଭୟଙ୍କୁ ସନ୍ତୁଳିତ କରିପାରିବି?
ପ୍ରଧାନମନ୍ତ୍ରୀ: ଦେଖ, ପ୍ରଥମ କଥା ହେଉଛି ଏହା ଦୁଇଟି ପୃଥକ ଜିନିଷ ନୁହେଁ। ତୁମେ କାହିଁକି ଏମିତି ଭାବୁଛ? ଦୁଇଟି ଯାକ ଉପଯୋଗୀ। ଉଦାହରଣ ସ୍ୱରୂପ, ମନେକର ତୁମେ କଳାକୁ ଭଲ ପାଅ ଏବଂ ତୁମେ ଏକ ବିଜ୍ଞାନ ବିଷୟ ପଢୁଛ ଯାହା ଲାବୋରେଟୋରୀ ଏବଂ ରାସାୟନିକ ପଦାର୍ଥର ମିଶ୍ରଣ ବିଷୟରେ କହୁଛି। ତୁମେ ଏକ କାଗଜ ନେଇପାରିବ, ଲ୍ୟାବ୍ ଆଙ୍କି ପାରିବ, ଏହାକୁ ରଙ୍ଗ କରିପାରିବ, ବୋତଲଗୁଡ଼ିକୁ ରାସାୟନିକ ପଦାର୍ଥର ନାମ ସହିତ ଲେବଲ୍ କରିପାରିବ। ତା’ପରେ ଯଦି ପାଠରେ କୁହାଯାଇଛି ଯେ ଦୁଇଟି ରାସାୟନିକ ପଦାର୍ଥ ମିଶାଇଲେ ଏକ ନିର୍ଦ୍ଦିଷ୍ଟ ରଙ୍ଗ ସୃଷ୍ଟି ହୁଏ, ତେବେ ତୁମେ ପାତ୍ରରେ ସେହି ରଙ୍ଗ ଆଙ୍କି ପାରିବ। ଏହିପରି ଭାବରେ ତୁମର କଳା ମଧ୍ୟ ହୋଇଗଲା ଏବଂ ତୁମର ପାଠ ମଧ୍ୟ ମନେ ରହିଗଲା। ତେଣୁ ଉଭୟକୁ ସୁନ୍ଦର ଭାବରେ ଏକାଠି ଯାଇପାରିବ। କଳା କିମ୍ବା କ୍ରାଫ୍ଟ ପାଇଁ ତୁମର ଆବେଗ ପାଠପଢ଼ାର ଥକ୍କାପଣ ଦୂର କରିବାରେ ମଧ୍ୟ ସାହାଯ୍ୟ କରିପାରେ। ତୁମେ ଏଥିପାଇଁ ଦୈନିକ ଅଧ ଘଣ୍ଟା କିମ୍ବା ସପ୍ତାହରେ ଦୁଇଥର ସମୟ ଦେଇପାରିବ। ସମାଜ ପାଇଁ ଆବଶ୍ୟକ ଶିକ୍ଷା ନିଶ୍ଚୟ କରିବାକୁ ହେବ, କିନ୍ତୁ ବ୍ୟକ୍ତିଗତ ଜୀବନ ପାଇଁ ଯାହା ଉପଯୋଗୀ ତାହା ମଧ୍ୟ ସାଙ୍ଗରେ ଚଳାଯାଇପାରିବ।
ଛାତ୍ର: ଆମ ଦେଶ ୨୦୪୭ ସୁଦ୍ଧା ବିକଶିତ ରାଷ୍ଟ୍ରମାନଙ୍କ ମଧ୍ୟରେ ସାମିଲ ହେବାକୁ ଯାଉଛି। ମୋର ପ୍ରଶ୍ନ ହେଉଛି: ଏହା ହାସଲ କରିବା ପାଇଁ ଆମେ ଯୁବପିଢ଼ି କ’ଣ କରିପାରିବା?
ପ୍ରଧାନମନ୍ତ୍ରୀ: ଦଶମ ଏବଂ ଦ୍ୱାଦଶ ଶ୍ରେଣୀର ଛାତ୍ରଛାତ୍ରୀଙ୍କର ମଧ୍ୟ ୨୦୪୭ ସୁଦ୍ଧା ବିକଶିତ ଭାରତର ସ୍ୱପ୍ନ ରହିଛି ଜାଣି ମୁଁ ବହୁତ ଖୁସି। ଏହା ମୋତେ ବହୁତ ଆନନ୍ଦ ଦେଉଛି। ଏବେ ମୁଁ ଉତ୍ସାହିତ! ୨୦୪୭ ରେ ବିକଶିତ ଭାରତର ଅର୍ଥ କ’ଣ? ତୁମେ ସିଙ୍ଗାପୁର ବିଷୟରେ ଶୁଣିଛ? ଦିନେ ଏହା କେବଳ ଏକ ଛୋଟ ମାଛଧରା ଗାଁ ଥିଲା। ଆଜି ଏହା ଏତେ ଉନ୍ନତ ହୋଇଛି। ଲି କୁଆନ୍ ୟୁ କହିଥିଲେ: "ଯଦି ଆମେ ଏକ ବିକଶିତ ଦେଶ ହେବାକୁ ଚାହୁଁ, ତେବେ ଆମକୁ ବିକଶିତ ରାଷ୍ଟ୍ରର ଅଭ୍ୟାସ ଗ୍ରହଣ କରିବାକୁ ପଡ଼ିବ।" ଆମେ ତୃତୀୟ ବିଶ୍ୱର କୌଣସି ଦେଶ ପରି ବ୍ୟବହାର କରିପାରିବା ନାହିଁ- ଯେଉଁଠି ସେଇଠି ଅଳିଆ ଫୋପାଡ଼ିବା, ଯେଉଁଠି ସେଇଠି ଛେପ ପକାଇବା... ପ୍ରଭୃତି। ଛୋଟ ଜିନିଷ ମଧ୍ୟ ବେଶ୍ ବଡ଼ ଗୁରୁତ୍ୱ ରଖେ। ଉଦାହରଣ ସ୍ୱରୂପ, ରେଡ୍ ଲାଇଟ୍ ରେ ତୁମର ସ୍କୁଟରକୁ ଠିକ୍ ଭାବରେ ରଖ। କିମ୍ବା ଘରେ ସ୍ଥିର କର ଯେ ଖାଇବା ପରେ କୌଣସି ଖାଦ୍ୟ ନଷ୍ଟ ହେବ ନାହିଁ। କଳ୍ପନା କର ଯଦି ସମସ୍ତେ ଏହା କରନ୍ତେ- କେତେ ଖାଦ୍ୟ ସଞ୍ଚୟ ହୁଅନ୍ତା, କେତେ ଲାଭ ହୁଅନ୍ତା! ନାଗରିକ ଭାବରେ ଯଦି ଆମେ ଏଭଳି ଅଭ୍ୟାସ ଅନୁସରଣ କରୁ, ତେବେ ଆମେ ଏକ ବିକଶିତ ଭାରତ ଗଠନରେ ଅବଦାନ ଦେଉଛୁ। ଏବେ, ‘ଭୋକାଲ୍ ଫର ଲୋକାଲ୍’ କୁ ନିଅନ୍ତୁ। ମୁଁ ଭାରତରେ ନିର୍ମିତ ଉତ୍ପାଦ କିଣିବି। ମୁଁ ‘ମେଡ୍ ଇନ୍ ଇଣ୍ଡିଆ’କୁ ସମର୍ଥନ କରିବି। ଯେମିତି ମୁଁ କହୁଥିଲି ‘ୱେଡ୍ ଇନ୍ ଇଣ୍ଡିଆ’। କିଛି ଧନୀ ଲୋକ ବାହାଘର ପାଇଁ ଦୁବାଇ ଯିବା କଥା ଭାବନ୍ତି। କାହିଁକି? ଭାରତରେ କ’ଣ ଅଭାବ ଅଛି? ଯଦି ଆମେ ନାଗରିକ ଭାବରେ ଛୋଟ ଛୋଟ ଜିନିଷର ଦାୟିତ୍ୱ ନେଉ, ତେବେ ଆମେ ନିଶ୍ଚିତ ଭାବରେ ଏକ ବିକଶିତ ଭାରତ ଗଠନରେ ଅବଦାନ ଦେଇପାରିବା।
ଛାତ୍ର: ଆମେ ଆଶ୍ଚର୍ଯ୍ୟ ହୋଇଗଲୁ। ଓଃ ମାଇ ଗଡ୍, ପ୍ରଧାନମନ୍ତ୍ରୀ ପ୍ରକୃତରେ ଏଥିପାଇଁ ଚିନ୍ତା କଲେ ଏବଂ ଆମକୁ କହିଲେ ଯେ ଏହା ଛୋଟ ପଦକ୍ଷେପ ଯାହା ବଡ଼ ଗୁରୁତ୍ୱ ରଖିପାରେ, ତାହା ବଡ଼ ହେବା ଆବଶ୍ୟକ ନୁହେଁ।
ଛାତ୍ର: ମୋର ପ୍ରଶ୍ନ ହେଉଛି: ଯେତେବେଳେ କୌଣସି ଛାତ୍ର କିମ୍ବା ବ୍ୟକ୍ତି ତାଙ୍କ ଜୀବନ ଜିଇଁଥାନ୍ତି, ସେମାନେ ଅନେକ ଆହ୍ୱାନର ସମ୍ମୁଖୀନ ହୁଅନ୍ତି। ଯେତେବେଳେ ଜିନିଷଗୁଡ଼ିକ କଷ୍ଟକର ହୋଇଯାଏ, ଆଗକୁ ବଢ଼ିବା ପାଇଁ ଆମର ପ୍ରେରଣା ପ୍ରାୟତଃ ହ୍ରାସ ପାଏ। ଏଭଳି ପରିସ୍ଥିତିରେ ସଫଳତା ହାସଲ କରିବା ପାଇଁ ଆମକୁ ପ୍ରେରଣା ) ଆବଶ୍ୟକ କି ଅନୁଶାସନ ବା ଶୃଙ୍ଖଳା?
ପ୍ରଧାନମନ୍ତ୍ରୀ: ଜୀବନରେ ଉଭୟ ଗୁରୁତ୍ୱପୂର୍ଣ୍ଣ। ଯଦି ଅନୁଶାସନ ନାହିଁ, ତେବେ ତୁମର ଯେତେ ପ୍ରେରଣା ଥାଉ ନା କାହିଁକି, ତାହା ଉପଯୋଗୀ ହେବ ନାହିଁ। ଜଣେ କୃଷକଙ୍କ କଥା କଳ୍ପନା କରନ୍ତୁ ଯିଏ ପ୍ରେରଣା ପାଆନ୍ତି କାରଣ ତାଙ୍କ ପଡ଼ୋଶୀ ବହୁତ ଫସଲ ଅମଳ କରନ୍ତି। ସେ ଭାବନ୍ତି, "ମୋ ଜମି ବଡ଼, ମୋତେ ଅଧିକ ରୋଜଗାର କରିବା ଉଚିତ।" ସେ ଏଥିରୁ ପ୍ରେରଣା ପାଆନ୍ତି, କିନ୍ତୁ ବର୍ଷା ପୂର୍ବରୁ ବିଲ ଚାଷ କରିବା କଥା ଆସିଲେ, ସେ ଏହାକୁ ବିଳମ୍ବ କରନ୍ତି ଏବଂ କୁହନ୍ତି, "ମୁଁ ଆସନ୍ତା ସପ୍ତାହରେ କରିବି।" ଯଦି ସେ ବର୍ଷା ପୂର୍ବରୁ ହଳ ନ କରନ୍ତି, ତେବେ ସେ ପରେ ଯାହା କଲେ ବି ତାଙ୍କ ଅବସ୍ଥା ଖରାପ ରହିବ। ତାଙ୍କ ପାଖରେ ପ୍ରେରଣା ଥିଲା, କିନ୍ତୁ ଅନୁଶାସନ ନଥିଲା। ଜୀବନରେ ଅନୁଶାସନ ଜରୁରୀ; ପ୍ରେରଣା ଏଥିରେ ମୂଲ୍ୟ ଯୋଗ କରେ। ଅନୁଶାସନ ବିନା ଶ୍ରେଷ୍ଠ ପ୍ରେରଣା ମଧ୍ୟ ବୋଝ ହୋଇଯାଏ ଏବଂ ନିରାଶା ଆଣିଥାଏ।
ଛାତ୍ର: ଯେତେବେଳେ ମୁଁ ମୋର ପ୍ରଶ୍ନ ପଚାରିଲି, ଏହା ଏକ ପ୍ରଶ୍ନ ଥିଲା ଯାହା ମୋ ପାଖରେ ଅନେକ ବର୍ଷ ଧରି ଅଟକି ରହିଥିଲା। ଏବେ ଶେଷରେ, ମୁଁ ଯାହାଙ୍କୁ ଆଦର୍ଶ ମାନି ଆସିଛି ତାଙ୍କଠାରୁ ସ୍ପଷ୍ଟତା ପାଇ ମୁଁ ବହୁତ ଭଲ ଏବଂ ଗୌରବାନ୍ୱିତ ଅନୁଭବ କରୁଛି।
ଛାତ୍ର: ସାର୍, ଆଜିକାଲି ଏଆଇ (କୃତ୍ରିମ ବୁଦ୍ଧିମତା) ଅଧିକରୁ ଅଧିକ ପ୍ରଭାବଶାଳୀ ହେଉଛି। ଆମେ ଦେଖିପାରୁଛୁ ଯେ ଅନେକ କମ୍ପାନୀରେ କେବଳ ମାନବ କର୍ମଚାରୀ ନୁହଁନ୍ତି ବରଂ ଏଆଇ କର୍ମଚାରୀ ମଧ୍ୟ ଅଛନ୍ତି। ତେଣୁ ମୋର ପ୍ରଶ୍ନ ହେଉଛି: ଆମେ କ’ଣ ଏଆଇକୁ ଭୟ କରିବା ଉଚିତ୍ ଏବଂ ଭବିଷ୍ୟତର କ୍ୟାରିୟର୍ ବାଛିବା ସମୟରେ ଆମକୁ କ’ଣ ମନେ ରଖିବା ଉଚିତ୍?
ପ୍ରଧାନମନ୍ତ୍ରୀ: ଦେଖ, ପ୍ରତ୍ୟେକ ଯୁଗରେ ଯେତେବେଳେ ବି ନୂତନ ଟେକ୍ନୋଲୋଜି ଆସେ, ସେଠାରେ ସବୁବେଳେ ଆଲୋଚନା ହୁଏ। ଯେତେବେଳେ କମ୍ପ୍ୟୁଟର ଆସିଲା, ଲୋକମାନେ ଭାବିଲେ କ’ଣ ହେବ। ଏହା ସବୁବେଳେ ଏମିତି ହୋଇ ଆସିଛି। ଆମେ କୌଣସି ଜିନିଷକୁ ଭୟ କରିବା ଉଚିତ୍ ନୁହେଁ। ଆମର ଚେଷ୍ଟା ହେବା ଉଚିତ୍ ଯେ ଆମେ ଏହାର ଦାସ ନ ହେଉ। ମୁଁ ମୋ ଜୀବନରେ ନିଷ୍ପତ୍ତି ଗ୍ରହଣକାରୀ ହୋଇ ରହିବା ଉଚିତ୍; ଟେକ୍ନୋଲୋଜି ମୋର ମାଲିକ ହେବା ଉଚିତ୍ ନୁହେଁ। ଉଦାହରଣ ସ୍ୱରୂପ, କିଛି ପିଲା ସେମାନଙ୍କ ମୋବାଇଲ୍ ଫୋନର ଦାସ ହୋଇଯାଇଛନ୍ତି- ଫୋନ୍ ବିନା ସେମାନେ ଖାଇପାରିବେ ନାହିଁ; ଟିଭି ବିନା ସେମାନେ ରହିପାରିବେ ନାହିଁ। ତା’ର ଅର୍ଥ ସେମାନେ ଦାସ ହୋଇଯାଇଛନ୍ତି। ଆମକୁ ଦୃଢ଼ ଭାବରେ ସ୍ଥିର କରିବାକୁ ପଡ଼ିବ: ମୁଁ ଦାସ ହେବି ନାହିଁ। ଟେକ୍ନୋଲୋଜିକୁ ଆମର ସୁବିଧା ପାଇଁ ବ୍ୟବହାର କରିବା ଉଚିତ୍। ଯଦି ମୁଁ ଏଆଇକୁ ପଚାରେ, "ଏହି ବିଷୟରେ ସବୁଠାରୁ ଭଲ ବହି କେଉଁଟି?" ଏବଂ ଏହା ମୋତେ ମାର୍ଗଦର୍ଶନ କରେ, ତେବେ ତାହା ଉପଯୋଗୀ। କିନ୍ତୁ ଯଦି ମୁଁ କୁହେ, "ମୁଁ ପଢ଼ିବି ନାହିଁ, ତୁମେ ଖାଲି କୁହ ଭିତରେ କ’ଣ ଅଛି," ତେବେ ତାହା ଭୁଲ୍। ଚାକିରିର ସ୍ୱରୂପ ସବୁବେଳେ ବଦଳିବ। ପୂର୍ବରୁ ଲୋକମାନେ ବଳଦ ଗାଡ଼ିରେ ଯାଉଥିଲେ; ଏବେ ସେମାନେ ବିମାନରେ ଯାଉଛନ୍ତି। ଚାକିରି ବଦଳିଲା, କିନ୍ତୁ ଜୀବନ ଚାଲିଲା। ଆମକୁ ଟେକ୍ନୋଲୋଜିକୁ ବୁଝିବାକୁ ହେବ, ନିଜକୁ ବିସ୍ତାର କରିବାକୁ ହେବ ଏବଂ ଏହା ସହିତ ଆମ କାର୍ଯ୍ୟରେ ମୂଲ୍ୟ ଯୋଗ କରିବାକୁ ହେବ। ଯଦି ଆମେ ଏହା କରୁ, ତେବେ ଟେକ୍ନୋଲୋଜି ଯେତେ ଉନ୍ନତ ହେଲେ ମଧ୍ୟ ଏହା ସବୁବେଳେ ଆମ ପାଇଁ ଉପଯୋଗୀ ହେବ। ଆମକୁ ଏହାକୁ ଭୟ କରିବାର ଆବଶ୍ୟକତା ନାହିଁ।
ଛାତ୍ର: ମୁଁ କେବେ ବିଶ୍ୱାସ କରି ନଥିଲି ଯେ ମୋତେ ବଛାଯିବ, ଆମ ପ୍ରଧାନମନ୍ତ୍ରୀଙ୍କ ସହ ଏଭଳି ଏକ ସୌଭାଗ୍ୟପୂର୍ଣ୍ଣ ଅବସର ପାଇଁ।
ଛାତ୍ର: ଏହା ପ୍ରକୃତରେ ଏକ ବଡ଼ ଅଭିଜ୍ଞତା ଥିଲା। ମୁଁ ସମ୍ପୂର୍ଣ୍ଣ ଅଭିଭୂତ, ଏବଂ ଏହା ଏତେ ବାସ୍ତବ ଅନୁଭବ ହେଲା।
ଛାତ୍ର: ସେ ଜଣେ ପ୍ରଧାନମନ୍ତ୍ରୀଙ୍କ ଅପେକ୍ଷା ଜଣେ ପରିବାର ସଦସ୍ୟ ପରି ଅଧିକ ଅନୁଭବ ହେଉଥିଲେ।
ପ୍ରଧାନମନ୍ତ୍ରୀ: ବନ୍ଧୁଗଣ, କୋଏମ୍ବାଟୁରରେ ଆମର ଯୁବ ସାଥୀମାନେ ସେମାନଙ୍କ ପାଠପଢ଼ା ସହିତ ଏଆଇ, ଷ୍ଟାର୍ଟଅପ୍ ଏବଂ ଭବିଷ୍ୟତର ଟେକ୍ନୋଲୋଜି ବିଷୟରେ ବହୁତ ସଚେତନ। ମୁଁ କହିପାରିବି ଯେ ଏହା ହେଉଛି ଯୁବ ଭାରତର ଯୁବ ଚିନ୍ତାଧାରା, ଯାହା ୨୦୪୭ ସୁଦ୍ଧା ଏକ ବିକଶିତ ଭାରତର ସଙ୍କଳ୍ପକୁ ନୂତନ ଶକ୍ତି ପ୍ରଦାନ କରୁଛି।
ପ୍ରଧାନମନ୍ତ୍ରୀ: ବନ୍ଧୁଗଣ, ପରୀକ୍ଷା ପେ ଚର୍ଚ୍ଚାର ଅର୍ଥ ହେଉଛି ଏକାଠି ବସିବା, କଥା ହେବା ଏବଂ ପରସ୍ପରଠାରୁ ଶିଖିବା। ଏହି ଧାରାକୁ ଜାରି ରଖି କୋଏମ୍ବାଟୁର ପରେ କିଛି ସପ୍ତାହ ପରେ ଆମର ଆଲୋଚନା ଛତିଶଗଡ଼ର ରାଜଧାନୀ ରାୟପୁରରେ ପହଞ୍ଚିଥିଲା। ସେଠାରେ ମଧ୍ୟ ମୁଁ ପିଲାମାନଙ୍କ ସହ ବହୁତ କୌତୁହଳପୂର୍ଣ୍ଣ କଥାବାର୍ତ୍ତା କରିଥିଲି। ଏବଂ ମୁଁ ନିଶ୍ଚୟ କହିବି, ଏହା କେବଳ ଆଲୋଚନା ନଥିଲା- ମୋତେ କିଛି ସ୍ୱାଦିଷ୍ଟ ସ୍ଥାନୀୟ ଖାଦ୍ୟ ଚାଖିବାକୁ ମଧ୍ୟ ମିଳିଥିଲା। ଆପଣମାନେ ମଧ୍ୟ ଏହାକୁ ଉପଭୋଗ କରିପାରିବେ।
ଛାତ୍ର: ଜୟ ଜୋହାର, ସାର୍।
ପ୍ରଧାନମନ୍ତ୍ରୀ: ଜୟ ଜୋହାର।
ପ୍ରଧାନମନ୍ତ୍ରୀ: ସେମାନେ ତୁମକୁ କିଛି ଖାଇବାକୁ ଦେଲେ କି?
ଛାତ୍ର: ହଁ, ସାର୍।
ଛାତ୍ର: ସାର୍, ଆପଣ ଅନେକ ମିଟିଂରେ ଯୋଗ ଦିଅନ୍ତି। ଆପଣ ଏଠାରେ ଆମ ସହିତ କିଛି ଖାଇବାକୁ ଚାହିଁବେ କି?
ପ୍ରଧାନମନ୍ତ୍ରୀ: ଏହା କିପରି ତିଆରି ହୁଏ?
ଛାତ୍ର: ସାର୍, ଆମେ ବେସନକୁ ଛୋଟ ଛୋଟ ଗୋଲ୍ ଆକାର ଦେଇ ଛାଣିଥାଉ।
ପ୍ରଧାନମନ୍ତ୍ରୀ: ଓଃ, ଆଉ?
ଛାତ୍ର: ଏହା ନମକିନ୍।
ପ୍ରଧାନମନ୍ତ୍ରୀ: ଲୋକମାନେ ଏହା କେବେ ଖାଆନ୍ତି?
ଛାତ୍ର: ସାର୍, ମୁଖ୍ୟତଃ ଦୀପାବଳି ସମୟରେ।
ପ୍ରଧାନମନ୍ତ୍ରୀ: ଦୀପାବଳି ସମୟରେ, ବୁଝିଲି।
ଛାତ୍ର: ହଁ, ମୁଖ୍ୟତଃ ଦୀପାବଳି ସମୟରେ।
ପ୍ରଧାନମନ୍ତ୍ରୀ: ତୁମେ ଜାଣିଛ ମହାରାଷ୍ଟ୍ରରେ ଏହାକୁ କ’ଣ କୁହନ୍ତି? ଏହାକୁ ‘ଚକଲି’ କୁହନ୍ତି।
ଛାତ୍ରଛାତ୍ରୀ: ନାହିଁ ସାର୍।
ପ୍ରଧାନମନ୍ତ୍ରୀ: ମହାରାଷ୍ଟ୍ରରେ ଏହାକୁ ‘ଚକଲି’ କୁହନ୍ତି।
ଛାତ୍ର: ହଁ, ସାର୍।
ପ୍ରଧାନମନ୍ତ୍ରୀ: ଆଉ ଏହା କ’ଣ?
ଛାତ୍ର: ସାର୍, ଏହା ହେଉଛି ‘ଖୁରମି’।
ପ୍ରଧାନମନ୍ତ୍ରୀ: ଆଃ।
ଛାତ୍ର: ଏହା ଗୁଡ଼, ଅଟା ଏବଂ ସୁଜିରୁ ତିଆରି।
ପ୍ରଧାନମନ୍ତ୍ରୀ: ଧନ୍ୟବାଦ ପିଲା, ଏଭଳି ଚମତ୍କାର ଖାଦ୍ୟ ଦେଇଥିବାରୁ।
ଛାତ୍ର: ତାଙ୍କୁ ଖୁରମି ଦିଆଯାଇଥିଲା, ଏବଂ ପରେ ସେ ବ୍ୟକ୍ତିଗତ ଭାବରେ ଆମ ପ୍ରତ୍ୟେକଙ୍କୁ ଗୋଟିଏ ଗୋଟିଏ ଖୁଆଇଲେ। ଏହା ବହୁତ ଆଶ୍ଚର୍ଯ୍ୟଜନକ ଥିଲା।
ପ୍ରଧାନମନ୍ତ୍ରୀ: ତୁମ ମନରେ ମଧ୍ୟ କିଛି ପ୍ରଶ୍ନ ଥିବ। ଆଜି ତୁମ ପାଖରେ ସେଗୁଡ଼ିକ ପଚାରିବାର ସୁଯୋଗ ଅଛି। ଛାତ୍ରଛାତ୍ରୀ: ହଁ, ସାର୍।
ପ୍ରଧାନମନ୍ତ୍ରୀ: ଆଗକୁ ବଢ଼।
ଛାତ୍ର: ପରୀକ୍ଷା ପରେ ଆମ ଛାତ୍ରମାନଙ୍କୁ ଛୁଟିରେ ଯିବାକୁ ଇଚ୍ଛା ହୁଏ। ଆପଣ ଭାରତର ପାଞ୍ଚଟି ସ୍ଥାନର ପରାମର୍ଶ ଦେଇପାରିବେ କି ଯେଉଁଠାକୁ ଆମେ ଯାଇପାରିବା?
ପ୍ରଧାନମନ୍ତ୍ରୀ: ତୁମେ କେଉଁ ତହସିଲର?
ଛାତ୍ର: ସାର୍, ମୁଁ ରାୟପୁରରୁ।
ପ୍ରଧାନମନ୍ତ୍ରୀ: ରାୟପୁରରୁ। ତେବେ ତୁମ ତହସିଲରେ କେଉଁ ସ୍ଥାନ ଅଛି ତାର ଏକ ତାଲିକା ପ୍ରସ୍ତୁତ କର। ଏଥିପାଇଁ ଏକ କିମ୍ବା ଦୁଇ ଘଣ୍ଟା ସମୟ ଲାଗିବ। ତା’ପରେ ତୁମ ଜିଲ୍ଲାରେ କ’ଣ ଅଛି ଯାହା ତୁମେ ଦେଖିନାହଁ ତାର ଏକ ତାଲିକା ପ୍ରସ୍ତୁତ କର। ତା’ପରେ ସ୍ଥିର କର ତୁମ ରାଜ୍ୟରେ, ଛତିଶଗଡ଼ରେ ଏମିତି କ’ଣ ଅଛି ଯେଉଁଠାକୁ ତୁମେ ଯାଇନାହଁ। ଯେଉଁଠାକୁ ବି ଯାଅ, ଜଣେ ଛାତ୍ର ଭାବରେ ଯାଅ- ସେତେବେଳେ ହିଁ ପର୍ଯ୍ୟଟନ ଉପଭୋଗ୍ୟ ହୁଏ। ଟ୍ରେନ୍ ବଗିରେ ଯାତ୍ରା କର, ନିଜ ସାଙ୍ଗରେ ଖାଦ୍ୟ ନିଅ, ଦେଖ ଅଭିଜ୍ଞତା କିପରି, ଭିଡ଼ କିପରି ବ୍ୟବହାର କରୁଛି, ଲୋକମାନେ କିପରି କଥାବାର୍ତ୍ତା କରୁଛନ୍ତି। ଏହା ଜୀବନରେ ଏକ ଆନନ୍ଦ ଏବଂ ଏକ ଶିକ୍ଷଣୀୟ ଅଭିଜ୍ଞତା। ଭାରତ ବିବିଧତାରେ ଏତେ ପରିପୂର୍ଣ୍ଣ ଯେ ଏହାକୁ ସମ୍ପୂର୍ଣ୍ଣ ଦେଖିବା ପାଇଁ ଗୋଟିଏ ଜୀବନ କାଳ ମଧ୍ୟ ଯଥେଷ୍ଟ ନୁହେଁ।
ଛାତ୍ର: ସାର୍, ମୋର ପ୍ରଶ୍ନ ହେଉଛି: ବେଳେବେଳେ ପରୀକ୍ଷା ସମୟରେ ଆମେ ରିଭିଜନ କରିବାକୁ ଅସମର୍ଥ ହୋଇଥାଉ, ଯାହା ଆମ ମନକୁ ଅଶାନ୍ତ କରିଦିଏ। ପରୀକ୍ଷା ସମୟରେ ଏବଂ ପରୀକ୍ଷା ହଲକୁ ପ୍ରବେଶ କରିବା ପୂର୍ବରୁ ଆମେ କିପରି ନିଜ ମନକୁ ଶାନ୍ତ ରଖିପାରିବା?
