ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ବିପର୍ଯ୍ୟୟ ମୁକାବିଲା ଭିତ୍ତିଭୂମି ଉପରେ ଅନ୍ତର୍ଜାତୀୟ ସମ୍ମିଳନୀର ଷଷ୍ଠ ସଂସ୍କରଣକୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ


ଉନ୍ନତ ଭବିଷ୍ୟତ ପାଇଁ ଆଜି ଆମକୁ ସୁଦୃଢ଼ ଭିତ୍ତିଭୂମିରେ ନିବେଶ କରିବାକୁ ପଡ଼ିବ

"ବିଶ୍ୱ ସାମୂହିକ ଭାବରେ ସେତେବେଳେ ନମନୀୟ ହୋଇପାରିବ, ଯେତେବେଳେ ପ୍ରତ୍ୟେକ ଦେଶ ବ୍ୟକ୍ତିଗତ ଭାବରେ ନମନୀୟ ହେବ"

"ଅଂଶୀଦାର ନମନୀୟତା ହାସଲ କରିବାକୁ, ଆମକୁ ସବୁଠାରୁ ଦୁର୍ବଳ ଲୋକମାନଙ୍କୁ ସମର୍ଥନ କରିବାକୁ ହେବ"

Posted On: 24 APR 2024 9:53AM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ ବାର୍ତ୍ତା ମାଧ୍ୟମରେ ବିପର୍ଯ୍ୟୟ ପ୍ରତିରୋଧୀ ଭିତ୍ତିଭୂମି ଉପରେ ଆନ୍ତର୍ଜାତିକ ସମ୍ମିଳନୀର ଷଷ୍ଠ ସଂସ୍କରଣକୁ ସମ୍ବୋଧିତ କରିଛନ୍ତି ।

ସଭାକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ସମସ୍ତ ବିଶିଷ୍ଟ ବ୍ୟକ୍ତିଙ୍କୁ ଉଷ୍ମ ସ୍ୱାଗତ କରିଥିଲେ ଏବଂ କହିଥିଲେ ଯେ ସେମାନଙ୍କ ଅଂଶଗ୍ରହଣ ବିପର୍ଯ୍ୟୟ ପ୍ରତିରୋଧୀ ଭିତ୍ତିଭୂମିର ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ବିଶ୍ୱସ୍ତରୀୟ ଆଲୋଚନା ଏବଂ ନିଷ୍ପତ୍ତିକୁ ସୁଦୃଢ଼ କରିବ । ବିପର୍ଯ୍ୟୟ ମୁକାବିଲା ଭିତ୍ତିଭୂମି ପାଇଁ ମେଣ୍ଟ ୨୦୧୯ରେ ଆରମ୍ଭ ହେବା ପରଠାରୁ ଏହାର ପ୍ରଭାବଶାଳୀ ଅଭିବୃଦ୍ଧି ବିଷୟରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହା ବର୍ତ୍ତମାନ ୩୯ଟି ଦେଶ ଏବଂ ୭ଟି ସଂଗଠନକୁ ନେଇ ଗଠିତ ଏକ ବିଶ୍ୱସ୍ତରୀୟ ମେଣ୍ଟ ରେ ପରିଣତ ହୋଇଛି । ଭବିଷ୍ୟତ ପାଇଁ ଏହା ଏକ ଶୁଭ ସଙ୍କେତ ବୋଲି ସେ କହିଛନ୍ତି ।

