ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଏବିପି ନେଟୱାର୍କ ପକ୍ଷରୁ ଆୟୋଜିତ ‘ଇଣ୍ଡିଆଅ୨୦୪୭’ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କ ପ୍ରଦତ୍ତ ଭାଷଣ
प्रविष्टि तिथि:
06 MAY 2025 10:56PM by PIB Bhubaneshwar
ନମସ୍କାର ।
ଆଜି ସକାଳଠାରୁ ଭାରତ ମଣ୍ଡପମର ଏହି ମଞ୍ଚ ଏକ ଜୀବନ୍ତ ମଞ୍ଚରେ ପରିଣତ ହୋଇଉଠିଛି । ମୁଁ କେବଳ କେଇ ମିନିଟ ସକାଶେ ଆପଣମାନଙ୍କ ବିଭିନ୍ନ ଗୋଷ୍ଠୀଙ୍କୁ ଭେଟିବାର ସୁଯୋଗ ଲାଭ କରିଛି । ଏଭଳି ଶିଖର ସମ୍ମିଳନୀମାନ ବିବିଧତାରେ ଭରପୂର ହୋଇଥାଏ । ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଏହି ଶିଖର ସମ୍ମିଳନୀରେ ମର୍ଯ୍ୟାଦା ଯୋଡ଼ିଛନ୍ତି । ମୁଁ ଦୃଢ଼ ନିଶ୍ଚିତ ଯେ ଆପଣମାନଙ୍କ ସମସ୍ତଙ୍କର ଏହି କ୍ଷେତ୍ରରେ ଅନେକ ଭଲ ଭଲ ଅଭିଜ୍ଞତା ରହିଛି । ଏହି ଶିଖର ସମ୍ମିଳନୀରେ ଅଧିକ ସଂଖ୍ୟକ ଯୁବକ ଓ ମହିଳାଙ୍କ ଉପସ୍ଥିତି ସମ୍ଭବତଃ ଏହାର ଅନ୍ୟ ଏକ ବିଶେଷତା ବୋଲି ବିବେଚନା କରାଯାଇପାରେ । ବିଶେଷ କରି ଆମର ଡ୍ରୋନ୍ ଭଉଣୀ ଏବଂ କୋଟିପତି ଭଉଣୀମାନଙ୍କର ଅନୁଭୂତି, ଯେତେବେଳେ ମୁଁ ଏହିସବୁ ଆଙ୍କରମାନଙ୍କୁ ଭେଟିଲି, ସେମାନେ ନିଜ ନିଜର ଅନୁଭୂତିକୁ ଖୁବ୍ ଉତ୍ସାହର ସହିତ ବାଣ୍ଟୁଥିବାର ଲକ୍ଷ୍ୟ କଲି, ସେତେବେଳେ ସେମାନଙ୍କର ପ୍ରତେକ ସ୍ମୃତିକୁ ସେମାନେ ମନେ ପକାଇ ତାହା ବ୍ୟକ୍ତ କରୁଥିବା ଦେଖିପାରିଲି । ଅନ୍ୟ ଭାଷାରେ କହିଲେ ଏହା ସମସ୍ତଙ୍କ ପାଇଁ ଏକ ପ୍ରେରଣାଦାୟୀ ଅବସର ।
ବନ୍ଧୁଗଣ,
ଏହି ଆୟୋଜନ ଏକ ପରିବର୍ତ୍ତନଶୀଳ ଭାରତର ପ୍ରତିଫଳନ ଯାହା ପ୍ରତ୍ୟେକ କ୍ଷେତ୍ରରେ ଏବେ ନିଜର ସ୍ୱରକୁ ବ୍ୟକ୍ତ କରିପାରୁଛି । ଏହି ପରିବର୍ତ୍ତିତ ଭାରତର ସବୁଠାରୁ ବଡ଼ ସ୍ୱପ୍ନ ହେଉଛି – ୨୦୪୭ ମସିହା ସୁଦ୍ଧା ଭାରତକୁ ଏକ ବିକଶିତ ରାଷ୍ଟ୍ରରେ ପରିଣତ କରିବା । ଦେଶ ନିକଟରେ ଏଭଳି ସାମର୍ଥ୍ୟ ରହିଛି, ଦେଶ ନିକଟରେ ସମ୍ବଳ ଅଛି ଏବଂ ଦେଶ ନିକଟରେ ଦୃଢ଼ ଇଚ୍ଛାଶକ୍ତି ମଧ୍ୟ ମହଜୁଦ ରହିଛି । ସ୍ୱାମୀ ବିବେକାନନ୍ଦ କହୁଥିଲେ- ଉଠ, ଜାଗ୍ରତ ହୁଅ, ଯେ ପର୍ଯ୍ୟନ୍ତ ତୁମର ଲକ୍ଷ୍ୟ ସାଧିତ ନହୋଇଛି, ସେ ପର୍ଯ୍ୟନ୍ତ ତୁମେ କେଉଁଠାରେ ଅଟକିଯାଅ ନାହିଁ । ଆଜି ମୁଁ ଦେଶର ପ୍ରତ୍ୟେକ ନାଗରିକଙ୍କ ଠାରେ ଏହିଭଳି ଭାବନା ଲକ୍ଷ୍ୟ କରିପାରୁଛି । ବିକଶିତ ଭାରତର ଲକ୍ଷ ହାସଲ କରିବାରେ ଏପରି ବିଚାରବିମର୍ଷ, ଏଭଳି ଆଲୋଚନା ଏବଂ ଏଥିରେ ଯୁବଗୋଷ୍ଠୀଙ୍କ ସକ୍ରିୟ ଅଂଶଗ୍ରହଣ ମଧ୍ୟ ବିରାଟ ଭୂମିକା ଗ୍ରହଣ କରିଥାଏ । ଆପଣମାନେ ଏଭଳି ଏକ ଚମତ୍କାର ଶିଖର ସମ୍ମିଳନୀର ଆୟୋଜନ କରିଛନ୍ତି ଏବଂ ଏଥିପାଇଁ ମୁଁ ମୋର ବନ୍ଧୁ ଅତିଦେବ ସରକାରଜୀ, ମୋର ପୁରୁଣା ସହକର୍ମୀ ରଜନୀଶ ଏବଂ ଏ.ବି.ପି. ନେଟୱାର୍କର ସମଗ୍ର ଟିମକୁ ଅଭିନନ୍ଦନ ଜଣାଉଛି ।
ବନ୍ଧୁଗଣ,
ଆଜି ଭାରତ ପାଇଁ ଏକ ଐତିହାସିକ ଦିବସ । ଏଠାକୁ ଆସିବା ପୂର୍ବରୁ ମୁଁ ବ୍ରିଟେନର ପ୍ରଧାନମନ୍ତ୍ରୀଙ୍କ ସହିତ ଆଲୋଚନା କରୁଥିଲି ଏବଂ ଭାରତ- ବ୍ରିଟେନ ମୁକ୍ତ ବାଣିଜ୍ୟ ଚୁକ୍ତନାମା ଏବେ ଚୂଡ଼ାନ୍ତ ହୋଇଛି ବୋଲି ଆପଣମାନଙ୍କୁ ଜଣାଇ ମୁଁ ଖୁସି ଅନୁଭବ କରୁଛି । ବିଶ୍ୱର ଦୁଇ ବୃହତ୍ତମ ଏବଂ ମୁକ୍ତ ବଜାର ଅର୍ଥବ୍ୟବସ୍ଥା ମଧ୍ୟରେ ପାରସ୍ପରିକ ବାଣିଜ୍ୟ ଏବଂ ଅର୍ଥନୈତିକ ସହଯୋଗର ଏହି ରାଜିନାମା ଉଭୟ ରାଷ୍ଟ୍ର ନିମନ୍ତେ ବିକାଶର ଏକ ନୂତନ ଅଧ୍ୟାୟ ସଂଯୋଗ କରିବ । ଯୁବ ବର୍ଗଙ୍କ ନିମନ୍ତେ ଏହା ଏକ ଅତ୍ୟନ୍ତ ଖୁସିର ଖବର । ଏହା ଭାରତରେ ଅର୍ଥନୈତିକ କାର୍ଯ୍ୟକଳାକୁ ମଧ୍ୟ ପ୍ରୋତ୍ସାହନ ଯୋଗାଇବ ଏବଂ ଭାରତୀୟ ବ୍ୟବସାୟ ଏବଂ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (ଏମ.ଏସ.ଏମ.ଇ.) ନିମନ୍ତେ ନୂଆ ନୂଆ ସୁଯୋଗମାନ ଉନ୍ମୁକ୍ତ କରିବ । ଆପଣମାନେ ନିଶ୍ଚୟ ଅବଗତ ଅଛନ୍ତି ଯେ କିଛି ଦିନ ପୂର୍ବରୁ ଆମେ ସଂଯୁକ୍ତ ଆରବ ଏମିରେଟ୍ସ, ଅଷ୍ଟ୍ରେଲିଆ ଏବଂ ମରିସସ ସହିତ ବାଣିଜ୍ୟ ଚୁକ୍ତିନାମାମାନ ସ୍ୱାକ୍ଷର କରିଛୁ । ଅର୍ଥାତ, ଭାରତ ଆଜି କେବଳ ସଂସ୍କାର କ୍ଷେତ୍ରରେ ନୁହେଁ ବରଂ ବିଶ୍ୱ ସହିତ ସକ୍ରିୟ ଭାବରେ ଜଡ଼ିତ ହୋଇ ନିଜକୁ ଏକ ଜୀବନ୍ତ ବାଣିଜ୍ୟ ଏବଂ ବାଣିଜ୍ୟ କେନ୍ଦ୍ର ଭାବରେ ପରିଣତ କରିଚାଲିଛି ।
ବନ୍ଧୁଗଣ,
ଏଭଳି ବିରାଟ ନିଷ୍ପତ୍ତି ଗ୍ରହଣ କରିବାକୁ ହେଲେ ପ୍ରଥମେ ଲକ୍ଷ୍ୟ ହାସଲ ନିମନ୍ତେ ଦେଶର ସ୍ୱାର୍ଥକୁ ସର୍ବୋପରି ରଖିବାକୁ ହେବ, ଦେଶର ସାମର୍ଥ୍ୟ ଉପରେ ବିଶ୍ୱାସ ସ୍ଥାପନ କରିବା ମଧ୍ୟ ବାଛନୀୟ । କିନ୍ତୁ ଦୁର୍ଭାଗ୍ୟବଶତଃ ଦଶନ୍ଧି ଦଶନ୍ଧି ଧରି ଦେଶରେ ଏକ ପ୍ରତିକୂଳ ସ୍ରୋତ ପ୍ରବାହିତ ହୋଇଚାଲିଥିଲା ଏବଂ ସେଥିରେ ଦେଶକୁ ଢେର୍ କ୍ଷତି ସହ୍ୟ କରିବାକୁ ପଡ଼ିଥିଲା । ଏଭଳି ଏକ ସମୟ ଥିଲା ଯେତେବେଳେ କୌଣସି ଗୋଟିଏ ବଡ଼ ନିଷ୍ପତ୍ତି ନେବା ପୂର୍ବରୁ କୌଣସି ବିରାଟ ପଦକ୍ଷେପ ଗ୍ରହଣ ଆଗରୁ ଚିନ୍ତା କରାଯାଉଥିଲା ଯେ ବିଶ୍ୱ କ'ଣ ଭାବିବ, ଆମେ ଭୋଟ୍ ପାଇବା କି ନାହିଁ, ଆମର କୁର୍ସି ବଞ୍ଚି ରହିବ ତ, ଭୋଟ୍ ବ୍ୟାଙ୍କ ଠାରୁ ଏହା ଫଳରେ ଆମେ ବିଚ୍ଛିନ୍ନ ହୋଇଯିବା ନାହିଁ ତ । ଏଭଳି ବିଭିନ୍ନ ସ୍ୱାର୍ଥ ନିମନ୍ତେ ବଡ଼ ବଡ଼ ନିଷ୍ପତ୍ତିମାନ ଏବଂ ବଡ଼ ବଡ଼ ସଂସ୍କାର କାର୍ଯ୍ୟକ୍ରମମାନଙ୍କୁ ସ୍ଥଗିତ କରି ରଖାଯାଉଥିଲା ।
ବନ୍ଧୁଗଣ,
ଯଦି ଏଭଳି ଚିନ୍ତା କରାଯିବ ତେବେ କୌଣସି ରାଷ୍ଟ୍ର ପ୍ରଗତି ପଥରେ ଆଗକୁ ଅଗ୍ରସର ହୋଇପାରିବନାହିଁ । ଦେଶ ସେତିକିବେଳେ ଆଗକୁ ବଢ଼ିଥାଏ, ଯେତେବେଳେ ନିଷ୍ପତ୍ତି ଗ୍ରହଣ କରିବାର ଏକମାତ୍ର ମାପଦଣ୍ଡ ହେଉଛି ରାଷ୍ଟ୍ର ସର୍ବୋପରି – ନେସନ୍ ଫାଷ୍ଟ୍ । ବିଗତ ଦଶନ୍ଧିରେ ଭାରତ ଏହି ନୀତି ହିଁ ଅନୁସରଣ କରିଆସିଛି । ଏବଂ ଆଜି ଆମେ ଏହାର ସୁଫଳ ନିଜ ଆଖିରେ ଦେଖୁଛି ।
ବନ୍ଧୁଗଣ,
ଗତ ୧୦- ୧୧ ବର୍ଷ ମଧ୍ୟରେ ଆମ ସରକାର ଗୋଟିଏ ପରେ ଗୋଟିଏ ବଡ଼ ନିଷ୍ପତ୍ତି ଗ୍ରହଣ କରିଚାଲିଛନ୍ତି, ଯାହା ଦୀର୍ଘ ଦଶନ୍ଧି ଧରି ଝୁଲି ରହିଥିଲା, ଅଟକି ରହିଥିଲା ଏବଂ ରାଜନୈତିକ ଇଚ୍ଛାଶକ୍ତି ଅଭାବରୁ ତାହା ବାକ୍ସ ଭିତରେ ବନ୍ଦ୍ ଅବସ୍ଥାରେ ପଡ଼ି ରହିଥିଲା । ଏହାର ଏକ ଉଦାହରଣ ଭାବରେ, ଆମର ବ୍ୟାଙ୍କିଙ୍ଗ୍ କ୍ଷେତ୍ରକୁ ଗ୍ରହଣ କରାଯାଇପାରେ – ବ୍ୟାଙ୍କିଙ୍ଗ୍ କ୍ଷେତ୍ରକୁ ଦେଶର ମେରୁଦଣ୍ଡ ବୋଲି ବିବେଚନା କରାଯାଇପାରେ । ପୂର୍ବରୁ ଏଭଳି କୌଣସି ସମ୍ମିଳନୀର ଆୟୋଜନ କରାଯାଇ ନଥିଲା, ଯାହା ବ୍ୟାଙ୍କଗୁଡ଼ିକର କ୍ଷତି ବିଷୟରେ ନ ସୂଚାଇ ସମ୍ପୂର୍ଣ୍ଣ ହୋଇଥିବ । ପ୍ରକୃତ ପକ୍ଷେ ୨୦୧୪ ମସିହା ପୂର୍ବରୁ ଆମ ଦେଶରେ ବ୍ୟାଙ୍କଗୁଡ଼ିକ ସମ୍ପୂର୍ଣ୍ଣ ଭାବରେ ଡୁବିବା ଅବସ୍ଥାରେ ରହିଥିଲେ । ଏବେ କିନ୍ତୁ ସ୍ଥିତି କେଉଁ ଅବସ୍ଥାକୁ ଆସିଛି ତାହା ଆପଣମାନଙ୍କୁ ଉତ୍ତମ ରୂପେ ଜଣା । ଆଜି ଭାରତର ବ୍ୟାଙ୍କିଙ୍ଗ୍ କ୍ଷେତ୍ର ବିଶ୍ୱର ସବୁଠାରୁ ଶକ୍ତିଶାଳୀ ବ୍ୟବସ୍ଥାରେ ପରିଣତ ହୋଇଛି । ଆମର ବ୍ୟାଙ୍କଗୁଡ଼ିକ ରେକର୍ଡ ପରିମାଣର ଲାଭ ଉପାର୍ଜନ କରୁଛନ୍ତି ଏବଂ ଜମାକାରୀମାନେ ମଧ୍ୟ ଏଥିରୁ ଲାଭାନ୍ୱିତ ହୋଇପାରୁଛନ୍ତି । କାରଣ ଆମ ସରକାର ନିରବଚ୍ଛିନ୍ନ ଭାବରେ ବ୍ୟାଙ୍କିଙ୍ଗ୍ କ୍ଷେତ୍ରରେ ସଂସ୍କାର ଘଟାଇଥିଲେ ଏବଂ ରାଷ୍ଟ୍ରର ସ୍ୱାର୍ଥକୁ ଆଗରେ ରଖି କ୍ଷୁଦ୍ର ବ୍ୟାଙ୍କଗୁଡ଼ିକୁ ମିଶ୍ରଣ ଘଟାଇଥିଲେ ଯାହା ଫଳରେ ସେମାନଙ୍କ କ୍ଷମତା ବୃଦ୍ଧି ପାଇଥିଲା । ଏୟାର ଇଣ୍ଡିଆର ପୂର୍ବ ଅବସ୍ଥା ତ ଆପଣମାନଙ୍କୁ ଉତ୍ତମ ରୂପେ ଜଣାଥିବ । ତଥାପି ପୂର୍ବର ସରକାର ଏହା ସମ୍ପର୍କରେ କୌଣସି ନିଷ୍ପତ୍ତି ନେବାକୁ ସାହସ ଜୁଟାଉ ନଥିଲେ, ଭୟ କରୁଥିଲେ । ଆମେ କିନ୍ତୁ ଏଥିପାଇଁ ନିଷ୍ପତ୍ତି ନେଇଛୁ ଏବଂ କ୍ରମାଗତ ଭାବେ କ୍ଷତି ସହ୍ୟ କରୁଥିବା ଏୟାର ଇଣ୍ଡିଆକୁ ରକ୍ଷା କରିଛୁ । ଏହା ଦେଶର ହିତ ପାଇଁ କରାଯାଇଛି । କାରଣ ଆମ ପାଇଁ ଦେଶର ସ୍ୱାର୍ଥ ସବୁଠାରୁ ବଳି ଗୁରୁତ୍ୱପୂର୍ଣ୍ଣ ।
ବନ୍ଧୁଗଣ,
ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଏକଥା ସ୍ୱୀକାର କରିଥିଲେ ଯେ ଯଦି ସରକାର ଗରିବଙ୍କ କଲ୍ୟାଣ ନିମନ୍ତେ ଗୋଟିଏ ଟଙ୍କା ପଠାନ୍ତି, ତେବେ ସେଥିରୁ ୮୫ ପଇସା ଲୁଟ୍ ହୋଇଯାଏ । ସରକାର ବଦଳୁଛନ୍ତି, ବର୍ଷ ବର୍ଷ ବିତିଚାଲିଛି, କିନ୍ତୁ ଗରିବମାନେ ଯେଉଁ ଅବସ୍ଥାରେ ଥିଲେ ସେହି ଅବସ୍ଥାରେ ଅଛନ୍ତି, ସେମାନଙ୍କ ସ୍ଥିତିରେ ପରିବର୍ତ୍ତନ ଘଟିନାହିଁ । ସେମାନଙ୍କୁ ସମ୍ପୂର୍ଣ୍ଣ ଅଧିକାର ପ୍ରଦାନ ଦିଗରେ କୌଣସି ଦୃଢ଼ ପଦକ୍ଷେପ ଗ୍ରହଣ କରାଯାଇ ନଥିଲା । ଗରିବ ଲୋକଙ୍କୁ ଯଦି ସେମାନଙ୍କ କଲ୍ୟାଣ ପାଇଁ ଉଦ୍ଦିଷ୍ଟ ଅର୍ଥ ମିଳେ, ତେବେ ଦିଲ୍ଲୀରୁ ଗୋଟିଏ ଟଙ୍କା ଯଦି ବାହାରେ, ତା'ହେଲେ ବର୍ତ୍ତମାନ ତାହା ୧୦୦ ପଇସା ହୋଇ ସେମାନଙ୍କ ନିକଟରେ ପହଞ୍ଚିବ । ଏଥିପାଇଁ ଆମେ ପ୍ରତ୍ୟକ୍ଷ ସୁବିଧା ହସ୍ତାନ୍ତରଣ (ଡାଇରେକ୍ଟ ବେନିଫିଟ୍ ଟ୍ରାନ୍ସଫର) ଯୋଜନା ପ୍ରବର୍ତ୍ତନ କରିଛୁ । ଏହା ଫଳରେ ସରକାରୀ ଯୋଜନାର ଲିକେଜ୍ ସମ୍ପୂର୍ଣ୍ଣ ରୂପେ ବନ୍ଦ୍ ହୋଇପାରିଛି ଏବଂ ହିତାଧିକାରୀମାନଙ୍କ ନିକଟରେ ସିଧାସଳଖ ଭାବରେ ଫାଇଦା ପହଞ୍ଚି ପାରୁଛି । ସରକାରୀ ଫାଇଲରେ ପୂର୍ବରୁ ଯେଉଁ ୧୦ କୋଟି ନକଲି ହିତାଧିକାରୀ ଥିଲେ , ଆପଣମାନେ ବୁଝି ପାରୁଥିବେ, ଯେଉଁ ୧୦ କୋଟି ନକଲି ହିତାଧିକାରୀ କେବେ ଜନ୍ମ ସୁଦ୍ଧା ହୋଇନାହାନ୍ତି, ସେମାନଙ୍କୁ ଉଚ୍ଛେଦ କରାଯାଇଛି । ଏହି ନକଲି ହିତାଧିକାରୀମାନେ ବେଶ୍ ଆନନ୍ଦରେ ସମସ୍ତ ସରକାରୀ ସୁବିଧା ଉପଭୋଗ କରିଚାଲିଥିଲେ । ଅତୀତରେ ୧୦୦ ନିୟୁତ ଲୋକ ଏହି ବ୍ୟବସ୍ଥାର ହିତଧାରକ ସାଜିଥିଲେ । ଆମ ସରକାର ଏହି ୧୦ କୋଟି ନକଲି ନାମକୁ ବ୍ୟବସ୍ଥାରୁ ହଟାଇ ଡି.ବି.ଟି. ଜରିଆରେ ଗରିବଙ୍କ ବ୍ୟାଙ୍କ୍ ଜମାଖାତାକୁ ସିଧାସଳଖ ଭାବରେ ଟଙ୍କା ପ୍ରେରଣ କରୁଛନ୍ତି । ଏହା ଫଳରେ ସାଢ଼େ ୩ ଲକ୍ଷ କୋଟିରୁ ଅଧିକ ଟଙ୍କା ଏବଂ ୩.୫ ଲକ୍ଷ କୋଟିରୁ ଅଧିକ ଟଙ୍କା ଭୁଲ ହାତକୁ ଯିବାରୁ ବଞ୍ଚିପାରିଛି । ଅର୍ଥାତ୍, ଆପଣମାନଙ୍କ ଅର୍ଥକୁ ସଞ୍ଚୟ କରାଯାଇପାରିଛି । ଅର୍ଥ ହିଁ ଆପଣମାନଙ୍କର ସଞ୍ଚୟ, କିନ୍ତୁ ସେଥିପାଇଁ ମୋଦୀକୁ ପ୍ରଚୁର ଗାଳିଗୁଲଜ ସହ୍ୟ କରିବାକୁ ପଡ଼ିଛି ।
ବନ୍ଧୁଗଣ,
ୱାନ ରାଙ୍କ, ୱାନ ପେନସନ ପ୍ରସଙ୍ଗକୁ ଦେଖନ୍ତୁ । ଏହା ଦୀର୍ଘ ଦଶନ୍ଧି ଧରି ସେମିତି ଅସମାହିତ ଓ ଅନିଶ୍ଚିତ ଅବସ୍ଥାରେ ରହିଆସିଥିଲା । ପୂର୍ବରୁ ଏହା ରାଜ୍ୟ ରାଜକୋଷ ଉପରେ ବୋଝ ପକାଇବ ବୋଲି ଦର୍ଶାଇ ଏହାକୁ ପ୍ରତ୍ୟାଖ୍ୟାନ କରାଯାଇ ଆସୁଥିଲା । ଦେଶକୁ ରକ୍ଷା କରିବା ନିମନ୍ତେ ଯେଉଁମାନେ ନିଜର ପ୍ରାଣବଳି ଦେଇଛନ୍ତି ସେମାନଙ୍କ ସ୍ୱାର୍ଥ ପ୍ରତି ଆମ ସରକାର ପ୍ରାଧାନ୍ୟ ଦେଇଛନ୍ତି । ଆଜି ଲକ୍ଷ ଲକ୍ଷ ସୈନିକ ପରିବାର ୱାନ ରାଙ୍କ, ୱାନ ପେନସନ ଯୋଜନାରୁ ଉପକୃତ ହୋଇପାରିଛନ୍ତି । ବର୍ତ୍ତମାନ ସୁଦ୍ଧା ଆମ ସରକାର ପୂର୍ବତନ ସୈନିକମାନଙ୍କୁ ୧.୨୫ ଲକ୍ଷ କୋଟି ଟଙ୍କାରୁ ଅଧିକ ରାଶିର ଓ.ଆର.ଓ.ପି. ପ୍ରଦାନ କରିଛନ୍ତି ।
ବନ୍ଧୁଗଣ,
ଦେଶର ଦରିଦ୍ର ପରିବାରଙ୍କ ନିମନ୍ତେ ସଂରକ୍ଷଣ ବ୍ୟବସ୍ଥାକୁ ନେଇ ଦୀର୍ଘ ଦଶନ୍ଧି ଧରି ଆଲୋଚନା ହୋଇଆସୁଛି । ଏହାକୁ କାର୍ଯ୍ୟକାରୀ କରିବା ନିମନ୍ତେ ଆମ ସରକାର ଦୃଢ଼ ସିଦ୍ଧାନ୍ତ ଗ୍ରହଣ କରିଥିଲେ । ଲୋକସଭା ଏବଂ ରାଜ୍ୟସଭାରେ ମହିଳାମାନଙ୍କ ନିମନ୍ତେ ୩୩ ପ୍ରତିଶତ ସଂରକ୍ଷଣ ପ୍ରସଙ୍ଗରେ କ'ଣ ଘଟିଛି ତାହା ମଧ୍ୟ ଦେଶବାସୀ ଦେଖିଛନ୍ତି । ଏହା ପଛରେ କିଛି ଲୋକଙ୍କ ସ୍ୱାର୍ଥପର ମନୋଭାବ ଥିଲା । କିନ୍ତୁ ଜାତୀୟ ସ୍ୱାର୍ଥ ଦୃଷ୍ଟିରୁ ଏହାର ପ୍ରବର୍ତ୍ତନ ଜରୁରି ଥିଲା । ସେଥିପାଇଁ ଆମ ସରକାର ସଂସଦର ଉଭୟ ସଦନରେ ମହିଳାଙ୍କ ନିମନ୍ତେ ସଂରକ୍ଷଣ ପାଇଁ ଆଇନ ପ୍ରଣୟନ କରି ମହିଳା ଶକ୍ତିକୁ ଅଧିକ ସଶକ୍ତ କରିଛନ୍ତି ।
ବନ୍ଧୁଗଣ,
ଅତୀତରେ ଏପରି ଅନେକ ପ୍ରସଙ୍ଗ ରହି ଯାହା ଉପରେ କେହି ସୁଦ୍ଧା ଆଲୋଚନା କରିବାକୁ ପ୍ରସ୍ତୁତ ନଥିଲେ । ଭୋଟ ବ୍ୟାଙ୍କ କାଳେ ଖପ୍ପା ହେବ ବୋଲି ଆଶଙ୍କା ଉପୁଜୁଥିଲା । ଠିକ୍ ତିନି ତଲାକ ମାମଲା ଭଳି । ପରିଣାମତଃ, ଅଗଣିତ ମୁସଲମାନ ଭଉଣୀଙ୍କ ଜୀବନ ନଷ୍ଟ ହୋଇଯାଉଥିଲା । କିନ୍ତୁ କ୍ଷମତାରେ ଥିବା ଲୋକମାନଙ୍କ ନିମନ୍ତେ ତାହା କିଛି ଫରକ ପକାଉ ନଥିଲା । ମହିଳାଙ୍କ ସ୍ୱାର୍ଥ ରକ୍ଷା ନିମନ୍ତେ, ମୁସଲମାନ ପରିବାରର ସ୍ୱାର୍ଥ ଦୃଷ୍ଟିରୁ ଆମ ସରକାର ତିନି ତଲାକ ବିରୁଦ୍ଧରେ ଆଇନ ପ୍ରଣୟନ କରିଥିଲେ । ୱାକଫ୍ ଆଇନରେ ଆବଶ୍ୟକ ସଂସ୍କାର ଅଣାଯିବାର ଆବଶ୍ୟକତା ମଧ୍ୟ ଦୀର୍ଘ ଦଶନ୍ଧି ଧରି ଅନୁଭୂତ ହୋଇ ଆସୁଥିଲା । କିନ୍ତୁ ଭୋଟ ବ୍ୟାଙ୍କକୁ ତୁଷ୍ଟ କରିବା ନିମନ୍ତେ ଏହି ମହତ୍ କାର୍ଯ୍ୟକୁ ମଧ୍ୟ ବଦନାମ କରାଯାଇଥିଲା । ବର୍ତ୍ତମାନ ୱାକଫ ଆଇନରେ ଏଭଳି ସଂଶୋଧନ ଘଟାଯାଇଛି, ଯାହା ବାସ୍ତବ ପକ୍ଷେ ମୁସଲମାନ ମା' ଭଉଣୀ, ଗରିବ ମୁସଲମାନମାନଙ୍କୁ ସହାୟକ ହେବ ।
ବନ୍ଧୁଗଣ,
ଆଉ ଗୋଟିଏ ମହାନ୍ ପ୍ରସଙ୍ଗ ରହିଛି ଯାହା ଉପରେ ବିଶେଷ ଆଲୋଚନା କରାଯାଉନାହିଁ । ତାହା ହେଉଛି ନଦୀ ସଂଯୋଗୀକରଣ- ଦେଶର ନଦୀଗୁଡ଼ିକୁ ପରସ୍ପର ସହିତ ସଂଯୋଗ କରିବା । ଜଳ ପ୍ରସଙ୍ଗରେ ଅତିଦେବଜୀ ପଚାରିଛନ୍ତ, 'ତୁମେ କ'ଣ କରିବ?' ଦଶନ୍ଧି ଦଶନ୍ଧି ଧରି ଆମର ନଦୀମାନଙ୍କର ଜଳକୁ ଉତ୍ତେଜନା ଏବଂ ସଂଘର୍ଷର ପ୍ରସଙ୍ଗ କରାଯାଇ ଆସିଛି । କିନ୍ତୁ ଆମ ସରକାର ରାଜ୍ୟ ସରକାରଙ୍କ ସହିତ ମିଶି ନଦୀଗୁଡ଼ିକୁ ସଂଯୋଗ କରିବା ନିମନ୍ତେ ଏକ ବିରାଟ ଅଭିଯାନ ଆରମ୍ଭ କରିଛନ୍ତି । କେନ- ବେତୱା ସଂଯୋଗୀକରଣ ପ୍ରକଳ୍ପ, ପାର୍ବତୀ- କାଲିସିନ୍ଧ- ଚମ୍ବଲ ନଦୀ ସଂଯୋଗୀକରଣ ପ୍ରକଳ୍ପ – ଏହା ଫଳରେ ଲକ୍ଷ ଲକ୍ଷ କୃଷକ ଉପକୃତ ହୋଇପାରିବେ । ସମ୍ପ୍ରତି ନଦୀଜଳକୁ ନେଇ ଗଣମାଧ୍ୟମମାନଙ୍କରେ ଅନେକ ଚର୍ଚ୍ଚା ହେଉଛି । ଆପଣମାନେ ତାହା ଖୁବ୍ ଶୀଘ୍ର ବୁଝିପାରିବେ । ପୂର୍ବରୁ ମଧ୍ୟ ଭାରତର ନଦୀମାନଙ୍କରେ ସେତିକି ପାଣି ପ୍ରବାହିତ ହେଉଥିଲା, ଏବେ ଭାରତର ଜଳ ଦେଶ ସ୍ୱାର୍ଥରେ ବନ୍ଦ୍ ହେବ ଏବଂ କେବଳ ଭାରତ ପାଇଁ ତାହା ଉପଯୋଗ କରାଯିବ ।
ବନ୍ଧୁଗଣ,
ଅନେକ ସମୟରେ ଲୋକମାନେ ବାରମ୍ବାର ଗୋଟିଏ କଥାକୁ ଦୋହରାଇଥାଆନ୍ତି ଯେ ଏତେ ଦଶନ୍ଧି ପରେ ଏକ ସଂସଦ ଭବନ ନିର୍ମାଣ ହେଲା, କିନ୍ତୁ ଗୋଟିଏ ପ୍ରସଙ୍ଗ କଦାପି ଆଲୋଚନା କରାଯାଏନାହିଁ । ତାହା ହେଲା - ଦଶନ୍ଧି ଦଶନ୍ଧିର ପ୍ରତୀକ୍ଷା ପରେ ଆମ ସରକାର ଦିଲ୍ଲୀରେ ଡକ୍ଟର ବାବା ସାହେବ ଆମ୍ବେଦକର ଜାତୀୟ ସ୍ମାରକୀ ମଧ୍ୟ ନିର୍ମାଣ କରିଛନ୍ତି । ଅଟଳଜୀଙ୍କ ସରକାର କ୍ଷମତାରେ ଥିବାବେଳେ ଏହାର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା । କିନ୍ତୁ ଏହାର ନିର୍ମାଣ କାର୍ଯ୍ୟ ମଧ୍ୟ ଏକ ଦଶନ୍ଧି ଧରି ବିଳମ୍ବିତ ହୋଇଥିଲା । ଆମ ସରକାର କେବଳ ଏହାକୁ ସମ୍ପୂର୍ଣ୍ଣ କରିନାହାନ୍ତି ବରଂ ଦେଶ ତଥା ବିଶ୍ୱରେ ବାବା ସାହେବଙ୍କ ସହିତ ଜଡ଼ିତ ପ୍ରମୁଖ ସ୍ଥାନଗୁଡ଼ିକୁ ପଞ୍ଚତୀର୍ଥ ଭାବରେ ବିକାଶ ଘଟାଇଛନ୍ତି ।
ବନ୍ଧୁଗଣ,
୨୦୧୪ ମସିହାରେ ଏଭଳି ଏକ ପରିସ୍ଥିତିରେ କେନ୍ଦ୍ରରେ ଆମ ସରକାର ଗଠିତ ହୋଇଥିଲା ଯେତେବେଳେ ସରକାରଙ୍କ ଉପରେ ଲୋକଙ୍କ ଆସ୍ଥା ପ୍ରାୟତଃ ସମ୍ପୂର୍ଣ୍ଣ ରୂପେ ତୁଟି ସାରିଥିଲା । ଏପରିକି କିଛି ଲୋକ ଏଭଳି ପ୍ରଶ୍ନ ମଧ୍ୟ ଉଠାଇବା ଆରମ୍ଭ କରିଥିଲେ ଯେ ଆମ ଦେଶର ଗଣତନ୍ତ୍ର ଏବଂ ବିକାଶ ଯାତ୍ରା ଏକା ସଙ୍ଗେ ଆଗକୁ ଚାଲି ପାରିବ ତ? କିନ୍ତୁ ଆଜି ଭାରତକୁ ଦେଖିଲେ ଗର୍ବର ସହିତ କୁହାଯାଇପାରେ ଯେ – ‘ଗଣତନ୍ତ୍ର ତାହା ଦେଇପାରିବ ।’ ଗତ ଏକ ଦଶନ୍ଧି ମଧ୍ୟରେ ୨୫ କୋଟି ଲୋକ ଦାରିଦ୍ର୍ୟ ସୀମାରେଖାକୁ ଅତିକ୍ରମ କରିପାରିଛନ୍ତି । ଏହା ସମଗ୍ର ବିଶ୍ୱକୁ ଏହି ବାର୍ତ୍ତା ପ୍ରଦାନ କରିଛି ଯେ ଗଣତନ୍ତ୍ର ସବୁକିଛି ଦେଇପାରିବ । ମୁଦ୍ରା ଯୋଜନାରେ ଋଣ ପାଇଥିବା କୋଟି କୋଟି କ୍ଷୁଦ୍ର ଉଦ୍ୟୋଗୀ ଆଜି ଅନୁଭବ କରନ୍ତି ଯେ ଗଣତନ୍ତ୍ର ତାହା ଅବଶ୍ୟ ପ୍ରଦାନ କରିପାରିବ । ଆମ ଦେଶର ଏକ ଡଜନରୁ ଅଧିକ ଜିଲ୍ଲାକୁ ପଛୁଆ ବୋଲି ଆଖ୍ୟାୟିତ କରାଯାଇଥିଲା ଏବଂ ସେସବୁକୁ ନିଜ ଭାଗ୍ୟ ଉପରେ ହିଁ ଛାଡ଼ି ଦିଆଯାଇଥିଲା । ଆଜି ଯେତେବେଳେ ସେହିସବୁ ଜିଲ୍ଲାଗୁଡ଼ିକ ଆକାଂକ୍ଷୀ ଜିଲ୍ଲା ଭାବରେ ବିକାଶର ମାନଦଣ୍ଡରେ ଉତ୍ତମ ପ୍ରଦର୍ଶନ କରିଚାଲିଛନ୍ତି, ସେତେବେଳେ ଏହା ସ୍ପଷ୍ଟ ହୋଇଛି ଯେ ଗଣତନ୍ତ୍ର ହିଁ ସବୁକିଛି ଦେଇପାରିବ । ଖୁବ୍ କମ ଲୋକ ଏହା ଜାଣିଥିବେ ଯେ ଆମ ଦେଶରେ ଆଦିବାସୀଙ୍କ ମଧ୍ୟରେ ମଧ୍ୟ ସବୁଠାରୁ ପଛୁଆ ଆଦିବାସୀ ଜାତିର ଲୋକ ଅଛନ୍ତି ଯେଉଁମାନେ ବିକାଶର ସୁଫଳ ପାଇ ପାରୁନାହାନ୍ତି । ଆଜି ଯେତେବେଳେ ପ୍ରଧାନମନ୍ତ୍ରୀ ଜନ ମାନ ଯୋଜନା ଜରିଆରେ ଏହି ବର୍ଗର ଲୋକମାନଙ୍କ ନିକଟରେ ସରକାରୀ ସୁବିଧା ପହଞ୍ଚି ପାରୁଛି, ସେମାନଙ୍କର ଆତ୍ମବିଶ୍ୱାସ ମଧ୍ୟ ବୃଦ୍ଧି ପାଇଛି – ଗଣତନ୍ତ୍ର ହିଁ ସେମାନଙ୍କୁ ସୁଖ ସମୃଦ୍ଧି ଦେଇପାରିବ । ଦେଶର ବିକାଶ, ଦେଶର ସମ୍ବଳ, ବିନା ଭେଦଭାବରେ ସମାଜର ଶେଷ ଧାଡ଼ିରେ ଠିଆ ହୋଇଥିବା ଲୋକଙ୍କ ନିକଟରେ ପହଞ୍ଚିବ – ଏହା ହିଁ ଗଣତନ୍ତ୍ରର ବାସ୍ତବ ଅର୍ଥ, ଉଦ୍ଦେଶ୍ୟ ଏବଂ ଆମ ସରକାର ଏହି ମନ୍ତ୍ରରେ ଦୀକ୍ଷିତ ହୋଇ କାର୍ଯ୍ୟ କରିଚାଲିଛନ୍ତି ।
ବନ୍ଧୁଗଣ,
ଆଜି ଏପରି ଏକ ଭାରତ ଗଠିତ ହୋଇଛି, ଯାହାର ବିକାଶର ଧାରା ଦ୍ରୁତତର ଏବଂ ଭାରତ ମଧ୍ୟ ଚିନ୍ତା, ସଂକଳ୍ପ ଏବଂ କରୁଣାରେ ସମୃଦ୍ଧ । ଆମେ ମାନବ କୈନ୍ଦ୍ରିକ ଜଗତୀକରଣର ମାର୍ଗକୁ ଆପଣାଇଛୁ, ଯେଉଁଠାରେ ଅଭିବୃଦ୍ଧି କେବଳ ବଜାର ଦ୍ୱାରା ନିୟନ୍ତ୍ରିତ କିମ୍ବା ନିର୍ଦ୍ଧାରିତ ହେବନାହିଁ । ଲୋକମାନଙ୍କୁ ସମ୍ମାନର ସହିତ ଜୀବନ ବଞ୍ଚିବାର ସୁଯୋଗ ପ୍ରାପ୍ତ ହେବା ଦରକାର ଏବଂ ସେମାନଙ୍କ ସ୍ୱପ୍ନ ପୂରଣ ହେବା ବାଛନୀୟ । ଏହା ଆପ ପାଇଁ ବିକାଶର ସବୁଠାରୁ ବଡ଼ ମାପଦଣ୍ଡ । ଆମେ ସାମଗ୍ରିକ ଘରୋଇ ଉତ୍ପାଦ (ଜି.ଡି.ପି.)କୈନ୍ଦ୍ରିକ ପ୍ରଗତି ଆଡ଼କୁ ଅଗ୍ରସର ହୋଇ ଚାଲିଛୁ । ଯେତେବେଳେ ମୁଁ ଜି.ଇ.ପି. କହୁଛି ଏହାର ଅର୍ଥ ହେଉଛି ଲୋକଙ୍କ ସାମଗ୍ରିକ ସଶକ୍ତୀକରଣ । ଏହାର ଅର୍ଥ ହେଉଛି ସମସ୍ତଙ୍କୁ ସମାନ ଭାବରେ ସଶକ୍ତ କରିବା । ଗରିବଙ୍କୁ ପକ୍କା ଘର ମିଳିଲେ ସେମାନେ ସଶକ୍ତ ହେବା ସହିତ ସେମାନଙ୍କର ଆତ୍ମସମ୍ମାନ ବୃଦ୍ଧି ପାଇବ । ଗରିବ ଲୋକଙ୍କ ଘରେ ଶୌଚାଳୟ ନିର୍ମିତ ହେଲେ ସେମାନଙ୍କୁ ଆଉ ମୁକ୍ତାକାଶ ତଳେ ମଳତ୍ୟାଗ କରିବା ଭଳି ଅପମାନଜନକ କାର୍ଯ୍ୟ ଓ ଯନ୍ତ୍ରଣାରୁ ମୁକ୍ତି ମିଳିବ । ଆୟୁଷ୍ମାନ ଭାରତ ଯୋଜନାରେ ଯେତେବେଳେ ଗରିବ ଲୋକମାନଙ୍କୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଦେୟମୁକ୍ତ ଚିକିତ୍ସା ସୁବିଧା ମିଳିବ, ସେତେବେଳେ ସେମାନଙ୍କ ଜୀବନରୁ ସବୁଠାରୁ ବଡ଼ ଚିନ୍ତା ମଧ୍ୟ କମିଯିବ । ଏଭଳି ଅନେକ ଉଦାହରଣ ରହିଛି ଯାହା ସମ୍ବେଦନଶୀଳ ବିକାଶର ମାର୍ଗକୁ ଅଧିକ ମଜଭୁତ କରିବା ସହିତ ଦେଶବାସୀଙ୍କୁ ମଧ୍ୟ ସଶକ୍ତ କରୁଛି ।
ବନ୍ଧୁଗଣ,
କିଛି ଦିନ ପୂର୍ବରୁ ସିଭିଲ ସର୍ଭିସ ଡେ' ଅବସରରେ ମୁଁ ‘ନାଗରିକ ଦେବୋ ଭବଃ’ ମନ୍ତ୍ର ସମ୍ପର୍କରେ ସୂଚନା ଦେଇଥିଲି । ଏହା ହେଉଛି ଆମ ସରକାରଙ୍କ ମୌଳିକ ଚିନ୍ତାଧାରା ଆମେ ସେହିଭଳି ଲୋକ ଯିଏ ସବୁ ନାଗରିକଙ୍କୁ ସମାନ ଦୃଷ୍ଟିରେ ଦେଖୁଛୁ । ପୂର୍ବ ସରକାରରେ ‘ମାଇ ବାପ୍ ସଂସ୍କୃତି’କୁ ପ୍ରମୁଖତା ପ୍ରଦାନ କରାଯାଉଥିଲାବେଳେ ବର୍ତ୍ତମାନ ଲୋକଙ୍କ ପ୍ରତି ସେବା ମନୋଭାବକୁ ହିଁ ସରକାର ପ୍ରାଧାନ୍ୟ ଦେଉଛନ୍ତି । ଏଠାରେ ଅନେକ ଯୁବକ ଯୁବତୀ ଉପସ୍ଥିତ ଅଛନ୍ତି । ଆଜିକାଲି ଆପଣମାନେ ଅନଲାଇନରେ ପ୍ରତ୍ୟେକ ଫର୍ମ ପୂରଣ କରୁଛନ୍ତି । ଏଭଳି ଏକ ସମୟ ଥିଲା ଯେତେବେଳେ ନିଜ କାଗଜପତ୍ର ଧରି ଏହାକୁ ଠିକ୍ ବୋଲି ପ୍ରମାଣିତ କରିବା ନିମନ୍ତେ ସରକାରୀ କାର୍ଯ୍ୟାଳୟ ନିକଟରେ ଚକ୍କର ମାରିବାକୁ ପଡ଼ୁଥିଲା । ଏବେ ଆପଣମାନେ ସଭିଏଁ ସମାନ ଏବଂ ସବୁ କାମ ସ୍ୱୟଂ ପ୍ରମାଣନ ଜରିଆରେ କରାଯାଇପାରୁଛି ।
ବନ୍ଧୁଗଣ,
ବରିଷ୍ଠ ନାଗରିକମାନଙ୍କ ନିମନ୍ତେ ମଧ୍ୟ ସମାନ ପ୍ରକାର ବ୍ୟବସ୍ଥା ଥିଲା । ପ୍ରତିବର୍ଷ ବୟସ୍କ ଲୋକମାନଙ୍କୁ ନିଜେ ପୁରୁଣା କାର୍ଯ୍ୟାଳୟକୁ ଯାଇ ସେମାନେ ଜୀବିତ ଅଛନ୍ତି ବୋଲି ପ୍ରମାଣପତ୍ର ଯୋଗାଡ଼ କରିବାକୁ ପଡ଼ୁଥିଲା । 'ମୁଁ ଜୀବିତ ଅଛି' ବୋଲି ନିଜେ କହିବାକୁ ପଡ଼ୁଥିଲା । କିମ୍ବା ବ୍ୟାଙ୍କକୁ ଯାଇ ଜୀବିତ ଅଛନ୍ତି ବୋଲି ଜଣାଇବାକୁ ପଡ଼ୁଥିଲା ଏବଂ କିଛି ଟଙ୍କା ଦେବାକୁ ପଡ଼ୁଥିଲା । ଆମେ କିନ୍ତୁ ଏହି ବ୍ୟବସ୍ଥାକୁ ବଦଳାଇ ଦେଇଛୁ । ଏଣିକି ବରିଷ୍ଠ ନାଗରିକମାନେ ଯେକୌଣସ ସ୍ଥାନରୁ ଡିଜିଟାଲ ମାଧ୍ୟମରେ ନିଜର ଲାଇଫ ସାର୍ଟିଫିକେଟ ଦେଇପାରିବେ । ବିଜୁଳି ସଂଯୋଗ ପାଇବା ନିମନ୍ତେ ହେଉ କିମ୍ବା ପାଣି ଟ୍ୟାପ୍ ଲାଗାଇବା, ବିଲ ପଇଠ କରିବା, ଗ୍ୟାସ ବୁକ୍ କରିବା, ଏପରିକି ଗ୍ୟାସ ସିଲିଣ୍ଡର ପହଞ୍ଚାଇବା ନିମନ୍ତେ ସେମାନଙ୍କୁ ବାରମ୍ବାର ପଚାରିବାକୁ ହେଉଥିଲା । ଆଜି କିନ୍ତୁ ସେଭଳି ସମସ୍ୟା ଆଉ ନାହିଁ ।
ଏହିସବୁ କାମ ନିମନ୍ତେ ଅନେକ ଲୋକଙ୍କ ଛୁଟି ନେଇ ଚାକିରିରେ ଗୋଟିଏ ଦିନ ଛୁଟି ରଖିବାକୁ ପଡ଼ୁଥିଲା । ବର୍ତ୍ତମାନ ଦେଶରେ ବ୍ୟବସ୍ଥା ବଦଳି ଯାଇଛି । ଏଭଳି ଅନେକ କାମ ବର୍ତ୍ତମାନ ଅନଲାଇନରେ ସହଜରେ ହୋଇପାରୁଛି । ପାସପୋର୍ଟ କାମ, ଟିକସ ଫେରସ୍ତ କାମ ଭଳି ପ୍ରତିଟି ଇଣ୍ଟରଫେସ, ଯେଉଁଠାରେ ଲୋକଙ୍କୁ ସରକାରଙ୍କ ସହିତ ଯୋଗାଯୋଗ କରିବାକୁ ପଡ଼ିଥାଏ ସେସବୁ କାର୍ଯ୍ୟ ସରଳ, ଦ୍ରୁତ ଏବଂ ଦକ୍ଷ ଭାବରେ ହେବା ଉଚିତ ବୋଲି ଆମେ ଏହି ଦିଗରେ ନିରନ୍ତର ଚେଷ୍ଟା ଜାରି ରଖିଛୁ । ଏହା ହେଉଛି ସେହି ମନ୍ତ୍ରର ଉଦ୍ଦେଶ୍ୟ । ଏବଂ ଏହି ଭାବନାକୁ ଅନୁସରଣ ପୂର୍ବକ ଆମେ ୨୦୪୭ ମସିହା ସୁଦ୍ଧା ଏକ ବିକଶିତ ଭାରତର ମୂଳଦୁଆକୁ ସୁଦୃଢ଼ କରୁଛୁ ।
ବନ୍ଧୁଗଣ,
ଆଜି ଭାରତ ତା'ର ପରମ୍ପରା ଏବଂ ପ୍ରଗତି ସହିତ ସମାନ୍ତରାଳ ଭାବରେ ଆଗକୁ ଅଗ୍ରସର ହେଉଛି । ବିକାଶ ସହିତ ଐତିହ୍ୟ, ଏହା ହେଉଛି ଆମର ମନ୍ତ୍ର । ପରମ୍ପରା ଏବଂ ବୈଷୟିକ ଜ୍ଞାନ କୌଶଳ କିପରି ଏକତ୍ର ବିକଶିତ ହୁଏ, ତାହା ଆମେ ଭାରତରେ ଦେଖିଛୁ । ଆଜି ଆମେ ଡିଜିଟାଲ କାରବାରରେ ବିଶ୍ୱର ଶ୍ରେଷ୍ଠ ଦେଶମାନଙ୍କ ମଧ୍ୟରୁ ଅନ୍ୟତମ ଭାବରେ ଉଭା ହୋଇଛୁ । ଏଥି ସହିତ ଯୋଗ ଓ ଆୟୁର୍ବେଦ ପରମ୍ପରାକୁ ମଧ୍ୟ ଆମେ ସମଗ୍ର ବିଶ୍ୱରେ ପହଞ୍ଚାଉଛୁ । ଆଜି ସମଗ୍ର ବିଶ୍ୱ ଭାରତରେ ପୁଂଜି ନିବେଶ କରିବାକୁ ଆଗ୍ରହ ପ୍ରକାଶ କରୁଛି । ଗତ ଏକ ଦଶନ୍ଧି ମଧ୍ୟରେ ଭାରତକୁ ରେକର୍ଡ ପରିମାଣର ପ୍ରତ୍ୟକ୍ଷ ବିଦେଶ ପୁଂଜି ପ୍ରବେଶ କରିଛି । ଏଥି ସହିତ ଚୋରି ହୋଇଥିବା ପ୍ରାଚୀନ କଳାକୃତି ଓ ଅନ୍ୟାନ୍ୟ ସାମଗ୍ରୀ ରେକର୍ଡ ସଂଖ୍ୟାରେ ଭାରତକୁ ପ୍ରତ୍ୟାବର୍ତ୍ତନ କରିଛି । ଆଜି ଭାରତ ବିଶ୍ୱର ଦ୍ୱିତୀୟ ବୃହତ୍ତମ ମୋବାଇଲ ଫୋନ ନିର୍ମାତା ହୋଇଛି । ଏଥି ସହିତ ବାଜରା ଭଳି ସୁପରଫୁଡ ଉତ୍ପାଦନ କ୍ଷେତ୍ରରେ ମଧ୍ୟ ଆମେ ସବୁଠାରୁ ଆଗୁଆ ରହିଛୁ । ସୂର୍ଯ୍ୟ ମନ୍ଦିରରେ ଥିବା ଭାରତ ମଧ୍ୟ ସୌର ଶକ୍ତି ଉତ୍ପାଦନରେ ୧୦୦ ଗିଗାୱାଟ ଶକ୍ତି ଉତ୍ପାଦନ କ୍ଷମତା ହାସଲ କରିଛି ।
ବନ୍ଧୁଗଣ,
ରାଷ୍ଟ୍ରର ପ୍ରଗତି ନିମନ୍ତେ ଏହା ଜରୁରି ନୁହେଁ ଯେ ଆମେ ଆମର ସଂସ୍କୃତି କିମ୍ବା ଆମର ମୂଳ ଆଧାରକୁ ତ୍ୟାଗ କରିବା । ଆମେ ଆମର ମୂଳ ଆଧାର ସହିତ ଯେତେ ଗଭୀର ଭାବରେ ଯୋଡ଼ିହୋଇ ରହିବା, ଆଧୁନିକତା ସହିତ ଆମର ସମ୍ପର୍କ ସେତିକି ଦୃଢ଼ ହେବ । ଆମେ ଆମର ହଜାର ହଜାର ବର୍ଷର ଐତିହ୍ୟକୁ ଆଗାମୀ ହଜାର ହଜାର ବର୍ଷ ପର୍ଯ୍ୟନ୍ତ ଭାରତର ଶକ୍ତିରେ ପରିଣତ କରି ଚାଲିଛୁ ।
ବନ୍ଧୁଗଣ,
୨୦୪୭ ମସିହା ସୁଦ୍ଧା ବିକଶିତ ଭାରତ ନିର୍ମାଣ ଏହି ଯାତ୍ରାରେ ପ୍ରତିଟି ପଦକ୍ଷେପର ନିଜସ୍ୱ ମହତ୍ତ୍ୱ ରହିଛି । ଅନେକ ସମୟରେ କେତେକ ଲୋକ ଏହା ଅନୁଭବ କରିଥାଆନ୍ତି ଯେ ସରକାର ଆଜି ଯେଉଁ ନିଷ୍ପତ୍ତି ନେଉଛନ୍ତି ତାହାର ଗୁଣାତ୍ମକ ପ୍ରଭାବ ଏତେ ବିରାଟ ହେବ, ତାହା କେତେ ସୁଦୂରପ୍ରସାରୀ ହେବ! ମୁଁ ଆପଣମାନଙ୍କୁ ସେହି କ୍ଷେତ୍ରର ଗଣମାଧ୍ୟମ ଏବଂ ବିଷୟବସ୍ତୁ ସୃଷ୍ଟିର ଏକ ଊଦାହରଣ ଦେବାକୁ ଚାହିଁବି । ସ୍ମରଣ ରଖନ୍ତୁ, ୧୦ବର୍ଷ ପୂର୍ବେ ଯେତେବେଳେ ମୁଁ ଡିଜିଟାଲ ଇଣ୍ଡିଆ ସମ୍ପର୍କରେ କହିଥିଲି, ସେତେବେଳେ ଅନେକ ଲୋକ ଏହାକୁ ନେଇ ଅନେକ ଆଶଙ୍କା ପ୍ରକଟ କରିଥିଲେ । କିନ୍ତୁ ଆଜି ଡିଜିଟାଲ ଇଣ୍ଡିଆ ଆମ ଜୀବନର ଏକ ସହଜ ଅଂଶ ପାଲଟି ସାରିଛି । ଶସ୍ତା ଡାଟା ଏବଂ ଶସ୍ତା ମେଡ୍ ଇନ୍ ଇଣ୍ଡିଆ ସ୍ମାର୍ଟଫୋନ ଏକ ନୂଆ ବିପ୍ଳବକୁ ଜନ୍ମ ଦେଇଛି । ଡିଜିଟାଲ ଇଣ୍ଡିଆ କିପରି ସହଜ ଜୀବନଧାରଣକୁ ଶକ୍ତି ପ୍ରଦାନ କରୁଛି ତାହା ଆମେ ସଭିଏଁ ଲକ୍ଷ୍ୟ କରିପାରିବା । କିନ୍ତୁ ଡିଜିଟାଲ ଇଣ୍ଡିଆ କିପରି ବିଷୟବସ୍ତୁ ଏବଂ ସୃଜନଶୀଳତାର ଏକ ନୂତନ ଦୁନିଆ ଗଠନ କରିଛି ତାହା ସମ୍ପର୍କରେ କ୍ୱଚିତ୍ ଆଲୋଚନା କରାଯାଉଛି ।
ଗାଆଁ ଗହଳିର ଜଣେ ଉତ୍ତମ ଖାଦ୍ୟ ରାନ୍ଧୁଥିବା ମହିଳା ଆଜି ଲକ୍ଷ ଲକ୍ଷ କ୍ରେତା କ୍ଲବରେ ନାମ ଦରଜ କରାଇ ପାରିଛନ୍ତି । ଆଦିବାସୀ ଅଞ୍ଚଳର ଜଣେ ଯୁବକ ନିଜ ଲୋକକଳା ଦ୍ୱାରା ସାରା ବିଶ୍ୱର ଦର୍ଶକଙ୍କ ସହିତ ଯୋଡ଼ି ହୋଇପାରିଛନ୍ତି । ଗୋଟିଏ ବିଦ୍ୟାଳୟରେ ପାଠ ପଢ଼ୁଥିବା ଜଣେ ଯୁବକ ଅଛନ୍ତି, ଯିଏ କି ପ୍ରଯୁକ୍ତିକୁ ଖୁବ ଉତ୍ତମ ଢଙ୍ଗରେ ବୁଝାଇ ପାରୁଛନ୍ତି । ନିକଟରେ ମୁମ୍ବାଇଠାରେ ଆୟୋଜିତ ପ୍ରଥମ ଲହର ଶିଖର ସମ୍ମିଳନୀ ଆୟୋଜିତ ହୋଇଯାଇଛି । ଏଥିରେ ସମଗ୍ର ବିଶ୍ୱର ଗଣମାଧ୍ୟମ, ମନୋରଞ୍ଜନ ଏବଂ ସୃଜନଶୀଳ ଉଦ୍ୟୋଗର ସହିତ ଜଡ଼ିତ ଲୋକମାନେ ଯୋଗ ଦେଇଥିଲେ । ମୋତେ ମଧ୍ୟ ଏଥିରେ ସାମିଲ ହେବାର ସୁଯୋଗ ମିଳିଥିଲା । ସେଠାରେ କେହି ଜଣେ ମୋତେ କହୁଥିଲେ ଯେ ଗତ ତିନି ବର୍ଷ ମଧ୍ୟରେ କେବଳ ୟୁଟ୍ୟୁବ୍ ଭାରତରେ କଣ୍ଟେଣ୍ଟ୍ କ୍ରିଏଟର୍ସଙ୍କୁ ୨୧,୦୦୦ କୋଟି ଟଙ୍କା ଦେଇଛି । ୨୧ ହଜାର କୋଟି ଟଙ୍କା! ଅର୍ଥାତ୍, ଆଜି ଆମ ଫୋନ୍ କେବଳ ଯୋଗାଯୋଗ ପାଇଁ ନୁହେଁ ବରଂ ସୃଜନଶୀଳତା ଏବଂ ରୋଜଗାର ପାଇଁ ମଧ୍ୟ ଏକ ବଡ଼ ସାଧନ ପାଲଟିଛି ।
ବନ୍ଧୁଗଣ,
