କ୍ୟାବିନେଟ
ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା ଉପଭୋକ୍ତାଙ୍କ ପାଇଁ ଜାରି ରହିବ ସବସିଡି ସୁବିଧା
୨୦୨୫-୨୬ ଆର୍ଥିକ ବର୍ଷରେ ଲକ୍ଷ୍ୟବଦ୍ଧ ସବସିଡି ଜାରି ରଖିବା ନିମନ୍ତେ ୧୨ ହଜାର କୋଟି ଟଙ୍କାର ବ୍ୟୟବରାଦକୁ କେନ୍ଦ୍ର କ୍ୟାବିନେଟ ମଞ୍ଜୁରି
Posted On:
08 AUG 2025 4:00PM by PIB Bhubaneshwar
୨୦୨୫-୨୬ ଆର୍ଥିକ ବର୍ଷରେ ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନାର ହିତାଧିକାରୀଙ୍କ ପାଇଁ ସବସିଡି ସୁବିଧା ଜାରି ରହିବ। ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ ବୈଠକରେ ଆଜି ଏହି ପ୍ରସ୍ତାବକୁ ମଞ୍ଜୁର କରାଯାଇଛି। ଏହି ଯୋଜନାରେ ହିତାଧିକାରୀଙ୍କୁ ୧୪.୨ କିଲୋଗ୍ରାମ ସିଲିଣ୍ଡର ପିଛା ୩୦୦ ଟଙ୍କାର ସବସିଡି ପ୍ରଦାନ କରାଯାଇଥାଏ। ଜଣେ ହିତାଧିକାରୀ ବାର୍ଷିକ ୯ଟି ସିଲିଣ୍ଡର ପର୍ଯ୍ୟନ୍ତ ଏହି ସବସିଡି ପାଇପାରିବେ।
ସାରା ଦେଶରେ ଗରିବ ପରିବାରର ମହିଳାମାନଙ୍କୁ ମାଗଣା ଏଲପିଜି ସଂଯୋଗ ଦେବାର ଲକ୍ଷ୍ୟ ନେଇ ୨୦୧୬ ମଇ ମାସରେ ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା (ପିଏମୟୁୱାଇ)ର ଶୁଭାରମ୍ଭ କରାଯାଇଥିଲା। ଜୁଲାଇ ପହିଲା ୨୦୨୫ ସୁଦ୍ଧା ଏହି ଯୋଜନାର ମୋଟ୍ ୧୦.୩୩ କୋଟି ହିତାଧିକାରୀ ରହିଛନ୍ତି ।
ସମସ୍ତ ପିଏମୟୁୱାଇ ହିତାଧିକାରୀମାନେ ମାଗଣା ଏଲପିଜି ସଂଯୋଗ ପାଇଥା’ନ୍ତି। ଏଥିରେ ସିଲିଣ୍ଡରର ସୁରକ୍ଷା ଜମାରାଶି, ପ୍ରେସର ରେଗୁଲେଟର୍, ସୁରକ୍ଷା ହୋସ୍, ଘରୋଇ ଗ୍ୟାସ୍ ଉପଭୋକ୍ତା କାର୍ଡ ପୁସ୍ତିକା ଏବଂ ସଂଯୋଗ ଶୁଳ୍କ ଅନ୍ତର୍ଭୁକ୍ତ। ଉଜ୍ଜ୍ୱଳା ୨.୦ର ବର୍ତ୍ତମାନର ପଦ୍ଧତି ଅନୁଯାୟୀ, ସମସ୍ତ ହିତାଧିକାରୀଙ୍କୁ ପ୍ରଥମ ରିଫିଲ୍ ଏବଂ ଚୁଲା ମଧ୍ୟ ମାଗଣାରେ ପ୍ରଦାନ କରାଯାଏ। ପିଏମୟୁୱାଇ ହିତାଧିକାରୀମାନଙ୍କୁ ଏଲପିଜି ସଂଯୋଗ କିମ୍ବା ପ୍ରଥମ ରିଫିଲ୍ କିମ୍ବା ଚୁଲା ପାଇଁ କୌଣସି ଦେୟ ଦେବାକୁ ପଡ଼ିବ ନାହିଁ। ଏଗୁଡ଼ିକର ଖର୍ଚ୍ଚ ଭାରତ ସରକାର/ତୈଳ ବିପଣନ କମ୍ପାନୀ ଦ୍ୱାରା ବହନ କରାଯାଏ।
ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନାର ଉପଭୋକ୍ତାଙ୍କ ପାଇଁ ଲକ୍ଷ୍ୟବଦ୍ଧ ସବସିଡି ସୁବିଧା: ଭାରତ ଏହାର ପ୍ରାୟ ୬୦% ଏଲପିଜି ଆବଶ୍ୟକତା ଆମଦାନୀରୁ ଭରଣା କରିଥାଏ। ଉଜ୍ଜ୍ୱଳା ଯୋଜନାର ହିତାଧିକାରୀଙ୍କୁ ସୁରକ୍ଷା ଦେବା, ସେମାନଙ୍କୁ ସୁଲଭ ଦରରେ ଏଲପିଜି ଯୋଗାଇ ଦେବା ଏବଂ ନିରନ୍ତର ଏଲପିଜି ବ୍ୟବହାର ସୁନିଶ୍ଚିତ କରିବା ଲାଗି ସରକାର ୨୦୨୨ ମଇରେ ଉଜ୍ଜ୍ୱଳା ଉପଭୋକ୍ତାମାନଙ୍କୁ ପ୍ରତି ୧୪.୨ କିଲୋଗ୍ରାମ ସିଲିଣ୍ଡର ପିଛା ୨୦୦ ଟଙ୍କାର ଲକ୍ଷ୍ୟବଦ୍ଧ ସବସିଡି ଆରମ୍ଭ କରିଥିଲେ। ଅକ୍ଟୋବର ୨୦୨୩ରେ, ସରକାର ୧୨ ରିଫିଲ ପର୍ଯ୍ୟନ୍ତ ପ୍ରତି ୧୪.୨ କିଲୋଗ୍ରାମ ସିଲିଣ୍ଡର ପାଇଁ ଲକ୍ଷ୍ୟବଦ୍ଧ ସବସିଡିକୁ ୩୦୦ ଟଙ୍କାକୁ ବୃଦ୍ଧି କରିଥିଲେ।
ଉଜ୍ଜ୍ୱଳା ହିତାଧିକାରୀଙ୍କ ଦ୍ୱାରା ଏଲପିଜି ଉପଯୋଗ ବୃଦ୍ଧି ପାଇଛି। ୨୦୧୯-୨୦ରେ ପିଏମୟୁଆଇ ଉପଭୋକ୍ତାମାନେ ହାରାହାରୀ ୩ଟି ରିଫିଲ୍ କରୁଥିବା ବେଳେ ୨୦୨୨-୨୩ରେ ଏହା ୩.୬୮ ଏବଂ ୨୦୨୪-୨୫ରେ ଏହା ୪.୪୭ ରିଫିଲକୁ ବୃଦ୍ଧି ପାଇଛି ।
*****
PS
(Release ID: 2154386)
Read this release in:
Telugu
,
Malayalam
,
English
,
Urdu
,
Marathi
,
Hindi
,
Bengali
,
Assamese
,
Manipuri
,
Punjabi
,
Gujarati
,
Tamil
,
Kannada