ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ

ଦେଶରେ ଉଲ୍ଲେଖନୀୟ ଭାବେ ହ୍ରାସ ପାଇଲା ମାତୃ ମୃତ୍ୟୁ ହାର


କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ସୂଚନା : ୨୦୧୪-୧୬ରେ ପ୍ରତି ଏକ ଲକ୍ଷ ସନ୍ତାନ ଜୀବିତ ପ୍ରସବ ମାମଲାରେ ମାତୃ ମୃତ୍ୟୁ ହାର (ଏମଏମଆର) ୧୩୦ ଥିଲା; ଏହା ତୁଳନାରେ ୨୦୧୮-୨୦ରେ ଏମଏମଆର ୯୭କୁ ହ୍ରାସ

ଏମଏମଆର ପାଇଁ ଜାତୀୟ ସ୍ୱାସ୍ଥ୍ୟ ନୀତି (ଏନଏଚପି) ଲକ୍ଷ୍ୟ ହାସଲ କଲା ଭାରତ

ଏମଏମଆର ପାଇଁ ଦୀର୍ଘସ୍ଥାୟୀ ବିକାଶ ଲକ୍ଷ୍ୟ (ଏସଡିଜି) ହାସଲ କଲେ ୮ ରାଜ୍ୟ

Posted On: 30 NOV 2022 11:53AM by PIB Bhubaneshwar

ସାର୍ବଜନୀନ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଭାରତ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ଉପଲବ୍ଧି ହାସଲ କରିଛି। ଦେଶରେ ମାତୃ ମୃତ୍ୟୁ ହାର (ଏମଏମଆର) ଅନୁପାତରେ ଉଲ୍ଲେଖନୀୟ ହ୍ରାସ ଦେଖିବାକୁ ମିଳିଛି । ଏହି ଉପଲବ୍ଧି ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡଭ୍ୟ ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ମାତୃ ମୃତ୍ୟୁ ହାର (ଏମଏମଆର)କୁ ଉଲ୍ଲେଖନୀୟ ଭାବେ ହ୍ରାସ କରିବାରେ ଦେଶ ସଫଳ ହୋଇଥିବାରୁ ଡକ୍ଟର ମାଣ୍ଡଭ୍ୟ ଏକ ଟୁଇଟରେ କହିଛନ୍ତି ଯେ :

ପ୍ରତି ଏକ ଲକ୍ଷ ଜୀବିତ ସନ୍ତାନ ପ୍ରସବ ମାମଲାରେ ଏମଏମଆର ହାର ୨୦୧୪-୧୬ରେ ୧୩୦ ଥିଲା, ଯାହାକି ୨୦୧୮-୨୦ ଅବଧିରେ ୯୭କୁ ହ୍ରାସ ପାଇଛି । ଉନ୍ନତ ମାନର ମାତୃ ଓ ପ୍ରଜନନ ସ୍ୱାସ୍ଥ୍ୟ ସେବା ସୁନିଶ୍ଚିତ କରିବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସରକାର ବିଭିନ୍ନ ସ୍ୱାସ୍ଥ୍ୟସେବା ଯୋଜନା କାର୍ଯ୍ୟକାରୀ କରିଥିବାରୁ ଏମଏମଆର ସ୍ତର ହ୍ରାସ ପାଇଛି ।

ରେଜିଷ୍ଟ୍ରାର ଜେନେରାଲ ଅଫ୍‌ ଇଣ୍ଡିଆ (ଆରଜିଆଇ) ପକ୍ଷରୁ ଜାରି ହୋଇଥିବା ସଦ୍ୟତମ ସ୍ୱତନ୍ତ୍ର ଏମଏମଆର ବୁଲେଟିନରୁ ଜଣାପଡ଼ିଛି ଯେ, ଭାରତରେ ମାତୃ ମୃତ୍ୟୁ ହାର (ଏମଏମଆର)ରେ ଉଲ୍ଲେଖନୀୟ ସୁଧାର ଆସିଛି । ଏମଏମଆର ଅନୁପାତରେ ୬ ପଏଣ୍ଟ ସୁଧାର ସହିତ ବର୍ତ୍ତମାନ ପ୍ରତି ୧ ଲକ୍ଷ ଜୀବନ୍ତ ସନ୍ତାନ ପ୍ରସବ ମାମଲାରେ ପ୍ରସୂତୀ ମା’ଙ୍କ ମୃତ୍ୟୁ ହାର ୯୭କୁ ହ୍ରାସ ପାଇଛି । ପ୍ରତି ୧ ଲକ୍ଷ ଜୀବିତ ସନ୍ତାନ ପ୍ରସବ ଅବଧି ସମୟରେ ମା’ମାନଙ୍କର ମୃତ୍ୟୁ ଅନୁପାତକୁ ନେଇ ମାତୃ ମୃତ୍ୟୁ ହାର (ଏମଏମଆର) ଗଣନା କରାଯାଇଥାଏ।

ନମୁନା ପଞ୍ଜିକରଣ ପ୍ରଣାଳୀ (ଏସଆରଏସ) ଠାରୁ ମିଳିଥିବା ପରିସଂଖ୍ୟାନ ଅନୁଯାୟୀ, ଦେଶରେ ମାତୃ ମୃତ୍ୟୁ ହାର ୨୦୧୪-୨୦୧୬ରେ ୧୩୦ ଥିବା ବେଳେ ଏହା ୨୦୧୫-୧୭ରେ ୧୨୨କୁ ହ୍ରାସ ପାଇଥିଲା। ପରେ ଏହା ୨୦୧୬-୧୮ରେ ୧୧୩, ୨୦୧୭-୧୯ରେ ୧୦୩ ଏବଂ ୨୦୧୮-୨୦ରେ ୯୭କୁ ହ୍ରାସ ପାଇଥିଲା।