୨୦୪୭ ମସିହାରେ ବିକଶିତ ଭାରତର ଲକ୍ଷ୍ୟ ହାସଲ କାର୍ଯ୍ୟକ୍ରମ ଅନୁଯାୟୀ ଆଉ ଏକ ଅଭିଯାନର ସହଭାଗୀତା ରହିଛି ଏବଂ ସେହି ଅଭିଯାନ ହେଉଛି ଆତ୍ମନିର୍ଭର ଭାରତ । ଆତ୍ମନିର୍ଭରଶୀଳତା ହେଉଛି ଆମର ଅର୍ଥନୈତିକ ଡି.ଏନ.ଏ.ର ଅଂଶବିଶେଷ । ତଥାପି ଆମକୁ କୁହାଗଲା ଯେ ଭାରତ ଏକ ନିର୍ମାତା ନୁହେଁ, କେବଳ ଏକ ବଜାର । କିନ୍ତୁ ଏବେ ଭାରତ ଉପରେ ଲଗାଯାଇଥିବା ଏହି ଭାରତକୁ ହଟାଇ ଦିଆଯାଇଛି । ଆଜି ଭାରତ ବିଶ୍ୱର ସବୁଠାରୁ ବଡ଼ ପ୍ରତିରକ୍ଷା ସାମଗ୍ରୀ ଉତ୍ପାଦନକାରୀ ଏବଂ ରପ୍ତାନୀକାରୀ ରାଷ୍ଟ୍ରରେ ପରିଣତ ହେଉଛି । ଭାରତର ପ୍ରତିରକ୍ଷା ଉତ୍ପାଦନ ୧୦୦ରୁ ଅଧିକ ଦେଶକୁ ରପ୍ତାନୀ କରାଯାଉଛି । ଆମର ପ୍ରତିରକ୍ଷା ରପ୍ତାନୀର ପରିମାଣ ମଧ୍ୟ କ୍ରମାଗତ ଭାବରେ ବୃଦ୍ଧି ପାଇଚାଲିଛି । ଦେଶରେ ଆଇ.ଏନ.ଏସ. ବିକ୍ରାନ୍ତ, ଆଇ.ଏନ.ଏସ. ସୁରଟ, ଆଇ.ଏନ.ଏସ. ନୀଳଗିରି ଭଳି ଅନେକ ସ୍ୱଦେଶୀ ଯୁଦ୍ଧ ଜାହାଜ ନିର୍ମିତ ହୋଇଛି । ଭାରତ ସ୍ୱଦେଶୀ ଜ୍ଞାନକୌଶଳ ଏବଂ ଶକ୍ତିରେ ଏସବୁକୁ ନିର୍ମାଣ କରିଛି । ଆଜି ଭାରତ ଏଭଳି ଅନେକ କ୍ଷେତ୍ରରେ ଉତ୍କୃଷ୍ଟ କାର୍ଯ୍ୟ କରୁଛି, ଯାହା ପୂର୍ବରୁ ଆମର ଶକ୍ତି ନଥିଲା । ଇଲେକ୍ଟ୍ରୋନିକ୍ସ କ୍ଷେତ୍ର ଭଳି । ବିଗତ କିଛି ବର୍ଷ ମଧ୍ୟରେ ଭାରତ ଏକ ପ୍ରମୁଖ ଇଲେକ୍ଟ୍ରୋନିକ୍ସ ରପ୍ତାନୀକାରୀ ରାଷ୍ଟ ଭାବରେ ଉଭା ହୋଇଛି । ଆଜି ଆମର ସ୍ଥାନୀୟ ଉତ୍ପାଦଗୁଡ଼ିକ ବିଶ୍ୱସ୍ତରୀୟ ହୋଇପାରିଛି । ନିକଟରେ ରପ୍ତାନୀ ସମ୍ପର୍କୀତ ତଥ୍ୟମାନ ସାମ୍ନାକୁ ଆସିଛି । ଗତ ବର୍ଷ ଭାରତ ରପ୍ତାନୀ ପ୍ରାୟ ୮୨୫ ବିଲିୟନ ଡଲାର ହୋଇ ଏକ ନୂଆ ରେକର୍ଡ ସୃଷ୍ଟି କରିଥିଲା । ମାତ୍ର ଏକ ଦଶନ୍ଧି ମଧ୍ୟରେ ଭାରତ ଏହାର ରପ୍ତାନୀକୁ ପ୍ରାୟ ଦ୍ୱିଗୁଣିତ କରି ୮୨୫ ବିଲିୟନ ଡଲାରରେ ପହଞ୍ଚାଇ ପାରିଛି । ଏହାକୁ ଅଧିକ ତ୍ୱରାନ୍ୱିତ କରିବା ନିମନ୍ତେ, ଏହାକୁ ଆଉ ଏକ ନୂଆ ଶୀର୍ଷରେ ପହଞ୍ଚାଇବା ଉଦ୍ଦେଶ୍ୟରେ ଚାଳିତ ବର୍ଷ ବଜେଟରେ ଆମେ ମିଶନ ମାନୁଫାକ୍ଚରିଂ ବିଷୟ ଘୋଷଣା କରିଛୁ । ଉତ୍ପାଦନର ଏହି ଶକ୍ତି ଆଜି ବିଶ୍ୱରେ ସୃଜନକର୍ତ୍ତା, ଉଦ୍ଭାବକ ଏବଂ ବିଶ୍ୱ ଶୃଙ୍ଖଳା ଭାବରେ ଭାରତର ଜନସାଧାରଣଙ୍କ ନିମନ୍ତେ ଏକ ନୂଆ ପରିଚୟ ସୃଷ୍ଟି କରୁଛି ।
ବନ୍ଧୁଗଣ,
ଚଳିତ ଦଶନ୍ଧି ଦେଶ ନିମନ୍ତେ ଆଗାମୀ ଶତାବ୍ଦୀ ପାଇଁ ଭାରତର ଦିଗ ନିର୍ଦ୍ଧାରଣ କରିବାକୁ ଯାଉଛି । ଏହା ହେଉଛି ଦେଶର ନୂତନ ଭାଗ୍ୟ ରଚନା କରିବାର ଅବସର । ଦେଶର ପ୍ରତ୍ୟେକ ନାଗରିକ, ପ୍ରତ୍ୟେକ ଅନୁଷ୍ଠାନ ଏବଂ ଦେଶର ପ୍ରତ୍ୟେକ କ୍ଷେତ୍ରରେ ମୁଁ ଏହି ଭାବନାକୁ ଜଳଜଳ ଦେଖିପାରୁଛି । ଏହି ଶିଖର ସମ୍ମିଳନୀ ଅବସରରେ ଏଠାରେ ହୋଇଥିବା ଆଲୋଚନାରେ ମଧ୍ୟ ଆମେ ସମାନ କଥା ଅନୁଭବ କରିପାରୁଛୁ । ଏହି ଶିଖର ସମ୍ମିଳନୀ ନିମନ୍ତେ ମୁଁ ପୁଣି ଥରେ ଏ.ବି.ପି. ନେଟୱାର୍କକୁ ଅଭିନନ୍ଦନ ଜଣାଉଛି ଏବଂ ମୋ ପାଇଁ ମଧ୍ୟ ଏହା ଏକ ବିଶେଷ ଅବସର, କାରଣ ବର୍ତ୍ତମାନ ବିଳମ୍ବିତ ରାତି ହେବାକୁ ଯାଉଛି । ତଥାପି ଆପଣମାନେ ଏତେ ସଂଖ୍ୟାରେ ଏଠାରେ ଉପସ୍ଥିତ ଅଛନ୍ତି, ଏହା ମଧ୍ୟ ଏକ ଉଜ୍ଜ୍ୱଳ ଭବିଷ୍ୟତର ସଂକେତ । ଏହା ବ୍ୟତୀତ, ମୁଁ ବିଶେଷ ଭାବରେ କହିବାକୁ ଚାହେଁ ଯେ ଆପଣ ଏହି ପରୀକ୍ଷଣ କରିଛନ୍ତି ଏବଂ ମୁଁ ଆପଣଙ୍କର ଅତିଥି ତାଲିକା ଉପରେ ଆଖି ବୁଲାଉଥିଲି । ସମସ୍ତ ଯୁବକଯୁବତୀ ପରୀକ୍ଷାମୂଳକ ବ୍ୟକ୍ତିତ୍ୱ । ସେମାନଙ୍କ ନିକଟରେ ନୂଆ ନୂଆ ଚିନ୍ତାଧାରା ଏବଂ ନୂତନ ସାହସ ଭରପୂର ରହିଛି । ଦେଶବାସୀ ଯେଉଁମାନେ ଆପଣମାନଙ୍କୁ ଶୁଣୁଛନ୍ତି, ସେମାନଙ୍କ ମନରେ ନିଶ୍ଚୟ ଆତ୍ମବିଶ୍ୱାସ ସୃଷ୍ଟି ହେବ – ଠିକ୍ ଅଛି, ଏହି ଶକ୍ତି ଆମ ଦେଶ ପାଖରେ ମହଜୁଦ ରହିଛି । ତେଣୁ ଆପଣମାନେ ଖୁବ୍ ଉତ୍ତମ କାର୍ଯ୍ୟ କରିଛନ୍ତି । ଏଥିପାଇଁ ଆପଣମାନେ ଅଭିନନ୍ଦନର ପାତ୍ର । ଆପଣମାନଙ୍କୁ ଅନେକ ଧନ୍ୟବାଦ ।
ନମସ୍କାର ।
*******
(रिलीज़ आईडी: 2160292)
आगंतुक पटल : 10
इस विज्ञप्ति को इन भाषाओं में पढ़ें:
Manipuri
,
Gujarati
,
English
,
Urdu
,
Marathi
,
हिन्दी
,
Bengali
,
Assamese
,
Punjabi
,
Tamil
,
Telugu
,
Kannada
,
Malayalam