କ୍ୟାବିନେଟ

କେନ୍ଦ୍ର କ୍ୟାବିନେଟ୍ ୨୦୨୧ - ୨୬ ପାଇଁ ବନ୍ୟା ପରିଚାଳନା ଓ ସୀମା ଅଞ୍ଚଳ କାର୍ଯ୍ୟକ୍ରମ (ଏଫ୍‌ଏମ୍‌ବିଏପି)କୁ ଅନୁମୋଦନ ଦେଇଛନ୍ତି

Posted On: 21 FEB 2024 10:29PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ୨୦୨୧ – ୨୨ ରୁ ୨୦୨୫ - ୨୬ (ପଞ୍ଚଦଶ ଅର୍ଥ ଆୟୋଗ ଅବଧି) ପର୍ଯ୍ୟନ୍ତ ୫ ବର୍ଷ ପାଇଁ ମୋଟ ୪,୧୦୦ କୋଟି ଟଙ୍କା ବ୍ୟୟ ବରାଦ ସହିତ କେନ୍ଦ୍ର ପ୍ରାୟୋଜିତ ଯୋଜନା ,  "ବନ୍ୟା ପରିଚାଳନା ଏବଂ ସୀମା ଅଞ୍ଚଳ କାର୍ଯ୍ୟକ୍ରମ (ଏଫ୍‌ଏମ୍‌ବିଏପି) କୁ ଜାରି ରଖିବା ନିମନ୍ତେ ଜଳ ସମ୍ପଦ, ଆର୍‌ଡି ଏବଂ ଜିଆର ବିଭାଗର ପ୍ରସ୍ତାବକୁ ଅନୁମୋଦନ ମିଳିଛି ।

ଏହି ଯୋଜନାର ଦୁଇଟି ଉପାଦାନ ରହିଛି:

କ) ଏଫଏମବିଏପିର ବନ୍ୟା ପରିଚାଳନା କାର୍ଯ୍ୟକ୍ରମ (ଏଫ୍‌ଏମ୍‌ପି) ଉପାଦାନ ଅଧୀନରେ ୨୯୪୦ କୋଟି ଟଙ୍କା ବ୍ୟୟ ଅଟକଳରେ ବନ୍ୟା ନିୟନ୍ତ୍ରଣ, କ୍ଷୟ ନିବାରଣ, ଜଳ ନିଷ୍କାସନ ବ୍ୟବସ୍ଥାର ବିକାଶ ଏବଂ ସମୁଦ୍ର କ୍ଷୟ ନିରୋଧ ଇତ୍ୟାଦି ସମ୍ବନ୍ଧୀୟ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ପାଇଁ ରାଜ୍ୟ ସରକାର ମାନଙ୍କୁ କେନ୍ଦ୍ରୀୟ ସହାୟତା ପ୍ରଦାନ କରାଯିବ । ପ୍ରଦାନ କରାଯିବାକୁ ଥିବା ପାଣ୍ଠି ର ଢାଞ୍ଚା ହେଉଛି ସ୍ୱତନ୍ତ୍ର ବର୍ଗର ରାଜ୍ୟ (୮ଟି ଉତ୍ତର - ପୂର୍ବ ରାଜ୍ୟ ଏବଂ ପାହାଡ଼ିଆ ରାଜ୍ୟ ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ ଏବଂ କେନ୍ଦ୍ର ଶାସିତ ଅଞ୍ଚଳ ଜାମ୍ମୁ ଓ କାଶ୍ମୀର) ପାଇଁ କେନ୍ଦ୍ର ଏବଂ  ରାଜ୍ୟ ଅନୁଦାନର ଅନୁପାତ ହେଉଛି ୯୦% (କେନ୍ଦ୍ର) : ୧୦% (ରାଜ୍ୟ) ଏବଂ ସାଧାରଣ / ଅଣ - ସ୍ୱତନ୍ତ୍ର ବର୍ଗର ରାଜ୍ୟଗୁଡ଼ିକ ପାଇଁ ଅନୁପାତ ହେଉଛି ୬୦% (କେନ୍ଦ୍ର): ୪୦% (ରାଜ୍ୟ) ।

