ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ମଧ୍ୟପ୍ରଦେଶର ଆନନ୍ଦପୁର ଧାମରେ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ

प्रविष्टि तिथि: 11 APR 2025 7:27PM by PIB Bhubaneshwar

ଜୟ ସଚ୍ଚିଦାନନ୍ଦ ଜୀ !!!

ସ୍ୱାମୀ ବିଚାରପୂର୍ଣ୍ଣ ଆନନ୍ଦ ଜୀ ମହାରାଜ ଜୀ, ରାଜ୍ୟପାଳ ମଙ୍ଗୁଭାଇ ପଟେଲ, ମୁଖ୍ୟମନ୍ତ୍ରୀ ମୋହନ ଯାଦବ, କ୍ୟାବିନେଟରେ ମୋର ସହଯୋଗୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଜୀ, ସାଂସଦ ବି.ଡି. ଶର୍ମା ଜୀ, ସାଂସଦ ଜନାର୍ଦ୍ଦନ ସିଂହ ସିଗ୍ରିଓ୍ୱାଲ ଜୀ, ମଞ୍ଚରେ ଉପସ୍ଥିତ ଥିବା ଅନ୍ୟ ମହାନୁଭବ ଏବଂ ମୋର ସ୍ନେହର ଭାଇ ଓ ଭଉଣୀମାନେ। ଏହି ସ୍ଥାନରୁ ଦିଲ୍ଲୀ, ହରିୟାଣା, ପଂଜାବ ଓ ପୁରା ଦେଶର ବହୁତ ସଂଖ୍ୟକ ଶ୍ରଦ୍ଧାଳୁ ଆସିଛନ୍ତି। ମୁଁ ଆପଣ ସମସ୍ତଙ୍କୁ ଅଭିନନ୍ଦନ ଜଣାଉଛି।   

ବନ୍ଧୁଗଣ,

ଶ୍ରୀ ଆନନ୍ଦପୁର ଧାମ ଆସି ଆଜି ମନ ଅଭିଭୂତ ହୋଇ ଯାଇଛି। ଏବେ ମୁଁ ଗୁରୁଜୀ ମହାରାଜଙ୍କ ମନ୍ଦିରରେ ଦର୍ଶନ କଲି। ବାସ୍ତବରେ ହୃଦୟ ଆନନ୍ଦରେ ଭରି ଯାଇଛି।

ବନ୍ଧୁଗଣ,

ଯେଉଁ ମାଟିର ପାଦେ ପାଦେ ସନ୍ଥଙ୍କ ତପସ୍ୟାରେ ସେଚିତ ହୋଇଛି, ଯେଉଁଠି ପରମାର୍ଥ ଏକ ପରମ୍ପରାରେ ପରିଣତ ହୋଇଛି, ଯେଉଁଠି ସେବାର ସଂକଳ୍ପ ମାନବତାର କଲ୍ୟାଣର ପଥକୁ ପ୍ରସ୍ତ କରିଥାଏ, ସେହି ମାଟି ସାଧାରଣ ମାଟି ନୁହେଁ। ଏବଂ ଏଥିପାଇଁ ଆମର ସନ୍ଥମାନେ ଅଶୋକ ନଗର ସଂପର୍କରେ କହିଥିଲେ, ଏଠାକୁ ଶୋକ ଆସିବାକୁ ଭୟ କରିଥାଏ। ମତେ ବହୁତ ଖୁସି ଲାଗୁଛି ଯେ, ଆଜି ଏଠାରେ ବୈଶାଖୀ ଓ ଶ୍ରୀ ଗୁରୁ ମହାରାଜ ଜୀ ଙ୍କ ଆବିର୍ଭାବ ଦିବସର ଉତ୍ସବରେ ସାମିଲ ହେବାର ସୌଭାଗ୍ୟ ମତେ ପ୍ରାପ୍ତ ହୋଇଛି। ମୁଁ ଏହି ପବିତ୍ର ଅବସରରେ ପ୍ରଥମ ପାଦଶାହୀ ଶ୍ରୀ ଶ୍ରୀ ୧୦୮ ଶ୍ରୀ ସ୍ୱାମୀ ଅଦ୍ୱୈତ ଆନନ୍ଦ ଜୀ ମହାରାଜ ଓ ଅନ୍ୟ ସମସ୍ତ ପାଦଶାହୀ ସନ୍ଥମାନଙ୍କୁ ପ୍ରଣାମ କରୁଛି। ମତେ ଅବଗତ କରାଯାଇଛି ଯେ, ଆଜିର ହିଁ ଦିନରେ ୧୯୩୬ ମସିହାରେ ଶ୍ରୀ ଅଦ୍ୱିତୀୟ ପାଦଶାହୀ ଜୀ ଙ୍କୁ ମହାସମାଧି ପ୍ରଦାନ କରାଯାଇଥିଲା। ଆଜିର ହିଁ ଦିନରେ ୧୯୬୪ରେ ଶ୍ରୀ ତୃତୀୟ ପାଦଶାହୀ ଜୀ ନିଜ ସ୍ୱରୂପରେ ଲୀନ ହୋଇଥିଲେ। ମୁଁ ଏହି ଦୁଇ ସଦ୍‌ଗୁରୁ ମହାରାଜ ଜୀ ଙ୍କ ପ୍ରତି ଶ୍ରଦ୍ଧା ସୁମନ ଅର୍ପଣ କରୁଛି। ମୁଁ ମାଆ ଜାଗେଶ୍ୱରୀ ଦେବୀ, ମାଆ ବିଜାସନ, ମାଆ ଜାନକୀ କରିଳା ମାତା ଧାମକୁ ମଧ୍ୟ ପ୍ରମାଣ କରୁଛି ଏବଂ ଆପଣ ସମସ୍ତଙ୍କୁ ମଧ୍ୟ ବୈଶାଖୀ ଓ ଶ୍ରୀ ଗୁରୁ ମହାରାଜ ଜୀ ଙ୍କ ଆବିର୍ଭାବ ଉତ୍ସବର ଅଭିନନ୍ଦନ ଜଣାଉଛି।

ବନ୍ଧୁଗଣ,

ଆମର ଭାରତ ହେଉଛି ଋଷି, ମନୀଷି ଓ ସନ୍ଥମାନଙ୍କ ମାଟି। ଯେତେବେଳେ ବି ଆମର ଭାରତ ଆମର ସମାଜ କୌଣସି କଠିନ ପରିସ୍ଥିତି ଦେଇ ଗତି କରେ, କୌଣସି ନା କୌଣସି ଋଷି, ମନୀଷି ଏହି ମାଟିରେ ଅବତରଣ କରି ସମାଜକୁ ନୂଆ ଦିଗ ପ୍ରଦାନ କରନ୍ତି। ଆମେ ପୂଜ୍ୟ ସ୍ୱାମୀ ଅଦ୍ୱୈତ ଆନନ୍ଦ ଜୀ ମହାରାଜଙ୍କ ଜୀବନରେ ମଧ୍ୟ ଏହାର ଝଲକ ଦେଖିପାରିବା। ଏକ ସମୟ ଥିଲା, ଯେତେବେଳେ ଆଦି ଶଙ୍କରାଚାର୍ଯ୍ୟଙ୍କ ପରି ଆଚାର୍ଯ୍ୟ ଅଦ୍ୱୈତ ଦର୍ଶନର ଗଭୀର ଜ୍ଞାନର ବ୍ୟାଖ୍ୟା କରିଥିଲେ। ପରାଧୀନ ଥିବା ସମୟରେ ସମାଜ ସେହି ଜ୍ଞାନକୁ ଭୁଲିବାରେ ଲାଗିଥିଲା। କିନ୍ତୁ ସେହି ସମୟରେ ଏପରି ଋଷି ମୁନି ଆସିଲେ, ଯେଉଁମାନେ ଅଦ୍ୱୈତଙ୍କ ଚିନ୍ତାଧାରା ସହିତ ରାଷ୍ଟ୍ରର ଆତ୍ମାକୁ ଜାଗ୍ରତ କରିଥିଲେ। ସେହି ପରମ୍ପରାରେ ମୁଁ ପୂଜ୍ୟ ଅଦ୍ୱୈତ ଆନନ୍ଦ ଜୀ ମହାରାଜ ଭାରତର ଜନସାଧାରଣଙ୍କ ପର୍ଯ୍ୟନ୍ତ ତାକୁ ପହଞ୍ଚାଇବାର ଦାୟିତ୍ୱ ନେଇଥିଲେ। ମହାରାଜ ଜୀ ଅଦ୍ୱୈତଙ୍କ ଜ୍ଞାନକୁ ଆମ ସମସ୍ତଙ୍କ ପାଇଁ ଆହୁରି ସରଳ କରିଥିଲେ, ତାକୁ ସାଧାରଣ ଲୋକଙ୍କ ପାଇଁ ସୁଲଭ କରିଥିଲେ।   

