ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ନେପାଳର ପ୍ରଧାନମନ୍ତ୍ରୀଙ୍କର ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରେସ ବିବୃତ୍ତିର ଇଂରାଜୀ ଅନୁବାଦ

Posted On: 01 JUN 2023 8:30PM by PIB Bhubaneshwar

ମାନନୀୟ ପ୍ରଧାନମନ୍ତ୍ରୀ 'ପ୍ରଚଣ୍ଡ' ଜୀ, ଉଭୟ ଦେଶର ପ୍ରତିନିଧି ମଣ୍ଡଳୀ, ଆମର ସମସ୍ତ ଗଣମାଧ୍ୟମ ବନ୍ଧୁ

ନମସ୍କାର!

ସର୍ବପ୍ରଥମେ ମୁଁ ପ୍ରଧାନମନ୍ତ୍ରୀ ପ୍ରଚଣ୍ଡ ଜୀ ଏବଂ ତାଙ୍କ ପ୍ରତିନିଧି ମଣ୍ଡଳୀଙ୍କୁ ଭାରତରେ ହାର୍ଦ୍ଦିକ ସ୍ୱାଗତ ଜଣାଉଛି । ମୋର ମନେ ଅଛି, ୯ ବର୍ଷ ପୂର୍ବେ, ୨୦୧୪ ରେ, ଦାୟିତ୍ୱ ଗ୍ରହଣ କରିବାର ତିନି ମାସ ମଧ୍ୟରେ ମୁଁ ନେପାଳ ଗସ୍ତରେ ଯାଇଥିଲି । ସେତେବେଳେ ମୁଁ ଭାରତ ଓ ନେପାଳ ମଧ୍ୟରେ ସମ୍ପର୍କ, ଏଚ୍‌ଆଇଟି (ହିଟ୍‌) - ରାଜପଥ, ଆଇ - ୱେ ଏବଂ ଟ୍ରାନ୍ସ - ୱେ ପାଇଁ ଏକ "ଏଚ୍‌ଆଇଟି" (ହିଟ୍‌) ସୂତ୍ର ଦେଇଥିଲି । ମୁଁ କହିଥିଲି ଯେ , ଭାରତ ଏବଂ ନେପାଳ ମଧ୍ୟରେ ଆମେ ଏପରି ସଂଯୋଗ ସ୍ଥାପନ କରିବୁ , ଯାହା ଦ୍ୱାରା ଆମର ସୀମା ଆମ ମଧ୍ୟରେ ପ୍ରତିବନ୍ଧକ ହୋଇ ରହିବ ନାହିଁ ।

ଟ୍ରକ ବଦଳରେ ପାଇପଲାଇନ ମାଧ୍ୟମରେ ତେଲ ରପ୍ତାନି କରାଯିବା ଆବଶ୍ୟକ ।

ଅଂଶୀଦାର ନଦୀ ଗୁଡ଼ିକ ଉପରେ ସେତୁ ନିର୍ମାଣ କରାଯିବା ଉଚିତ୍ ।

ନେପାଳରୁ ଭାରତକୁ ବିଦ୍ୟୁତ୍ ରପ୍ତାନି ପାଇଁ ସୁବିଧା ସୃଷ୍ଟି କରାଯିବା ଉଚିତ୍ ।

ବନ୍ଧୁଗଣ,

ଆଜି, ୯ ବର୍ଷ ପରେ, ମୁଁ ବହୁତ ଖୁସି ଯେ ଆମର ସହଭାଗିତା ପ୍ରକୃତରେ ‘ହିଟ୍‌’ (ସଫଳ) ସାବ୍ୟସ୍ତ  ହୋଇଛି । ଗତ ୯ ବର୍ଷ ମଧ୍ୟରେ, ଆମେ ବିଭିନ୍ନ କ୍ଷେତ୍ରରେ ଅନେକ ସଫଳତା ହାସଲ କରିଛୁ । ନେପାଳର ପ୍ରଥମ ଆଇସିପି ବିରଗଞ୍ଜରେ କରା ଯାଇଥିଲା । ଆମ କ୍ଷେତ୍ରର ପ୍ରଥମ ସୀମା ପାର ପେଟ୍ରୋଲିୟମ ପାଇପଲାଇନ ଭାରତ ଏବଂ ନେପାଳ ମଧ୍ୟରେ ନିର୍ମିତ ହୋଇଥିଲା । ଆମ ମଧ୍ୟରେ ପ୍ରଥମ ବ୍ରଡ - ଗେଜ୍ ରେଳ ଲାଇନ ସ୍ଥାପନ କରାଯାଇଛି । ସୀମା ପାର୍ଶ୍ୱରେ ନୂତନ ଟ୍ରାନ୍ସମିସନ ଲାଇନ ନିର୍ମାଣ କରାଯାଇଛି । ଆମେ ବର୍ତ୍ତମାନ ନେପାଳରୁ ୪୫୦ ମେଗାୱାଟରୁ ଅଧିକ ବିଦ୍ୟୁତ୍ ଆମଦାନୀ କରୁଛୁ । ଯଦି ଆମେ ୯ ବର୍ଷର ସଫଳତାକୁ ବର୍ଣ୍ଣନା କରିବା ଆରମ୍ଭ କରିବା, ତେବେ ଏହାକୁ କହିବା ପାଇଁ ଆମକୁ ସମ୍ପୂର୍ଣ୍ଣ ଦିନ ଲାଗିଯିବ ।

