କ୍ୟାବିନେଟ

ବିପର୍ଯ୍ୟୟ ପ୍ରତିରୋଧୀ ଭିତ୍ତିଭୂମି ମେଣ୍ଟ ସିଡିଆର୍‌ଆଇ ଓ ଭାରତ ମଧ୍ୟରେ ହୋଇଥିବା ସଦର କାର୍ଯ୍ୟାଳୟ ଚୁକ୍ତିକୁ କେନ୍ଦ୍ର କ୍ୟାବିନେଟର ଅନୁମୋଦନ

Posted On: 28 JUN 2023 3:51PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆଜି ଏଠାରେ କେନ୍ଦ୍ର କ୍ୟାବିନେଟର ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ବିପର୍ଯ୍ୟୟ ପ୍ରତିରୋଧୀ ଭିତ୍ତିଭୂମି ମେଣ୍ଟ (ସିଡିଆର୍‌ଆଇ) ଓ ଭାରତ ମଧ୍ୟରେ ଯେଉଁ ସଦର କାର୍ଯ୍ୟାଳୟ ରାଜିନାମା ସ୍ୱାକ୍ଷରିତ ହୋଇଥିଲା ତାହାକୁ ଏହି ବୈଠକରେ କ୍ୟାବିନେଟରେ ଅନୁମୋଦନ ମିଳିଛି । ଏହି ଚୁକ୍ତି ୨୨ ଅଗଷ୍ଟ ୨୦୨୨ରେ ସ୍ୱାକ୍ଷରିତ ହୋଇଥିଲା । ଏଥିରେ ସିଡିଆର୍‌ଆଇର ସଦର କାର୍ଯ୍ୟାଳୟ ନୂଆଦିଲ୍ଲୀରେ ପ୍ରତିଷ୍ଠା କରିବାର ସର୍ତ୍ତ ଥିଲା । 

ନ୍ୟୁୟର୍କରେ ୨୦୧୯ସେପ୍ଟେମ୍ବର ୨୩ରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦ୍ୱାରା ମିଳିତ ଜାତିସଂଘର ଜଳବାୟୁ ପରିବର୍ତ୍ତନର ମୁକାବିଲା ସଂକ୍ରାନ୍ତ ଶିଖର ବୈଠକରେ ସିଡିଆରଆଇ ପ୍ରୟାସ ଆରମ୍ଭ ହୋଇଥିଲା । ଭାରତ ସରକାରଙ୍କ ଦ୍ୱାରା ଆରମ୍ଭ ହୋଇଥିବା ଏହା ଏକ ବୃହତ ବିଶ୍ୱସ୍ତରୀୟ କାର୍ଯ୍ୟକ୍ରମ । ଏହା ମାଧ୍ୟମରେ ଜଳବାୟୁ ପରିବର୍ତ୍ତନ ଓ ବିପର୍ଯ୍ୟୟ ମୁକାବିଲା କ୍ଷେତ୍ରରେ ଭାରତ ଆନ୍ତର୍ଜାତିକ ସ୍ତରରେ ବାସ୍ତବ ନେତୃତ୍ୱ ଗ୍ରହଣ କରୁଛି । 

୨୦୧୯ ଅଗଷ୍ଟ ୨୮ରେ ସିଡିଆର୍‌ଆଇ ସ୍ଥାପନ ପ୍ରସ୍ତାବକୁ କ୍ୟାବିନେଟରେ ଅନୁମୋଦନ କରାଯାଇଥିଲା । ଏହା ସହିତ ସହାୟତାକାରୀ ସଚିବାଳୟ ନୂଆଦିଲ୍ଲୀରେ ପ୍ରତିଷ୍ଠା କରିବା ସଂକ୍ରାନ୍ତ ପ୍ରସ୍ତାବ ମଧ୍ୟ କ୍ୟାବିନେଟର ଅନୁମୋଦନ ଲାଭ କରିଥିଲା । ଆହୁରି ମଧ୍ୟ ସିଡିଆରଆଇକୁ ପାଞ୍ଚବର୍ଷ (୨୦୧୯-୨୦ରୁ ୨୦୨୩-୨୪)ପାଇଁ ଭାରତ ସରକାର ଯେଉଁ ୪୮୦କୋଟି ଟଙ୍କାର ଆର୍ଥିକ ସହାୟତା ଦେବାର ଥିଲା ସେ ସଂକ୍ରାନ୍ତ ପ୍ରସ୍ତାବକୁ ମଧ୍ୟ କ୍ୟାବିନେଟ ସ୍ୱୀକୃତି ପ୍ରଦାନ କରିଥିଲା । 

ପରବର୍ତ୍ତୀ ସମୟରେ ୨୦୨୨ ଜୁନ ୨୯ରେ ସିଡିଆରଆଇକୁ ଏକ ଆନ୍ତର୍ଜାତିକ ସଂଗଠନଭାବେ କ୍ୟାବିନେଟ ଅନୁମୋଦନ ଦେଇଥିଲା । ସେଥିରେ ଏହାର ସଦର କାର୍ଯ୍ୟାଳୟ ସ୍ଥାପନ, ଏକ ଆନ୍ତର୍ଜାତିକ ପ୍ରତିଷ୍ଠାନ ହିସାବରେ ଆଇନଗତ ସୁରକ୍ଷା ପ୍ରଦାନ ଓ ଅନ୍ୟାନ୍ୟ ସୁବିଧା ସୁଯୋଗ ଯୋଗାଣକୁ ମାନ୍ୟତା ଦିଆଯାଇଥିଲା । 

୨୦୨୨ ଅଗଷ୍ଟ ୨୨ର କ୍ୟାବିନେଟ ନିଷ୍ପତ୍ତି ବଳରେ ସିଡିଆର୍‌ଆଇ ଓ ଭାରତ ସରକାରଙ୍କ ମଧ୍ୟରେ ସଦର କାର୍ଯ୍ୟାଳୟ ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା । ଏହା ଏକ ଆନ୍ତର୍ଜାତିକ ସଂଗଠନ ମାନ୍ୟତା ପାଇଥିବାରୁ ଏଥିରେ ବିପର୍ଯ୍ୟୟ ଓ ଜଳବାୟୁ ପରିବତ୍ତନର ମୁକାବିଲା ପାଇଁ ବିଭିନ୍ନ ପକ୍ଷ ବୈଶ୍ୱିକ ସଂସ୍ଥା, ଦେଶ, ବିତ୍ତୀୟ ଅନୁଷ୍ଠାନ ଓ ବ୍ୟାଙ୍କ ଆଦି ଅନ୍ତର୍ଭୁକ୍ତ । ଆରମ୍ଭରେ ଏହାଇ ସଦସ୍ୟ ସଂଖ୍ୟା ଥିଲା ୩୯ । ସେଥି ମଧ୍ୟରେ ଥିଲା ୩୬ଟି ଦେଶ, ୬ଟି ଆନ୍ତର୍ଜାତିକ ପ୍ରତିଷ୍ଠାନ ଓ ଦୁଇଟି ଘରୋଇ କ୍ଷେତ୍ରର ସଂଗଠନ । 

ଏବେ ଏହାର ସଦସ୍ୟ ସଂଖ୍ୟା ଯଥେଷ୍ଟ ବଢିଛି । ବିଭିନ୍ନ ଦେଶ ଏହାର ସଭ୍ୟପଦ ଗ୍ରହଣ କରି ଜଳବାୟୁ ପରିବର୍ତ୍ତନ ଓ ସାମୂହିକ ବିପତ୍ତିର ମୁକାବିଲା ପାଇଁ ମିଳିତଭାବେ କାମ କରୁଛନ୍ତି । ଭାରତରେ ଏବେ ଏହାର ସଚିବାଳୟ ବା ସଦର କାର୍ଯ୍ୟାଳୟ କାମ କରୁଛି । ଏହା ଏକ ଆନ୍ତର୍ଜାତିକ ସଂଗଠନର ମାନ୍ୟତା ପାଇଥିବାରୁ ଭାରତ ସମେତ ସବୁ ସଭ୍ୟ ଦେଶ ଏହାକୁ ଆବଶ୍ୟକ ଆଇନଗତ ସୁରକ୍ଷା ଓ ମାନ୍ୟତା ପ୍ରଦାନ କରୁଛନ୍ତି । ଏହା ଫଳରେ ସିଡିଆର୍‌ଆଇ ସ୍ୱାଧୀନଭାବେ ଅଧିକ ଦକ୍ଷତାର ସହ କାମ କରିବାର ସୁଯୋଗ ପାଇଛି ।

 

*****

TKM/SLP



(Release ID: 1936123) Visitor Counter : 91