ବନ୍ଧୁଗଣ,

ଆଜି ଦୁନିଆରେ ପାର୍ଥିବ ଉନ୍ନତି ମଧ୍ୟରେ ମାନବିକତା ପାଇଁ ଯୁଦ୍ଧ, ସଂଘର୍ଷ ଓ ମାନବୀୟ ମୂଲ୍ୟ ସହିତ ଜଡ଼ିତ କେତେକ ବଡ଼ ବଡ଼ ଚିନ୍ତା ମଧ୍ୟ ଆମ ସାମ୍ନାରେ ଅଛି। ଏହି ଚିନ୍ତା, ଏହି ସମସ୍ୟାର ମୂଳ କଣ ? ଏହାର ମୂଳ ହେଉଛି – ନିଜର ଓ ପର ମାନସିକତା। ସେହି ମାନସିକତା-ଯାହାକି ମଣିଷକୁ ମଣିଷଠାରୁ ଦୂର କରେ। ଆଜି ବିଶ୍ୱ ମଧ୍ୟ ଭାବୁଛି, ଏହାର ସମାଧାନ କେଉଁଠି ମିଳିବ ? ତାର ସମାଧାନ ମିଳିବ – ଅଦ୍ୱୈତଙ୍କ ଚିନ୍ତାଧାରାରେ। ଅଦ୍ୱୈତ ଅର୍ଥାତ ଯେଉଁଠି କୌଣସି ଦ୍ୱୈତ ନାହିଁ। ଅଦ୍ୱୈତ ଅର୍ଥାତ ଜୀବ ମାତ୍ରକେ କେବଳ ଜଣେ ଈଶ୍ୱରଙ୍କୁ ଦେଖିବାର ବିଚାର। ଏହାଠାରୁ ଆଗରେ, ସଂପୂର୍ଣ୍ଣ ସୃଷ୍ଟିରେ ଈଶ୍ୱରଙ୍କ ସ୍ୱରୂପ ଦେଖିବାର ବିଚାରାଧାରା ହିଁ ଅଦ୍ୱୈତ ଅଟେ। ଏହି ଅଦ୍ୱୈତ ସିଦ୍ଧାନ୍ତକୁ ପରମହଂସ ଦୟାଳ ମହାରାଜ ସରଳ ଶବ୍ଦରେ କହୁଥିଲେ- ତୁ ଯାହା ମୁଁ ତାହା। ଭାବନ୍ତୁ , କେତେ ସୁନ୍ଦର କଥା । ତୁ ଯାହା ମୁଁ ତାହା। ଏହି ଚିନ୍ତାଧାରା “ତୋର ମୋର ” ଭେଦଭାବକୁ ଶେଷ କରିଦିଏ। ଏବଂ ଏହି ବିଚାରକୁ ସମସ୍ତେ ଯଦି ମାନି ନେବେ ତ ସମସ୍ତ ଝଗଡ଼ା ଶେଷ ହୋଇଯିବ।

ବନ୍ଧୁଗଣ,

କିଛି ସମୟ ଆଗରୁ ଷଷ୍ଠ ପାଦଶାହୀ ସ୍ୱାମୀ ଶ୍ରୀ ବିଚାର ପୂର୍ଣ୍ଣ ଆନନ୍ଦ ଜୀ ମହାରାଜଙ୍କ ସହିତ ମୁଁ  ଆଲୋଚନା କରୁଥିଲି। ପ୍ରଥମ ପାଦଶାହୀ ପରମହଂସ ଦୟାଳ-ମହାରା ଜୀ ଙ୍କ ବିଚାର ସହିତ ସେ ମତେ ଆନନ୍ଦଧାମର ନିୟମ ସଂପର୍କରେ ବତାଉଥିଲେ। ଏଠାରେ ସାଧନାର ଯେଉଁ ୫ଟି ନିୟମ ପ୍ରସ୍ତୁତ କରାଯାଇଛି, ସେଥି ମଧ୍ୟରୁ ଗୋଟିଏ ହେଉଛି ନିଷ୍କାମ ସେବା। ନିଷ୍କାମ ସେବା ମଧ୍ୟରେ ରହିଛି ଗରିବ-ବଞ୍ଚିତ ଲୋକଙ୍କର ସେବା, ନର ସେବାରେ ନାରାୟଣଙ୍କ ସେବା ଦେଖିବାର ଭାବନା ହେଉଛି ଆମ ସଂସ୍କୃତିର ଆଧାର। ମତେ ଖୁସି ଲାଗିଲା ଯେ, ସେବାର ଏହି ସଂସ୍କୃତିକୁ ଆନନ୍ଦପୁର ଟ୍ରଷ୍ଟ ପୁରା ମନଯୋଗ ସହିତ ଆଗକୁ ନେଉଛି। ଟ୍ରଷ୍ଟ ଦ୍ୱାରା ପରିଚାଳିତ ହସପିଟାଲରେ ହଜାର ହଜାର ରୋଗୀଙ୍କୁ ଚିକିତ୍ସା କରାଯାଉଛି। ଚିକିତ୍ସା ପାଇଁ ମାଗଣା ଶିବିର କରାଯାଉଛି। ଗୋସେବା ପାଇଁ ଏକ ଅତ୍ୟାଧୁନିକ ଗୋଶାଳା ମଧ୍ୟ ଚାଲିଛି। ନୂଆ ପୀଢ଼ିର ନିର୍ମାଣ ପାଇଁ ଟ୍ରଷ୍ଟ ତରଫରୁ କେତେକ ସ୍କୁଲ ବି କରାଯାଇଛି। ଏବଂ କେବଳ ଏତିକି ନୁହେଁ, ଆନନ୍ଦପୁର ଧାମ ପରିବେଶ ସୁରକ୍ଷା ଜରିଆରେ ପୁରା ମାନବତାର ବଡ଼ ସେବା କରୁଛି। ମତେ ଅବଗତ କରାଯାଇଛି ଯେ, ଆଶ୍ରମର ଅନ୍ତେବାସୀମାନେ ହଜାର ହଜାର ଏକର ଅନାବାଦୀ ଜମିକୁ ଜଙ୍ଗଲରେ ପରିଣତ କରିଛନ୍ତି। ଆଜି ଏହି ଆଶ୍ରମ ଦ୍ୱାରା ଲଗା ଯାଇଥିବା ହଜାର ହଜାର ଚାରା ପରମାର୍ଥର କାମରେ ଆସୁଛି।

ଭାଇ ଓ ଭଉଣୀମାନେ    

ସେବାର ଏହି ମନୋଭାବ ଆଜି ଆମର ସରକାରଙ୍କ ପ୍ରତ୍ୟେକ ପ୍ରଚେଷ୍ଟାର କେନ୍ଦ୍ରରେ ଅଛି। ଆଜି ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ଯୋଗୁଁ ଗରିବ ଲୋକଙ୍କର ଖାଇବା ଚିନ୍ତା ନାହିଁ। ଆଜି ଆୟୁଷ୍ମାନ ଯୋଜନା ଅଛି ବୋଲି ପ୍ରତ୍ୟେକ ଗରିବ ଓ ବୟସ୍କ ଲୋକ ଚିକିତ୍ସା ଖର୍ଚ୍ଚରୁ ଚିନ୍ତାମୁକ୍ତ ଅଛନ୍ତି। ପିଏମ୍ ଆବାସ ଯୋଜନା କାରଣରୁ ପ୍ରତ୍ୟେକ ଗରିବ ଲୋକ ନିଜ ପକ୍କା ଘର ଚିନ୍ତାରୁ ମୁକ୍ତ ହୋଇଛନ୍ତି। ଆଜି ଜଳଜୀବନ ମିଶନ ଯୋଜନା କାରଣରୁ ଗାଁ ଗାଁରେ ପାଣି ସମସ୍ୟାର ସମାଧାନ ହୋଇପାରିଛି। ଦେଶରେ ରେକର୍ଡ ସଂଖ୍ୟକ ନୂଆ ଏମ୍‌ସ, ଆଇଆଇଟି ଓ ଆଇଆଇଏମ୍‌ ଖୋଲା ହେଉଛି। ଗରିବରୁ ଗରିବ ଲୋକଙ୍କ ପିଲାଙ୍କର ସ୍ୱପ୍ନ ସାକାର ହୋଇପାରୁଛି। ଆମର ପରିବେଶ ସ୍ୱଚ୍ଛ ହେଉ, ପ୍ରକୃତି ସୁରକ୍ଷିତ ରହୁ, ସେଥିପାଇଁ ସରକାର “ମା ନାଁରେ ଗଛଟିଏ” କାର୍ଯ୍ୟକ୍ରମର ଆରମ୍ଭ କରିଛନ୍ତି। ଆଜି ଏହି ଅଭିଯାନରେ ସାରା ଦେଶରେ କୋଟି କୋଟି ଗଛ ଲଗାଗଲାଣି। ଏତେ ବଡ଼ ସ୍ତରରେ ଦେଶ ଏତେ କାମ କରିପାରୁଛି, ଏହା ପଛରେ ରହିଛି ଆମର ସେବା ମନୋଭାବ। ଗରିବ ଓ ବଞ୍ଚିତ ଲୋକଙ୍କ ଉତ୍‌ଥାନର ସଂକଳ୍ପ “ ସବ୍‌କା ସାଥ୍, ସବ୍‌କା ବିକାଶ”ର ମନ୍ତ୍ର, ସେବାର ଏହି ଭାବନା ଆଜି ଏହି ସରକାରଙ୍କ ନୀତି ଓ ନିଷ୍ଠା ପାଲଟିଛି।    