ପ୍ରଧାନମନ୍ତ୍ରୀ: ପରୀକ୍ଷା ପୂର୍ବରୁ ସପ୍ତାହକୁ ଦେଖ। ତୁମେ ନିଶ୍ଚିତ ଭାବରେ ସବୁକିଛି ପଢ଼ି ସାରିଥିବ। ବିଶ୍ୱାସ କର ଯେ ତୁମେ ଯାହା ଶୁଣିଛ, ଯାହା ପଢ଼ିଛ, ତାହା ବୃଥା ଯାଇନାହିଁ। ଏହା କେଉଁଠି ନା କେଉଁଠି ସାଇତା ହୋଇ ରହିଛି। ଶାନ୍ତ ହୋଇ ବସ, ଚିନ୍ତା କର ନାହିଁ ଏବଂ ପ୍ରଶ୍ନପତ୍ର ଆସିବା ପରେ ତାହାକୁ ଦେଖ। ଅନ୍ୟ ଏକ କଥା: ଯଦି ତୁମେ ଜଣେ ଭଲ ଛାତ୍ର ହେବାକୁ ଚାହୁଁଛ, ତେବେ ବିଷୟ ଉପରେ ତୁମର ଦୃଢ଼ତା ରହିବା ଉଚିତ୍। ସେତେବେଳେ ହିଁ ତୁମେ ଜଣେ ଭଲ ଛାତ୍ର ହେବ। ଜଣେ ବିଷୟ ଉପରେ କିପରି ଦୃଢ଼ତା ହାସଲ କରେ? ଜଣେ ଭଲ ଖେଳାଳି କିପରି ଭଲ ଖେଳାଳି ହୁଅନ୍ତି?
ଛାତ୍ର: ଅଭ୍ୟାସ, ନିରନ୍ତରତା, ଅନୁଶାସନ ଏବଂ ନିୟମିତ କାର୍ଯ୍ୟସୂଚୀ ମାଧ୍ୟମରେ।
ପ୍ରଧାନମନ୍ତ୍ରୀ: ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସେ କ୍ରମାଗତ ଭାବରେ ପ୍ରତିଯୋଗିତା ଜାରି ରଖନ୍ତି- ସେ ପଡ଼ନ୍ତି, ଧକ୍କା ଖାଆନ୍ତି, ହାରନ୍ତି, ଜିତନ୍ତି, କିନ୍ତୁ ଚାଲିଥାନ୍ତି। ସେଇମିତି ହିଁ ସେ ଜଣେ ଖେଳାଳି ହୁଅନ୍ତି। ମୁଁ ତୁମକୁ ଏକ ପରାମର୍ଶ ଦେବି। ତୁମ ଶ୍ରେଣୀରେ ନିଶ୍ଚିତ ଭାବରେ କିଛି ଛାତ୍ର ଥିବେ ଯେଉଁମାନେ ପାଠପଢ଼ାରେ ଟିକେ ଦୁର୍ବଳ। ସେମାନଙ୍କ ମଧ୍ୟରୁ ଜଣଙ୍କୁ ତୁମର ସାଙ୍ଗ କର। ଏହି କୌଶଳ ତୁମକୁ ବହୁତ ସାହାଯ୍ୟ କରିବ। ତାଙ୍କୁ କୁହ, "ଆଜି ମୁଁ ତୁମକୁ ଗଣିତ ଶିଖାଇବାକୁ ଚାହୁଁଛି।" ତାଙ୍କୁ ଗଣିତ ଶିଖାଇବା ପାଇଁ ତୁମେ ଯେଉଁ ପ୍ରୟାସ ଏବଂ ଧ୍ୟାନ ଦେବ, ତାହା ତୁମର ଗଣିତକୁ ଅଧିକ ଶକ୍ତିଶାଳୀ କରିବ, ନୁହେଁ କି?
ଛାତ୍ର: ହଁ, ସାର୍, ନିଶ୍ଚୟ।
ଛାତ୍ର: ମୁଁ ତାଇକୋଣ୍ଡୋ ଖେଳେ, ଏବଂ ମୁଁ ଭବିଷ୍ୟତରେ ଜଣେ କ୍ରୀଡ଼ାବିତ୍ ହେବାକୁ ଚାହେଁ। ମୁଁ କିପରି ମୋର ପାଠପଢ଼ା ଏବଂ ଖେଳକୁ ସନ୍ତୁଳିତ କରିପାରିବି?
ପ୍ରଧାନମନ୍ତ୍ରୀ: ଜୀବନରେ ଶିକ୍ଷା ଆବଶ୍ୟକ, ଏବଂ ସମାଜରେ ମଧ୍ୟ ଏହା ଆବଶ୍ୟକ। ଏହାକୁ କେବେବି କମ୍ କରି ଦେଖିବା ଉଚିତ୍ ନୁହେଁ। "ମୁଁ ଖେଳରେ ଭଲ, ତେଣୁ ମୋତେ ପଢ଼ିବା ଦରକାର ନାହିଁ" ବୋଲି ଭାବି ଭୁଲ୍ କର ନାହିଁ। କିନ୍ତୁ ଏହା ମଧ୍ୟ ଭାବ ନାହିଁ ଯେ କେବଳ ଶିକ୍ଷା ହିଁ ସବୁକିଛି କରିଦେବ। ତୁମର ପ୍ରତିଭା ଅଛି, ଏବଂ ତାହା ଯାହା ବି ହେଉ, ତାହା ବିକଶିତ ହେବା ଉଚିତ୍। ଜଣେ କ୍ରୀଡ଼ାବିତ୍ ହେବା ପାଇଁ ଖେଳିବା ଗୋଟିଏ ବିଷୟ, କିନ୍ତୁ ଜୀବନରେ ଖେଳ ରହିବା ମଧ୍ୟ ବହୁତ ଗୁରୁତ୍ୱପୂର୍ଣ୍ଣ। ଜୀବନକୁ ବଞ୍ଚାଇବା ପାଇଁ ଜୀବନରେ ଖେଳ ରହିବା ଉଚିତ୍। ତୁମକୁ ଖେଳିବାକୁ ପଡ଼ିବ- ଯଦି ତୁମେ ଖେଳିବ, ତୁମେ ବଢ଼ିବ। ଏବଂ ତୁମକୁ ପଢ଼ିବାକୁ ମଧ୍ୟ ହେବ, ଯେପରି ଲୋକମାନେ ନ କହିବେ, "ସେ କିଛି ଜାଣିନାହିଁ, ସେଥିପାଇଁ ସେ ପଡ଼ିଆରେ ରହେ।" ନା, ତୁମେ ପାଠପଢ଼ାରେ ଯେପରି ଶକ୍ତିଶାଳୀ ହେବ, ଖେଳରେ ମଧ୍ୟ ସେପରି ହେବା ଉଚିତ୍।
ଛାତ୍ର: ସେ ଯାହା ବି କହିଲେ, ମୁଁ ତାହାକୁ ମୋ ଜୀବନରେ କାର୍ଯ୍ୟକାରୀ କରିବାକୁ ଚେଷ୍ଟା କରିବି। ଆଜି କ’ଣ ହେଲା ମୁଁ ଶବ୍ଦରେ ପ୍ରକାଶ କରିପାରିବି ନାହିଁ।
ଛାତ୍ର: ସାର୍, ମୋର ପ୍ରଶ୍ନ ହେଉଛି: କିଛି ବର୍ଷ ପୂର୍ବେ ଆପଣ ସ୍ୱଚ୍ଛ ଭାରତ ଆରମ୍ଭ କରିଥିଲେ। ଆମର ନୂଆ ରାୟପୁର ମଧ୍ୟ ବିକାଶ ଆଡ଼କୁ ଗତି କରୁଛି। ଛାତ୍ର ଭାବରେ, ଆମେ କିପରି ବିକାଶରେ ଅବଦାନ ଦେଇପାରିବୁ କିମ୍ବା ଆମ ପରିବେଶକୁ ସୁରକ୍ଷା ଦେଇପାରିବୁ?
ପ୍ରଧାନମନ୍ତ୍ରୀ: ପ୍ରାକୃତିକ ସମ୍ପଦର ସୁରକ୍ଷା ଆମ ସ୍ୱଭାବର ଅଂଶ ହେବା ଉଚିତ୍। ଧୀରେ ଧୀରେ ଆମକୁ ଲୋକମାନଙ୍କୁ ସାମିଲ କରିବାକୁ ପଡ଼ିବ, ଏବଂ ପରିବର୍ତ୍ତନ ଆସିବ। ଯଦି ଆମେ ନିଜ ଜୀବନରେ କିଛି ନିୟମ ପାଳନ କରୁ- ଉଦାହରଣ ସ୍ୱରୂପ, ପାଣି। ମୋତେ କୁହ, ଯଦି ମୁଁ ଦାନ୍ତ ଘଷୁଛି ଏବଂ ପାଣି ବୋହି ଚାଲିଛି, ତେବେ ମୋତେ ଏହାକୁ ବନ୍ଦ କରିବା ଉଚିତ୍। କେବଳ ଯେତେବେଳେ ମୁଁ ପାଟି ଧୋଇବି ସେତେବେଳେ ପାଣି ବ୍ୟବହାର କରିବା ଉଚିତ୍। ଏଗୁଡ଼ିକ ଛୋଟ ଜିନିଷ। ଥରେ ମୁଁ ଏକ ଗାଁ ପରିଦର୍ଶନ କରିଥିଲି। ଦୂରରୁ ମୁଁ ଏକ ସ୍ଥାନ ଦେଖିଲି ଯାହା ଜଙ୍ଗଲ ପରି ଦେଖାଯାଉଥିଲା, ବହୁତ ସବୁଜ। ମୁଁ ପଚାରିଲି, "ଏହା କ’ଣ?" ସେମାନେ କହିଲେ, "ଏହା ଏକ ସ୍କୁଲ୍।" ସେମାନେ କହିଲେ ସେହି ଅଞ୍ଚଳ ଶୁଖିଲା ଥିଲା, କିନ୍ତୁ ଏହି ସ୍କୁଲ୍ ସବୁଜ ଥିଲା। ସେଠାରେ ଜଣେ ଶିକ୍ଷକ ଥିଲେ। ସେ ପେଟ୍ରୋଲ ପମ୍ପରୁ ତେଲ ଡବା ସଂଗ୍ରହ କରି ପିଲାମାନଙ୍କୁ କହିଲେ, "ତୁମ ଘରୁ ଯେଉଁ ପାଣିରେ ଖାଦ୍ୟ କଣିକା ଅଛି, ସେହି ପାଣିକୁ ପ୍ରତିଦିନ ଏହି ବୋତଲରେ ଆଣ।" ପିଲାମାନେ ସେହି ପାଣିରେ ଭର୍ତ୍ତି ବୋତଲ ଆଣିଲେ। ସେ ପ୍ରତ୍ୟେକ ପିଲାଙ୍କୁ ଗୋଟିଏ ଗଛକୁ ପାଣି ଦେବାକୁ ଦେଲେ। ଖାଦ୍ୟ କଣିକାଗୁଡ଼ିକ ସାର ଭାବରେ କାମ କଲା। ଏହି କାରଣରୁ ସମ୍ପୂର୍ଣ୍ଣ ସ୍କୁଲ୍ ସବୁଜ ହୋଇଗଲା। ଜଣେ ଶିକ୍ଷକ ଏତେ ବଡ଼ ପରିବର୍ତ୍ତନ ଆଣିଲେ। ଯେତେବେଳେ ଆମେ ମାନବିକତାର ସହ କାର୍ଯ୍ୟ କରୁ, ପରିବର୍ତ୍ତନ ଆରମ୍ଭ ହୁଏ। ଏଗୁଡ଼ିକ ଛୋଟ ଜିନିଷ ଯାହା ଆମେ ସହଜରେ କରିପାରିବା। ସମାଜର ପରିବେଶ ଆମ ସ୍ୱଭାବର ଅଂଶ ହେବା ଉଚିତ୍।
ଛାତ୍ର: ଆପଣ ଅନେକ ବର୍ଷ ଧରି ଦେଶର ନେତୃତ୍ୱ ନେଉଛନ୍ତି। ଜଣେ ରାଷ୍ଟ୍ରନାୟକ ଭାବରେ, ଆପଣ ଆମଠାରୁ, ଭବିଷ୍ୟତ ପିଢ଼ିରୁ ନେତା ଭାବରେ କେଉଁ ଗୁଣ ଆଶା କରୁଛନ୍ତି?
ପ୍ରଧାନମନ୍ତ୍ରୀ: ତୁମେ ଜଣେ ନେତା ହେବାକୁ ଚାହୁଁଛ କି ନିର୍ଭୀକ ହେବାକୁ ଚାହୁଁଛ?
