ସ୍ଵରାଷ୍ଟ୍ର ବ୍ୟାପାର ମନ୍ତ୍ରଣାଳୟ
azadi ka amrit mahotsav

ଆଜି ନୂଆଦିଲ୍ଲୀରେ ଜାମ୍ମୁ-କାଶ୍ମୀରର ଉପରାଜ୍ୟପାଳ ଏବଂ ମୁଖ୍ୟମନ୍ତ୍ରୀଙ୍କ ସହ ତିନୋଟି ନୂତନ ଅପରାଧିକ ଆଇନର କାର୍ଯ୍ୟକାରିତା ସମୀକ୍ଷା କରିଛନ୍ତି କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ତଥା ସମବାୟ ମନ୍ତ୍ରୀ ଶ୍ରୀ ଅମିତ ଶାହ



ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ପ୍ରଣୟନ କରାଯାଇଥିବା ତିନୋଟି ନୂଆ ଅପରାଧିକ ଆଇନର ସମ୍ପୂର୍ଣ୍ଣ କାର୍ଯ୍ୟକାରିତା ୨୦୨୫ ମସିହା ଏପ୍ରିଲ ମାସ ସୁଦ୍ଧା ଜାମ୍ମୁ-କାଶ୍ମୀରରେ ସୁନିଶ୍ଚିତ କରାଯିବ ବୋଲି କହିଛନ୍ତି କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ

ଆତଙ୍କବାଦୀ କାର୍ଯ୍ୟକଳାପରେ ହ୍ରାସ ଏବଂ ଜାମ୍ମୁ କାଶ୍ମୀରରେ ସୁରକ୍ଷା ପରିଦୃଶ୍ୟରେ ଉନ୍ନତି ସହିତ, ନାଗରିକଙ୍କ ଅଧିକାରର ସୁରକ୍ଷା ଜାମ୍ମୁ-କାଶ୍ମୀର ପୋଲିସର ସର୍ବୋଚ୍ଚ ପ୍ରାଥମିକତା ହେବା ଉଚିତ

ଚାର୍ଜସିଟ୍ ଦାଖଲ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ ପୋଲିସ ଅଧିକାରୀଙ୍କ ଦାୟିତ୍ୱ ନିର୍ଦ୍ଧାରଣ କରିବାର ଆବଶ୍ୟକତା ଉପରେ ସ୍ୱରାଷ୍ଟ୍ର ମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ

ଜାମ୍ମୁ-କାଶ୍ମୀରର ପ୍ରତ୍ୟେକ ପୋଲିସ ଷ୍ଟେସନ ଏନଏଏଫଆଇଏସ୍‍ର ସର୍ବାଧିକ ବ୍ୟବହାର କରିବା ଉଚିତ

ନୂତନ ଆଇନର ବ୍ୟବସ୍ଥା ଉପରେ ସମସ୍ତ ଅନୁସନ୍ଧାନକାରୀ ଅଧିକାରୀଙ୍କ ତାଲିମ ଯଥାଶୀଘ୍ର ଶେଷ କରାଯିବା ଉଚିତ

