ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

G-20 ଭର୍ଚୁଆଲ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କ ଉଦଘାଟନୀ ବକ୍ତବ୍ୟ

Posted On: 22 NOV 2023 6:36PM by PIB Bhubaneshwar

 

 

 

ପ୍ରିୟ ମହାମହିମ ଗଣ,

 

ମହାମହିମ,

ନମସ୍କାର !

 

ମୋର ନିମନ୍ତ୍ରଣକୁ ସ୍ୱୀକାର କରି ଆଜି ଏହି ଶିଖର ସମ୍ମିଳନୀରେ ଯୋଗ ଦେଇଥିବାରୁ ମୁଁ ଆପଣ ସମସ୍ତଙ୍କୁ ଧନ୍ୟବାଦ ଜଣାଉଛି । 140 କୋଟି ଭାରତୀୟଙ୍କ ତରଫରୁ ଆପଣ ସମସ୍ତଙ୍କୁ ହାର୍ଦ୍ଦିକ ସ୍ୱାଗତ ।

 

ବନ୍ଧୁଗଣ,

 

ମୋର ସ୍ମରଣ ଅଛି, ଗତ ବର୍ଷ ନଭେମ୍ବର 16ରେ ଯେତେବେଳେ ମୋର ବନ୍ଧୁ ତଥା ଇଣ୍ଡୋନେସିଆର ରାଷ୍ଟ୍ରପତି ଜୋକୋ ୱିଡୋଡୋ ମୋତେ ଆନୁଷ୍ଠାନିକ ଭାବେ ଏକ ଗେବଲ ପ୍ରଦାନ କରିଥିଲେ, ସେତେବେଳେ ମୁଁ କହିଥିଲି ଯେ, ଆମେ ମିଳିମିଶି G-20କୁ ସମାବେଶୀ, ମହତ୍ୱାକାଂକ୍ଷୀ, କାର୍ଯ୍ୟଭିତ୍ତିକ ଏବଂ ନିର୍ଣ୍ଣାୟକ କରିବା । ବର୍ଷକ ମଧ୍ୟରେ ଆମେ ସମସ୍ତେ ମିଶି ଏହା କରି ଦେଖାଇଛୁ । ଆମେ ସମସ୍ତେ ମିଶି G-20କୁ ନୂତନ ଶିଖରରେ ପହଞ୍ଚାଇଛୁ ।

 

ଅବିଶ୍ୱାସ ଓ ଚ୍ୟାଲେଞ୍ଜରେ ପରିପୂର୍ଣ୍ଣ ଆଜିର ଦୁନିଆରେ ପାରସ୍ପରିକ ବିଶ୍ୱାସ ହିଁ ଆମକୁ ବାନ୍ଧି ରଖିଥାଏ, ପରସ୍ପର ସହ ଯୋଡ଼ି ରଖିଥାଏ । ଏହି ଏକ ବର୍ଷ ମଧ୍ୟରେ ଆମେ "ଏକ ପୃଥିବୀ, ଏକ ପରିବାର, ଏକ ଭବିଷ୍ୟତ’ ଉପରେ ବିଶ୍ୱାସ କରିଛୁ । ଆଉ ଆମେ ବିବାଦରୁ ଦୂରରେ ରହି ଏକତା ଏବଂ ସହଯୋଗର ପରିଚୟ ଦେଇଛୁ । ମୁଁ ସେହି ମୁହୂର୍ତ୍ତକୁ କେବେ ମଧ୍ୟ ଭୁଲି ପାରିବି ନାହିଁ ଯେତେବେଳେ ଦିଲ୍ଲୀରେ ଆମେ ସମସ୍ତେ ସର୍ବସମ୍ମତି କ୍ରମେ ଆଫ୍ରିକୀୟ ସଂଘକୁ G-20ରେ ସ୍ୱାଗତ କରିଥିଲୁ । G-20 ସମଗ୍ର ବିଶ୍ୱକୁ ଯେଉଁ ଅନ୍ତର୍ଭୁକ୍ତୀକରଣର ବାର୍ତ୍ତା ଦେଇଛି ତାହା ଅଦ୍ଭୂତପୂର୍ବ ।

 

ଭାରତ ପାଇଁ ଏହା ଗର୍ବର ବିଷୟ ଯେ, ତା’ର ଅଧ୍ୟକ୍ଷତାରେ ଆଫ୍ରିକାର ସ୍ୱର ମିଶିଛି । ଏହି ଗୋଟିଏ ବର୍ଷ ମଧ୍ୟରେ ସମଗ୍ର ବିଶ୍ୱ G-20ରେ ଗ୍ଲୋବାଲ ସାଉଥର ସ୍ୱର ମଧ୍ୟ ଶୁଣି ସାରିଛି । ଗତ ସପ୍ତାହରେ ଭଏସ୍ ଅଫ୍ ଗ୍ଲୋବାଲ୍ ସାଉଥ୍ ଶିଖର ସମ୍ମିଳନୀରେ ପ୍ରାୟ 130ଟି ଦେଶ, ନୂଆଦିଲ୍ଲୀ G-20 ଶିଖର ସମ୍ମିଳନୀରେ ନିଆଯାଇଥିବା ନିଷ୍ପତ୍ତିକୁ ଆନ୍ତରିକତାର ସହ ପ୍ରଶଂସା କରିଛନ୍ତି । G-20 ନବସୃଜନ ଏବଂ ଡିଜିଟାଲ ଟେକ୍ନୋଲୋଜିକୁ ସମର୍ଥନ କରିବା ସହିତ ମାନବ-କେନ୍ଦ୍ରୀତ ଆଭିମୁଖ୍ୟ ଗ୍ରହଣ କରିବା ଉପରେ ଗୁରୁତ୍ୱାରୋପ କରିଛି । G-20 ବହୁପକ୍ଷବାଦ ଉପରେ ବିଶ୍ୱାସ ବୃଦ୍ଧି କରିଛି ।

 

ମିଳିତ ଭାବେ ଆମେ ବହୁପକ୍ଷୀୟ ବିକାଶ ବ୍ୟାଙ୍କ ଏବଂ ବିଶ୍ୱ ଶାସନ ସଂସ୍କାରକୁ ଦିଗଦର୍ଶନ ଦେଇଛୁ । ଆଉ ଏହା ସହ ଜି-୨୦କୁ ଭାରତର ଅଧ୍ୟକ୍ଷତାରେ ପିପୁଲ୍ସ-୨୦ର ମାନ୍ୟତା ମିଳିଛି । ଭାରତର କୋଟି କୋଟି ସାଧାରଣ ନାଗରିକ ଜି-୨୦ରେ ଯୋଗ ଦେଇଥିଲେ, ଆମେ ଏହାକୁ ଏକ ପର୍ବ ଭାବରେ ପାଳନ କରିଥିଲୁ ।

 

ପ୍ରିୟ ମହାମହିମଗଣ,

 

ମହାମହିମ,

 

ଯେତେବେଳେ ମୁଁ ଏହି ଭର୍ଚୁଆଲ୍ ଶିଖର ସମ୍ମିଳନୀ ପ୍ରସ୍ତାବ ଦେଇଥିଲି, ସେତେବେଳେ ଆଜି ବିଶ୍ୱର ସ୍ଥିତି କ'ଣ ହେବ ତାହାର କୌଣସି ପୂର୍ବାନୁମାନ ନଥିଲା । ଗତ କିଛି ମାସ ମଧ୍ୟରେ ନୂଆ ଚ୍ୟାଲେଞ୍ଜ ସାମ୍ନାକୁ ଆସିଛି । ପଶ୍ଚିମ ଏସିଆ ଅଂଚଳରେ ନିରାପତ୍ତା ଏବଂ ଅସ୍ଥିରତାର ସ୍ଥିତି ଆମ ସମସ୍ତଙ୍କ ପାଇଁ ହେଉଛି ଚିନ୍ତାର ବିଷୟ । ଆଜି ଆମେ ସମସ୍ତେ ଏକାଠି ହେବା, ଏକ ସଙ୍କେତ ଯେ, ଆମେ ସମସ୍ତ ସମସ୍ୟା ପ୍ରତି ସମ୍ବେଦନଶୀଳ ଏବଂ ଏହାର ସମାଧାନ ପାଇଁ ଏକାଠି ଠିଆ ହୋଇଛୁ । ଆମେ ସ୍ୱୀକାର କରୁଛୁ ଯେ, ଆତଙ୍କବାଦ ଆମ ସମସ୍ତଙ୍କ ପାଇଁ ଗ୍ରହଣୀୟ ନୁହେଁ । ସାଧାରଣ ନାଗରିକମାନଙ୍କର ମୃତ୍ୟୁ ଯେଉଁଠି ବି ହେଉ ନା କାହିଁକି ନିନ୍ଦନୀୟ ।

 

ଆଜି ପଣବନ୍ଦୀମାନଙ୍କୁ ମୁକ୍ତ କରିବାନେଇ ଖବରକୁ ଆମେ ସ୍ୱାଗତ କରୁଛୁ । ଆଉ ଆଶା କରୁଛୁ ଯେ, ସମସ୍ତ ପଣବନ୍ଦୀମାନେ ଖୁବ ଶୀଘ୍ର ମୁକ୍ତି ପାଇବେ । ମାନବିକ ସହାୟତା ଠିକ୍ ସମୟରେ ଏବଂ ନିରନ୍ତର ଭାବେ ପ୍ରଦାନ କରିବା ଜରୁରୀ । ଇସ୍ରାଏଲ ଓ ହମାସ ମଧ୍ୟରେ ଲଢ଼େଇ ଯେପରି କୌଣସି ପ୍ରକାର ଆଂଚଳିକ ରୂପ ନେବ ନାହିଁ ତାହା ସୁନିଶ୍ଚିତ କରିବା ମଧ୍ୟ ଜରୁରୀ । ଆଜି ଆମେ ଯେଉଁ ସଙ୍କଟର ବାଦଲ ଦେଖୁଛୁ, ଗୋଟିଏ ବା ଏକ ପରିବାର ପାଖରେ ସେହି ଶକ୍ତି ଅଛି ଯେ ଆମେ ଶାନ୍ତି ପାଇଁ କାମ କରି ପାରିବା । ମାନବ କଲ୍ୟାଣ ଦୃଷ୍ଟିକୋଣରୁ ଆମେ ଆତଙ୍କ ଓ ହିଂସା ବିରୋଧରେ ଏବଂ ମାନବିକତା ପାଇଁ ସ୍ୱର ଉତ୍ତୋଳନ କରି ପାରିବା । ବିଶ୍ୱର ମାନବିକତାର ଏହି ଆଶାକୁ ପୂରଣ କରିବା ପାଇଁ ଆଜି ଭାରତ ପାଦରେ ପାଦ ମିଳାଇ ଚାଲିବାକୁ ପ୍ରସ୍ତୁତ ଅଛି ।

 

ବନ୍ଧୁଗଣ,

 

ଏକବିଂଶ ଶତାବ୍ଦୀର ବିଶ୍ୱ ଆଗକୁ ବଢ଼ୁଥିବା ବେଳେ, ଗୋଲାଲ ସାଉଥର ଚିନ୍ତାକୁ ସର୍ବୋଚ୍ଚ ପ୍ରାଥମିକତା ଦେବାକୁ ପଡ଼ିବ । ଗ୍ଲୋବାଲ ସାଉଥର ଦେଶଗୁଡ଼ିକ ଅନେକ ସମସ୍ୟା ଦେଇ ଗତି କରୁଛନ୍ତି, ଯେଉଁଥିପାଇଁ କିନ୍ତୁ ସେମାନେ ଦାୟୀ ନୁହଁନ୍ତି । ଏହି ପରିପ୍ରେକ୍ଷୀରେ ବିକାଶ ଏଜେଣ୍ଡାକୁ ସମ୍ପୂର୍ଣ୍ଣ ସମର୍ଥନ ଦେବା ସମୟର ଆବଶ୍ୟକତା । ଏହା ଗୁରୁତ୍ୱପୂର୍ଣ୍ଣ ଯେ ବିଶ୍ୱ ଅର୍ଥନୈତିକ ଏବଂ ପ୍ରଶାସନିକ ଢାଞ୍ଚା ବୃହତ, ଉନ୍ନତ, ପ୍ରଭାବଶାଳୀ, ପ୍ରତିନିଧିତ୍ୱପୂର୍ଣ୍ଣ ଏବଂ ଭବିଷ୍ୟତ ପାଇଁ ପ୍ରସ୍ତୁତ କରିବା ଲାଗି ସଂସ୍କାର ଅଣାଯାଉ । ଆବଶ୍ୟକ କରୁଥିବା ଦେଶମାନଙ୍କୁ ଠିକ୍ ସମୟରେ ଏବଂ ସହଜରେ ସହାୟତା ପ୍ରଦାନ ସୁନିଶ୍ଚିତ କରନ୍ତୁ । 2030 ନିରନ୍ତର ବିକାଶ ଲକ୍ଷ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ଗ୍ରହଣ କରାଯାଇଥିବା କାର୍ଯ୍ୟ ଯୋଜନାକୁ କାର୍ଯ୍ୟକାରୀ କରନ୍ତୁ ।

 

ବନ୍ଧୁଗଣ,

 

ଆମର ଆକାଂକ୍ଷୀ ଜିଲ୍ଲା କାର୍ଯ୍ୟକ୍ରମ ଭାରତର ସ୍ଥାନୀୟ ସ୍ତରରେ ଏସଡିଜିରେ ଅଗ୍ରଗତିର ଏକ ବଡ଼ ଉଦାହରଣ । ଆକାଂକ୍ଷୀ ଜିଲ୍ଲା କାର୍ଯ୍ୟକ୍ରମକୁ G-20 ଦେଶଗୁଡ଼ିକ ଓ ଗ୍ଲୋବାଲ ସାଉଥକୁ ଅଧ୍ୟୟନ କରିବାକୁ ମୁଁ ନିମନ୍ତ୍ରଣ କରୁଛି । ଏହି ଗୋଟିଏ ଅଭିଯାନ ଭାରତର 25 କୋଟି ଲୋକଙ୍କ ଜୀବନରେ କିପରିପରିବର୍ତ୍ତତନ ଆଣିଛି ତାହା ଆପଣ ଦେଖିବେ ।

 

ବନ୍ଧୁଗଣ,

 

ନୂଆଦିଲ୍ଲୀ ଶିଖର ସମ୍ମିଳନୀରେ ଡିଜିଟାଲ ପବ୍ଲିକ ଇନଫ୍ରାଷ୍ଟ୍ରକଚର ରିପୋଜିଟୋରୀ ବା ଭଣ୍ଡାର ଗଠନ କରିବାକୁ ନିଷ୍ପତ୍ତିତି ନିଆଯାଇଥିଲା । ମୋତେ ଏହା କହିବାକୁ ଖୁସି ଲାଗୁଛି ଯେ ଏହି ରିପୋଜିଟୋରୀ ବା ଭଣ୍ଡାର ପ୍ରସ୍ତୁତ ଅଛି । ଏଥିରେ 16ଟି ଦେଶର 50ରୁ ଅଧିକ ଡିପିଆଇ ଯୋଡ଼ାଯାଇଛି । ଗ୍ଲୋବାଲ ସାଉଥର ଦେଶଗୁଡିକରେ ଡିପିଆଇ କାର୍ଯ୍ୟକାରୀ କରିବା ପାଇଁ, ମୁଁ ଏକ ସାମାଜିକ ପ୍ରଭାବ ପାଣ୍ଠି ଗଠନ କରିବାକୁ ପ୍ରସ୍ତାବ ଦେଉଛି । ଭାରତ ତରଫରୁ ମୁଁ ଏଥିରେ ପ୍ରାରମ୍ଭିକ ଭାବେ 25 ନିୟୁତ ଡଲାର ରାଶି ଯୋଡ଼ିବାକୁ ମଧ୍ୟ ଘୋଷଣା କରୁଛି । ମୁଁ ଆଶା କରୁଛି ଆପଣମାନେ ସମସ୍ତେ ଏହି ପଦକ୍ଷେପରେ ସାମିଲ ହେବେ ।

 

ଆଜିର ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଯୁଗରେ ଟେକ୍ନୋଲୋଜିର ଦାୟିତ୍ୱପୂର୍ଣ୍ଣ ବ୍ୟବହାର କରିବାର ଆବଶ୍ୟକତା ରହିଛି । ସମଗ୍ର ବିଶ୍ୱରେ ଏଆଇର ନକାରାତ୍ମକ ବ୍ୟବହାରକୁ ନେଇ ଚିନ୍ତା ବଢିବାରେ ଲାଗିଛି । ଭାରତର ସ୍ପଷ୍ଟ ଆଭିମୁଖ୍ୟ ଯେ ଏଆଇର ବୈଶ୍ୱିକ ନିୟନ୍ତ୍ରଣ ପାଇଁ ଆମେ ମିଳିତ ଭାବେ କାର୍ଯ୍ୟ କରିବା ଉଚିତ୍ । ଡିପ୍ ଫେକ୍ ସମାଜ ପାଇଁ, ବ୍ୟକ୍ତି ପାଇଁ କେତେ ବିପଜ୍ଜନକ ତାହାର ଗମ୍ଭୀରତାକୁ ବୁଝି ଆମକୁ ଆଗକୁ ବଢ଼ିବାକୁ ପଡ଼ିବ । ଆମେ ଚାହୁଁଛୁ ଯେ ଏଆଇ ଲୋକଙ୍କ ପାଖରେ ପହଂଚୁ ଏବଂ ଏହା ସମାଜ ପାଇଁ ସୁରକ୍ଷିତ ହେବା ଉଚିତ୍ । ଏହି ଆଭିମୁଖ୍ୟ ସହିତ ଭାରତ ଆସନ୍ତା ମାସରେ ଗ୍ଲୋବାଲ ଏଆଇ, ଏକ ଭାଗିଦାରୀ ଶିଖର ସମ୍ମିଳନୀ ଆୟୋଜନ କରୁଛି । ମୁଁ ନିଶ୍ଚିତ ଯେ ଆପଣମାନେ ସମସ୍ତେ ଏଥିରେ ସହଯୋଗ କରିବେ

 

ବନ୍ଧୁଗଣ,

 

ନୂଆଦିଲ୍ଲୀ ଶିଖର ସମ୍ମିଳନୀରେ ମୁଁ ପରିବେଶ ସୁରକ୍ଷା ସମ୍ପର୍କରେ ଗ୍ରୀନ କ୍ରେଡିଟ ବିଷୟରେ ଆଲୋଚନା କରିଥିଲି । ଆପଣମାନେ ଜାଣନ୍ତି ଯେ ଭାରତରେ ଆମେ ଏହାକୁ ଆରମ୍ଭ କରିଛୁ । ନୂଆଦିଲ୍ଲୀରେ ଆରମ୍ଭ ହୋଇଥିବା ବିଶ୍ୱ ଜୈବ ଇନ୍ଧନ ମେଂଟ ଜରିଆରେ ଆମେ କାର୍ବନ ହ୍ରାସ କରିବା ସହ ବିକଳ୍ପ ଇନ୍ଧନର ବିକାଶକୁ ପ୍ରୋତ୍ସାହିତ କରିବୁ ।

 

G-20 ଏକ ପୃଥିବୀ ସମର୍ଥକ ଆଭିମୁଖ୍ୟ ପାଇଁ ମିଶନ ଳାଇଫ ଅର୍ଥାତ୍ ପରିବେଶ ପାଇଁ ଜୀବନ ଶୈଳୀକୁ ସ୍ୱୀକୃତି ଦେଇଛି । 2030 ସୁଦ୍ଧା ଅକ୍ଷୟ ଶକ୍ତିକୁ ୩ଗୁଣ ପର୍ଯ୍ୟନ୍ତ ନେବାକୁ ସେ ଆହ୍ୱାନ ଦେଇଛନ୍ତି । ସ୍ୱଚ୍ଛ ଉଦଯାନ ପାଇଁ ପ୍ରତିବଦ୍ଧତା ଦେଖାଇଛନ୍ତି । ଜଳବାୟୁ ପାଣ୍ଠିକୁ କୋଟି କୋଟିରୁ ବହୁ କୋଟି ବା ଟ୍ରିଲିୟନକୁ ନେବାର ଆବଶ୍ୟକତାକୁ ଆମେ ସ୍ୱୀକାର କରୁଛୁ । କିଛିଦିନ ମଧ୍ୟରେ ୟୁଏଇରେ ଅନୁଷ୍ଠିତ ହେଉଥିବା ସିଓପି-28 ସମୟରେ ଏହି ସବୁ ପଦକ୍ଷେପ ଉପରେ ଦୃଢ଼ ପଦକ୍ଷେପ ନେବାର ଆବଶ୍ୟକତା ରହିଛି ।

 

ବନ୍ଧୁଗଣ,

 

ମହିଳା ସଶକ୍ତୀକରଣ ପାଇଁ ଏକ ନୂତନ କାର୍ଯ୍ୟକାରୀ ଗୋଷ୍ଠୀ ମଧ୍ୟ ଗଠନ କରାଯାଇଛି । ଏହି ପରିପ୍ରେକ୍ଷୀରେ ମୁଁ ଖୁସିର ସହ କହିବାକୁ ଚାହୁଁଛି ଯେ ଭାରତ ଏହାର ନୂତନ ସଂସଦ ଭବନର ପ୍ରଥମ ଅଧିବେଶନରେ ଏକ ଐତିହାସିକ ନିଷ୍ପତ୍ତିତି ନେଇଛି । ମହିଳାଙ୍କ ନେତୃତ୍ୱାଧୀନ ବିକାଶକୁ ସୁଦୃଢ଼ କରିବା ପାଇଁ ଆମେ ସଂସଦ ଏବଂ ରାଜ୍ୟ ବିଧାନସଭାରେ ମହିଳାଙ୍କ ପାଇଁ 33% ସଂରକ୍ଷଣ ସଂରକ୍ଷଣ କରିବାକୁ ନିଷ୍ପତ୍ତି ନେଇଛୁ ।

ବନ୍ଧୁଗଣ,

 

ମୁଁ ମୋର ବକ୍ତବ୍ୟ  ଏଠାରେ ଶେଷ କରୁଛି ।

 

*****

 



(Release ID: 1978979) Visitor Counter : 67