ଅର୍ଥ ମନ୍ତ୍ରଣାଳୟ

ପ୍ରଧାନମନ୍ତ୍ରୀ ଜନ ଧନ ଯୋଜନା (ପିଏମ୍‌ଜେଡିୱାଇ) ଓ ଜାତୀୟ ଆର୍ଥିକ ସମାବେଶୀକରଣ ମିଶନ ସଫଳ କାର୍ଯ୍ୟକାରିତାର ନବମ ବର୍ଷ ପୂର୍ତ୍ତି


ପିଏମଜେଡିୱାଇ ଯୋଜନା ମାଧ୍ୟମରେ କାର୍ଯ୍ୟକାରୀ ହୋଇଥିବା କାର୍ଯ୍ୟକ୍ରମ ଓ ଡିଜିଟାଲ ପରିବର୍ତ୍ତନ ଯୋଜନା ଭାରତର ଆର୍ଥିକ ସମାବେଶୀକରଣକୁ ଏକ ବୈପ୍ଲବିକ ରୂପ ଦେଇଛି:କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ

ପିଏମ୍‌ଜେଡିୱାଇ ଆକାଉଣ୍ଟ ଡିବିଟି ଭଳି ଜନକେନ୍ଦ୍ରିକ ପ୍ରୟାସର ଆଧାର ପାଲଟିଛି ; ଏହା ଦ୍ୱାରା ବଞ୍ଚିତ ବର୍ଗଙ୍କ ସମେତ ସମାଜର ସବୁ ବର୍ଗର ଲୋକେ ଉପକୃତ ହେଉଛନ୍ତି; କେନ୍ଦ୍ର ଅର୍ଥ ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଭାଗବତ କିଷନ ରାଓ କରଡ

୫୦କୋଟିରୁ ଅଧିକ ହିତାଧିକାରୀ ଏଯାଏ ପିଏମ୍‌ଜେଡିୱାଇ ମାଧ୍ୟମରେ ବ୍ୟାଙ୍କ ସହିତ ଯୋଡି ହୋଇଛନ୍ତି

ପିଏମ୍‌ଜେଡିୱାଇ ଆକାଉଣ୍ଟସଂଖ୍ୟା ୩.୪ଗୁଣ ବଢିଛି; ୨୦୧୫ ମାର୍ଚ୍ଚରେ ଏହା ୧୪.୭୨ କୋଟି ଥିବାବେଳେ ୨୦୨୩ ଅଗଷ୍ଟ ୧୬ସୁଦ୍ଧା ୫୦.୦୯ କୋଟିରେ ପହଞ୍ଚିଛି

ପ୍ରାୟ ୫୬% ଜନ ଧନ ଆକାଉଣ୍ଟଧାରୀମହିଳା ଏବଂ ଏହି ଆକାଉଣ୍ଟଧାରୀଙ୍କ ମଧ୍ୟରୁ ୬୭% ଗ୍ରାମାଞ୍ଚଳ ଓ ଅର୍ଦ୍ଧ ସହରାଞ୍ଚଳରେ ବସବାସ କରନ୍ତି

ପିଏମ୍‌ଜେଡିୱାଇ ଆକାଉଣ୍ଟଧାରୀଙ୍କୁ ୩୩. ୯୮କୋଟି ରୂପେ କାର୍ଡ ପ୍ରଦାନ କରାଯାଇଛି

Posted On: 28 AUG 2023 7:45AM by PIB Bhubaneshwar

ପ୍ରଧାନମନ୍ତ୍ର ଜନ ଧନ ଯୋଜନା (ପିଏମ୍‌ଜେଡିୱାଇ) ଓ ଜାତୀୟ ଆର୍ଥିକ ସମାବେଶୀକରଣ ମିଶନର ସଫଳ କାର୍ଯ୍ୟକାରିତାର ନବମ ବର୍ଷ ଆଜି ପୂରଣ ହୋଇଛି ।

ପିଏମ୍‌ଜେଡିୱାଇ ଯୋଜନା ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ୨୦୧୪ ଅଗଷ୍ଟ ୧୫ତାରିଖରେ ସ୍ୱାଧୀନତା ଦିବସ ଅବସରରେ ଘୋଷଣା କରାଯାଇଥିଲା । ସେ ବର୍ଷ ଅଗଷ୍ଟ ୨୮ରେ ଏହି ଯୋଜନାକୁ ସରକାର କାର୍ଯ୍ୟକାରୀ କରିଥିଲେ । ଏହି ଯୋଜନାର ଶୁଭାରମ୍ଭ କରି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ କହିଥିଲେ ଯେ ଏହା ଗରିବଙ୍କୁ ଏକ ବିଷଚକ୍ରରୁ ମୁକ୍ତି ଦେବାର ଏକ ଉତ୍ସବ ପାଳନର ମୂହୁର୍ତ୍ତ । 

