କ୍ୟାବିନେଟ
ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ବିଭାଗର ଯୋଜନା ‘ବିଜ୍ଞାନ ଧାରା’କୁ କ୍ୟାବିନେଟ୍ ଅନୁମୋଦନ
Posted On:
24 AUG 2024 7:27PM by PIB Bhubaneshwar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ତିନୋଟି ପ୍ରମୁଖ ଯୋଜନାକୁ ଜାରି ରଖିବାକୁ ଆଜି ମଞ୍ଜୁରି ମିଳିଛି । ଏସବୁ ଯୋଜନାକୁ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ବିଭାଗ (ଡିଏସଟି)ର ‘ବିଜ୍ଞାନ ଧାରା’ ନାମକ ଏକ ସମନ୍ୱିତ କେନ୍ଦ୍ରୀୟ କ୍ଷେତ୍ର ଯୋଜନା ମିଶ୍ରଣ କରାଯାଇଛି ।
ଏହି ଯୋଜନାରେ ତିନୋଟି ବ୍ୟାପକ ଉପାଦାନ ରହିଛି:
- ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା (ଏସଆଣ୍ଡଟି) ସହ ଜଡ଼ିତ ସଂସ୍ଥାଗତ ଓ ମାନବ ଦକ୍ଷତା ବିକାଶ,
- ଗବେଷଣା ଓ ବିକାଶ ଏବଂ
- ନୂଆ ଉଦ୍ଭାବନ, ପ୍ରଯୁକ୍ତି ବିକାଶ ଓ ନିୟୋଜନ ।
୨୦୨୧-୨୨ରୁ ୨୦୨୫-୨୬ ପର୍ଯ୍ୟନ୍ତ ପଞ୍ଚଦଶ ଅର୍ଥ ଆୟୋଗ ଅବଧି ମଧ୍ୟରେ ସମନ୍ୱିତ ଯୋଜନା ‘ବିଜ୍ଞାନ ଧାରା’ର କାର୍ଯ୍ୟକାରିତା ପାଇଁ ପ୍ରସ୍ତାବିତ ବ୍ୟୟ ଅଟକଳ ୧୦,୫୭୯.୮୪ କୋଟି ଟଙ୍କା ରହିଛି।
ଯୋଜନାଗୁଡ଼ିକୁ ଏକକ ଯୋଜନାରେ ମିଶ୍ରଣ କରିବା ଦ୍ୱାରା ପାଣ୍ଠି ର ଉପଯୋଗରେ ଦକ୍ଷତା ବୃଦ୍ଧି ପାଇବ ଏବଂ ଉପ-ଯୋଜନା/କାର୍ଯ୍ୟକ୍ରମ ମଧ୍ୟରେ ସମନ୍ୱୟ ସ୍ଥାପନ ହେବ ।
‘ବିଜ୍ଞାନ ଧାରା’ ଯୋଜନାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଦେଶରେ ବିଜ୍ଞାନ, ପ୍ରଯୁକ୍ତି ଏବଂ ଉଦ୍ଭାବନ ଇକୋସିଷ୍ଟମକୁ ସୁଦୃଢ଼ କରିବା ଦିଗରେ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ବିକାଶ ସହିତ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ବିକାଶକୁ ପ୍ରୋତ୍ସାହିତ କରିବା । ଏହି ଯୋଜନା କାର୍ଯ୍ୟକାରୀ ହେଲେ ଶିକ୍ଷାନୁଷ୍ଠାନଗୁଡ଼ିକରେ ସମ୍ପୂର୍ଣ୍ଣ ଭାବେ ସୁସଜ୍ଜିତ ଗବେଷଣା ଓ ବିକାଶ ପରୀକ୍ଷାଗାରକୁ ପ୍ରୋତ୍ସାହିତ କରାଯାଇ ଦେଶର ବିଜ୍ଞାନ ଓ ବିକାଶ ଭିତ୍ତିଭୂମି ସୁଦୃଢ଼ କରାଯିବ ।
ଏହି ଯୋଜନାରେ ଅନ୍ତର୍ଜାତୀୟ ମେଗା ସୁବିଧା ସହିତ ମୌଳିକ ଗବେଷଣା, ଦୀର୍ଘସ୍ଥାୟୀ ଶକ୍ତି, ଜଳ ଇତ୍ୟାଦି କ୍ଷେତ୍ରରେ ଗବେଷଣା ଏବଂ ଅନ୍ତର୍ଜାତୀୟ ଦ୍ୱିପାକ୍ଷିକ ଏବଂ ବହୁପାକ୍ଷିକ ସହଯୋଗ ମାଧ୍ୟମରେ ସହଯୋଗୀ ଗବେଷଣାକୁ ପ୍ରୋତ୍ସାହିତ କରିବାକୁ ପ୍ରୟାସ କରାଯାଇଛି । ଏହା ବିଜ୍ଞାନ ଓ ବୈଷୟିକ କ୍ଷେତ୍ରକୁ ସୁଦୃଢ଼ କରିବା ଏବଂ ପୂର୍ଣ୍ଣକାଳୀନ ସମକକ୍ଷ (ଏଫଟିଇ) ଗବେଷକ ଗଣନାରେ ଉନ୍ନତି ଆଣିବା ଦିଗରେ ଦେଶର ଗବେଷଣା ଓ ବିକାଶ ଭିତ୍ତିଭୂମିକୁ ବିସ୍ତାର କରିବା ପାଇଁ ଗୁରୁତ୍ୱପୂର୍ଣ୍ଣ ମାନବ ସମ୍ବଳ ପୁଲ୍ ନିର୍ମାଣରେ ସହାୟକ ହେବ । ବିଜ୍ଞାନ, ପ୍ରଯୁକ୍ତି ବିଦ୍ୟା ଏବଂ ଉଦ୍ଭାବନ (ଏସଟିଆଇ)ରେ ଲିଙ୍ଗଗତ ସମାନତା ଆଣିବାର ଚୂଡ଼ାନ୍ତ ଲକ୍ଷ୍ୟ ସହିତ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା (ଏସଆଣ୍ଡଟି) କ୍ଷେତ୍ରରେ ମହିଳାଙ୍କ ଅଂଶଗ୍ରହଣ ବୃଦ୍ଧି ପାଇଁ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରାଯିବ । ଏହି ଯୋଜନା ବିଦ୍ୟାଳୟ ସ୍ତରରୁ ଆରମ୍ଭ କରି ଉଚ୍ଚଶିକ୍ଷା ପର୍ଯ୍ୟନ୍ତ ସମସ୍ତ ସ୍ତରରେ ଉଦ୍ଭାବନକୁ ପ୍ରୋତ୍ସାହିତ କରିବା ଦିଗରେ ସରକାରଙ୍କ ପ୍ରୟାସକୁ ସୁଦୃଢ଼ କରିବ । ଏଥିସହିତ ଲକ୍ଷ୍ୟ ଆଧାରିତ ହସ୍ତକ୍ଷେପ ମାଧ୍ୟମରେ ଶିଳ୍ପ ଓ ଷ୍ଟାର୍ଟଅପ୍ ପାଇଁ ଶିକ୍ଷାନୁଷ୍ଠାନ, ସରକାର ଏବଂ ଶିଳ୍ପ ଗୁଡ଼ିକ ମଧ୍ୟରେ ସହଯୋଗ ବୃଦ୍ଧି ପାଇଁ ଗୁରୁତ୍ୱପୂର୍ଣ୍ଣ ସହାୟତା ପ୍ରଦାନ କରାଯିବ।
‘ବିଜ୍ଞାନ ଧାରା’ ଯୋଜନାରେ ପ୍ରସ୍ତାବିତ ସମସ୍ତ କାର୍ଯ୍ୟକ୍ରମ କୁ ବିକଶିତ ଭାରତ ୨୦୪୭ର ସ୍ୱପ୍ନକୁ ସାକାର କରିବା ଦିଗରେ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ବିଭାଗର ୫ ବର୍ଷର ଲକ୍ଷ୍ୟ ସହିତ ସଂଯୁକ୍ତ କରାଯିବ । ଏହି ଯୋଜନାର ଗବେଷଣା ଓ ବିକାଶ ଉପାଦାନକୁ ଅନୁସନ୍ଧାନ ନ୍ୟାସନାଲ ରିସର୍ଚ୍ଚ ଫାଉଣ୍ଡେସନ (ଏଏନ୍ଆରଏଫ) ଅନୁରୂପ ପ୍ରସ୍ତୁତ କରାଯିବ। ଏହି ଯୋଜନାର କାର୍ଯ୍ୟକାରିତା ଜାତୀୟ ପ୍ରାଥମିକତା ଅନୁଯାୟୀ ବିଶ୍ୱସ୍ତରରେ ପ୍ରଚଳିତ ମାନଦଣ୍ଡକୁ ଅନୁସରଣ କରିବ ।
ପୃଷ୍ଠଭୂମି:
ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ବିଭାଗ ଦେଶରେ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ସମ୍ବନ୍ଧୀୟ କାର୍ଯ୍ୟକଳାପକୁ ସଂଗଠିତ, ସମନ୍ୱିତ କରିବା ସହ ଏହି କ୍ଷେତ୍ରକୁ ପ୍ରୋତ୍ସାହନ ଦେବା ପାଇଁ ନୋଡାଲ ବିଭାଗ ଭାବରେ କାର୍ଯ୍ୟ କରେ । ଦେଶରେ ବିଜ୍ଞାନ, ପ୍ରଯୁକ୍ତି ଓ ଉଦ୍ଭାବନ (ଏସଟିଆଇ)କୁ ପ୍ରୋତ୍ସାହିତ କରିବା ପାଇଁ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ବିଭାଗ ପକ୍ଷରୁ ୩ଟି କେନ୍ଦ୍ରୀୟ କ୍ଷେତ୍ର ପ୍ରମୁଖ ଯୋଜନା କାର୍ଯ୍ୟକାରୀ କରାଯାଉଛି। ସେଗୁଡ଼ିକ ହେଲା: (୧) ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ସଂସ୍ଥାଗତ ଓ ମାନବ ଦକ୍ଷତା ବିକାଶ, (୨) ଗବେଷଣା ଓ ବିକାଶ ଏବଂ (୩) ଉଦ୍ଭାବନ, ପ୍ରଯୁକ୍ତି ବିଦ୍ୟା ବିକାଶ ଓ ଏହାର କାର୍ଯ୍ୟକାରିତା । ସମନ୍ୱିତ ଯୋଜନା ‘ବିଜ୍ଞାନ ଧାରା’ରେ ଏହି ତିନୋଟି ଯୋଜନାକୁ ମିଶ୍ରଣ କରାଯାଇଛି।
******
P.S.
(Release ID: 2048603)
Visitor Counter : 82
Read this release in:
English
,
Khasi
,
Urdu
,
Nepali
,
Hindi
,
Marathi
,
Manipuri
,
Assamese
,
Bengali-TR
,
Bengali
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam