ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

କେରଳର ତ୍ରିସୁର ଠାରେ ଥିବା ଶ୍ରୀ ସୀତାରାମ ସ୍ୱାମୀ ମନ୍ଦିରର ଏକ କାର୍ଯ୍ୟକ୍ରମକୁ ପ୍ରଧାନମନ୍ତ୍ରୀ ସମ୍ବୋଧିତ କରିଛନ୍ତି

Posted On: 25 APR 2023 9:31PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଏକ ଭିଡିଓ ବାର୍ତ୍ତା ମାଧ୍ୟମରେ ତ୍ରିସୁର ଠାରେ ଥିବା ଶ୍ରୀ ସୀତାରାମ  ସ୍ୱାମୀ ମନ୍ଦିରର ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିଛନ୍ତି । ତ୍ରିସୁର ପୁରମ ମହୋତ୍ସବର ଶୁଭ ଅବସରରେ ସେ ସମସ୍ତଙ୍କୁ ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି ।

ପ୍ରଧାନମନ୍ତ୍ରୀ କେରଳର ସାଂସ୍କୃତିକ ରାଜଧାନୀ ଭାବରେ ତ୍ରିସୁରର ସ୍ଥିତିକୁ ସ୍ୱୀକାର କରି ତାଙ୍କ ବକ୍ତବ୍ୟ ଆରମ୍ଭ କରି କହିଥିଲେ ଯେ,  ଏହି ସ୍ଥାନରେ ଆଧ୍ୟାତ୍ମିକତା, ଦର୍ଶନ ଏବଂ ପର୍ବପର୍ବାଣୀ ଗୁଡିକ ସହିତ ସଂସ୍କୃତି, ପରମ୍ପରା ଏବଂ କଳାର ଅଭିବୃଦ୍ଧି ହୋଇଥାଏ । ପ୍ରଧାନମନ୍ତ୍ରୀ ନିଜର ଖୁସି ବ୍ୟକ୍ତ କରି ଏହା ଉଲ୍ଲେଖ କରିଥିଲେ ଯେ , ତ୍ରିସୁର ନିଜର ଐତିହ୍ୟ ଏବଂ ପରିଚୟକୁ ଜୀବନ୍ତ ରଖିଛି ଏବଂ ଶ୍ରୀ ସୀତାରାମ  ସ୍ୱାମୀ ମନ୍ଦିର ଏହି ଦିଗରେ ଏକ ସ୍ଫୁର୍ତ୍ତିଶୀଳ କେନ୍ଦ୍ର ଭାବରେ କାର୍ଯ୍ୟ କରୁଛି ।

ପ୍ରଧାନମନ୍ତ୍ରୀ ମନ୍ଦିରର ସମ୍ପ୍ରସାରଣକୁ ନେଇ ନିଜର ପ୍ରସନ୍ନତା ବ୍ୟକ୍ତ କରିଥିଲେ ଏବଂ ଏହା କହିଥିଲେ ଯେ ଏକ ସୁନାରେ ଆଚ୍ଛାଦିତ ହୋଇଥିବା ଗର୍ଭ ଗୃହ ପ୍ରଭୁ ଶ୍ରୀ ସୀତାରାମ  ଏବଂ ଭଗବାନ ଆୟାପ୍ପା ଏବଂ ଭଗବାନ ଶିବଙ୍କୁ ଉତ୍ସର୍ଗ କରାଯାଉଛି । ସେ ମଧ୍ୟ ୫୫ ଫୁଟ ଉଚ୍ଚତା ବିଶିଷ୍ଟ ପ୍ରଭୁ ହନୁମାନଙ୍କର  ପ୍ରତିମୂର୍ତ୍ତି ସ୍ଥାପନକୁ ପ୍ରଶଂସା କରିଥିଲେ ଏବଂ କୁମ୍ଭାଭିଷେକ  ପାଇଁ ସମସ୍ତଙ୍କୁ ଅଭିବାଦନ ଜଣାଇଥିଲେ ।

ସେ କଲ୍ୟାଣ ପରିବାର ତଥା ଶ୍ରୀ ଟି ଏସ୍ କଲ୍ୟାଣରମଣଙ୍କ ଅବଦାନକୁ ପ୍ରଶଂସା କରିଥିଲେ । ତାଙ୍କ ସହ ପୂର୍ବରୁ ହୋଇଥିବା ସାକ୍ଷାତ ତଥା ମନ୍ଦିର ବିଷୟରେ ଆଲୋଚନାକୁ ମନେ ପକାଇ ପ୍ରଧାନମନ୍ତ୍ରୀ ଏହି ଅବସରରେ ଅନୁଭବ କରୁଥିବା ଆଧ୍ୟାତ୍ମିକ ଆନନ୍ଦର ଭାବନା ସମ୍ପର୍କରେ ପ୍ରକାଶ କରିଥିଲେ ।

ପ୍ରଧାନମନ୍ତ୍ରୀ ମନ୍ତବ୍ୟ ଦେଇଛନ୍ତି ଯେ ତ୍ରିସୁର ଏବଂ ଶ୍ରୀ ସୀତାରାମ ସ୍ୱାମୀ ମନ୍ଦିର କେବଳ ବିଶ୍ୱାସର ଶିଖର ନୁହେଁ, ଏହା ମଧ୍ୟ ଭାରତର ଚେତନା ଏବଂ ଆତ୍ମାର ପ୍ରତିଫଳନ ଅଟେ । ମଧ୍ୟ ଯୁଗରେ ହେଉଥିବା ଆକ୍ରମଣର ସମୟକୁ ଶ୍ରୀ ମୋଦୀ ମଧ୍ୟ ମନେ ପକାଇଥିଲେ । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଯେହେତୁ ଏହି ଆକ୍ରମଣକାରୀମାନେ ମନ୍ଦିର ଗୁଡିକୁ ଧ୍ୱଂସ କରି ଦେଉଥିଲେ, ସେମାନେ ଏ ସମ୍ପର୍କରେ ଅବଗତ ନଥିଲେ  ଯେ,  “ଯଦିଓ ଭାରତ ପ୍ରତୀକ ଗୁଡ଼ିକରେ ଦୃଶ୍ୟମାନ ହୋଇଥାଏ,  ତଥାପି ଏହା ନିଜ ଜ୍ଞାନ ଏବଂ ଚିନ୍ତାଧାରାକୁ ନେଇ ବଂଚିଥାଏ । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଭାରତ ଚିରନ୍ତନତାର ନିଜସ୍ୱ ଅନ୍ୱେଷଣରେ ଲାଗି ରହିଥାଏ ।  “ଭାରତର ଆତ୍ମା ଶ୍ରୀ ସୀତାରାମ ସ୍ୱାମୀ ଏବଂ ଭଗବାନ୍ ଆୟାପ୍ପାଙ୍କ ରୂପରେ ନିଜର ଅମରତା ଘୋଷଣା କରି ଆସୁଛି । ସେହି ସମୟରୁ ଏହି ମନ୍ଦିର ଗୁଡିକ ଏହା ଘୋଷଣା କରିଛନ୍ତି ଯେ  ‘ଏକ ଭାରତ ଶ୍ରେଷ୍ଠ ଭାରତ\' ର ଧାରଣା ହଜାର ହଜାର ବର୍ଷର ଏକ ଅମର ଧାରଣା ଅଟେ । ଆଜି ସ୍ୱାଧୀନତାର ସୁବର୍ଣ୍ଣ ଯୁଗରେ ଆମେ ଆମର ଐତିହ୍ୟ ପାଇଁ ଗର୍ବିତ ହେବାର ପ୍ରତିଶ୍ରୁତି ନେଇ ଏହି ଧାରଣାକୁ ଆଗକୁ ନେଉଛୁ ବୋଲି ସେ କହିଛନ୍ତି ।

ଶହ ଶହ ବର୍ଷ ଧରି ଆମର ମନ୍ଦିର ଏବଂ ତୀର୍ଥ ଆମ ସମାଜର ମୂଲ୍ୟବୋଧ ଗୁଡିକର ଏବଂ ସମୃଦ୍ଧିର ପ୍ରତୀକ ହୋଇ ରହି ଆସିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ସେ ଆହୁରି ମଧ୍ୟ ଯେ ଉଲ୍ଲେଖ କରିଛନ୍ତି ଯେ, ଶ୍ରୀ ସୀତାରାମ ସ୍ୱାମୀ ମନ୍ଦିର ପ୍ରାଚୀନ ଭାରତର ଗର୍ବ ତଥା ଗୌରବ ରକ୍ଷା କରୁଛି । ଏହି ମନ୍ଦିର ମାଧ୍ୟମରେ ଚାଲିଥିବା ବହୁ ଜନ କଲ୍ୟାଣ କାର୍ଯ୍ୟକ୍ରମ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏପରି ଏକ ବ୍ୟବସ୍ଥା ,  ଯେଉଁଠାରେ ସମାଜରୁ ପ୍ରାପ୍ତ ସମ୍ବଳ ଗୁଡିକୁ ସେବା ଭାବରେ ଫେରସ୍ତ କରା ଯାଇଥାଏ ।

ଏହି ପ୍ରୟାସରେ ଦେଶର ଅଧିକ ସଂକଳ୍ପ ଯୋଡିବାକୁ ସେ ମନ୍ଦିର କମିଟିକୁ ଅନୁରୋଧ କରିଛନ୍ତି, ତାହା ଶ୍ରୀ ଆନ୍ନା ଅଭିଯାନ ହେଉ କିମ୍ବା ସ୍ୱଚ୍ଛତା ଅଭିଯାନ ହେଉ କିମ୍ବା ପ୍ରାକୃତିକ ଚାଷକୁ ନେଇ ଜନ ସଚେତନତା ହେଉ । ନିଜର ସମ୍ବୋଧନକୁ ସମାପ୍ତ କରିବା ସହିତ ପ୍ରଧାନମନ୍ତ୍ରୀ ଏହି ବିଶ୍ୱାସ ବ୍ୟକ୍ତ କରିଛନ୍ତି ଯେ ଦେଶର ଲକ୍ଷ୍ୟ ଓ ସଂକଳ୍ପକୁ ସଫଳ କରିବା ପାଇଁ କାର୍ଯ୍ୟ ଜାରି ରହି ଥିବାରୁ ଶ୍ରୀ ଶ୍ରୀ ସୀତାରାମ ସ୍ୱାମୀ ଜୀଙ୍କର ଆଶୀର୍ବାଦ ସମସ୍ତଙ୍କ ଉପରେ ପଡ଼ିବ ।

***

SSP



 



(Release ID: 1921479) Visitor Counter : 98