ତଥ୍ୟ ୧ : ୨୦୧୩-୨୦୨୦ରେ ଏମଏମଆର ଅନୁପାତରେ ପ୍ରଗତିଶୀଳ ହ୍ରାସ

 

 

 

 

ଏହି ସଫଳତା ସହିତ, ଭାରତ ପ୍ରତି ୧ ଲକ୍ଷ ଜୀବନ୍ତ ସନ୍ତାନ ପ୍ରସବରେ ମାତୃ ମୃତ୍ୟୁ ହାରକୁ ୧୦୦କୁ ହ୍ରାସ କରିବା ଲାଗି ଜାତୀୟ ସ୍ୱାସ୍ଥ୍ୟ ନୀତି (ଏନଏଚପି)ର ଲକ୍ଷ୍ୟ ହାସଲରେ ସଫଳ ହୋଇଛି । ୨୦୩୦ ସୁଦ୍ଧା ପ୍ରତି ୧ ଲକ୍ଷ ଜୀବନ୍ତ ସନ୍ତାନ ପ୍ରସବରେ ମାତୃ ମୃତ୍ୟୁ ହାରକୁ ୭୦କୁ କମାଇବା ଲାଗି ଏସଡିଜି ବିକାଶ ଲକ୍ଷ୍ୟ ହାସଲ ଦିଗରେ ଠିକଣା ପଥରେ ରହିଛି ।

ଅନ୍ୟପଟେ ମାତୃ ମୃତ୍ୟୁ ହାର କମାଇବା କ୍ଷେତ୍ରରେ ଦୀର୍ଘ ସ୍ଥାୟୀ ବିକାଶ ଲକ୍ଷ୍ୟ (ଏସଡିଜି) ଟାର୍ଗେଟ ପୂରଣ କରିଥିବା ରାଜ୍ୟଗୁଡ଼ିକର ସଂଖ୍ୟା ୬ରୁ ଆଠକୁ ବୃଦ୍ଧି ପାଇଛି । ପ୍ରଥମ ସ୍ଥାନରେ କେରଳ (ଏମଏମଆର ୧୯) ରହିଛି । ଏହାପଛକୁ ମହାରାଷ୍ଟ୍ର (୩୩), ତେଲଙ୍ଗାନା (୪୩), ଆନ୍ଧ୍ର ପ୍ରଦେଶ (୪୫), ତାମିଲନାଡ଼ୁ (୫୪), ଝାଡ଼ଖଣ୍ଡ (୫୬), ଗୁଜରାଟ (୫୭) ଏବଂ କର୍ଣ୍ଣାଟକ (୬୯) ରହିଛନ୍ତି ।

୨୦୧୪ ପରଠାରୁ ଜାତୀୟ ସ୍ୱାସ୍ଥ୍ୟ ମିଶନ (ଏନଏଚଏମ) ଅଧୀନରେ ଉନ୍ନତ ମାନର ମାତୃ ଓ ନବଜାତ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ଏବଂ ମାତୃ ମୃତ୍ୟୁ ସଂଖ୍ୟା କମାଇବା ଦିଗରେ ଦୃଢ଼ ପଦକ୍ଷେପ ଗ୍ରହଣ କରାଯାଇଛି । ସ୍ୱାସ୍ଥ୍ୟ ସେବା ବ୍ୟବସ୍ଥା, ବିଶେଷ କରି ମାତୃ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରରମକୁ ପ୍ରଭାବୀ ଢଙ୍ଗରେ କାର୍ଯ୍ୟକାରୀ କରିବା ଲାଗି ଏନଏଚଏମ ଅଧୀନରେ ଉଲ୍ଲେଖନୀୟ ନିବେଶ କରାଯାଇଛି। ଫଳରେ ଏମଏମଆର ଅନୁପାତ ହ୍ରାସରେ ସହାୟତା ମିଳିଛି । ଜନନୀ ଶିଶୁ ସୁରକ୍ଷା କାର୍ଯ୍ୟକ୍ରମ ଏବଂ ଜନନୀ ସୁରକ୍ଷା ଯୋଜନା ଭଳି ସରକାରୀ କାର୍ଯ୍ୟକ୍ରମ ସ୍ୱାସ୍ଥ୍ୟ ସେବାରେ ସୁଧାର ଆଣିଛି । ସୁରକ୍ଷିତ ମାତୃତ୍ୱ ଆଶ୍ବାସନ (ସୁମନ), ପ୍ରଧାନମନ୍ତ୍ରୀ ସୁରକ୍ଷିତ ମାତୃତ୍ୱ ଅଭିଯାନ ଭଳି କାର୍ଯ୍ୟକ୍ରମ ମା’ମାନଙ୍କୁ ସମ୍ମାନଜନକ ସ୍ୱାସ୍ଥ୍ୟ ସୁବିଧା ଯୋଗାଇ ଦେଇଛି । ଫଳରେ ଏମଏମଆର ଅନୁପାତ ହ୍ରାସରେ ସହାୟତା ମିଳିଛି ।

 

******

P.S.



(Release ID: 1879944) Visitor Counter : 256