ଛାତ୍ର: ଉଭୟ।
ପ୍ରଧାନମନ୍ତ୍ରୀ: ପ୍ରଥମେ ନିର୍ଭୀକ ହୁଅ।
ଛାତ୍ର: ହଁ, ସାର୍।
ପ୍ରଧାନମନ୍ତ୍ରୀ: ନିଜ ମନରେ ସ୍ଥିର କର: ଅନ୍ୟମାନେ କରନ୍ତୁ ବା ନ କରନ୍ତୁ, ମୁଁ ଏହା କରିବି। ଯେତେବେଳେ ଏହା ଆସିବ, ସେତେବେଳେ ତୁମେ ନିଜଠାରୁ ଆରମ୍ଭ କରିବ, ନେତୃତ୍ୱ ଉଭା ହେବାକୁ ଲାଗିବ। ଉଦାହରଣ ସ୍ୱରୂପ, ଯଦି ଚାରିଆଡ଼େ ଅଳିଆ ପଡ଼ିଛି, ଏବଂ ତୁମେ ତାହାକୁ ଉଠାଉଛ, ତେବେ ତୁମ ସହିତ ଚାଲୁଥିବା ଚାରିଜଣ ଲୋକ ମଧ୍ୟ ତାହାକୁ ଉଠାଇବାକୁ ଅନୁଭବ କରିବେ। ତା’ର ଅର୍ଥ ତୁମେ ଜଣେ ନେତା ହେଲ, ନୁହେଁ କି? ଏହା ଏକ ଭଲ କଥା। ଆମେ ସବୁବେଳେ ଜଣେ ନେତାଙ୍କ ଭୂମିକା ପାଇଁ ନିଜକୁ ପ୍ରସ୍ତୁତ କରିବା ଉଚିତ୍। ଏହା ଏକ ଭଲ ବିଶ୍ୱାସ, ଏକ ଭଲ ଚିନ୍ତାଧାରା। କିନ୍ତୁ ନେତୃତ୍ୱର ଅର୍ଥ ନିର୍ବାଚନ ଲଢ଼ିବା, ଏକ ରାଜନୈତିକ ଦଳ ଗଠନ କରିବା, ଜାକଜମକିଆ ଭାଷଣ ଦେବା ନୁହେଁ। ନେତୃତ୍ୱର ଅର୍ଥ ହେଉଛି ନିଜ କଥାକୁ ଦଶ ଜଣଙ୍କୁ ବୁଝାଇବା ଗୁଣ ରହିବା- ତାହାକୁ ଲଦି ଦେବା ନୁହେଁ, ବରଂ ବୁଝାଇବା। ବୁଝାଇବା ପାଇଁ, ତୁମକୁ ପ୍ରଥମେ ବୁଝିବାକୁ ହେବ। ଯେଉଁମାନେ ଅନ୍ୟମାନଙ୍କୁ ବୁଝନ୍ତି ସେମାନେ ସେମାନଙ୍କୁ ବୁଝାଇ ପାରନ୍ତି। ଯେଉଁମାନେ ଅନ୍ୟମାନଙ୍କୁ ବୁଝନ୍ତି ନାହିଁ ସେମାନେ କିଛି ବୁଝାଇ ପାରିବେ ନାହିଁ। ତେଣୁ ଆମର ପ୍ରୟାସ ଅନ୍ୟମାନଙ୍କୁ ବୁଝିବା ପାଇଁ ହେବା ଉଚିତ୍।
ଛାତ୍ର: ସେ ବହୁତ ଭଲ ଭାବରେ ବୁଝାଇଲେ ଯେ ନେତୃତ୍ୱ ଗୁଣ ଜଣଙ୍କ ପାଖରେ ଥାଏ ଯଦି ସେମାନେ କୌଣସି ଜିନିଷର ଦାୟିତ୍ୱ ନିଅନ୍ତି। ଯଦି ମୁଁ ଏହି ସମ୍ପୂର୍ଣ୍ଣ କଥାକୁ ବର୍ଣ୍ଣନା କରିବି, ମୁଁ କହିବି ଏହା ଏକ ସ୍ୱପ୍ନ ଥିଲା।
ଛାତ୍ର: ମୁଁ ପ୍ରଧାନମନ୍ତ୍ରୀଙ୍କୁ ଭେଟିଲି।
ଛାତ୍ର: ମୁଁ ବହୁତ ଭାଗ୍ୟବାନ।
ଛାତ୍ର: ଏହା ଚମତ୍କାର ଥିଲା, ଏକ ଅଭିଜ୍ଞତା ଯାହା ଜୀବନକାଳ ମଧ୍ୟରେ ବହୁତ କମ୍ ଲୋକ ପାଆନ୍ତି।
ପ୍ରଧାନମନ୍ତ୍ରୀ: ପରୀକ୍ଷା ପ୍ରସ୍ତୁତିର ଅଭିଜ୍ଞତା, ପରୀକ୍ଷା ସମୟରେ ଆସୁଥିବା ଚିନ୍ତାଧାରା, ଚାପ ଏବଂ ଲୋକଙ୍କ ଆଶା- ଏହି ସମସ୍ତ ପ୍ରଶ୍ନ କ୍ରମାଗତ ଭାବରେ ଆମ ଆଲୋଚନାର ଅଂଶ ହୋଇଯାଏ। ପରୀକ୍ଷା ପେ ଚର୍ଚ୍ଚାର ଉଦ୍ଦେଶ୍ୟ ହେଉଛି ଆମର ଯୁବ ବନ୍ଧୁମାନେ ଏହି ବିଷୟଗୁଡ଼ିକ ବିଷୟରେ ଖୋଲାଖୋଲି ଭାବରେ କୁହନ୍ତୁ। ପରୀକ୍ଷା ପେ ଚର୍ଚ୍ଚା କେବଳ ବୋର୍ଡ ପରୀକ୍ଷା ପ୍ରସ୍ତୁତି ବିଷୟରେ ନୁହେଁ। ଯେତେବେଳେ ମୁଁ ତୁମର ପ୍ରଶ୍ନ ଶୁଣେ, ସ୍ୱାଭାବିକ ଭାବରେ ସେଗୁଡ଼ିକ ମୋ ହୃଦୟକୁ ଛୁଇଁଯାଏ। ମୁଁ ଅନୁଭବ କରେ ଯେ ଆମର ଯୁବ ବନ୍ଧୁମାନଙ୍କ ମନରେ ଜୀବନର ଅନେକ ଦିଗ କ୍ରମାଗତ ଭାବରେ ଚାଲିଛି। ଏବେ ମୁଁ ଆପଣଙ୍କୁ ଗୁଜରାଟ ନେଇଯିବି, ଯେଉଁଠାରେ ପିଲାମାନେ, ବିଶେଷ କରି ଆଦିବାସୀ ଅଞ୍ଚଳର ମୋର ଆଦିବାସୀ ପିଲାମାନେ, ଏମିତି ପ୍ରଶ୍ନ ପଚାରିଥିଲେ ଯାହା ମୋତେ ପ୍ରକୃତରେ ଆଶ୍ଚର୍ଯ୍ୟ କରିଥିଲା।
ଛାତ୍ର: ନମସ୍ତେ, ସାର୍। ଦେବ ମୋଗରା ଗ୍ରାମକୁ ଆପଣଙ୍କୁ ସ୍ୱାଗତ।
ପ୍ରଧାନମନ୍ତ୍ରୀ: ଚମତ୍କାର। ମୋତେ କୁହାଯାଇଥିଲା ଯେ ଆଜି ସମସ୍ତେ ହିନ୍ଦୀରେ କଥା ହେବା ଉଚିତ୍…
ଛାତ୍ର: ହଁ, ସାର୍।
ପ୍ରଧାନମନ୍ତ୍ରୀ: ଠିକ୍ ଅଛି।
ଛାତ୍ର: ଯେତେବେଳେ ସାର୍ ଆସିଲେ, ଆମେ ଦେଖିଲୁ ସେ ୱାର୍ଲି ଆର୍ଟ ଥିବା ଏକ କୋଟି ପିନ୍ଧିଥିଲେ। ଆମ ଆଦିବାସୀ ସମାଜରେ ୱାର୍ଲି ଆର୍ଟର ବହୁତ ଗୁରୁତ୍ୱ ରହିଛି, ତେଣୁ ତାହା ଦେଖି ଆମକୁ ବହୁତ ଖୁସି ଲାଗିଲା।
ଛାତ୍ର: ତାଙ୍କୁ ଭେଟିବା ପାଇଁ ଆମେ ବହୁତ ଉତ୍ସାହିତ ଥିଲୁ। ଯେକୌଣସି ପିଲାଙ୍କ ପାଖରେ ତାଙ୍କୁ ପଚାରିବାକୁ ଅନେକ ପ୍ରଶ୍ନ ଥିବ। କିନ୍ତୁ ଆମେ ଭାଗ୍ୟବାନ ଯେ ଆମେ ତାଙ୍କ ସହିତ କଥା ହେଉଛୁ।
ପ୍ରଧାନମନ୍ତ୍ରୀ: ତୁମେମାନେ କେତେ ଦୂରରୁ ଆସିଛ?
ଛାତ୍ର: ଆମେ ଏଠାକୁ ଦେଦିୟାପାଡ଼ାରୁ ଆସିଛୁ।
ପ୍ରଧାନମନ୍ତ୍ରୀ: ଦେଦିୟାପାଡ଼ାରୁ ହିଁ। ଭଲ।
ଛାତ୍ର: ମୁଁ ମାଣ୍ଡଭିରୁ, ସାର୍।
ପ୍ରଧାନମନ୍ତ୍ରୀ: ମାଣ୍ଡଭି, ଭଲ। ତୁମ ନାମ କ’ଣ?
ଛାତ୍ର: ଜୟ।
ପ୍ରଧାନମନ୍ତ୍ରୀ: ଜୟ, ଏବଂ ଅଭି। ତୁମେମାନେ କେତେ ବଡ଼ ହୋଇଗଲଣି! ତୁମେ ସେମାନଙ୍କୁ କହିଲ କି ତୁମ ସହିତ ମୋର ପରିଚୟ କ’ଣ?
ଛାତ୍ର: ହଁ।
ପ୍ରଧାନମନ୍ତ୍ରୀ: ସମସ୍ତେ ସେମାନଙ୍କଠାରୁ ସାହସ ପାଇଲେ କି ନାହିଁ?
ଛାତ୍ର: ହଁ ସାର୍, ପାଇଲୁ।
ପ୍ରଧାନମନ୍ତ୍ରୀ: ସେ ପୂର୍ବରୁ ମଧ୍ୟ ଥରେ ମୋତେ ଭେଟିବାକୁ ଆସିଥିଲେ।
ପ୍ରଧାନମନ୍ତ୍ରୀ: ଠିକ୍ ଅଛି, କୁହ, ତୁମେ କିଛି ପଚାରିବାକୁ ଚାହୁଁଛ କି, କିଛି ଜାଣିବାକୁ ଚାହୁଁଛ କି?
ଛାତ୍ର: ସାର୍, ଆମ ବାପାମାଆ ଆମକୁ କହିଥିଲେ ଯେ ପୂର୍ବରୁ କିଛି ଆଦିବାସୀ ଅଞ୍ଚଳ ବହୁତ ପଛୁଆ ଥିଲା। ସେମାନେ ମଧ୍ୟ କହିଥିଲେ ଯେ ଗୁଜରାଟର ଆଦିବାସୀ ଅଞ୍ଚଳ ପ୍ରତି ଆପଣଙ୍କର ବହୁତ ଶ୍ରଦ୍ଧା ଅଛି ଏବଂ ଆପଣ ସେଠାରେ ପରିବର୍ତ୍ତନ ଆଣିଛନ୍ତି। ତେଣୁ ମୁଁ ଜାଣିବାକୁ ଚାହେଁ, ଏଥିପାଇଁ ଆପଣଙ୍କୁ ପ୍ରେରଣା କେଉଁଠୁ ମିଳିଲା?
ପ୍ରଧାନମନ୍ତ୍ରୀ: ତୁମେ ପାଲ୍-ଚିତାରିୟା ଘଟଣା ବିଷୟରେ ଜାଣିଛ?
ଛାତ୍ର: ହଁ।
ପ୍ରଧାନମନ୍ତ୍ରୀ: ସେଠାରେ ଆଦିବାସୀ ସମାଜ ସ୍ୱାଧୀନତା ପାଇଁ ଏକ ବଡ଼ ସଂଗ୍ରାମ କରିଥିଲା। ଥରେ ଏକ ଭୟଙ୍କର ଦୁର୍ଭିକ୍ଷ ପଡ଼ିଥିଲା। ସେହି ସମୟରେ ମୁଁ ସେହି ଅଞ୍ଚଳରେ ଅନେକ ଦିନ ରହି ସେଠାରେ କାମ କରିଥିଲି। ସେତେବେଳେ ମୁଁ ଅନୁଭବ କଲି ଯେ ଶିକ୍ଷା ଉପରେ ଧ୍ୟାନ ଦିଆଯିବା ଉଚିତ୍। ପରେ ଯେତେବେଳେ ମୋତେ ସୁଯୋଗ ମିଳିଲା, ଯେତେବେଳେ ମୁଁ ମୁଖ୍ୟମନ୍ତ୍ରୀ ହେଲି, ମୁଁ ଏହା ଉପରେ ଧ୍ୟାନ ଦେବା ଆରମ୍ଭ କଲି। ତୁମେ ଆଶ୍ଚର୍ଯ୍ୟ ହେବ- ଥରେ ଏମିତି ଏକ ସମୟ ଥିଲା ଯେତେବେଳେ ଉମରଗାମରୁ ଅମ୍ବାଜୀ ପର୍ଯ୍ୟନ୍ତ ଗୋଟିଏ ବି ବିଜ୍ଞାନ ବିଦ୍ୟାଳୟ ନଥିଲା। ପରେ, ତୁମେ ଦେଖିଲ- ଏବେ ଦୁଇଟି ବିଶ୍ୱବିଦ୍ୟାଳୟ, ବିଜ୍ଞାନ ବିଦ୍ୟାଳୟ, ଇଞ୍ଜିନିୟରିଂ ITI ଅଛି, ବହୁତ ପରିବର୍ତ୍ତନ ଆସିଛି। ଏହା ବହୁତ ଲାଭ ଆଣିଛି।
ଛାତ୍ର: ହଁ, ସାର୍।
ପ୍ରଧାନମନ୍ତ୍ରୀ: ଆଜି ମଧ୍ୟ, ତୁମେ ଜାଣିଥିବ ମୁଁ ‘ପିଏମ୍ ଜନମନ ଯୋଜନା’ ତିଆରି କରିଛି। ଆଦିବାସୀମାନଙ୍କ ମଧ୍ୟରେ ମଧ୍ୟ କିଛି ଅଞ୍ଚଳ ଏବଂ କିଛି ଲୋକ ଏବେ ବି ପଛୁଆ ରହିଯାଇଥିଲେ। ତେଣୁ ମୋତେ ସେମାନଙ୍କ ପାଇଁ ଏକ ପୃଥକ ଯୋଜନା, ଏକ ପୃଥକ ବଜେଟ୍ ପ୍ରସ୍ତୁତ କରିବାକୁ ପଡ଼ିଲା। ସେବେଠାରୁ ମୁଁ ଅନୁଭବ କଲି ଯେ ଆମେ ଶିକ୍ଷା ଉପରେ ଯେତେ ଅଧିକ ଗୁରୁତ୍ୱ ଦେବା, ସେତେ ଶୀଘ୍ର ବିକାଶ ହେବ। ମୋ ମନରେ ଅନ୍ୟ ଏକ କଥା ଥିଲା ଯେ ମୁଁ ଉମରଗାମରୁ ଅମ୍ବାଜୀ ପର୍ଯ୍ୟନ୍ତ ଏକ ହାଇୱେ ତିଆରି କଲି। ବିକାଶ ପାଇଁ ଭିତ୍ତିଭୂମି ଅତ୍ୟନ୍ତ ଆବଶ୍ୟକ। ଲୋକମାନେ ଯାତ୍ରା କରିବା ଆରମ୍ଭ କଲେ, ତେଣୁ ମୁଁ ସେହି ଦିଗରେ ଧ୍ୟାନ ଦେଲି।
ଛାତ୍ର: ମୋର ପ୍ରଶ୍ନ ହେଉଛି: ପହଲଗାମ ଆକ୍ରମଣ ପରେ, ଆମ ପରିବାର ଆଲୋଚନା କରୁଥିଲେ ଯେ ପରବର୍ତ୍ତୀ ସମୟରେ କ’ଣ ହେବ? ସମଗ୍ର ଦେଶ ଆପଣଙ୍କ ଆଡ଼କୁ ଅନାଇଥିଲା। ତା’ପରେ ‘ଅପରେସନ୍ ସିନ୍ଦୂର’ ହେଲା ଏବଂ ଆମ ସେନା ଜିତିଲା। ଏଭଳି ପରିସ୍ଥିତିରେ ଆପଣ ନିଜ ଚାପକୁ କିପରି ସମ୍ଭାଳିଥିଲେ? ଆମେ କେବଳ ପରୀକ୍ଷା ଚାପର ସମ୍ମୁଖୀନ ହେଉ।
ପ୍ରଧାନମନ୍ତ୍ରୀ: ତୁମେମାନେ ପରୀକ୍ଷା ଚାପ ଅନୁଭବ କରୁଛ।
ଛାତ୍ର: ହଁ, ସାର୍।
ପ୍ରଧାନମନ୍ତ୍ରୀ: ଯେତେବେଳେ ତୁମେ ତୁମର ପୁରୁଣା ପରୀକ୍ଷା ଦିନଗୁଡ଼ିକୁ ମନେ ପକାଉଛ, ଯଦି ତୁମେ ପୁରୁଣା ପରୀକ୍ଷାଗୁଡ଼ିକୁ ମନେ ରଖିବ, ତେବେ ତୁମେ ଅନୁଭବ କରିବ- ହଁ, ସେହି ସମୟରେ ଟେନସନ ଥିଲା, କିନ୍ତୁ ଥରେ ଏହା ସରିଗଲା ପରେ କିଛି ନଥିଲା।
ଛାତ୍ର: ହଁ, ସାର୍।
ପ୍ରଧାନମନ୍ତ୍ରୀ: ଏହା କ’ଣ ସତ ନୁହେଁ?
ଛାତ୍ର: ହଁ ସାର୍, ଏହା ସତ।
ପ୍ରଧାନମନ୍ତ୍ରୀ: ପରୀକ୍ଷା ପାଇଁ ସବୁଠାରୁ ଭଲ ଜିନିଷ ହେଉଛି ପ୍ରଶ୍ନପତ୍ର ସମାଧାନ କରିବା ଏବଂ ଲେଖିବା ଅଭ୍ୟାସ ବିକଶିତ କରିବା। ଅଧିକାଂଶ କେବଳ ପଢ଼ନ୍ତି।
ଛାତ୍ର: ହଁ, ସାର୍।
ପ୍ରଧାନମନ୍ତ୍ରୀ: ଯଦି ତୁମେ ନିଜେ ଏହିପରି ଅଭ୍ୟାସ କର, ମୁଁ ନିଶ୍ଚିତ ଯେ ତୁମେ କେବେବି ଚାପ ଅନୁଭବ କରିବ ନାହିଁ।
ଛାତ୍ର: ହଁ, ସାର୍।
ପ୍ରଧାନମନ୍ତ୍ରୀ: ଆମେ କ’ଣ କରୁ ଯେ ଦିନସାରା ବହି ପଢ଼ୁ। ଓଃ, ବେଳେବେଳେ ହସ ମଧ୍ୟ। ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ କଥା ଯାହା ଲୋକମାନେ ଆଜି ଅନୁଭବ କରନ୍ତି ନାହିଁ ତାହା ହେଉଛି ନିଦ। ତୁମକୁ ଭଲ ନିଦ ଶୋଇବାକୁ ପଡ଼ିବ। ତୁମେ ଭାବୁଥିବ, "ଏହା କେମିତିକା ପ୍ରଧାନମନ୍ତ୍ରୀ, ଯିଏ ଶୋଇବା ବିଷୟରେ କଥା ହେବାକୁ ଆସିଲେ? ଆମେ ପରୀକ୍ଷା ବିଷୟରେ ପଚାରିଲୁ।" କିନ୍ତୁ ଯଦି ତୁମେ ଠିକ୍ ଭାବରେ ଶୋଇବ, ତେବେ ବାକି ସମୟ ତୁମେ ସତେଜ ରହିବ, ନୂତନ ଚିନ୍ତାଧାରା, ନୂତନ କଳ୍ପନା ସହିତ, ଏବଂ ତୁମର ମନ ପ୍ରଫୁଲ୍ଲ ରହିବ।
ଛାତ୍ର: ହଁ, ସାର୍। ଆମେ ଡାକ୍ତର, ଇଞ୍ଜିନିୟର କିମ୍ବା ଅଫିସର ହେବାକୁ ଚାହୁଁ। ଆମେ କିପରି ଆମର କ୍ୟାରିୟର୍ ବାଛିବା ଉଚିତ୍?
ପ୍ରଧାନମନ୍ତ୍ରୀ: ଯଦି ଏକ ମାସରେ ତୁମେ ଦଶଟି ଅଲଗା କଥା କୁହ, ତେବେ ତୁମ ପରିବାର କ’ଣ କହିବେ? "ଏହାର କୌଣସି ଦିଗ ନାହିଁ।" ଏହା ଭଲ ଯେ ତୁମେ କାହାଠାରୁ ପ୍ରେରଣା ପାଉଛ ଏବଂ ଭାବୁଛ, "ଯଦି ମୁଁ ସେମିତି ହୁଅନ୍ତି?" ମହାନ ହେବା ପାଇଁ ଆଶା ରଖିବା ଭୁଲ୍ ନୁହେଁ। କିନ୍ତୁ ନିଜକୁ ସେହି ବ୍ୟକ୍ତିଙ୍କ ସହ ତୁଳନା କର ନାହିଁ ଯିଏ ଆଗରୁ ମହାନ ହୋଇସାରିଛନ୍ତି। ସେମାନେ କେଉଁଠାରୁ ଆରମ୍ଭ କରିଥିଲେ ସେଥିପ୍ରତି ଧ୍ୟାନ ଦିଅ। ଯଦି ତୁମର ଧ୍ୟାନ ସେଠାରେ ଅଛି, ତେବେ ତୁମେ କହିବ, "ହଁ, ଚାଲ ମୁଁ ଏଠାରୁ ଆରମ୍ଭ କରେ।" କେହି କହିପାରନ୍ତି, "ମୁଁ ଜଣେ କ୍ରିକେଟର ହେଲି।" କିନ୍ତୁ ଯେତେବେଳେ ସେ ଅଷ୍ଟମ ଶ୍ରେଣୀରେ ଥିଲେ, ସେ ଭୋର ୪ଟାରେ ଉଠୁଥିଲେ, ସାଇକେଲ ଚଳାଇ ଷ୍ଟାଡିୟମକୁ ଯାଉଥିଲେ ଏବଂ ଦୁଇ ଘଣ୍ଟା ଅଭ୍ୟାସ କରୁଥିଲେ। ସେତେବେଳେ ତୁମେ ଅନୁଭବ କର, "ଓଃ, ଏଥିପାଇଁ ଏତେ ପରିଶ୍ରମ ଲାଗେ।" ତା’ପରେ ତୁମେ ଆରମ୍ଭ କର। ବର୍ତ୍ତମାନ, ତୁମେ କେବଳ ଦେଖୁଛ, "ସେ ଏକ ଶତକ ହାସଲ କଲେ, ଖବରକାଗଜରେ ତାଙ୍କର ଫଟୋ ଅଛି।" ସ୍ୱପ୍ନ ପାଇଁ ବଞ୍ଚିବା ଶିଖ, ସ୍ୱପ୍ନ ଅନୁଯାୟୀ ଜୀବନ ଗଢ଼। କିନ୍ତୁ ଯଦି ତୁମେ ହୋହଲ୍ଲା କର, ସଫଳତା କୋଳାହଳ କରିବ।
ଛାତ୍ର: ହଁ।
ପ୍ରଧାନମନ୍ତ୍ରୀ: ଯେମିତି ତୁମେ ନମ୍ବର ୱାନ୍ ହେବ, ସଫଳତାକୁ ନେଇ କୋଳାହଳ ଆରମ୍ଭ ହୋଇଯାଏ, ନୁହେଁ କି?
ଛାତ୍ର: ହଁ ସାର୍, ହୋଇଥାଏ।
ପ୍ରଧାନମନ୍ତ୍ରୀ: ସମଗ୍ର ସ୍କୁଲ୍ ଜାଣିବ, ନୁହେଁ କି?
ଛାତ୍ର: ହଁ, ସାର୍।
ପ୍ରଧାନମନ୍ତ୍ରୀ: ସମଗ୍ର ଗାଁ ଜାଣିବ, ନୁହେଁ କି?
ଛାତ୍ର: ହଁ, ସାର୍।
ପ୍ରଧାନମନ୍ତ୍ରୀ: ତେଣୁ ସେଇଟା ଆମର ପ୍ରୟାସ ହେବା ଉଚିତ୍।
ଛାତ୍ର: ସାର୍ ଯାହା କହିଲେ, ମୁଁ ଯାହା ଶୁଣିଲି, ମୁଁ ମୋ ଜୀବନ ପାଇଁ, ଆଗକୁ ବଢ଼ିବା ପାଇଁ ଏବଂ କିଛି ହେବା ପାଇଁ ସେହି ସବୁ ବିଷୟରେ ଚିନ୍ତା କଲି।
ପ୍ରଧାନମନ୍ତ୍ରୀ: ଆସ।
ଛାତ୍ର: ସାର୍, ଏବେ ଆମେ ଆପଣଙ୍କୁ ଆମ ସଂସ୍କୃତି ସହିତ ଜଡ଼ିତ କିଛି ଜିନିଷ ଦେଖାଇବୁ। ସାର୍, ଏଗୁଡ଼ିକ କାର୍ଡବୋର୍ଡରେ ତିଆରି ୱାର୍ଲି ପେଣ୍ଟିଂ। ଏଗୁଡ଼ିକ ଆମ ସଂସ୍କୃତି ସହିତ ଜଡ଼ିତ ସମସ୍ତ ଜିନିଷ। ସାର୍, ଆମେ ଆମ ଆଦିବାସୀ ଅଞ୍ଚଳର ଆଦିବାସୀ କଳାକୃତି ମଧ୍ୟ ପ୍ରଦର୍ଶନ କରିଛୁ- ଯେପରିକି ପେଣ୍ଟିଂ, ଏହା ହେଉଛି ଲିପ୍ପନ କଳା (Lippan art), ଏବଂ ଏହା ଯାହା ମୁଁ ତିଆରି କରିଛି ତାହା ହେଉଛି ପିଥୋରା କଳା ବା ପିଥୋରା ଆର୍ଟ।
ପ୍ରଧାନମନ୍ତ୍ରୀ: ତୁମେ ନିଜେ ଏହାକୁ ତିଆରି କରିଛ?
ଛାତ୍ର: ହଁ, ସାର୍। ମୁଁ ଏହାକୁ ଆପଣଙ୍କ ପାଇଁ ତିଆରି କରିଛି।
ପ୍ରଧାନମନ୍ତ୍ରୀ: ତୁମ ନାମ କ’ଣ?
ଛାତ୍ର: କିଶନ।
ପ୍ରଧାନମନ୍ତ୍ରୀ: ଏହା କ’ଣ ତୁମର ହସ୍ତାକ୍ଷର?
ଛାତ୍ର: ହଁ, ସାର୍।
ପ୍ରଧାନମନ୍ତ୍ରୀ: ଓଃ, ଚମତ୍କାର।
ଛାତ୍ର: ଧନ୍ୟବାଦ, ସାର୍।
ପ୍ରଧାନମନ୍ତ୍ରୀ: କେତେ ସୁନ୍ଦର!
ଛାତ୍ର: ଆମେ ଏଗୁଡ଼ିକୁ ଆମ ଘର କାନ୍ଥରେ ତିଆରି କରିଛୁ, ଏବଂ ଆମେ ସେଗୁଡ଼ିକୁ ପୂଜା ମଧ୍ୟ କରୁ।
ପ୍ରଧାନମନ୍ତ୍ରୀ: ୱାଓ, ତେବେ ତୁମେ ଜଣେ ବଡ଼ କଳାକାର ହୋଇଗଲଣି!
