ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
କ୍ରୋଏସିଆ ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କଲେ ପ୍ରଧାନମନ୍ତ୍ରୀ
Posted On:
18 JUN 2025 11:40PM by PIB Bhubaneshwar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଜଗ୍ରେବଠାରେ କ୍ରୋଏସିଆ ଗଣରାଜ୍ୟର ପ୍ରଧାନମନ୍ତ୍ରୀ ମହାମହିମ ଶ୍ରୀ ଆନ୍ଦ୍ରେଜ୍ ପ୍ଲେଙ୍କୋଭିଚଙ୍କୁ ସାକ୍ଷାତ କରିଛନ୍ତି। କୌଣସି ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଏହା କ୍ରୋଏସିଆକୁ ପ୍ରଥମ ଗସ୍ତ। ତେଣୁ ଏହା ଭାରତ-କ୍ରୋଏସିଆ ସମ୍ପର୍କରେ ଏକ ଐତିହାସିକ ମାଇଲଖୁଣ୍ଟ। ଐତିହାସିକ ବ୍ୟାଁସ୍କି ଡ୍ୱୋରୀ ପ୍ୟାଲେସରେ ପହଞ୍ଚିବା ପରେ, ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀଙ୍କୁ ପ୍ରଧାନମନ୍ତ୍ରୀ ପ୍ଲେଙ୍କୋଭିଚ୍ ସ୍ୱାଗତ କରିଥିଲେ ଏବଂ ଏହି ଅବସରରେ ତାଙ୍କୁ ପାରମ୍ପରିକ ଢଙ୍ଗରେ ମଧ୍ୟ ସ୍ୱାଗତ କରାଯାଇଥିଲା। ପୂର୍ବରୁ ଜଗ୍ରେବ ବିମାନବନ୍ଦରରେ, ପ୍ରଧାନମନ୍ତ୍ରୀ ପ୍ଲେଙ୍କୋଭିଚ ପ୍ରଧାନମନ୍ତ୍ରୀଙ୍କୁ ଏକ ସ୍ୱତନ୍ତ୍ର ଏବଂ ସୌହାର୍ଦ୍ଦ୍ୟପୂର୍ଣ୍ଣ ସ୍ୱାଗତ ଜଣାଇଥିଲେ।
ଦୁଇ ନେତା ପ୍ରତିନିଧି ସ୍ତରୀୟ ଆଲୋଚନା କରିଥିଲେ। ସେମାନେ ଦୁଇ ଦେଶ ମଧ୍ୟରେ ବାଣିଜ୍ୟ ଓ ନିବେଶ, ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା, ପ୍ରତିରକ୍ଷା ଓ ସୁରକ୍ଷା, ମହାକାଶ ଓ ସାଂସ୍କୃତିକ ସହଯୋଗ ଏବଂ ଲୋକ ସମ୍ପର୍କ ସମେତ ଦ୍ୱିପାକ୍ଷିକ ସହଭାଗୀତାର ବିଭିନ୍ନ ଦିଗ ଉପରେ ବ୍ୟାପକ ଆଲୋଚନା କରିଥିଲେ। ଭିତ୍ତିଭୂମି, ବନ୍ଦର ଏବଂ ଜାହାଜ ଚଳାଚଳ, ଡିଜିଟାଲାଇଜେସନ୍, ଏଆଇ, ଅକ୍ଷୟ ଶକ୍ତି, ଔଷଧ ଓ ପର୍ଯ୍ୟଟନ ଏବଂ ଆତିଥ୍ୟ ଭଳି କ୍ଷେତ୍ରରେ ସହଯୋଗ ବୃଦ୍ଧି କରିବା ପାଇଁ ଗୁରୁତ୍ୱପୂର୍ଣ୍ଣ ସୁଯୋଗ ରହିଛି ବୋଲି ଦୁଇ ନେତା ସହମତ ହୋଇଥିଲେ। ସେମାନେ ଉଲ୍ଲେଖ କରିଥିଲେ ଯେ କ୍ରୋଏସିଆରେ ଭାରତୀୟ ସଂସ୍କୃତି, ଭାରତର ବିଜ୍ଞାନ ଏବଂ ଯୋଗର ଲୋକପ୍ରିୟତା ଦୁଇ ଦେଶର ଲୋକଙ୍କୁ ନିକଟତର କରିଛି। ପ୍ରଧାନମନ୍ତ୍ରୀ ୨୧ ଜୁନ୍ ରେ ହେବାକୁ ଥିବା ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ ପାଇଁ କ୍ରୋଏସିଆର ସମସ୍ତ ଯୋଗପ୍ରେମୀମାନଙ୍କୁ ଶୁଭକାମନା ଜଣାଇଥିଲେ।
ନେତାମାନେ ଷ୍ଟାର୍ଟ-ଅପ୍ ଏବଂ ନବସୃଜନ କ୍ଷେତ୍ରରେ ସହଭାଗୀତା ପାଇଁ କିଛି ଦିନ ମଧ୍ୟରେ ଗ୍ରହଣ କରାଯାଇଥିବା ପଦକ୍ଷେପଗୁଡ଼ିକ ଉଲ୍ଲେଖ କରିଥିଲେ। ସେମାନେ ଉଭୟ ଦେଶରେ ସମାବେଶୀ ଓ ଦୀର୍ଘସ୍ଥାୟୀ ଅଭିବୃଦ୍ଧିକୁ ପ୍ରୋତ୍ସାହିତ କରିବା ପାଇଁ ଆପୋସ ବ୍ୟବସାୟ ସହଯୋଗକୁ ପ୍ରୋତ୍ସାହିତ କରିବା ଏବଂ ନିବେଶ ସହଭାଗୀତା ଓ ମିଳିତ ଉଦ୍ୟମକୁ ସହଜ କରିବାର ଆବଶ୍ୟକତାକୁ ସ୍ୱୀକାର କରିଥିଲେ। ଏହି ଦିଗରେ, ପ୍ରଧାନମନ୍ତ୍ରୀ ମୋଦୀ ପରାମର୍ଶ ଦେଇଥିଲେ ଯେ କ୍ରୋଏସିଆ ଭାରତର ଦକ୍ଷ ପ୍ରତିଭା ଭଣ୍ଡାରକୁ ବ୍ୟବହାର କରିପାରିବ। ପରିବହନ କ୍ଷେତ୍ରରେ ସଂସ୍ଥାଗତ ସହଯୋଗ ପ୍ରତିଷ୍ଠା କରିବାକୁ ସେ ଆହ୍ୱାନ କରିଥିଲେ। ସେମାନେ ଭାରତ-ପଶ୍ଚିମ ଏସିଆ-ୟୁରୋପ ଆର୍ଥିକ କରିଡର [ଆଇଏମଇସି] ମାଧ୍ୟମରେ ସଂଯୋଗୀକରଣକୁ ଉନ୍ନତ କରିବାର ଗୁରୁତ୍ୱ ଉପରେ ସହମତ ହୋଇଥିଲେ। କେନ୍ଦ୍ରୀୟ ଓ ଦକ୍ଷିଣ-ପୂର୍ବ ୟୁରୋପ ପାଇଁ କ୍ରୋଏସିଆ ଭାରତର ପ୍ରବେଶପଥ ଭାବରେ କାର୍ଯ୍ୟ କରିପାରିବ।
ନେତାମାନେ ପାରସ୍ପରିକ ହିତ ସହ ଜଡ଼ିତ ଗୁରୁତ୍ୱପୂର୍ଣ୍ଣ ଆଞ୍ଚଳିକ ଏବଂ ବିଶ୍ୱସ୍ତରୀୟ ପ୍ରସଙ୍ଗ ଉପରେ ମଧ୍ୟ ଆଲୋଚନା କରିଥିଲେ। ସେମାନେ ଜାତିସଂଘ ଏବଂ ଅନ୍ୟାନ୍ୟ ଅନ୍ତର୍ଜାତୀୟ ପ୍ରତିଷ୍ଠାନର ସଂସ୍କାର, ଜଳବାୟୁ ପରିବର୍ତ୍ତନ କାର୍ଯ୍ୟ ଏବଂ ଆତଙ୍କବାଦ ଦ୍ୱାରା ସୃଷ୍ଟି ହୋଇଥିବା ବିପଦ ଉପରେ ମତ ବିନିମୟ କରିଥିଲେ। ଆତଙ୍କବାଦ ବିରୋଧରେ ଭାରତକୁ କ୍ରୋଏସିଆର ଦୃଢ଼ ସମର୍ଥନ ପାଇଁ ପ୍ରଧାନମନ୍ତ୍ରୀ ପ୍ଲେଙ୍କୋଭିଚଙ୍କୁ ଶ୍ରୀ ମୋଦୀ ଧନ୍ୟବାଦ ଜଣାଇଥିଲେ। ଭାରତ-ୟୁରୋପୀୟ ସଂଘ ରଣନୀତିକ ସମ୍ପର୍କର ଗଭୀରତାରେ ଦୁଇ ନେତା ସନ୍ତୋଷ ପ୍ରକାଶ କରିଥିଲେ ଏବଂ ଭାରତ-ୟୁରୋପୀୟ ସଂଘ ମୁକ୍ତ ବାଣିଜ୍ୟ ଚୁକ୍ତିନାମାର ଶୀଘ୍ର ସମ୍ପାଦନ ପ୍ରତି ନିଜର ସମର୍ଥନ ଜଣାଇଥିଲେ।
ଆଲୋଚନା ପରେ, କୃଷି, ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ଏବଂ ସଂସ୍କୃତି କ୍ଷେତ୍ରରେ ଚାରୋଟି ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଥିଲା। ଏଥିସହିତ ହିନ୍ଦୀ ଚେୟାରର ନବୀକରଣ କରାଯାଇଥିଲା। ଏହି ଅବସରରେ ଏକ ମିଳିତ ବିବୃତ୍ତି ଜାରି କରାଯାଇଥିଲା [ଲିଙ୍କ୍]।
ପ୍ରଧାନମନ୍ତ୍ରୀ ପ୍ଲେଙ୍କୋଭିଚ୍ ପ୍ରଧାନମନ୍ତ୍ରୀଙ୍କ ସମ୍ମାନରେ ଏକ ରାତ୍ରୀଭୋଜନର ଆୟୋଜନ କରିଥିଲେ। ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଦୁଇ ଦେଶ ପାଇଁ ସୁବିଧାଜନ ସମୟରେ ଭାରତ ଗସ୍ତ କରିବାକୁ ପ୍ରଧାନମନ୍ତ୍ରୀ ଫ୍ଲେଙ୍କୋଭିଚଙ୍କୁ ନିମନ୍ତ୍ରଣ କରିଥିଲେ।
***
PS
(Release ID: 2158873)
Visitor Counter : 4
Read this release in:
English
,
Urdu
,
Marathi
,
Hindi
,
Assamese
,
Bengali
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam