ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ନ୍ୟୁଜ ୧୮ ରାଇଜିଂ ଭାରତ ସମିଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବକ୍ତବ୍ୟ
ଭାରତ ଉପରେ ସାରା ବିଶ୍ୱର ନଜର ଓ ଆଶା : ପ୍ରଧାନମନ୍ତ୍ରୀ
ଗୋଟିଏ ଦଶନ୍ଧି ଭିତରେ ଭାରତର ଅର୍ଥନୀତି ଦ୍ୱିଗୁଣିତ : ପ୍ରଧାନମନ୍ତ୍ରୀ
କଚ୍ଛପ ଗତିରେ ଚାଲୁଥିବା ଭାରତ ଭୟମୁକ୍ତ ହୋଇ ଗତି ବଢାଇଛି : ପ୍ରଧାନମନ୍ତ୍ରୀ
ବିଳମ୍ବ ବିକାଶର ବାଧକ : ପ୍ରଧାନମନ୍ତ୍ରୀ
ଆକାଂକ୍ଷା ଦ୍ୱାରା ବିକାଶ ନିୟନ୍ତ୍ରିତ ହେଲେ ଏହା ଦୀର୍ଘସ୍ଥାୟୀ ହୁଏ : ପ୍ରଧାନମନ୍ତ୍ରୀ
ବାକଫ ବିଧେୟକ ସମସ୍ତଙ୍କ ପାଇଁ ମର୍ଯ୍ୟାଦାର ପ୍ରତୀକ : ପ୍ରଧାନମନ୍ତ୍ରୀ
ବେଭସ ଭାରତୀୟ କଳାକାରଙ୍କୁ ସଶକ୍ତ କରି ବୈଶ୍ୱିକ କରିପାରିବ : ପ୍ରଧାନମନ୍ତ୍ରୀ
Posted On:
08 APR 2025 10:26PM by PIB Bhubaneshwar
ମଙ୍ଗଳବାର ଦିନ ନୂଆଦିଲ୍ଲୀର ଭାରତ ମଣ୍ଡପମରେ ନ୍ୟୁଜ ୧୮ ରାଇଜିଂ ଭାରତ ସମିଟରେ ପ୍ରଧାନମନ୍ତ୍ରୀ ଉଦବୋଧନ ଦେଇଛନ୍ତି । ଭାରତ ତଥା ସାରା ବିଶ୍ୱର ଅନେକ ନେତାଙ୍କ ସହ ଭାବ ବିନିମୟ କରିବାର ସୁଯୋଗ ଦେଇଥିବାରୁ ନ୍ୟୁଜ ୧୮ ନେଟବାର୍କକୁ ପ୍ରଧାନମନ୍ତ୍ରୀ କୃତଜ୍ଞତା ଜ୍ଞାପନ କରିଥିଲେ । ଭାରତର ଯୁବବର୍ଗଙ୍କ ଆକାଂକ୍ଷାକୁ ଫୋକସ କରିଥିବାରୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଥିଲେ । ଚଳିତ ବର୍ଷ ପ୍ରାରମ୍ଭରେ ଭାରତ ମଣ୍ଡପମରେ ବିବେକାନନ୍ଦ ଜୟନ୍ତୀ ପାଳନ ଅବସରରେ ବିକଶିତ ଭାରତ ୟଙ୍ଗ ଲିଡର୍ସ ଡାଇଲଗ କଥା ମନେ ପକାଇ ଭାରତବର୍ଷକୁ ଏକ ବିକଶିତ ଦେଶରେ ପରିଣତ କରିବା ପାଇଁ ଯୁବକମାନଙ୍କର ରହିଥିବା ସ୍ୱପ୍ନ ଓ ଆକାଂକ୍ଷା ପ୍ରଧାନମନ୍ତ୍ରୀ କହିଥିଲେ । ୨୦୪୭ ସୁଦ୍ଧା ବିକଶିତ ଭାରତ ନିର୍ମାଣ ଲକ୍ଷ୍ୟରେ ସବୁସ୍ତରରେ ଅନ୍ତର୍ଦୃଷ୍ଟିର ଆବଶ୍ୟକତା ରହିଥିବା ସେ କହିଥିଲେ । ତେବେ ଅମୃତ କାଳ ସୃଷ୍ଟି କରିବା ପାଇଁ ଏହି ଅନ୍ତର୍ଦୃଷ୍ଟିର ଆବଶ୍ୟକତା ରହିଥିବା ପ୍ରଧାନମନ୍ତ୍ରୀ ଦୋହରାଇ ଥିଲେ ।
ସାରା ବିଶ୍ୱର ନଜର ଭାରତ ଉପରେ ରହିଥିବା ପ୍ରଧାନମନ୍ତ୍ରୀ କହିଥିଲେ । ଏହି କିଛି ବର୍ଷ ଭିତରେ ଏଗାରତମ ସ୍ଥାନରୁ ପଂଚମ ବୃହତ ଅର୍ଥନୀତି ଭାବରେ ଭାରତ ଉଭା ହୋଇଥିବା ସେ ସୂଚନା ଦେଇଥିଲେ । ସମସ୍ତ ପ୍ରକାର ବୈଶ୍ୱିକ ପରିସ୍ଥିତିକୁ ଦୃଷ୍ଟିରେ ରଖି ଭାରତ ଗତ ଦଶନ୍ଧି ଭିତରେ ଏହାର ଅର୍ଥନୀତିକୁ ଦ୍ୱିଗୁଣିତ କରିପାରିଛି । ଯେଉଁମାନେ କଚ୍ଛପ ଗତିକୁ ଅଧିକ ପ୍ରାଧାନ୍ୟ ଦେଇ ଆସୁଥିଲେ ସେମାନେ ଏବେ ଭାରତକୁ ଏକ ବିକାଶଶୀଳ ଓ ଭୟମୁକ୍ତ ଦେଶ ଭାବରେ ଦେଖିବାକୁ ପାଉଥିବା ପ୍ରଧାନମନ୍ତ୍ରୀ କହିଛନ୍ତି । ଖୁବଶୀଘ୍ର ଆମ ଦେଶ ସାରା ବିଶ୍ୱର ତୃତୀୟ ଅର୍ଥନୀତି ଭାବେ ଉଭା ହେବାକୁ ଯାଉଥିବା ପ୍ରଧାନମନ୍ତ୍ରୀ ଦୃଢୋକ୍ତି ପ୍ରକାଶ କରିଥିଲେ । ତେବେ ଏହି ଅଗ୍ରଗତି କେବଳ ଏହି ଦେଶର ଯୁବକମାନଙ୍କ ସ୍ୱପ୍ନ ଓ ଆକାଂକ୍ଷା ଯୋଗୁଁ ସମ୍ଭବ ହୋଇ ପାରିଥିବା ସେ କହିଥିଲେ ।
ଚଳିତ ବର୍ଷ ପ୍ରାରମ୍ଭରୁ ଆଜି ଯାଏ ମାତ୍ର ଶହେ ଦିନ ଭିତରେ ଭାରତ ବହୁ ଆଗେଇ ପାରିଥିବା ପ୍ରଧାନମନ୍ତ୍ରୀ କହିଥିଲେ । ଏହି ଶହେ ଦିନ ଆଗାମୀ ଭବିଷ୍ୟତ ପାଇଁ ରୋଡମ୍ୟାପ ପ୍ରସ୍ତୁତ କରିଥିବା ସେ ସୂଚନା ଦେଇଥିଲେ । ତେବେ ଏହି ଶହେ ଦିନ ଭିତରେ ଖାଲି ଯୋଜନା କରାଯାଇ ନାହିଁ ବରଂ ଭବିଷ୍ୟତ ପାଇଁ ପଥ ପ୍ରସ୍ତୁତ କରାଯାଇଛି । ଏବେ ୧୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ କରୁଥିବା ଲୋକଙ୍କ ପାଇଁ ଟ୍ୟାକ୍ସ ଛାଡ କରାଯାଇଛି । ଏହା ଯୁବ ଉଦ୍ୟୋଗୀ ଓ ପ୍ରଫେସନାଲମାନଙ୍କୁ ବେଶ ସୁହାଇବ । ଦଶ ହଜାର ନୂଆ ମେଡିକାଲ ସିଟ ସହ ୬,୫୦୦ ନୂଆ ଆଇଆଇଟି ସିଟ ବୃଦ୍ଧି କରାଯାଇଥିବା ସେ ଦୋହରାଇ ଥିଲେ । ଏହାଛଡା ନୂଆକରି ପଚାଶ ହଜାର ଅଟଳ ଟିଙ୍କରିଙ୍ଗ ଲାବ୍ସ ନିର୍ମାଣ କରାଯାଇଛି । ସେହିପରି ଏଆଇ ସେଂଟର ଅଫ ଏକ୍ସେଲେନ୍ସ ସୃଷ୍ଟି କରାଯାଇ ପାରିଛି । ଦଶ ହଜାର ନୂଆ ପିଏମ ରିସର୍ଚ୍ଚ ଫେଲୋସିପ ବି ଦିଆଯାଉଥିବା ସେ ଉଲ୍ଲେଖ କରିଥିଲେ । ମହାକାଶ ସେକ୍ଟର ଛଡା ଆଣବିକ ଶକ୍ତି କ୍ଷେତ୍ରରେ ନୂଆ ନୂଆ ଦିଗ ଉନ୍ମୋଚିତ ହେବାର ରହିଛି । ଗିଗ ଅର୍ଥନୀତିରେ ବିଶ୍ୱାସ ରଖୁଥିବା ଯୁବଶକ୍ତିଙ୍କ ପାଇଁ ଏବେ ସାମାଜିକ ନିରାପତା ସୃଷ୍ଟି କରାଯାଇ ପାରିଛି । ଆଗରୁ ପରଦା ଆଢୁଆଳରେ ରହୁଥିବା ଏହି ଯୁବବର୍ଗ ଏବେ ପ୍ରମୁଖ ଯୋଜନା ପ୍ରଣୟନକାରୀ ଭାବେ ନିଜକୁ ପ୍ରତିପାଦିତ କରିପାରିଛନ୍ତି । ଏସସି/ଏସଟି ଓ ମହିଳା ଉଦ୍ୟୋଗୀଙ୍କ ପାଇଁ ଦୁଇ କୋଟି ଟଙ୍କା ପର୍ଯ୍ୟନ୍ତ ଋଣ ଦିଆଯିବାର ବ୍ୟବସ୍ଥା ବି କରାଯାଇଛି । ତେବେ ଦେଶର ପ୍ରଗତି ସହ ଯୁବକମାନଙ୍କ ଅଗ୍ରଗତି ବାନ୍ଧି ହୋଇ ରହିଥିବା ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ।
ଏହି ଶହେ ଦିନ ଖାଲିରେ ବିତି ନାହିଁ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ଏହାରି ଭିତରେ ମହାକାଶରେ ଉପଗ୍ରହ ସଂସ୍ଥାପନ ଓ ବିସ୍ଥାପନ କ୍ଷେତ୍ରରେ ବିଶ୍ୱର ଚତୁର୍ଥ ଦେଶ ଭାବରେ ଭାରତ ନିଜର ପରିଚୟ ସୃଷ୍ଟି କରିପାରିଛି । ଶହେ ଜିଗାବାଟ ସୌରଶକ୍ତିକୁ ଅତିକ୍ରମ କରି ସେମି କ୍ରାୟୋଜେନିକ ଇଞ୍ଜିନର ସଫଳ ପରୀକ୍ଷଣ ହୋଇପାରିଥିବା ସେ କହିଥିଲେ । ଏହାରି ଭିତରେ ଏକ ହଜାର ମିଲିୟନ ଟନ କୋଇଲା ଉତ୍ପାଦନ କରି ରେକର୍ଡ କରିପାରିବା ସହ ନେସନାଲ କ୍ରିଟିକାଲ ମିନେରାଲ ମିଶନ ଆରମ୍ଭ ଭାରତ କରିପାରିଥିବା ପ୍ରଧାନମନ୍ତ୍ରୀ କହିଛନ୍ତି । କେନ୍ଦ୍ରୀୟ ସରକାରୀ କର୍ମଚାରୀଙ୍କ ପାଇଁ ଖୁବଶୀଘ୍ର ଅଷ୍ଟମ ପେ କମିଶନ ଲାଗୁ ହେବାକୁ ଯାଉଥିବା ସେ କହିଥିଲେ । ଏହାବାଦ କୃଷକମାନଙ୍କ ପାଇଁ ସାର ସବସିଡି ସହାୟତା ବୃଦ୍ଧି କରିବାକୁ ଚିନ୍ତା କରାଯାଉଥିବା ସେ ଉଲ୍ଲେଖ କରିଥିଲେ । ଛତିଶଗଡର ତିନି ଲକ୍ଷ ପରିବାରରେ ସମୂହ ହାଉସବାର୍ମିଂ କଥା କହି ଏଯାଏ ସେଠାରେ ସ୍ୱାମିତ୍ୱ ଯୋଜନାରେ ୬୫ ଲକ୍ଷ ପ୍ରପର୍ଟି କାର୍ଡ ବଂଟନ କରାଯାଇଥିବା ସେ ସୂଚନା ଦେଇଥିଲେ । ଏହି ଶହେ ଦିନ ଭିତରେ ଦେଶର ସବୁଠାରୁ ଉଚ୍ଚା ଟନେଲ ସୋନମାର୍ଗ ଟନେଲକୁ ଜାତି ଉଦ୍ଦେଶ୍ୟରେ ଲୋକାର୍ପଣ କରାଯାଇଛି । ଭାରତୀୟ ନୌସେନାର ବଳ ବୃଦ୍ଧି କରିବା ଦିଗରେ ଏହି ଶହେ ଦିନ ଭିତରେ ଆଇଏନଏସ ସୁରତ, ଆଇଏନଏସ ନୀଳଗିରି, ଆଇଏନଏସ ଭାଗଶୀର ପରି ଯୁଦ୍ଧପୋତ ସାମିଲ କରାଯାଇଛି । ସ୍ଥଳସେନା ପାଇଁ ମେକ ଇନ ଇଣ୍ଡିଆ ଅଭିଯାନରେ ନିର୍ମିତ ଲାଇଟ କମ୍ବାଟ ହେଲିକପ୍ଟର କ୍ରୟ ପାଇଁ ବି ନିର୍ଦ୍ଦେଶ ଦିଆଯାଇଥିବା ପ୍ରଧାନମନ୍ତ୍ରୀ କହିଛନ୍ତି । ସାମାଜିକ ନ୍ୟାୟ ପାଇଁ ବାକଫ ସଂଶୋଧନ ବିଧେୟକ ପାରିତ ହେବା ନିଶ୍ଚିତପକ୍ଷେ ଦେଶ ପାଇଁ ଶୁଭଙ୍କର ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଏହି ଶହେ ଦିନ କେବଳ ଶହେ ଯୋଜନା ଭିତରେ ସୀମିତ ନୁହେଁ ବରଂ ଶହେଟି ପ୍ରସ୍ତାବକୁ କାର୍ଯ୍ୟକାରୀ କରିବାର ଦିନ ବୋଲି ପ୍ରଧାନମନ୍ତ୍ରୀ ଅଭିହିତ କରିଛନ୍ତି ।
ଏହି ଅବସରରେ ନିଜର ରାମେଶ୍ୱରମ ଗସ୍ତ ସମ୍ପର୍କରେ ପ୍ରଧାନମନ୍ତ୍ରୀ ସୂଚନା ଦେଇଥିଲେ । ପ୍ରାୟ ୧୨୫ ବର୍ଷ ତଳେ ଏଠାରେ ଅଂଗ୍ରେଜମାନେ ଏକ ପୋଲ ତିଆରି କରିଥିଲେ । ନାନା ଝଡଝଞ୍ଜା ସହ୍ୟ କରି ଏହି ପୋଲଟି କାର୍ଯ୍ୟ କରୁଥିଲା । ପୂବବର୍ତୀ ସରକାର ଏଠାରେ କିଛି ବି କରିନଥିବା ବେଳେ ତାଙ୍କ ସରକାର ନୂଆକରି ଦେଶର ପ୍ରଥମ ଭର୍ଟିକାଲ ଲିଫ୍ଟ ସାମୁଦ୍ରିକ ରେଳ ପମବନ ପୋଲ ଏଠାରେ ଛିଡା କରେଇ ପାରିଥିବା ସେ ସୂଚନା ଦେଇଥିଲେ ।
ବିଳମ୍ବ ହିଁ ବିକାଶର ଅନ୍ତରାୟ ବୋଲି ପ୍ରଧାନମନ୍ତ୍ରୀ ଏହି ଅବସରରେ କହିଥିଲେ । ଏହି କ୍ରମରେ ଆସାମର ଭୋଗିବିଲ ପୋଲ କଥା ପ୍ରଧାନମନ୍ତ୍ରୀ ଉଠାଇଥିଲେ । ୧୯୯୭ରେ ପୂର୍ବତନ ପ୍ରଧାନମନ୍ତ୍ରୀ ଦେବେ ଗୌଡାଙ୍କ ସମୟରେ ଏହି ପୋଲ କାମର ଶିଳାନ୍ୟାସ କରାଯାଇଥିଲା । ପରେ ଏହି କାମ ଆଗେଇ ପାରିନଥିଲା । ପରେ ୨୦୧୪ରେ ତାଙ୍କ ସରକାର ଏହି କାମ ଆରମ୍ଭ କଲେ । ମାତ୍ର ଚାରି ବର୍ଷ ଭିତରେ ୨୦୧୮ରେ ଏହି କାମ ସରିପାରିଲା । ସେହିପରି ୧୯୭୨ରୁ କେରଳର କୋଲାମ ବାଇପାସ ରାସ୍ତା ପ୍ରକଳ୍ପ ଖାଲି ଫାଇଲ ଭିତରେ ସୀମିତ ରହିଥିଲା । ପଚାଶ ବର୍ଷ ଧରି ଏହି କାମକୁ କୌଣସି ସରକାର କରିପାରୁ ନଥିିଲେ । କିନ୍ତୁ ତାଙ୍କ ସରକାର ମାତ୍ର ପାଂଚ ବର୍ଷ ଭିତରେ ଏହି କାମ ସମାପନ କରିପାରିଥିବା ପ୍ରଧାନମନ୍ତ୍ରୀ ସ୍ପଷ୍ଟ କରିଥିଲେ ।
ସେହିପରି ୧୯୯୭ରେ ନବି ମୁମ୍ବାଇ ବିମାନବନ୍ଦର କଥା ଉଠିଥିଲା । ୨୦୦୭ରେ ଏହା ଅନୁମୋଦନ ଲାଭ କଲା । ପରେ କଂଗ୍ରେସ ସରକାର ଏହା ଉପରେ କୌଣସି କାର୍ଯ୍ୟ କଲେ ନାହିଁ । ତେବେ ତାଙ୍କ ସରକାର ଏହି କାମକୁ ତ୍ୱରିତ କରିଛନ୍ତି । ଆଉ ଖୁବଶୀଘ୍ର ଏହି ବିମାନ ବନ୍ଦରରୁ ବାଣିଜ୍ୟିକ ବିମାନ ସେବା ଆରମ୍ଭ ହେବାକୁ ଯାଉଥିବା ପ୍ରଧାନମନ୍ତ୍ରୀ ସୂଚନା ଦେଇଛନ୍ତି ।
ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନାର ଦଶବର୍ଷ ପୂର୍ତି କଥା ମନେପକାଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଆଗରୁ ବିନା ଗ୍ୟାରେଂଟରରେ କୌଣସି ବ୍ୟାଙ୍କ ଖାତା ଖୋଲାଯାଇ ପାରୁନଥିଲା । ସାଧାରଣ ପରିବାର ପକ୍ଷରେ ବ୍ୟାଙ୍କରୁ ଋଣ ସହାୟତା ନେବା ବି ଦିବାସ୍ୱପ୍ନ ରହିଥିଲା । କିନ୍ତୁ ଏସସି/ଏସଟି, ଓବିସି, ଭୂମିହୀନ ଶ୍ରମିକ, ମହିଳା ଓ ଅନୁନ୍ନତ ବର୍ଗଙ୍କ ପାଇଁ ମୁଦ୍ରା ଯୋଜନା ଦ୍ୱାର ଫିଟାଇ ଦେଇଛି । ଗତ ଦଶନ୍ଧି ଭିତରେ ମୁଦ୍ରା ଯୋଜନା ଅଧୀନରେ ପ୍ରାୟ ୫୨ କୋଟି ଟଙ୍କାର ଋଣ ସହାୟତା ପ୍ରଦାନ କରାଯାଇଥିବା ମୋଦୀ କହିଛନ୍ତି । କୌଣସି ଟ୍ରାଫିକ ପୋଷ୍ଟରେ ଲାଇଟ ପରିବର୍ତନ ହେବା ସମୟ ଭିତରେ ପ୍ରାୟ ଶହେଟି ମୁଦ୍ରା ଋଣ ସହାୟତାକୁ ମଞ୍ଜୁରୀ ମିଳିପାରୁଛି । ଦାନ୍ତ ଘସିବା ସମୟ ଭିତରେ ଦୁଇଶହଟି ଋଣ ପାଇଁ ଅନୁମୋଦନ ଲାଭ କରିପାରୁଛି । ରେଡିଓରେ ସଙ୍ଗୀତ ବାଜିବା ଭିତରେ ଚାରି ଶହ ଋଣକୁ ମଞ୍ଜୁରୀ ମିଳିପାରୁଛି । କୌଣସି ଡେଲିଭରୀ ଆପ ଅର୍ଡର ନେବା ଭିତରେ ଏକ ହଜାର ମୁଦ୍ରା ଋଣ ସହାୟତା ମିଳିପାରୁଛି । ସେହିପରି ଓଟିଟି ପ୍ଲାଟଫର୍ମରେ କୌଣସି ଏପିସୋଡ ସରିବା ପୂର୍ବରୁ ପାଂଚ ହଜାର ମୁଦ୍ରା ବ୍ୟବସାୟ କରାଯାଇପାରୁଛି ।
ମୁଦ୍ରା ଯୋଜନାରେ କୌଣସି ଗ୍ୟାରେଂଟି ଦରକାର ହୋଇନଥାଏ । ବରଂ ଏହା ଲୋକଙ୍କ ଭିତରେ ଆତ୍ମ ବିଶ୍ୱାସ ଉତ୍ପନ୍ନ କରିଥାଏ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ତେବେ ଏହି ଯୋଜନାରେ ପ୍ରାୟ ୧୧ କୋଟି ଲୋକ ଋଣ ସହାୟତା ନେବା ପାଇଁ ସକ୍ଷମ ହୋଇପାରିଛନ୍ତି । ଗତ ଦଶନ୍ଧିରେ ମୁଦ୍ରା ଯୋଜନା ଅଧୀନରେ ୧୧ କୋଟି ଲୋକଙ୍କ ସ୍ୱପ୍ନ ସାକାର କରିବା ପାଇଁ କ୍ଷେତ୍ର ପ୍ରସ୍ତୁତ କରାଯାଇଛି । ବିଭିନ୍ନ ଦେଶର ଜିଡିପିକୁ ଅତିକ୍ରମ କରି ଏହି ଯୋଜନା ଅଧୀନରେ ପ୍ରାୟ ୩୩ ଲକ୍ଷ କୋଟି ଟଙ୍କାର ଋଣ ସହାୟତା ପ୍ରଦାନ କରାଯାଇଥିବା ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ।
ଉତର-ପୂର୍ବ ଓ ଆଦିବାସୀ ଅଧ୍ୟୁଷିତ ଅନେକ ରାଜ୍ୟର ପ୍ରାୟ ଶହେଟି ଜିଲ୍ଲାକୁ ପୂର୍ବ ସରକାର ପଛୁଆ ଅଂଚଳ ଭାବରେ ଘୋଷଣା କରି ଛାଡି ଦେଇଥିଲେ । ଏସବୁ ଜିଲ୍ଲାରେ ଶାସନ କରିବା ପାଇଁ ଦଣ୍ଡବିଧାନ ଆକାରରେ ପ୍ରଶାସକମାନଙ୍କୁ ବଦଳି କରାଯାଉଥିଲା । କିନ୍ତୁ ତାଙ୍କ ସରକାର ଏସବୁରେ ପରିବର୍ତନ ଆଣି ଏଗୁଡିକୁ ଆସ୍ପିରେସନାଲ ଜିଲ୍ଲାରେ ରୂପାନ୍ତରିତ କରିଛନ୍ତି । ବିଭିନ୍ନ ମିଶନ ଜରିଆରେ ବିଭିନ୍ନ ଫ୍ଲାଗସିପ ଯୋଜନାର ଶୁଭାରମ୍ଭ କରାଯାଇଛି । ଏହି ଆସ୍ପିରେସନାଲ ଜିଲ୍ଲାଗୁଡିକରେ ସ୍ଥାନୀୟ ଯୁବକମାନଙ୍କୁ ପ୍ରାଧାନ୍ୟ ଦିଆଯାଇ ଉନ୍ନତି କରାଯାଇଛି । ଏହି ଜିଲ୍ଲାର ଯୁବକମାନେ ଏବେ ନିଜେ ଅଗ୍ରଗତି କରିପାରିବାର ସ୍ୱପ୍ନ ଦେଖିପାରୁଛନ୍ତି । ଏହି ଆସ୍ପିରେସନାଲ ଜିଲ୍ଲାଗୁଡିକୁ ଏବେ ନାମକରା ସଂସ୍ଥା ଓ ଜର୍ଣ୍ଣାଲ ପକ୍ଷରୁ ବିଶେଷ ପରିଚିତି ମିଳିପାରିଛି । ଏହି ସଫଳତା ପାଇଁ ସରକାର ଏବେ ପାଂଚ ଶହଟି ଆସ୍ପିରେସନାଲ ବ୍ଲକରେ କାମ କରୁଥିବା ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଛନ୍ତି ।
ଦେଶର ସାମଗ୍ରିକ ବିକାଶ ପାଇଁ ଶାନ୍ତି, ସ୍ଥିରତା ଓ ନିରାପତା ଜରୁରୀ ବୋଲି ପ୍ରଧାନମନ୍ତ୍ରୀ ଅଭିହିତ କରି ଗୁରୁଦେବ ରବିନ୍ଦ୍ରନାଥ ଠାକୁରଙ୍କ ବାଣୀ ପ୍ରଧାନମନ୍ତ୍ରୀ ସ୍ମୃତିଚାରଣ କରିଥିଲେ । ଗୁରୁଦେବ ସବୁବେଳେ ମଣିଷର ଭୟମୁକ୍ତ ମନ ଓ ଉଚ୍ଚ ମୁଣ୍ଡ ଉପରେ ଗୁରୁତ୍ୱ ଦେଉଥିବା ପ୍ରଧାନମନ୍ତ୍ରୀ କହିଥିଲେ । ପିଢି ପିଢି ପରେ ଜମ୍ମୁ ଓ କାଶ୍ମୀରରେ ଭୟ, ଆତଙ୍କ ଓ ହିଂସାରଲ ବାତାବରଣ ରହିଥିଲା । କିନ୍ତୁ ତାଙ୍କ ସରକାର ଆସିବା ପରେ ଏସବୁରେ ପରିବର୍ତନ ଆସିପାରିଛି । ଜମ୍ମୁ ଓ କାଶ୍ମୀର ଯୁବକମାନେ ସବୁବେଳେ ବୋମାମାଡ, ଗୁଳି ଚାଳନା ଓ ପଥର ଫୋପାଡିବା ପରି କୁକର୍ମରେ ଲିପ୍ତ ରହୁଥିଲେ । ହେଲେ ତାଙ୍କ ସରକାର ଆସିବା ପରେ ଏବେ ଏଥିରେ ବ୍ୟାପକ ପରିବର୍ତନ ଆସିପାରିଛି । ତେଣୁ ଏବେ ଜମ୍ମୁ ଓ କାଶ୍ମୀରର ଯୁବକମାନେ ବିକାଶମୂଳକ କାମରେ ନିଜକୁ ନିଯୁକ୍ତି କରିପାରିଥିବା ସେ କହିଛନ୍ତି ।
ନକ୍ସଲବାଦକୁ ତାଙ୍କ ସରକାର ଦମନ କରି ଉତର-ପୂର୍ବ ରାଜ୍ୟରେ ଶାନ୍ତି ପ୍ରତିଷ୍ଠା କରିପାରିଛି । ଆଗରୁ ପ୍ରାୟ ୧୨୫ଟି ଜିଲ୍ଲା ହିଂସା ଦ୍ୱାରା ଆଚ୍ଛାଦିତ ରହିଥିଲା । ଯେଉଁଠାରେ ସରକାରଙ୍କର ସୀମା ସରୁଥିଲା ସେହିସ୍ଥାନରୁ ନକ୍ସଲବାଦ ଆରମ୍ଭ ହେଉଥିଲା । ବହୁ ସଂଖ୍ୟକ ଯୁବକ ଏହି ନକ୍ସଲବାଦର ଶୀକାର ହେଉଥିଲେ । ତେବେ ଏହି ଦିଗଭ୍ରଷ୍ଟ ଯୁବକମାନଙ୍କୁ ସମାଜର ମୁଖ୍ୟସ୍ରୋତରେ ତାଙ୍କ ସରକାର ଏବେ ସାମିଲ କରିପାରିଥିବା ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଛନ୍ତି । ଗତ ଦଶନ୍ଧି ଭିତରେ ପ୍ରାୟ ଆଠ ହଜାର ନକ୍ସଲ ମୁଖ୍ୟ ସ୍ରୋତରେ ନିଜକୁ ସାମିଲ କରିପାରିଛନ୍ତି । ନକ୍ସଲ ଅଧ୍ୟୁଷିତ ଜିଲ୍ଲାର ସଂଖ୍ୟା ଏବେ ଖସି ଖସି ୨୦ ତଳକୁ ଆସିପାରିଛି । ଉତର-ପୂର୍ବ ରାଜ୍ୟ ଦଶନ୍ଧି ଧରି ବିଚ୍ଛିନ୍ନତାବାଦ ଓ ହିଂସା ଦ୍ୱାରା କବଳିତ ରହିଥିଲା । ଗତ ଦଶବର୍ଷ ଭିତରେ ତାଙ୍କ ସରକାର ଦଶଟି ଶାନ୍ତି ରାଜିନାମା ସ୍ୱାକ୍ଷରିତ କରିଥିବା ବେଳେ ଦଶ ହଜାରରୁ ଊର୍ଦ୍ଧ୍ୱ ଯୁବକ ଅସ୍ତ୍ରଶସ୍ତ୍ର ତ୍ୟାଗ କରି ନିଜକୁ ବିକାଶର ଧାରାରେ ସାମିଲ କରିପାରିଛନ୍ତି ।
ବିଂଶ ଶତାବ୍ଦୀର ରାଜନୈତିକ ଭୁଲ ପାଇଁ ଏକବିଂଶ ଶତାବ୍ଦୀର ଯୁବକମାନେ ଯେପରି ଭାରାକ୍ରାନ୍ତ ନହୁଅନ୍ତି ସେଥିଲାଗି ତାଙ୍କ ସରକାର ସବୁ ବେଳେ ଚେଷ୍ଟା କରିଆସିଥିବା ପ୍ରଧାନମନ୍ତ୍ରୀ କହିଥିଲେ । ଭାରତର ବିକାଶ ପାଇଁ ସନ୍ତୁଷ୍ଟିକରଣ ରାଜନୀତି ଏକ ଚ୍ୟାଲେଞ୍ଜ ରହିଥିଲା । ତେବେ ବାକଫ ସଂଶୋଧନ ବିଧେୟକକୁ ନେଇ ଏବେ ଚାଲିଥିବା ରାଜନୀତି ସନ୍ତୁଷ୍ଟିକରଣ ରାଜନୀତି ବୋଲି ପ୍ରଧାନମନ୍ତ୍ରୀ ଅଭିହିତ କରିଛନ୍ତି । ଭାରତର ସ୍ୱାଧୀନତା ସଂଗ୍ରାମ କାଳରେ ଏପ୍ରକାର ତୁଷ୍ଟିକରଣ ରାଜନୀତିର ବୀଜ ବପନ ହୋଇଥିଲା । ଭାରତର ସ୍ୱାଧୀନତା ପାଇଁ ବିଭାଜନ କାହିଁକି ଏକ ସର୍ତ ରହିଥିଲା ବୋଲି ପ୍ରଧାନମନ୍ତ୍ରୀ ପ୍ରଶ୍ନ କରିଛନ୍ତି । ସାଧାରଣ ମୁସଲିମ ପରିବାର ନୁହେଁ ବରଂ କିଛି ମୁଷ୍ଟିମେୟ କଂଗ୍ରେସୀ କ୍ଷମତା ଲିପ୍ସୁ ନେତା କ୍ଷମତା ଉପଭୋଗ କରିବା ପାଇଁ ଏପରି ଚାହୁଁଥିଲେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।
ତେବେ ଏପ୍ରକାର ତୁଷ୍ଟିକରଣ ରାଜନୀତି କିଛି କଂଗ୍ରେସୀ ଚରମପନ୍ଥୀମାନଙ୍କୁ ଅର୍ଥ ଓ କ୍ଷମତାସୀନ କରାଇଥିଲା । ସାଧାରଣ ମୁସଲିମଟିଏ ଏଥିରୁ କଣ ପାଇଲା ବୋଲି ପ୍ରଧାନମନ୍ତ୍ରୀ ପୁଣି ପ୍ରଶ୍ନ କରିଛନ୍ତି । ପିଢି ପିଢି ପରେ ଗରିବ ମୁସଲିମଟିଏ ଉପେକ୍ଷିତ ଜୀବନ ଜୀଇଁଲା । ଫଳରେ ନିରକ୍ଷରତା ଓ ବେକାରୀ ସମସ୍ୟା ମୁଣ୍ଡ ଟେକିବା ଆରମ୍ଭ କଲା । ମୁସଲିମ ମହିଳାମାନେ ଅନ୍ୟାୟ ସହ୍ୟ କଲେ । ତୁଷ୍ଟିକରଣ ରାଜନୀତି ଫଳରେ ଶାହା ବାନୋଙ୍କ ପରି ମୁସଲିମ ମହିଳା ନିଜ ସାମ୍ବିଧାନିକ ଅଧିକାର ହରାଇଲେ । ମହିଳାମାନଙ୍କର ପ୍ରଶ୍ନ କରିବାର କିଛି ବି ଅଧିକାର ରହିଲା ନାହିଁ । ଚରମପନ୍ଥୀମାନେ ନିରଙ୍କୁଶ ଶାସନ ଉପଭୋଗ କରି ଶାସନ କରିବା ଆରମ୍ଭ କଲେ ।
ଭାରତର ସାମାଜିକ ନ୍ୟାୟକୁ ପ୍ରତିହତ କରି କେବଳ ଭୋଟ ବ୍ୟାଙ୍କ ପାଇଁ କିଛି ନେତା ଏବେ ଏପରି ତୁଷ୍ଟିକରଣ ରାଜନୀତିକୁ ହାତବାରିସୀ କରିଥିବା ପ୍ରଧାନମନ୍ତ୍ରୀ କହିଥିଲେ । ଚରମପନ୍ଥୀ ଓ ଜମି ମାଫିଆମାନଙ୍କୁ ସୁହାଇବା ପାଇଁ ୨୦୧୩ରେ ବାକଫ ସଂଶୋଧନ ଏକ ପଦକ୍ଷେପ ଥିଲା । ସମାଜରେ ଭ୍ରାନ୍ତି ସୃଷ୍ଟି କରି ନିଜକୁ ସମ୍ବିଧାନ ଉପରେ ଲୋକେ ଭାବିବାକୁ ଆରମ୍ଭ କଲେ । କେରଳ ଖ୍ରୀଷ୍ଟିଆନ ସମ୍ପ୍ରଦାୟ ଉପରେ ବାକଫ ଦାବି, ହରିୟାଣାରେ ଗୁରୁଦ୍ୱାର ଜମି ବିବାଦ, କର୍ଣ୍ଣାଟକରେ କୃଷକ ଜମି ବିବାଦ ପରି ଅନେକ ଉଦାହରଣ ପ୍ରଧାନମନ୍ତ୍ରୀ ଦେଇଥିଲେ । ହଜାର ହଜାର ହେକ୍ଟର ଜମି ଏବେ ବିଭିନ୍ନ ଆଇନ ଜାଲରେ ଛନ୍ଦି ହୋଇରହିଛି । ମନ୍ଦିର, ଚର୍ଚ୍ଚ, ଗୁରୁଦ୍ୱାର, କୃଷକର ଜମି ସବୁଥିରେ ନିଜର ଅଧିକାର ସାବ୍ୟସ୍ତ କରିବା ପାଇଁ ଲୋକେ ବିଶ୍ୱାସ ହରାଇଛନ୍ତି । ଗୋଟିଏ ସିଧା ନୋଟିସ ଏବେ ଲୋକଙ୍କୁ ନିଜ କାଗଜପତ୍ର ଯୋଗାଡ କରିବାକୁ ବାଧ୍ୟ କରୁଛି । ଏପରି ଆଇନ ଭୟ ନୁହେଁ ବରଂ ନ୍ୟାୟ ଦେବା ପାଇଁ ଅଭିପ୍ରେତ ବୋଲି ପ୍ରଧାନମନ୍ତ୍ରୀ ସୂଚନା ଦେଇଛନ୍ତି ।
ମୁସଲିମ ସମ୍ପ୍ରଦାୟ ସମେତ ଅନ୍ୟ ସମ୍ପ୍ରଦାୟର ବିଶ୍ୱାସ ଯୋଗ୍ୟ ହୋଇପାରିଛି ଏହି ସଂଶୋଧିତ ବାକଫ ବିଧେୟକ । ଫଳରେ ଅନୁନ୍ନତ ମୁସଲିମ, ମହିଳା ଓ ଶିଶୁମାନଙ୍କ ଅଧିକାର ସୁରକ୍ଷିତ ରହିପାରୁଛି । ସଦନର ଉଭୟ ଗୃହରେ ଦୀର୍ଘ ୧୬ ଘଂଟା ଧରି ବାକଫ ବିଧେୟକ ଉପରେ ବିତର୍କ ଚାଲିବା ଦ୍ୱିତୀୟ ଘଟଣା । ଜେପିସି ଦୀର୍ଘ ୧୨୮ ଘଂଟା ପରିଶ୍ରମ କରି ୩୮ଟି ମିଟିଂ କରି ରେକର୍ଡ କରିପାରିଛି । ସାରା ଦେଶରୁ ପ୍ରାୟ ଏକ କୋଟି ଅନଲାଇନ ପ୍ରସ୍ତାବ ଆସିଥିବା ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ । ଏଥିରୁ ପ୍ରମାଣିତ ହେଉଛି ଯେ, ଗଣତନ୍ତ୍ର କେବଳ ସଦନର ପବିତ୍ର ଗୃହ ଭିତରେ ସୀମିତ ନାହିଁ ବରଂ ସାଧାରଣ ଜନତାର ସହଭାଗିତାରେ ଆହୁରି ସଶକ୍ତ ହୋଇପାରିଛି ।
