ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ମହାରାଷ୍ଟ୍ରର ନଭି ମୁମ୍ବାଇରେ ୧୨,୭୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଏକାଧିକ ଉନ୍ନୟନ ମୂଳକ ପ୍ରକଳ୍ପର ଉଦଘାଟନ, ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ ଏବଂ ଶିଳାନ୍ୟାସ କରିଛନ୍ତି ପ୍ରଧାନମନ୍ତ୍ରୀ


ଉଦଘାଟନ କଲେ ଅଟଳ ବିହାରୀ ବାଜପେୟୀ ସେଓ୍ଵାରୀ-ନହୱା ସେବା ଅଟଳ ସେତୁ

ଇଷ୍ଟର୍ଣ୍ଣ ଫ୍ରିୱେର ଅରେଞ୍ଜ ଗେଟ୍ ରୁ ମେରାଇନ୍ ଡ୍ରାଇଭ୍ କୁ ସଂଯୋଗ କରୁଥିବା ଭୂତଳ ସଡ଼କ ଟନେଲର ଶିଳାନ୍ୟାସ

ଏସଇଇପିଜେଡ୍ ଏସଇଜେଡ୍ ଠାରେ 'ଭାରତ ରତ୍ନମ୍' ଏବଂ ନ୍ୟୁ ଏଣ୍ଟରପ୍ରାଇଜେସ୍ ଆଣ୍ଡ ସର୍ଭିସ୍ ଟାୱାର (ନେଷ୍ଟ) ୦୧ ଉଦଘାଟନ

ରେଳ ଓ ପାନୀୟ ଜଳ ସମ୍ବନ୍ଧୀୟ ଏକାଧିକ ପ୍ରକଳ୍ପକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ

ଉରାନ ରେଳ ଷ୍ଟେସନରୁ ଖାରକୋପର ପର୍ଯ୍ୟନ୍ତ ଇଏମୟୁ ଟ୍ରେନର ଉଦଘାଟନୀ ଯାତ୍ରାକୁ ପତାକା ଦେଖାଇ ଶୁଭାରମ୍ଭ

ନମୋ ମହିଳା ସଶକ୍ତୀକରଣ ଅଭିଯାନର ଶୁଭାରମ୍ଭ

ଜାପାନ ସରକାରଙ୍କୁ ଧନ୍ୟବାଦ ଏବଂ ସିଞ୍ଜୋ ଆବେଙ୍କୁ ମନେ ପକାଇଲେ

ଅଟଳ ସେତୁର ଉଦଘାଟନ ଭାରତର ଭିତ୍ତିଭୂମି ଦକ୍ଷତାର ଉଦାହରଣ ଏବଂ 'ବିକଶିତ ଭାରତ' ଆଡକୁ ଦେଶର ଗତିପଥକୁ ସୂଚାଇଥାଏ

ଆମ ପାଇଁ ପ୍ରତ୍ୟେକ ପ୍ରକଳ୍ପ ନୂଆ ଭାରତ ଗଠନର ଏକ ମାଧ୍ୟମ

"ଅଟଳ ସେତୁ ହେଉଛି ବିକଶିତ ଭାରତର ଚିତ୍ର"

ପୂର୍ବରୁ କୋଟି କୋଟି ଟଙ୍କାର ଦୁର୍ନୀତି ଆଲୋଚନାର ଅଂଶ ବିଶେଷ ଥିଲା, ଆଜି ହଜାର ହଜାର କୋଟି ଟଙ୍କାର ପ୍ରକଳ୍ପ ସଂପୂର୍ଣ୍ଣ ହେବା ନେଇ ଚର୍ଚ୍ଚା ଜୋର ଧରିଛି

ମୋଦିଙ୍କ ଗ୍ୟାରେଣ୍ଟି ସେଠାରୁ ଆରମ୍ଭ ହୋଇଥାଏ, ଯେଉଁଠାରେ ଅନ୍ୟମାନଙ୍କଠାରୁ ଆଶା ଶେଷ ହୋଇଥାଏ

ମହିଳା କଲ୍ୟାଣ ଯେ କୌଣସି ରାଜ୍ୟରେ ଡବଲ ଇଞ୍ଜିନ ସରକାରଙ୍କ

Posted On: 12 JAN 2024 7:18PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ମହାରାଷ୍ଟ୍ରର ନଭି ମୁମ୍ବାଇରେ ୧୨,୭୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଏକାଧିକ ଉନ୍ନୟନ ମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିଛନ୍ତି । ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ନଭି ମୁମ୍ବାଇରେ ୧୭,୮୪୦ କୋଟି ଟଙ୍କାରୁ ଅଧିକ ବ୍ୟୟରେ ନିର୍ମିତ ଅଟଳ ବିହାରୀ ବାଜପେୟୀ ସେଓ୍ଵା ସେଓ୍ଵା ଶେଭା ଅଟଳ ସେତୁର ଉଦଘାଟନ କରିଥିଲେ। ଆଜି ଉଦଘାଟନ ହେଉଥିବା ଉନ୍ନୟନ ମୂଳକ ପ୍ରକଳ୍ପଗୁଡ଼ିକ ମଧ୍ୟରେ ସଡ଼କ ଓ ରେଳ ସଂଯୋଗ, ପାନୀୟ ଜଳ, ରତ୍ନ ଓ ଅଳଙ୍କାର ଏବଂ ମହିଳା ସଶକ୍ତୀକରଣ କ୍ଷେତ୍ର ଅନ୍ତର୍ଭୁକ୍ତ।

ସଭାକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆଜି କେବଳ ମୁମ୍ବାଇ ଏବଂ ମହାରାଷ୍ଟ୍ର ପାଇଁ ନୁହେଁ ବରଂ 'ବିକଶିତ ଭାରତ'ର ସଂକଳ୍ପ ପାଇଁ ମଧ୍ୟ ଏକ ଐତିହାସିକ ଦିନ । ଯଦିଓ ମୁମ୍ବାଇରେ ଏହି ସବୁ ଉନ୍ନୟନମୂଳକ ପ୍ରକଳ୍ପ ଚାଲିଛି, ତଥାପି ସମଗ୍ର ଦେଶର ନଜର ଏହା ଉପରେ ରହିଛି ବୋଲି ଶ୍ରୀ ମୋଦୀ କହିଛନ୍ତି। ଭାରତର ସବୁଠାରୁ ଲମ୍ବା ସମୁଦ୍ର ସେତୁ ଅଟଳ ସେତୁର ଉଦଘାଟନ ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହା ଭାରତର ଅଭିବୃଦ୍ଧି ପ୍ରତି ପ୍ରତିବଦ୍ଧତାର ପ୍ରମାଣ । ଡିସେମ୍ବର ୨୪, ୨୦୧୬ରେ ଏମଟିଏଚ୍ଏଲ୍ ଅଟଳ ସେତୁର ଶିଳାନ୍ୟାସ କୁ ସ୍ମରଣ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆଜିର ଏହି ଅବସର ସଂକଳ୍ପ ମାଧ୍ୟମରେ ମଧ୍ୟ ସଫଳତାର ଏକ ପ୍ରତୀକ। ପୂର୍ବ ସରକାରମାନଙ୍କ ସମୟରେ ପ୍ରଚଳିତ ଅବହେଳା ମନୋଭାବ ଯୋଗୁଁ ଅତୀତରେ ନାଗରିକମାନେ ନିରାଶ ହୋଇପଡ଼ିଥିବା ଦର୍ଶାଇ ବଡ଼ ଧରଣର ପ୍ରକଳ୍ପଗୁଡ଼ିକୁ ସମ୍ପୂର୍ଣ୍ଣ କରିବା ଦିଗରେ ସରକାରଙ୍କ ପ୍ରତିବଦ୍ଧତାକୁ ସେ ଦୋହରାଇଥିଲେ। ଦେଶ ଆଗକୁ ବଢ଼ିବ ଏବଂ ଦେଶର ଉନ୍ନତି ହେବ। ୨୦୧୬ରେ ଏହା ମୋଦିଙ୍କ ଗ୍ୟାରେଣ୍ଟି ଥିଲା", ପ୍ରଧାନମନ୍ତ୍ରୀ କହିଥିଲେ, "ମୁଁ ଅଟଳ ସେତୁକୁ ମୁମ୍ବାଇବାସୀଙ୍କୁ ସମର୍ପିତ କରୁଛି ଏବଂ ଛତ୍ରପତି ଶିବାଜୀ, ମୁମ୍ବା ଦେବୀ ଏବଂ ସିଦ୍ଧିବିନାୟକଙ୍କ ଆଗରେ ମୁଣ୍ଡ ନୁଆଁଇ ଦେଶବାସୀଙ୍କୁ ସମର୍ପିତ କରୁଛି । କୋରୋନା ମହାମାରୀ ସମୟରେ ସୃଷ୍ଟି ହୋଇଥିବା ବାଧାବିଘ୍ନ ସତ୍ତ୍ବେ ଏମଟିଏଚ୍ଏଲ ଅଟଳ ସେତୁର ଠିକ୍ ସମୟରେ କାର୍ଯ୍ୟ ଶେଷ ହୋଇଥିବାରୁ ସେ ପ୍ରଶଂସା କରିଥିଲେ ଏବଂ କହିଥିଲେ ଯେ କୌଣସି ଉନ୍ନୟନ ପ୍ରକଳ୍ପର ଉଦଘାଟନ, ସମର୍ପଣ କିମ୍ବା ଶିଳାନ୍ୟାସ ଏକ ଫଟୋ ସୁଯୋଗ ନୁହେଁ ବରଂ ଏହା ଭାରତ ଗଠନର ଏକ ମାଧ୍ୟମ । ପ୍ରଧାନମନ୍ତ୍ରୀ କହିଥିଲେ, "ଏଭଳି ପ୍ରତ୍ୟେକ ପ୍ରକଳ୍ପ ଏକ ଭବ୍ୟ ଭାରତର ବିକାଶରେ ସହାୟକ ହୋଇଥାଏ।

ସଡ଼କ, ରେଳବାଇ, ମେଟ୍ରୋ ଏବଂ ଜଳ ଏବଂ ବ୍ୟବସାୟ ସମ୍ବନ୍ଧୀୟ ଭିତ୍ତିଭୂମି କ୍ଷେତ୍ରରେ ଆଜିର ପ୍ରକଳ୍ପଗୁଡିକ ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହି ପ୍ରକଳ୍ପଗୁଡ଼ିକ ମଧ୍ୟରୁ ଅଧିକାଂଶ ରାଜ୍ୟରେ ଡବଲ ଇଞ୍ଜିନ ସରକାର ଥିବା ସମୟରେ ଆରମ୍ଭ ହୋଇଥିଲା ଏବଂ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଶ୍ରୀ ଏକନାଥ ସିନ୍ଦେ ଏବଂ ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଶ୍ରୀ ଦେବେନ୍ଦ୍ର ଫଡନାଭିସ ଏବଂ ଶ୍ରୀ ଅଜିତ ପାୱାରଙ୍କ ନେତୃତ୍ୱରେ ଟିମର ପ୍ରୟାସକୁ ପ୍ରଶଂସା କରିଥିଲେ ।

