କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ
ଭାରତ-ଆମେରିକା ବାଣିଜ୍ୟ ଚୁକ୍ତି: କୃଷି ଏବଂ ଦୁଗ୍ଧ ଉତ୍ପାଦନ କ୍ଷେତ୍ରକୁ ନେଇ କୌଣସି ସାଲିସ୍ ହୋଇନାହିଁ
ପୋଷ୍ଟ କରାଯିବା ଦିନାଙ୍କ:
05 FEB 2026 5:32PM by PIB Bhubaneshwar
- ଚାଷୀଙ୍କ ହିତ ସମ୍ପୂର୍ଣ୍ଣ ଭାବେ ସୁରକ୍ଷିତ ରଖାଯାଇଛି : ଶ୍ରୀ ଶିବରାଜ ସିଂ ଚୌହାନ
- ଶୁଳ୍କ ହ୍ରାସ ଦ୍ୱାରା ଚାଉଳ, ମସଲା ଏବଂ ବୟନ ରପ୍ତାନିକୁ ମିଳିବ ପ୍ରୋତ୍ସାହନ, କପା ଚାଷୀଙ୍କ ଆୟ ବୃଦ୍ଧି ପାଇବ: କେନ୍ଦ୍ର କୃଷି ମନ୍ତ୍ରୀ
ଭାରତ-ଆମେରିକା ବାଣିଜ୍ୟ ଚୁକ୍ତିକୁ ନେଇ ବିରୋଧୀ ଦଳମାନେ ଆଣିଥିବା ଭ୍ରମାତ୍ମକ ଅଭିଯୋଗକୁ କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ତଥା ଗ୍ରାମୀଣ ବିକାଶ ମନ୍ତ୍ରୀ ଶ୍ରୀ ଶିବରାଜ ସିଂ ଚୌହାନ ଖଣ୍ଡନ କରିଛନ୍ତି। ସେ ସ୍ପଷ୍ଟ ରୂପେ କହିଛନ୍ତି, ଏହି ରାଜିନାମାରେ ଭାରତୀୟ କୃଷିଗତ ହିତ, ବିଶେଷ କରି କୃଷି ଏବଂ ଦୁଗ୍ଧ ଉତ୍ପାଦନ କ୍ଷେତ୍ର ସହ କୌଣସି ସାଲିସ୍ କରାଯାଇନାହିଁ ଏବଂ ଏହାକୁ ସମ୍ପୂର୍ଣ୍ଣ ରୂପେ ସୁରକ୍ଷିତ ରଖାଯାଇଛି। ସେ ଗୁରୁତ୍ୱାରୋପ କରି କହିଛନ୍ତି, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱ ଏବଂ ମାର୍ଗଦର୍ଶନରେ, ଏହି ଚୁକ୍ତି କୂଟନୀତି, ବିକାଶ ଏବଂ ସମ୍ମାନର ଏକ ନୂତନ ମାନଦଣ୍ଡକୁ ପ୍ରତିଫଳିତ କରିଥାଏ। ପ୍ରଧାନମନ୍ତ୍ରୀ ଆରମ୍ଭରୁ ସ୍ପଷ୍ଟ କରିଦେଇଛନ୍ତି ଯେ କୃଷକମାନଙ୍କ ହିତ ସର୍ବୋପରି ଅଟେ।
ଦିଲ୍ଲୀରେ ଗଣମାଧ୍ୟମକୁ ସମ୍ବୋଧିତ କରି ଶ୍ରୀ ଚୌହାନ କହିଛନ୍ତି, ଭାରତର ମୁଖ୍ୟ ଶସ୍ୟ, ଫଳ, ପ୍ରମୁଖ ଫସଲ, ମିଲେଟ୍ସ ଏବଂ ଦୁଗ୍ଧଜାତ ଦ୍ରବ୍ୟକୁ ସମ୍ପୂର୍ଣ୍ଣ ସୁରକ୍ଷିତ ରଖାଯାଇଛି। ଏସବୁ ଉତ୍ପାଦ ପ୍ରତି କୌଣସି ବିପଦ ନାହିଁ। ଛୋଟ ଏବଂ ବଡ଼ ଚାଷୀଙ୍କ ହିତ ସମ୍ପୂର୍ଣ୍ଣ ସୁରକ୍ଷିତ ରଖାଯାଇଛି ଏବଂ ଏହି ଚୁକ୍ତି ଭାରତୀୟ କୃଷି ପାଇଁ ବିପଦ ବଦଳରେ ନୂତନ ସୁଯୋଗ ସୃଷ୍ଟି କରିବ ବୋଲି ସେ ଜୋର ଦେଇ କହିଥିଲେ।
