ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଭାରତ ବିଶ୍ୱରେ ପଞ୍ଚମ ବୃହତ୍ତମ ଅର୍ଥ ବ୍ୟବସ୍ଥା ସ୍ଥାନ ପାଇବାର ଶ୍ରେୟ ପ୍ରଧାନମନ୍ତ୍ରୀ ୧୪୦କୋଟି ଭାରତୀୟଙ୍କୁ ଦେଇଛନ୍ତି


ସରକାର ୨୦ଲକ୍ଷ କୋଟି ଟଙ୍କାରେ ୮କୋଟି ଯୁବକ ଯୁବତୀଙ୍କୁ ଆତ୍ମ ନିଯୁକ୍ତି ଦେଇଛନ୍ତି: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ

ସରକାର ଏମ୍‌ଏସ୍‌ଏମ୍‌ଇକୁ ୩.୫ଲକ୍ଷ କୋଟି ଟଙ୍କାର ଋଣ ସହାୟତା ଦେଇ କୋଭିଡ-୧୯ ବୈଶ୍ୱିକ ମହାମାରୀ କାଳରେ ଉଦ୍ଧାର କରିଥିଲେ: ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନାରେ ଆଠକୋଟି ନାଗରିକ ଜଣେ ବା ଦୁଇ ଜଣଙ୍କୁ ନିଯୁକ୍ତି ସୁଯୋଗ ଦେଇଛନ୍ତି : ଶ୍ରୀ ମୋଦୀ

ପ୍ରଧାନମନ୍ତ୍ରୀ ମୁଦ୍ରାସ୍ପୀତି ବିରୁଦ୍ଧରେ ସଂଗ୍ରାମ ଜାରୀ ରଖିବାକୁ ବଦ୍ଧପରିକର

Posted On: 15 AUG 2023 2:52PM by PIB Bhubaneshwar

ଭାରତ ବିଶ୍ୱର ଦଶମରୁ ପଞ୍ଚମ ବୃହତ୍ତମ ଅର୍ଥ ବ୍ୟବସ୍ଥାର ରାଷ୍ଟ୍ର ହେବାର ଶ୍ରେୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୧୪୦କୋଟି ଭାରତବାସୀଙ୍କୁ ଦେଇଛନ୍ତି । ୭୭ତମ ସ୍ୱାଧୀନତା ଦିବସ ଅବସରରେ ଆଜି (୧୫.୮.୨୦୨୩) ଲାଲକିଲ୍ଳାର ପ୍ରାଚୀର ଉପରୁ ଦେଶବାସୀଙ୍କୁ ସମ୍ବୋଧନ କରିବା ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଏହା ପ୍ରକାଶ କରିଛନ୍ତି । ଏହି ସରକାର ବାଟମାରଣା ରୋକିବା, ଏକ ମଜବୁତ ଅର୍ଥ ବ୍ୟବସ୍ଥା ସୃଷ୍ଟି କରିବା ତଥା ଗରିବ କଲ୍ୟାଣରେ ସର୍ବାଧିକ ଅର୍ଥ ବ୍ୟୟ କରିବାରୁ ଏପରି ହୋଇଛି ବୋଲି ସେ କହିଛନ୍ତି ।

 ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ କହିଥିଲେ ଯେ, “ ଆଜି ମୁଁ ଜନସାଧାରଣଙ୍କୁ କହିବାକୁ ଚାହୁଁଛି ଯେ ଯେତେବେଳେ ଦେଶ ଆର୍ଥିକ ଦୃଷ୍ଟିରୁ ସମୃଦ୍ଧିଶାଳୀ ହୁଏ, ସେତେବେଳେ ଏହା କେବଳ ରାଜକୋଷ ପୂରଣ କରେ ନାହିଁ, ଏହା ଦେଶ ଓ ଦେଶବାସୀଙ୍କ ସାମର୍ଥ୍ୟ ବୃଦ୍ଧି ମଧ୍ୟ କରିଥାଏ । ଦଶବର୍ଷ ପୂର୍ବରୁ ଭାରତ ସରକାର ରାଜ୍ୟଗୁଡିକ ନିମନ୍ତେ ୩୦ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରୁଥିଲେ । ଗତ ନଅବର୍ଷ ମଧ୍ୟରେ ଏହି ପରିମାଣ ୧୦୦ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି । ଏହି ସବୁ ସଂଖ୍ୟା ଗଣିତରୁ ଏଭଳି ଅବସ୍ଥାନ୍ତର ସାମର୍ଥ୍ୟ ବୃଦ୍ଧି ଯୋଗୁଁ ହୋଇଥିବା ଆପଣମାନେ ଅନୁମାନ କରିପାରୁଥିବେ । 

ଆତ୍ମ ନିଯୁକ୍ତିକୁ ନେଇ ଶ୍ରୀ ମୋଦୀ କହିଥିଲେ ଯେ “୨୦ଲକ୍ଷ କୋଟି ଟଙ୍କାରୁ ଅଧିକ ଦେଶର ଯୁବାଗୋଷ୍ଠୀଙ୍କୁ ଆତ୍ମନିଯୁକ୍ତି ପାଇଁ ସେମାନଙ୍କ ବ୍ୟବସାୟ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଥିଲା । ଏଥିରେ ଆଠକୋଟି ଜନସାଧାରଣ କେବଳ ବ୍ୟବସାୟ କଲେ ନାହିଁ, ବରଂ ସେମାନେ ପ୍ରତ୍ୟେକ ଜଣେ ବା ଦୁଇଜଣଙ୍କୁ ନିଯୁକ୍ତି ଦେଲେ । ସେ ଦୃଷ୍ଟିରୁ ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନାରେ ସୁବିଧା ପାଇଥିବା ଆଠ କୋଟି ନାଗରିକ ୮ରୁ୧୦କୋଟି ନୂଆ ଲୋକଙ୍କୁ ନିଯୁକ୍ତି ମଧ୍ୟ ଯୋଗାଇଲେ ।”

 କୋଭିଡ-୧୯ ବୈଶ୍ୱିକ ମହାମାରୀ ବେଳର ପ୍ରସଙ୍ଗ ଉତ୍‌ଥାପନ କରି ଶ୍ରୀ ମୋଦୀ କହିଥିଲେ ଯେ “କରୋନା ଭୂତାଣୁ ସମସ୍ୟା କାଳରେ ମଧ୍ୟ ଏମ୍‌ଏସ୍‌ଏମ୍‌ଏଇକୁ ଦେବାଳିଆ ଅବସ୍ଥାରୁ ରକ୍ଷା କରିବା ପାଇଁ ୩.୫ ଲକ୍ଷ କୋଟି ଟଙ୍କାର ଋଣ ପ୍ରଦାନ କରାଯାଇଥିଲା । ସେମାନଙ୍କୁ ମରିବା ପରିବର୍ତ୍ତେ ଶକ୍ତି ପ୍ରଦାନ କରାଯାଇଥିଲା ।”

ନୂତନ ଓ ଆକାଂକ୍ଷିତ ମଧ୍ୟବିତ୍ତ ଶ୍ରେଣୀକୁ ନେଇ ଶ୍ରୀ ମୋଦୀ କହିଥିଲେ ଯେ “ଯେତେବେଳେ ଦେଶର ଦାରିଦ୍ର‌୍ୟ ହ୍ରାସ ପାଏ, ସେତେବେଳେ ମଧ୍ୟବିତ୍ତ ଶ୍ରେଣୀର ଶକ୍ତି ମଧ୍ୟ ଅନେକ ବୃଦ୍ଧି ପାଇଥାଏ । ମୁଁ ଆପଣମାନଙ୍କୁ ଗ୍ୟାରେଣ୍ଟିର ସହ ପ୍ରତିଶ୍ରୁତି ଦେଉଛି ଯେ ଆଗାମୀ ପାଞ୍ଚବର୍ଷ ମଧ୍ୟରେ ଭାରତ ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥ ବ୍ୟବସ୍ଥା ହେବ । ଆଜି ଦେଶର ସାଢେ ୧୩କୋଟି ଲୋକ ଦାରିଦ୍ର‌୍ୟ ସୀମାରେଖାରୁ ଊର୍ଦ୍ଧ୍ୱକୁ ଆସି ମଧ୍ୟବିତ୍ତ ଶ୍ରେଣୀର ଶକ୍ତି ବୃଦ୍ଧି କରିଛନ୍ତି । ଯେତେବେଳେ ଗରିବର କ୍ର୍ରୟ କ୍ଷମତା ବୃଦ୍ଧି ପାଏ । ମଧ୍ୟବତ୍ତ ଶ୍ରେଣୀର ବ୍ୟାବସାୟିକ କ୍ଷମତା ମଧ୍ୟ ବୃଦ୍ଧି ପାଇଥାଏ । ଯେତେବେଳେ ଗ୍ରାମଗୁଡିକର କ୍ରୟ ଶକ୍ତି ବୃଦ୍ଧି ପାଏ, ସେତେବେଳେ ସହର ଓ ନଗରୀଗୁଡିକର ଆର୍ଥିକ ପଦ୍ଧତିରେ ମଧ୍ୟ ଦୃତ ଅଭିବୃଦ୍ଧି ଘଟିଥାଏ । ଏହା ଆମ ଆର୍ଥିକ ଚକ୍ର ସହ ଅଙ୍ଗାଙ୍ଗୀଭାବେ ଜଡିତ । ଏହି ଶକ୍ତି ନେଇ ଆମେ ଆଗକୁ ବଢିବୁ । 

ଏହା ବ୍ୟତୀତ ପ୍ରଧାନମନ୍ତ୍ରୀ ଆହୁରି କହିଥିଲେ ଯେ “ଯେତେବେଳେ ଆୟକରରେ ରିହାତି ସୀମା ୨ଲକ୍ଷରୁ ବଢି ୭ଲକ୍ଷ ହେଲା ଏହାର ସବୁଠାରୁ ଅଧିକ ସୁବିଧା ଚାକିରିଆ ବା ମଧ୍ୟବିତ୍ତ ଶ୍ରେଣୀଙ୍କୁ ହିଁ ମିଳିଥିଲା ।”

 ନିକଟରେ ବିଶ୍ୱ ସମ୍ମିଳିତ ଭାବେ ସମ୍ମୁଖୀନ ହେଉଥିବା ସମସ୍ୟା ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଥିାଲେ ଯେ “ବିଶ୍ୱ ଏବେ ମଧ୍ୟ କୋଭିଡ-୧୯ ବୈଶ୍ୱିକ ମହାମାରୀ କବଳରୁ ମୁକୁଳି ପାରିନାହିଁ ଓ ଯୁଦ୍ଧ ସମସ୍ୟାକୁ ଆହୁରି ଘନୀଭୂତ କରିଛି । ଆଜି ବିଶ୍ୱ ମୁଦ୍ରାସ୍ପିତିର ଜଟିଳ ସମସ୍ୟାର ସମ୍ମୁଖୀନ ହେଉଛି ।”

ମୁଦ୍ରାସ୍ପୀତି ସମସ୍ୟାର ମୁକାବିଲା ନେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ “ ଭାରତ ମୁଦ୍ରାସ୍ପୀତିକୁ ନିୟନ୍ତ୍ରଣ କରିବା ନେଇ ସବୁଠାରୁ ଭଲ ଉଦ୍ୟମ କରିଛି । ଆମେ ନିଜକୁ ବିଶ୍ୱଠାରୁ ଅଲଗା ଭାବିବା ମଧ୍ୟ ଅନୁଚିତ । ମୋତେ ମୋ ଦେଶବାସୀଙ୍କ ମୁଦ୍ରାସ୍ପୀତି ବୋଝ ହ୍ରାସ କରିବା ପାଇଁ ଆହୁରି ଅଧିକ ପଦକ୍ଷେପ ନେବାକୁ ପଡିବ । ମୁଦ୍ରାସ୍ପୀତିକୁ ମନେଇବା ପାଇଁ ମୋର ଉଦ୍ୟମ ଅବ୍ୟାହତ ରହିବ ।”

 

*****

SM/SLP



(Release ID: 1949173) Visitor Counter : 115