ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଆବୁ ଧାବି, ସଂଯୁକ୍ତ ଆରବ ଏମିରେଟସ୍‌ରେ ଅହଲାନ ମୋଦୀ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ

Posted On: 13 FEB 2024 10:44PM by PIB Bhubaneshwar

ନମସ୍କାର!
ଆଜି ଆବୁ ଧାବିରେ ଆପଣମାନେ ଏକ ନୂତନ ଇତିହାସ ସୃଷ୍ଟି କରି ଦେଇଛନ୍ତି । ଆପଣମାନେ ସମସ୍ତେ ୟୁଏଇର କୋଣ ଅନୁକୋଣରୁ ଆସିଛନ୍ତି ଏବଂ ଭାରତର ଭିନ୍ନ ଭିନ୍ନ ରାଜ୍ୟରୁ ଆସିଛନ୍ତି, କିନ୍ତୁ ଆପଣ ସମସ୍ତଙ୍କ ହୃଦୟ ଯୋଡି ହୋଇଛି । ଏହି ଐତିହାସିକ ଷ୍ଟାଡିୟମ୍‌ରେ ପ୍ରତିଟି ସ୍ପନ୍ଦନ କହୁଛି – ଭାରତ- ୟୁଏଇ ବନ୍ଧୁତ୍ୱ ଜିନ୍ଦାବାଦ! ପ୍ରତିଟି ନିଶ୍ୱାସ କହୁଛି – ଭାରତ- ୟୁଏଇ ବନ୍ଧୁତ୍ୱ ଜିନ୍ଦାବାଦ । ପ୍ରତିଟି ଧ୍ୱନୀ କହୁଛି ଭାରତ-ୟୁଏଇ ବନ୍ଧୁତ୍ୱ ଜିନ୍ଦାବାଦ ! ହଁ... ଏହି କ୍ଷଣକୁ ବଂଚିଯିବାର ଅଛି... ମନ ଭରି ଅନୁଭବ କରିନେବାର ଅଛି । ଆଜି ସେହି ସ୍ମୃତିଗୁଡିକୁ ସାଉଁଟି ନେବାର ଅଛି, ଯାହା ସାରା ଜୀବନ ଆପଣଙ୍କ ସହ ରହିବାକୁ ଯାଉଛି । ଯେଉଁ ସ୍ମୃତି ସାରା ଜୀବନ ମୋ ସହିତ ମଧ୍ୟ ରହିବ ।

ମୋର ଭାଇ ଓ ଭଉଣୀମାନେ,
ମୁଁ ଆଜି ନିଜ ପରିବାରର ସଦସ୍ୟମାନଙ୍କୁ ଭେଟିବାକୁ ଆସିଛି । ସମୁଦ୍ର ସେପାରି ଯେଉଁ ଦେଶର ମାଟିରେ ଆପଣମାନେ ଜନ୍ମ ନେଇଛନ୍ତି, ମୁଁ ସେହି ମାଟିର ସୁଗନ୍ଧ ଆପଣମାନଙ୍କ ପାଇଁ ନେଇ ଆସିଛି । ମୁଁ ବାର୍ତା ନେଇ ଆସିଛି, ଆପଣମାନଙ୍କ ୧୪୦ କୋଟି ଭାରତୀୟ ଭାଇ ଭଉଣୀଙ୍କ ବାର୍ତା ନେଇ ଆସିଛି... ଆଉ ଏହି ବାର୍ତା ହେଉଛି - ଭାରତ ଆପଣମାନଙ୍କୁ ନେଇ ଗର୍ବ କରେ, ଆପଣମାନେ ଦେଶର ଗୌରବ ଅଟନ୍ତି । ଭାରତ ଆପଣମାନଙ୍କ ପାଇଁ ଗର୍ବିତ ।

ଭାରତମ ନିଙ୍ଗଡେ ଔର୍ତ ଅଭିମା- ନିକୁତୁ!! ଓଙ୍ଗଲଇ ପାର୍ତ ଭାରତମ ପିରୁମଇ ପଡଗିରଦୁ!!
ଭାରତା ନିମ୍ମା ବଗଗେ ହେମ୍ମେ ପଡୁ ତଦେ!! ମି ପଇ ଭାରତଦେଶମ ଗର୍ବିସ୍ତୋନ୍ଦି!!

ଏକ ଭାରତ – ଶ୍ରେଷ୍ଠ ଭାରତର ଏହି ସୁନ୍ଦର ଚିତ୍ର, ଆପଣମାନଙ୍କ ଏହି ଉତ୍ସାହ, ଆପଣମାନଙ୍କ ଏହି ସ୍ୱର, ଆଜି ଆବୁ ଧାବିର ଆକାଶର ସୀମା ଲଂଘି ଯାଉଛି । ମୋ ପାଇଁ ଏତେ ସ୍ନେହ, ଏତେ ଆଶୀର୍ବାଦ, ଏହା ଅଭିଭୂତ କରିଦେଲା ଭଳି ଅଟେ । ଆପଣମାନେ ସମୟ ବାହାର କରି ଏଠାକୁ ଆସିଲେ, ମୁଁ ଆପଣମାନଙ୍କ ନିକଟରେ ବେଶ୍ କୃତଜ୍ଞ ।