ମହିଳାମାନଙ୍କ ଉପସ୍ଥିତି ଏବଂ ଆଶୀର୍ବାଦ ପାଇଁ କୃତଜ୍ଞତା ଜ୍ଞାପନ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ମୋଦୀ ଦେଇଥିବା ଝିଅ ଓ ଭଉଣୀମାନଙ୍କ ସଶକ୍ତୀକରଣର ଗ୍ୟାରେଣ୍ଟିକୁ ମହାରାଷ୍ଟ୍ର ସରକାର ଆଗକୁ ବଢ଼ାଉଛନ୍ତି । ମୁଖ୍ୟମନ୍ତ୍ରୀ ମହିଳା ସଶକ୍ତୀକରଣ ଅଭିଯାନ, ନାରୀ ଶକ୍ତିଦୂତ ଆପ୍ଲିକେସନ୍ ଏବଂ ଲେକ୍ ଲଡକି ଯୋଜନା ଭଳି ଯୋଜନା ସେହି ଦିଗରେ ପ୍ରୟାସ ବୋଲି ସେ ଦର୍ଶାଇଥିଲେ। ମହିଳାଙ୍କ ସହ ଆଗେଇ ଯିବା ଏବଂ ବିକଶିତ ଭାରତ ପାଇଁ ଆନ୍ଦୋଳନର ନେତୃତ୍ୱ ନେବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଆମ ମା' ଓ ଝିଅମାନଙ୍କ ରାସ୍ତାରେ ଥିବା ପ୍ରତ୍ୟେକ ପ୍ରତିବନ୍ଧକକୁ ଦୂର କରିବା ଏବଂ ସେମାନଙ୍କ ପାଇଁ ସହଜ ଜୀବନ ସୁନିଶ୍ଚିତ କରିବା ଆମ ସରକାରଙ୍କ ପ୍ରାଥମିକତା। ଉଜ୍ଜ୍ୱଳା, ଆୟୁଷ୍ମାନ କାର୍ଡ, ଜନଧନ ଖାତା, ପ୍ରଧାନମନ୍ତ୍ରୀ ଆବାସ ଅଧୀନରେ ପକ୍କା ଘର, ମାତୃ ବନ୍ଦନା, ୨୬ ସପ୍ତାହର ମାତୃତ୍ୱ ଛୁଟି ଏବଂ ସୁକନ୍ୟା ସମୃଦ୍ଧି ଆକାଉଣ୍ଟ ଭଳି ଯୋଜନା ବିଷୟରେ ସେ ସୂଚନା ପ୍ରଦାନ କରିଥିଲେ। ମହିଳା କଲ୍ୟାଣ ଯେ କୌଣସି ରାଜ୍ୟରେ ଡବଲ ଇଞ୍ଜିନ ସରକାରର ଅଗ୍ରଣୀ ଗ୍ୟାରେଣ୍ଟି ବୋଲି ସେ କହିଛନ୍ତି।

ସେ କହିଛନ୍ତି ଯେ ଅଟଳ ସେତୁ ଏହାର ଆକାର, ଯାତ୍ରା ର ସହଜତା, ଇଞ୍ଜିନିୟର ଏବଂ ସ୍କେଲ ପାଇଁ ସମସ୍ତଙ୍କୁ ଗର୍ବରେ ଭରି ଦେଉଛି । ଏହି ପ୍ରକଳ୍ପରେ ବ୍ୟବହୃତ ଇସ୍ପାତ ୪ ଟି ହାୱାରା ବ୍ରିଜ୍ ଏବଂ ୬ଟି ଷ୍ଟାଚ୍ୟୁ ଅଫ୍ ଲିବର୍ଟି ନିର୍ମାଣ ପାଇଁ ଯଥେଷ୍ଟ ବୋଲି ସେ ସୂଚନା ଦେଇଛନ୍ତି। ଏହି ସହାୟତା ପାଇଁ ପ୍ରଧାନମନ୍ତ୍ରୀ ଜାପାନ ସରକାରଙ୍କୁ ଧନ୍ୟବାଦ ଜଣାଇବା ସହ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କୁ ସ୍ମରଣ କରିଥିଲେ । ଏହି ସେତୁ ର ନିର୍ମାଣ କାର୍ଯ୍ୟ ଯଥାଶୀଘ୍ର ଶେଷ କରିବାକୁ ଆମେ ସଂକଳ୍ପ ନେଇଥିଲୁ ବୋଲି ପ୍ରଧାନମନ୍ତ୍ରୀ ମୋଦୀ ମନେ ପକାଇଛନ୍ତି।

ପ୍ରଧାନମନ୍ତ୍ରୀ କହିଥିଲେ, "ଅଟଳ ସେତୁ ହେଉଛି ୨୦୧୪ରେ ସମଗ୍ର ଦେଶ କରିଥିବା ଆକାଂକ୍ଷାର ପୁନରୁଦ୍ଧାର"। ୨୦୧୪ ନିର୍ବାଚନ ପୂର୍ବରୁ ପ୍ରଧାନମନ୍ତ୍ରୀ ରାୟଗଡ ଦୁର୍ଗ ଗସ୍ତ କରି ଶିବାଜୀଙ୍କ ସମାଧିରେ ସମୟ ବିତାଇଥିବା ସମୟକୁ ମନେ ପକାଇ ସେ କହିଥିଲେ ଯେ ୧୦ ବର୍ଷ ପୂର୍ବେ ନିଆଯାଇଥିବା ସ୍ୱପ୍ନ ଓ ସଂକଳ୍ପ ଆଜି ସାକାର ହୋଇଛି । "ଅଟଳ ସେତୁ ଏହି ବିଶ୍ୱାସର ପ୍ରତିଫଳନ ଏବଂ ଏହା ବିକଶିତ ଭାରତର ଚିତ୍ର ଉପସ୍ଥାପନ କରେ", ସେ କହିଥିଲେ ଯେ ଏମଏଚଟିଏଲ ଅଟଳ ସେତୁ ଯୁବକମାନଙ୍କ ମଧ୍ୟରେ ନୂତନ ବିଶ୍ୱାସ ସୃଷ୍ଟି କରେ । "ବିକଶିତ ଭାରତ ସମସ୍ତଙ୍କ ପାଇଁ ସେବା ଏବଂ ସମୃଦ୍ଧି ରେ ପରିଣତ ହେବ । ଏଥିରେ ଗତି ଓ ପ୍ରଗତି ରହିବ ଯାହା ବିଶ୍ୱକୁ ନିକଟତର କରିବ । ଜୀବନ ଓ ଜୀବିକାର ଉନ୍ନତି ଜାରି ରହିବ। ଏହା ହେଉଛି ଅଟଳ ସେତୁର ବାର୍ତ୍ତା" ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ବିଗତ ୧୦ ବର୍ଷ ମଧ୍ୟରେ ଭାରତରେ ହୋଇଥିବା ପରିବର୍ତ୍ତନ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ଦର୍ଶାଇଥିଲେ ଯେ ୨୦୧୪ ପୂର୍ବରୁ ଭାରତକୁ ମନେ ପକାଇଲେ ପରିବର୍ତ୍ତିତ ଭାରତର ଭାବମୂର୍ତ୍ତି ଆହୁରି ସ୍ପଷ୍ଟ ହୋଇଯାଏ । ପୂର୍ବରୁ କୋଟି କୋଟି ଟଙ୍କାର ଦୁର୍ନୀତି ଆଲୋଚନାର ଅଂଶ ବିଶେଷ ଥିଲା, ଆଜି ହଜାର ହଜାର କୋଟି ଟଙ୍କାର ପ୍ରକଳ୍ପ ସଂପୂର୍ଣ୍ଣ କରିବା ନେଇ ଆଲୋଚନା ହେଉଛି ବୋଲି ଶ୍ରୀ ମୋଦୀ କହିଛନ୍ତି। ଉତ୍ତର-ପୂର୍ବାଞ୍ଚଳରେ ଭୂପେନ ହଜାରିକା ସେତୁ ଓ ବଗିବିଲ ସେତୁ, ଅଟଳ ଟନେଲ ଓ ଚେନାବ ସେତୁ, ଏକାଧିକ ଏକ୍ସପ୍ରେସ ୱେ, ଆଧୁନିକ ରେଳ ଷ୍ଟେସନ, ପୂର୍ବ ଓ ପଶ୍ଚିମ ମାଲ ପରିବହନ କରିଡର, ବନ୍ଦେ ଭାରତ, ଅମୃତ ଭାରତ ଓ ନମୋ ଭାରତ ଟ୍ରେନ୍ ନିର୍ମାଣ ଓ ନୂତନ ବିମାନବନ୍ଦରର ଉଦଘାଟନର ଉଦାହରଣ ଦେଇଥିଲେ।

ମହାରାଷ୍ଟ୍ରରେ ସାମ୍ପ୍ରତିକ ମେଗା ଉନ୍ନୟନ ପ୍ରକଳ୍ପର ଉଦାହରଣ ଦେଇ ପ୍ରଧାନମନ୍ତ୍ରୀ ବାଲା ସାହେବ ଠାକରେ ସମୃଦ୍ଧି ମହାମାର୍ଗର ଉଦଘାଟନ ଏବଂ ନବୀ ମୁମ୍ବାଇ ବିମାନବନ୍ଦର ଏବଂ କୋଷ୍ଟାଲ ରୋଡ୍ ପ୍ରକଳ୍ପର ଚାଲିଥିବା କାର୍ଯ୍ୟ ବିଷୟରେ ଉଲ୍ଲେଖ କରିଥିଲେ ଯାହା ମୁମ୍ବାଇରେ ଯୋଗାଯୋଗର ଚିତ୍ରକୁ ପରିବର୍ତ୍ତନ କରିବ । ଯାତ୍ରାକୁ ଆହୁରି ସହଜ କରିବା ପାଇଁ ଇଷ୍ଟର୍ଣ୍ଣ ଫ୍ରିୱେର ଅରେଞ୍ଜ ଗେଟ୍ ରୁ ମେରାଇନ୍ ଡ୍ରାଇଭକୁ ସଂଯୋଗ କରୁଥିବା ଭୂତଳ ସଡ଼କ ଟନେଲ୍ ବିଷୟରେ ମଧ୍ୟ ସେ ସ୍ପର୍ଶ କରିଥିଲେ। ଖୁବ୍ ଶୀଘ୍ର ମୁମ୍ବାଇକୁ ପ୍ରଥମ ବୁଲେଟ୍ ଟ୍ରେନ୍ ମିଳିବ ବୋଲି ସେ କହିଛନ୍ତି, ଦିଲ୍ଲୀ-ମୁମ୍ବାଇ ଅର୍ଥନୈତିକ କରିଡର ମହାରାଷ୍ଟ୍ରକୁ ମଧ୍ୟ ଏବଂ ଉତ୍ତର ଭାରତ ସହିତ ସଂଯୋଗ କରିବ। ମହାରାଷ୍ଟ୍ରକୁ ତେଲେଙ୍ଗାନା, ଛତିଶଗଡ଼ ଏବଂ ଅନ୍ୟ ପଡ଼ୋଶୀ ରାଜ୍ୟ ସହ ସଂଯୋଗ କରିବା ପାଇଁ ଟ୍ରାନ୍ସମିସନ୍ ଲାଇନ୍ ନେଟୱାର୍କ ବିଛାଯାଉଛି। ତୈଳ ଓ ଗ୍ୟାସ ପାଇପଲାଇନ, ଔରଙ୍ଗାବାଦ ଇଣ୍ଡଷ୍ଟ୍ରିଆଲ ସିଟି, ନଭି ମୁମ୍ବାଇ ଏୟାରପୋର୍ଟ ଏବଂ ଶେନ୍ଦ୍ରା-ବିଡକିନ ଇଣ୍ଡଷ୍ଟ୍ରିଆଲ ପାର୍କର ବଡ ପ୍ରକଳ୍ପ ମହାରାଷ୍ଟ୍ରର ଅର୍ଥନୀତିକୁ ଏକ ନୂଆ ପ୍ରୋତ୍ସାହନ ଦେବାକୁ ଯାଉଛି ।

