ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ସହନଶୀଳ ଏବଂ ଦୀର୍ଘସ୍ଥାୟୀ ଭବିଷ୍ୟତ ଦିଗରେ ବିପର୍ଯ୍ୟୟ ବିପତ୍ତି ହ୍ରାସ କ୍ଷେତ୍ରରେ ନିବେଶକୁ ପ୍ରୋତ୍ସାହନ ପାଇଁ ରାଷ୍ଟ୍ରମାନଙ୍କର ଭୂମିକା ଉପରେ ଭାରତ-ଜାପାନ ଅତିରିକ୍ତ କାର୍ଯ୍ୟକ୍ରମ


ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଡକ୍ଟର ପି.କେ ମିଶ୍ରଙ୍କ ବକ୍ତବ୍ୟ

Posted On: 18 MAY 2023 9:15PM by PIB Bhubaneshwar

ବିଶିଷ୍ଟ ଅତିଥିଗଣ ଏବଂ ମୋର ପ୍ରିୟ ବନ୍ଧୁଗଣ,

ପ୍ରାରମ୍ଭରେ, ଏହି କାର୍ଯ୍ୟକ୍ରମର ପ୍ରସ୍ତୁତି କରିବା ଏବଂ ଏହି ପ୍ରୟାସରେ ଆମକୁ ସହଯୋଗୀ ଭାବେ ନିମନ୍ତ୍ରଣ କରିବା ଲାଗି ମୁଁ ଜାପାନ ସରକାରଙ୍କୁ ଧନ୍ୟବାଦ ଜଣାଇବାକୁ ଚାହୁଁଛି ।

ଯଦିଓ ସେଣ୍ଡାଇ ରୂପରେଖ ସହିତ ଏହାର ପୂର୍ବବର୍ତ୍ତୀ ହ୍ୟୋଗୋ ରୂପରେଖରେ ବିପର୍ଯ୍ୟୟ ବିପତ୍ତି ହ୍ରାସ ପାଇଁ ସାମଗ୍ରିକ ଭାବେ ସମ୍ପୂର୍ଣ୍ଣ ସମାଜର ଭୂମିକା ଉପରେ ଗୁରୁତ୍ୱାରୋପ କରାଯାଇଛି ତଥାପି ଏହା ସ୍ପଷ୍ଟ ଯେ ନୂଆ ବିପର୍ଯ୍ୟୟ ବିପତ୍ତି ସୃଷ୍ଟି ହେବାକୁ ବନ୍ଦ କରିବା ଏବଂ ବର୍ତ୍ତମାନର ବିପର୍ଯ୍ୟୟ ବିପତ୍ତିକୁ ହ୍ରାସ କରିବା, ଉଭୟ କ୍ଷେତ୍ରରେ ରାଷ୍ଟ୍ରମାନଙ୍କର ପ୍ରମୁଖ ଭୂମିକା ରହିଛି ।

ଉଭୟ ଜି୭ ଏବଂ ଜି୨୦ ରାଷ୍ଟ୍ରଗୋଷ୍ଠୀ ବିପର୍ଯ୍ୟୟ ବିପତ୍ତି ହ୍ରାସକୁ ପ୍ରାଥମିକତା ଦେବା କାରଣରୁ ଏହି ପ୍ରସଙ୍ଗ ଏବେ ବିଶ୍ୱ ନୀତି ନିର୍ଦ୍ଧାରଣ ପରିଦୃଶ୍ୟର ସର୍ବୋଚ୍ଚ ସ୍ତରରେ ଧ୍ୟାନ ଆକର୍ଷଣ କରୁଥିବା ସ୍ପଷ୍ଟ ହୋଇଛି ।

ଏକବିଂଶ ଶତାବ୍ଦୀରେ, ବିପର୍ଯ୍ୟୟ ବିପତ୍ତି ହ୍ରାସ କ୍ଷେତ୍ରରେ ରାଷ୍ଟ୍ରମାନେ ଜଟିଳ ଆହ୍ୱାନର ସମ୍ମୁଖିନ ହୋଇଥାନ୍ତି । ଏଠାରେ ମୁଁ ଦୁଇ ପ୍ରକାରର ଆହ୍ୱାନ ବିଷୟରେ ଅବତାରଣା କରିବାକୁ ଚାହୁଁଛି ।

ପ୍ରଥମତଃ ଆମେ ସମସ୍ତେ ଏହା ବିଚାର କରୁ ଯେ ରାଷ୍ଟ୍ରମାନେ ଏପରି ଏକ ଆର୍ଥିକ ବ୍ୟବସ୍ଥା ଦୃଷ୍ଟି କରିବା ଦରକାର ଯାହା ଏକ ସନ୍ତୁଳିତ ମାର୍ଗରେ ବିପର୍ଯ୍ୟୟ ବିପତ୍ତି ହ୍ରାସର ସମ୍ପୂର୍ଣ୍ଣ ପରିସରକୁ ପରିଚାଳନା କରିପାରିବ । ଦୀର୍ଘ ସମୟ ଧରି ଆମେ ପ୍ରାୟତଃ ସମ୍ପୂର୍ଣ୍ଣ ଭାବେ ବିପର୍ଯ୍ୟୟ ମୁକାବିଲା, ପୁନରୁଦ୍ଧାର ଏବଂ ପୁନଃନିର୍ମାଣ ଉପରେ ଅଧିକ ଅର୍ଥ ବିନିଯୋଗ ପ୍ରତି ଧ୍ୟାନ କେନ୍ଦ୍ରିତ କରି ଆସିଛୁ । ଏବେ ବିପର୍ଯ୍ୟୟ ବିପତ୍ତି ପ୍ରଶମନ ଏବଂ ବିପର୍ଯ୍ୟୟ ମୁକାବିଲା ପ୍ରସ୍ତୁତି ନିମନ୍ତେ ଅର୍ଥଯୋଗାଣ ପ୍ରତି ଆମକୁ ଯଥେଷ୍ଟ ଧ୍ୟାନ ଦେବାର ଆବଶ୍ୟକତା ରହିଛି । ଏହା କେବଳ ବହୁମାତ୍ରାରେ ସମ୍ବଳ ଉପଲବ୍ଧ କରାଇବାର ପ୍ରସଙ୍ଗ ନୁହେଁ । ଆମକୁ ମଧ୍ୟ କେତେକ ଜଟିଳ ସମସ୍ୟାର ମୁକାବିଲା କରିବାକୁ ପଡ଼ିଥାଏ ଯଥା :

  1. ବିପର୍ଯ୍ୟୟ ବିପତ୍ତି ହ୍ରାସ କରିବା ଲାଗି ଆବଣ୍ଟିତ ସମ୍ବଳର ପ୍ରଭାବୀ ଢଙ୍ଗରେ ଉପଯୋଗ କରିବା ଲାଗି ଆମେ ଅବଶୋଷଣ କ୍ଷମତାକୁ କିଭଳି ବଢ଼ାଇପାରିବା ? ଏଥିପାଇଁ ଆମକୁ କିଭଳି ସଂସ୍ଥାଗତ ବ୍ୟବସ୍ଥା, ବୈଷୟିକ କ୍ଷମତା ଏବଂ ବିଶେଷଜ୍ଞତା ବିକଶିତ କରିବାର ଆବଶ୍ୟକତା ରହିଛି? ଆମେ ପରିଣାମଗୁଡ଼ିକୁ କିଭଳି ମାପିବାକୁ ଯାଉଛନ୍ତି?
  2.  ବ୍ୟାପକ ବିପର୍ଯ୍ୟୟ (ଯଥା ବାରମ୍ବାର ହେଉଥିବା ଏବଂ ସାଧାରଣ ପ୍ରଭାବ ପକାଉଥିବା ଘଟଣା) ଏବଂ ଗମ୍ଭୀର ବିପଦ (ଯଥା କମ ହେଉଥିବ, କିନ୍ତୁ ଅଧିକ ପ୍ରଭାବ ପକାଉଥିବା ଘଟଣା) ପାଇଁ ବିପର୍ଯ୍ୟୟ ପ୍ରଶମନ ପାଣ୍ଠିଯୋଗାଣକୁ ଆମେ କିଭଳି ସନ୍ତୁଳିତ କରିପାରିବା ? ସବୁଠୁ ଦୁର୍ବଳ ବର୍ଗଙ୍କୁ ଲକ୍ଷ୍ୟ ରଖି ଆମେ କିଭଳି ସହାୟତା ପହଞ୍ଚାଇପାରିବା?
  3. ବିକାଶମୂଳକ ପ୍ରକଳ୍ପରେ ବିପର୍ଯ୍ୟୟ ବିପତ୍ତି ହ୍ରାସକୁ ମୁଖ୍ୟଧାରାରେ ସାମିଲ କରିବା ଏବଂ ବିପର୍ଯ୍ୟୟ ବିପତ୍ତି ହ୍ରାସ ପାଇଁ ଭିନ୍ନ ଭିନ୍ନ ସମ୍ବଳ ମଧ୍ୟରେ ସନ୍ତୁଳନ କିଭଳି ପ୍ରତିଷ୍ଠା କରାଯାଇପାରିବ ଯାହାକି ବଡ଼ ବିକାଶ ପ୍ରକ୍ରିୟା ଉପରେ ଉତ୍‌ପ୍ରେରକ ପ୍ରଭାବ ପକାଇପାରିବ ?

ଏଗୁଡ଼ିକ ହେଉଛି ଜଟିଳ ସମସ୍ୟା ଏବଂ ବିପର୍ଯ୍ୟୟ ବିପତ୍ତି ହ୍ରାସ ପାଇଁ ପାଣ୍ଠି ଯୋଗାଣ କ୍ଷେତ୍ରରେ ଲମ୍ବା ଇତିହାସ ଥିବା ଦେଶମାନେ ମଧ୍ୟ ଏସବୁ ସମସ୍ୟାକୁ ନେଇ ସଂଘର୍ଷ କରୁଛନ୍ତି । ଏସବୁ ସମସ୍ୟା ସମାଧାନ କରିବା ଲାଗି ଆମେ ସହଭାଗିତା ପ୍ରତିଷ୍ଠା କରିବା ସହିତ ପରସ୍ପର ଠାରୁ ଶିକ୍ଷା ଲାଭ କରିବାର ଆବଶ୍ୟକତା ରହିଛି । ଜି୨୦ କାର୍ଯ୍ୟଗୋଷ୍ଠୀ ବୈଠକ ଆସନ୍ତା ସପ୍ତାହରେ ଦ୍ୱିତୀୟ ଥର ପାଇଁ ଆୟୋଜନ କରାଯିବ ଏବଂ ସେମାନେ ସମ୍ପୂର୍ଣ୍ଣ ଗୋଟିଏ ଦିନ ପାଣ୍ଠି ଯୋଗାଣ ପ୍ରସଙ୍ଗରେ ଆଲୋଚନା କରିବେ ।

ଦ୍ୱିତୀୟତଃ, ଆଗୁଆ ଚେତାବନୀ ବ୍ୟବସ୍ଥାକୁ ସୁଦୃଢ଼ କରିବାରେ ରାଷ୍ଟ୍ରମାନଙ୍କ ଭୂମିକା ସମ୍ପର୍କରେ ମୁଁ ଆଲୋଚନା କରିବାକୁ ଚାହୁଁଛି । ଏହି ପରିପ୍ରେକ୍ଷୀରେ ସରକାରୀ-ଘରୋଇ ଭାଗିଦାରୀର ଅବଧାରଣା ସମ୍ପର୍କରେ ଦୀର୍ଘଦିନ ଧରି ଆଲୋଚନା ହୋଇ ଆସୁଛି । ବହୁ ଘରୋଇ କ୍ଷେତ୍ରର ସଂସ୍ଥା ଏଥିରେ ସାମିଲ ହେଉଛନ୍ତି ଏବଂ ଅଧିକରୁ ଅଧିକ କ୍ଷେତ୍ର ଆଧାରିତ ଆଗୁଆ ଚେତାବନୀ ସେବା ବିକଶିତ ହେଉଥିବାରୁ ଏହି କ୍ଷେତ୍ରରେ ଆହୁରି ଅଧିକ ସଂସ୍ଥାମାନଙ୍କର ଆଗମନ ହେବାର ସମ୍ଭାବନା ରହିଛି । ଏଭଳି ସ୍ଥିତିରେ, ରାଷ୍ଟ୍ରମାନଙ୍କର ସମ୍ପୂର୍ଣ୍ଣ ହସ୍ତକ୍ଷେପକାରୀ ଭୂମିକା କ’ଣ ହେବ? ଆମେ କ’ଣ ନିଜର ଅନୁଧ୍ୟାନ ନେଟୱର୍କକୁ ଘରୋଇ ସଂସ୍ଥାମାନଙ୍କ ହାତକୁ ଟେକି ଦେଇପାରିବା ? ସଞ୍ଚାର ପ୍ରଯୁକ୍ତି ବିକଶିତ କରିବା ଏବଂ ନିୟୋଜିତ କରିବା କ୍ଷେତ୍ରରେ ରାଷ୍ଟ୍ର କେତେ ମାତ୍ରାରେ ସମ୍ପୃକ୍ତ ରହିବା ଉଚିତ୍‌ । ବିପର୍ଯ୍ୟୟ ସମୟରେ ଜରୁରୀ ଆଗୁଆ ଚେତାବନୀ ସେବା ଯୋଗାଇ ଦେବା ଲାଗି ରାଷ୍ଟ୍ରମାନେ ବାଧ୍ୟତାମୂଳକ ଭାବେ ଘରୋଇ କ୍ଷେତ୍ରକୁ ଦାୟିତ୍ୱ ଦେବା ଉଚିତ୍‌ କି?

ମୁଁ ଚିହ୍ନଟ କରିଥିବା ଉପରୋକ୍ତ ସମସ୍ୟାର କୌଣସି ସହଜ ଉତ୍ତର ନାହିଁ ।  ତେବେ, ଯଦି ଆମେ ବିପର୍ଯ୍ୟୟ ବିପତ୍ତିକୁ ହ୍ରାସ କରିବା କ୍ଷେତ୍ରରେ ଯୁଗାନ୍ତକାରୀ ପରିବର୍ତ୍ତନ ଆଣିବାକୁ ଚାହୁଁଛୁ, ତା’ହେଲେ ଆମକୁ ଏସବୁ ସମସ୍ୟାର ମୁକାବିଲା କରିବାକୁ ହେବ । ଏହା ଆମକୁ ଜଳବାୟୁ ପରିବର୍ତ୍ତନ ଅନୁକୂଳ ପ୍ରୟାସରେ ରାଷ୍ଟ୍ରମାନଙ୍କୁ ଅଧିକ ପ୍ରଭାବୀ କରିବାରେ ସହାୟକ ହେବ।

ଆମେ ଏହି ଆଲୋଚନାରେ ସାମିଲ ହେବା ଏବଂ ଏହି ଲକ୍ଷ୍ୟକୁ ଆଗକୁ ବଢ଼ାଇବା ଲାଗି ସାମୂହିକ ଭାବେ କାମ କରିବା ନିମନ୍ତେ ଉତ୍ସାହିତ ଅଛୁ ।

ମୁଁ ସମସ୍ତ ବିପର୍ଯ୍ୟୟ ପ୍ରଶମନ ପେସାଦାରମାନଙ୍କୁ ସେମାନଙ୍କ କାର୍ଯ୍ୟ ପାଇଁ ଶୁଭକାମନା ଜଣାଉଛି । ଆସନ୍ତୁ ଆମେ ସମସ୍ତେ ମିଳିମିଶି ଆମ ପାଇଁ ଏବଂ ପରବର୍ତ୍ତୀ ପିଢ଼ି ପାଇଁ ଏକ ସହନଶୀଳ ଏବଂ ଦୀର୍ଘସ୍ଥାୟୀ ଭବିଷ୍ୟତ ଦିଗରେ କାର୍ଯ୍ୟ କରିବା ।

ଧନ୍ୟବାଦ ।

*****

P.S.


(Release ID: 1925447)