ଛାତ୍ର: ହଁ, ସାର୍। ମୋତେ ବହୁତ ଖୁସି ଲାଗୁଛି ଯେ ଆମ ଦେଶର ପ୍ରଧାନମନ୍ତ୍ରୀ ମୋର ପେଣ୍ଟିଂ ଗୁଡ଼ିକୁ ନେଇଛନ୍ତି, ଏବଂ ସାର୍ ଆମ ସହିତ ଏପରି ବନ୍ଧୁତ୍ୱପୂର୍ଣ୍ଣ ଭାବରେ କଥା ହେଲେ ଯେ ମନେ ହେଉଥିଲା ଯେମିତି ଆମେ ଆମ ନିଜ ସାଙ୍ଗମାନଙ୍କ ସହ କଥା ହେଉଛୁ।
ଛାତ୍ର: ଆପଣଙ୍କୁ ମୋର ପ୍ରଶ୍ନ ହେଉଛି: ଆପଣଙ୍କ ଜୀବନରେ ଆପଣଙ୍କ ଶିକ୍ଷକମାନଙ୍କର ଭୂମିକା କ’ଣ ଥିଲା?
ପ୍ରଧାନମନ୍ତ୍ରୀ: ଏକ ବଡ଼ ଭୂମିକା, ଏକ ବହୁତ ବଡ଼ ଭୂମିକା। ଯେମିତି ମୁଁ କହିଲି, ମୋ ଶିକ୍ଷକ ପ୍ରତିଦିନ ଆମକୁ ଲାଇବ୍ରେରୀକୁ ଯିବାକୁ କହୁଥିଲେ, ‘ଟାଇମ୍ସ ଅଫ୍ ଇଣ୍ଡିଆ’ର ସମ୍ପାଦକୀୟରୁ ଗୋଟିଏ ବାକ୍ୟ ବାଛିବାକୁ, ତାହାକୁ ଲେଖିବାକୁ ଏବଂ ପରଦିନ ସେହି ବିଷୟରେ ଆଲୋଚନା କରିବାକୁ କହୁଥିଲେ। ଏମିତି ଅନେକ ଜିନିଷ ଥିଲା। ଉଦାହରଣ ସ୍ୱରୂପ, ଫିଟନେସରେ, ମୁଁ ପ୍ରାଇମେରୀ ସ୍କୁଲରେ ଥିବାବେଳେ ପରମାର ନାମକ ଜଣେ ଶିକ୍ଷକ ଥିଲେ। ସେ ଶାରୀରିକ ସୁସ୍ଥତା ଉପରେ ବହୁତ ଜିଦ୍ କରୁଥିଲେ। ସେ ଆମକୁ ଯୋଗ ଶିଖାଇଥିଲେ, ସେ ଆମକୁ ‘ମଲ୍ଲଖମ୍ବ’ ଶିଖାଇଥିଲେ। ଆମେ ଖେଳାଳି ହେଲୁ ନାହିଁ, କିନ୍ତୁ ଆମେ ବୁଝିଲୁ ଯେ ଶରୀର ପାଇଁ ଫିଟନେସ୍ ଅତ୍ୟନ୍ତ ଆବଶ୍ୟକ। ତେଣୁ ପ୍ରତ୍ୟେକ ଶିକ୍ଷକ ଜୀବନରେ ଏକ ଭୂମିକା ଗ୍ରହଣ କରନ୍ତି। ଆପଣ ଦୁନିଆରେ ଯେତେବେଳେ ବି ଜଣେ ମହାନ ବ୍ୟକ୍ତିଙ୍କୁ ଭେଟିବେ, ଆପଣ ସେମାନଙ୍କ ଜୀବନରେ ଦୁଇଟି ଜିନିଷ ପାଇବେ: ପ୍ରଥମତଃ, ସେମାନେ କହିବେ ଯେ ସେମାନଙ୍କ ଜୀବନରେ ସେମାନଙ୍କ ମାଆଙ୍କର ଏକ ବଡ଼ ଭୂମିକା ଥିଲା।
ଛାତ୍ର: ହଁ।
ପ୍ରଧାନମନ୍ତ୍ରୀ: ଏବଂ ଦ୍ୱିତୀୟରେ, ସେମାନେ କହିବେ ଯେ ସେମାନଙ୍କ ଶିକ୍ଷକଙ୍କର ସେମାନଙ୍କ ଜୀବନରେ ଏକ ବଡ଼ ଭୂମିକା ଥିଲା।
ଛାତ୍ର: ପ୍ରତ୍ୟେକ କ୍ଷେତ୍ରରେ ଆମ ଦେଶ ଅଗ୍ରଗତି କରୁଛି। ତେବେ ଆମ ଦେଶକୁ ଆହୁରି ଅଗ୍ରଗତି କରିବାରେ ସାହାଯ୍ୟ କରିବା ପାଇଁ ଆଦିବାସୀ ସମାଜ କି ଅବଦାନ ଦେଇପାରିବ ସେ ବିଷୟରେ ଆପଣ ଆମକୁ କହିପାରିବେ କି?
ପ୍ରଧାନମନ୍ତ୍ରୀ: ବହୁତ କିଛି! ଦେଖ, ଆଦିବାସୀ ସମାଜ ପାଇଁ ଆଜି ଦେଶ ଅଗ୍ରଗତି କରିଛି। ଆଜି ଆଦିବାସୀ ସମାଜ ପାଇଁ ଦେଶର ପରିବେଶ ସୁରକ୍ଷିତ ରହିଛି। ସେମାନେ ପ୍ରକୃତିକୁ ପୂଜା କରନ୍ତି, ସେମାନେ ପ୍ରକୃତିକୁ ରକ୍ଷା କରନ୍ତି। ଆଜି ମଧ୍ୟ ଆମ ଦେଶର ସେନାରେ ଅଧିକାଂଶ ପୁଅ ଏବଂ ଝିଅ ଆଦିବାସୀ ସମାଜରୁ ଆସନ୍ତି। ଆଜି ଦେଶର ପ୍ରତ୍ୟେକ କ୍ଷେତ୍ରରେ କୌଣସି ପାର୍ଥକ୍ୟ ରହିବା ଉଚିତ୍ ନୁହେଁ। ଆମ ପାଇଁ କୌଣସି ପାର୍ଥକ୍ୟ ନାହିଁ। ଆମ ପାଖରେ କ୍ରୀଡ଼ାବିତ୍ ଅଛନ୍ତି, ଏବଂ ଆମ ଆଦିବାସୀ ପିଲାମାନେ ବହୁତ କିଛି ହାସଲ କରିପାରିବେ। ସେମାନଙ୍କ ବିକାଶ ଦେଶ ପାଇଁ ଗୌରବ ଆଣିଛି। ତୁମେ ଜାଣିଛ, ନିକଟରେ ମହିଳା କ୍ରିକେଟ୍ ଦଳ ବିଜୟ ଲାଭ କରିଛି, ନୁହେଁ କି?
ଛାତ୍ର: ହଁ, ସାର୍।
ପ୍ରଧାନମନ୍ତ୍ରୀ: ମଧ୍ୟପ୍ରଦେଶର କ୍ରାନ୍ତି ଗୌଡ଼ ନାମକ ଜଣେ ଝିଅ ଅଛନ୍ତି। ସେ ଜଣେ ଆଦିବାସୀ କନ୍ୟା।
ଛାତ୍ର: ହଁ, ସାର୍।
ପ୍ରଧାନମନ୍ତ୍ରୀ: ସେ ଖେଳରେ ସୁନାମ ଅର୍ଜନ କରିଛନ୍ତି।
ଛାତ୍ର: ହଁ, ସାର୍।
ପ୍ରଧାନମନ୍ତ୍ରୀ: ଏବଂ ପ୍ରକୃତରେ, ଆମ ଦେଶର ଅନେକ ଖେଳାଳି ଆଦିବାସୀ ସମାଜରୁ ଅଟନ୍ତି, ଏବଂ ସେମାନେ ବହୁତ ଗୌରବ ଆଣିଛନ୍ତି। ସେହିପରି ପ୍ରତିଭା! ତୁମ ପାଖରେ ଏତେ ବଡ଼ କଳା ଅଛି। ଯଦି ତୁମେ ଟେକ୍ନୋଲୋଜି ଶିଖିବ, ତେବେ ଏହି ସାମର୍ଥ୍ୟ ଆହୁରି ଆଗକୁ ବଢ଼ିବ।
ଛାତ୍ର: ହଁ, ସାର୍।
ପ୍ରଧାନମନ୍ତ୍ରୀ: ତେଣୁ ଜୀବନ କେବଳ ଏକ ଚାକିରି ପାଇଁ ସୀମିତ ହୋଇପାରିବ ନାହିଁ।
ଛାତ୍ର: ନା।
ପ୍ରଧାନମନ୍ତ୍ରୀ: ସ୍ୱପ୍ନ ହେବା ଉଚିତ୍ ଯେ ମୁଁ ଏକ ନିର୍ଦ୍ଦିଷ୍ଟ ପ୍ରକାରର ଜୀବନ ବଞ୍ଚିବାକୁ ଚାହେଁ, ଏବଂ ସେଥିପାଇଁ ମୁଁ ମୋ ଜୀବନକୁ ଗଢ଼ିବି। ଯଦି ଆମେ ଏହା କରୁ, ଆମେ ବହୁତ ଉପକୃତ ହେବା। ଗୋଟିଏ ଗୀତ ଗାଅ, ଆସ, ଗାଅ।
ଛାତ୍ର: ଜଙ୍ଗଲୁ ରେନାରୀ ତୁ ପାହାଡୁ ରେନାରୀ, ଜଙ୍ଗଲୁ ରେନାରୀ ତୁ ପାହାଡୁ ରେନାରୀ… (ଗୀତ ସମ୍ପୂର୍ଣ୍ଣ ସ୍ପଷ୍ଟ ନୁହେଁ)
ଛାତ୍ର: ଆମେ ସମସ୍ତେ ତାଙ୍କ ପାଇଁ ଏକ ଗୀତ ଗାଇଲୁ, ଯାହା ମୋଗି ମାତାଙ୍କ ବିଷୟରେ ଥିଲା- ସେ କେଉଁଠାରେ ବାସ କରନ୍ତି, କିପରି ବାସ କରନ୍ତି। ସେହି ସବୁ ଗୀତରେ ଥିଲା।
ଛାତ୍ର: ଆମେ ସାର୍ଙ୍କ ସହ ଅନେକ କଥାବାର୍ତ୍ତା କଲୁ- ଜୀବନରେ କିପରି ସବୁବେଳେ ଖୁସି ରହିବା, କିପରି ଚାପ ଦୂର କରିବା, କିପରି ଆମ ସମୟ ପରିଚାଳନା କରିବା, ଏବଂ ପରୀକ୍ଷାକୁ ଭୟ ନକରି କିପରି ପଢ଼ିବା ସେ ବିଷୟରେ।
ଛାତ୍ର: ପ୍ରଥମେ ମୁଁ ମୋ ଆଖିକୁ ବିଶ୍ୱାସ କରିପାରିଲି ନାହିଁ ଯେ ପ୍ରଧାନମନ୍ତ୍ରୀ ଆମ ସାମ୍ନାରେ ଅଛନ୍ତି। ସମୟ କୁଆଡ଼େ ଗଲା ଆମେ ଜାଣିପାରିଲୁ ନାହିଁ।
ପ୍ରଧାନମନ୍ତ୍ରୀ: ପରୀକ୍ଷା ପେ ଚର୍ଚ୍ଚାର ଆମର ଯାତ୍ରା ଅଷ୍ଟଲକ୍ଷ୍ମୀ ଅର୍ଥାତ୍ ଉତ୍ତର ପୂର୍ବରେ ମଧ୍ୟ ପହଞ୍ଚିଥିଲା। ଏବଂ ଗୁଆହାଟୀରେ, ପ୍ରବାହିତ ବ୍ରହ୍ମପୁତ୍ରରେ ଆନନ୍ଦରେ ନୌକା ବିହାର ସମୟରେ ପରୀକ୍ଷା ପେ ଚର୍ଚ୍ଚା ଜାରି ରହିଥିଲା।
ଛାତ୍ର: ନମସ୍କାର, ସାର୍।
ପ୍ରଧାନମନ୍ତ୍ରୀ: ଦୟାକରି ବସନ୍ତୁ।
ଛାତ୍ର: ପ୍ରଣାମ, ମାନ୍ୟବର ପ୍ରଧାନମନ୍ତ୍ରୀ। ଆମେ ସମସ୍ତେ ଆପଣଙ୍କୁ ଏକ ‘ଗାମୋଚା’ ଉପହାର ଦେବାକୁ ଚାହୁଁଛୁ।
ପ୍ରଧାନମନ୍ତ୍ରୀ: ନିଶ୍ଚୟ। ଆସାମରେ ଗାମୋଚା ନଥିବ କେମିତି! ଚମତ୍କାର।
ଛାତ୍ର: ତାଙ୍କ ଉପସ୍ଥିତି ବହୁତ ଶାନ୍ତ ଥିଲା। ସବୁ ଚିନ୍ତା ଦୂର ହୋଇଗଲା। ଆମେ ସମସ୍ତେ ମିଶି ତାଙ୍କ ସହ ବହୁତ କଥା ହେଲୁ।
ପ୍ରଧାନମନ୍ତ୍ରୀ: ତୁମେମାନେ ପୂର୍ବରୁ କେବେ ଟିଭିରେ ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମ ଦେଖିଛ କି?
ଛାତ୍ରଛାତ୍ରୀ: ହଁ ସାର୍, ଦେଖିଛୁ।
ପ୍ରଧାନମନ୍ତ୍ରୀ: ଭଲ। ତୁମେ କେବେ ସେହି ବହି ଦେଖିଛ କି?
ଛାତ୍ରଛାତ୍ରୀ: ହଁ ସାର୍। ‘ଏକ୍ସାମ୍ ୱାରିୟର୍’।
ପ୍ରଧାନମନ୍ତ୍ରୀ: ତେବେ ଏହାକୁ ପଢ଼ିବା ପରେ କିମ୍ବା କାର୍ଯ୍ୟକ୍ରମ ଦେଖିବା ପରେ, ପରୀକ୍ଷା ପୂର୍ବରୁ ତୁମେ ଯାହା ଭାବୁଥିଲ ତା’ ତୁଳନାରେ କି ପାର୍ଥକ୍ୟ ହେଲା? ତୁମେ କି ଲାଭ ପାଇଲ?
