ଶକ୍ତି ମନ୍ତ୍ରଣାଳୟ

ବିଦ୍ୟୁତ (ଉପଭୋକ୍ତାଙ୍କ ଅଧିକାର) ନିୟମାବଳୀ, ୨୦୨୦ରେ ସଂଶୋଧନ କଲେ କେନ୍ଦ୍ର ସରକାର


ଟାଇମ୍‌ ଅଫ୍‌ ଡେ (ଟିଓଡି ଟାରିଫ୍‌) ଓ ସ୍ମାର୍ଟ ମିଟରିଂ ନିୟମାବଳୀର ସରଳୀକରଣ ହେଲା ପ୍ରଚଳନ

ସୌର ଘଣ୍ଟା ସମୟରେ ବିଦ୍ୟୁତ ଟାରିଫ୍‌ ୨୦% କମ ରହିବ, ଅଧିକ ଚାହିଦା ସମୟରେ ୧୦-୨୦% ଅଧିକ ରହିବ; ଟିଓଡି ବ୍ୟବସ୍ଥାର ପ୍ରଭାବୀ ଉପଯୋଗରୁ ଗ୍ରାହକଙ୍କୁ ମିଳିବ ଲାଭ

ଟିଓଡି ବ୍ୟବସ୍ଥାର ସୁଫଳ ସ୍ୱରୂପ ବିଦ୍ୟୁତ ବିଲ୍‌ ହ୍ରାସ ଲାଗି ଗ୍ରାହକଙ୍କୁ ସୁବିଧା ମିଳିବ, ଉତ୍ସକୁ ଅଧିକ ପ୍ରଭାବୀ ଢଙ୍ଗରେ ବ୍ୟବହାର କରିବା ଲାଗି ବିଦ୍ୟୁତ ବ୍ୟବସ୍ଥାକୁ ସହାୟକ ହେବ : କେନ୍ଦ୍ର ଶକ୍ତି ଓ ନୂତନ ଓ ଅକ୍ଷୟ ଶକ୍ତି ମନ୍ତ୍ରୀ ଆର.କେ ସିଂ

ଭାରତ ପାଇଁ ଅକ୍ଷୟ ଶକ୍ତି ଉତ୍ସର ଉନ୍ନତ ଗ୍ରିଡ୍‌ ଏକୀକରଣ ଏବଂ ଦ୍ରୁତ ଇନ୍ଧନ ରୂପାନ୍ତରଣ ସୁନିଶ୍ଚିତ କରିବ ଏହି ବ୍ୟବସ୍ଥା : କେନ୍ଦ୍ର ମନ୍ତ୍ରୀ ଆର. କେ. ସିଂ

Posted On: 23 JUN 2023 10:29AM by PIB Bhubaneshwar

ବର୍ତ୍ତମାନର ବିଦ୍ୟୁତ ଟାରିଫ୍‌ ବା ଶୁଳ୍କ ଦର ବ୍ୟବସ୍ଥାରେ ଦୁଇଟି ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଆଣିଛନ୍ତି କେନ୍ଦ୍ର ସରକାର । ବିଦ୍ୟୁତ (ଉପଭୋକ୍ତା ଅଧିକାର) ନିୟମାବଳୀ, ୨୦୨୦ରେ ସଂଶୋଧନ ଅଣାଯାଇ ନୂଆ ବ୍ୟବସ୍ଥାକୁ ପ୍ରଚଳନ କରାଯାଇଛି । ଏହି ପରିବର୍ତ୍ତନଗୁଡ଼ିକ ହେଲା : ଟାଇମ୍‌ ଅଫ୍‌ ଡେ (ଟିଓଡି) ଶୁଳ୍କ ବ୍ୟବସ୍ଥାର ପ୍ରଚଳନ ଏବଂ ମିଟରିଂ ବ୍ୟବସ୍ଥାକୁ ତର୍କସଙ୍ଗତ କରିବା।

ଟାଇମ୍‌ ଅଫ୍‌ ଡେ (ଟିଓଡି) ଶୁଳ୍କ ବ୍ୟବସ୍ଥାର ପ୍ରଚଳନ

ଗୋଟିଏ ଦିନର ସବୁ ସମୟ ପାଇଁ ସମାନ ଦରରେ ବିଦ୍ୟୁତ ଶୁଳ୍କ ପଇଠ କରିବା ପରିବର୍ତ୍ତେ, ଦିନର ଭିନ୍ନ ଭିନ୍ନ ସମୟ ପାଇଁ ଭିନ୍ନ ଦରରେ ବିଦ୍ୟୁତ ଶୁଳ୍କ ପଇଠ କରିବା ଲାଗି ଆପଣଙ୍କୁ ସୁବିଧା ମିଳିପାରିବ । ଟିଓଡି ଟାରିଫ ବ୍ୟବସ୍ଥା ଅଧୀନରେ, ସୌର ଘଣ୍ଟା ବା ସୋଲାର୍‌ ଆୱାର୍ସ (ରାଜ୍ୟ ବିଦ୍ୟୁତ  ନିୟାମକ ଆୟୋଗଙ୍କ ଦ୍ୱାରା ନିର୍ଦ୍ଧାରିତ ଗୋଟିଏ ଦିନର ଆଠ ଘଣ୍ଟା ସମୟ)ରେ ବିଦ୍ୟୁତ ଶୁଳ୍କ ଦର ସ୍ୱାଭାବିକ ଶୁଳ୍କ ଦର ଠାରୁ ୧୦%-୨୦% କମ୍‌ ରହିବ। ଅନ୍ୟପଟେ ଅଧିକ ଚାହିଦା ଥିବା ସମୟ ବା ପିକ୍‌ ଆୱାର୍ସରେ ବିଦ୍ୟୁତ ଶୁଳ୍କ ଦର ୧୦ରୁ ୨୦ ପ୍ରତିଶତ ଅଧିକ ରହିବ । ୧ ଏପ୍ରିଲ, ୨୦୨୪ ଠାରୁ ସର୍ବାଧିକ ୧୦ କିଲୋୱାଟ୍‌ କିମ୍ବା ଅଧିକ ଚାହିଦା ଥିବା ବାଣିଜ୍ୟିକ ଓ ଶିଳ୍ପ ଉପଭୋକ୍ତା ଏବଂ ୧ ଏପ୍ରିଲ ୨୦୨୫ ଠାରୁ କୃଷି ଉପଭୋକ୍ତାଙ୍କୁ ଛାଡ଼ି ଅନ୍ୟ ଉପଭୋକ୍ତାଙ୍କ ପାଇଁ ଟିଓଡି ଶୁଳ୍କ ବ୍ୟବସ୍ଥା ଲାଗୁ ହେବ । ସ୍ମାର୍ଟ ମିଟର୍‌ ଥିବା ଉପଭୋକ୍ତାଙ୍କ ପାଇଁ ସ୍ମାର୍ଟ ମିଟର୍‌ ସଂଯୋଗ ହେବାର ତୁରନ୍ତ ପରେ ଟାଇମ୍‌ ଅଫ୍‌ ଡେ ଶୁଳ୍କ ବ୍ୟବସ୍ଥା ଲାଗୁ ହେବ ।

କେନ୍ଦ୍ର ଶକ୍ତି ଓ ନୂତନ ଓ ନବୀକରଣ ଶକ୍ତି ମନ୍ତ୍ରୀ ଶ୍ରୀ ଆର.କେ ସିଂ କହିଛନ୍ତି ଯେ, ଟିଓଡି ବ୍ୟବସ୍ଥା ଉଭୟ ଉପଭୋକ୍ତା ଏବଂ ବିଦ୍ୟୁତ ବ୍ୟବସ୍ଥା ପାଇଁ ଲାଭଜନକ ହେବ । ସେ କହିଛନ୍ତି, ଅଧିକ ଚାହିଦା ଥିବା ସମୟ, ସୌର ଘଣ୍ଟା ଏବଂ ସ୍ୱାଭାବିକ ସମୟ ପାଇଁ ଅଲଗା ଅଲଗା ଶୁଳ୍କ ଦର ନିର୍ଦ୍ଧାରଣ କରିବା ଲାଗି ଟିଓଡି ଟାରିଫ୍‌ରେ ବ୍ୟବସ୍ଥା ରହିଛି, ଏହା ଉପଭୋକ୍ତାମାନଙ୍କୁ ଶୁଳ୍କଦର ଅନୁଯାୟୀ ବିଦ୍ୟୁତ ବ୍ୟବହାର କରିବା ଲାଗି ଦରଜନିତ ସତର୍କ ବାର୍ତ୍ତା ଦେବ । ସଚେତନତା ଏବଂ ଟିଓଡି ଶୁଳ୍କ ବ୍ୟବସ୍ଥାର ପ୍ରଭାବୀ ଉପଯୋଗ ଦ୍ୱାରା ଉପଭୋକ୍ତାମାନେ ସେମାନଙ୍କର ବିଦ୍ୟୁତ ବିଲ୍‌ ହ୍ରାସ କରିପାରିବେ । ସୌର ଶକ୍ତି ଶସ୍ତା ହୋଇଥିବାରୁ ସୌର ଘଣ୍ଟା ସମୟରେ ଶୁଳ୍କ ଦର କମ ରହିବ, ଯାହାର ଲାଭ ଉପଭୋକ୍ତାମାନଙ୍କୁ ମିଳିପାରିବ । ଅଣ ସୌର ଘଣ୍ଟା ସମୟରେ ତାପଜ ଓ ଜଳ ବିଦ୍ୟୁତ ଶକ୍ତି ସହିତ ବାଷ୍ପ ଆଧାରିତ କ୍ଷମତା ଉପଯୋଗ କରାଯାଇଥାଏ - ଏହାର ଦାମ୍‌ ସୌର ଶକ୍ତି ଠାରୁ ଅଧିକ - ଯାହାକି ଟାଇମ୍‌ ଅଫ୍‌ ଡେ ଟାରିଫ୍‌ରେ ପ୍ରତିଫଳିତ ହେବ । ଏବେ ଉପଭୋକ୍ତାମାନେ ନିଜର ବିଦ୍ୟୁତ ଶୁଳ୍କ ଖର୍ଚ୍ଚ କମାଇବା ପାଇଁ ନିଜର ବିଦ୍ୟୁତ ଉପଯୋଗ ପାଇଁ ଯୋଜନା ପ୍ରସ୍ତୁତ କରିପାରିବେ । ବିଦ୍ୟୁତ ଶୁଳ୍କ ଦର କମ ରହିଥିବା ସୌର ଘଣ୍ଟା ସମୟରେ ସେମାନେ ଅଧିକ କାର୍ଯ୍ୟ କରିପାରିବେ ବୋଲି କେନ୍ଦ୍ର ମନ୍ତ୍ରୀ ଶ୍ରୀ ଆର.କେ ସିଂ କହିଛନ୍ତି।

କେନ୍ଦ୍ର ମନ୍ତ୍ରୀ ଆହୁରି କହିଛନ୍ତି ଯେ, ଟିଓଡି ବ୍ୟବସ୍ଥା ଭାରତ ପାଇଁ ଅକ୍ଷୟ ଶକ୍ତି ଉତ୍ସର ଉନ୍ନତ ଗ୍ରିଡ୍‌ ଏକୀକରଣ ଏବଂ ଦ୍ରୁତ ଇନ୍ଧନ ରୂପାନ୍ତରଣ ସୁନିଶ୍ଚିତ କରିବ। ଟିଓଡି ଶୁଳ୍କ ବ୍ୟବସ୍ଥା ଅକ୍ଷୟ ଶକ୍ତି ଉତ୍ପାଦନରେ ଅସ୍ଥିରତା ପରିଚାଳନାରେ ସୁଧାର ଆଣିବ, ଅଧିକ ଅକ୍ଷୟ ଶକ୍ତି ଉତ୍ପାଦନ ସମୟରେ ଚାହିଦା ବୃଦ୍ଧିକୁ ପ୍ରୋତ୍ସାହନ ଦେବ ଏବଂ ଅଧିକ ପରିମାଣର ଅକ୍ଷୟ ଶକ୍ତିର ଗ୍ରୀଡ୍‌ ଏକୀକରଣକୁ ବଢ଼ାଇବ ବୋଲି ସେ କହିଛନ୍ତି ।

ଦେଶରେ ବୃହତ ବାଣିଜ୍ୟିକ ଓ ଶିଳ୍ପ ଉପଭୋକ୍ତା ବର୍ଗଙ୍କ ପାଇଁ ଅଧିକାଂଶ ରାଜ୍ୟ ବିଦ୍ୟୁତ ନିୟାମକ ଆୟୋଗ (ଏସଇଆରସି) ଟିଓଡି ଶୁଳ୍କଦରକାକୁ କାର୍ଯ୍ୟକାରୀ କରିସାରିଛନ୍ତି । ଶୁଳ୍କ ଦର ନୀତି ବ୍ୟବସ୍ଥା ଅନୁଯାୟୀ, ସ୍ମାର୍ଟ ମିଟର ସଂଯୋଗ ସହିତ ଘରୋଇ ଉପଭୋକ୍ତା ସ୍ତରରେ ଟିଓଡି ମିଟରିଂ ବ୍ୟବସ୍ଥା ଲାଗୁ ହେବ ।

ଟାଇମ୍‌ ଅଫ୍‌ ଡେ (ଟିଓଡି) ଶୁଳ୍କ ବ୍ୟବସ୍ଥା ଏକ ଗୁରୁତ୍ୱପୂର୍ଣ୍ଣ ଚାହିଦା ପକ୍ଷ ପରିଚାଳନା (ଡିଏସଏମ) ପଦକ୍ଷେପ ଭାବେ ବିଶ୍ୱସ୍ତରରେ ସବୁ ବିଦ୍ୟୁତ ଉଦ୍ୟୋଗରେ ମାନ୍ୟତା ଲାଭ କରିଛି । ଏହା ଉପଭୋକ୍ତାମାନଙ୍କୁ ଅଧିକ ଚାହିଦା ସମୟର ବିଦ୍ୟୁତ ଚାପକୁ କମ ଚାହିଦା ସମୟରେ ସ୍ଥାନାନ୍ତର କରିବା ଲାଗି ସୁବିଧା ଦେଉଛି, ଯାହାଫଳରେ ଅଧିକ ଚାହିଦା ସମୟରେ ବ୍ୟବସ୍ଥା ଉପରେ ପଡ଼ୁଥିବା ଚାହିଦାଜନିତ ଚାପକୁ ହ୍ରାସ କରାଯାଇ ପାରୁଛି । ଏହାସହିତ ବ୍ୟବସ୍ଥାଜନିତ ଚାପକୁ ପରିଚାଳନା କରିବାରେ ସୁଧାର ଆସିପାରିଛି । ଟିଓଡି ଟାରିଫ୍‌ ବ୍ୟବସ୍ଥାକୁ କାର୍ଯ୍ୟକାରୀ କରିବା ଲାଗି ବ୍ୟବସ୍ଥା କରିବା ଏବଂ ପ୍ରୋତ୍ସାହନ ଦେବା ପାଇଁ ପୂର୍ବରୁ ବିଭିନ୍ନ ବୈଧାନିକ ବ୍ୟବସ୍ଥା ରହିଛି (ଯଥା ଶୁଳ୍କ ନୀତି, ୨୦୧୬, ବିଦ୍ୟୁତ ଆଇନ, ୨୦୦୩ ଏବଂ ଜାତୀୟ ବିଦ୍ୟୁତ ନୀତି, ୨୦୦୫)

ସ୍ମାର୍ଟ ମିଟରିଂ ବ୍ୟବସ୍ଥାରେ ସଂଶୋଧନ ପାଇଁ କରାଯାଇଥିବା ନିୟମାବଳୀ

ସରକାର ସ୍ମାର୍ଟ ମିଟର ସଂଯୋଗ ପାଇଁ ରହିଥିବା ନିୟମାବଳୀକୁ ମଧ୍ୟ ସରଳ କରିଛନ୍ତି । ଅସୁବିଧା/ଉପଭୋକ୍ତାଙ୍କ ଶୋଷଣ ଏଡ଼ାଇବା ପାଇଁ ସର୍ବାଧିକ ଅନୁମୋଦିତ ଚାପ/ଚାହିଦା ଠାରୁ ଉପଭୋକ୍ତାଙ୍କ ଚାହିଦା ବୃଦ୍ଧି ପାଇଲେ ବର୍ତ୍ତମାନର ଜୋରିମାନା ପରିମାଣକୁ ହ୍ରାସ କରାଯାଇଛି। ମିଟର ସଂଯୋଗ ବ୍ୟବସ୍ଥାରେ ସଂଶୋଧନ ଅନୁଯାୟୀ, ଗୋଟିଏ ସ୍ମାର୍ଟ ମିଟର ସଂଯୋଗ ପରେ ଉପଭୋକ୍ତାଙ୍କ ଉପରେ ସଂଯୋଗ ତାରିଖ ପୂର୍ବର ଅବଧି ପାଇଁ ସ୍ମାର୍ଟ ମିଟର ଦ୍ୱାରା ରେକର୍ଡ କରାଯାଇଥିବା ସର୍ବାଧିକ ଚାହିଦାକୁ ଆଧାର କରି କୌଣସି ଜୋରିନାମା ଲାଗୁ ହେବ ନାହିଁ । ଚାପ ବା ଲୋଡ୍‌ ସଂଶୋଧନ ପ୍ରକ୍ରିୟାକୁ ମଧ୍ୟ ଯୁକ୍ତିସଂଗତ କରାଯାଇଛି । ଗୋଟିଏ ଆର୍ଥିକ ବର୍ଷରେ ଯଦି ଅନୁମୋଦିତ ଚାପ ବା ଲୋଡ୍‌ ପରିମାଣ ତିନି ଗୁଣା ବୃଦ୍ଧି ପାଏ ତା’ହେଲେ ସର୍ବାଧିକ ଚାହିଦାକୁ ଉପର ଆଡ଼କୁ ସଂଶୋଧନ କରାଯିବ । ଅଧିକନ୍ତୁ, ଗୋଟିଏ ଦିନରେ ଦୂରରୁ ଥାଇ ସ୍ମାର୍ଟ ମିଟର ରିଡିଂ ନିଆଯିବ ଏବଂ ବିଦ୍ୟୁତ ଶକ୍ତି ଉପଯୋଗ ସମ୍ପର୍କରେ ନିଷ୍ପତ୍ତି ନେବା ପାଇଁ ସେମାନଙ୍କୁ ତଥ୍ୟ ପ୍ରଦାନ କରାଯିବ ।

ବିଦ୍ୟୁତ ବ୍ୟବସ୍ଥା ଉପଭୋକ୍ତାଙ୍କୁ ସେବା ଯୋଗାଇ ଦେବା ପାଇଁ ଉଦ୍ଦିଷ୍ଟ ଏବଂ ଉପଭୋକ୍ତାଙ୍କର ବିଶ୍ୱସନୀୟ ସେବା ଓ ଗୁଣବତ୍ତାପୂର୍ଣ୍ଣ ବିଦ୍ୟୁତ ପାଇବାର ଅଧିକାର ରହିଛି, ଏହି ଅବଧାରଣା ସହିତ ୩୧ ଡିସେମ୍ବର, ୨୦୨୦ରେ ସରକାର ବିଦ୍ୟୁତ (ଉପଭୋକ୍ତା ଅଧିକାର) ନିୟମ ୨୦୨୦ ଲାଗୁ କରିଥିଲେ।  ନୂଆ ବିଦ୍ୟୁତ ସଂଯୋଗ, ରିଫଣ୍ଡ ଓ ଅନ୍ୟ ସେବାଗୁଡ଼ିକୁ ଠିକ୍‌ ସମୟରେ ପ୍ରଦାନ କରିବା ଏବଂ ଉପଭୋକ୍ତାଙ୍କ ଅଧିକାରକୁ ଜାଣିଶୁଣି ଉପେକ୍ଷା କଲେ ସେବା ପ୍ରଦାନକାରୀଙ୍କ ଉପରେ ଜୋରିମାନା ଲାଗୁ କରିବା ତଥା ଉପଭୋକ୍ତାଙ୍କୁ କ୍ଷତିପୂରଣ ପ୍ରଦାନ ସୁନିଶ୍ଚିତ କରିବା ଏହି ନିୟମର ଉଦ୍ଦେଶ୍ୟ।

ବିଦ୍ୟୁତ ଉପଭୋକ୍ତାଙ୍କୁ ସଶକ୍ତ କରିବା, ଶସ୍ତା ଦରରେ ୨୪ ଘଣ୍ଟିଆ ଭରସାଯୋଗ୍ୟ ବିଦ୍ୟୁତ ଯୋଗାଣ ସୁନିଶ୍ଚିତ କରିବା ଏବଂ ବିଦ୍ୟୁତ କ୍ଷେତ୍ରରେ ନିବେଶ ପାଇଁ ଅନୁକୂଳ ବ୍ୟବସ୍ଥା ବଜାୟ ରଖିବା ଲାଗି ସରକାର ଲଗାତର ବିଭିନ୍ନ ପଦକ୍ଷେପ ନେଉଛନ୍ତି । ନିୟମରେ ବର୍ତ୍ତମାନର ସଂଶୋଧନ ଏସବୁ ପଦକ୍ଷେପର ଏକ ଅଂଶବିଶେଷ ।

ଡିସେମ୍ବର ୨୦୨୦ର ନିୟମାବଳୀ ଏବଂ ସେବେଠାରୁ କରାଯାଇଥିବା ସଂଶୋଧନର ବିଜ୍ଞପ୍ତି ନିମ୍ନରେ ଦିଆଗଲା।

 

· ବିଦ୍ୟୁତ (ଉପଭୋକ୍ତା ଅଧିକାର) ନିୟମାବଳୀ ୨୦୨୦

· ବିଦ୍ୟୁତ (ଉପଭୋକ୍ତା ଅଧିକାର) ସଂଶୋଧନ ନିୟମାବଳୀ ୨୦୨୧

· ବିଦ୍ୟୁତ (ଉପଭୋକ୍ତା ଅଧିକାର) ସଂଶୋଧନ ନିୟମାବଳୀ ୨୦୨୨

· ବିଦ୍ୟୁତ (ଉପଭୋକ୍ତା ଅଧିକାର) ସଂଶୋଧନ ନିୟମାବଳୀ ୨୦୨୩

 

**********

P.S.



(Release ID: 1934730) Visitor Counter : 215