ମଣିଷ ଓ ମେସିନ ଭିତରେ ଫରକ ଦର୍ଶାଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ, ସୂଚନା ଓ ପ୍ରଯୁକ୍ତି ଯୁଗରେ କଳା, ସଂସ୍କୃତି, ସଙ୍ଗୀତ, ସର୍ଜନ କର୍ମର ବହୁତ ଆବଶ୍ୟକତା ରହିଛି । ଏଂଟରଟେନମେଂଟ ଏବେ ବିଶ୍ୱର ସବୁଠାରୁ ବଡ ବୈଶ୍ୱିକ ମଂଚ ଭାବରେ ପ୍ରତିପାଦିତ ହୋଇପାରିଛି । ବାର୍ଲଡ ଅଡିଓ ଭିଜୁଆଲ ଆଣ୍ଡ ଏଂଟରଟେନମେଂଟ ସମିଟ ବା ବେଭସ ଏବେ ବୈଶ୍ୱିକ ମଂଚ ଭାବରେ ପ୍ରତିପାଦିତ ହୋଇଛି । ମେ ୨୦୨୫ ମୁମ୍ବାଇରେ ବେଭସର ଏକ ବଡ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାକୁ ଯାଉଛି । ଚଳଚ୍ଚିତ୍ର, ପଡକାଷ୍ଟ, ଗେମିଂ, ମ୍ୟୁଜିକ, ଏଆର, ଭିଆର ହେଉଛି ଭାରତର ସର୍ଜନ ଶିଳ୍ପ । କ୍ରିଏଟ ଇନ ଇଣ୍ଡିଆ ଇନିସିଏଟିଭ ଏହି ସର୍ଜନ ଶିଳ୍ପକୁ ଆଗକୁ ଉନ୍ନୀତ କରିପାରିବ ବୋଲି ସେ କହିଥିଲେ । ବେଭସ ପରି କାର୍ଯ୍ୟକ୍ରମ ଭାରତୀୟ କଳାକାରମାନଙ୍କୁ ଉତ୍ସାହିତ କରି ଏକ ବୈଶ୍ୱିକ ମଂଚ ଦେବ ବୋଲି ସେ କହିଥିଲେ । ବେଭସ ପ୍ଲାଟଫର୍ମକୁ ସହଯୋଗ କରିବା ପାଇଁ ନେଟବାର୍କ ୧୮ ପରି ସଂସ୍ଥା ସହଯୋଗ କରିବାକୁ ପ୍ରଧାନମନ୍ତ୍ରୀ ଆହ୍ୱାନ ଦେଇଥିଲେ ।
ତେବେ ଏପରି ସମିଟ ଆୟୋଜନ କରି ଯୁବକମାନଙ୍କୁ ଉତ୍ସାହିତ କରିଥିବାରୁ ନେଟବାର୍କ ୧୮କୁ ସେ ଧନ୍ୟବାଦ ଜଣାଇଥିଲେ । ଜାତୀୟ ସମସ୍ୟା ଉପରେ ବିତର୍କ, ମନ୍ଥନ, ବିଚାର ବିମର୍ଶ କରି ସମାଧାନ ରାସ୍ତା ବାହାର କରିବା ଦିଗରେ ଏହି ନେଟବାର୍କ ୧୮ କାମ କରିଥିବାରୁ ପ୍୍ରଧାନମନ୍ତ୍ରୀ ଏହି ଅବସରରେ କୃତଜ୍ଞତା ଜ୍ଞାପନ କରିଥିଲେ । ବିଭିନ୍ନ ବିଶ୍ୱବିଦ୍ୟାଳୟ, କଲେଜ ଓ ଗବେଷଣା ସଂସ୍ଥାର ପିଲାମାନେ ଏହି ପ୍ଲାଟଫର୍ମରୁ ପ୍ରସଙ୍ଗକୁ ଆଗକୁ ନେବାକୁ ଚେଷ୍ଟା କରିବାକୁ ସେ କହିଥିଲେ । ଏପରି ସମିଟ ଆୟୋଜନ କରିଥିବାରୁ ସେ ଆୟୋଜକ ଓ ଉଦ୍ୟୋକ୍ତାମାନଙ୍କୁ ଏହି ଅବସରରେ ଧନ୍ୟବାଦ ଜଣାଇଥିଲେ । ଏହି ଅବସରରେ ପ୍ରଧାନମନ୍ତ୍ରୀ ସମାଧାନ ଡକ୍ୟୁମେଂଟକୁ ଅନାବରଣ କରିଥିଲେ । ଏହି ଡକ୍ୟୁମେଂଟରେ ସାରା ଦେଶର କିଛି ପ୍ରତିଭାଦୀପ୍ତ ଯୁବକଙ୍କ ପ୍ରବନ୍ଧ ରହିଛି । ବାୟୁ ପ୍ରଦୂଷଣ, ବର୍ଜ୍ୟବସ୍ତୁ ପରିଚାଳନା, ନଦୀ ସଫେଇ, ସର୍ବଶିକ୍ଷା ଅଭିଯାନ ପରି ବିଭିନ୍ନ ପ୍ରସଙ୍ଗ ଉପରେ ବହୁ ଉପାଦେୟ ତଥ୍ୟ ରହିଛି ।
PBD
(Release ID: 2120581)
Visitor Counter : 13
Read this release in:
English
,
Urdu
,
Marathi
,
Hindi
,
Bengali
,
Assamese
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam