ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ମୋର ପ୍ରିୟ ଭାଇ ଓ ଭଉଣୀମାନେ , ପରାକ୍ରମ ଦିବସ ଅବସରରେ ମୁଁ ଆପଣ ସମସ୍ତଙ୍କୁ ଶୁଭକାମନା ଜଣାଉଛି!
प्रविष्टि तिथि:
23 JAN 2025 2:25PM by PIB Bhubaneshwar
ଆଜି, ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜନ୍ମବାର୍ଷିକୀର ଏହି ପବିତ୍ର ଅବସରରେ, ସମଗ୍ର ଦେଶ ତାଙ୍କୁ ଶ୍ରଦ୍ଧାର ସହିତ ମନେ ପକାଉଛି। ମୁଁ ନେତାଜୀ ସୁଭାଷ ବାବୁଙ୍କୁ ମୋର ସମ୍ମାନଜନକ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି। ଏହି ବର୍ଷ ପରାକ୍ରମ ଦିବସର ମହାନ ଉତ୍ସବ ନେତାଜୀଙ୍କ ଜନ୍ମସ୍ଥାନରେ ଅନୁଷ୍ଠିତ ହେଉଛି। ଏଥିପାଇଁ ମୁଁ ଓଡ଼ିଶାବାସୀ ଏବଂ ଓଡ଼ିଶା ସରକାରଙ୍କୁ ଅଭିନନ୍ଦନ ଜଣାଉଛି। କଟକରେ ନେତାଜୀଙ୍କ ଜୀବନ ସହିତ ଜଡିତ ଏକ ବିଶାଳ ପ୍ରଦର୍ଶନୀ ମଧ୍ୟ ସ୍ଥାପନ କରାଯାଇଛି। ଏହି ପ୍ରଦର୍ଶନୀରେ ନେତାଜୀଙ୍କ ଜୀବନ ସହିତ ଜଡିତ ଅନେକ ଐତିହ୍ୟକୁ ଏକାଠି ସଂରକ୍ଷିତ କରାଯାଇଛି। ଅନେକ ଚିତ୍ରକର ନେତାଜୀଙ୍କ ଜୀବନ ଘଟଣାର ଚିତ୍ର କାନଭାସରେ ଆଙ୍କିଛନ୍ତି। ଏହା ସହିତ, ନେତାଜୀଙ୍କ ଉପରେ ଆଧାରିତ ଅନେକ ପୁସ୍ତକ ମଧ୍ୟ ସଂଗୃହୀତ କରା ଯାଇଛି । ନେତାଜୀଙ୍କ ଜୀବନ ଯାତ୍ରାର ଏହି ସମସ୍ତ ଐତିହ୍ୟ ମୋର ଯୁବ ଭାରତକୁ ଏକ ନୂତନ ଶକ୍ତି ପ୍ରଦାନ କରିବ।
ବନ୍ଧୁଗଣ,
ଆଜି, ଯେତେବେଳେ ଆମର ଦେଶ ଏକ ବିକଶିତ ଭାରତର ସଂକଳ୍ପ ହାସଲ କରିବାରେ ନିୟୋଜିତ ଅଛି। ଆମେ ନେତାଜୀ ସୁଭାଷଙ୍କ ଜୀବନରୁ ନିରନ୍ତର ପ୍ରେରଣା ପାଉଛୁ। ନେତାଜୀଙ୍କ ଜୀବନର ସବୁଠାରୁ ବଡ଼ ଲକ୍ଷ୍ୟ ଥିଲା - ଆଜାଦ ହିନ୍ଦ। ତାଙ୍କର ସଂକଳ୍ପ ହାସଲ କରିବା ପାଇଁ, ସେ କେବଳ ଗୋଟିଏ ମାନଦଣ୍ଡରେ ନିଜର ନିଷ୍ପତ୍ତି ପରୀକ୍ଷା କରିଥିଲେ - ଆଜାଦ ହିନ୍ଦ। ନେତାଜୀ ଏକ ଧନୀ ପରିବାରରେ ଜନ୍ମଗ୍ରହଣ କରିଥିଲେ, ସେ ସିଭିଲ ସର୍ଭିସେସ୍ ପରୀକ୍ଷାରେ ପାସ୍ କରିଥିଲେ। ଯଦି ସେ ଚାହିଁଥାନ୍ତେ, ସେ ବ୍ରିଟିଶ ଶାସନରେ ଜଣେ ବରିଷ୍ଠ ଅଧିକାରୀ ଭାବରେ ଏକ ଆରାମଦାୟକ ଜୀବନଯାପନ କରିପାରିଥାନ୍ତେ, କିନ୍ତୁ ସ୍ୱାଧୀନତା ପାଇଁ, ସେ କଷ୍ଟକୁ ବାଛିଥିଲେ। ସମସ୍ୟାକୁ ବାଛିଥିଲେ ଓ ଦେଶ ବିଦେଶରେ ବୁଲିବାକୁ ପସନ୍ଦ କରୁଥିଲେ। ନେତାଜୀ ସୁଭାଷ ବିଳାସପୂର୍ଣ୍ଣ ଜୀବନ ମଧ୍ୟରେ ଆବଦ୍ଧ ନଥିଲେ। ସେହିପରି, ଆଜି ଆମ ସମସ୍ତଙ୍କୁ ଏକ ବିକଶିତ ଭାରତ ଗଠନ ପାଇଁ ଆମର ବିଳାସପୂର୍ଣ୍ଣ ଜୀବନରୁ ବାହାରକୁ ଆସିବାକୁ ପଡିବ। ଆମକୁ ନିଜକୁ ବିଶ୍ୱ ସ୍ତରରେ ସର୍ବୋତ୍ତମ କରିବାକୁ ପଡିବ, ଉତ୍କର୍ଷତାକୁ ବାଛିବାକୁ ପଡିବ, ଆମକୁ ଦକ୍ଷତା ଉପରେ ଧ୍ୟାନ ଦେବାକୁ ପଡିବ।
ବନ୍ଧୁଗଣ,
ନେତାଜୀ ଦେଶର ସ୍ୱାଧୀନତା ପାଇଁ ଆଜାଦ ହିନ୍ଦ ଫୌଜ ଗଠନ କରିଥିଲେ। ଏଥିରେ ଦେଶର ପ୍ରତ୍ୟେକ ଅଞ୍ଚଳ ଏବଂ ପ୍ରତ୍ୟେକ ବର୍ଗର ପୁରୁଷ ଏବଂ ମହିଳାମାନେ ସାମିଲ ଥିଲେ। ସମସ୍ତଙ୍କ ଭାଷା ଭିନ୍ନ ଥିଲା, କିନ୍ତୁ ଭାବନା ଗୋଟିଏ ଥିଲା - ଦେଶର ସ୍ୱାଧୀନତା। ଏହି ଏକତା ଆଜି ବିକଶିତ ଭାରତ ପାଇଁ ଏକ ମହାନ ଶିକ୍ଷା। ତା'ପରେ ଆମକୁ ସ୍ୱରାଜ ପାଇଁ ଏକ ହେବାକୁ ପଡିଥିଲା। ଆଜି ଆମକୁ ବିକଶିତ ଭାରତ ପାଇଁ ଏକ ହେବାକୁ ପଡିବ। ଆଜି ଦେଶ ଏବଂ ବିଶ୍ୱର ସବୁଠି ଭାରତର ପ୍ରଗତି ପାଇଁ ଏକ ଅନୁକୂଳ ପରିବେଶ ରହିଛି। ଆମେ ଏହି ୨୧ ଶତାବ୍ଦୀକୁ ଭାରତର ଶତାବ୍ଦୀ କିପରି କରିବୁ ତାହା ଦେଖିବା ପାଇଁ ବିଶ୍ୱ ଭାରତ ଆଡକୁ ଚାହିଁ ରହିଛି ଏବଂ ଏପରି ଏକ ଗୁରୁତ୍ୱପୂର୍ଣ୍ଣ ସମୟରେ, ନେତାଜୀ ସୁଭାଷଙ୍କ ପ୍ରେରଣାରେ ଆମକୁ ଭାରତର ଏକତା ଉପରେ ଗୁରୁତ୍ୱ ଦେବାକୁ ପଡିବ। ଆମକୁ ଦେଶକୁ ଦୁର୍ବଳ କରିବାକୁ ଚାହୁଁଥିବା, ଦେଶର ଏକତାକୁ ଭାଙ୍ଗିବାକୁ ଚାହୁଁଥିବା ଲୋକଙ୍କଠାରୁ ମଧ୍ୟ ସତର୍କ ରହିବାକୁ ପଡିବ।
ବନ୍ଧୁଗଣ,
ନେତାଜୀ ସୁଭାଷ ଭାରତର ଐତିହ୍ୟ ଉପରେ ବହୁତ ଗର୍ବିତ ଥିଲେ। ସେ ପ୍ରାୟତଃ ଭାରତର ସମୃଦ୍ଧ ଗଣତାନ୍ତ୍ରିକ ଇତିହାସ ବିଷୟରେ ଆଲୋଚନା କରୁଥିଲେ । ଏଥିରୁ ପ୍ରେରଣା ନେବା ସପକ୍ଷରେ ସେ ଥିଲେ। ଆଜି ଭାରତ ଦାସତ୍ୱର ମାନସିକତାରୁ ବାହାରକୁ ଆସୁଛି। ନିଜର ଐତିହ୍ୟ ଉପରେ ଗର୍ବିତ ହେବା ସହିତ ବିକାଶ କରୁଛି। ମୁଁ ଭାଗ୍ୟବାନ ଯେ ଆଜାଦ ହିନ୍ଦ ସରକାରର ୭୫ ବର୍ଷ ପୂରଣ ହେବା ଅବସରରେ ଲାଲକିଲ୍ଲାରେ ତ୍ରିରଙ୍ଗା ଉତ୍ତୋଳନ କରିବାର ସୁଯୋଗ ମୋତେ ମିଳିଥିଲା। ମୁଁ ସେହି ଐତିହାସିକ ଘଟଣାକୁ କେବେ ଭୁଲିପାରିବି ନାହିଁ। ନେତାଜୀଙ୍କ ଐତିହ୍ୟରୁ ପ୍ରେରଣା ନେଇ, ଆମ ସରକାର ୨୦୧୯ରେ ଦିଲ୍ଲୀର ଲାଲକିଲ୍ଲାରେ ନେତାଜୀ ସୁଭାଷଙ୍କ ପାଇଁ ଉତ୍ସର୍ଗୀକୃତ ଏକ ସଂଗ୍ରହାଳୟ ନିର୍ମାଣ କରିଥିଲେ। ସେହି ବର୍ଷ ସୁଭାଷ ଚନ୍ଦ୍ର ବୋଷ ବିପର୍ଯ୍ୟୟ ପରିଚାଳନା ପୁରସ୍କାର ଆରମ୍ଭ ହୋଇଥିଲା। ୨୦୧୧ ରେ, ସରକାର ନିଷ୍ପତ୍ତି ନେଇଥିଲେ ଯେ ନେତାଜୀଙ୍କ ଜନ୍ମବାର୍ଷିକୀକୁ ଏବେ ପରାକ୍ରମ ଦିବସ ଭାବରେ ପାଳନ କରାଯିବ। ଇଣ୍ଡିଆ ଗେଟ୍ ନିକଟରେ ନେତାଜୀଙ୍କ ଏକ ବିଶାଳ ପ୍ରତିମୂର୍ତ୍ତି ସ୍ଥାପନ, ଆଣ୍ଡାମାନରେ ନେତାଜୀଙ୍କ ନାମରେ ଦ୍ୱୀପ ନାମକରଣ, ଗଣତନ୍ତ୍ର ଦିବସ ପରେଡରେ ଆଇଏନ ସୈନିକମାନଙ୍କୁ ଶ୍ରଦ୍ଧାଞ୍ଜଳି ଦେବା, ସରକାରଙ୍କ ଏହି ଭାବନାର ପ୍ରତୀକ ଅଟେ ।
ବନ୍ଧୁଗଣ,
ଗତ ୧୦ ବର୍ଷ ମଧ୍ୟରେ, ଦେଶ ଏହା ମଧ୍ୟ ଦେଖାଇଛି ଯେ ଦ୍ରୁତ ବିକାଶ ସାଧାରଣ ଲୋକଙ୍କ ଜୀବନକୁ ସହଜ କରିଥାଏ ଏବଂ ସାମରିକ ଶକ୍ତି ମଧ୍ୟ ବୃଦ୍ଧି କରିଥାଏ। ଗତ ଦଶନ୍ଧିରେ, ୨୫ କୋଟି ଭାରତୀୟଙ୍କୁ ଦାରିଦ୍ର୍ୟରୁ ମୁକ୍ତ କରାଯାଇଛି, ଏହା ଏକ ବଡ଼ ସଫଳତା। ଆଜି, ଗାଁ ହେଉ କି ସହର ସବୁଠି ଆଧୁନିକ ଭିତ୍ତିଭୂମି ନିର୍ମାଣ ହେଉଛି, ଏବଂ ଭାରତୀୟ ସେନାର ଶକ୍ତି ମଧ୍ୟ ଅଭୂତପୂର୍ବ ଭାବରେ ବୃଦ୍ଧି ପାଇଛି। ଆଜି, ବିଶ୍ୱ ସ୍ତରରେ ଭାରତର ଭୂମିକା ବୃଦ୍ଧି ପାଉଛି, ଭାରତର ସ୍ୱର ଜୋରଦାର ହେଉଛି। ସେହି ଦିନ ଦୂର ନୁହେଁ ଯେତେବେଳେ ଭାରତ ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥନୈତିକ ଶକ୍ତି ହେବ। ନେତାଜୀ ସୁଭାଷଙ୍କ ଦ୍ୱାରା ଅନୁପ୍ରାଣିତ ହୋଇ, ଆମକୁ ଗୋଟିଏ ଲକ୍ଷ୍ୟ ଏବଂ ଗୋଟିଏ ଉଦ୍ଦେଶ୍ୟ ସହିତ ଏକ ବିକଶିତ ଭାରତ ପାଇଁ କାମ କରିବାକୁ ପଡିବ ଏବଂ ଏହା ହିଁ ନେତାଜୀଙ୍କ ପ୍ରତି ଆମର ପ୍ରକୃତ ଶ୍ରଦ୍ଧାଞ୍ଜଳି ହେବ। ପୁଣିଥରେ, ଆପଣମାନଙ୍କୁ ସମସ୍ତଙ୍କୁ ଶୁଭକାମନା, ଧନ୍ୟବାଦ!
****
SPD
(रिलीज़ आईडी: 2159623)
आगंतुक पटल : 9
इस विज्ञप्ति को इन भाषाओं में पढ़ें:
English
,
Urdu
,
हिन्दी
,
Marathi
,
Manipuri
,
Bengali
,
Assamese
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam