ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଜାମ୍ମୁର ସୀମାନ୍ତ ଅଞ୍ଚଳର ମହିଳା ସରପଞ୍ଚଙ୍କୁ ତାଙ୍କର ସମର୍ପିତ କାର୍ଯ୍ୟ ପାଇଁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା


“ଶେଷତମ ବ୍ୟକ୍ତିଙ୍କ ପାଖରେ ସବୁ ସରକାରୀ ଲାଭ ପହଂଚାଇବାକୁ ଆମେ ସୁନିଶ୍ଚିତ କରିବୁ; ‘ମୋଦୀ କି ଗ୍ୟାରେଣ୍ଟି’ ଯାନ’ ପ୍ରତ୍ୟେକ ଗାଁକୁ ଯିବ”

Posted On: 30 NOV 2023 1:25PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନ୍‌ଫରେନ୍ସି ବ୍ୟବସ୍ଥାରେ ବିକଶିତ ଭାରତ ସଂକଳ୍ପ ଯାତ୍ରାର ହିତାଧିକାରୀଙ୍କ ସହିତ ଆଲୋଚନା କରିଛନ୍ତି । ଆଜି ଜାମ୍ମୁର ସୀମାନ୍ତ ଅଞ୍ଚଳ ରଙ୍ଗପୁରର ଜଣେ ମହିଳା ସରପଞ୍ଚ ବଲବୀର କୌର ଓ ଜଣେ ଚାଷୀଙ୍କ ସହିତ କଥାବାର୍ତ୍ତା ଅବସରରେ ପ୍ରଧାନମନ୍ତ୍ରୀ ସେମାନଙ୍କଠାରୁ ବିଭିନ୍ନ କଥା ପଚାରି ବୁଝିଥିଲେ । ତାଙ୍କର ଜନସେବା ଓ ସମର୍ପିତ କାର୍ଯ୍ୟ ବିଷୟରେ ଶୁଣିବା ପରେ ତାଙ୍କୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଥିଲେ । 

ଶ୍ରୀମତୀ ବଲବୀର କୌର ପ୍ରଧାନମନ୍ତ୍ରୀଙ୍କୁ କହିଥିଲେ ଯେ ସେ ସୀମନ୍ତବର୍ତ୍ତୀ ଆର୍ଣ୍ଣିଆ ଅଂଚଳର ଜଣେ ମହିଳା ଚାଷୀ । ଏବେ ସେ ରଙ୍ଗପୁରର ସରପଞ୍ଚ ଅଛନ୍ତି । ନିଜ ପଞ୍ଚାୟତର ବିକାଶ ପାଇଁ ସେ ବିଭିନ୍ନ ସରକାରୀ ଯୋଜନାକୁ ନିଷ୍ଠାର ସହିତ କାର୍ଯ୍ୟକାରୀ କରୁଛନ୍ତି । ସେ ନିଜେ ମଧ୍ୟ ବିଭିନ୍ନ ସରକାରୀ ଯୋଜନା ଯଥା କିିଷାନ କ୍ରେଡିଟ କାର୍ଡ, କୃଷି ଯନ୍ତ୍ରପାତି ଋଣ ଯୋଜନା ଓ କିଷାନ ସମ୍ମାନ ନିଧି ଯୋଜନାର ହିତାଧିକାରୀ । ତାଙ୍କର ନିଜର ଏକ ଟ୍ରାକ୍ଟର ଅଛି ଓ ତାହାକୁ ସେ କିଷାନ କ୍ରେଡିଟ୍ କାର୍ଡ ମାଧ୍ୟମରେ କିଣିଛନ୍ତି । ସେ ସୀମାନ୍ତ ଅଞ୍ଚଳରେ ହୋଇଥିବାରୁ ଓ ନିଷ୍ଠାପର ତଥା ସମର୍ପିତ ଭାବେ ସରପଞ୍ଚ ଦାୟିତ୍ୱ ନିର୍ବାହ କରୁଥିବାରୁ ପ୍ରଧାନମନ୍ତ୍ରୀ ଶ୍ରୀମତୀ ବଲବୀର କୌରଙ୍କୁ ପ୍ରଶଂସା କରିଥିଲେ । । 

ବଲବୀର କୌରଙ୍କୁ ପ୍ରଧାନମନ୍ତ୍ର ଯେତେ ସବୁ ପ୍ରଶ୍ନ ପଚାରିଥିଲେ ତାହାର ସବୁ ଉତ୍ତର ସେ ନିର୍ଭୁଲ ଭାବରେ ଦେଇଥିଲେ । ସେହି ଅଞ୍ଚଳର ସବୁ ତଥ୍ୟ ତାଙ୍କ ଆଙ୍ଗୁଳି ଅଗରେ ଥିଲା । ଏତେ କଥା କିପରି ମନେ ରଖୁଛ ଓ ନିଷ୍ଠାପର ଭାବେ କାମ କରୁଛ ବୋଲି ପ୍ରଧାନମନ୍ତ୍ରୀ ପ୍ରଶ୍ନ କରିଥିବାରୁ ବଲବୀର କହିଥିଲେ “ସମାଜର ତଳସ୍ତରରେ କିପରି କାମ କରିବାକୁ ହୁଏ ଆପଣଙ୍କଠାରୁ ତାହା ଶିଖିଛି । ସବୁ କଥା ଟିକିନିଖି ମନେ ରଖିଛି ।” ବିଭିନ୍ନ ସରକାରୀ ଯୋଜନାର ଲାଭ ସମ୍ପର୍କରେ ଆଖାପାଖ ଗ୍ରାମରେ ସଚେତନତା ସୃଷ୍ଟି କରିବାକୁ ପ୍ରଧାନମନ୍ତ୍ରୀ ଏହି ମହିଳା ସରପଞ୍ଚଙ୍କୁ ପରାମର୍ଶ ଦେଇଥିଲେ ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ବିକଶିତ ଭାରତ ସଂକଳ୍ପ ଯାତ୍ରା ମାଧ୍ୟମରେ ସରକାରୀ ଯୋଜନାର ହିତାଧିକାରୀଙ୍କ ଠାରୁ ସେମାନଙ୍କ ଅନୁଭୂତି ସଂଗ୍ରହ କରାଯାଉଛି । ଯେଉଁମାନେ ଏସବୁ ସୁବିଧା ପାଇ ନାହାନ୍ତି ସେମାନଙ୍କୁ ଏହାର ଲାଭ ଦେବାକୁ ଉଦ୍ୟମ କରାଯାଉଛି । “ଶେଷତମ ବ୍ୟକ୍ତିଙ୍କ ପାଖରେ ସବୁ ସରକାରୀ ଲାଭ ପହଂଚାଇବାକୁ ଆମେ ସୁନିଶ୍ଚିତ କରିବୁ; ‘ମୋଦୀ କି ଗ୍ୟାରେଣ୍ଟି’ ଯାନ’ ପ୍ରତ୍ୟେକ ଗାଁକୁ ଯିବ” ପ୍ରଧାନମନ୍ତ୍ରୀ ନିର୍ଭର ପ୍ରତିଶ୍ରୁତି ଦେଇଥିଲେ ।

*****

TKM/SLP



(Release ID: 1981338) Visitor Counter : 45