ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ
azadi ka amrit mahotsav

ଡାଭୋସରେ ଭାରତର ଚମକ


ରପ୍ତାନୀ ଆଧାରିତ ଅଭିବୃଦ୍ଧି ଏବଂ ସମାବେଶୀ ବିକାଶ ଉପରେ ଆଲୋକପାତ କଲେ କେନ୍ଦ୍ର ମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ

ସେମିକଣ୍ଡକ୍ଟର କ୍ଷେତ୍ରରେ ଭାରତ ବିଶ୍ୱର ଶ୍ରେଷ୍ଠ ୩ଟି ଗନ୍ତବ୍ୟସ୍ଥଳରେ ପରିଣତ ହେବ ବୋଲି ଶିଳ୍ପପତିମାନେ ବିଶ୍ୱାସ ପ୍ରକଟ କରିଛନ୍ତି : ଶ୍ରୀ ଅଶ୍ୱିନୀ ବୈଷ୍ଣବ

ବିଶ୍ୱରେ ଶିଳ୍ପ ପାଇଁ ଅଭିନବ ପ୍ରୟୋଗ ସୃଷ୍ଟି କରିବା ଲାଗି ବିଶ୍ୱର ‘ୟୁଜ୍ କେସ୍ କ୍ୟାପିଟାଲ୍’ ହେବା ଲାଗି ଭାରତରେ ଥିବା ସମ୍ଭାବନା ଉପରେ ଗୁରୁତ୍ୱାରୋପ କଲେ ଶ୍ରୀ ବୈଷ୍ଣବ

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ କ୍ଷେତ୍ରରେ ଦକ୍ଷତା ବିକାଶ ଉପରେ ଭାରତର ପ୍ରାଥମିକତା ଉପରେ କେନ୍ଦ୍ର ମନ୍ତ୍ରୀଙ୍କ ଗୁରୁତ୍ୱ; ବିଶ୍ୱର ଆବଶ୍ୟକତା ଅନୁଯାୟୀ ଉପଯୋଗ ଏବଂ ପ୍ରୟୋଗ ଲାଗି ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଉପକରଣରେ ପାରଙ୍ଗମ ୧୦ ଲକ୍ଷ ଲୋକଙ୍କୁ ପ୍ରସ୍ତୁତ କରିବା ପାଇଁ ରହିଛି ଲକ୍ଷ୍ୟ

Posted On: 24 JAN 2025 5:28PM by PIB Bhubaneshwar

 

କେନ୍ଦ୍ର ସୂଚନା ଓ ପ୍ରସାରଣ, ରେଳ, ଇଲେକ୍ଟ୍ରୋନିକ୍ସ ଏବଂ ଆଇଟି ମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ ଡାଭୋସରେ ଆୟୋଜିତ ବିଶ୍ୱ ଆର୍ଥିକ ମଞ୍ଚ ବୈଠକରେ ବିଶ୍ୱର ଶୀର୍ଷ ନେତୃବର୍ଗ ଏବଂ ଶିଳ୍ପପତିମାନଙ୍କୁ ସମ୍ବୋଧିତ କରିଛନ୍ତି। ସେ ତାଙ୍କର ଉଦବୋଧନରେ ଭାରତର ସମାବେଶୀ ବିକାଶ ଦୃଷ୍ଟିକୋଣ ଏବଂ ଏହାର ଉଲ୍ଲେଖନୀୟ ଅଭିବୃଦ୍ଧି କାହାଣୀ ଉପସ୍ଥାପନ କରିଛନ୍ତି ।

ଆର୍ଥିକ ବିକାଶ ପାଇଁ ସନ୍ତୁଳିତ ଆଭିମୁଖ୍ୟ

କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଆର୍ଥିକ ଅଭିବୃଦ୍ଧି ପାଇଁ ଭାରତ ଗ୍ରହଣ କରିଥିବା ସନ୍ତୁଳିତ ଆଭିମୁଖ୍ୟ ଉପରେ ଆଲୋକପାତ କରିଛନ୍ତି । ସେ କହିଛନ୍ତି, ଉଭୟ ଉତ୍ପାଦନ ଏବଂ ସେବା କ୍ଷେତ୍ରର ଦେଶର ବିକାଶ ହେଉଛି । ଉତ୍ପାଦନ ଏବଂ ସେବା କ୍ଷେତ୍ରକୁ ପୃଥକ ଭାବେ ଦେଖାଯାଇପାରିବ ନାହିଁ । ଭାରତର ଆର୍ଥିକ ବିକାଶ ଧାରାରେ ଉତ୍ପାଦ ଏବଂ ସେବା କ୍ଷେତ୍ର ଅଭିନ୍ନ ଅଙ୍ଗ ହୋଇଥିବାରୁ ଉଭୟକୁ ସାଥୀରେ ନେଇ ଆଗକୁ ବଢ଼ିବାକୁ ହେବ ବୋଲି କେନ୍ଦ୍ର ମନ୍ତ୍ରୀ କହିଛନ୍ତି । ଦୀର୍ଘସ୍ଥାୟୀ ଏବଂ ସମାବେଶୀ ବିକାଶ ଲାଗି ଦୁଇ କ୍ଷେତ୍ର ମଧ୍ୟରେ ସମନ୍ୱୟ ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି ।

ରପ୍ତାନି ଆଧାରିତ ବିକାଶ ରଣନୀତି

କେବଳ ଆମଦାନୀ ବିକଳ୍ପ ଉପରେ ଧ୍ୟାନ ଦେବା ଠାରୁ ଆରମ୍ଭ କରି ‘ମେକ୍ ଇନ୍ ଇଣ୍ଡିଆ, ମେକ୍ ଫର୍ ଦ ୱାର୍ଲ୍ଡ’ (ଭାରତରେ ନିର୍ମାଣ ବିଶ୍ୱ ପାଇଁ ନିର୍ମାଣ) ଆଭିମୁଖ୍ୟ ଗ୍ରହଣ କରିବା ପର୍ଯ୍ୟନ୍ତ ଭାରତର ପରିବର୍ତ୍ତନ ଉପରେ ସେ ଗୁରୁତ୍ୱାରୋପ କରିଥିଲେ। ବର୍ତ୍ତମାନ ଭାରତରେ ବ୍ୟବହୃତ ୯୯% ମୋବାଇଲ ସ୍ୱଦେଶରେ ନିର୍ମିତ ହେଉଛି । ଔଷଧୀୟ ସାମଗ୍ରୀ, ରାସାୟନିକ, ପୋଷାକ ଆଦି କ୍ଷେତ୍ରରେ ବିକାଶ ରଣନୀତି ରପ୍ତାନି ଆଧାରିତ ଅଭିବୃଦ୍ଧି ଦିଗରେ ପରିବର୍ତ୍ତିତ ହୋଇଛି।

ଭାରତର ଭବିଷ୍ୟତକୁ ରୂପ ଦେବାରେ, ନବସୃଜନକୁ ଆଗେଇ ନେବାରେ ଏବଂ ସୁଯୋଗ ସୃଷ୍ଟି କରିବାରେ ସେବା କ୍ଷେତ୍ରରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ)ର ପ୍ରମୁଖ ଭୂମିକା ରହିଥିବା କେନ୍ଦ୍ର ମନ୍ତ୍ରୀ କହିଛନ୍ତି । କୃତ୍ରିମ ବୁଦ୍ଧିମତା ବା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସରେ ପ୍ରତିଭା ଭଣ୍ଡାରକୁ ତାଲିମ ଦେବା ଉପରେ ବିଶେଷ ଗୁରୁତ୍ୱ ଦେବାର ଆବଶ୍ୟକତା ରହିଛି ବୋଲି ସେ ଉଲ୍ଲେଖ କରିଛନ୍ତି ।

ଭାରତ: ‘‘ବିଶ୍ୱର ୟୁଜ୍‌ କେସ୍‌ କ୍ୟାପିଟାଲ’’

ବିଶ୍ୱରେ ଶିଳ୍ପ ପାଇଁ ଅଭିନବ ପ୍ରୟୋଗ ସୃଷ୍ଟି କରିବା ଲାଗି ବିଶ୍ୱର ‘ୟୁଜ୍ କେସ୍ କ୍ୟାପିଟାଲ୍’ ହେବା ପାଇଁ ଭାରତ ନିକଟରେ ଥିବା ସମ୍ଭାବନା ଉପରେ ସେ ଜୋର୍‌ ଦେଇଥିଲେ । ସେ ଉଲ୍ଲେଖ କରିଥିଲେ ଯେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ମଡେଲଗୁଡିକ ଅଧିକରୁ ଅଧିକ ବସ୍ତୁବାଦୀ ହେଉଥିବାବେଳେ, ବିଶ୍ୱ ଶିଳ୍ପଗୁଡ଼ିକର ଆବଶ୍ୟକତା ପୂରଣ କରୁଥିବା ୟୁଜ୍‌ କେସ୍‌ ବା ବ୍ୟବହାର ମାମଲା, ଆପ୍ଲିକେସନ୍ ଏବଂ ସମାଧାନର ବିକାଶ ଉପରେ ଧ୍ୟାନ ଦିଆଯିବା ଉଚିତ। ବିଶ୍ୱ ସ୍ତରରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସର ଭବିଷ୍ୟତକୁ ରୂପ ଦେବା ଲାଗି ଭାରତର ସାମର୍ଥ୍ୟକୁ ରେଖାଙ୍କିତ କରି ମନ୍ତ୍ରୀ କହିଥିଲେ, ‘‘ଭାରତ ଆଇଟି ସେବା କ୍ଷେତ୍ରରେ ଯେପରି ସଫଳତା ହାସଲ କରିଛି ଠିକ୍‌ ସେହିପରି ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ସେବାରେ ବିଶ୍ୱର ନେତୃତ୍ୱ ନେବାର କ୍ଷମତା ଭାରତର ରହିଛି ବୋଲି ବିଶେଷଜ୍ଞମାନେ ବିଶ୍ୱାସ କରନ୍ତି ।

ଏଆଇ ଦକ୍ଷତା ବିକାଶ ଏବଂ ନବସୃଜନ ଉପରେ ଗୁରୁତ୍ୱ

ଶ୍ରୀ ଅଶ୍ୱିନୀ ବୈଷ୍ଣବ ଉଦୀୟମାନ ପ୍ରଯୁକ୍ତିବିଦ୍ୟା, ବିଶେଷ କରି ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (ଏଆଇ) ପାଇଁ ଭାରତର ଶ୍ରମଶକ୍ତିକୁ ପ୍ରସ୍ତୁତ କରିବା ଲାଗି ଦକ୍ଷତା ବିକାଶ ଉପରେ ସରକାରଙ୍କ ଗୁରୁତ୍ୱ ଉପରେ ରେଖାପାତ କରିଥିଲେ। ମନ୍ତ୍ରୀ କହିଥିଲେ, ବିଶ୍ୱର ଆବଶ୍ୟକତା ଅନୁଯାୟୀ ଉପଯୋଗ ଏବଂ ପ୍ରୟୋଗ ଲାଗି ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଉପକରଣରେ ପାରଙ୍ଗମ ୧୦ ଲକ୍ଷ ଲୋକଙ୍କୁ ପ୍ରସ୍ତୁତ କରିବା ପାଇଁ ଆମେ ମହତ୍ୱକାଂକ୍ଷୀ ଲକ୍ଷ୍ୟ ଧାର୍ଯ୍ୟ କରିଛୁ।

ସେ ଦୂରସଞ୍ଚାର ଉଦ୍ୟୋଗ ପାଇଁ ଛାତ୍ରଛାତ୍ରୀମାନଙ୍କୁ ପ୍ରସ୍ତୁତ କରିବା ପାଇଁ ୧୦୦ଟି ବିଶ୍ୱବିଦ୍ୟାଳୟରେ 5ଜି ପରୀକ୍ଷାଗାର ପ୍ରତିଷ୍ଠା କରିବା ଏବଂ ସେମିକଣ୍ଡକ୍ଟର ଡିଜାଇନରେ ଛାତ୍ରଛାତ୍ରୀମାନଙ୍କୁ ତାଲିମ ଦେବା ସକାଶେ ୨୪୦ଟି ବିଶ୍ୱବିଦ୍ୟାଳୟରେ ଉନ୍ନତ ଇଡିଏ ଉପକରଣ ଉପଲବ୍ଧ କରାଇବା ଭଳି ଅନ୍ୟାନ୍ୟ କ୍ଷେତ୍ରରେ ମଧ୍ୟ ଅନୁରୂପ ବ୍ୟାପକ ପଦକ୍ଷେପ ଉପରେ ଆଲୋକପାତ କରିଥିଲେ। ସେ କହିଥିଲେ, ପାଠ୍ୟକ୍ରମକୁ ଶିଳ୍ପ ଆବଶ୍ୟକତା ସହିତ ଯୋଡ଼ି ସରକାର ମୂଲ୍ୟ ଶୃଙ୍ଖଳାର ପ୍ରତ୍ୟେକ ସ୍ତରରେ ଏକ କୁଶଳୀ କାର୍ଯ୍ୟବଳ ସୁନିଶ୍ଚିତ କରୁଛନ୍ତି, ଯାହାର ଫଳାଫଳ ସମସ୍ତ ଶିଳ୍ପରେ ଦୃଶ୍ୟମାନ ହୋଇସାରିଛି।