ବନ୍ଧୁଗଣ,

ଯେତେବେଳେ ଆମେ ସେବାର ସଂକଳ୍ପ ସହିତ ଯୋଡ଼ି ହେଉ, ସେତେବେଳେ ଆମେ କେବଳ ଅନ୍ୟମାନଙ୍କ ହିତ କରିନଥାଉ। ସେବାର ଭାବନା ଆମର ବ୍ୟକ୍ତିତ୍ୱକୁ ମଧ୍ୟ ଆହୁରି ଉଜ୍ଜ୍ୱଳ କରିଥାଏ, ଆମର ଚିନ୍ତାଧାରାକୁ ଆହୁରି ବ୍ୟାପକ କରିଥାଏ। ସେବା ଆମକୁ ବ୍ୟକ୍ତିଗତ ପରିସୀମାରୁ ବାହାର କରି ସମାଜ, ରାଷ୍ଟ୍ର ଓ ମାନବିକତାର ବଡ଼ ଲକ୍ଷ୍ୟ ସହିତ ଯୋଡ଼ି ଥାଏ। ଆମେ ସେବା ପାଇଁ ମିଳିମିଶି, ଏକଜୁଟ ହୋଇ କାମ କରିବା ଶିଖି ଥାଉ। ଆମେ ଜୀବନର ଅଲଗା ଅଲଗା ଦିଗକୁ ବୁଝିପାରୁ। ଆପଣ ସମସ୍ତେ ସେବା ପାଇଁ ସମର୍ପିତ ବ୍ୟକ୍ତି ଅଟନ୍ତି। ଆପଣ ନିଜର ଜୀବନରେ ଅନୁଭବ କରିଥିବେ, କଠିନ ପରିସ୍ଥିତିରେ ଲଢ଼ିବା ଓ ସେହି କଠିନ ପରିସ୍ଥିତିରେ ଜିତିବା, ସେବା କରି କରି ଆମେ ସହଜରେ ଏସବୁ ଶିଖି ଥାଉ। ଏଥିପାଇଁ ମୁଁ କହେ, ସେବା ହେଉଛି ଏକ ସାଧନା, ଏହା ଏପରି ଏକ ଗଙ୍ଗା ନଦୀ ଯେଉଁଠି ପ୍ରତ୍ୟେକ ବ୍ୟକ୍ତି ନିଶ୍ଚିତ ଭାବେ ବୁଡ଼ ପକାଇବା ଉଚିତ।

ବନ୍ଧୁଗଣ,

ଅଶୋକ ନଗର ଓ ଆନନ୍ଦପୁର ଧାମ ପରି ଏହି କ୍ଷେତ୍ର, ଯାହା ଦେଶକୁ ଏତେ ସବୁ ଦେଇଛି, ସେଠାକାର ବିକାଶ ବି ହେଉଛି ଆମର ଦାୟିତ୍ୱ। ଏହି କ୍ଷେତ୍ରକୁ କଳା, ସଂସ୍କୃତି ଓ ପ୍ରାକୃତିକ ସୌନ୍ଦର୍ଯ୍ୟର ବରଦାନ ମିଳିଛି। ଏଠାରେ ବିକାଶ ଓ ପରମ୍ପରାର ଅମୀମ ସମ୍ଭାବନା ଅଛି। ଏଥିପାଇଁ ଆମେ ଏମ୍‌ପି ଓ ଅଶୋକନଗରରେ ବିକାଶକୁ ଦ୍ରୁତ ଗତିରେ ଆଗକୁ ନେଉଛୁ। ଚନ୍ଦେରି ହସ୍ତତନ୍ତକୁ ନୂଆ ଶିଖରକୁ ନେବା ପାଇଁ ଚନ୍ଦେରି ଶାଢ଼ିକୁ ଜିଆଇ ଟ୍ୟାଗ ପ୍ରଦାନ କରାଯାଇଛି। ପ୍ରାଣପୁରର କ୍ରାଫ୍‌ଟ ହସ୍ତତନ୍ତ ପର୍ଯ୍ୟଟନ ପଲ୍ଲୀ ଆରମ୍ଭ ହୋଇଛି। ଏହା ଦ୍ୱାରା ଏହି କ୍ଷେତ୍ରର ଅର୍ଥବ୍ୟବସ୍ଥାକୁ ମଧ୍ୟ ନୂଆ ଗତି ମିଳିବ। ମଧ୍ୟପ୍ରଦେଶ ସରକାର ବର୍ତ୍ତମାନଠାରୁ ଉଜ୍ଜୟିନୀ ସିଂହସ୍ଥର ପ୍ରସ୍ତୁତିରେ ଲାଗି ପଡ଼ିଲେଣି।

ଭାଇ ଓ ଭଉଣୀମାନେ,

କିଛି ଦିନ ଆଗରୁ ରାମନବମୀର ମହାପର୍ବ ବି ଥିଲା। ଆମେ ଦେଶରେ “ରାମ ବନଗମନ ପଥ ”ର ବିକାଶ କରୁଛୁ। ଏହି ରାମ ବନଗମନ ପଥର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ମଧ୍ୟପ୍ରଦେଶ ଦେଇ ଯିବ। ଏବଂ ଆମର ମଧ୍ୟପ୍ରଦେଶ ଆଗରୁ ହିଁ ଅସାଧାରଣ ଅଛି। ଏହି କାମ ଯୋଗୁଁ ତାର ପରିଚୟ ଆହୁରି ମଜଭୁତ ହେବ।  

ବନ୍ଧୁଗଣ,

୨୦୪୭ ସୁଦ୍ଧା ବିକଶିତ ଭାରତ ହେବାକୁ ଦେଶ ଲକ୍ଷ୍ୟ ଧାର୍ଯ୍ୟ କରିଛି। ଆମର ପୂରା ବିଶ୍ୱାସ ଅଛି ଏହି ଲକ୍ଷ୍ୟ ଆମେ ନିଶ୍ଚିତ ଭାବେ ହାସଲ କରିବୁ। କିନ୍ତୁ ଏହି ଯାତ୍ରାରେ ଆମକୁ କିଛି ଗୁରୁତ୍ୱପୂର୍ଣ୍ଣ କଥାକୁ ସଦାସର୍ବଦା ଧ୍ୟାନରେ ରଖିବାକୁ ପଡ଼ିବ। ଆମେ ଦେଖୁଛୁ, ଦୁନିଆର ବହୁତ ଦେଶ ବିକାଶ ଯାତ୍ରାରେ ନିର ସଂସ୍କୃତିଠାରୁ ଦୂରେଇ ଯାଉଛନ୍ତି। ସେମାନେ ନିଜର ପରମ୍ପରା ଭୁଲି ଗଲେଣି। ଭାରତରେ ଆମେ ନିଜର ପୁରାତନ ସଂସ୍କୃତିକୁ ସଂରକ୍ଷିତ କରି ରଖିବାର ଅଛି। ଆମକୁ ଧ୍ୟାନ ରଖିବାକୁ ପଡ଼ିବ, ଭାରତ ପରି ଦେଶରେ ଆମର ସଂସ୍କୃତି କେବଳ ଆମର ପରିଚୟ ସହିତ ଯୋଡ଼ି ହୋଇନି, ଆମର ସଂସ୍କୃତି ହିଁ ଆମର ସାମର୍ଥ୍ୟକୁ ବଳ ଦିଏ। ମୁଁ ବହୁତ ଖୁସି ଯେ, ଆନ୍ଦପୁର ଧାମ ଟ୍ରଷ୍ଟ ଏ ଦିଗରେ ଅନେକ କାମ କରୁଛି। ମୋର ବିଶ୍ୱାସ ଅଛି, ଆନନ୍ଦପୁର ଧାମର ସେବା କାର୍ଯ୍ୟ ବିକଶିତ ଭାରତର ସଂକଳ୍ପକୁ ନୂଆ ଶକ୍ତି ସହିତ ଆଗେଇ ନେବ। ପୁଣି ଥରେ ଆପଣ ସମସ୍ତଙ୍କୁ ବୈଶାଖୀ ଓ ଶ୍ରୀ ଗୁରୁ ମହାରା ଜୀ ଙ୍କ ଆବିର୍ଭାବର ଉତ୍ସବର ବହୁତ ବହୁତ ଅଭିନନ୍ଦନ ଦେଉଛି। ବହୁତ ବହୁତ ଅଭିନନ୍ଦନ। ଜୟ ଶ୍ରୀ ସଚ୍ଚିଦାନନ୍ଦ .  …

***

BSP


 

 

 

 

 


(रिलीज़ आईडी: 2160031) आगंतुक पटल : 10
इस विज्ञप्ति को इन भाषाओं में पढ़ें: Assamese , English , Urdu , हिन्दी , Marathi , Manipuri , Bengali , Punjabi , Gujarati , Tamil , Telugu , Kannada , Malayalam