ଖାଉଟି ବ୍ୟାପାର, ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରଣାଳୟ

ଗହମର ମୂଲ୍ୟ ସ୍ଥିର ରଖି ଖାଉଟିଙ୍କୁ ଯୋଗାଣ ସୁନିଶ୍ଚିତ କରିବାକୁ ବିଭିନ୍ନ ରାଜ୍ୟର ଅଧିକାରୀଙ୍କ ସହିତ କେନ୍ଦ୍ର ଖାଦ୍ୟ ଓ ସାଧାରଣ ବଣ୍ଟନ ସଚିବଙ୍କ ଆଲୋଚନା


ଅଧିକ ସ୍ୱଚ୍ଛତା ରକ୍ଷା ଏବଂ ତଦାରଖ କରିବା ପାଇଁ ପାଇକାରୀ ବ୍ୟବସାୟୀ, ଖୁଚୁରା ବିକ୍ରେତା ଓ ପ୍ରକ୍ରିୟାକରଣକାରୀ ମହଜୁଦ ରଖିଥିବା ଗହମର ପରିମାଣ ଷ୍ଟକ ଲିମିଟ ନିୟମ ଅନୁସାରେ ପ୍ରକାଶ କରିବେ

ସବୁ ସମ୍ପୃକ୍ତ ପକ୍ଷ ମଜଜୁଦ ଗହମର ପରିମାଣ/ସ୍ଥିତି ସମ୍ପର୍କରେ ସର୍ବଶେଷ ତଥ୍ୟ ସର୍ବସାଧାରଣଙ୍କୁ ଅବଗତ କରାଇବା ପାଇଁ ନିୟମିତ ଭାବେ ପୋର୍ଟାଲରେ ସୂଚନା ଦେବେ

Posted On: 13 JUN 2023 4:29PM by PIB Bhubaneshwar

ଗହମର ମୂଲ୍ୟକୁ ନିୟନ୍ତ୍ରଣରେ ରଖିବା ସହିତ ଖାଉଟିଙ୍କୁ ଏହାର ଯୋଗାଣ ସୁନିଶ୍ଚିତ କରିବା ସମ୍ପର୍କରେ କେନ୍ଦ୍ର ଖାଦ୍ୟ ଓ ସାଧାରଣ ବଣ୍ଟନ ସଚିବ ଶ୍ରୀ ସଞ୍ଜୀବ ଚୋପ୍ରା ଆଜି ଆଭାସୀ ବ୍ୟବସ୍ଥା ମାଧ୍ୟମରେ ବିଭିନ୍ନ ରାଜ୍ୟର ଖାଦ୍ୟ ଯୋଗାଣ ସଚିବମାନଙ୍କ ସହିତ ଆଲୋଚନା କରିଛନ୍ତି । ଏହି ବୈଠକ ଅବସରରେ ୨୦୨୩ ଜୁନ ୧୨ତାରିଖରେ ଜାରି ଗହମ ମହଜୁଦ ସୀମା ନିର୍ଦ୍ଦେଶାବଳୀ ଓ ଏହାର ପରିପାଳନ ସମ୍ପର୍କରେ ସବିଶେଷ ଆଲୋଚନା ହୋଇଥିଲା । ପାଇକାରୀ ବ୍ୟବସାୟୀ(ହୋଲସେଲର) ବ୍ୟବସାୟୀ, ଖୁଚୁରା ବ୍ୟବସାୟୀ ଏବଂ ବିଗ୍ ଚେନ ରିଟେଲରମାନଙ୍କ ପାଇଁ କେନ୍ଦ୍ର ସରକାର ଗହମର ମହଜୁଦ ପରିମାଣ ଧାର୍ଯ୍ୟ କରିବାର ଦିନକ ପରେଏହି ବୈଠକ ଅନୁଷ୍ଠିତ ହୋଇଛି । ଆହୁରି ମଧ୍ୟ ଘରୋଇ ଖୋଲା ବଜାରରେ ବିକ୍ରି ଯୋଜନା (ଓଏମ୍‌ଏସ୍‌ଏସ୍‌-ଡି)ରେ ବଜାରକୁ ଅଧିକ ଗହମ ଓ ଚାଉଳ ଛାଡିବାକୁ ଆଜିର ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଗହମର ମୂଲ୍ୟ ବୃଦ୍ଧିକୁ ରୋକିବା ଓ ଏହାର ବଜାର ଦରକୁ ସ୍ଥିର ରଖିବା ସହିତ ମହଜୁଦି ଏବଂ କଳାବଜାରୀକୁ ବନ୍ଦ କରିବା ଉଦ୍ଦେଶ୍ୟରେ ଏହି ନିଷ୍ପତ୍ତି ନିଆଯାଇଛି । 

ହୋଲସେଲର୍ସ (ପାଇକାରୀ ବେପାରୀ) ସାଧାରଣ ବ୍ୟବସାୟୀ, ଖୁଚୁରା ବେପାରୀ, ବିଗ୍‌ଚେନ ରିଟେଲର ଓ ଗହମରୁ ଅଟା ପ୍ରସ୍ତୁତ କରୁଥିବା ବ୍ୟବସାୟୀ (ପ୍ରସେସର)ମାନେ ନିଜ ପାଖରେ କେତେ ଗହମ ମହଜୁଦ ରଖିଛନ୍ତି ତାହାର ତଥ୍ୟ ପ୍ରକାଶ କରିବାକୁ ସବୁ ରାଜ୍ୟ ସରକାର ନିର୍ଦ୍ଦେଶନାମା କାର୍ଯ୍ୟକାରୀ କରିବାକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ କୁହାଯାଇଛି । ଗହମର କୃତ୍ରିମ ଅଭାବ ଯେପରି ନ ଘଟେ ଏବଂ ମୂଲ୍ୟ ନିୟନ୍ତ୍ରଣରେ ରହେ ସେଥି ପାଇଁ ସବୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ରାଜ୍ୟ ସରକାରମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏହି ବ୍ୟବସ୍ଥାରେ ସବୁ ବ୍ୟବସାୟୀ ନିଜ ପାଖରେ ମହଜୁଦ ରଖିଥିବା ନିଜର ଗହମ ପରିମାଣ ନିୟମିତ ଭାବେ ପ୍ରକାଶ କରିବେ । ଏହା ଫଳରେ ଗହମ ଯୋଗାଣରେ ସ୍ୱଚ୍ଛତା ଆସିବ ଏବଂଏହାର କୃତ୍ରିମ ଅଭାବ ସୃଷ୍ଟି ହେବ ନାହିଁ । ଏ ସଂକ୍ରାନ୍ତ ତଥ୍ୟାବଳୀ କେନ୍ଦ୍ରୀୟ ପୋର୍ଟାଲରେ ଉପସ୍ଥାପିତ କରିବାକୁ ଏକ ୟୁଜର ମାନୁଆଲ ଜାରି କରାଯାଇଛି । ରାଜ୍ୟ ସରକାରମାନେ ତାହାକୁ ସମ୍ପୃକ୍ତ ବ୍ୟବସାୟୀଙ୍କୁ ଯୋଗାଇଦବେ । ଏ ସଂକ୍ରାନ୍ତ ତଥ୍ୟ (https://evegoils.nic.in/wsp/login)ପୋର୍ଟାଲରେ ନିୟମିତଭାବେ ସମ୍ପୃକ୍ତ ବ୍ୟବସାୟୀ ଅପ୍‌ଲୋଡ୍ କରିବେ । 

 ଯଦି କୌଣସି ବ୍ୟବସାୟୀଙ୍କ ପାଖରେ ଧାର୍ଯ୍ୟ ସୀମାଠାରୁ ଅଧିକ ଗହମ ମହଜୁଦ ଥାଏ ତା ହେଲେ ସେମାନେ ବିଜ୍ଞପ୍ତି ପ୍ରକାଶର ୩୦ଦିନ ମଧ୍ୟରେ ସେହି ମହଜୁଦ ପରିମାଣକୁ ନିର୍ଦ୍ଧାରିତ ଷ୍ଟକ ଲିମିଟେଡର ଅନ୍ତର୍ଭୁକ୍ତ କରିବେ । 

ଉପରେ ବର୍ଣ୍ଣିତ ସବୁ ଶ୍ରେଣୀର ବ୍ୟବସାୟୀଙ୍କୁ ସେମାନଙ୍କ ଗହମ ଷ୍ଟକ ଲିମିଟ ବା ମହଜୁଦ ପରିମାଣ ନିୟମିତ ଭାବେ ପ୍ରତି ସପ୍ତାହ ଶୁକ୍ରବାର ପୋର୍ଟାଲରେ ଅପଡେଟ କରିବାକୁ ପଡିବ । ଏହି କାର୍ଯ୍ୟ ଯେପରି ଠିକ୍‌ଭାବେ ସମ୍ପାଦିତ ହୁଏ ତାହାକୁ ଦେଖିବାକୁ ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ଯୋଗାଣ ଓ ଖାଉଟି ସଚିବମାନଙ୍କୁ କୁହାଯାଇଛି । ୨୦୨୩ ଜୁନ ୧୨ର କେନ୍ଦ୍ରୀୟ ନିର୍ଦ୍ଦେଶାବଳୀ ଅନୁସାରେ ରାଜ୍ୟ ସରକାରଙ୍କୁ ଏହି ଷ୍ଟକ୍ ବ୍ୟବସ୍ଥା ତଦାରଖ କରିବାକୁ ପଡିବ ଓ ସବୁ ସମ୍ପୃକ୍ତ ବ୍ୟବସାୟୀ ଏହାକୁ ପାଳନ କରିବାକୁ ବାଧ୍ୟ । ରାଜ୍ୟ ସରକାରଙ୍କ ଯୋଗାଣ ବିଭାଗ ଚାହିଁଲେ ଏହାର ଅଧିକାରୀମାନେ ସମ୍ପୃକ୍ତ ବ୍ୟବସାୟୀଙ୍କ ଗୋଦାମ ଓ ବ୍ୟବସାୟ ପ୍ରତିଷ୍ଠାନରେ ପ୍ରବେଶ କରି ଷ୍ଟକ ଯାଞ୍ଚ କରିପାରିବେ । ସେହିଭଳି ପୋର୍ଟାଲରେ ଦିଆଯାଉଥିବା ଷ୍ଟକ ସ୍ଥିତିକୁ ମଧ୍ୟ ସରକାରୀ କର୍ତ୍ତୃପକ୍ଷ ନିୟମିତ ଭାବେ ଯାଞ୍ଚ କରିବେ । 

ଏହି ବୈଠକ ଅବସରରେ କେନ୍ଦ୍ର ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଆହୁରି କୁହାଯାଇଥିଲା ଯେ ଆବଶ୍ୟକ ପଡିଲେ ଗହମର ମୂଲ୍ୟକୁ ସ୍ଥିର ରଖିବା ପାଇଁ ପ୍ରଥମ ପର୍ଯ୍ୟାୟରେ ଖୁବ୍ ଶୀଘ୍ର ୧୫ଲକ୍ଷ ମେଟ୍ରିକ ଟନ୍ ଗହମ ଓ ଚାଉଳ ଖୋଲା ବଜାରକୁ ଓଏମ୍‌ଏସ୍‌ଏସ(ଡି) ନିୟମରେ ଛଡାଯାଇପାରେ । ସରକାର ଏ ସମ୍ପର୍କରେ ନିଷ୍ପତ୍ତି ନେଇ ସାରିଛନ୍ତି । ଏହା ଫଳରେ ଗହମର କୃତ୍ରିମ ଅଭାବ ଦୂର ହେବ ଓ ମୂଲ୍ୟ ସ୍ଥିର ରହିବ । ଏବେ ଗହମ ଓ ଚାଉଳର ମୂଲ୍ୟ ବୃଦ୍ଧି ଯୋଗୁଁ ଖାଉଟିଙ୍କ ସ୍ୱାର୍ଥକୁ ସୁରକ୍ଷିତ ରଖିବା ପାଇଁ କେନ୍ଦ୍ର ସରକାର ଖୋଲା ବଜାରକୁ ଅଧିକ ପରିମାଣରେ ଏସବୁ ଦ୍ରବ୍ୟ ଛାଡିବା ସହିତ ଏହାର ଷ୍ଟକ ଉପରେ କଟକଣା ଜାରି କରିଛନ୍ତି ।

*****

TKM/SLP



(Release ID: 1932142) Visitor Counter : 106