ବନ୍ଧୁଗଣ,
ଆଜି ଆମ ସହ ମିନିଷ୍ଟର ଅଫ ଟଲରେନ୍ସ, ମହାନୁଭବ ଶେଖ୍ ନାହ୍ୟାନ ମଧ୍ୟ ଉପସ୍ଥିତ ଅଛନ୍ତି । ସେ ଭାରତୀୟ ସମୁଦାୟର ଜଣେ ଭଲ ବନ୍ଧୁ ଏବଂ ଶୁଭଚିନ୍ତକ ଅଟନ୍ତି । ଭାରତୀୟ ସମୁଦାୟ ପ୍ରତି ତାଙ୍କର ଭଲପାଇବା ପ୍ରଶଂସନୀୟ । ଆଜି ଏହି ଭବ୍ୟ କାର୍ଯ୍ୟକ୍ରମର ଆୟୋଜନ ପାଇଁ ମୁଁ ମୋ ଭାଇ ମହାନୁଭବ ଶେଖ ମହମ୍ମଦ ବିନ ଜାୟଦ ଜୀଙ୍କୁ ମଧ୍ୟ କୃତଜ୍ଞତା ଜଣାଉଛି । ଏଭଳି ଭବ୍ୟ ସମାରୋହ ତାଙ୍କ ସହଯୋଗ ବିନା ସମ୍ଭବ ହୋଇନଥାନ୍ତା । ତାଙ୍କର ଆତ୍ମୀୟତା, ମୋ ପ୍ରତି ତାଙ୍କର ଆପଣାପଣ, ମୋ ପାଇଁ ବହୁତ ବଡ ସମ୍ପତି । ୨୦୧୫ ମସିହାରେ ମୋ ପ୍ରଥମ ଯାତ୍ରା ମୋର ମନେଅଛି । ସେତେବେଳେ ମତେ କେନ୍ଦ୍ର ସରକାରରେ ଯୋଗ ଦେବାର ଅଧିକ ସମୟ ହୋଇନଥିଲା । ତିନି ଦଶନ୍ଧି ପରେ କୌଣସି ଭାରତୀୟ ପ୍ରଧାନମନ୍ତ୍ରୀଙ୍କର ତାହା ପ୍ରଥମ ୟୁଏଇ ଗସ୍ତ ଥିଲା । କୂଟନୀତିର ଜଗତ ମଧ୍ୟ ମୋ ପାଇଁ ନୂଆ ଥିଲା । ସେତେବେଳେ ବିମାନ ବନ୍ଦରରେ ମୋର ସ୍ୱାଗତ କରିବା ପାଇଁ ସେତେବେଳେର କ୍ରାଉନ ପ୍ରିନ୍ସ ଏବଂ ଆଜିର ରାଷ୍ଟ୍ରପତି ନିଜର ପାଂଚ ଭାଇଙ୍କ ସହ ବିମାନ ବନ୍ଦରରେ ପହଂଚିଥିଲେ । ସେହି ଉଷ୍ମତା, ସମସ୍ତଙ୍କ ଆଖିରେ ସେହି ଚମକ, ମୁଁ କେବେ ମଧ୍ୟ ଭୁଲି ପାରିବି ନାହିଁ । ସେହି ପ୍ରଥମ ସାକ୍ଷାତରେ ହିଁ ମତେ ଏଭଳି ଅନୁଭବ ହେଲା ଯେପରି ମୁଁ ନିଜର କୌଣସି ଆତ୍ମିୟଙ୍କ ଘରକୁ ଆସିଛି । ସେମାନେ ମଧ୍ୟ ଏକ ପରିବାର ଭଳି ମୋର ଅତିଥି ସତ୍କାର କରୁଥିଲେ । କିନ୍ତୁ ବନ୍ଧୁଗଣ, ସେହି ଆତିଥ୍ୟ କେବଳ ମୋର ନଥିଲା । ସେହି ଆତିଥ୍ୟ, ସେହି ସ୍ୱାଗତ, ୧୪୦ କୋଟି ଭାରତୀୟଙ୍କ ପାଇଁ ଥିଲା । ସେହି ଆତିଥ୍ୟ, ଏଠାରେ ୟୁଏଇରେ ରହୁଥିବା ପ୍ରତ୍ୟେକ ଭାରତୀୟଙ୍କର ଥିଲା ।   

ବନ୍ଧୁଗଣ,
ଗୋଟେ ଦିନ ସିଏ ଥିଲା ଆଉ ଆଜି ଗୋଟେ ଦିନ । ୧୦ ବର୍ଷ ମଧ୍ୟରେ ୟୁଏଇକୁ ଏହା ମୋର ସପ୍ତମ ଗସ୍ତ । ଭାଇ ଶେଖ ମହମ୍ମଦ ବିନ୍ ଜାୟଦ ଆଜି ମଧ୍ୟ ମତେ ବିମାନବନ୍ଦରରେ ସ୍ୱାଗତ କରିବାକୁ ଆସିଥିଲେ । ତାଙ୍କର ଆପଣାପଣ ସେହିଭଳି ଥିଲା, ତାଙ୍କର ଘନିଷ୍ଠତା ସେହିଭଳି ଥିଲା ଏବଂ ଏହି ହିଁ ତାଙ୍କର ବିଶେଷତା ।

ବନ୍ଧୁଗଣ,
ମୁଁ ଖୁସି ଯେ ମୋତେ ମଧ୍ୟ ୪ ଥର ତାଙ୍କୁ ଭାରତରେ ସ୍ୱାଗତ କରିବାର ସୁଯୋଗ ମିଳିଛି । ସେ କିଛି ଦିନ ପୂର୍ବରୁ ଗୁଜରାଟ ଆସିଥିଲେ । ସେତେବେଳେ ତାଙ୍କୁ କୃତଜ୍ଞତା ଜଣାଇବା ପାଇଁ ରାସ୍ତାର ଉଭୟ ପାଶ୍ୱର୍ରେ ଲକ୍ଷ ଲକ୍ଷ ଲୋକ ଏକତ୍ରିତ ହୋଇ ଯାଇଥିଲେ । ଆପଣମାନେ ଜାଣନ୍ତି କି ଏହି କୃତଜ୍ଞତା କ’ଣ ପାଇଁ? କୃତଜ୍ଞତା ଏଇଥିପାଇଁ କାରଣ ସେ ଯେଉଁଭଳି ୟୁଏଇରେ ଆପଣ ସମସ୍ତଙ୍କ ଯତ୍ନ ନେଉଛନ୍ତି, ସେ ଯେଉଁଭଳି ଭାବେ ଆପଣମାନଙ୍କ ପାଇଁ ଚିନ୍ତା କରୁଛନ୍ତି, ସେହିଭଳି ବହୁତ୍ କମ୍ ଦେଖିବାକୁ ମିଳିଥାଏ । ଏଥିପାଇଁ ତାଙ୍କୁ ଧନ୍ୟବାଦ ଦେବା ନିମନ୍ତେ ସବୁ ଲୋକ ଘରୁ ବାହାରି ଆସିଥିଲେ ।

