ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ

ବକଶିତ ଭାରତ ସଂକଳ୍ପ ଯାତ୍ରା : ଅନ୍ନଦାତାଙ୍କ ସଶକ୍ତିକରଣ


କୃଷି ସମ୍ବନ୍ଧୀୟ ଯୋଜନା ଦ୍ୱାରା ସମ୍ଭବ ହୋଇଥିବା ପରିବର୍ତ୍ତନର କାହାଣୀ ବାଣ୍ଟିଲେ କୃଷକ

ସାର ଓ କୀଟନାଶକ ସିଞ୍ଚନ ପାଇଁ ଡ୍ରୋନ ବ୍ୟବହାର ଶିଖିଲେ ଜଣାଶୁଣା ଚାଷୀ

Posted On: 22 DEC 2023 3:20PM by PIB Bhubaneshwar

ବିକଶିତ ଭାରତ ସଂକଳ୍ପ ଯାତ୍ରା (ଭିବିଏସ୍‌ୱାଇ) ଜରିଆରେ ଭାରତ ସରକାର କଲ୍ୟାଣକାରୀ ଯୋଜନା ଗୁଡ଼ିକୁ ପ୍ରତ୍ୟେକ ଯୋଗ୍ୟ ବ୍ୟକ୍ତିଙ୍କ ନିକଟରେ ପହଞ୍ଚାଇବାରେ ନିୟୋଜିତ ଅଛନ୍ତି । ଏହି ଯାତ୍ରାରେ ଅନ୍ତର୍ଭୁକ୍ତ ସୂଚନା, ଶିକ୍ଷା ଓ ଯୋଗାଯୋଗ (ଆଇଇସି) ଭ୍ୟାନ୍ ସହରରୁ ସହର, ପ୍ରତି ଗ୍ରାମରେ ସଚେତନତା ଅଭିଯାନ ଚଳାଇଛି । ଆଇଇସି ଭ୍ୟାନ୍ ଏପର୍ଯ୍ୟନ୍ତଏକ ଲକ୍ଷରୁ ଅଧିକ ଗ୍ରାମ ପଞ୍ଚାୟତରେ ପହଞ୍ଚି ସାରିଛି । ଏହା ବ୍ୟତୀତ, ଅକ୍ଟୋବର ୨୨, ୨୦୨୩ (ଅପରାହ୍ନ ୦୨:୩୦) ସୁଦ୍ଧା, ପ୍ରାୟ ୪.୫ କୋଟି ଲୋକ ଭିବିଏସ୍‌ୱାଇରେ ଅଂଶଗ୍ରହଣ କରିଛନ୍ତି ଏବଂ ୩ କୋଟିରୁ ଅଧିକ ଲୋକ ଏକ ବିକଶିତ ଭାରତ ଗଠନ ପାଇଁ ପ୍ରତିଶ୍ରୁତି ଦେଇଛନ୍ତି ।

୨୦୨୩ ନଭେମ୍ବର ୧୫ ତାରିଖରେ ଝାଡ଼ଖଣ୍ଡର ଖୁଣ୍ଟିରୁ ଆରମ୍ଭ ହୋଇଥିବା ବିକଶିତ ଭାରତ ସଂକଳ୍ପ ଯାତ୍ରା କୃଷକ ମାନଙ୍କ ପାଇଁ ବିଶେଷ ଲାଭଦାୟକ ସାବ୍ୟସ୍ତ ହେଉଛି । ଏହି ଯାତ୍ରା ମାଧ୍ୟମରେ କେନ୍ଦ୍ର ସରକାର କୃଷକ ମାନଙ୍କୁ ବୈଷୟିକ ଓ ଅର୍ଥନୈତିକ ଦୃଷ୍ଟିରୁ ସକ୍ଷମ କରିବା ଉପରେ ବିଶେଷ ଗୁରୁତ୍ୱ ଦେଉଛନ୍ତି । ଏହି ଜନସଚେତନତା ଅଭିଯାନ ଜରିଆରେ ସରକାର କୃଷକ ମାନଙ୍କ ପାଇଁ ବିହନରୁ ବଜାର ପର୍ଯ୍ୟନ୍ତ ଯାତ୍ରାକୁ ସହଜ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛନ୍ତି ।

ଉତ୍ତରପ୍ରଦେଶର ଆଜମଗଡ଼ର କୃଷକ ଜନକ ଯାଦବ ଏବଂ ବିହାରର ସହରସା ଜିଲ୍ଲାର ଭେଲାହି ପଞ୍ଚାୟତର ବାସିନ୍ଦା ନସିରୁଦ୍ଦିନ କହିଛନ୍ତି ଯେ ସେମାନେ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା (ପିଏମ୍ - କିଷାନ) ର ଲାଭ ପାଉଛନ୍ତି । ଉଭୟ କୃଷକ \"ପିଏମ୍ - କିଷାନ\" ଯୋଜନାକୁ କୃଷକ ମାନଙ୍କ ପାଇଁ ଅତ୍ୟନ୍ତ ଲାଭଦାୟକ ଏବଂ ଭଲ ଯୋଜନା ବୋଲି ବର୍ଣ୍ଣନା କରିଥିଲେ ।

କେନ୍ଦ୍ର ସରକାର ବିକଶିତ ଭାରତ ସଂକଳ୍ପ ଯାତ୍ରା ମାଧ୍ୟମରେ କୃଷକ ମାନଙ୍କୁ ଜ୍ଞାନକୌଶଳ ସହ ଯୋଡ଼ିବା ପାଇଁ ଅକ୍ଳାନ୍ତ ପ୍ରୟାସ କରୁଛନ୍ତି । ଏହି ଯାତ୍ରା ସମୟରେ ଚାଷ ଜମିରେ ସାର ଓ କୀଟନାଶକ ସିଞ୍ଚନ ପାଇଁ ଡ୍ରୋନର ବ୍ୟବହାର ଏବଂ ଡ୍ରୋନ ବ୍ୟବହାର କରି ଫସଲ କିପରି ଯାଞ୍ଚ କରାଯାଇପାରିବ ସେ ନେଇ ସମଗ୍ର ଅଭିଯାନରେ ସିଧାସଳଖ ପ୍ରଦର୍ଶନ କରାଯାଉଛି । ଆସାମର ବକ୍ସା ଜିଲ୍ଲାରେ ମଧ୍ୟ ଅନୁରୂପ ଏକ ପ୍ରଦର୍ଶନ କରାଯାଇଥିଲା ଯେଉଁଥିରେ କୃଷକ ମାନଙ୍କୁ ଡ୍ରୋନ ସାହାଯ୍ୟରେ ଫସଲ ଯାଞ୍ଚ କରିବାକୁ ଶିଖାଯାଇଥିଲା ।

ଏହି ପ୍ରଦର୍ଶନ ଦେଖିବା ପରେ , ଜଣେ କୃଷକ ରୋନିତ ସିଂହ ବ୍ରହ୍ମା ସନ୍ତୋଷ ବ୍ୟକ୍ତ କରି କହିଛନ୍ତି, 'ଆଜି ଆମେ ଆମର ସୋରିଷ ଫସଲର ପରୀକ୍ଷଣ କରୁଥିବା ଡ୍ରୋନ୍ ଦେଖିଛୁ ଏବଂ ଆମେ ସେଗୁଡିକର ଦକ୍ଷତାରେ ପ୍ରଭାବିତ ହୋଇଛୁ । ଏହା ଆମକୁ ଏହି ଅନୁଭବ ଆଣିଦେଇଛି ଯେ ଏହି ଟେକ୍ନୋଲୋଜିକୁ ଆପଣାଇବା ଦ୍ୱାରା ସମୟ ସଞ୍ଚୟ ହୋଇ ପାରିବ ଏବଂ ଶ୍ରମ ଖର୍ଚ୍ଚ ହ୍ରାସ ହୋଇ ପାରିବ ।

ଉତ୍ତରପ୍ରଦେଶର ବଳରାମପୁର ଜିଲ୍ଲାର ବାସିନ୍ଦା ଶ୍ରୀ ରାମ ଗୋପାଳ ଚୌଧୁରୀ କୃଷି ପ୍ରଯୁକ୍ତି ପରିଚାଳନା ଏଜେନ୍ସି (ଆତ୍ମା) ଯୋଜନା ଅଧୀନରେ ପ୍ରଶିକ୍ଷଣ ଗ୍ରହଣ କରିବାର ଭିବିଏସୱାଇ ଅଭିଯାନ ସମୟରେ ତାଙ୍କର ଅଭିଜ୍ଞତା ବାଣ୍ଟିଥିଲେ । କୃଷି କାର୍ଯ୍ୟ ପାଇଁ ଅତ୍ୟାଧୁନିକ ଯନ୍ତ୍ରପାତିର ବ୍ୟବହାର ବିଷୟରେ ତାଙ୍କୁ ଅବଗତ କରାଯାଇଥିଲା ଯାହା ତାଙ୍କର ଆୟ ବୃଦ୍ଧି କରିବାରେ ସାହାଯ୍ୟ କରିଥିଲା ଏବଂ ଶ୍ରମ ଖର୍ଚ୍ଚରେ ସଞ୍ଚୟ କରିଥିଲା ବୋଲି ସେ କହିଥିଲେ ।

References:

https://viksitbharatsankalp.gov.in/video

https://x.com/PIBHindi/status/1732769662222364696?s=20

https://x.com/airnewsalerts/status/1726507738816270623?s=20

https://x.com/DDNewslive/status/1732297941518626894?s=20

https://viksitbharatsankalp.gov.in/

****

SSP

 

 



(Release ID: 1989759) Visitor Counter : 95