ଗ୍ରାମ୍ୟ ଉନ୍ନୟନ ମନ୍ତ୍ରଣାଳୟ
ମନରେଗା ପାଣ୍ଠି ଆବଣ୍ଟନ ଉପରେ ବିତର୍କ କରିବା ଲାଗି ବରିଷ୍ଠ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଆହ୍ୱାନ କଲେ କେନ୍ଦ୍ର ଗ୍ରାମୀଣ ବିକାଶ ମନ୍ତ୍ରୀ ଶ୍ରୀ ଗିରିରାଜ ସିଂ
୨୦୦୪ରୁ ୨୦୧୪ ପର୍ଯ୍ୟନ୍ତ ୟୁପିଏ ଶାସନ କାଳ ଏବଂ ନରେନ୍ଦ୍ର ମୋଦୀ ସରକାରଙ୍କ ୯ ବର୍ଷର କାର୍ଯ୍ୟକାଳ ମଧ୍ୟରେ ପାଣ୍ଠି ଆବଣ୍ଟନ ଓ ସମ୍ପତ୍ତି ସୃଷ୍ଟି ଉପରେ ସିଧାସଳଖ ବିତର୍କ ପାଇଁ କଲେ ଆହ୍ୱାନ
ଉତ୍ତରପ୍ରଦେଶର ନୋଏଡ଼ା ଠାରେ ସାରସ ମେଳା ଉପଲକ୍ଷେ ନିଜର ବକ୍ତବ୍ୟ ରଖି ମନରେଗା ବଜେଟ୍ ହ୍ରାସ ଅଭିଯୋଗ ଆଣିଥିବା ରାହୁଲ ଗାନ୍ଧୀଙ୍କ ଫେସବୁକ ପୋଷ୍ଟ ଉପରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କଲେ କେନ୍ଦ୍ର ମନ୍ତ୍ରୀ
କଂଗ୍ରେସ ନେତୃତ୍ବାଧୀନ ଉପା ସରକାରଙ୍କ ଦଶ ବର୍ଷର କାର୍ଯ୍ୟକାଳ ସମୟରେ ମନରେଗା ବଜେଟ୍ ଆକଳନ କେବେ ବି ୩୩,୦୦୦ କୋଟି ଟଙ୍କା ଟପିନଥିଲା, ଅନ୍ୟପଟେ ମେ ୨୦୧୪ ପରଠାରୁ ମୋଦୀ ସରକାର ଦାୟିତ୍ବ ନେବା ପରେ ପ୍ରତିବର୍ଷର ବଜେଟ୍ ଆକଳନ କ୍ରମାଗତ ଭାବେ ସଂଶୋଧିତ ଆକଳନରେ ବୃଦ୍ଧି ପାଇଛି, କହିଲେ ଶ୍ରୀ ଗିରିରାଜ ସିଂ
ଶ୍ରୀ ଗିରିରାଜ ସିଂଙ୍କ ସୂଚନା : ୨୦୨୦-୨୧ ଆର୍ଥିକ ବର୍ଷରେ ବଜେଟ ଆକଳନ ୬୧,୫୦୦ କୋଟି ଟଙ୍କା ଥିବା ବେଳେ ସଂଶୋଧିତ ଆକଳନରେ ଏହା ୧,୧୧,୫୦୦ କୋଟି ଟଙ୍କାକୁ ବୃଦ୍ଧି ପାଇଛି, ଯାହାକି ପୂର୍ବ ଆବଣ୍ଟନ ପରିମାଣର ଦୁଇ ଗୁଣା ଠାରୁ ସାମାନ୍ୟ କମ
୧୦ ବର୍ଷର ୟୁପିଏ ଶାସନ କାଳ ସମୟରେ, ସମ୍ପତ୍ତି ସୃଷ୍ଟି ମାତ୍ର ୧୭ ପ୍ରତିଶତ ଥିବା ବେଳେ ମୋଦୀ ସରକାରଙ୍କ ବିଗତ ୯ ବର୍ଷର କାର୍ଯ୍ୟକାଳ ସମୟରେ ସମ୍ପତ୍ତି ସୃଷ୍ଟି ୬୦ ପ୍ରତିଶତକୁ ବୃଦ୍ଧି : ଶ୍ରୀ ଗିରିରାଜ ସିଂ
Posted On:
18 FEB 2023 5:39PM by PIB Bhubaneshwar