ଖ. ଏଫଏମବିଏପିର ନଦୀ ପରିଚାଳନା ଓ ସୀମା ଅଞ୍ଚଳ (ଆରଏମବିଏ) ଉପାଦାନ ଅଧୀନରେ ୧୧୬୦ କୋଟି ଟଙ୍କା ବ୍ୟୟ ଅଟକଳରେ ପଡ଼ୋଶୀ ଦେଶମାନଙ୍କ ସହ ସାଧାରଣ ସୀମାନ୍ତ ନଦୀ ଗୁଡ଼ିକରେ ବନ୍ୟା ନିୟନ୍ତ୍ରଣ ଏବଂ କ୍ଷୟ ନିବାରଣ କାର୍ଯ୍ୟ ଯଥା ଜଳବିଜ୍ଞାନ ପର୍ଯ୍ୟବେକ୍ଷଣ ଏବଂ ବନ୍ୟା ପୂର୍ବାନୁମାନ ଏବଂ ସାଧାରଣ ସୀମାନ୍ତ ନଦୀ ଗୁଡ଼ିକରେ ମିଳିତ ଜଳ ସମ୍ପଦ ପ୍ରକଳ୍ପ (ପଡ଼ୋଶୀ ଦେଶ ମାନଙ୍କ ସହିତ) ର ଅନୁସନ୍ଧାନ ଏବଂ ପ୍ରାକ୍ ନିର୍ମାଣ କାର୍ଯ୍ୟ ଶତ ପ୍ରତିଶତ କେନ୍ଦ୍ରୀୟ ସହାୟତାରେ କରାଯିବ ।

ଯଦିଓ ବନ୍ୟା ପରିଚାଳନାର ପ୍ରାଥମିକ ଦାୟିତ୍ୱ ରାଜ୍ୟ ସରକାରଙ୍କ ଉପରେ ରହିଛି, ତଥାପି କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି ଯେ ବନ୍ୟା ପରିଚାଳନାରେ ରାଜ୍ୟ ସରକାରଙ୍କ ପ୍ରୟାସକୁ ସମର୍ଥନ କରିବା, ଆଧୁନିକ ଜ୍ଞାନକୌଶଳ ଏବଂ ଅଭିନବ ସାମଗ୍ରୀ / ଆଭିମୁଖ୍ୟର ପ୍ରଚାର ଓ ଗ୍ରହଣକୁ ପ୍ରୋତ୍ସାହିତ କରିବା ବାଞ୍ଛନୀୟ । ଏହା ବିଶେଷ ରୂପରେ ପ୍ରାସଙ୍ଗିକ, କାରଣ ଜଳବାୟୁ ପରିବର୍ତ୍ତନର ସମ୍ଭାବ୍ୟ ପ୍ରଭାବକୁ ଦୃଷ୍ଟିରେ ରଖି ଗତ କିଛି ବର୍ଷ ମଧ୍ୟରେ ଏଭଳି ଘଟଣାକ୍ରମରେ ବୃଦ୍ଧି ପରିଲକ୍ଷିତ ହୋଇଛି ଏବଂ ଆଗାମୀ ଦିନରେ ବନ୍ୟାର ପରିମାଣ, ତୀବ୍ରତା ଏବଂ ବାରମ୍ବାରତା ଦୃଷ୍ଟିରୁ ପରିସ୍ଥିତି ଆହୁରି ଗମ୍ଭୀର ହୋଇପାରେ ।

ଆରଏମ୍‌ବିଏ ଉପାଦାନ ଅଧୀନରେ କାର୍ଯ୍ୟକାରୀ ହୋଇଥିବା କାର୍ଯ୍ୟଗୁଡିକ ସୀମାନ୍ତ ନଦୀ ଗୁଡ଼ିକର ତଟ ସୁରକ୍ଷା ଏଜେନ୍ସି , ବର୍ଡର ଆଉଟ୍ ପୋଷ୍ଟ ଇତ୍ୟାଦିର ଗୁରୁତ୍ୱପୂର୍ଣ୍ଣ ପ୍ରତିଷ୍ଠାନଗୁଡିକୁ ମଧ୍ୟ ବନ୍ୟା ଓ କ୍ଷୟରୁ ସୁରକ୍ଷା ପ୍ରଦାନ କରିଥାଏ । ଏହି ଯୋଜନାରେ ବନ୍ୟା ପରିଚାଳନା ପାଇଁ ଏକ ପ୍ରଭାବଶାଳୀ ଅଣ - ଢାଞ୍ଚାଗତ ପଦକ୍ଷେପ ଭାବରେ ସ୍ୱୀକୃତିପ୍ରାପ୍ତ ବନ୍ୟା ସମତଳ କ୍ଷେତ୍ରୀକରଣ କାର୍ଯ୍ୟକାରୀ କରୁଥିବା ରାଜ୍ୟଗୁଡ଼ିକୁ ପ୍ରୋତ୍ସାହିତ କରିବାର ବ୍ୟବସ୍ଥା ରହିଛି ।

***

SSP

 



(Release ID: 2007933) Visitor Counter : 58