ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରଣାଳୟ

ଜାନୁୟାରୀ ୧୨ ତାରିଖରେ କର୍ଣ୍ଣାଟକର ହୁବୁଲିଠାରେ ଅନୁଷ୍ଠିତ ଚଳିତବର୍ଷର ଜାତୀୟ ଯୁବ ଉତ୍ସବକୁ ପ୍ରଧାନମନ୍ତ୍ରୀ ଉଦ୍‌ଘାଟନ କରିବେ: ଶ୍ରୀ ଅନୁରାଗ ସିଂହ ଠାକୁର

Posted On: 10 JAN 2023 3:55PM by PIB Bhubaneshwar

ଗୁରୁତ୍ୱପୂର୍ଣ୍ଣ ବିଷୟବସ୍ତୁ:

  • ଛବିଶତମ ଜାତୀୟ ଯୁବ ଉତ୍ସବ ଚଳିତ ବର୍ଷ କର୍ଣ୍ଣାଟକର ଧାର୍‌ୱାଡ ଜିଲ୍ଲା ଅନ୍ତର୍ଗତ ହୁବୁଲିଠାରେ ଆୟୋଜିତ ହେଉଛି । କେନ୍ଦ୍ର କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ ଏହି ଉତ୍ସବ ଜାନୁୟାରୀ ୧୨ରୁ ୧୬ତାରିଖ ପର୍ଯ୍ୟନ୍ତ ଚାଲିବ ।
  • ଏହି ଉତ୍ସବର ମୁଖ୍ୟ ବିଷୟବସ୍ତୁ ରହିଛି-ବିକଶିତ ଯୁବଶକ୍ତି ବିକଶିତ ଭାରତ ।

 ସ୍ୱାମୀ  ବିବେକାନନ୍ଦଙ୍କ ଜୟନ୍ତୀ ଅବସରରେ ଚଳିତ ଜାନୁୟାରୀ ମାସ ୧୨ ତାରିଖରେ କର୍ଣ୍ଣାଟକର ହୁବୁଲିଠାରେ ଆୟୋଜିତ ଜାତୀୟ ଯୁବ ଉତ୍ସବକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଉଦ୍‌ଘାଟନ କରିବେ । ଆଜି ନୂଆଦିଲ୍ଲୀଠାରେ କେନ୍ଦ୍ର କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରୀ ଶ୍ରୀ ଅନୁରାଗ ସିଂହ ଠାକୁର ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି । ଷଡବିଂଶ (୨୬ତମ) ଜାତୀୟ ଯୁବ ଉତ୍ସବ ଏଥର କର୍ଣ୍ଣାଟକର ଧାରୱାଡ ଜିଲ୍ଲା ଅନ୍ତର୍ଗତ ହୁବୁଲିଠାରେ ଆୟୋଜିତ ହେଉଛି । ସ୍ୱାମିଜୀଙ୍କ ଜୟନ୍ତୀ ଜାନୁୟାରୀ ୧୨ରୁ ଏହା ଆରମ୍ଭ ହୋଇ ୧୬ତାରିଖ ପର୍ଯ୍ୟନ୍ତ ଚାଲିବ । ଏହି ଉତ୍ସବ କେନ୍ଦ୍ର କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରଣାଳୟ ଦ୍ୱାରା ଆୟୋଜିତ ହେଉଛି । କର୍ଣ୍ଣାଟକ ସରକାର ଏହି କାର୍ଯ୍ୟକ୍ରମ ଆୟୋଜନରେ ସହାୟତା ଯୋଗାଉଛନ୍ତି ।

ମନ୍ତ୍ରୀ ଶ୍ରୀ ଅନୁରାଗ ସିଂହ ଠାକୁର କହିଛନ୍ତି ଯେ ଆମେ ଏବେ ଆଜାଦିର ଅମୃତ ମହୋତ୍ସବ ପାଳନ କରୁଛୁ । ଏହି ଅମୃତ କାଳରେ ଯୁବ ସମାଜର ଭୂମିକାକୁ ବଢାଇ ସେମାନଙ୍କୁ ରାଷ୍ଟ୍ର ନିର୍ମାଣ ଦିଗରେ ବ୍ରତୀ କରିବା ଏହି ଉତ୍ସବର ଲକ୍ଷ୍ୟ । ଅତଏବ ଏହି ଅବସରରେ ପ୍ରଧାନମନ୍ତ୍ରୀଙ୍କ  ପଞ୍ଚପ୍ରାଣବାର୍ତ୍ତା  ଯୁବବର୍ଗଙ୍କ ମଧ୍ୟରେ ପ୍ରଚାର ଓ ପ୍ରସାର କରିବା ପାଇଁ ଉଦ୍ୟମ କରାଯାଉଛି । ଏ ସମ୍ପର୍କରେ ଅଧିକ ତଥ୍ୟ ପ୍ରଦାନ କରି ସେ କହିଛନ୍ତି ଯେ ଚଳିତବର୍ଷ ଭାରତ ଜି-୨୦ ଅଧ୍ୟକ୍ଷ ପଦ ଗ୍ରହଣ କରିଛି । ଏହା ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଏକ ଗର୍ବ ଓ ଗୌରବର ବିଷୟ । ଏଥିପାଇଁ କ୍ରୀଡା ଓ ଯୁବ ସେବା ମନ୍ତ୍ରଣାଳୟ ପକ୍ଷରୁ ଦେଶ ବ୍ୟାପୀ ୱାଇ ଟକ୍ସଆୟୋଜନ କରାଯାଉଛି । ଏଥିରେ ଜି-୨୦ର ଯୁବ -୨୦ ବା ୟୁଥ-୨୦ କାର୍ଯ୍ୟକ୍ରମ ଗୁରୁତ୍ୱ ପାଇବ । ଜାତୀୟ ଯୁବ ଉତ୍ସବ ୱାଇ-୨୦ କାର୍ଯ୍ୟକ୍ରମରେ ଦେଶବ୍ୟାପୀ ଯୁବକଯୁବତୀମାନଙ୍କୁ  ନିୟୋଜିତ କରିବାର ପ୍ରକ୍ରିୟା ଆରମ୍ଭ କରିବ । ଏଥିରେ ୱାଇ-୨୦ର ବିଷୟବସ୍ତୁ ସମ୍ପର୍କରେ ଯୁବ ସମାଜକୁ ସଚେତନ  କରାଯିବ । ଏହି ସଚେତନତା ବାର୍ତ୍ତାକୁ ଦେଶର କୋଣ ଅନୁକୋଣରେ ପହଂଚାଇବାକୁ ଉଦ୍ୟମ ହେବ ।

 ମନ୍ତ୍ରୀ ଶ୍ରୀ ଠାକରୁ କହିଛନ୍ତି ଯେ ଏହି ଯୁବ ଉତ୍ସବ ଏକ ସବୁଜ ମହୋତ୍ସବ ଭାବେ ମଧ୍ୟ ପାଳିତ ହେବାକୁ ଯାଉଛି। ଏଥିରେ ବ୍ୟବହୃତ ସମସ୍ତ ସାମଗ୍ରୀ ଜୈବିକ ଉପାୟରେ ନଷ୍ଟ ହେବା ଯୋଗ୍ୟ । ଏହା ଦ୍ୱାରା  ପରିବେଶ ପ୍ରଦୂଷଣର ଅବକାଶ ରହିବ ନାହିଁ । ଏଥିରେ ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ମିଶନ ଲାଇଫଏବଂ ସବୁଜ ଇନ୍ଧନ ଉପରେ ଅଗ୍ରାଧିକାର ପ୍ରଦାନ କରାଯିବ ।

 ୨୬ତମ ଜାତୀୟ ଯୁବ ଉତ୍ସବ କାର୍ଯ୍ୟକ୍ରମର ସବିଶେଷ ବିବରଣୀ ପ୍ରଦାନ କରି କେନ୍ଦ୍ର ଯୁବସେବା ବିଭାଗର ସଚିବ ଶ୍ରୀମତୀ ମିତା ଆର୍ ଲୋଚନ କହିଛନ୍ତି ଯେ କେନ୍ଦ୍ର କ୍ରୀଡା ଓ ଯୁବ ସେବା ମନ୍ତ୍ରଣାଳୟ କର୍ଣ୍ଣାଟକର ଧାରୱାଡ୍ ଜିଲ୍ଲା ଅନ୍ତର୍ଗତ ହୁବୁଲିରେ ଏହାକୁ ଆୟୋଜନ କରୁଛି । କର୍ଣ୍ଣାଟକ ସରକାର ଏଥିପାଇଁ ସହାୟତା ଯୋଗାଉଛନ୍ତି । ପ୍ରଧାନମନ୍ତ୍ରୀ ଏହାକୁ ଉଦ୍‌ଘାଟନ କରି ଉପସ୍ଥିତ ଯୁବବର୍ଗଙ୍କ ସହିତ ନିଜର ଲକ୍ଷ୍ୟକୁ ବାଣ୍ଟିବେ । ଏହି ଅନୁପମ ପାଞ୍ଚ ଦିନିଆ କାର୍ଯ୍ୟକ୍ରମରେ ଦେଶର ବିଭିନ୍ନ ପ୍ରାନ୍ତରୁ ୭୫୦୦ରୁ ଅଧିକ ଯୁବ ପ୍ରତିନିଧି ନାନାପ୍ରକାର ଶିକ୍ଷଣ କାର୍ଯ୍ୟରେ ଭାଗନେବେ । ଏହି ପ୍ରତିନିଧିମାନେ  ନିଜ ନିଜ କ୍ଷେତ୍ରରେ ପ୍ରତିଷ୍ଠିତ ଏବଂ ନେତୃତ୍ୱ ଦେଉଛନ୍ତି । ଚଳିତବର୍ଷ ଉତ୍ସବର ବିଷୟବସ୍ତୁ ହେଲା ବିକଶିତ ଯୁବ ଶକ୍ତି, ବିକଶିତ ଭାରତ ।

ଏହି ଉତ୍ସବର କାର୍ଯ୍ୟକ୍ରମରେ ଛାତ୍ର କୈନ୍ଦ୍ରିକ ଶାସନ ଓ ଡିଜିଟାଲ ଇଣ୍ଡିଆ ଉପରେ ଆଲୋଚନା, ଦୁଃସାହସିକ କ୍ରୀଡା, ବିଭିନ୍ନ ରାଜ୍ୟର ପାରମ୍ପରିକ କ୍ରୀଡା, ପ୍ରତିଯୋଗିତାମୂଳକ ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରଦର୍ଶନ, ଲୋକସଙ୍ଗୀତ ଗାୟନ ଆଦି ସ୍ଥାନ ପାଇଛି ।

ଏଥିପାଇଁ ବିଭିନ୍ନ ରାଜ୍ୟରୁ ଯୁବ କଳାକାର ଗୋଷ୍ଠୀଙ୍କୁ ମଧ୍ୟ ନିମନ୍ତ୍ରଣ କରାଯାଇଛି । ଏହାଛଡା ଏହି ପାଞ୍ଚଦିନିଆ କାର୍ଯ୍ୟକ୍ରମର ସାମାଜିକ ବିକାଶ ମେଳା ଯୁବକୃତି, ଦୁଃସାହସିକ ଉତ୍ସବ, ସୁବିଚାର, ଯୁବ କଳାକାର ଶିବିର ଆଦି ସ୍ଥାନ ପାଇଛି ।

ଯୁବ ଶିଖର ସମ୍ମିଳନୀରେ ଏକ ବିଂଶ ଶତାବ୍ଦୀର ଦକ୍ଷତା, ଜଳବାୟୁ  ପରିବର୍ତ୍ତନ ଓ ବିପର୍ଯ୍ୟୟ ହ୍ରାସ, ଶାନ୍ତି ପ୍ରତିଷ୍ଠା ଓ ବୁଝାମଣା, ଗଣତନ୍ତ୍ର ଓ ଶାସନରେ ଯୁବ ସମାଜର ଭୂମିକା, ସ୍ୱାସ୍ଥ୍ୟ ଏବଂ ନିରାମୟ ଜୀବନ ଆଦି ପ୍ରସଙ୍ଗ ସ୍ଥାନିତ ହୋଇଛି । ଏହା ଉପରେ ଆଲୋଚନା କରାଯିବ । ଉତ୍ସବର ଅନେକ କାର୍ଯ୍ୟକ୍ରମର ସିଧାସଳଖ ପ୍ରସାରଣ କରାଯାଇ ଦେଶର ବିଭିନ୍ନ ଅଞ୍ଚଳର ଯୁବକଯୁବତୀଙ୍କ ପାଖରେ ପହଞ୍ଚାଯିବ । ସେମାନେ ପରୋକ୍ଷ ଭାବେ ଏହି ଉତ୍ସବ ସହିତ ଯୋଡି ହୋଇପାରିବେ ।   ଚଳିତବର୍ଷର ଉତ୍ସବଟିକୁ ସବୁଜ ଯୁବ ଉତ୍ସବ ଭାବେ ପାଳନ କରାଯାଉଛି । ଏଥିରେ କୌଣସି ପ୍ରଦୂଷଣକାରୀ ସାମଗ୍ରୀ ବ୍ୟବହାର କରାଯିବ ନାହିଁ ।

ଜାନୁୟାରୀ ୧୫ରେ ସକାଳ ଛରୁ ଆଠ ମଧ୍ୟରେ ଯୋଗଥନ୍‌ର ପରିକଳ୍ପନା କରାଯାଇଛି । ଏଥିରେ କର୍ଣ୍ଣାଟକର ୩୧ଟି ଜିଲ୍ଲାରୁ ୫ଲକ୍ଷ ଲୋକଙ୍କୁ ସାମିଲ କରିବାକୁ ଉଦ୍ୟମ କରାଯାଉଛି ।

 

*****

TKM/SLP



(Release ID: 1890137) Visitor Counter : 131