ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ
azadi ka amrit mahotsav

ପୁରୀ ବେଳାଭୂମିରେ ସୁଦର୍ଶନ ପଟ୍ଟନାୟକଙ୍କ ବାଲୁକା କଳାକୃତି ‘ମେରା ପେହଲା ଭୋଟ୍ ଦେଶ କେ ଲିଏ’ ଅଭିଯାନକୁ ଏକ ନୂଆ ଦିଗ ଦେଇଛି

ପୋଷ୍ଟ କରାଯିବା ଦିନାଙ୍କ: 10 MAR 2024 2:36PM by PIB Bhubaneswar

ଦେଶବ୍ୟାପୀ “ମେରା ପେହଲା ଭୋଟ୍ ଦେଶ କେ ଲିଏ” ଅଭିଯାନ ଜୋର ଧରିଥିବା ବେଳେ ପ୍ରସିଦ୍ଧ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ପୁରୀ ବେଳାଭୂମିରେ ଏକ ବାଲୁକା କଳାକୃତି ତିଆରି କରିଛନ୍ତି । ନିଜ କଳାକୃତି ଜରିଆରେ ସେ ଯୁବ ଓ ପ୍ରଥମ ଥର ଭୋଟରଙ୍କୁ ଅଧିକ ସଂଖ୍ୟାରେ ଭୋଟ ଦେବା ସହ ଗଣତନ୍ତ୍ରକୁ ସୁଦୃଢ଼ ଓ ସମୃଦ୍ଧ କରିବାକୁ ଅନୁରୋଧ କରିଛନ୍ତି। ଶ୍ରୀ ପଟ୍ଟନାୟକ କହିଛନ୍ତି, ‘‘ଜଣେ କଳାକାର ଭାବେ ମୁଁ ମାନନୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନକୁ ଅନୁସରଣ କରିବା ସହିତ ମୋର ବାଲୁକା କଳା ମାଧ୍ୟମରେ ଯୁବ ମତଦାତାମାନଙ୍କୁ ସଚେତନ କରିବାର ପ୍ରୟାସ କରିଛି । ସେମାନଙ୍କୁ ନିର୍ବାଚନ ପ୍ରକ୍ରିୟାରେ ସାମିଲ ହୋଇ ଆମ ଦେଶର ଗଣତନ୍ତ୍ରକୁ ସୁଦୃଢ଼ କରିବା ଲାଗି ବାର୍ତ୍ତା ଦେଉଛି ।’’

ଶ୍ରୀ ପଟ୍ଟନାୟକଙ୍କ କଳାକୃତିକୁ ପ୍ରଶଂସା କରି କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର କହିଛନ୍ତି, “ବାଲିରେ ତିଆରି, କିନ୍ତୁ ଏହାର ଛାପ ପ୍ରତ୍ୟେକ ଭାରତୀୟଙ୍କ ମନରେ ରହିଛି।” ମନ୍ତ୍ରୀ ତାଙ୍କ ଏକ୍ସ ପୋଷ୍ଟରେ ଆହୁରି ମଧ୍ୟ କହିଛନ୍ତି ଯେ “ମେରା ପେହଲା ଭୋଟ୍ ଦେଶ କେ ଲିଏ ଅଭିଯାନ ଦେଶର କୋଣ ଅନୁକୋଣରେ ପହଞ୍ଚିଥିବା ବେଳେ ପ୍ରଥମ ଥର ମତଦାନ କରିଥିବା ଭୋଟରଙ୍କ ଭିତରେ ଗଣତାନ୍ତ୍ରିକ ପ୍ରକ୍ରିୟାର ଅଂଶ ହେବା ପାଇଁ ଅତୁଳନୀୟ ଉତ୍ସାହ ଭରିଯାଇଛି, ଆମେ ବାଲିରେ ନିର୍ମିତ ଏହି ଅଭିଯାନର ଏକ ସୁନ୍ଦର ଅଭିବ୍ୟକ୍ତି ଦେଖୁଛୁ ।”

ଦେଶର ବିଭିନ୍ନ ଉଚ୍ଚ ଶିକ୍ଷାନୁଷ୍ଠାନରେ ମଧ୍ୟ ‘ମେରା ପେହଲା ଭୋଟ୍ ଦେଶ କେ ଲିଏ’ ଅଭିଯାନ କାର୍ଯ୍ୟକାରୀ ହେଉଛି। ଯୁବ ଭୋଟରମାନଙ୍କୁ ଆଗକୁ ଆସି ଭୋଟ୍ ଦେବା ପାଇଁ ଉତ୍ସାହିତ କରିବା ଏବଂ ଦେଶର ବୃହତ୍ତର ମଙ୍ଗଳ ପାଇଁ ମତଦାନର ଗୁରୁତ୍ୱ ଜଣାଇବା ଏହି ପଦକ୍ଷେପର ମୁଖ୍ୟ ଉଦ୍ଦେଶ୍ୟ । ଏହି ପଦକ୍ଷେପ ନିର୍ବାଚନର ମହତ୍ୱ ଏବଂ ବିଶ୍ୱର ସର୍ବବୃହତ ଗଣତନ୍ତ୍ରରେ ମତଦାନର ଗୌରବ ବିଷୟରେ ବାର୍ତ୍ତା ଦେଇଥାଏ ।

********

P.S/SSP


(ରିଲିଜ ଆଡି: 2013225) ପରିଦର୍ଶକ କାଉଣ୍ଟର : 136