ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଜୁଲାଇ ୨୧ ତାରିଖରେ ଭାରତ ମଣ୍ଡପମ୍ ଠାରେ ବିଶ୍ୱ ଐତିହ୍ୟ କମିଟିର ୪୬ତମ ଅଧିବେଶନକୁ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ


ଭାରତ ପ୍ରଥମ ଥର ପାଇଁ ବିଶ୍ୱ ଐତିହ୍ୟ କମିଟି ବୈଠକ ଆୟୋଜନ କରୁଛି

ଏହି ବୈଠକରେ ୧୫୦ ରୁ ଅଧିକ ଦେଶର ୨୦୦୦ରୁ ଅଧିକ ଜାତୀୟ ଓ ଅନ୍ତର୍ଜାତୀୟ ପ୍ରତିନିଧି ଯୋଗ ଦେବେ

Posted On: 20 JUL 2024 5:31PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜୁଲାଇ ୨୧, ୨୦୨୪ ସନ୍ଧ୍ୟା ୭ଟାରେ ନୂଆଦିଲ୍ଲୀର ଭାରତ ମଣ୍ଡପମ୍ ଠାରେ ବିଶ୍ୱ ଐତିହ୍ୟ କମିଟିର ୪୬ତମ ଅଧିବେଶନକୁ ଉଦଘାଟନ କରିବେ । ଏହି ଅବସରରେ ପ୍ରଧାନମନ୍ତ୍ରୀ ସମାବେଶକୁ ମଧ୍ୟ ସମ୍ବୋଧିତ କରିବେ । ଉଦଘାଟନୀ ଉତ୍ସବରେ ୟୁନେସ୍କୋ ମହାନିର୍ଦ୍ଦେଶିକା ଅଡ୍ରେ ଆଜୋଲେ ଯୋଗ ଦେବେ ।

ଭାରତ ପ୍ରଥମ ଥର ପାଇଁ ବିଶ୍ୱ ଐତିହ୍ୟ କମିଟି ବୈଠକ ଆୟୋଜନ କରୁଛି । ୨୦୨୪ ଜୁଲାଇ ୨୧ରୁ ୩୧ ତାରିଖ ପର୍ଯ୍ୟନ୍ତ ନୂଆଦିଲ୍ଲୀର ଭାରତ ମଣ୍ଡପମ୍ ଠାରେ ଏହା ଅନୁଷ୍ଠିତ ହେବ । ବିଶ୍ୱ ଐତିହ୍ୟ କମିଟି ବର୍ଷକୁ ଥରେ ବୈଠକ କରି ବିଶ୍ୱ ଐତିହ୍ୟ ସମ୍ବନ୍ଧୀୟ ସମସ୍ତ ମାମଲାର ପରିଚାଳନା କରିବା ଏବଂ ବିଶ୍ୱ ଐତିହ୍ୟ ତାଲିକାରେ ସ୍ଥାନିତ ହେବାକୁ ଥିବା ସ୍ଥାନଗୁଡିକ ଉପରେ ନିଷ୍ପତ୍ତି ନେବା ପାଇଁ ଦାୟୀ ରହିଥାଏ । ଏହି ବୈଠକରେ ବିଶ୍ୱ ଐତିହ୍ୟ ତାଲିକାରେ ନୂତନ ସ୍ଥାନ ମନୋନୀତ ପ୍ରସ୍ତାବ, ୧୨୪ଟି ବିଦ୍ୟମାନ ବିଶ୍ୱ ଐତିହ୍ୟ ସମ୍ପତ୍ତିର ସଂରକ୍ଷଣ ସ୍ଥିତି ରିପୋର୍ଟ, ଅନ୍ତର୍ଜାତୀୟ ସହାୟତା ଏବଂ ବିଶ୍ୱ ଐତିହ୍ୟ ପାଣ୍ଠିର ଉପଯୋଗ ଇତ୍ୟାଦି ଉପରେ ଆଲୋଚନା ହେବ । ଏହି ବୈଠକରେ ୧୫୦ରୁ ଅଧିକ ଦେଶର ୨୦୦୦ରୁ ଅଧିକ ଅନ୍ତର୍ଜାତୀୟ  ଓ ଜାତୀୟ ପ୍ରତିନିଧି ଯୋଗ ଦେବେ ।

ବିଶ୍ୱ ଐତିହ୍ୟ କମିଟି ବୈଠକ ସହିତ ବିଶ୍ୱ ଐତିହ୍ୟ ଯୁବ ପେସାଦାର ମଂଚ ଏବଂ ବିଶ୍ୱ ଐତିହ୍ୟ ସ୍ଥଳ ପରିଚାଳକ ମଂଚ ମଧ୍ୟ ଏହି ଅବସରରେ ଅନୁଷ୍ଠିତ ହେଉଛି ।

ଏହାବ୍ୟତୀତ ଭାରତର ସଂସ୍କୃତିକୁ ପ୍ରଦର୍ଶିତ କରିବା ପାଇଁ ଭାରତ ମଣ୍ଡପମ୍ ଠାରେ ବିଭିନ୍ନ ପ୍ରଦର୍ଶନୀ ମଧ୍ୟ ଆୟୋଜନ କରାଯିବ । ରିଟର୍ଣ୍ଣ ଅଫ୍ ଟ୍ରେଜର ପ୍ରଦର୍ଶନୀରେ ଦେଶକୁ ଫେରାଇ ଅଣାଯାଇଥିବା କିଛି କଳାକୃତି ପ୍ରଦର୍ଶିତ ହେବ । ବର୍ତ୍ତମାନ ସୁଦ୍ଧା ୩୫୦ରୁ ଅଧିକ କଳାକୃତି ଫେରାଇ ଅଣାଯାଇଛି । ଏହାବ୍ୟତୀତ , ଅତ୍ୟାଧୁନିକ ଏଆର ଏବଂ ଭିଆର ଟେକ୍ନୋଲୋଜି ବ୍ୟବହାର କରି ଭାରତର ୩ଟି ବିଶ୍ୱ ଐତିହ୍ୟ ସ୍ଥଳ: ରାଣୀ କି ଭାବ, ପାତନ, ଗୁଜରାଟ, କୈଳାସ ମନ୍ଦିର, ଏଲୋରା ଗୁମ୍ଫା, ମହାରାଷ୍ଟ୍ର; ଏବଂ ହୋୟଶାଲା ମନ୍ଦିର, ହାଲେବିଡ, କର୍ଣ୍ଣାଟକ ପାଇଁ ଏକ ଗହନ ଅନୁଭୂତି ପ୍ରଦାନ କରାଯିବ । । ସୂଚନା ପ୍ରଯୁକ୍ତି ବିଦ୍ୟା ଏବଂ ଭିତ୍ତିଭୂମି କ୍ଷେତ୍ରରେ ଆଧୁନିକ ବିକାଶ ସହିତ ଭାରତର ସମୃଦ୍ଧ ସାଂସ୍କୃତିକ ଐତିହ୍ୟ, ପୁରାତନ ସଭ୍ୟତା, ଭୌଗୋଳିକ ବିବିଧତା, ପର୍ଯ୍ୟଟନସ୍ଥଳୀ ଉପରେ ଆଲୋକପାତ କରିବା ପାଇଁ ଏକ 'ଅତୁଳନୀୟ ଭାରତ' ପ୍ରଦର୍ଶନୀ ଆୟୋଜିତ କରାଯିବ ।

***

SSP



 

 

 



(Release ID: 2035741) Visitor Counter : 28