ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ପ୍ରଧାନମନ୍ତ୍ରୀଙ୍କ ଘାନା, ତ୍ରିନିଦାଦ ଏବଂ ଟୋବାଗୋ, ଆର୍ଜେଣ୍ଟିନା, ବ୍ରାଜିଲ ଏବଂ ନାମିବିୟା ଗସ୍ତ (ଜୁଲାଇ ୦୨-୦୯)
Posted On:
27 JUN 2025 10:03PM by PIB Bhubaneshwar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜୁଲାଇ ୦୨- ୦୩, ୨୦୨୫ରେ ଘାନା ଗସ୍ତରେ ଯିବେ । ଏହା ପ୍ରଧାନମନ୍ତ୍ରୀଙ୍କ ପ୍ରଥମ ଦ୍ୱିପକ୍ଷୀୟ ଘାନା ଗସ୍ତ । ତିନି ଦଶନ୍ଧି ପରେ ଭାରତର କୌଣସି ପ୍ରଧାନମନ୍ତ୍ରୀ ଘାନା ଗସ୍ତରେ ଯାଉଛନ୍ତି । ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ ଘାନାର ରାଷ୍ଟ୍ରପତିଙ୍କ ସହ ଆଲୋଚନା କରିବେ । ଦୃଢ଼ ଦ୍ୱିପାକ୍ଷିକ ସହଯୋଗର ସେ ସମୀକ୍ଷା କରିବା ସହ ଆର୍ଥିକ, ଶକ୍ତି, ପ୍ରତିରକ୍ଷା କ୍ଷେତ୍ରରେ ସମ୍ପର୍କ ଏବଂ ସହଭାଗିତା ସହଯୋଗ ବୃଦ୍ଧିର ସୁଯୋଗ ବାବଦରେ ଆଲୋଚନା କରିବେ । ଏହି ଗସ୍ତ ଦ୍ୱିପାକ୍ଷିକ ସମ୍ପର୍କକୁ ବୃଦ୍ଧି କରିବା ଦିଗରେ ଦୁଇ ଦେଶର ପ୍ରତିବଦ୍ଧତାକୁ ନିଶ୍ଚିତ କରିବା ସହ ଇକୋୱାସ (ଇକୋନୋମିକ କମୁ୍ୟନିଟି ଅଫ ୱେଷ୍ଟ ଆଫ୍ରିକା ଷ୍ଟେଟସ ) ଏବଂ ଆଫ୍ରିକାନ ୟୁନିଅନରେ ଭାରତର ସହଭାଗିତାକୁ ଦୃଢ଼ କରିବ ।
ଗସ୍ତର ଦ୍ୱିତୀୟ ପର୍ଯ୍ୟାୟରେ ତ୍ରିନିଦାଦ ଓ ଟୋବାଗୋ ରିପବ୍ଲିକର ପ୍ରଧାନମନ୍ତ୍ରୀ ମହାମହିମ କମଲା ପରସାଦ ବିସେସାରଙ୍କ ନିମନ୍ତ୍ରଣ କ୍ରମେ ପ୍ରଧାନମନ୍ତ୍ରୀ ଜୁଲାଇ ୦୩-୦୪, ୨୦୨୫ରେ ତ୍ରିନିଦାଦ ଓ ଟୋବାଗୋକୁ ସରକାରୀ ଗସ୍ତରେ ଯିବେ । ପ୍ରଧାନମନ୍ତ୍ରୀ ଭାବେ ଏହା ତାଙ୍କର ତ୍ରିନିଦାଦ ଓ ଟୋବାଗୋକୁ ପ୍ରଥମ ଗସ୍ତ ହେବ । ୧୯୯୯ ମସିହା ପରେ ପ୍ରଥମ ଦ୍ୱିପକ୍ଷୀୟ ପ୍ରଧାନମନ୍ତ୍ରୀ ସ୍ତରୀୟ ଗସ୍ତ । ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ ତ୍ରିନିଦାଦ ଓ ଟୋବାଗୋର ରାଷ୍ଟ୍ରପତି ମହାମହିମ ଖ୍ରୀଷ୍ଟିନେ କାର୍ଲା କଙ୍ଗାଲୋଙ୍କ ସହ ଭାରତ ଓ ତ୍ରିନିଦାଦ-ଟୋବାଗୋ ସମ୍ପର୍କକୁ ସୁଦୃଢ଼ କରିବାକୁ ଆଲୋଚନା କରିବେ । ତ୍ରିନିଦାଦ ଓ ଟୋବାଗୋ ସଂସଦର ମିଳିତ ଅଧିବେଶନକୁ ସମ୍ବୋଧିତ କରିବା ଆଶା କରାଯାଏ । ପ୍ରଧାନମନ୍ତ୍ରୀଙ୍କ ଗସ୍ତ ଦୁଇ ଦେଶ ମଧ୍ୟରେ ଥିବା ଗଭୀର ଓ ଐତିହାସିକ ସମ୍ପର୍କକୁ ତାଜା ପ୍ରେରଣା ଦେବ ।
ଗସ୍ତର ତୃତୀୟ ପର୍ଯ୍ୟାୟରେ ରିପବ୍ଲିକ ଅଫ ଆର୍ଜେଣ୍ଟିନାର ରାଷ୍ଟ୍ରପତି ମହାମହିମ ଜାଭିଏର ମିଲେଇଙ୍କ ନିମନ୍ତ୍ରଣ କ୍ରମେ ପ୍ରଧାନମନ୍ତ୍ରୀ ଜୁଲାଇ ୦୪-୦୫, ୨୦୨୫ରେ ସରକାରୀ ଗସ୍ତରେ ଆର୍ଜେଣ୍ଟିନା ଯିବେ । ରାଷ୍ଟ୍ରପତି ମିଲେଇଙ୍କ ସହ ପ୍ରଧାନମନ୍ତ୍ରୀ ଦ୍ୱିପାକ୍ଷିକ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି । ଏହି ଅବସରରେ ପ୍ରତିରକ୍ଷା, କୃଷି, ଖଣି, ତୈଳ ଏବଂ ଗ୍ୟାସ୍, ନବୀକରଣୀୟ ଶକ୍ତି, ବାଣିଜ୍ୟ ଏବଂ ନିବେଶ ଏବଂ ଲୋକଙ୍କ ମଧ୍ୟରେ ପାରସ୍ପରିକ ସମ୍ପର୍କ ଆଦି ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ଭାରତ ଓ ଆର୍ଜେଣ୍ଟିନା ମଧ୍ୟରେ ସହଯୋଗ ଓ ସହଭାଗିତାକୁ ଅଧିକ ସୁଦୃଢ଼ କରିବା ଉପରେ ଆଲୋଚନା ହେବ । ପ୍ରଧାନମନ୍ତ୍ରୀଙ୍କ ଦ୍ୱିପକ୍ଷୀୟ ଗସ୍ତ ଭାରତ ଓ ଆର୍ଜେଣ୍ଟିନା ମଧ୍ୟରେ ବହୁମୁଖୀ ରଣନୀତିକ ସହଯୋଗିତାକୁ ଅଧିକ ଗଭୀର କରିବ ।
ଗସ୍ତର ଚତୁର୍ଥ ପର୍ଯ୍ୟାୟରେ ଫେଡେରେଟିଭ ରିପବ୍ଲିକ ଅଫ ବ୍ରାଜିଲର ରାଷ୍ଟ୍ରପତି ମହାମହିମ ଲୁଇଜ ଇନାସିଡ ଲୁଲା ଦା ସିଲଭାଙ୍କ ନିମନ୍ତ୍ରଣ କ୍ରମେ ପ୍ରଧାନମନ୍ତ୍ରୀ ଜୁଲାଇ ୫୦୮, ୨୦୨୫ରେ ବ୍ରାଜିଲ ଗସ୍ତରେ ଯିବେ । ଏହି ସରକାରୀ ଗସ୍ତ ଅବସରରେ ସେ ସପ୍ତଦଶ ବ୍ରିକ୍ସ ଶିଖର ସମ୍ମିଳନୀରେ ଯୋଗ ଦେବେ । ଏହା ହେବ ପ୍ରଧାନମନ୍ତ୍ରୀଙ୍କ ଚତୁର୍ଥ ବ୍ରାଜିଲ ଗସ୍ତ । ସପ୍ତଦଶ ବ୍ରିକ୍ସ ନେତାଙ୍କ ଶିଖର ସମ୍ମିଳନୀ ରିଓ ଡି ଜେନେରୋରେ ଅନୁଷ୍ଠିତ ହେବ । ଶିଖର ସମ୍ମିଳନୀ ଅବସରରେ ପ୍ରଧାନମନ୍ତ୍ରୀ ବୈଶ୍ୱିକ ପ୍ରଶାସନରେ ସଂସ୍କାର, ଶାନ୍ତି ଓ ନିରାପତ୍ତା, ବହୁପକ୍ଷବାଦକୁ ସୁଦୃଢ଼ କରିବା, ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସର ସଦବ୍ୟବହାର, ଜଳବାୟୁ କାର୍ଯ୍ୟାନୁଷ୍ଠାନ, ବୈଶ୍ୱିକ ସ୍ୱାସ୍ଥ୍ୟ, ଆର୍ଥିକ ଏବଂ ବିତ୍ତୀୟ ବ୍ୟବସ୍ଥା ଆଦି ସମେତ ଅନେକ ବୈଶ୍ୱିକ ପ୍ରସଙ୍ଗରେ ମତ ବିନିମୟ କରିବେ । ଶିଖର ସମ୍ମିଳନୀ ଅବସରରେ ପ୍ରଧାନମନ୍ତ୍ରୀ ଅନେକ ଦ୍ୱିପାକ୍ଷିକ ବୈଠକରେ ମଧ୍ୟ ଯୋଗଦେବେ । ବ୍ରାଜିଲକୁ ସରକାରୀ ଗସ୍ତ ଭାବେ ପ୍ରଧାନମନ୍ତ୍ରୀ ବ୍ରାସିଲିଆ ଯିବେ, ଯେଉଁଠି କି ସେ ରାଷ୍ଟ୍ରପତି ଲୁଲାଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବେ । ଦୁଇ ରାଷ୍ଟ୍ର ମଧ୍ୟରେ ବାଣିଜ୍ୟ, ପ୍ରତିରକ୍ଷା, ଶକ୍ତି,ମହାକାଶ, ପ୍ରଯୁକ୍ତି ବିଦ୍ୟା, କୃଷି, ସ୍ୱାସ୍ଥ୍ୟ ଏବଂ ଜନସାଧାରଣଙ୍କ ମଧ୍ୟରେ ପାରସ୍ପରିକ ସମ୍ପର୍କ ଆଦି କ୍ଷେତ୍ରରେ ରଣନୀତିକ ସହଭାଗିତାକୁ ବିସ୍ତାର କରିବା ପ୍ରସଙ୍ଗ ଆଲୋଚନାରେ ସ୍ଥାନ ପାଇବ ।
ଗସ୍ତର ଶେଷ ପର୍ଯ୍ୟାୟରେ ନାମିବିୟା ରିପବ୍ଲିକର ରାଷ୍ଟ୍ରପତି ମହାମହିମ ଡ. ନେତୁମ୍ବୋ ନନ୍ଦି-ଦାୟିତ୍ୱାହଙ୍କ ନିମନ୍ତ୍ରଣ କ୍ରମେ ପ୍ରଧାନମନ୍ତ୍ରୀ ଜୁଲାଇ ୦୫, ୨୦୨୫ରେ ନାମିବିୟାକୁ ସରକାରୀ ଗସ୍ତରେ ଯିବେ । ପ୍ରଧାନମନ୍ତ୍ରୀଙ୍କ ଏହା ପ୍ରଥମ ନାବିମିୟା ଗସ୍ତ ଏବଂ ଭାରତର ପ୍ରଧାନମନ୍ତ୍ରୀସ୍ତରୀୟ ତୃତୀୟ ଗସ୍ତ । ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ ନାମିବିୟା ରାଷ୍ଟ୍ରପତି ନନ୍ଦି- ଦାୟିତ୍ୱାହଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବେ । ପ୍ରଧାନମନ୍ତ୍ରୀ ମଧ୍ୟ ନାମିବିୟାର ପ୍ରତିଷ୍ଠାତା ଜନକ ତଥା ପ୍ରଥମ ରାଷ୍ଟ୍ରପତି ସ୍ୱର୍ଗତ ଡ. ସାମ ନୁଜୋମାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବେ । ନାମିବିୟା ସଂସଦକୁ ମଧ୍ୟ ସେ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି । ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତ ନାମିବିୟା ସହ ଭାରତର ଥିବା ଗଭୀର ଓ ଐତିହାସିକ ସମ୍ପର୍କକୁ ଦୋହରାଇବ ।
SR
(Release ID: 2140341)