ରାଷ୍ଟ୍ରପତିଙ୍କ ସଚିବାଳୟ
azadi ka amrit mahotsav

ଜାତୀୟ ପଂଚାୟତ ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି

Posted On: 17 APR 2023 1:44PM by PIB Bhubaneshwar

ରାଷ୍ଟ୍ରପତି ଶ୍ରୀମତି ଦ୍ରୌପଦୀ ମୁର୍ମୁ ଆଜି (୧୭ ଏପ୍ରିଲ, ୨୦୨୩) ନୂଆଦିଲ୍ଲୀରେ ଜାତୀୟ ପଂଚାୟତ ପୁରସ୍କାର ପ୍ରଦାନ କରିବା ସହ ଜାତୀୟ ପଂଚାୟତ ପ୍ରୋତ୍ସାହନ ସମ୍ମିଳନୀକୁ ଉଦଘାଟନ କରିଛନ୍ତି । ଏହି ଅବସରରେ ଉଦବୋଧନ ଦେଇ ରାଷ୍ଟ୍ରପତି କହିଛନ୍ତି ଯେ, ଗତ କିଛି ଦଶନ୍ଧିରେ ଦୃତ ସହରୀକରଣ ସତ୍ୱେ ଜନସଂଖ୍ୟାର ଅଧିକାଂଶ ଭାଗ ଏବେ ମଧ୍ୟ ଗାଆଁରେ ବସବାସ କରୁଛନ୍ତି ।  ସହରରେ ରହୁଥିବା ଲୋକମାନେ ମଧ୍ୟ କୌଣସି ନା କୌଣସି ଭାବରେ ଗାଆଁ ସହ ଯୋଡି ହୋଇଛନ୍ତି । ଗାଆଁର ବିକାଶ ଦ୍ୱାରା ହିଁ ଦେଶର ସର୍ବାଙ୍ଗୀନ ଉନ୍ନତି ସମ୍ଭବ ହୋଇ ପାରିବ ।
ରାଷ୍ଟ୍ରପତି କହିଛନ୍ତି ଯେ ଗ୍ରାମବାସୀମାନଙ୍କୁ ଏହି ନିଷ୍ପତି ନେବାରେ ସକ୍ଷମ ହେବା ଆବଶ୍ୟକ ଯେ ଗାଆଁର ବିକାଶ ପାଇଁ କେଉଁ ମଡେଲ ଉପଯୁକ୍ତ ଅଟେ ଏବଂ ଏହାକୁ କିଭଳି ଭାବେ ଲାଗୁ କରାଯିବା ଆବଶ୍ୟକ । ସେ କହିଛନ୍ତି ଯେ ପଂଚାୟତ କେବଳ ସରକାରୀ କାର୍ଯ୍ୟକ୍ରମ ଏବଂ ଯୋଜନାଗୁଡିକୁ ଲାଗୁ କରିବାର ମାଧ୍ୟମ ନୁହେଁ, ବରଂ ନେତୃତ୍ୱ ପ୍ରଦାନ କରୁଥିବା ନୂଆ ନୂଆ ବ୍ୟକ୍ତିତ୍ୱ, ଯୋଜନା ପ୍ରସ୍ତୁତକର୍ତା, ନୀତି ନିର୍ଦ୍ଧାରକ ଏବଂ ନବଉନ୍ମେଷକମାନଙ୍କୁ ପ୍ରୋତ୍ସାହିତ କରିବାର ସ୍ଥାନ ମଧ୍ୟ ଅଟେ । ଗୋଟିଏ ପଂଚାୟତର ସର୍ବୋତମ ନୀତି ନିୟମଗୁଡିକୁ ଅନ୍ୟ ପଂଚାୟତଗୁଡିକ ଆପଣାଇ ଆମେ ଦୃତ ଗତିରେ ବିକାଶ କରି ପାରିବା ଏବଂ ଆମ ଗାଆଁକୁ ସମୃଦ୍ଧ କରି ପାରିବା ।
ରାଷ୍ଟ୍ରପତି କହିଥିଲେ ଯେ ସମାଜର ପ୍ରତ୍ୟେକ ସମୁଦାୟଙ୍କ ଭାଗିଦାରୀ ସୁନିଶ୍ଚିତ କରିବା ପାଇଁ ପ୍ରତି ପାଂଚ ବର୍ଷରେ ପଂଚାୟତ ପ୍ରତିନିଧିମାନଙ୍କୁ ନିର୍ବାଚିତ କରିବାର ବ୍ୟବସ୍ଥା ରହିଛି । ତେବେ, ଏହା ଦେଖାଯାଉଛି ଯେ ଏହି ନିର୍ବାଚନ ଅନେକ ଥର ଲୋକମାନଙ୍କ ମଧ୍ୟରେ ମନୋମାଳିନ୍ୟ ସୃଷ୍ଟି କରୁଛି । ନିର୍ବାଚନକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ନିଜ ନିଜ ମଧ୍ୟରେ କଳହ ନ ଉପୁଜୁ, ଏହି ବିଷୟକୁ ଧ୍ୟାନରେ ରଖି ପଂଚାୟତ ନିର୍ବାଚନକୁ ରାଜନୈତିକ ଦଳଗୁଡିକଠାରୁ ପୃଥକ୍ ରଖାଯାଇଛି । ସେ କହିଛନ୍ତି, ଯେଉଁ ସମାଜରେ ଲୋକମାନଙ୍କ ମଧ୍ୟରେ ପାରସ୍ପରିକ ସହଯୋଗ ଏବଂ ବିଶ୍ୱାସ ରହିଥାଏ, ସେହି ସମାଜ ଅଧିକ ବିକଶିତ ହୋଇଥାଏ । ସେ କହିଛନ୍ତି ଯେ ଗ୍ରାମ ହେଉଛି ପରିବାରର ସମ୍ପ୍ରସାରିତ ରୂପ । ଯେତେଦୂର ସମ୍ଭବ ସମସ୍ତ ସାମୁହିକ କାର୍ଯ୍ୟ ପାସ୍ପରିକ ସହମତିର ଆଧାରରେ କରାଯିବା ଉଚିତ୍ ।
ରାଷ୍ଟ୍ରପତି କହିଥିଲେ ଯେ, କୌଣସି ବି ସମାଜର ସର୍ବାଙ୍ଗୀନ ଉନ୍ନତି ପାଇଁ, ମହିଳାମାନଙ୍କର ଭାଗିଦାରୀ ଅତ୍ୟନ୍ତ ଜରୁରୀ ଅଟେ । ମହିଳାମାନଙ୍କୁ ନିଜ ପାଇଁ, ନିଜ ପରିବାର ପାଇଁ, ଏବଂ ସମାଜ କଲ୍ୟାଣ ପାଇଁ ନିଷ୍ପତି ନେବାର ଅଧିକାର ମିଳିବା ଉଚିତ୍ । ପରିବାର ଏବଂ ଗ୍ରାମ ସ୍ତରରେ ସେମାନଙ୍କ ସଶକ୍ତିକରଣ ମାଧ୍ୟମରେ, ଏହି ଅଧିକାରକୁ ହାସଲ କରାଯାଇ ପାରିବ । ଏ କଥା ସେମାନଙ୍କ ପାଇଁ ଆନନ୍ଦର ବିଷୟ ଯେ, ଗ୍ରାମୀଣ ସ୍ୱାୟତ ସଂସ୍ଥାର ୩୧.୫ ଲକ୍ଷରୁ ଅଧିକ ନିର୍ବାଚିତ ପ୍ରତିନଧିମାନଙ୍କୁ ମଧ୍ୟରୁ ୪୬ ପ୍ରତିଶତ ହେଉଛନ୍ତି ମହିଳା । ଗ୍ରାମ ପଂଚାୟତର କାର୍ଯ୍ୟରେ ସକ୍ରିୟ ରୂପେ ଭାଗ ନେବା ପାଇଁ ସେ ମହିଳାମାନଙ୍କୁ ଆହ୍ୱାନ ଦେଇଛନ୍ତି । ଏହି ପ୍ରୟାସରେ ମହିଳାମାନଙ୍କୁ ସହଯୋଗ କରିବା ସେମାନଙ୍କ ପରିବାର ସଦସ୍ୟମାନଙ୍କୁ ମଧ୍ୟ ରାଷ୍ଟ୍ରପତି ଅନୁରୋଧ କରିଛନ୍ତି ।

JP


(Release ID: 1917362) Visitor Counter : 160