ବନ୍ଧୁଗଣ,
ଏହା ମଧ୍ୟ ମୋର ସୌଭାଗ୍ୟ ଯେ ୟୁଏଇରେ ମତେ ସର୍ବୋଚ୍ଚ ନାଗରିକ ସମ୍ମାନ - ଦ ଅର୍ଡର ଅଫ ଜାୟେଦ୍‌ରେ ସମ୍ମାନିତ କରାଯାଇଛି । ଏହି ସମ୍ମାନ କେବଳ ମୋର ନୁହେଁ, ବରଂ କୋଟି କୋଟି ଭାରତବାସୀଙ୍କ ସମ୍ମାନ, ଆପଣ ସମସ୍ତଙ୍କ ସମ୍ମାନ । ମୁଁ ଯେତେବେଳେ ବି ମୋ ଭାଇ ଶେଖ ମୋହମ୍ମଦ ବିନ୍ ଜାୟେଦଙ୍କୁ ଭେଟିଥାଏ, ସେ ଆପଣ ସମସ୍ତ ଭାରତୀୟମାନଙ୍କର ବହୁତ ପ୍ରଶଂସା କରିଥାଆନ୍ତି । ୟୁଏଇର ବିକାଶରେ ଆପଣମାନଙ୍କ ଭୂମିକାର ପ୍ରଶଂସା କରିଥାଆନ୍ତି । ଏହି ଜାୟଦ ଷ୍ଟାଡିୟମରୁ ମଧ୍ୟ ଭାରତୀୟମାନଙ୍କ ସ୍ୱେଦର ବାସ୍ନା ଆସୁଛି । ମୁଁ ଖୁସି ଯେ ଆମର ଏମିରେଟ୍ସର ବନ୍ଧୁମାନେ ଭାରତୀୟମାନଙ୍କୁ ନିଜ ହୃଦୟରେ ସ୍ଥାନ ଦେଇଛନ୍ତି ଏବଂ ନିଜର ସୁଖ ଦୁଃଖର ସାଥୀ କରିଛନ୍ତି । ସମୟ ସହିତ ଏହି ସମ୍ପର୍କ ଦିନକୁ ଦିନ ଆହୁରି ଅଧିକ ମଜବୁତ ହେବାରେ ଲାଗିଛି । ଏବଂ ଏଥିରେ ମଧ୍ୟ ଭାଇ ଶେଖ ମୋହମ୍ମଦ ବିନ ଜାୟଦଙ୍କର ବହୁତ ବଡ ଭୂମିକା ରହିଛି । ଆପଣମାନଙ୍କ ପ୍ରତି ସେ କେତେ ସମ୍ବେଦନଶୀଳ, ତାହା ମତେ କୋଭିଡ ସମୟରେ ଜଣା ପଡିଥିଲା । ସେତେବେଳେ ମୁଁ ତାଙ୍କୁ କହିଥିଲି ଯେ ଆମେ ଭାରତୀୟମାନଙ୍କୁ ଫେରାଇ ଆଣିବା ପାଇଁ ବ୍ୟବସ୍ଥା କରୁଛୁ । କିନ୍ତୁ ସେ ମତେ କହିଥିଲେ ଯେ ଆଦୌ ଚିନ୍ତା କରନ୍ତୁ ନାହିଁ । ସେ ଏଠାରେ ଭାରତୀୟମାନଙ୍କ ଚିକିତ୍ସା ପାଇଁ, ଟୀକାକରଣ ପାଇଁ ସବୁ ପ୍ରକାର ବ୍ୟବସ୍ଥା କରିଥିଲେ । ଏଠାରେ ସେ ଥାଉ ଥାଉ, ବାସ୍ତବରେ ମୋତେ କୌଣସି ଚିନ୍ତା କରିବାକୁ ପଡିନଥିଲା । ମୁଁ ଆପଣ ସମସ୍ତଙ୍କ ପ୍ରତି ତାଙ୍କର ଏହି ଅସୀମ ପ୍ରେମ ପ୍ରତିମୂହୁର୍ତରେ ଅନୁଭବ କରେ । କେବଳ ଏତିକି ନୁହେଁ, ଯେତେବେଳେ ୨୦୧୫ ମସିହାରେ ତାଙ୍କ ସମ୍ମୁଖରେ, ଆପଣ ସମସ୍ତଙ୍କ ତରଫରୁ, ଆବୁଧାବିରେ ଏକ ମନ୍ଦିର ପାଇଁ ତାଙ୍କୁ ଏକ ପ୍ରସ୍ତାବ ଦେଇଥିଲି, ସେତେବେଳେ ସେ ଗୋଟିଏ ମୂହୁର୍ତର ବିଳମ୍ବ ନକରି ତତକ୍ଷଣାତ୍ ହଁ କରିଦେଇଥିଲେ । ଏବଂ କହିଥିଲେ ଯେ, ଯେଉଁ ସ୍ଥାନ ଉପରେ ଆପଣ ଗାର କାଟିଦେବେ ସେହି ସ୍ଥାନ ମୁଁ ଆପଣଙ୍କୁ ଦେବି । ଏବଂ ଏବେ ଆବୁ ଧାବିରେ ଏହି ଭବ୍ୟ ଦିବ୍ୟ ମନ୍ଦିରର ଲୋକାର୍ପଣର ଐତିହାସିକ ସମୟ ଆସିଯାଇଛି ।

ବନ୍ଧୁଗଣ,
ଭାରତ – ୟୁଏଇ ବନ୍ଧୁତା ଧରାତଳରେ ଯେତିକି ମଜବୁତ, ମହାକାଶରେ ମଧ୍ୟ ଏହାର ଧ୍ୱଜା ସେତିକି ଫର ଫର ହୋଇ ଉଡୁଛି । ମୁଁ ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ରରେ ଛଅ ମାସ ବିତାଇଥିବା ପ୍ରଥମ ଏମିରେଟ ମହାକାଶଚାରୀ ସୁଲତାନ ଅଲ ନେୟାଦୀଙ୍କୁ ଭାରତ ତରଫରୁ ଅଭିନନ୍ଦନ ଜଣାଉଛି । ସେ ଅନ୍ତର୍ଜାତୀୟ ଯୋଗ ଦିବସ ଏବଂ ସ୍ୱାଧୀନତା ଦିବସରେ ଭାରତକୁ ମହାକାଶରୁ ଶୁଭକାମନା ପଠାଇଥିଲେ, ସେଥିପାଇଁ ମଧ୍ୟ ଧନ୍ୟବାଦ ଜଣାଉଛି ।

ବନ୍ଧୁଗଣ,
ଆଜି ଏକବିଂଶ ଶତାବ୍ଦିର ଏହି ତୃତୀୟ ଦଶନ୍ଧିରେ ଭାରତ ଏବଂ ୟୁଏଇର ସମ୍ପର୍କ ଏକ ଅଦ୍ଭୁତପୂର୍ବ ଶିଖରରେ ପହଁଚିଛିବାରେ ଲାଗିଛି । ଆମେ ପରସ୍ପରର ପ୍ରଗତିରେ ଭାଗୀଦାର ଅଟୁ । ଆମର ସମ୍ପର୍କ ପ୍ରତିଭାର ଅଟେ, ନବସୃଜନର ଅଟେ, ସଂସ୍କୃତିର ଅଟେ । ବିଗତ ଦିନରେ ଆମେ ପ୍ରତ୍ୟେକ ଦିଗରେ ଆମର ସମ୍ପର୍କକୁ ନୂଆ ଉର୍ଜା ଦେଇଛୁ । ଆମେ ଦୁଇ ଦେଶ ଏକାଠି ବାଟ ଚାଲିଛୁ, ଏକାଠି ମିଶି ଆଗକୁ ବଢିଛୁ । ଆଜି ୟୁଏଇ ଭାରତର ତୃତୀୟ ବଡ ବାଣିଜ୍ୟ ଭାଗୀଦାର । ଆଜି ୟୁଏଇ ସପ୍ତମ ବୃହତ ନିବେଶକ ଅଟେ । ଆମେ ଦୁଇ ଦେଶ ସହଜରେ ଜୀବନଧାରଣ ଏବଂ ସହଜରେ ବ୍ୟବସାୟ, ଉଭୟ କ୍ଷେତ୍ରରେ ବେଶ୍ ଅଧିକ ସହଯୋଗ କରୁଛୁ । ଆଜି ମଧ୍ୟ ଆମ ମଧ୍ୟରେ ଯେଉଁ ସବୁ ରାଜିନାମା ସ୍ୱାକ୍ଷରିତ ହୋଇଛି, ସେସବୁ ଏହି ପ୍ରତିଶ୍ରୁତିକୁ ଆଗକୁ  ବଢାଉଛି । ଆମେ ନିଜର ଆର୍ଥିକ ବ୍ୟବସ୍ଥାକୁ ଏକୀକୃତ କରୁଛୁ । ପ୍ରଯୁକ୍ତିବିଦ୍ୟା ଓ ନବସୃଜନ କ୍ଷେତ୍ରରେ ମଧ୍ୟ ଭାରତ ଓ ୟୁଏଇର ଭାଗିଦାରୀ ନିରନ୍ତର ଭାବେ ମଜବୁତ୍ ହୋଇଚାଲିଛି ।

ବନ୍ଧୁଗଣ,
ସମୁଦାୟ ଏବଂ ସଂସ୍କୃତିର ସମ୍ପର୍କ କ୍ଷେତ୍ରରେ ତ ଭାରତ-ୟୁଏଇ ଯାହା ହାସଲ କରିଛନ୍ତି, ତାହା ବିଶ୍ୱ ପାଇଁ ଏକ ଆଦର୍ଶ ଅଟେ । ଭାଷାସ୍ତରରେ ଉଭୟ ଦେଶରେ କେତେ ନିକଟତା ରହିଛି, ଏହା ମଧ୍ୟ ମୁଁ ମୋର ଏମିରେଟ୍‌ର ବନ୍ଧୁମାନଙ୍କୁ ନିଶ୍ଚୟ ଜଣାଇବାକୁ ଚାହୁଁଛି । ମୁଁ ଆରବୀରେ କିଛି ବାକ୍ୟ କହିବାର ପ୍ରୟାସ କରୁଛି-“ଅଲ୍ ହିନ୍ଦ ବଲ ଇମାରାତ, ବି-କମ୍ ଅମ ଜମାନ, ବଲ କିତାବ ଅଦ୍‌ଦୁନିୟା ନକ୍ତୁବୁ, ହିସାବ ଲି ମୁସ୍ତକବନ ଅଫଜଲ୍  ବ ସଦାକ ବୟୀନା, ଅଲ ହିନ୍ଦ ବଲ ଇମାରାତ ହିୟା, ସଖତନା ଅଲ୍ ମୁସ୍ତରକା ଫିଲ୍ ହକିକା, ନହନୁ, ଫି ବିଦଏୟା, ସାଇଦା ଲି ମୁସ୍ତକବଲ୍ ଜିଇଇଦା” !!!