ଟିକସଦାତାଙ୍କ ଟଙ୍କା କିପରି ଦେଶର ବିକାଶ ରେ ବ୍ୟବହୃତ ହେଉଛି ସେ ବିଷୟରେ ପ୍ରଧାନମନ୍ତ୍ରୀ ବର୍ଣ୍ଣନା କରିଥିଲେ ଏବଂ ଏହା ପୂର୍ବରୁ ଏହି ଅର୍ଥର ଅପବ୍ୟବହାର ସହିତ ତୁଳନା କରିଥିଲେ । ୫ ଦଶନ୍ଧି ତଳେ ଆରମ୍ଭ ହୋଇ ବର୍ତ୍ତମାନର ସରକାର ଶେଷ କରିଥିବା ନୀଳୱାଣ୍ଡେ ଡ୍ୟାମ୍ ପ୍ରକଳ୍ପ ବିଷୟରେ ସେ କହିଥିଲେ ଏବଂ ଉରାନ-ଖାରକୋପର ରେଳ ଲାଇନର କାର୍ଯ୍ୟ ୩ ଦଶନ୍ଧି ପୂର୍ବେ ଆରମ୍ଭ ହୋଇଥିଲା, ଯାହାକୁ ଡବଲ ଇଞ୍ଜିନ ସରକାର ଦ୍ରୁତ ଗତିରେ ଟ୍ରାକ୍ କରିଥିଲେ ଏବଂ ଆଜି ପ୍ରଥମ ପର୍ଯ୍ୟାୟ ଦେଶ ଉଦ୍ଦେଶ୍ୟରେ ସମର୍ପିତ ହୋଇଛି । ସେହିପରି ନଭି ମୁମ୍ବାଇ ମେଟ୍ରୋ ପ୍ରକଳ୍ପର ପ୍ରଥମ ପର୍ଯ୍ୟାୟ ବହୁ ବିଳମ୍ବ ପରେ ଶେଷ ହୋଇଛି। ଏପରିକି ଅଟଳ ସେତୁ ମଧ୍ୟ ୫-୬ ଦଶନ୍ଧି ଧରି ଯୋଜନା କରୁଥିବା ସେ ସୂଚନା ଦେଇଛନ୍ତି। ବାନ୍ଦ୍ରା-ୱର୍ଲି ସି ଲିଙ୍କ, ୫ ଗୁଣ ଛୋଟ ପ୍ରକଳ୍ପ ପାଇଁ ୧୦ ବର୍ଷରୁ ଅଧିକ ସମୟ ଲାଗିଥିଲା ଏବଂ ବଜେଟ୍ ୪-୫ ଗୁଣ ବୃଦ୍ଧି ପାଇଥିଲା।

ଅଟଳ ସେତୁ ନିର୍ମାଣରେ ପ୍ରାୟ ୧୭ ହଜାର ଶ୍ରମିକ ଓ ୧୫୦୦ ଇଞ୍ଜିନିୟର ନିୟୋଜିତ ହେବା ସହ ପରିବହନ ଓ ନିର୍ମାଣ ଶିଳ୍ପରେ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଛି ବୋଲି ପ୍ରଧାନମନ୍ତ୍ରୀ ସୂଚନା ଦେଇଥିଲେ। ଅଟଳ ସେତୁ ଏହି ଅଞ୍ଚଳରେ ସମସ୍ତ ବ୍ୟବସାୟିକ କାର୍ଯ୍ୟକଳାପକୁ ସୁଦୃଢ଼ କରିବା ସହ ଇଜ୍ ଅଫ୍ ଡୁଇଂ ବିଜନେସ୍ ଏବଂ ଇଜ୍ ଅଫ୍ ଲାଇଫ୍ କୁ ମଧ୍ୟ ପ୍ରୋତ୍ସାହିତ କରିବ ବୋଲି ସେ କହିଛନ୍ତି।

ଆଜି ଭାରତ ଏକା ସାଙ୍ଗରେ ଦୁଇଟି ଦିଗରେ ଅଗ୍ରଗତି କରୁଛି ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି। ଗୋଟିଏ ପଟେ ଗରିବଙ୍କ ଜୀବିକାରେ ଉନ୍ନତି ଆଣିବା ପାଇଁ ସରକାର ବଡ଼ ଧରଣର ଅଭିଯାନ ଚଳାଇଥିବା ବେଳେ ଅନ୍ୟପଟେ ଦେଶର ପ୍ରତ୍ୟେକ ସ୍ଥାନରେ ବଡ଼ ବଡ଼ ପ୍ରକଳ୍ପ ଚାଲିଛି। ଅଟଳ ପେନସନ ଯୋଜନା ଏବଂ ଅଟଳ ସେତୁ, ଆୟୁଷ୍ମାନ ଭାରତ ଯୋଜନା ଏବଂ ବନ୍ଦେ ଭାରତ-ଅମୃତ ଭାରତ ଟ୍ରେନ୍, ପିଏମ କିଷାନ ସମ୍ମାନିଧି ଏବଂ ପିଏମ ଗତିଶକ୍ତିକୁ ବିଷୟରେ ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ । ନାଗରିକଙ୍କ ପ୍ରତି ସରକାରଙ୍କ ଉଦ୍ଦେଶ୍ୟ ଓ ଆନୁଗତ୍ୟକୁ ପ୍ରଧାନମନ୍ତ୍ରୀ ଶ୍ରେୟ ଦେବା ସହ ପୂର୍ବ ସରକାରମାନଙ୍କ ଉଦ୍ଦେଶ୍ୟ ଉପରେ ମଧ୍ୟ ଦୁଃଖ ପ୍ରକାଶ କରିଥିଲେ ଯେଉଁମାନେ କ୍ଷମତାଲୋଭୀ ଥିଲେ ଏବଂ ସାଧାରଣ ଜନତାଙ୍କ ପରିବର୍ତ୍ତେ ନିଜ ପରିବାର ଉପରେ ଧ୍ୟାନ ଦେଇଥିଲେ । ବିକାଶର ଅଭାବ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ସୂଚନା ଦେଇଥିଲେ ଯେ ୨୦୧୪ ପୂର୍ବରୁ ୧୦ ବର୍ଷରେ ଭିତ୍ତିଭୂମି ପାଇଁ ମାତ୍ର ୧୨ ଲକ୍ଷ କୋଟି ଟଙ୍କାର ବଜେଟ୍ ଦିଆଯାଇଥିବା ବେଳେ ବର୍ତ୍ତମାନର ସରକାରଙ୍କ ୧୦ ବର୍ଷରେ ଭିତ୍ତିଭୂମି ପାଇଁ ୪୪ ଲକ୍ଷ କୋଟି ଟଙ୍କାର ବଜେଟ୍ ଉପସ୍ଥାପନ କରାଯାଇଛି। କେବଳ ମହାରାଷ୍ଟ୍ରରେ କେନ୍ଦ୍ର ସରକାର ପ୍ରାୟ ୮ ଲକ୍ଷ କୋଟି ଟଙ୍କାର ଭିତ୍ତିଭୂମି ପ୍ରକଳ୍ପ ସମ୍ପୂର୍ଣ୍ଣ କରିଛନ୍ତି କିମ୍ବା ସେଗୁଡ଼ିକର କାର୍ଯ୍ୟ ଚାଲିଛି। ଏହି ପରିମାଣ ପ୍ରତ୍ୟେକ କ୍ଷେତ୍ରରେ ନୂତନ ନିଯୁକ୍ତି ସୁଯୋଗ ମଧ୍ୟ ବଢ଼ାଉଛି।

ବିକଶିତ ଭାରତ ସଂକଳ୍ପ ଯାତ୍ରା ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ମୋଦିଙ୍କ ଗ୍ୟାରେଣ୍ଟି ସେଠାରୁ ଆରମ୍ଭ ହୋଇଥାଏ ଯେଉଁଠାରେ ଅନ୍ୟମାନଙ୍କଠାରୁ ଆଶା ଶେଷ ହୋଇଥାଏ । ସ୍ୱଚ୍ଛତା, ଶିକ୍ଷା, ଚିକିତ୍ସା ସହାୟତା ଏବଂ ରୋଜଗାର ସମ୍ବନ୍ଧୀୟ ଯୋଜନା ଯେଉଁଥିରେ ମହିଳାମାନେ ସର୍ବାଧିକ ଉପକୃତ ହୋଇଛନ୍ତି ବୋଲି ସେ ଉଲ୍ଲେଖ କରିଥିଲେ । ପ୍ରଧାନମନ୍ତ୍ରୀ ଜନ ଔଷଧି କେନ୍ଦ୍ର, ସ୍ୱନିଧି, ପ୍ରଧାନମନ୍ତ୍ରୀ ଆବାସ ଏବଂ ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ସହାୟତା 'ଲଖପତି ଦିଦି' ସୃଷ୍ଟି କରୁଛନ୍ତି। ୨ କୋଟି 'ଲଖପତି ଦିଦି' ସୃଷ୍ଟି କରିବାକୁ ଲକ୍ଷ୍ୟ ରଖାଯାଇଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ମହାରାଷ୍ଟ୍ର ସରକାରଙ୍କ ଯୋଜନା ମଧ୍ୟ ଏ ଦିଗରେ କାର୍ଯ୍ୟ କରୁଛି। ମୁଁ ଆପଣମାନଙ୍କୁ ଆଶ୍ୱାସନା ଦେଉଛି ଯେ ମହାରାଷ୍ଟ୍ରର ବିକାଶ ପାଇଁ ଡବଲ ଇଞ୍ଜିନ ସରକାର ସମାନ ନିଷ୍ଠାର ସହ କାର୍ଯ୍ୟ ଜାରି ରଖିବେ । ମହାରାଷ୍ଟ୍ର ଯେପରି ବିକଶିତ ଭାରତର ଏକ ଶକ୍ତିଶାଳୀ ସ୍ତମ୍ଭ ରେ ପରିଣତ ହେବ ସେଥିପାଇଁ ଆମେ କୌଣସି କାର୍ଯ୍ୟରେ ଅବହେଳା କରିବୁ ନାହିଁ ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି।

ଅନ୍ୟମାନଙ୍କ ମଧ୍ୟରେ ମହାରାଷ୍ଟ୍ର ରାଜ୍ୟପାଳ ଶ୍ରୀ ରମେଶ ବାଇସ, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଶ୍ରୀ ଏକନାଥ ସିନ୍ଦେ ଏବଂ ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଶ୍ରୀ ଦେବେନ୍ଦ୍ର ଫଡନାଭିସ୍ ଏବଂ ଶ୍ରୀ ଅଜିତ ପାୱାର ଉପସ୍ଥିତ ଥିଲେ ।

 

ପୃଷ୍ଠଭୂମି

ଅଟଳ ବିହାରୀ ବାଜପେୟୀ ସେଓ୍ଵରୀ - ନହବା ଶେଭା ଅଟଳ ସେତୁ

ସହରୀ ପରିବହନ ଭିତ୍ତିଭୂମି ଏବଂ ଯୋଗାଯୋଗକୁ ସୁଦୃଢ଼ କରି ନାଗରିକମାନଙ୍କ 'ସହଜ ଗତିଶୀଳତା'ରେ ଉନ୍ନତି ଆଣିବା ପ୍ରଧାନମନ୍ତ୍ରୀଙ୍କ ଲକ୍ଷ୍ୟ। ଏହି ଦୃଷ୍ଟିକୋଣକୁ ଦୃଷ୍ଟିରେ ରଖି ମୁମ୍ବାଇ ଟ୍ରାନ୍ସ ହାର୍ବର ଲିଙ୍କ୍ (ଏମଟିଏଚ୍ଏଲ୍), ଯାହାର ନାମ ଏବେ 'ଅଟଳ ବିହାରୀ ବାଜପେୟୀ ସେଓ୍ଵରୀ- ନହୱା ଶେଭା ଅଟଳ ସେତୁ' ରଖାଯାଇଛି। ଡିସେମ୍ବର ୨୦୧୬ ରେ ପ୍ରଧାନମନ୍ତ୍ରୀ ଏହି ସେତୁର ଶିଳାନ୍ୟାସ କରିଥିଲେ।