ପ୍ରାକୃତିକ ବିପର୍ଯ୍ୟୟର ବଢୁଥିବା ବାରମ୍ବାରତା ଏବଂ ଗମ୍ଭୀରତାକୁ ସାଧାରଣତଃ ଡଲାରରେ ଆକଳନ କରାଯାଏ ବୋଲି ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ଆଲୋକପାତ କରିଥିଲେ ଯେ ଲୋକ, ପରିବାର ଏବଂ ସମ୍ପ୍ରଦାୟ ଉପରେ ଏହାର ପ୍ରକୃତ ପ୍ରଭାବ ସଂଖ୍ୟାଠାରୁ ଅଧିକ । ପ୍ରାକୃତିକ ବିପର୍ଯ୍ୟୟର ପ୍ରଭାବ ମଣିଷ ଉପରେ ପଡ଼ୁଥିବା ନେଇ ଶ୍ରୀ ମୋଦୀ ଦୃଷ୍ଟି ଆକର୍ଷଣ କରିବା ସହ ଭୂମିକମ୍ପ ଯୋଗୁଁ ହଜାର ହଜାର ଲୋକ ବାସହୀନ ହେବା ସହ ପ୍ରାକୃତିକ ବିପର୍ଯ୍ୟୟ କାରଣରୁ ଜଳ ଓ ନର୍ଦ୍ଦମା ପରିଚାଳନା ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇଛି ଏବଂ ଲୋକମାନଙ୍କ ସ୍ୱାସ୍ଥ୍ୟ ପ୍ରତି ବିପଦ ସୃଷ୍ଟି ହୋଇଛି ବୋଲି ଉଲ୍ଲେଖ କରିଥିଲେ । ସେ ପ୍ରାକୃତିକ ବିପର୍ଯ୍ୟୟ ବିଷୟରେ ମଧ୍ୟ ଆଲୋକପାତ କରିଥିଲେ, ଯାହା ଶକ୍ତି କାରଖାନାକୁ ପ୍ରଭାବିତ କରିପାରେ, ଯାହା ଯୋଗୁଁ ସମ୍ଭାବ୍ୟ ବିପଜ୍ଜନକ ପରିସ୍ଥିତି ସୃଷ୍ଟି ହୋଇପାରେ ।

ଉନ୍ନତ ଭବିଷ୍ୟତ ପାଇଁ ଆମକୁ ଆଜି ସୁଦୃଢ଼ ଭିତ୍ତିଭୂମିରେ ପୁଞ୍ଜି ନିବେଶ କରିବାକୁ ପଡ଼ିବା ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ । ବିପର୍ଯ୍ୟୟ ପରବର୍ତ୍ତୀ ପୁନଃନିର୍ମାଣର ଏକ ଅଂଶ ହେବା ସହିତ ନୂତନ ଭିତ୍ତିଭୂମି ନିର୍ମାଣରେ ନମନୀୟତାକୁ ଗୁରୁତ୍ୱ ଦିଆଯିବା ଆବଶ୍ୟକ ବୋଲି ସେ ମଧ୍ୟ ଉଲ୍ଲେଖ କରିଥିଲେ । ବିପର୍ଯ୍ୟୟ ପରେ ରିଲିଫ ଓ ଥଇଥାନ କାର୍ଯ୍ୟ କରାଯିବା ନେଇ ଭିତ୍ତିଭୂମି ସଂରଚନାରେ ନମନୀୟତା ଉପରେ ଗୁରୁତ୍ୱ ଦିଆଯିବା ଉଚିତ ବୋଲି ପ୍ରଧାନମନ୍ତ୍ରୀ ଦର୍ଶାଇଥିଲେ ।

ପ୍ରକୃତି ଏବଂ ବିପର୍ଯ୍ୟୟର କୌଣସି ସୀମା ନାହିଁ ବୋଲି ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ବିପର୍ଯ୍ୟୟ ଏବଂ ବାଧା ପରସ୍ପର ସହ ଜଡ଼ିତ ବିଶ୍ୱରେ ବ୍ୟାପକ ପ୍ରଭାବ ସୃଷ୍ଟି କରିଥାଏ । ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ବିଶ୍ୱ ସାମୂହିକ ଭାବରେ ନମନୀୟ ହୋଇପାରିବ, ଯେତେବେଳେ ପ୍ରତ୍ୟେକ ଦେଶ ବ୍ୟକ୍ତିଗତ ଭାବରେ ନମନୀୟ ରହିବେ । ସେ ଅଂଶୀଦାରୀ ବିପଦ କାରଣରୁ ଅଂଶୀଦାରୀ ନମନୀୟତା ଉପରେ ଗୁରୁତ୍ୱାରୋପ କରିଥିଲେ ଏବଂ କହିଥିଲେ ଯେ ସିଡିଆରଆଇ ଏବଂ ଏହି ସମ୍ମିଳନୀ ଏହି ସାମୂହିକ ମିଶନ ପାଇଁ ବିଶ୍ୱକୁ ଏକାଠି ହେବାରେ ସାହାଯ୍ୟ କରିବ ।

"ମିଳିତ ନମନୀୟତା ହାସଲ କରିବାକୁ ହେଲେ, ଆମକୁ ସବୁଠାରୁ ଦୁର୍ବଳ ଲୋକମାନଙ୍କୁ ସମର୍ଥନ କରିବାକୁ ହେବ" ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । କ୍ଷୁଦ୍ର ଦ୍ୱୀପ ବିକାଶଶୀଳ ରାଷ୍ଟ୍ରଗୁଡ଼ିକ ବିପର୍ଯ୍ୟୟର ଅଧିକ ବିପଦରେ ଥିବା ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ମୋଦୀ ଏଭଳି ୧୩ଟି ସ୍ଥାନରେ ପ୍ରକଳ୍ପ ପାଇଁ ପାଣ୍ଠି ଯୋଗାଣ ନିମନ୍ତେ ସିଡିଆରଆଇ କାର୍ଯ୍ୟକ୍ରମ ବିଷୟରେ ଉଲ୍ଲେଖ କରିଥିଲେ । ସେ ଡୋମିନିକାରେ ନମନୀୟ ବାସଗୃହ, ପାପୁଆ ନିଉ ଗିନିରେ ନମନୀୟ ପରିବହନ ନେଟୱାର୍କ ଏବଂ ଡୋମିନିକାନ୍ ଗଣରାଜ୍ୟ ଏବଂ ଫିଜିରେ ପ୍ରାରମ୍ଭିକ ଚେତାବନୀ ବ୍ୟବସ୍ଥାର ବୃଦ୍ଧିର ଉଦାହରଣ ଦେଇଥିଲେ । ସିଡିଆରଆଇର ମଧ୍ୟ ଦକ୍ଷିଣ ବିଶ୍ୱ ଉପରେ ଧ୍ୟାନ କେନ୍ଦ୍ରୀଭୂତ ରହିଛି ବୋଲି ଉଲ୍ଲେଖ କରିବା ସହିତ ଏହା ଉପରେ ସେ ସନ୍ତୋଷ ବ୍ୟକ୍ତ କରିଛନ୍ତି ।

ପ୍ରଧାନମନ୍ତ୍ରୀ ଭାରତର ଜି -୨୦ ଅଧ୍ୟକ୍ଷତା ସମୟରେ ହୋଇଥିବା ଆଲୋଚନାର କେନ୍ଦ୍ରରେ ଆର୍ଥିକ ସହାୟତା ସହିତ ଏକ ନୂତନ ବିପର୍ଯ୍ୟୟ ବିପଦ ହ୍ରାସ କାର୍ଯ୍ୟକାରୀ ଗୋଷ୍ଠୀ ଗଠନକୁ ସ୍ମରଣ କରିଥିଲେ ଏବଂ କହିଥିଲେ ଯେ ଏଭଳି ପଦକ୍ଷେପ ସିଡିଆରଆଇର ଅଭିବୃଦ୍ଧି ସହିତ ବିଶ୍ୱକୁ ଏକ ସ୍ଥିର ଭବିଷ୍ୟତକୁ ନେଇଯିବ । ଆଗାମୀ ଦୁଇ ଦିନ ମଧ୍ୟରେ ଆଇସିଡିଆରଆଇରେ ଫଳପ୍ରଦ ଆଲୋଚନା ବିଷୟରେ ଆସ୍ଥା ପ୍ରକଟ କରି ସେ ତାଙ୍କ ବକ୍ତବ୍ୟ ସମାପ୍ତ କରିଥିଲେ ।

SSP



(Release ID: 2018790) Visitor Counter : 33