ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ
ସୃଜନଶୀଳତା ନାଁରେ ଗାଳିଗୁଲଜକୁ ବରଦାସ୍ତ କରାଯିବ ନାହିଁ : ଅନୁରାଗ ଠାକୁର
ଓଟିଟି ପ୍ଲାଟଫର୍ମରେ ଅଶ୍ଳୀଳ ବିଷୟବସ୍ତୁ ପ୍ରସାରଣକୁ ନେଇ ବଢ଼ୁଥିବା ଅଭିଯୋଗ ଉପରେ ସରକାର ଗମ୍ଭୀର : କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ
प्रविष्टि तिथि:
19 MAR 2023 7:32PM by PIB Bhubaneshwar
ଓଟିଟି ପ୍ଲାଟଫର୍ମରେ ପ୍ରସାରିତ କାର୍ଯ୍ୟକ୍ରମ ଓ ବିଷୟବସ୍ତୁ (କଣ୍ଟେଣ୍ଟ)ରେ ଅଶ୍ଳୀଳତା ଏବଂ ଗାଳିଗୁଲଜ ବଢ଼ୁଥିବାରୁ ଏହାକୁ ନେଇ କେନ୍ଦ୍ର ସୂଚନା ଓ ପ୍ରସାରଣ, ଯୁବବ୍ୟାପାର ଓ କ୍ରୀଡ଼ା ମନ୍ତ୍ରୀ ଶ୍ରୀ ଅନୁରାଗ ସିଂ ଠାକୁର ଉଦବେଗ ପ୍ରକାଶ କରିଛନ୍ତି । ନାଗପୁରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏ ସମ୍ପର୍କରେ ପଚରାଯାଇଥିବା ପ୍ରଶ୍ନର ଉତ୍ତରରେ କେନ୍ଦ୍ର ମନ୍ତ୍ରୀ କହିଛନ୍ତି ଯେ ସରକାର ଏହି ବିଷୟକୁ ଅତି ଗମ୍ଭୀରତାର ସହିତ ଗ୍ରହଣ କରିଛନ୍ତି ।
ଶ୍ରୀ ଠାକୁର କହିଛନ୍ତି ଯେ, ‘‘ସୃଜନଶୀଳତା ନାଁରେ ଗାଳିଗୁଲଜ ଓ ଅଶ୍ଳୀଳତାକୁ ବରଦାସ୍ତ କରାଯିବ ନାହିଁ । ଓଟିଟି ପ୍ଲାଟଫର୍ମଗୁଡ଼ିକରେ ଗାଳିଗୁଲଜ ଏବଂ ଅଶ୍ଳୀଳ କାର୍ଯ୍ୟକ୍ରମ ବା କଣ୍ଟେଣ୍ଟ ପ୍ରସାରଣକୁ ନେଇ ସରକାର ଗମ୍ଭୀର ଅଛନ୍ତି । ଏହାକୁ ନେଇ ନିୟମରେ କୌଣସି ପରିବର୍ତ୍ତନ କରିବାର ଆବଶ୍ୟକତା ପଡ଼ିଲେ ମନ୍ତ୍ରଣାଳୟ ସେ ଦିଗରେ ମଧ୍ୟ ବିଚାର କରିବ । କାରଣ ଏସବୁ ପ୍ଲାଟଫର୍ମଗୁଡ଼ିକୁ ସୃଜନଶୀଳତା ପାଇଁ ସ୍ୱାଧୀନତା ମିଳିଛି, କିନ୍ତୁ ଗାଳିଗୁଲଜ କିମ୍ବା ଅଶ୍ଳୀଳତା ପାଇଁ ସେମାନଙ୍କୁ ସ୍ୱାଧୀନତା ଦିଆଯାଇନାହିଁ । ସୀମା ଉଲ୍ଲଙ୍ଘନ କଲେ ସୃଜନଶୀଳତା ନାଁରେ ଗାଳିଗୁଲଜ ଓ ଅସଭ୍ୟତାକୁ ଆଦୌ ସ୍ୱୀକାର କରାଯିବ ନାହିଁ । ଏହା ଉପରେ ଯାହାକିଛି ଜରୁରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର ଆବଶ୍ୟକତା ଦେଖାଦେବ ସେଥିରେ ସରକାର ପଛଘୁଞ୍ଚା ଦେବେ ନାହିଁ ।’’
ଶ୍ରୀ ଅନୁରାଗ ସିଂ ଠାକୁର ଆହୁରି କହିଥିଲେ ଯେ, ‘‘ବର୍ତ୍ତମାନ ରହିଥିବା ବ୍ୟବସ୍ଥା ଅନୁସାରେ ପ୍ରଥମ ପର୍ଯ୍ୟାୟରେ ପ୍ରଯୋଜକମାନେ ଏଭଳି ଅଭିଯୋଗର ସମାଧାନ କରିବେ । ୯୦ରୁ ୯୨% ଅଭିଯୋଗ କ୍ଷେତ୍ରରେ ପ୍ରଯୋଜକମାନେ ନିଜଆଡ଼ୁ ପରିବର୍ତ୍ତନ କରି ସେଗୁଡ଼ିକର ସମାଧାନ କରୁଛନ୍ତି । ଏହାପରେ ସେମାନଙ୍କର ଆସୋସିଏସନ ସ୍ତରରେ ଅଭିଯୋଗ ସମାଧାନ କରାଯାଇଥାଏ। ଅଧିକାଂଶ ଅଭିଯୋଗ ଏହି ସ୍ତରରେ ମଧ୍ୟ ସମାଧାନ କରାଯାଉଛି । ପରବର୍ତ୍ତୀ ପର୍ଯ୍ୟାୟରେ ସରକାରଙ୍କ ନିକଟରେ ଅଭିଯୋଗ କରାଗଲେ ନିର୍ଦ୍ଧାରିତ ନିୟମ ଅନୁଯାୟୀ ବିଭାଗୀୟ କମିଟି ସେ ଦିଗରେ ଯାଞ୍ଚ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି । କିନ୍ତୁ ଗତ କିଛି ଦିନ ହେବ ଅଭିଯୋଗ ବଢ଼ୁଥିବା ଦେଖାଯାଉଛି । ବିଭାଗ ଏହାକୁ ଅତି ଗମ୍ଭୀରତାର ସହିତ ଗ୍ରହଣ କରିଛି । ଏ ଦିଗରେ ଆମକୁ କିଛି ପରିବର୍ତ୍ତନ ଆଣିବାକୁ ପଡ଼ିବ ଏବଂ ଏ ବିଷୟରେ ଆମେ ଗମ୍ଭୀରତାର ସହିତ ବିଚାର କରୁଛୁ ।’’
************
P.S.
(रिलीज़ आईडी: 1908580)
आगंतुक पटल : 235