ମୋଟ ୧୭,୮୪୦ କୋଟି ରୁ ଅଧିକ ଟଙ୍କା ବ୍ୟୟରେ ନିର୍ମିତ ହୋଇଛି ଅଟଳ ସେତୁ । ସମୁଦ୍ର ଉପରେ ପ୍ରାୟ ୧୬.୫ କିଲୋମିଟର ଲମ୍ବ ଏବଂ ସ୍ଥଳଭାଗରେ ପ୍ରାୟ ୫.୫ କିଲୋମିଟର ଲମ୍ବ ବିଶିଷ୍ଟ ଏହା ପ୍ରାୟ ୨୧.୮ କିଲୋମିଟର ଦୀର୍ଘ ୬ ଲେନ୍ ବିଶିଷ୍ଟ ସେତୁ । ଏହା ଭାରତର ସବୁଠାରୁ ଲମ୍ବା ସେତୁ ଏବଂ ଭାରତର ସବୁଠାରୁ ଲମ୍ବା ସମୁଦ୍ର ପୋଲ ଅଟେ । ଏହା ମୁମ୍ବାଇ ଅନ୍ତର୍ଜାତୀୟ ବିମାନବନ୍ଦର ଏବଂ ନବୀ ମୁମ୍ବାଇ ଅନ୍ତର୍ଜାତୀୟ ବିମାନବନ୍ଦରକୁ ଦ୍ରୁତ ସଂଯୋଗ ପ୍ରଦାନ କରିବ ଏବଂ ମୁମ୍ବାଇରୁ ପୁଣେ, ଗୋଆ ଏବଂ ଦକ୍ଷିଣ ଭାରତକୁ ଯାତ୍ରା ସମୟ ମଧ୍ୟ ହ୍ରାସ କରିବ । ଏହା ଦ୍ୱାରା ମୁମ୍ବାଇ ବନ୍ଦର ଏବଂ ଜବାହରଲାଲ ନେହେରୁ ବନ୍ଦର ମଧ୍ୟରେ ଯୋଗାଯୋଗରେ ଉନ୍ନତି ଆସିବ ।

ଅନ୍ୟାନ୍ୟ ଉନ୍ନୟନମୂଳକ ପ୍ରକଳ୍ପ

ଇଷ୍ଟର୍ଣ୍ଣ ଫ୍ରିୱେର ଅରେଞ୍ଜ ଗେଟ୍ ରୁ ମେରାଇନ୍ ଡ୍ରାଇଭକୁ ସଂଯୋଗ କରୁଥିବା ଭୂତଳ ସଡ଼କ ଟନେଲର ଶିଳାନ୍ୟାସ କରିଛନ୍ତି ପ୍ରଧାନମନ୍ତ୍ରୀ । ୯.୨ କିଲୋମିଟର ସୁଡ଼ଙ୍ଗ ୮୭୦୦ କୋଟି ଟଙ୍କାରୁ ଅଧିକ ବ୍ୟୟରେ ନିର୍ମିତ ହେବ ଏବଂ ଏହା ମୁମ୍ବାଇରେ ଏକ ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମି ବିକାଶ ହେବ ଯାହା ଅରେଞ୍ଜ ଗେଟ୍ ଏବଂ ମେରାଇନ୍ ଡ୍ରାଇଭ୍ ମଧ୍ୟରେ ଯାତ୍ରା ସମୟକୁ ହ୍ରାସ କରିବ ।

ପ୍ରଧାନମନ୍ତ୍ରୀ ସୂର୍ଯ୍ୟ ଆଞ୍ଚଳିକ ବଲ୍କ ପାନୀୟ ଜଳ ପ୍ରକଳ୍ପର ପ୍ରଥମ ପର୍ଯ୍ୟାୟକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିଥିଲେ । ୧୯୭୫ କୋଟି ଟଙ୍କାରୁ ଅଧିକ ବ୍ୟୟରେ ବିକଶିତ ଏହି ପ୍ରକଳ୍ପ ମହାରାଷ୍ଟ୍ରର ପାଲଘର ଓ ଥାନେ ଜିଲ୍ଲାକୁ ପାନୀୟ ଜଳ ଯୋଗାଣ କରିବ ଏବଂ ପ୍ରାୟ ୧୪ ଲକ୍ଷ ଲୋକ ଉପକୃତ ହେବେ।

ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ପାଖାପାଖି ୨୦୦୦ କୋଟି ଟଙ୍କାର ରେଳ ପ୍ରକଳ୍ପକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିଥିଲେ । ଏଥିରେ 'ଉରାନ-ଖାରକୋପର ରେଳ ଲାଇନର ଦ୍ୱିତୀୟ ପର୍ଯ୍ୟାୟ'ର ଲୋକାର୍ପଣ ଅନ୍ତର୍ଭୁକ୍ତ ଯାହା ନଭି ମୁମ୍ବାଇ କୁ ଯୋଗାଯୋଗ ବୃଦ୍ଧି କରିବ କାରଣ ନେରୁଲ/ବେଲାପୁରରୁ ଖାରକୋପର ମଧ୍ୟରେ ଚାଲୁଥିବା ଉପନଗରୀ ସେବାଗୁଡିକ ବର୍ତ୍ତମାନ ଉରାନ ପର୍ଯ୍ୟନ୍ତ ବିସ୍ତାର କରାଯିବ । ଉରାନ ରେଳ ଷ୍ଟେସନରୁ ଖାରକୋପର ପର୍ଯ୍ୟନ୍ତ ଇଏମୟୁ ଟ୍ରେନର ଉଦଘାଟନୀ ଯାତ୍ରାକୁ ମଧ୍ୟ ପ୍ରଧାନମନ୍ତ୍ରୀ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ ।

ଦେଶ ଉଦ୍ଦେଶ୍ୟରେ ସମର୍ପିତ ହେବାକୁ ଥିବା ଅନ୍ୟ ରେଳ ପ୍ରକଳ୍ପଗୁଡ଼ିକ ମଧ୍ୟରେ ଥାନେ-ବାସି/ପାନଭେଲ ଟ୍ରାନ୍ସ-ହାର୍ବର ଲାଇନରେ ଏକ ନୂତନ ଉପନଗରୀ ଷ୍ଟେସନ 'ଦୀଘା ଗାଁ' ଏବଂ ଖାର ରୋଡ୍ ଏବଂ ଗୋରେଗାଓଁ ରେଳ ଷ୍ଟେସନ ମଧ୍ୟରେ ନୂତନ ଷଷ୍ଠ ରେଳଲାଇନ ଅନ୍ତର୍ଭୁକ୍ତ । ଏହି ପ୍ରକଳ୍ପଗୁଡ଼ିକ ଦ୍ୱାରା ମୁମ୍ବାଇର ହଜାର ହଜାର ଦୈନିକ ଯାତ୍ରୀ ଉପକୃତ ହେବେ।

ପ୍ରଧାନମନ୍ତ୍ରୀ ସାନ୍ତାକ୍ରୁଜ୍ ଇଲେକ୍ଟ୍ରୋନିକ୍ ରପ୍ତାନି ପ୍ରକ୍ରିୟାକରଣ ଜୋନ୍ - ସ୍ୱତନ୍ତ୍ର ଅର୍ଥନୈତିକ ଜୋନ୍ (ଏସ୍ଇଇପିଜେଡ୍ ଏସ୍ଇଜେଡ୍)ରେ ରତ୍ନ ଏବଂ ଗହଣା କ୍ଷେତ୍ର ପାଇଁ 'ଭାରତ ରତ୍ନମ୍' (ମେଗା କମନ୍ ଫେସିଲିଟେସନ୍ ସେଣ୍ଟର)କୁ ଉଦଘାଟନ କରିଥିଲେ, ଯାହା କି ୩ଡି ମେଟାଲ୍ ପ୍ରିଣ୍ଟିଂ ସମେତ ବିଶ୍ୱର ସର୍ବୋତ୍ତମ ଉପଲବ୍ଧ ମେସିନ୍ ସହିତ ଭାରତରେ ପ୍ରଥମ। ଏଥିରେ ଭିନ୍ନକ୍ଷମ ଛାତ୍ରଛାତ୍ରୀଙ୍କ ସମେତ ଏହି କ୍ଷେତ୍ର ପାଇଁ କର୍ମଚାରୀଙ୍କ ଦକ୍ଷତା ପାଇଁ ଏକ ପ୍ରଶିକ୍ଷଣ ବିଦ୍ୟାଳୟ ରହିବ। ମେଗା ସିଏଫସି ରତ୍ନ ଏବଂ ଗହଣା ବ୍ୟବସାୟରେ ରପ୍ତାନି କ୍ଷେତ୍ରରେ ପରିବର୍ତ୍ତନ ଆଣିବ ଏବଂ ଘରୋଇ ଉତ୍ପାଦନକୁ ମଧ୍ୟ ସାହାଯ୍ୟ କରିବ ।

ପ୍ରଧାନମନ୍ତ୍ରୀ ଏସଇଇପିଜେଡ୍‌ –ଏସଇଜେଡ୍ ଠାରେ ନ୍ୟୁ ଏଣ୍ଟରପ୍ରାଇଜେସ୍ ଆଣ୍ଡ  ସର୍ଭିସ ଟାୱାର (ନେଷ୍ଟ)-୦୧କୁ ଉଦଘାଟନ କରିଥିଲେ । ନେଷ୍ଟ-୦୧ ମୁଖ୍ୟତଃ ରତ୍ନ ଓ ଗହଣା କ୍ଷେତ୍ରର ୟୁନିଟ୍ ପାଇଁ ଅଟେ ଯାହାକୁ ବର୍ତ୍ତମାନର ଷ୍ଟାଣ୍ଡାର୍ଡ ଡିଜାଇନ୍ ଫ୍ୟାକ୍ଟ୍ରି – ୧ ରୁ ସ୍ଥାନାନ୍ତର କରାଯିବ। ଶିଳ୍ପର ଚାହିଦା ଅନୁଯାୟୀ ବଡ଼ ଧରଣର ଉତ୍ପାଦନ ପାଇଁ ଏହି ନୂଆ ଟାୱାର ପ୍ରସ୍ତୁତ କରାଯାଇଛି।

ଏହି କାର୍ଯ୍ୟକ୍ରମ ରେ ପ୍ରଧାନମନ୍ତ୍ରୀ ନମୋ ମହିଳା ସଶକ୍ତୀକରଣ ଅଭିଯାନର ଶୁଭାରମ୍ଭ କରିଥିଲେ । ମହାରାଷ୍ଟ୍ର ରାଜ୍ୟରେ ମହିଳାମାନଙ୍କୁ ଦକ୍ଷତା ବିକାଶ ପ୍ରଶିକ୍ଷଣ ଏବଂ ଉଦ୍ୟୋଗ ବିକାଶର ପରିଚୟ ପ୍ରଦାନ କରି ସଶକ୍ତ କରିବା ଏହି ଅଭିଯାନର ଲକ୍ଷ୍ୟ । ଏହି ଅଭିଯାନ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ମହିଳା ଉନ୍ନୟନ କାର୍ଯ୍ୟକ୍ରମର ସମନ୍ୱୟ ଓ ପ୍ରଗତି ଦିଗରେ କାର୍ଯ୍ୟ କରିବ ।

 

BS



(Release ID: 1995760) Visitor Counter : 75