ସେମିକଣ୍ଡକ୍ଟର ଏବଂ ଏଆଇ ନେତୃତ୍ୱ

ସେମିକଣ୍ଡକ୍ଟର ଏବଂ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ କ୍ଷେତ୍ରରେ ଭାରତର ଉନ୍ନତି ଉପରେ ଆଲୋକପାତ କରି ଶ୍ରୀ ବୈଷ୍ଣବ କହିଥିଲେ ଯେ, ଭାରତ ଖୁବ୍ ଶୀଘ୍ର ସେମିକଣ୍ଡକ୍ଟର କ୍ଷେତ୍ରରେ ଶ୍ରେଷ୍ଠ ତିନୋଟି ପ୍ରମୁଖ ଗନ୍ତବ୍ୟସ୍ଥଳ ମଧ୍ୟରେ ସାମିଲ ହେବ ବୋଲି ଅଧିକାଂଶ ସେମିକଣ୍ଡକ୍ଟର ଶିଳ୍ପୋଦ୍ୟୋଗୀ ବିଶ୍ୱାସ କରିଥାନ୍ତି ।

ବିଶ୍ୱ ଉତ୍ପାଦନ ଓ ପ୍ରତିଭା କେନ୍ଦ୍ର ଭାବେ ଭାରତର ବିକାଶ

ବିଶ୍ୱସ୍ତରୀୟ କମ୍ପାନୀଗୁଡ଼ିକ କାହିଁକି ଭାରତ ପ୍ରତି ଅଧିକରୁ ଅଧିକ ଆକୃଷ୍ଟ ହେଉଛନ୍ତି, ତାହା ଉପରେ ଗୁରୁତ୍ୱାରୋପ କରି କେନ୍ଦ୍ର ମନ୍ତ୍ରୀ କହିଥିଲେ, ବିଶ୍ୱାସ, ପ୍ରଚୁର ପ୍ରତିଭା ଏବଂ ଅସାଧାରଣ ଡିଜାଇନ୍ ସାମର୍ଥ୍ୟ ମଧ୍ୟରେ ନିହିତ ଦେଶର ‘ଅନନ୍ୟ ସୁବିଧା’ ଏଭଳି ପରିବେଶ ସୃଷ୍ଟି କରିଛି । କେବଳ ଯୋଗାଣ ଶୃଙ୍ଖଳାକୁ ନୁହେଁ ବରଂ ମୂଲ୍ୟ ଶୃଙ୍ଖଳାକୁ ମଧ୍ୟ ଭାରତକୁ ସ୍ଥାନାନ୍ତର କରିବା ଲାଗି କମ୍ପାନୀଗୁଡ଼ିକୁ ଆକର୍ଷିତ କରିବା ସହିତ ବିଶ୍ୱ ପାଇଁ ବିଶ୍ୱାସର ପରିବେଶ ସୃଷ୍ଟି କରିବାର ଶ୍ରେୟ ସେ ଭାରତର ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱକୁ ଦେଇଛନ୍ତି। ପ୍ରାୟ ୨ ହଜାର ବିଶ୍ୱ ସାମର୍ଥ୍ୟ କେନ୍ଦ୍ର (ଜିସିସି) ଉନ୍ନତ ଡିଜାଇନ ଉପରେ କାର୍ଯ୍ୟ କରୁଥିବାରୁ ଭାରତ ବିଶ୍ୱ ଉତ୍ପାଦନ କ୍ଷେତ୍ରରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିବାକୁ ପ୍ରସ୍ତୁତ ବୋଲି ସେ କହିଥିଲେ।

*******

P.S/Swadhin


(Release ID: 2095950) Visitor Counter : 12