କ୍ଷୁଦ୍ର ଚାଷୀଙ୍କ ଚିନ୍ତା ଏବଂ ଆମେରିକୀୟ କୃଷି ଉତ୍ପାଦର ସ୍ଥିତି ଉପରେ ସ୍ପଷ୍ଟୀକରଣ
ଭାରତର ଅଧାରୁ ଅଧିକ ଜନସଂଖ୍ୟା କୃଷି ଉପରେ ନିର୍ଭରଶୀଳ ଏବଂ କ୍ଷୁଦ୍ର ଚାଷୀ ଏହି ଚୁକ୍ତି ଦ୍ୱାରା ପ୍ରଭାବିତ ହେବା ନେଇ ଜାରି ରହିଥିବା ଆଶଙ୍କାର ଜବାବ ଦେଇ ମନ୍ତ୍ରୀ ଆଶ୍ୱାସନା ଦେଇଛନ୍ତି ଯେ ଭାରତୀୟ ବଜାରରେ କୌଣସି ବିଦେଶୀ ଉତ୍ପାଦର ହଠାତ୍ କିମ୍ବା ଅଚାନକ ପ୍ରବେଶ ହେବ ନାହିଁ। କୌଣସି ବଜାର ଅଂଶକୁ ଏପରି ଭାବରେ ଖୋଲାଯାଇନାହିଁ ଯାହା ଭାରତୀୟ ଚାଷୀମାନଙ୍କୁ କ୍ଷତି ପହଞ୍ଚାଇପାରେ। ସମସ୍ତ ପ୍ରମୁଖ ଫସଲ, ଖାଦ୍ୟଶସ୍ୟ, ଫଳ ଏବଂ ଦୁଗ୍ଧଜାତ ଦ୍ରବ୍ୟ ସୁରକ୍ଷିତ ରହିଛି। ଆମେରିକୀୟ କୃଷି ଉତ୍ପାଦ ପାଇଁ ଅଧିକ ବଜାର ସୁବିଧା ସମ୍ପର୍କରେ ଆମେରିକାର ଅର୍ଥ ସଚିବଙ୍କ ଏକ ସାମ୍ପ୍ରତିକ ଟ୍ୱିଟକୁ ନେଇ ସୃଷ୍ଟି ହୋଇଥିବା ଦ୍ୱନ୍ଦ୍ୱ ଉପରେ ଶ୍ରୀ ଚୌହାନ କହିଛନ୍ତି ଯେ ବାଣିଜ୍ୟ ମନ୍ତ୍ରୀ ଶ୍ରୀ ପୀୟୁଷ ଗୋୟଲ ସଂସଦରେ ସବୁ ତଥ୍ୟ ସ୍ପଷ୍ଟ କରିସାରିଛନ୍ତି। ଭାରତ ଘରୋଇ ଚାଷୀଙ୍କ ଉପରେ ଚାପ ପକାଇବା ପାଇଁ କୌଣସି ପ୍ରକାରରେ ନିଜ ବଜାର ଖୋଲିନାହିଁ ଏବଂ ପ୍ରମୁଖ କୃଷି ସାମଗ୍ରୀ ପାଇଁ ସୁରକ୍ଷା ଅକ୍ଷୁର୍ଣ୍ଣ ରହିଛି ବୋଲି ସେ ପୁଣିଥରେ ଦୋହରାଇଛନ୍ତି ।
ଚାଉଳ, ମସଲା ଏବଂ ବୟନ ରପ୍ତାନିକୁ ମିଳିବ ପ୍ରୋତ୍ସାହନ
ଏହି ଚୁକ୍ତିନାମା ଦ୍ୱାରା ଉନ୍ମୁକ୍ତ ହେବାକୁ ଥିବା ରପ୍ତାନି ସମ୍ଭାବନା ଉପରେ ଆଲୋକପାତ କରି ଶ୍ରୀ ଚୌହାନ କହିଛନ୍ତି, ଭାରତ ପୂର୍ବରୁ ଆମେରିକା ସମେତ ଅନେକ ଦେଶକୁ ଚାଉଳ ରପ୍ତାନି କରୁଛି ଏବଂ ସମ୍ପ୍ରତି ପ୍ରାୟ 63,000 କୋଟି ଟଙ୍କାର ରପ୍ତାନି ରେକର୍ଡ ହାସଲ କରିଛି। ଶୁଳ୍କ ହ୍ରାସ ଦ୍ୱାରା ଭାରତର ଚାଉଳ, ମସଲା ଏବଂ ବୟନଶିଳ୍ପ ରପ୍ତାନିକୁ ସିଧାସଳଖ ଲାଭ ମିଳିବ ଏବଂ ବୟନ ଉତ୍ପାଦ ରପ୍ତାନିରେ ବୃଦ୍ଧି ଲକ୍ଷ ଲକ୍ଷ କପା ଚାଷୀଙ୍କୁ ମଧ୍ୟ ସାହାଯ୍ୟ କରିବ। ଏହି ଚୁକ୍ତି ସ୍ପଷ୍ଟ ଭାବରେ ଭାରତୀୟ ଚାଷୀଙ୍କ ହିତରେ ରହିଛି ଏବଂ ବିରୋଧୀଙ୍କ ଦ୍ୱାରା ଭୁଲ ସୂଚନା ପ୍ରସାରିତ ହେବା ସତ୍ତ୍ୱେ ନୂତନ ରପ୍ତାନି ପଥ ଖୋଲିବ ବୋଲି କେନ୍ଦ୍ର ମନ୍ତ୍ରୀ ଦୃଢ଼ତାର ସହ କହିଛନ୍ତି ।
ସରକାର ସଂସଦରେ ବାଣିଜ୍ୟ ଚୁକ୍ତି ସମ୍ପର୍କରେ ବିସ୍ତୃତ ବିବରଣୀ ଦିଅନ୍ତୁ ବୋଲି ବିରୋଧୀଙ୍କ ଦାବି ବିଷୟରେ ପଚରାଯିବାରୁ, ମନ୍ତ୍ରୀ ପୁନର୍ବାର କହିଛନ୍ତି, ଚୁକ୍ତିର ସମସ୍ତ ବିବରଣୀ ଯଥାସମ୍ଭବ ସୂଚିତ କରାଯିବ । ମୂଳ ନୀତି ସ୍ପଷ୍ଟ ଏବଂ ଅପରିବର୍ତ୍ତିତ ରହିଛି: ଭାରତୀୟ କୃଷକମାନଙ୍କ ସ୍ୱାର୍ଥ ସମ୍ପୂର୍ଣ୍ଣ ସୁରକ୍ଷିତ ବୋଲି ସେ ଦୃଢ଼ତାର ସହ କହିଛନ୍ତି ।
‘‘ଚାଷୀମାନେ ହେଉଛନ୍ତି ଅନ୍ନଦାତା: ସେମାନଙ୍କ ସେବା କରିବା ଭଗବାନଙ୍କ ପୂଜା ସହ ସମାନ’’
ଶ୍ରୀ ଚୌହାନ ଜୋର ଦେଇ କହିଛନ୍ତି, କୃଷି କ୍ଷେତ୍ରର ବ୍ୟାପକତା ଦୃଷ୍ଟିରୁ ଚାଷୀମାନଙ୍କ ମଧ୍ୟରେ ଦ୍ୱନ୍ଦ୍ୱ ଏବଂ ଭୟ ସୃଷ୍ଟିକୁ ରୋକିବା ଲାଗି ସେମାନଙ୍କ ସହିତ ସ୍ପଷ୍ଟ ଭାବେ ଆଲୋଚନା କରିବାର ଆବଶ୍ୟକତା ରହିଛି । ସେ କହିଥିଲେ, ‘‘କୃଷକମାନେ ଆମର ଅନ୍ନଦାତା, ଜୀବନଦାତା। ସେମାନଙ୍କର କଲ୍ୟାଣ ହେଉଛି ଦେଶର କଲ୍ୟାଣ, ଏବଂ ସେମାନଙ୍କର ସ୍ୱାର୍ଥ ସମ୍ପୂର୍ଣ୍ଣ ସୁରକ୍ଷିତ।’’ ଭାବପ୍ରବଣତାପୂର୍ଣ୍ଣ ସ୍ୱରରେ କୃଷି ମନ୍ତ୍ରୀ କହିଛନ୍ତି, ଚାଷୀମାନଙ୍କର ସେବା କରିବା ଭଗବାନଙ୍କ ପୂଜା କରିବା ସହ ସମାନ ଏବଂ ମୋଦୀ ସରକାର ପ୍ରତ୍ୟେକ ପରିସ୍ଥିତିରେ ଚାଷୀମାନଙ୍କ ସହିତ ଦୃଢ଼ ଭାବେ ଛିଡ଼ା ହୋଇ ରହିବେ।
******
PS
(ରିଲିଜ ଆଡି: 2224185)
ପରିଦର୍ଶକ କାଉଣ୍ଟର : 8