Posted On: 18 FEB 2025 6:20PM by PIB Bhubaneshwar

କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ତଥା ସମବାୟ ମନ୍ତ୍ରୀ ଶ୍ରୀ ଅମିତ ଶାହ ଆଜି ନୂଆଦିଲ୍ଲୀରେ ଉପରାଜ୍ୟପାଳ ଶ୍ରୀ ମନୋଜ ସିହ୍ନା ଏବଂ ମୁଖ୍ୟମନ୍ତ୍ରୀ ଶ୍ରୀ ଓମାର ଅବଦୁଲ୍ଲାଙ୍କ ଉପସ୍ଥିତିରେ ଜାମ୍ମୁ-କାଶ୍ମୀରରେ ତିନୋଟି ନୂତନ ଅପରାଧିକ ଆଇନର କାର୍ଯ୍ୟକାରିତା ଉପରେ ଏକ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରିଛନ୍ତି। ଏହି ବୈଠକରେ ଜାମ୍ମୁ-କାଶ୍ମୀରରେ ପୋଲିସ, କାରାଗାର, ଅଦାଲତ, ଅଭିଯୋଜନ ଏବଂ ଫରେନ୍ସିକ୍ ସମ୍ବନ୍ଧୀୟ ବିଭିନ୍ନ ନୂତନ ବ୍ୟବସ୍ଥାର କାର୍ଯ୍ୟକାରିତା ଏବଂ ବର୍ତ୍ତମାନର ସ୍ଥିତି ସମୀକ୍ଷା କରାଯାଇଥିଲା। ଏହି ବୈଠକରେ କେନ୍ଦ୍ର ସ୍ୱରାଷ୍ଟ୍ର ସଚିବ, ଜାମ୍ମୁ-କାଶ୍ମୀରର ମୁଖ୍ୟ ଶାସନ ସଚିବ ଏବଂ ପୁଲିସ ମହାନିର୍ଦ୍ଦେଶକ, ପୁଲିସ ଗବେଷଣା ଏବଂ ବିକାଶ ବ୍ୟୁରୋ (ବିବିଆରଡି)ର ମହାନିର୍ଦ୍ଦେଶକ, ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ (ଏନସିଆରବି)ର ମହାନିର୍ଦ୍ଦେଶକ ଏବଂ ଗୃହ ମନ୍ତ୍ରଣାଳୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ଅନ୍ୟ ବରିଷ୍ଠ ପ୍ରଶାସନିକ ଅଧିକାରୀମାନେ ଯୋଗ ଦେଇଥିଲେ।

ବୈଠକରେ ଆଲୋଚନା ସମୟରେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଏବଂ ସମବାୟ ମନ୍ତ୍ରୀ କେନ୍ଦ୍ର ଶାସିତ ଅଞ୍ଚଳ ପ୍ରଶାସନକୁ ୨୦୨୫ ମସିହା ଏପ୍ରିଲ ମାସ ସୁଦ୍ଧା ଜାମ୍ମୁ-କାଶ୍ମୀରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ପ୍ରଣୀତ ତିନୋଟି ନୂତନ ଅପରାଧିକ ଆଇନର ସମ୍ପୂର୍ଣ୍ଣ କାର୍ଯ୍ୟକାରିତା ସୁନିଶ୍ଚିତ କରିବାକୁ କହିଥିଲେ। ସେ କହିଛନ୍ତି ଯେ ତିନୋଟି ନୂତନ ଅପରାଧିକ ଆଇନ ଅଧୀନରେ ତ୍ୱରିତ ନ୍ୟାୟ ସୁନିଶ୍ଚିତ କରିବା ପାଇଁ ଜ୍ଞାନକୌଶଳର ସର୍ବାଧିକ ବ୍ୟବହାର କରାଯିବା ଉଚିତ।

କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ କହିଛନ୍ତି ଯେ ନୂତନ ଆଇନର ସମ୍ପୂର୍ଣ୍ଣ କାର୍ଯ୍ୟକାରିତା ପାଇଁ ପୋଲିସ କର୍ମଚାରୀ ଏବଂ ପ୍ରଶାସନର ମନୋଭାବରେ ପରିବର୍ତ୍ତନ ଆଣିବା ଏବଂ ନାଗରିକମାନଙ୍କ ମଧ୍ୟରେ ନୂତନ ଆଇନ ବିଷୟରେ ସଚେତନତା ସୃଷ୍ଟି କରିବା ଜରୁରୀ। ସେ କହିଥିଲେ ଯେ ଜାମ୍ମୁ-କାଶ୍ମୀରରେ ଆତଙ୍କୀ କାର୍ଯ୍ୟକଳାପ ହ୍ରାସ ପାଇବା ଏବଂ ସୁରକ୍ଷା ପରିଦୃଶ୍ୟରେ ଉନ୍ନତି ହେବା ସହିତ ପୋଲିସ ଏବେ ନିଜ ନାଗରିକଙ୍କ ଅଧିକାରର ସୁରକ୍ଷାକୁ ପ୍ରାଥମିକତା ଦେବା ଉଚିତ। ଶ୍ରୀ ଶାହ ଆହୁରି ମଧ୍ୟ କହିଛନ୍ତି ଯେ କେନ୍ଦ୍ର ଶାସିତ ଅଞ୍ଚଳରେ ଅନୁପସ୍ଥିତି ବିଚାର ବ୍ୟବସ୍ଥା ବ୍ୟବହାର କରିବାର ଜରୁରୀ ଆବଶ୍ୟକତା ରହିଛି।

ଚାର୍ଜସିଟ୍ ଦାଖଲ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ ପୋଲିସ ଅଧିକାରୀଙ୍କ ଦାୟିତ୍ୱ ନିର୍ଦ୍ଧାରଣ କରିବାର ଆବଶ୍ୟକତା ଉପରେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ। ସେ କହିଥିଲେ ଯେ ଜାମ୍ମୁ-କାଶ୍ମୀରର ପ୍ରତ୍ୟେକ ପୋଲିସ ଷ୍ଟେସନ ଜାତୀୟ ସ୍ୱୟଂକ୍ରିୟ ଫିଙ୍ଗରପ୍ରିଣ୍ଟ ଆଇଡେଣ୍ଟିଫିକେସନ୍ ସିଷ୍ଟମ (ଏନଏଏଫଆଇଏସ୍‍) ର ସର୍ବାଧିକ ବ୍ୟବହାର କରିବା ଉଚିତ। ସେ କହିଥିଲେ ଯେ ନୂତନ ଆଇନର ବ୍ୟବସ୍ଥା ସମ୍ବନ୍ଧରେ ଅନୁସନ୍ଧାନକାରୀ ଅଧିକାରୀମାନଙ୍କୁ ଯଥାଶୀଘ୍ର ତାଲିମ ସୁନିଶ୍ଚିତ କରାଯିବା ଉଚିତ। ଶ୍ରୀ ଶାହ କହିଥିଲେ ଯେ ଆତଙ୍କବାଦ ଏବଂ ସଙ୍ଗଠିତ ଅପରାଧ ସମ୍ବନ୍ଧୀୟ ବ୍ୟବସ୍ଥା ଉପରେ ନିଷ୍ପତ୍ତି କେବଳ ପୁଲିସ ଅଧୀକ୍ଷକ ସ୍ତରରେ ପୁଙ୍ଖାନୁପୁଙ୍ଖ ଯାଞ୍ଚ ପରେ ନିଆଯିବା ଉଚିତ। ସେ ଆହୁରି ମଧ୍ୟ କହିଛନ୍ତି ଯେ ନୂତନ ଆଇନ ଅଧୀନରେ ଥିବା ଏହି ବ୍ୟବସ୍ଥାଗୁଡ଼ିକର ଯେପରି ଅପବ୍ୟବହାର ନହୁଏ ତାହା ସୁନିଶ୍ଚିତ କରିବା ପାଇଁ କଠୋର ତଦାରଖ ଆବଶ୍ୟକ।

ଶ୍ରୀ ଅମିତ ଶାହ କହିଥିଲେ ଯେ କଠିନ ପରିସ୍ଥିତି ସତ୍ତ୍ୱେ ଜାମ୍ମୁ-କାଶ୍ମୀର ପ୍ରଶାସନ ଏବଂ ସରକାର ନୂତନ ଅପରାଧିକ ଆଇନର କାର୍ଯ୍ୟାନ୍ୱୟନ ଦିଗରେ ସନ୍ତୋଷଜନକ କାର୍ଯ୍ୟ କରିଛନ୍ତି। ସେ କହିଛନ୍ତି ଯେ ଜାମ୍ମୁ କାଶ୍ମୀରରେ ତିନୋଟି ନୂତନ ଆଇନର କାର୍ଯ୍ୟକାରିତାର ଅଗ୍ରଗତି ମାସିକ, ପାକ୍ଷିକ ଏବଂ ସାପ୍ତାହିକ ଭିତ୍ତିରେ ଯଥାକ୍ରମେ ମୁଖ୍ୟମନ୍ତ୍ରୀ, ମୁଖ୍ୟ ଶାସନ ସଚିବ ଏବଂ ପୋଲିସ ମହାନିର୍ଦ୍ଦେଶକ ସ୍ତରରେ ସମୀକ୍ଷା କରାଯିବା ଉଚିତ।

HS


(Release ID: 2104507) Visitor Counter : 17