 ବନ୍ଧୁଗଣ,

ଭବିଷ୍ୟତରେ ଆମର ସହଭାଗିତାକୁ ଅଧିକରୁ ଅଧିକ ସଫଳ କରିବା ପାଇଁ ଆଜି ପ୍ରଧାନମନ୍ତ୍ରୀ ପ୍ରଚଣ୍ଡ ଜୀ ଏବଂ ମୁଁ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛୁ । ଆଜି ଦୁଇ ଦେଶ ମଧ୍ୟରେ ଗମନାଗମନ ଚୁକ୍ତି ହୋଇଛି ।

ଏଥିରେ ନେପାଳର ଲୋକ ମାନଙ୍କ ପାଇଁ ନୂତନ ରେଳ ମାର୍ଗ ସହିତ ଭାରତର ଅର୍ନ୍ତଦେଶୀୟ ଜଳପଥ ସୁବିଧା ପାଇଁ ମଧ୍ୟ ବ୍ୟବସ୍ଥା କରାଯାଇଛି ।

ଆମେ ନୂତନ ରେଳ ସଂଯୋଗ ସ୍ଥାପନ କରି ଭୌତିକ ସଂଯୋଗ ବୃଦ୍ଧି କରିବାକୁ ସ୍ଥିର କରିଛୁ ।

ଏହା ସହିତ ନେପାଳର ରେଳ କର୍ମଚାରୀ ମାନଙ୍କୁ ଭାରତୀୟ ରେଳ ପ୍ରତିଷ୍ଠାନରେ ତାଲିମ୍ ପ୍ରଦାନ କରିବାକୁ ମଧ୍ୟ ନିଷ୍ପତ୍ତି ନିଆଯାଇଛି ।

ନେପାଳର ସୁଦୂର ପଶ୍ଚିମ ଅଞ୍ଚଳ ସହିତ ସଂଯୋଗକୁ ବୃଦ୍ଧି କରିବା ପାଇଁ ଶିରଶା ଏବଂ ଝୁଲାଘାଟରେ ଆଉ ଦୁଇଟି ସେତୁ ନିର୍ମାଣ ହେବ ।

ସୀମା ପାର ଡିଜିଟାଲ୍ ଦେଣନେଣ ମାଧ୍ୟମରେ ଆର୍ଥିକ ସଂଯୋଗ କ୍ଷେତ୍ରରେ ନିଆ ଯାଇଥିବା ପଦକ୍ଷେପ ଗୁଡିକୁ ଆମେ ସ୍ୱାଗତ କରୁଛୁ । ଏଥିରୁ ହଜାର ହଜାର ଛାତ୍ର, ଲକ୍ଷ ଲକ୍ଷ ପର୍ଯ୍ୟଟକ ଏବଂ ତୀର୍ଥଯାତ୍ରୀ ତଥା ଚିକିତ୍ସା ପାଇଁ ଭାରତ ଆସିଥିବା ରୋଗୀମାନେ ମଧ୍ୟ ଉପକୃତ ହେବେ । ତିନୋଟି "ଆଇସିପି" ନିର୍ମାଣ ଦ୍ୱାରା ଅର୍ଥନୈତିକ ସଂଯୋଗ ମଜବୁତ ହେବ ।

ଗତ ବର୍ଷ ଆମେ ବିଦ୍ୟୁତ୍ କ୍ଷେତ୍ରରେ ସହଯୋଗ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଭବିଷ୍ୟତର ଦୂରଦୃଷ୍ଟି ଯୋଜନା ଗ୍ରହଣ କରିଥିଲୁ । ଏହାକୁ ନେଇ ଆଜି ଭାରତ ଏବଂ ନେପାଳ ମଧ୍ୟରେ ଏକ ଦୀର୍ଘକାଳୀନ ବିଦ୍ୟୁତ୍ ବାଣିଜ୍ୟ ଚୁକ୍ତି ସ୍ୱାକ୍ଷରିତ ହୋଇଛି । ଏହି ଚୁକ୍ତିନାମା ଅନୁଯାୟୀ, ଆମେ ଆସନ୍ତା ଦଶ ବର୍ଷ ମଧ୍ୟରେ ନେପାଳରୁ ୧୦,୦୦୦ ମେଗାୱାଟ ବିଦ୍ୟୁତ୍ ଆମଦାନୀ କରିବାର ଲକ୍ଷ୍ୟ ସ୍ଥିର କରିଛୁ ।

ଫୁକୋଟ - କର୍ନାଲି ଏବଂ ଲୋୟର ଅରୁଣ ଜଳ – ବିଦ୍ୟୁତ୍ ପ୍ରକଳ୍ପ ଗୁଡ଼ିକ ଉପରେ ହୋଇଥିବା ଚୁକ୍ତିନାମା ଦ୍ୱାରା ବିଦ୍ୟୁତ୍ କ୍ଷେତ୍ରରେ ସହଯୋଗକୁ ଆହୁରି ମଜବୁତ କରାଯାଇଛି । ମୋତିହାରି - ଆମଲେଖଗଞ୍ଜ ପେଟ୍ରୋଲିୟମ ପାଇପଲାଇନର ସକାରାତ୍ମକ ପ୍ରଭାବକୁ ଦୃଷ୍ଟିରେ ରଖି ଏହି ପାଇପଲାଇନକୁ ଚିତୱାନ ପର୍ଯ୍ୟନ୍ତ ବିସ୍ତାର କରିବା ପାଇଁ ନିଷ୍ପତ୍ତି ନିଆଯାଇଛି । ଏହା ବ୍ୟତୀତ ପୂର୍ବ ନେପାଳର ସିଲିଗୁଡି ଠାରୁ ଝାପା ପର୍ଯ୍ୟନ୍ତ ଆଉ ଏକ ନୂତନ ପାଇପଲାଇନ ନିର୍ମାଣ କରାଯିବ ।

ଏକା ସାଙ୍ଗରେ ଚିତୱାନ୍ ଏବଂ ଝାପା ଠାରେ ନୂତନ ଷ୍ଟୋରେଜ୍ ଟର୍ମିନାଲ୍ ମଧ୍ୟ ସ୍ଥାପନ କରାଯିବ । ନେପାଳରେ ଏକ ସାର କାରଖାନା ସ୍ଥାପନ ପାଇଁ ଆମେ ପାରସ୍ପରିକ ସହଯୋଗ ଉପରେ ମଧ୍ୟ ସହମତ ହୋଇଛୁ ।

 ବନ୍ଧୁଗଣ,

 ଭାରତ ଏବଂ ନେପାଳ ମଧ୍ୟରେ ଧାର୍ମିକ ଏବଂ ସାଂସ୍କୃତିକ ସମ୍ପର୍କ ବହୁତ ପୁରୁଣା ଏବଂ ବହୁତ ସୁଦୃଢ଼ । ଏହି ସୁନ୍ଦର ସଂଯୋଗକୁ ଆହୁରି ମଜବୁତ କରିବା ପାଇଁ ପ୍ରଧାନମନ୍ତ୍ରୀ ପ୍ରଚଣ୍ଡ ଜୀ ଏବଂ ମୁଁ ନିଷ୍ପତ୍ତି ନେଇଛୁ ଯେ ରାମାୟଣ ସର୍କିଟ ସହ ଜଡିତ ପ୍ରକଳ୍ପ ଗୁଡିକ ତ୍ୱରାନ୍ୱିତ କରାଯାଉ ।

ଆମର ସମ୍ପର୍କକୁ ହିମାଳୟର ଉଚ୍ଚତା ଦେବା ପାଇଁ ଆମେ କାର୍ଯ୍ୟ ଜାରି ରଖିବୁ ।

ଏବଂ ଏହି ଭାବନା ସହିତ, ଆମେ ସୀମା କିମ୍ବା ଅନ୍ୟ କୌଣସି ସମସ୍ୟାର ସମାଧାନ କରିବୁ ।

 ମାନ୍ୟବର,

ପ୍ରଧାନମନ୍ତ୍ରୀ ପ୍ରଚଣ୍ଡ ଜୀ, ଆପଣ ଆସନ୍ତା କାଲି ଇନ୍ଦୋର ଏବଂ ଧାର୍ମିକ ସହର ଉଜ୍ଜୟିନୀ ପରିଦର୍ଶନ କରିବେ । ମୁଁ ନିଶ୍ଚିତ ଯେ , ଆପଣଙ୍କର ଭାରତ  ଗସ୍ତ ଶକ୍ତିରେ ପରିପୂର୍ଣ୍ଣ ହେବ, ଏବଂ ପଶୁପତିନାଥରୁ ମହାକାଳେଶ୍ୱର ପର୍ଯ୍ୟନ୍ତ ଏହି ଯାତ୍ରାରେ ଆପଣଙ୍କର ଆଧ୍ୟାତ୍ମିକ ଅଭିଜ୍ଞତା ମଧ୍ୟ ରହିବ ।

 ଆପଣଙ୍କୁ ଅନେକ ଅନେକ ଧନ୍ୟବାଦ ।

ସ୍ୱୀକାରୋକ୍ତି  - ଏହା ହେଉଛି ପ୍ରଧାନମନ୍ତ୍ରୀଙ୍କ ମନ୍ତବ୍ୟର ଆନୁମାନିକ ଅନୁବାଦ । ମୂଳ ଟିପ୍ପଣୀ ହିନ୍ଦୀରେ ପ୍ରଦାନ କରା ଯାଇଥିଲା ।

***

SSP



 

 



(Release ID: 1930981) Visitor Counter : 107