ଏହା ଥିଲା ବିଶ୍ୱର ଅନ୍ୟତମ ସର୍ବବୃହତ୍ ଆର୍ଥିକ ସମାବେଶୀକରଣ ପ୍ରୟାସ । ସମସ୍ତଙ୍କୁ, ବିଶେଷକରି ଗରିବ ଓ ବଂଚିତ ବର୍ଗଙ୍କୁ ଆନୁଷ୍ଠାନିକ ଅର୍ଥ/ବ୍ୟାଙ୍କ ବ୍ୟବସ୍ଥାରେ ଅନ୍ତର୍ଭୁକ୍ତ କରି ସରକାରୀ ଯୋଜନାର ଲାଭ ତା’ ମାଧ୍ୟମରେ ଯୋଗାଇ ଦେବାକୁ ସରକାରଙ୍କର ଏହା ଏକ ଉପକ୍ରମ । ଅର୍ଥ ମନ୍ତ୍ରଣାଳୟ ଏହି କାର୍ଯ୍ୟକ୍ରମର ସଫଳତା ପାଇଁ ନିରନ୍ତର ସାହାଯ୍ୟ ସହଯୋଗ ଯୋଗାଇ ଦେଇ ଆସୁଛି । ଆର୍ଥିକ ସମାବେଶିତା ସମ ଓ ସମାବେଶୀ ଅଭିବୃଦ୍ଧିକୁ ପ୍ରୋତ୍ସାହିତ କରେ । ଏହା ଦ୍ୱାରା ମଧ୍ୟ ଦରିଦ୍ର ଓ ଦୁର୍ବଳବର୍ଗଙ୍କୁ ଆର୍ଥିକ ସେବା ସ୍ୱଳ୍ପ ଖର୍ଚ୍ଚରେ ଯୋଗାଇବା ଦେବା ସମ୍ଭବ ହୁଏ ।

 ଆର୍ଥିକ ସମାବେଶୀତା ମଧ୍ୟ ଗରିବଙ୍କୁ ବ୍ୟାଙ୍କରେ ନିଜର ସଂଚିତ ଅର୍ଥ ସହଜରେ ଜମା କରିବାର ସୁଯୋଗ ଦିଏ। ଏହି ବ୍ୟବସ୍ଥାରେ ସେମାନଙ୍କ ବ୍ୟାଙ୍କ ଖାତାକୁ ସରକାର ବିଭିନ୍ନ ଡିବିଟି ମାଧ୍ୟମରେ ସରକାରୀ ଲାଭ ସିଧାସଳଖ ପଠାଇ ପାରୁଛନ୍ତି । ଏହା ଦ୍ୱାରା ସମ୍ପୃକ୍ତ ହିତାଧିକାରୀମାନେ ଗାଁର ସୁଧଖୋର ମହାଜନ, ଲାଭଖୋର ମଧ୍ୟସ୍ଥଙ୍କ କବଳରୁ ମୁକ୍ତି ପାଇଛନ୍ତି । ସେମାନଙ୍କ ସରକାରୀ ବାଟମାରଣା ମଧ୍ୟ ବନ୍ଦ ହୋଇଛି । 

ପିଏମ୍‌ଜେଡିୱାଇର ନବମ ବର୍ଷ ପୂର୍ତ୍ତି ଅବସରରେ କେନ୍ଦ୍ର ଅର୍ଥମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣ ଏକ ବାର୍ତ୍ତାରେ କହିଛନ୍ତି ଯେ “ ଏହି ବ୍ୟବସ୍ଥାର ପ୍ରବର୍ତ୍ତନ ଫଳରେ ଭାରତରେ ଆର୍ଥିକ ସମାବେଶୀକରଣ ପ୍ରକ୍ରିୟା ଏକ ବୈପ୍ଲବିକ ରୂପ ନେଇଛି । ଏହି ବ୍ୟବସ୍ଥାରେ ୫୦କୋଟିରୁ ଅଧିକ ଲୋକ ସାମିଲ ହେବା ଏକ ଆନନ୍ଦର ବିଷୟ। ସେମାନେ ଆନୁଷ୍ଠାନିକ ବ୍ୟାଙ୍କ ବ୍ୟବସ୍ଥାରେ ଅନ୍ତର୍ଭୁକ୍ତ ହୋଇଛନ୍ତି । ବ୍ୟାଙ୍କରେ ଜନ ଧନ ଆକାଉଣ୍ଟ ଖୋଲିଥିବା ଲୋକଙ୍କ ମଧ୍ୟରୁ ୫୫. ୫% ମହିଳା । ଏହା ଛଡା ଦେଶର ଗ୍ରାମାଞ୍ଚଳ ଓ ଅର୍ଦ୍ଧ ସହରାଞ୍ଚଳରେ ଏହି ଆକାଉଣ୍ଟ ୬୭ଭାଗ ଖୋଲାଯାଇଛି । ଏସବୁ ଆକାଉଣ୍ଟରେ ଥିବା ମୋଟ ଜମା ଟଙ୍କାର ପରିମାଣ ୨ଲକ୍ଷ କୋଟିରୁ ଅଧିକ । ଆହୁରି ମଧ୍ୟ ୩୪କୋଟି ରୂପେ କାର୍ଡ ଏସବୁ ଆକାଉଣ୍ଟଧାରୀଙ୍କୁ ବିନା ମୂଲ୍ୟରେ ବ୍ୟାଙ୍କ ପକ୍ଷରୁ ଯୋଗାଇ ଦିଆଯାଇଛି । ଏଥିରେ କାର୍ଡ ପିଛା ୨ଲକ୍ଷ ଟଙ୍କାର ଦୁର୍ଘଟଣା ବୀମା ସୁବିଧା ରହିଛି ।

ଶ୍ରୀମତୀ ସୀତାରମଣ ଆହୁରି କହିଛନ୍ତି ଯେ ସମ୍ପୃକ୍ତ ସମସ୍ତ ପକ୍ଷ, ବ୍ୟାଙ୍କ ବୀମା, କମ୍ପାନୀ, ସରକାରୀ ଅଧିକାରୀ ଆଦିଙ୍କ ସହଯୋଗରେ ପିଏମ୍‌ଜେଡିୱାଇ ଏକ ସଫଳ କାର୍ଯ୍ୟକ୍ରମର ପରିଣତ ହୋଇଛି । ଏହା ଦ୍ୱାରା ଦେଶର ସବୁଲୋକଙ୍କୁ ଆନୁଷ୍ଠାନିକ ଅର୍ଥ ବ୍ୟବସ୍ଥା ଅଧୀନକୁ ଆଣିବା ପାଇଁ ଆମ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଯେଉଁ ସ୍ୱପ୍ନ ଦେଖିଥିଲେ ତାହା ପୂରଣ ହୋଇଛି । 

କେନ୍ଦ୍ର ଅର୍ଥ ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଭାଗବତ କିଷନ ରାଓ କରଡ ମଧ୍ୟ ଏହି ଅବସରରେ ଏକ ବାର୍ତ୍ତାଦେଇ କହିଛନ୍ତି ଯେ ପିିଏମ୍‌ଜେଡିୱାଇ ଯୋଜନା ଫଳରେ ଦରିଦ୍ର ଓ ବଂଚିତ ବର୍ଗ ଅର୍ଥନୀତିକ ଅସ୍ପୃଶ୍ୟତାରୁ ମୁକ୍ତ ହୋଇଛନ୍ତି । ସେମାନେ ଏବେ ଆନୁଷ୍ଠାନିକ ଅର୍ଥ ବ୍ୟବସ୍ଥାର ଅନ୍ତର୍ଭୁକ୍ତ । ସେମାନେ ବ୍ୟାଙ୍କ କାରବାର ସହିତ ଦୁର୍ଘଟଣା ବୀମା ସୁବିଧା ପାଉଛନ୍ତି । ସେମାନଙ୍କ ଆର୍ଥିକ ସଚେତନତା ବଢିଛି ଏବଂ ନିଜର କଷ୍ଟାର୍ଜିତ ଧନକୁ ବ୍ୟାଙ୍କରେ ସୁରକ୍ଷିତ ଭାବେ ଜମା ରଖିପାରୁଛନ୍ତି । ଦେଶର ଅର୍ଥନୀତି ଉପରେ ମଧ୍ୟ ଏହି ଯୋଜନାର ବିବିଧ ସୁପ୍ରଭାବ ପଡୁଛି । ‘ଜାମ୍‌’ ବ୍ୟବସ୍ଥାରେ ସରକାର ହିତାଧିକାରୀଙ୍କୁ ସରକାରୀ ଲାଭ ବାବଦ ଅର୍ଥ ସିଧାସଳଖ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ପଠାଇ ସେମାନଙ୍କୁ ବାଟମାରଣା ଓ ଶୋଷଣରୁ ସୁରକ୍ଷିତ କରିଛନ୍ତି । ଏହା ଫଳରେ ଦରିଦ୍ର ଓ ବଂଚିତଙ୍କ ସମେତ ସମାଜର ସବୁ ବର୍ଗର ସମାବେଶୀ ଅଭିବୃଦ୍ଧି ପ୍ରକିୟା ତ୍ୱରାନ୍ୱିତ ହୋଇଛି । ଏ କ୍ଷେତ୍ରରେ ଡିବିଟି ବ୍ୟବସ୍ଥା ଏକ ସ୍ୱାର୍ଥକ ଜନକୈନ୍ଦ୍ରିକ ବ୍ୟବସ୍ଥା ହୋଇପାରିଛି । 

ଆମେ ଏହି ଯୋଜନାର ୯ବର୍ଷ ପୂରଣ କରିବା ଅବସରରେ ଏହାର ଉପଲବ୍ଧି ସମ୍ପର୍କରେ ଆସନ୍ତୁ ଜାଣିବା ।

 ସେଗୁଡିକ ହେଲା :- 

-ପିଏମଜେଡିୱାଇ ଯୋଜନାରେ ଏବେ ଜମାଥିବା ମୋଟ ଅର୍ଥ ପରିମାଣ ୨, ୦୩, ୫୦୫ କୋଟି ଟଙ୍କା । ଏହାର ମୋଟ ହିତାଧିକାରୀଙ୍କ ସଂଖ୍ୟା ୫୦କୋଟିରୁ ଅଧିକ । ଏହି ଆକାଉଣ୍ଟ ୩.୪ ଗୁଣ ବଢିଛି । 

୨୦୧୫ ମାର୍ଚ୍ଚରେ ଏହା ୧୪.୭୨ କୋଟି ଥିବାବେଳେ ୨୦୨୩ ଅଗଷ୍ଟ ୧୬ ସୁଦ୍ଧା ୫୦.୦୯ କୋଟିରେ ପହଞ୍ଚିଛି । 

ପିଏମ୍‌ଜେଡିୱାଇ ଆକାଉଣ୍ଟଧାରୀଙ୍କୁ ୩୩.୯୮କୋଟି ରୂପେ କାର୍ଡ ପ୍ରଦାନ କରାଯାଇଛି । ଜନ ଧନ ଦର୍ଶକ ଆପ୍ ପ୍ରବର୍ତ୍ତନ କରାଯାଇ କାର୍ଡଧାରୀଙ୍କୁ ବ୍ୟାଙ୍କର ସ୍ଥିତି ଜଣାଇ ଦିଆଯାଉଛି । ୨୦୨୩ ଜୁଲାଇ ସୁଦ୍ଧା ଏହି ଯୋଜନାରେ ଦେଶର ୬. ୦୧ ଲକ୍ଷ ଗାଁକୁ ଏହି ଆପ୍‌ରେ ମାନଚିତ୍ରକରଣ କରାଯାଇଛି । ସେଥିରୁ ୯୯.୭% ବା ୫, ୯୯, ୪୬୮ ଗାଁକୁ ବ୍ୟାଙ୍କ ସୁବିଧା ଯୋଗାଇ ଦିଆଯାଇଛି । ଏହି ବ୍ୟବସ୍ଥାର ପ୍ରବର୍ତନ ଫଳରେ ଡିଜିଟାଲ କାରବାରକୁ ପ୍ରୋତ୍ସାହନ ମିଳିଛି । ରୂପେ କାର୍ଡ ବ୍ୟବହାର କରି ହିତାଧିକାରୀ ସହଜରେ ଦେଣନେଣ କରିପାରୁଛନ୍ତି ।

 ଆଗକୁ ସରକାର ଏହି କାର୍ଡଧାରୀଙ୍କୁ ମାଇକ୍ରୋ ଇନ୍‌ସୁରାନ୍ସ ସ୍କିମ୍‌ରେ ଅନ୍ତର୍ଭୁକ୍ତ କରିବାକୁ ବିଚାର କରୁଛନ୍ତି ।

 

*****

TKM/SLP



(Release ID: 1953084) Visitor Counter : 175