ଛାତ୍ର: ଆମକୁ ଏବେ ପରୀକ୍ଷାକୁ ଏତେ ଭୟ ଲାଗୁ ନାହିଁ। ପରୀକ୍ଷାକୁ ଏକ ଉତ୍ସବ ଭାବରେ ପାଳନ କରିବା ପରି ଆପଣଙ୍କ ମନ୍ତ୍ରଗୁଡ଼ିକ ଆମର ପରୀକ୍ଷା ଭୟକୁ କମାଇ ଦେଇଛି।
ପ୍ରଧାନମନ୍ତ୍ରୀ: କିନ୍ତୁ ପରିବାର ଲୋକମାନେ ହିଁ ତୁମକୁ ଡରାନ୍ତି, ନୁହେଁ କି?
ଛାତ୍ର: ହଁ, ସାର୍।
ପ୍ରଧାନମନ୍ତ୍ରୀ: ହଁ।
ଛାତ୍ର: ସେମାନେ ପଚାରନ୍ତି, "ତୁମେ ଗୋଟିଏ ମାର୍କ କାହିଁକି ହରାଇଲ? ସେହି ଗୋଟିଏ ମାର୍କ କୁଆଡ଼େ ଗଲା?"
ପ୍ରଧାନମନ୍ତ୍ରୀ: ଜୀବନରେ ଯଦି ଆମେ ସନ୍ତୁଷ୍ଟ ହୋଇଯାଉ ଏବଂ କହୁ, "ଯଥେଷ୍ଟ, ଆଉ କ’ଣ?" ତେବେ ପ୍ରଗତି ଅଟକିଯାଏ।
ଛାତ୍ର: ହଁ, ସାର୍।
ପ୍ରଧାନମନ୍ତ୍ରୀ: ଜିତିବାର ଇଚ୍ଛା ମନରେ ରହିବା ଉଚିତ୍। ସେଥିପାଇଁ ମୁଁ ଏକ ମନ୍ତ୍ର ଦେଇଥିଲି।
ଛାତ୍ର: ସାର୍, ଆମେ ଅନ୍ୟମାନଙ୍କ ସହ ପ୍ରତିଯୋଗିତା କରିବା ଉଚିତ୍ ନୁହେଁ।
ପ୍ରଧାନମନ୍ତ୍ରୀ: ବ୍ରାଭୋ! ହଁ। ମୁଁ କହିଥିଲି ଆମକୁ ନିରନ୍ତର ନିଜ ସହ ପ୍ରତିଯୋଗିତା କରିବାକୁ ପଡ଼ିବ। କେହି କହିପାରନ୍ତି, "ତୁମେ ୯୯ ପାଇଲ, ୧୦୦ କାହିଁକି ନୁହେଁ?" ତାହା ସେମାନଙ୍କର ଦୃଷ୍ଟିକୋଣ। କିନ୍ତୁ ତୁମକୁ ନିଜକୁ ପଚାରିବାକୁ ପଡ଼ିବ, "ମୋ ଜୀବନରେ ଏହି ପରିବର୍ତ୍ତନ କାହିଁକି ହେଲା? ଏଥିରେ କ’ଣ ଅଭାବ ଥିଲା? ଏହାର କାରଣ କ’ଣ ଥିଲା?" ଭଲ। ଯଦି ତୁମ ମନରେ ପ୍ରଶ୍ନ ଅଛି, ଦୟାକରି ପଚାର।
ଛାତ୍ର: ମୋର ପ୍ରଶ୍ନ ହେଉଛି: ମୁଁ ଶୁଣିଛି ଯେ ସୁସ୍ଥ ରହିବା ପାଇଁ ଆପଣ ଆପଣଙ୍କ ଦୈନନ୍ଦିନ ଜୀବନରେ ଏକ ନିର୍ଦ୍ଦିଷ୍ଟ ଡାଏଟ୍ (ଖାଦ୍ୟପେୟ) ଅନୁସରଣ କରନ୍ତି। ତେବେ ଶକ୍ତିଶାଳୀ ଏବଂ ଏକାଗ୍ର ରହିବା ପାଇଁ ଏବଂ ପରୀକ୍ଷାରେ ଭଲ ପ୍ରଦର୍ଶନ କରିବା ପାଇଁ ଆମ ଛାତ୍ରମାନଙ୍କୁ କେଉଁ ଚମତ୍କାରୀ ଡାଏଟ୍ ଅନୁସରଣ କରିବା ଉଚିତ୍?
ପ୍ରଧାନମନ୍ତ୍ରୀ: ସତ କଥା ହେଉଛି ମୋର କୌଣସି ନିର୍ଦ୍ଦିଷ୍ଟ ଡାଏଟ୍ ସିଷ୍ଟମ ନାହିଁ, କାରଣ ପୂର୍ବରୁ ମୁଁ ବିଭିନ୍ନ ପରିବାରର ଘରେ ଖାଉଥିଲି। ଗୋଟିଏ କଥା ଥିଲା ଯେ ଯେହେତୁ ମୁଁ ଶାକାହାରୀ, ମୁଁ ଶାକାହାରୀ ଖାଦ୍ୟ ଖାଉଥିଲି। ସେହି ଘରେ ଯାହା ଉପଲବ୍ଧ ଥିଲା, ମୁଁ ଖାଇଲି। ବେଳେବେଳେ ମୋତେ ନିଜ ପାଇଁ ରୋଷେଇ କରିବାକୁ ପଡୁଥିଲା। ବେଳେବେଳେ ମୁଁ ଖେଚୁଡ଼ି ରାନ୍ଧୁଥିଲି। ତୁମେ ଖେଚୁଡ଼ି ଖାଅ କି?
ଛାତ୍ର: ହଁ, ସାର୍।
ପ୍ରଧାନମନ୍ତ୍ରୀ: ତୁମର ଡାଏଟ୍ ତୁମର ପସନ୍ଦ ଅନୁଯାୟୀ ହେବା ଉଚିତ୍। ଏହା ଔଷଧ ପରି ହେବା ଉଚିତ୍ ନୁହେଁ ଯାହାକୁ ତୁମେ ନିଜକୁ ଖାଇବାକୁ ବାଧ୍ୟ କରିବ। ସ୍ଥିର କର ତୁମେ ତୁମର ପେଟ ଭରିବା ପାଇଁ ଖାଇବାକୁ ଚାହୁଁଛ ନା ହୃଦୟକୁ ସନ୍ତୁଷ୍ଟ କରିବା ପାଇଁ।
ଛାତ୍ର: ହୃଦୟକୁ ସନ୍ତୁଷ୍ଟ କରିବା ପାଇଁ।
ପ୍ରଧାନମନ୍ତ୍ରୀ: ଏବଂ ସାଧାରଣତଃ କ’ଣ ହୁଏ ଯେ ଲୋକମାନେ ଖାଇ ଚାଲିଥାନ୍ତି ଯେପର୍ଯ୍ୟନ୍ତ କେହି ସେମାନଙ୍କୁ ବନ୍ଦ କରିବାକୁ ନ କହନ୍ତି। ସେମାନେ ପେଟ ଭରିବା ପର୍ଯ୍ୟନ୍ତ ଶସ୍ୟ ଖାଆନ୍ତି। କିନ୍ତୁ ସେମାନେ ଛାତି ଭରିବା ପର୍ଯ୍ୟନ୍ତ ନିଶ୍ୱାସ ନିଅନ୍ତି ନାହିଁ। ଏଠାରେ, ଏହା ଓଲଟା ହେବା ଉଚିତ୍। ଦିନସାରା ଯେତେବେଳେ ବି ସୁଯୋଗ ମିଳିବ, ଶରୀର ସମ୍ପୂର୍ଣ୍ଣ ଭରିଯିବା ପର୍ଯ୍ୟନ୍ତ ଏକ ଗଭୀର ନିଶ୍ୱାସ ନିଅ। ଯଦି ସମ୍ଭବ, ଏହାକୁ କିଛି ମୁହୂର୍ତ୍ତ ପାଇଁ ଧରି ରଖ ଏବଂ ତା’ପରେ ଧୀରେ ଧୀରେ ଛାଡ଼। ଆମେ କ’ଣ କରୁ ଯେ ଖାଦ୍ୟ ଖାଉ, କିନ୍ତୁ ଅନ୍ୟ ପଚାଶଟି କାମ ମଧ୍ୟରେ, ଆମେ ଆମ ଶରୀରକୁ ଶେଷ ପ୍ରାଥମିକତା ଦେଇଥାଉ। ଶେଷ ପ୍ରାଥମିକତା। ଏବେ ମୋତେ କୁହ, ତୁମମାନଙ୍କ ମଧ୍ୟରୁ କେତେଜଣ ନିୟମ କରିଛନ୍ତି ଯେ ତୁମେ ସୂର୍ଯ୍ୟୋଦୟ ଦେଖିବ? କେତେଜଣ?
ପ୍ରଧାନମନ୍ତ୍ରୀ: ସୂର୍ଯ୍ୟୋଦୟ।
ଛାତ୍ରଛାତ୍ରୀ: ଆମେ ଦେଖିବୁ, ସାର୍!
ପ୍ରଧାନମନ୍ତ୍ରୀ: ଏହା ଶରୀରକୁ ସତେଜତା ଏବଂ ଶକ୍ତି ପ୍ରଦାନ କରେ। ଆମକୁ ଏହାକୁ ଏକ ଅଭ୍ୟାସ କରିବାକୁ ହେବ। ଶରୀରକୁ ପ୍ରଥମ ପ୍ରାଥମିକତା ଦିଆଯିବା ଉଚିତ୍।
ଛାତ୍ର: ସାର୍, ପ୍ରାୟତଃ ଆମ ବାପାମାଆ ଆମକୁ ଆମ ସାଙ୍ଗମାନଙ୍କ ସହ ତୁଳନା କରନ୍ତି। କିନ୍ତୁ ଚାପ ଅଧିକ ହୁଏ ଯେତେବେଳେ ସେମାନେ ଆମକୁ ଆମ ନିଜ ଭାଇଭଉଣୀଙ୍କ ସହ ତୁଳନା କରନ୍ତି। ଏଭଳି ପରିସ୍ଥିତିରେ ଆମେ କ’ଣ କରିବା ଉଚିତ୍?
ପ୍ରଧାନମନ୍ତ୍ରୀ: ମନେକର ତୁମ ବାପା କହୁଛନ୍ତି, "ତୁମ ଭଉଣୀଙ୍କ ହସ୍ତାକ୍ଷର ଦେଖ, ଏହା କେତେ ସୁନ୍ଦର।" ଜଣେ ଭଲ ବ୍ୟକ୍ତି କ’ଣ କହିବେ? ସେ ନିଜ ଭଉଣୀଙ୍କୁ କହିବେ, "ଦୟାକରି ମୋ ହସ୍ତାକ୍ଷର କିପରି ସୁଧାରିବି ମୋତେ ଶିଖାନ୍ତୁ।" ଅନ୍ୟ ଜଣେ ବ୍ୟକ୍ତି ଭାବିବେ, "ମୋ ବାପାମାଆ କେବଳ ମୋ ଭଉଣୀକୁ ଭଲ ପାଆନ୍ତି। ସେମାନେ ତା’ର ହସ୍ତାକ୍ଷରକୁ ପ୍ରଶଂସା କରନ୍ତି। ମୁଁ କେତେ ପରିଶ୍ରମ କରୁଛି ସେମାନେ ଦେଖୁନାହାଁନ୍ତି।" ଯଦି ପରିବାରରେ କାହାର ଭଲ ଗୁଣ ଉଲ୍ଲେଖ କରାଯାଏ, ଆମେ ଆମ ଭାଇ କିମ୍ବା ଭଉଣୀଙ୍କଠାରୁ ସେହି ଗୁଣ ଶିଖିବାକୁ ଚେଷ୍ଟା କରିବା ଉଚିତ୍। ଏବଂ ଆମେ ଆମ ବାପାମାଆଙ୍କୁ କହିବା ଉଚିତ୍, "ତୁମେ କିଛି ଭଲ କଥା କହିଲ। ମୋ ପାଖରେ ଏହି ଗୁଣ ନାହିଁ। ଦୟାକରି ମୋତେ କୁହନ୍ତୁ ମୁଁ କିପରି ଏହାକୁ ବିକଶିତ କରିପାରିବି।" ସେତେବେଳେ ବାପାମାଆ ଦେଖିବେ ଯେ ତୁମେ ବିରକ୍ତ ହେଉନାହଁ, ବରଂ ଶିଖିବାକୁ ଚେଷ୍ଟା କରୁଛ। ବାପାମାଆମାନେ ତୁଳନା କରିବା ବନ୍ଦ କରିବା ଉଚିତ୍। ମୁଁ ସବୁବେଳେ ବାପାମାଆଙ୍କୁ କହେ: ଦୟାକରି ଅନ୍ୟମାନଙ୍କ ସାମ୍ନାରେ ଗୋଟିଏ ପିଲାକୁ ଏତେ ପ୍ରଶଂସା କରନ୍ତୁ ନାହିଁ ଯେ ଅନ୍ୟ ପିଲାଟି ଅବହେଳିତ ଅନୁଭବ କରେ। ଯଦି ଆମର ନିକଟତର କେହି କୌଣସି କାମରେ ଭଲ, ଆମେ ଚୁପଚାପ୍ ସେମାନଙ୍କୁ ଆମର ଗୁରୁ ମାନିବା ଉଚିତ୍। ସେମାନେ ଜାଣିବା ଉଚିତ୍ ନୁହେଁ ଯେ ତୁମେ ସେମାନଙ୍କୁ ତୁମର ଗୁରୁ ବୋଲି ମାନୁଛ। ଉଦାହରଣ ସ୍ୱରୂପ କୁହ, "ତୁମେ ବ୍ୟାଡମିଣ୍ଟନ ବହୁତ ଭଲ ଖେଳୁଛ। ମୁଁ କ’ଣ ଭୁଲ୍ କରୁଛି? ଦୟାକରି ମୋତେ ଶିଖାଅ।" ସେତେବେଳେ ସେମାନେ ନିଜକୁ ଶ୍ରେଷ୍ଠ ଅନୁଭବ କରିବେ ନାହିଁ। ସେମାନେ ଭାବିବେ, "ସେ ମୋଠାରୁ ଶିଖିବାକୁ ଚାହୁଁଛି।" ସେମାନେ ତୁମକୁ ସମାନ ଭାବରେ ଦେଖିବେ।
ଛାତ୍ର: ଡର ତ ନିଶ୍ଚିତ ଭାବରେ ଥିଲା, କିନ୍ତୁ ସେହି ସମୟରେ ମୁଁ ବହୁତ ଉତ୍ସାହିତ ଅନୁଭବ କରୁଥିଲି। ମୁଁ ବହୁତ ଖୁସି ଥିଲି ଯେ ମୁଁ ମୋଦୀ ଜୀଙ୍କୁ ଭେଟିବାକୁ ଯାଉଛି। ମୁଁ କେବେ ଭାବି ନଥିଲି ଯେ ମୋ ସହିତ ଏମିତି କିଛି ହେବ। କିନ୍ତୁ ଯେତେବେଳେ ଏହା ହେଲା, ମୁଁ ଅତ୍ୟଧିକ ଖୁସି ଥିଲି।
ଛାତ୍ର: ସାର୍, ପ୍ରାୟତଃ ଛାତ୍ରମାନେ ମଞ୍ଚରେ କିମ୍ବା ଲୋକଙ୍କ ସାମ୍ନାରେ କହିବାକୁ ଅସୁବିଧାର ସମ୍ମୁଖୀନ ହୁଅନ୍ତି। ଆମର ଆତ୍ମବିଶ୍ୱାସ ବଢ଼ାଇବା ପାଇଁ ଆପଣ ଆମକୁ କ’ଣ ପରାମର୍ଶ ଦେବେ?
ପ୍ରଧାନମନ୍ତ୍ରୀ: ତେବେ ଯଦି ତୁମକୁ ସେମାନଙ୍କୁ ପରାମର୍ଶ ଦେବାକୁ ପଡ଼ିବ, ତୁମେ କ’ଣ କହିବ? ଆସ, ଆଗକୁ ଆସ, ସମସ୍ତେ ଆଗକୁ ଆସ। ଯଦି କାହାକୁ ଏକ, ଦୁଇ, ତିନି କହିବାକୁ ପଡ଼େ, ତାହା କିପରି ହେବ?
ଛାତ୍ର: ସାର୍, ଆମର ଆତ୍ମବିଶ୍ୱାସ ରହିବା ଉଚିତ୍, ହଁ।
ପ୍ରଧାନମନ୍ତ୍ରୀ: ଆତ୍ମବିଶ୍ୱାସରେ ଦୁଇଟି ଶବ୍ଦ ଅଛି। କେଉଁ ଦୁଇଟି ଶବ୍ଦ?
ଛାତ୍ର: ଆତ୍ମା ଏବଂ ବିଶ୍ୱାସ ।
ପ୍ରଧାନମନ୍ତ୍ରୀ: ଯାହାର ନିଜ ଉପରେ ବିଶ୍ୱାସ ଅଛି ସେ କେବେବି ଭୟ ଅନୁଭବ କରେ ନାହିଁ। ତୁମର ନିଜ ଉପରେ ବିଶ୍ୱାସ ଅଛି କି?
ଛାତ୍ର: ହଁ, ସାର୍।
ପ୍ରଧାନମନ୍ତ୍ରୀ: ଯଦି ତୁମର ନିଜ ଉପରେ ବିଶ୍ୱାସ ଅଛି, ତୁମେ ଯେକୌଣସି ଜିନିଷକୁ ଅତିକ୍ରମ କରିପାରିବ। ଆତ୍ମବିଶ୍ୱାସ ଥିବା ବ୍ୟକ୍ତି କ’ଣ କରେ? ସେ ନିଜ ମନରେ ସମ୍ପୂର୍ଣ୍ଣ ପରିସ୍ଥିତିକୁ ଅଧ୍ୟୟନ କରେ। ସ୍ୱାମୀ ବିବେକାନନ୍ଦ ଥରେ ଚିକାଗୋରେ ତାଙ୍କର ପ୍ରସିଦ୍ଧ ଭାଷଣ ପରେ ଏକ ଚିଠି ଲେଖିଥିଲେ।
ଛାତ୍ର: ହଁ, ସାର୍।
ପ୍ରଧାନମନ୍ତ୍ରୀ: ବିବେକାନନ୍ଦ ବହୁତ ପ୍ରଶଂସିତ ହୋଇଥିଲେ।
ଛାତ୍ର: ହଁ, ସାର୍।
ପ୍ରଧାନମନ୍ତ୍ରୀ: କିନ୍ତୁ ସେ ତାଙ୍କ ଶିଷ୍ୟଙ୍କୁ ଲେଖିଥିଲେ ଯେ ଯେତେବେଳେ ତାଙ୍କୁ ଚିକାଗୋରେ କହିବାକୁ ପଡ଼ିଲା, ସେ ବହୁତ ଚିନ୍ତିତ ଥିଲେ। ସେ ଭାବିଲେ, "ଏତେ ବଡ଼ ବିଦ୍ୱାନ, ଏତେ ବଡ଼ ବୟସ୍କ, ଏତେ ସନ୍ନ୍ୟାସୀ- ମୁଁ କ’ଣ କହିବି?" ସେ ଲେଖିଥିଲେ ଯେ ସେ ବହୁତ ଚିନ୍ତିତ ଥିଲେ। ତା’ପରେ ସେ ମାତା ସରସ୍ୱତୀଙ୍କୁ ମନେ ପକାଇ ପ୍ରାର୍ଥନା କଲେ: "ମାଆ, ମୋ ଭିତରେ ଥିବା ସମସ୍ତ ଶକ୍ତିକୁ ଜାଗ୍ରତ କରନ୍ତୁ। ମୁଁ ଯାହା ଶିଖିଛି ତାହା ସବୁ ଏକାସାଙ୍ଗରେ ମୋ ଜିଭକୁ ଆସୁ।" ସେ ଏହିପରି ପ୍ରାର୍ଥନା କଲେ ଏବଂ ମଞ୍ଚକୁ ଗଲେ। ଯେତେବେଳେ ସେ କହିଲେ, "ଆମେରିକାର ଭଉଣୀ ଓ ଭାଇମାନେ," ଦର୍ଶକମାନେ କ୍ରମାଗତ ଦୁଇ ମିନିଟ୍ ଧରି ତାଳି ମାରିଲେ। ତାହା ଏକ ମୋଡ଼ ପାଲଟିଗଲା। ସେ ଅନୁଭବ କଲେ, "ନା, ମୁଁ ଯାହା ଭାବୁଥିଲି ତାହା ନୁହେଁ। ମୋ ଭିତରେ କିଛି ଅଛି।" ଆତ୍ମବିଶ୍ୱାସ ଆସିଲା। ପ୍ରତ୍ୟେକଙ୍କ ଜୀବନରେ, ଏପରିକି ସବୁଠାରୁ ବଡ଼ ବକ୍ତା, ସବୁଠାରୁ ବଡ଼ ଖେଳାଳି- ତୁମେ କ’ଣ ସଚିନ ତେନ୍ଦୁଲକରଙ୍କୁ କେବେ ଶୂନରେ ଆଉଟ୍ ହେବାର ଦେଖିନାହଁ?
ଛାତ୍ର: ଦେଖିଛୁ।
ପ୍ରଧାନମନ୍ତ୍ରୀ: ସେ କ’ଣ ମୁଣ୍ଡରେ ହାତ ଦେଇ ନିରାଶ ହୋଇ ବସିଲେ?
ଛାତ୍ର: ନାହିଁ ସାର୍।
ପ୍ରଧାନମନ୍ତ୍ରୀ: ତା’ର ଅର୍ଥ ଆମକୁ ପରିସ୍ଥିତିକୁ ଦେଖିବାକୁ ହେବ, ଏହାକୁ ଆକଳନ କରିବାକୁ ହେବ, ଏବଂ ତା’ପରେ ଭାବିବାକୁ ହେବ, "ଠିକ୍ ଅଛି, ମୁଁ ଏହା କରିପାରିବି।" ‘ଆତ୍ମବିଶ୍ୱାସ’ ଶବ୍ଦର ପ୍ରକୃତ ଅର୍ଥ ହେଉଛି ନିଜ ଉପରେ ବିଶ୍ୱାସ। ଆମ ପାଇଁ ଅନ୍ୟ କେହି ଏହା କରିବେ ନାହିଁ। ଆମକୁ ନିଜେ ଏହା କରିବାକୁ ପଡ଼ିବ।
ଛାତ୍ର: ମୁଁ ଆପଣଙ୍କ ସାମ୍ନାରେ ଏକ ଗୀତ ଉପସ୍ଥାପନ କରିବାକୁ ଚାହୁଁଛି।
ପ୍ରଧାନମନ୍ତ୍ରୀ: ହଁ, ଗୋଟିଏ ଗୀତ ଗାଅ।
ଛାତ୍ର: ହଁ, ଡକ୍ଟର ଭୂପେନ୍ ହଜାରିକାଙ୍କ ଦ୍ୱାରା।
ପ୍ରଧାନମନ୍ତ୍ରୀ: ଓଃ ଚମତ୍କାର, ଦୟାକରି ଗାଅ।
ଛାତ୍ର: (ଆସାମୀ ଭାଷାରେ ଗୀତ)
ପ୍ରଧାନମନ୍ତ୍ରୀ: ଉତ୍କୃଷ୍ଟ।
ଛାତ୍ର: ଆମ ଗାଁରେ, ଆମ ଘର ପାଖରେ ଏକ ଚା’ ବଗିଚା ଅଛି। ମୋ ମାଆ ଆଠ ବର୍ଷ ଧରି ସେଠାରେ ଚା’ ପତ୍ର ତୋଳିବା କାର୍ଯ୍ୟର ତତ୍ତ୍ୱାବଧାନ କରୁଛନ୍ତି।
ପ୍ରଧାନମନ୍ତ୍ରୀ: ଓଃ, ତେଣୁ ତୁମେ ଚା’ ବଗିଚାରୁ।
ଛାତ୍ର: ହଁ।
ପ୍ରଧାନମନ୍ତ୍ରୀ: ତୁମେ ଭଲ ପଢ଼ୁଛ, ତୁମ ମାଆ ତୁମକୁ ପଢ଼ାଉଛନ୍ତି, ଏବଂ ସେ ଚା’ ବଗିଚାରେ ମଧ୍ୟ କାମ କରନ୍ତି। ତେବେ ତୁମେ କ’ଣ ଆଣିଛ?
ଛାତ୍ର: ମୁଁ ଆପଣଙ୍କ ପାଇଁ ଚା’ ପତ୍ର ଆଣିଛି।
ପ୍ରଧାନମନ୍ତ୍ରୀ: ତେବେ ମୋତେ ଚା’ ତିଆରି କରିବାକୁ ପଡ଼ିବ। ତୁମକୁ ବହୁତ ବହୁତ ଧନ୍ୟବାଦ। ଦୟାକରି ତୁମ ମାଆଙ୍କୁ ମୋର ସମ୍ମାନ ଜଣାଇବ।
ଛାତ୍ର: ମୁଁ କେବେ ଭାବି ନଥିଲି ଯେ ଚା’ ବଗିଚାର ଜଣେ ପୁଅ ହୋଇ ମୁଁ ପ୍ରଧାନମନ୍ତ୍ରୀଙ୍କୁ ଭେଟିବାକୁ ପାଇବି। ମୁଁ ବିଶ୍ୱାସ କରିପାରୁ ନାହିଁ ଯେ ମୁଁ ପ୍ରକୃତରେ ତାଙ୍କୁ ଭେଟିଲି।
ଛାତ୍ର: ଏପରି ଏକ ପିଢ଼ିର ପାର୍ଥକ୍ୟ ଥାଇ ମଧ୍ୟ ଯେତେବେଳେ ସେ ଆମ କଥା ବୁଝନ୍ତି, ସେତେବେଳେ ବହୁତ ଭଲ ଲାଗେ।
ପ୍ରଧାନମନ୍ତ୍ରୀ: ତୁମେ ଦେଖିଲ ଆମେ ପରୀକ୍ଷା ବିଷୟରେ କଥା ହେଲୁ, କିନ୍ତୁ ସ୍ଥାନୀୟ ସଙ୍ଗୀତ, ଆସାମର ଚା’ ବିଷୟରେ ମଧ୍ୟ- ଏଗୁଡ଼ିକ ମଧ୍ୟ ପରୀକ୍ଷା ପେ ଚର୍ଚ୍ଚାର ସ୍ମରଣୀୟ ଅଂଶ ହୋଇଗଲା। ପରୀକ୍ଷା ଏକ ସୁଯୋଗ, ଏବଂ ଏକ ସୁସ୍ଥ ପ୍ରତିଯୋଗିତା ମନୋଭାବ ଆମ ପ୍ରସ୍ତୁତିକୁ ଆହୁରି ଭଲ କରିଥାଏ। ଏହି ସମସ୍ତ ଆଲୋଚନାରେ ସ୍ଥାନ ଅଲଗା ଥିଲା, ଛାତ୍ରମାନେ ଅଲଗା ଥିଲେ, ଅଭିଜ୍ଞତା ଅଲଗା ଥିଲା। କିନ୍ତୁ ପ୍ରତ୍ୟେକ ଆଲୋଚନାର ଉଦ୍ଦେଶ୍ୟ ସମାନ ଥିଲା: ପ୍ରତ୍ୟେକ ଛାତ୍ରଙ୍କ କଥା ଶୁଣିବା, ବୁଝିବା ଏବଂ ଏକାଠି କିଛି ଶିଖିବା। ଆପଣ ସମସ୍ତଙ୍କୁ ମୋର ଶୁଭେଚ୍ଛା। ବହୁତ ବହୁତ ଧନ୍ୟବାଦ।
Release ID: 2225377
(ରିଲିଜ ଆଡି: 2225936)
ପରିଦର୍ଶକ କାଉଣ୍ଟର : 4