ମୁଁ ଆରବିରେ କହିବାର ପ୍ରୟାସ କରିଛି । ଯଦି ଉଚ୍ଚାରଣରେ କିଛି ତୃଟି ଥିବ ତାହେଲେ ମୁଁ ମୋର ୟୁଏଇର ବନ୍ଧୁମାନଙ୍କ ଠାରୁ ନିଶ୍ଚୟ କ୍ଷମା ମାଗିନେବି । ଏବଂ ମୁଁ କଣ କହିଲି ଯେଉଁମାନେ ବୁଝିପାରିଲେ ନାହିଁ, ସେମାନଙ୍କୁ ମୁଁ ଏହାର ଅର୍ଥ ମଧ୍ୟ ବୁଝେଇ ଦେଉଛି । ଯାହା ମୁଁ ଆରବିରେ କହିଲି, ତାହର ଅର୍ଥ ହେଉଛି – ଭାରତ ଏବଂ ୟୁଏଇ, ସମୟର ଲେଖନୀରେ ଦୁନିଆର ପୁସ୍ତକରେ, ଏକ ସୁନ୍ଦର ଭାଗ୍ୟର ହିସାବ ଲେଖି ଚାଲିଛନ୍ତି । ଭାରତ ଏବଂ ୟୁଏଇର ବନ୍ଧୁତ୍ୱ ଆମର ସମଭାଗୀ ସମ୍ପଦ ଅଟେ, ବାସ୍ତବରେ ଆମେ ସୁନ୍ଦର ଭବିଷ୍ୟତର ଉତମ ଆରମ୍ଭ କରିଚାଲିଛୁ । ଏବେ ଆପଣମାନେ ଭାବନ୍ତୁ, ଲେଖନୀ, ପୁସ୍ତକ, ଦୁନିଆ, ହିସାବ, ଜମିନ୍‌, ଏସବୁ ଭାରତରେ କେତେ ସହଜରେ କୁହାଯାଉଥିବା ଶବ୍ଦ ସବୁ ଅଟନ୍ତି । ଏବଂ ଏହି ସବୁ ଶବ୍ଦ ସେଠାରେ କିପରି ପହଁଚିଛନ୍ତି ? ଏଠି ଉପସାଗରର ଏହି କ୍ଷେତ୍ରରୁ । ଆମ ଦୁଇ ଦେଶର ସମ୍ପର୍କ, ହଜାର ହଜାର ବର୍ଷର ଅଟେ ।  ଏବଂ ଭାରତର ଏହା କାମନା ଯେ ଏହି ଭଳି ଏହା ଦିନକୁ ଦିନ ଆହୁରି ମଜବୁତ ହେଇଚାଲୁ ।

ବନ୍ଧୁଗଣ,
ମୋତେ କୁହାଯାଇଛି ଯେ ଏଠି ଷ୍ଟାଡିୟମ୍‌କୁ ଏହି ମୂହୁର୍ତରେ ହଜାର ହାଜର ସଂଖ୍ୟାରେ ଛାତ୍ରଛାତ୍ରୀ ମଧ୍ୟ ଆସିଛନ୍ତି । ଆଜି ୟୁଏଇରେ ଅବସ୍ଥିତ ଭାରତୀୟ ସ୍କୁଲ ଗୁଡିକରେ ଏମିତି ତ ଲକ୍ଷାଧିକ ଛାତ୍ରଛାତ୍ରୀ ପାଠ ପଢୁଛନ୍ତି । ଏହି ଯୁବା ସାଥୀ, ଭାରତ-ୟୁଏଇ ସମୃଦ୍ଧିର ସାରଥୀ ହେବାକୁ ଯାଉଛନ୍ତି । ମୋର ଭାଇ ମହାନୁଭବ ଶେଖ୍ ମୋହମ୍ମଦ୍ ବିନ୍ ଜାୟଦ୍‌ଙ୍କ ସମର୍ଥନ ବଳରେ ଗତ ମାସରେ ହିଁ ଆଇଆଇଟି ଦିଲ୍ଲୀର ଆବୁ ଧାବି କ୍ୟାମ୍ପସ୍‌ରେ ସ୍ନାତକୋତର ପାଠ୍ୟକ୍ରମ ଆରମ୍ଭ ହୋଇଛି । ଦୁବାଇରେ ନୂତନ କେନ୍ଦ୍ରିୟ ମାଧ୍ୟମିକ ଶିକ୍ଷା ପରିଷଦ - ସିବିଏସ୍‌ଇର କାର୍ଯ୍ୟାଳୟ ମଧ୍ୟ ଖୁବ୍‌ଶୀଘ୍ର ଖୋଲିବାକୁ ଯାଉଛି । ମୋର ବିଶ୍ୱାସ ଯେ ଏହି ପ୍ରତିଷ୍ଠାନ ଏଠି ଭାରତୀୟ ସମୁଦାୟକୁ ଶ୍ରେଷ୍ଠ ଶିକ୍ଷା ପ୍ରଦାନରେ ଆହୁରି ସାହାଯ୍ୟ କରିବ ।

ବନ୍ଧୁଗଣ,
ଆଜି ପ୍ରତ୍ୟେକ ଭାରତୀୟର ଲକ୍ଷ୍ୟ, ୨୦୪୭ ପର୍ଯ୍ୟନ୍ତ ଭାରତକୁ ବିକଶିତ ରାଷ୍ଟ୍ରରେ ପରିଣତ କରିବା । ବିଶ୍ୱର ସେହି ଦେଶ ଯାହାର ଅର୍ଥ ବ୍ୟବସ୍ଥା ବେଶ୍ ଦ୍ରୁତ ଗତିରେ ଆଗକୁ ବଢିଚାଲିଛି ସେଇ ଦେଶ କିଏ ? ଆମରି ଭାରତ ! ବିଶ୍ୱର ସେହି ଦେଶ କିଏ ଯିଏ ସ୍ମାର୍ଟ ଫୋନ୍ ଡାଟା ଉପଯୋଗ କରିବାରେ ଏକ ନମ୍ବର ଅଟେ ?  ଆମରି ଭାରତ ! ବିଶ୍ୱର ସେହି ଦେଶ କିଏ ଯିଏ ବୈଶ୍ୱିକ ଫିନ୍‌ଟେକ୍ ଆପଣେଇବା ହାରରେ ଏକ ନମ୍ବର ଅଟେ ? ଆମରି ଭାରତ ! ବିଶ୍ୱର ସେହି ଦେଶ କିଏ ଯେଉଁଠି ସବୁଠାରୁ ଅଧିକ ଦୁଗ୍ଧ ଉତ୍ପାଦନ ହୋଇଥାଏ ? ଆମରି ଭାରତ ! ବିଶ୍ୱର ସେହି  ଦେଶ କିଏ ଯିଏ ଇନ୍ଟରନେଟ୍ ବ୍ୟବହାରକାରୀଙ୍କ କ୍ଷେତ୍ରରେ ଏକ ନମ୍ବର ସ୍ଥାନରେ ରହିଛି ? ଆମରି ଭାରତ ! ବିଶ୍ୱର ସେହି ଦେଶ କିଏ ଯିଏ ବିଶ୍ୱର ଦ୍ୱିତୀୟ ସର୍ବବୃହତ ମୋବାଇଲ୍ ନିର୍ମାଣକାରୀ ଅଟେ ? ଆମରି ଭାରତ ! ବିଶ୍ୱର ସେହି ଦେଶ କିଏ ଯେଉଁଠି ବିଶ୍ୱର ତୃତୀୟ ସର୍ବବୃହତ ଷ୍ଟାର୍ଟଅପ୍ ପରିବେଷ୍ଟନୀତନ୍ତ୍ର ରହିଛି ? ଆମରି ଭାରତ ! ବିଶ୍ୱର ସେହି ଦେଶ କିଏ ଯିଏ ନିଜର ପ୍ରଥମ ପ୍ରୟାସରେ ମଙ୍ଗଳଗ୍ରହ ପର୍ଯ୍ୟନ୍ତ ପହଁଚିଯାଇଛି ? ଆମରି ଭାରତ ! ବିଶ୍ୱର ସେହି ଦେଶ କିଏ ଯିଏ ଚନ୍ଦ୍ରର ଦକ୍ଷିଣ ମେରୁରେ ନିଜର ପତାକା ଉଡେଇ ପାରିଛି ? ଆମରି ଭାରତ ! ବିଶ୍ୱର ତାହା କେଉଁ ଦେଶ ଅଟେ ଯିଏ ଗୋଟିଏ ଥରରେ ଶହ ଶହ ଉପଗ୍ରହ ପ୍ରେରଣ କରିବାର ରେକର୍ଡ ସୃଷ୍ଟି କରିଛି ? ଆମରି ଭାରତ ! ବିଶ୍ୱର ତାହା କେଉଁ ଦେଶ ଅଟେ ଯିଏ ନିଜର ସମାର୍ଥ୍ୟରେ ୫ଜି ପ୍ରଯୁକ୍ତି ବିକଶିତ କରି ସବୁଠାରୁ ଦ୍ରୁତ ଗତିରେ ଏହାକୁ କାର୍ଯ୍ୟକାରୀ କରିଛି ? ଆମରି ଭାରତ !

ବନ୍ଧୁଗଣ,
ଭାରତର ଉପଲବ୍ଧି, ପ୍ରତି ଭାରତୀୟର ଉପଲବ୍ଧି ଅଟେ । କେବଳ ଦଶ ବର୍ଷରେ ଭାରତ, ବିଶ୍ୱର ଏକାଦଶତମ ଅର୍ଥନୀତିରୁ ପଂଚମ ଅର୍ଥନୀତି ପାଲଟି ଯାଇଛି । ଏବଂ ଆପଣମାନେ ଜାଣିଛନ୍ତି ମୋର ପ୍ରତି ଭାରତୀୟଙ୍କ ସାମର୍ଥ୍ୟ ଉପରେ କେତେ ଅଧିକ ଭରସା ରହିଛି । ଏହି ଭରସାର ସାମର୍ଥ୍ୟକୁ ନେଇ ମୋଦୀ ଏକ ଗ୍ୟାରେନ୍ଟି ମଧ୍ୟ ଦେଇଛି । ମୋଦୀର ଗ୍ୟାରେନ୍ଟି ଆପଣମାନେ ଜାଣନ୍ତି ? ମୋଦୀ ନିଜର ତୃତୀୟ ପାଳିରେ, ମୋଦୀ ନିଜର ତୃତୀୟ ପାଳିରେ ଭାରତକୁ ତିନି ନମ୍ବର ଅର୍ଥନୀତିରେ ପରିଣତ କରିବାର ଗ୍ୟାରେନ୍ଟି ଦେଇଛି । ଏବଂ ମୋଦୀର ଗ୍ୟାରେନ୍ଟି ଅର୍ଥ ହେଉଛି ଗ୍ୟାରେନ୍ଟି ପୁରଣ ହେବାର ଗ୍ୟାରେନ୍ଟି । ଆମ ସରକାର, ଜଣସାଧାରଣଙ୍କ ଜୀବନର ସ୍ତରକୁ ଉନ୍ନତ କରିବା ନିମନ୍ତେ, ସେମାନଙ୍କର ଦୁଃଖ ଦୁର୍ଦ୍ଦଶା ହ୍ରାସ କରିବା ଦିଗରେ କ୍ରମାଗତ କାର୍ଯ୍ୟ କରି ଚାଲିଛନ୍ତି । ଆମେ ୪ କୋଟିରୁ ଅଧିକ ପରିବାରଙ୍କୁ ପକ୍କା ଘର ନିର୍ମାଣ କରି ହସ୍ତାନ୍ତର କରିଛୁ । ଆମେ ୧୦ କୋଟିରୁ ଅଧିକ ପରିବାରଙ୍କୁ ପାଇପ୍ ଜଳର ସଂଯୋଗ ଦେଇଛୁ । ଆମେ ୫୦ କୋଟିରୁ ଅଧିକ ଲୋକଙ୍କୁ ବ୍ୟାଙ୍କିଙ୍ଗ ବ୍ୟବସ୍ଥା ସହ ଯୋଡିଛୁ । ଆମେ ୫୦ କୋଟିରୁ ଅଧିକ ଲୋକଙ୍କୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଚିକିତ୍ସା ସୁବିଧା ପ୍ରଦାନ କରିଛୁ । ଗାଁ ଗହଳି ଲୋକମାନଙ୍କ ଚିକିତ୍ସାରେ ଅସୁବିଧା ନହେଉ, ଏଥିପାଇଁ ଆମେ ଦେଢ ଲକ୍ଷରୁ ଅଧିକ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ପ୍ରସ୍ତୁତ କରିଛୁ ।

ବନ୍ଧୁଗଣ,
ଆପଣମାନଙ୍କ ମଧ୍ୟରୁ ଯେଉଁମାନେ ବିଗତରେ ଭାରତ ଯାଇଛନ୍ତି, ସେମାନେ ଜାଣିଛନ୍ତି ଯେ ଆଜି ଭାରତରେ କେତେ ଦ୍ରୁତ ଗତିରେ ପରିବର୍ତନ ଘଟିଚାଲିଛି । ଆଜି ଭାରତ, ଗୋଟିଏରୁ ବଳି ଗୋଟିଏ ଆଧୁନିକ ଏକ୍ସପ୍ରେସ୍ ୱେ ନିର୍ମାଣ କରିଚାଲିଛି । ଆଜି ଭାରତ, ଗୋଟିଏରୁ ବଳି ଗୋଟିଏ ନୂଆ ବିମାନ ବନ୍ଦର ନିର୍ମାଣ କରିଚାଲିଛି । ଆଜି ଭାରତ, ଗୋଟିଏରୁ ବଳି ଗୋଟିଏ ରେଳ ଷ୍ଟେସନ୍ ନିର୍ମାଣ କରିଚାଲିଛି । ଆଜି ଭାରତର ପରିଚୟ, ନୂଆ ଉପାୟ, ନୂଆ ଅଭିନବତାର କାରଣରୁ ସୃଷ୍ଟି ହୋଇଚାଲିଛି । ଆଜି ଭାରତର ପରିଚୟ ବିଶାଳ ଭିତିଭୂମି ପ୍ରକଳ୍ପ ଯୋଗୁଁ ସୃଷ୍ଟି ହୋଇଚାଲିଛି । ଆଜି ଭାରତର ପରିଚୟ, ଏକ ଚଳଚଂଚଳ ପର୍ଯ୍ୟଟନ ଲକ୍ଷ୍ୟସ୍ଥଳୀ ରୂପରେ ସୃଷ୍ଟି ହୋଇଚାଲିଛି । ଆଜି ଭାରତର ପରିଚୟ, ଏକ ବୃହତ କ୍ରୀଡାଶକ୍ତି ରୂପରେ ସୃଷ୍ଟି ହୋଇଚାଲିଛି । ଏବଂ ଏହାଶୁଣି ଆପଣଙ୍କୁ ଗର୍ବ ଅନୁଭବ ହେଉଛି, ନିଶ୍ଚିତ ଭାବେ ହେଉଥିବ, ହେଉଛି ନା ?

ବନ୍ଧୁଗଣ,
ଆପଣମାନେ ସମସ୍ତେ ଭାରତରେ ଦେଖା ଦେଇଥିବା ଡିଜଟାଲ୍ କ୍ରାନ୍ତିକୁ ଜାଣିଛନ୍ତି । ଡିଜିଟାଲ୍ ଇଣ୍ଡିଆର ପ୍ରଶଂସା ସମଗ୍ର ବିଶ୍ୱରେ ହୋଇଚାଲିଛି । ଏହାର ଲାଭ ୟୁଏଇରେ ବସବାସ କରୁଥିବା ଆପଣ ସମସ୍ତ ସାଥୀମାନଙ୍କୁ ମଧ୍ୟ ମିଳୁ, ଏଥିପାଇଁ ଆମେ ପ୍ରୟାସ କରିଚାଲିଛୁ । ଆମେ ୟୁଏଇ ସହିତ ଆମର ରୂପେ କାର୍ଡ ଷ୍ଟାକ୍‌କୁ ଭାଗ କରିଛୁ । ଏହାଦ୍ୱାରା ୟୁଏଇକୁ ନିଜର ଘରୋଇ କାର୍ଡ ବ୍ୟବସ୍ଥା ବିକଶିତ କରିବାରେ ସହାୟତା ମିଳିଛି । ଆହୁରି ଜାଣିଛନ୍ତି, ଭାରତର ସହଯୋଗରେ ପ୍ରସ୍ତୁତ କାର୍ଡ ବ୍ୟବସ୍ଥାର ୟୁଏଇ କଣ ନାଁ ରଖିଛି ? ପୁଣି ୟୁଏଇ କଣ ନାଁ ରଖିଛି – ଜୀବନ । କେତେ ସୁନ୍ଦର ନାଁ ଦେଇଛି ୟୁଏଇ !!!

ବନ୍ଧୁଗଣ୍‌,
ଖୁବ୍‌ଶୀଘ୍ର ୟୁଏଇରେ ମଧ୍ୟ ୟୁପିଆଇର ଶୁଭାରମ୍ଭ ହେବାକୁ ଯାଉଛି । ଏହାଦ୍ୱାରା ୟୁଏଇ ଏବଂ ଭାରତୀୟ ବ୍ୟାଙ୍କ ଆକାଉନ୍ଟ ମଧ୍ୟରେ ସୁଗମ ଦେଣନେଣ ସମ୍ଭବ ହୋଇପାରିବ । ଏହାଦ୍ୱାରା ଆପଣମାନେ ଭାରତରେ ନିଜର ପରିବାରର ଲୋକମାନଙ୍କୁ ଆହୁରି ସହଜରେ ପଇସା ପଠାଇ ପାରିବେ ।

ବନ୍ଧୁଗଣ,
ଭାରତର କ୍ରମବର୍ଦ୍ଧିଷ୍ଣୁ ସାମର୍ଥ୍ୟ ବିଶ୍ୱରେ ମଧ୍ୟ ସ୍ଥାୟୀତ୍ୱ ଓ ସମୃଦ୍ଧିର ଆଶା ସଂଚାର କରିଛି । ବିଶ୍ୱକୁ ଲାଗୁଛି ଯେ ଭାରତ ଏକ ଭରସାଯୋଗ୍ୟ ବିଶ୍ୱ ବ୍ୟବସ୍ଥା ସ୍ଥାପନ କରିବାରେ ସକ୍ରିୟ ଭୂମିକା ଗ୍ରହଣ କରିପାରିବ । ମୁଁ ଖୁସି ଯେ ଆଜି ଭାରତ ଏବଂ ୟୁଏଇ ଏକାଠି ମିଶି ବିଶ୍ୱର ଏହି ଭରସାକୁ ଆହୁରି ମଜବୁତ କରି ଚାଲିଛନ୍ତି । ଆପଣମାନେ ସମସ୍ତେ ମଧ୍ୟ ଦେଖିଛନ୍ତି ଯେ ଭାରତ ଅତି ସଫଳତାର ସହ ଜି-୨୦ ଶିଖର ସମ୍ମିଳନୀ ଆୟୋଜନ କରିଛି । ଏଥିରେ ମଧ୍ୟ ଆମେ ୟୁଏଇକୁ ଏକ ଭାଗୀଦାର ରୂପରେ ଆମନ୍ତ୍ରିତ କରିଥିଲୁ । ଏହିଭଳି ପ୍ରୟାସ ଦ୍ୱାରା ଆମର ନୀତିଗତ ଭାଗୀଦାରୀ ମଧ୍ୟ ନୂତନ ଶିଖର ଆଡକୁ ବଢିଚାଲିଛି । ଆଜି ଭାରତକୁ ବିଶ୍ୱ ଏକ ବିଶ୍ୱ-ବନ୍ଧୁ ରୂପରେ ଦେଖୁଛି । ଆଜି ବିଶ୍ୱର ପ୍ରତି ବଡ ମଂଚରେ ଭାରତର ସ୍ୱର ଶୁଣିହେଉଛି । କେଉଁଠି ମଧ୍ୟ ସଂକଟ ଆସୁଛି ତାହେଲେ ସବୁଠାରୁ ପ୍ରଥମେ ପହୁଁଚୁଥିବା ଦେଶ ମଧ୍ୟରେ ଭାରତର ନାମ ମଧ୍ୟ ଆସୁଛି । ଆଜିର ମଜବୁତ ଭାରତ ପ୍ରତି ପାଦରେ ନିଜ ଲୋକମାନଙ୍କ ସହିତ ଛିଡା ହୋଇଛି । ଗତ ୧୦ ବର୍ଷରେ ଆପଣମାନେ ଦେଖିଛନ୍ତି ଯେ ଯେଉଁଠି ବି ବିଦେଶରେ ବସବାସ କରୁଥିବା ଭାରତୀୟଙ୍କର କୌଣସି ସମସ୍ୟା ଆସିଛି, ଭାରତ ସରକାର ତୁରନ୍ତ କାର୍ଯ୍ୟାନୁଷ୍ଠାନ କରିଛନ୍ତି । ୟୁକ୍ରେନ୍‌, ସୁଦାନ, ୟେମେନ୍ ଏବଂ ଅନ୍ୟାନ୍ୟ ସଂକଟରେ ଫସିରହିଥିବା ହଜାର ହଜାର ଭାରତୀୟଙ୍କୁ ଆମେ ସୁରକ୍ଷିତ ଭାବେ ଭାରତକୁ ଲୋଉଟାଇ ଆଣିଛୁ । ବିଶ୍ୱରେ ରୁହନ୍ତୁ ବା ବିଶ୍ୱର ଭିନ୍ନ ଭିନ୍ନ ଭାଗରେ କାମ କରୁଥିବା ଭାରତୀୟମାନଙ୍କୁ ସାହାଯ୍ୟ ପାଇଁ ସରକାର ଦିନରାତି କାମ କରି ଚାଲିଛନ୍ତି ।

ବନ୍ଧୁଗଣ,
ଭାରତ ଏବଂ ୟୁଏଇ ଏକାଠି ମିଶି ଏକବିଂଶ ଶତାବ୍ଦିର ନୂଆ ଇତିହାସ ଲେଖି ଚାଲିଛନ୍ତି । ଏବଂ ଆପଣ ସମସ୍ତ ସାଥୀମାନେ ଏହି ଇତିହାସର ବହୁତ ବଡ ଆଧାର ଅଟନ୍ତି । ଆପଣାମାନେ ଏଠି ଯେଉଁ ପରିଶ୍ରମ କରୁଛନ୍ତି, ତାହା ଫଳରେ ଭାରତକୁ ମଧ୍ୟ ଉର୍ଜା ମିଳୁଛି ।  ଆପଣାମାନେ ଭାରତ ଏବଂ ୟୁଏଇର ବିକାଶ ତଥା ସମ୍ପର୍କକୁ ଏହିଭଳି ମଜବୁତ କରିଚାଲନ୍ତୁ । ଏହି ଆଶା ସହିତ ଏହି ଭବ୍ୟ ସ୍ୱାଗତ ନିମନ୍ତେ ମୁଁ ପୁଣିଥରେ ଆପଣ ସମସ୍ତଙ୍କୁ ବହୁତ ଧନ୍ୟବାଦ ଜଣାଉଛି । ମୋ ସହିତ କୁହନ୍ତୁ ଭାରତ ମାତା କି ଜୟ ! ଭାରତ ମାତା କି ଜୟ ! ଭାରତ ମାତା କି ଜୟ !
 
ମୋର ଏବଂ ଆପଣମାନଙ୍କ ମଧ୍ୟରେ ବହୁତ ଦୂରତା ରହିଛି, ଏଥିପାଇଁ ମୁଁ ଆପଣମାନଙ୍କ ଗହଣରେ ଆପଣମାନଙ୍କ ଦର୍ଶନ ନିମନ୍ତେ ଆସୁଅଛି । କିନ୍ତୁ ମୋର ଆପଣମାନଙ୍କୁ ଅନୁରୋଧ ଯେ ଆପଣମାନେ ଯେଉଁଠି ଅଛନ୍ତି ସେଇଠି ବସି ରହିବେ, ତାହେଲେ ମୋତେ ଆପଣମାନଙ୍କ  ଦର୍ଶନର ସୌଭାଗ୍ୟ ଭଲ ଭାବରେ ମିଳିବ । ତାହେଲେ ମୋତେ ଆପଣମାନେ ସାହାଯ୍ୟ କରିବେ ନା ? ନିଶ୍ଚିତ ଭାବେ କରିବେ ନା? 

ଭାରତ ମାତା କି ଜୟ !
ଭାରତ ମାତା କି ଜୟ !
ଅନେକ ଅନେକ ଧନ୍ୟବାଦ !

JP



(Release ID: 2006487) Visitor Counter : 59