କେନ୍ଦ୍ର ଗ୍ରାମୀଣ ବିକାଶ ମନ୍ତ୍ରୀ ଶ୍ରୀ ଗିରିରାଜ ସିଂ ମନରେଗା ପାଣ୍ଠି ଆବଣ୍ଟନ ଉପରେ ବିତର୍କ କରିବା ଲାଗି ବରିଷ୍ଠ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଖୋଲା ଆହ୍ୱାନ କରିଛନ୍ତି। ୨୦୦୪ରୁ ୨୦୧୪ ପର୍ଯ୍ୟନ୍ତ ୟୁପିଏ ଶାସନ କାଳ ଏବଂ ନରେନ୍ଦ୍ର ମୋଦୀ ସରକାରଙ୍କ ୯ ବର୍ଷର କାର୍ଯ୍ୟକାଳ ମଧ୍ୟରେ ପାଣ୍ଠି ଆବଣ୍ଟନ ଓ ସମ୍ପତ୍ତି ସୃଷ୍ଟି ଉପରେ ବିତର୍କ ଲାଗି କେନ୍ଦ୍ର ମନ୍ତ୍ରୀ ଆହ୍ୱାନ କରିଛନ୍ତି।
ମନରେଗା ବଜେଟ୍ ହ୍ରାସକୁ ନେଇ ସମ୍ବାଦପତ୍ରର ରିପୋର୍ଟ ବିଷୟରେ ଉଲ୍ଲେଖ କରି କଂଗ୍ରେସ ନେତା ରାହୁଲ ଗାନ୍ଧୀ କରିଥିବା ଫେସବୁକ ପୋଷ୍ଟ ଉପରେ କେନ୍ଦ୍ର ମନ୍ତ୍ରୀ ଶ୍ରୀ ଗିରିରାଜ ସିଂ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଉତ୍ତରପ୍ରଦେଶର ନୋଏଡ଼ା ଠାରେ ସାରସ ମେଳା ଉପଲକ୍ଷେ ବକ୍ତବ୍ୟ ରଖି କେନ୍ଦ୍ର ମନ୍ତ୍ରୀ କହିଥିଲେ ଯେ, ଏଭଳି କୌଣସି ଅଭିଯୋଗ ଆଣିବା ପୂର୍ବରୁ କଂଗ୍ରେସ ନେତା ନିଜର ତଥ୍ୟ ଓ ପରିସଂଖ୍ୟାନର ସତ୍ୟତା ପରୀକ୍ଷା କରି ନେବା ଉଚିତ୍ ।
କେନ୍ଦ୍ର ମନ୍ତ୍ରୀ ଶ୍ରୀ ଗିରିରାଜ ସିଂ କହିଥିଲେ ଯେ, କଂଗ୍ରେସ ନେତୃତ୍ବାଧୀନ ୟୁପିଏ ସରକାରଙ୍କ ସମୟରେ ମନରେଗାର ବଜେଟ୍ ଆକଳନ କେବେ ବି ୩୩ ହଜାର କୋଟି ଟଙ୍କା ଟପିନଥିଲା ଏବଂ ଅଧିକାଂଶ ଆର୍ଥିକ ବର୍ଷରେ ଏହି ଗ୍ରାମୀଣ ନିଯୁକ୍ତି ଯୋଜନାର ଦୁର୍ବଳ କାର୍ଯ୍ୟକାରିତା ଯୋଗୁ ଆବଣ୍ଟିତ ପାଣ୍ଠି ଫେରି ଯାଉଥିଲା। ଅନ୍ୟପଟେ, ପ୍ରଧାନମନ୍ତ୍ରୀ ମୋଦୀ ଦାୟିତ୍ବ ଗ୍ରହଣ କରିବା ପରେ, ପ୍ରତ୍ୟେକ ବର୍ଷ ମନରେଗା ବଜେଟ୍ ଆକଳନ କ୍ରମାଗତ ଭାବେ ସଂଶୋଧିତ ଆକଳନରେ ବୃଦ୍ଧି ପାଉଛି। ସେ କହିଥିଲେ ଯେ, ଚଳିତ ବର୍ଷ ବଜେଟ୍ ଆକଳନ ୭୩ ହଜାର କୋଟି ଟଙ୍କା ଥିବା ବେଳେ ସଂଶୋଧିତ ଆକଳନରେ ଏହା ୮୯ ହଜାର ୪୦୦ କୋଟି ଟଙ୍କାକୁ ବୃଦ୍ଧି ପାଇଛି।
ରାଜ୍ୟମାନଙ୍କର ବକେୟା ସଞ୍ଚୟ କାରଣରୁ ୨୫ ହଜାର କୋଟି ଟଙ୍କା ଦାବି କରାଯାଇଥିବା ବେଳେ ଗ୍ରାମୀଣ ବିକାଶ ମନ୍ତ୍ରଣାଳୟ ୧୬ ହଜାର କୋଟି ଟଙ୍କା ପ୍ରାପ୍ତ କରିଛି।
ଏଠାରେ ଉଲ୍ଲେଖଯୋଗ୍ୟ ଯେ, ୨୦୧୯-୨୦ ଆର୍ଥିକ ବର୍ଷରେ ମନରେଗା ବାବଦ ବଜେଟ୍ ଆକଳନ ୬୦ ହଜାର କୋଟି ଟଙ୍କା ଥିବା ବେଳେ ସଂଶୋଧିତ ଆକଳନ ୭୧ ହଜାର କୋଟି ଟଙ୍କାକୁ ବୃଦ୍ଧି ପାଇଥିଲା। ଅନ୍ୟପଟେ ୨୦୨୦-୨୧ ଆର୍ଥିକ ବର୍ଷରେ ବଜେଟ୍ ଆକଳନ ୬୧,୫୦୦ କୋଟି ଟଙ୍କା ଥିବା ବେଳେ ସଂଶୋଧିତ ଆକଳନରେ ଏହା ୧,୧୧,୫୦୦ କୋଟି ଟଙ୍କାକୁ ବୃଦ୍ଧି ପାଇଥିଲା, ଯାହାକି ପୂର୍ବ ଆବଣ୍ଟନ ପରିମାଣର ଦୁଇ ଗୁଣା ଠାରୁ ସାମାନ୍ୟ କମ । କୋଭିଡ ମହାମାରୀ କାରଣରୁ ସହରରେ କାର୍ଯ୍ୟରତ ଗାଁ ଲୋକମାନେ ଗ୍ରାମାଞ୍ଚଳକୁ ଫେରିଆସିବା କାରଣରୁ କାମର ଚାହିଦା ବୃଦ୍ଧି ପାଇଥିଲା । ସେହିପରି ୨୦୨୧-୨୦୨୨ ଆର୍ଥିକ ବର୍ଷରେ ବଜେଟ୍ ଆକଳନ ୭୩ ହଜାର କୋଟି ଟଙ୍କା ଥିବା ବେଳେ ସଂଶୋଧିତ ଆକଳନରେ ଏହା ୯୯,୧୧୭ କୋଟି ଟଙ୍କାକୁ ବୃଦ୍ଧି ପାଇଥିଲା ।
ଶ୍ରୀ ଗିରିରାଜ ସିଂ ସମ୍ପତ୍ତି ସୃଷ୍ଟି କ୍ଷେତ୍ରରେ ମଧ୍ୟ ତୁଳନାତ୍ମକ ବିତର୍କ କରିବାକୁ ରାହୁଲ ଗାନ୍ଧୀଙ୍କୁ ଚାଲେଞ୍ଜ କରିଛନ୍ତି। ୟୁପିଏ ସରକାରଙ୍କ ସମୟରେ ଏହି ଗ୍ରାମୀଣ ନିଯୁକ୍ତି ଯୋଜନାରେ ସମ୍ପତ୍ତି ସୃଷ୍ଟି ମାତ୍ର ୧୭ ପ୍ରତିଶତ ଥିବା ବେଳେ ମୋଦୀ ସରକାରଙ୍କ ୯ ବର୍ଷ ମଧ୍ୟରେ ଏହା ୬୦ ପ୍ରତିଶତକୁ ବୃଦ୍ଧି ପାଇଛି । ମନରେଗା ଯୋଜନାର କାର୍ଯ୍ୟ ପରିସରକୁ କେବଳ ଗାତ ଖୋଳିବା ଓ ବନ୍ଦ କରିବା ଠାରୁ ଊର୍ଦ୍ଧ୍ବକୁ ନେଇଯିବା କାରଣରୁ ଶ୍ରୀ ଗିରିରାଜ ସିଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପ୍ରଶଂସା କରିଥିଲେ ।
ସୂଚନାଯୋଗ୍ୟ ଯେ ଗତକାଲି ମନରେଗା ବଜେଟ୍ ହ୍ରାସକୁ ନେଇ ବିଜେପି ନେତୃତ୍ବାଧୀନ ସରକାରଙ୍କୁ ସମାଲୋଚନା କରିଥିଲେ। ସେ କହିଥିଲେ ଯେ, ଭାରତର ଗ୍ରାମୀଣ ଅର୍ଥବ୍ୟବସ୍ଥାର ମୂଳଦୁଆ ଥିବା ଏହି ଗ୍ରାମୀଣ ନିଯୁକ୍ତି ଯୋଜନା କେନ୍ଦ୍ର ସରକାରଙ୍କ ଦମନକାରୀର ନୀତିର ଶିକାର ପାଲଟିଛି।
ଅନ୍ୟପଟେ ମନରେଗା ଯୋଜନାରେ ଆଧାର ସଂଯୋଗ କରିବା ଦ୍ବାରା ସରକାର ସମାଜର ଗରିବ ବର୍ଗଙ୍କ ବିରୋଧରେ ଆଧାର ତଥ୍ୟର ଦୂରୁପଯୋଗ କରୁଛନ୍ତି ବୋଲି ରାହୁଲ ଗାନ୍ଧୀ ଯେଉଁ ଅଭିଯୋଗ ଆଣିଛନ୍ତି ତା’ଉପରେ ପ୍ରତିକ୍ରିୟା ପ୍ରକାଶ କରି ଶ୍ରୀ ଗିରିରାଜ ସିଂ କହିଥିଲେ ଯେ, ଏହି ଯୋଜନାରେ ସମ୍ପୂର୍ଣ୍ଣ ପାରଦର୍ଶିତା ଆଣିବା ମୋଦୀ ସରକାରଙ୍କ ଲକ୍ଷ୍ୟ।
*******
P.S.
(Release ID: 1900400)
Visitor Counter : 173