ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଜି – ୨୦ ଶିଖର ସମ୍ମିଳନୀର ତୃତୀୟ ଅଧିବେଶନରେ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ

Posted On: 10 SEP 2023 12:49PM by PIB Bhubaneshwar

ପୋଷ୍ଟ ହୋଇଛି : ୧୦ ସେପ୍ଟେମ୍ବର ୨୦୨୩, ଅପରାହ୍ନ ୧୨ ; ୪୯, ପିଆଇବି, ଦିଲ୍ଲୀ

ମହାନୁଭବ,

ମହାମହିମ,  

କାଲି ଆମେ ଗୋଟିଏ ପୃଥିବୀ, ଏବଂ ଗୋଟିଏ ପରିବାର ଅଧିବେଶନରେ ବ୍ୟାପକ ଭାବେ ଆଲୋଚନା କରିଥିଲେ । ମୁଁ ବହୁତ ଖୁସି ଯେ, ଆଜି ଜି – ୨୦ ରେ , ଗୋଟିଏ ପୃଥିବୀ, ଗୋଟିଏ ପରିବାର, ଗୋଟିଏ ଭବିଷ୍ୟତର ଦୃଷ୍ଟିକୋଣକୁ ନେଇ ଆଶାବାଦୀ ପ୍ରୟାସ ଗୁଡିକର ମଂଚ ତିଆରି ହୋଇଛି । 

ଏଠାରେ ଆମେ ଏମିତି ଏକ ଭବିଷ୍ୟତ ବିଷୟରେ ଆଲୋଚନା କରୁଛେ, ଯେଉଁଠାରେ ଆମେ ବିଶ୍ୱ ସ୍ତରୀୟ ଗ୍ରାମରୁ ଆଗକୁ ବଢ଼ି ବୈଶ୍ୱିକ ପରିବାରର ସତ୍ୟତା ତିଆରି ହେଉଥିବା ଦେଖୁଛେ । ଏମିତି ଏକ ଭବିଷ୍ୟତ, ଯେଉଁଥିରେ ଦେଶର ହିତ ସହିତ ହୃଦୟ ମଧ୍ୟ ଯୋଡି ହୋଇଥିବ । 

ବନ୍ଧୁଗଣ ,

 ମୁଁ ସର୍ବଦା ଜିଡିପି (ସମୁଦାୟ ଘରୋଇ ଉତ୍ପାଦ) କେନ୍ଦ୍ରିକ ଆଭିମୁଖ୍ୟ ଅପେକ୍ଷା ମାନବ କେନ୍ଦ୍ରିକ ଦୃଷ୍ଟିକୋଣ ଉପରେ ନିରନ୍ତର ଭାବେ ଆପଣ ମାନଙ୍କର ଦୃଷ୍ଟି ଆକର୍ଷିତ କରିଛି । ଆଜି ଭାରତ ଭଳି ଅନେକ ଦେଶ ଗୁଡିକ ନିକଟରେ ଏମିତି ଅନେକ କିଛି ଅଛି, ଯାହାକୁ ଆମେ ସମଗ୍ର ବିଶ୍ୱ ସହିତ ବାଣ୍ଟୁଛୁ । ଭାରତ ଚନ୍ଦ୍ରାୟନ ଅଭିଯାନର ତଥ୍ୟକୁ ମାନବ ହିତ ପାଇଁ ସମସ୍ତଙ୍କ ସହିତ ବାଣ୍ଟିବା ନିମନ୍ତେ ଉଲ୍ଲେଖ କରିଛି । ଏହା ମଧ୍ୟ ମାନବ କେନ୍ଦ୍ରିକ ଅଭିବୃଦ୍ଧିକୁ ନେଇ ଆମର ପ୍ରତିବଦ୍ଧତାର ପ୍ରମାଣ ଅଟେ । 

ଶେଷ ମାଇଲ ପର୍ଯ୍ୟନ୍ତ ପଂହଂଚିବା ପାଇଁ ଭାରତ ସମାବେଶୀ ବିକାଶ ନିମନ୍ତେ ଟେକ୍ନୋଲୋଜି ବ୍ୟବହାର କରିଛି । ଆମର ଅତି ଛୋଟ ଗାଁରେ, ଛୋଟରୁ ଛୋଟ ବ୍ୟବସାୟୀ ମଧ୍ୟ ଡିଜିଟାଲ୍ ଦେୟ ଦେବାକୁ ସକ୍ଷମ ହୋଇ ପାରିଛନ୍ତି । ମୁଁ ଖୁସି ଯେ ଭାରତର ଅଧ୍ୟକ୍ଷତାରେ ଡିଜିଟାଲ ସାର୍ବଜନୀନ ଭିତ୍ତିଭୂମି ପାଇଁ ଏକ ମଜଭୁତ ମଂଚରେ ସହମତି ପ୍ରକାଶ ପାଇଛି । ସେହିଭଳି, “ବିକାଶ ପାଇଁ ଡାଟା ଉପଯୋଗ ଉପରେ ଜି୨୦ ନୀତି” ମଧ୍ୟ ଗ୍ରହଣ କରାଯାଇଛି ।

ଦକ୍ଷିଣ ବିଶ୍ୱର ବିକାଶ ପାଇଁ “ବିକାଶ ନିମନ୍ତେ ତଥ୍ୟ ଦକ୍ଷତା ବିକାଶ ଉଦ୍ୟମ” ଆରମ୍ଭ କରିବାକୁ ମଧ୍ୟ ନିଷ୍ପତ୍ତି ନିଆ ଯାଇଛି । ଭାରତର ଅଧ୍ୟକ୍ଷତାରେ ଷ୍ଟାର୍ଟଅପ୍ ୨୦ ଯୋଗଦାନ ଗୋଷ୍ଠୀ ଗଠନ ମଧ୍ୟ ଏକ ବଡ ପଦକ୍ଷେପ ।

ବନ୍ଧୁଗଣ,

ଆଜି ଆମେ ନୂତନ ପିଢ଼ିର ଟେକ୍ନୋଲୋଜିରେ ଅକଳ୍ପନୀୟ ମାପ ଏବଂ ଗତିର ସାକ୍ଷୀ ଅଟୁ । ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (କୃତ୍ରିମ ବୌଦ୍ଧିକତା) ର ଏକ ଉଦାହରଣ ଆମ ସାମ୍ନାରେ ରହିଛି । ୨୦୧୯ ରେ, ଜି୨୦ "ଏଆଇ ଉପରେ ନୀତି’ ଗ୍ରହଣ କରିଥିଲା । ଆଜି, ଆମେ ଏହାକୁ ଏକ ପାଦ ଆଗକୁ ନେବା ଆବଶ୍ୟକ ।

ମୋର ଏହା ପରାମର୍ଶ ଯେ, ଆମେ ବର୍ତ୍ତମାନ ଦାୟିତ୍ୱବାନ ମାନବ - କେନ୍ଦ୍ରିକ ଏଆଇ ପ୍ରଶାସନ ପାଇଁ ଏକ ଢାଂଚା ସୃଷ୍ଟି କରିବା । ଏ ବାବଦରେ ଭାରତ ମଧ୍ୟ ନିଜର ପରାମର୍ଶ ଦେବ । ସାମାଜିକ - ଅର୍ଥନୈତିକ ବିକାଶ, ବୈଶ୍ୱିକ କାର୍ଯ୍ୟବଳ ଏବଂ ଗବେଷଣା ଏବଂ ଉନ୍ନୟନ ପରି କ୍ଷେତ୍ରରେ ସମସ୍ତ ଦେଶ ଏଆଇରୁ ଯେପରି ଉପକୃତ ହେବେ ତାହା ଆମର ପ୍ରୟାସ ହେବ ।

ବନ୍ଧୁଗଣ,

ଆଜି ଏମିତି କିଛି ସମସ୍ୟା ରହିଛି, ଯାହାକୁ ଆମ ଦୁନିଆ ସାମ୍ନା କରୁଛି, ଯାହା ଉଭୟ ଦେଶ ଗୁଡିକର ବର୍ତ୍ତମାନ ଏବଂ ଭବିଷ୍ୟତକୁ ପ୍ରଭାବିତ କରୁଛି । ସାଇବର ସୁରକ୍ଷା ଏବଂ କ୍ରିପ୍ଟୋ - ମୁଦ୍ରାକୁ ନେଇ ସୃଷ୍ଟି ହୋଇଥିବା ଆହ୍ୱାନ ସହିତ ଆମେ ପରିଚିତ । କ୍ରିପ୍ଟୋ - ମୁଦ୍ରା, ସାମାଜିକ କ୍ରମିକତା, ମୌଦ୍ରିକ ଏବଂ ଆର୍ôଥକ ସ୍ଥିରତା କ୍ଷେତ୍ର ସମସ୍ତଙ୍କ ପାଇଁ ଏକ ନୂତନ ପ୍ରସଙ୍ଗ ଭାବରେ ଉଭା ହୋଇଛି । ତେଣୁ କ୍ରିପ୍ଟୋ - ମୁଦ୍ରାକୁ ନିୟନ୍ତ୍ରଣ କରିବା ପାଇଁ ଆମକୁ ବିଶ୍ୱ ମାନକ ବିକାଶ କରିବାକୁ ପଡିବ । ଏକ ମଡେଲ୍ ଭାବରେ ବ୍ୟାଙ୍କ ନିୟନ୍ତ୍ରଣ ପାଇଁ ବେସେଲ୍ ମାନକ ଆମ ସାମନାରେ ରହିଛି ।

ଯଥା ଶୀଘ୍ର ଏହି ଦିଗରେ ଠୋସ୍ ପଦକ୍ଷେପ ଗ୍ରହଣ କରିବାର ଆବଶ୍ୟକତା ରହିଛି । ସେହିଭଳି ଭାବେ ସାଇବର ସୁରକ୍ଷା ପାଇଁ ବିଶ୍ୱ ସ୍ତରୀୟ ସହଯୋଗ ଏବଂ ଢାଂଚାର ଆବଶ୍ୟକତା ରହିଛି । ସାଇବର ଜଗତରୁ ଆତଙ୍କବାଦକୁ ନୂତନ ମାଧ୍ୟମ, ଅର୍ଥ ସଂଗ୍ରହର ନୂତନ ପଦ୍ଧତି ମିଳିବାରେ ଲାଗିଛି । ପ୍ରତ୍ୟେକ ଦେଶର ସୁରକ୍ଷା ଏବଂ ସମୃଦ୍ଧତା ପାଇଁ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ । 

ଯେତେବେଳେ ଆମେ ପ୍ରତ୍ୟେକ ଦେଶର ସୁରକ୍ଷା, ପ୍ରତ୍ୟେକ ଦେଶର ସମ୍ବେଦନଶୀଳତା ପ୍ରତି ଧ୍ୟାନ ଦେବୁ, ସେତେବେଳେ ଗୋଟିଏ ଭବିଷ୍ୟତର ଭାବନା ସଶକ୍ତ ହେବ ।

ବନ୍ଧୁଗଣ,

ବିଶ୍ୱକୁ ଏକ ଉତ୍ତମ ଭବିଷ୍ୟତ ଆଡ଼କୁ ଅଗ୍ରସର କରାଇବା ପାଇଁ, ବିଶ୍ୱସ୍ତରୀୟ ପ୍ରଣାଳୀ ଗୁଡିକ ବର୍ତ୍ତମାନର ବାସ୍ତବତା ଅନୁସାରେ ନିହାତି ରୂପେ ହେବା ଆବଶ୍ୟକ । ଆଜି “ମିଳିତ ଜାତିସଂଘ ସୁରକ୍ଷା ପରିଷଦ” ମଧ୍ୟ ଏହାର ଏକ ଉଦାହରଣ । ଯେତେବେଳେ ଜାତିସଂଘ ପ୍ରତିଷ୍ଠା ହେଲା, ସେତେବେଳର ବିଶ୍ୱ ଆଜିର ବିଶ୍ୱ ଠାରୁ ବହୁତ ଅଲଗା ଥିଲା । ସେତେବେଳେ ଜାତିସଂଘରେ ୫୧ ପ୍ରତିଷ୍ଠାତା ସଦସ୍ୟ ଥିଲେ । ଆଜି ଜାତିସଂଘରେ ଜଡିତ ଦେଶ ସଂଖ୍ୟା ପ୍ରାୟ ୨୦୦ କୁ ବୃଦ୍ଧି ପାଇଛି ।

ଏହା ସତ୍ତ୍ୱେ ୟୁଏନଏସ୍‌ସିର ସ୍ଥାୟୀ ସଦସ୍ୟ ମାନଙ୍କ ସଂଖ୍ୟା ପୂର୍ବ ଭଳି ରହିଛି । ସେବେ ଠାରୁ ଦୁନିଆ ସବୁ କ୍ଷେତ୍ରରେ ବହୁତ ବଦଳି ଯାଇଛି । ପରିବହନ ହେଉ, ଯୋଗାଯୋଗ ହେଉ, ସ୍ୱାସ୍ଥ୍ୟ କ୍ଷେତ୍ର, ଶିକ୍ଷା କ୍ଷେତ୍ର ହେଉ, ପ୍ରତ୍ୟେକ କ୍ଷେତ୍ରକୁ ନବୀକରଣ କରାଯାଇଛି । ଏହି ନୂତନ ବାସ୍ତବତା ଆମର ନୂତନ ବିଶ୍ୱବ୍ୟାପୀ ସଂରଚନାରେ ପ୍ରତିଫଳିତ ହେବା ଉଚିତ ।

ଏହା ପ୍ରକୃତିର ଏକ ନିୟମ ଯେ , ବ୍ୟକ୍ତି ଏବଂ ଅନୁଷ୍ଠାନ ଯେ କେହି ହୁଅନ୍ତୁ, ଯେଉଁମାନେ ସମୟ ସହିତ ନିଜକୁ ପରିବର୍ତ୍ତନ କରନ୍ତି ନାହିଁ ସେମାନଙ୍କର ପ୍ରାସଙ୍ଗିକତା ହରାନ୍ତି । ଆମକୁ ଏକ ଖୋଲା ମନ ସହିତ ଚିନ୍ତା କରିବାକୁ ପଡିବ ଯେ, ବିଗତ ବର୍ଷ ଗୁଡିକରେ ଏତେ ସଂଖ୍ୟକ ଆଞ୍ଚଳିକ ମଂଚ କାହିଁକି ସୃଷ୍ଟି ହେଲା ଏବଂ ଏହା ପ୍ରଭାବଶାଳୀ ବୋଲି ମଧ୍ୟ ପ୍ରମାଣିତ ହୋଇଛି ।

ବନ୍ଧୁଗଣ,

ଆଜି ଏହାର ପ୍ରାସଙ୍ଗିକତା ବୃଦ୍ଧି ପାଇଁ ପ୍ରତ୍ୟେକ ବିଶ୍ୱସ୍ତରୀୟ ସଂସ୍ଥାରେ ସଂସ୍କାର ଆଣିବା ଆବଶ୍ୟକ । ଏହି ଚିନ୍ତାଧାରାକୁ ଦୃଷ୍ଟିରେ ରଖି ଗତ କାଲି ଆମେ ଆଫ୍ରିକୀୟ ସଂଘ ରାଷ୍ଟ୍ରକୁ ଜି -୨୦ ର ସ୍ଥାୟୀ ସଦସ୍ୟ କରିବା ପାଇଁ ଐତିହାସିକ ପଦକ୍ଷେପ ନେଇଥିଲୁ । ସେହିଭଳି ଆମକୁ ବହୁପକ୍ଷୀୟ ଉନ୍ନୟନ ବ୍ୟାଙ୍କ (ମଲ୍‌ଟିଲାଟେରାଲ୍ ଡେଭଲପମେଂଟ ବ୍ୟାଙ୍କ) ର ଆଦେଶକୁ ବିସ୍ତାର କରିବାକୁ ପଡିବ । ଏହି ଦିଗରେ, ଆମର ନିଷ୍ପତ୍ତି ତୁରନ୍ତ ଏବଂ ପ୍ରଭାବଶାଳୀ ହେବା ଉଚିତ୍ ।

ବନ୍ଧୁଗଣ,

ଏକ ଦ୍ରୁତ ପରିବର୍ତ୍ତନଶୀଳ ବିଶ୍ୱରେ, ଆମକୁ ପରିବର୍ତ୍ତନ, ନିରନ୍ତରତା ଏବଂ ସ୍ଥିରତା ଆବଶ୍ୟକ । ଚାଲନ୍ତୁ! ସବୁଜ ବିକାଶ ଚୁକ୍ତି, ଏସ୍‌ଡିଜି ଉପରେ କାର୍ଯ୍ୟ ଯୋଜନା, ଦୁର୍ନୀତି ନିବାରଣ ଉପରେ ଉଚ୍ଚ ସ୍ତରୀୟ ନୀତି, ଡିଜିଟାଲ୍ ସାର୍ବଜନୀନ ଭିତ୍ତିଭୂମି ଏବଂ ଏମ୍‌ଡିବି ସଂସ୍କାର ବିଷୟରେ ଆମର ସଂକଳ୍ପ କାର୍ଯ୍ୟକାରୀ କରିବାକୁ ଆମେ ପ୍ରତିଶ୍ରୁତି ଦେବା ।

ମହାନୁଭବ,

ମହାମହିମ,

ବର୍ତ୍ତମାନ ମୁଁ ଆପଣ ମାନଙ୍କର ଚିନ୍ତାଧାରା ଶୁଣିବାକୁ ଚାହେଁ ।

***

SSP

 



(Release ID: 1956061) Visitor Counter : 141