ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଗୁଜରାଟ ରୋଜଗାର ମେଳାରେ ପ୍ରଧାନମନ୍ତ୍ରୀଙ୍କ ଉଦ୍‌ବୋଧନ


ବର୍ଷକ ମଧ୍ୟରେ ୩୫ହଜାର ପଦବୀ ପୂରଣ ଲାଗି ଗୁଜରାଟର ଲକ୍ଷ୍ୟ

କେନ୍ଦ୍ର ସରକାର ୧୦ଲକ୍ଷ ନିଯୁକ୍ତି ଦେବା ଦିଗରେ କାର୍ଯ୍ୟ କରୁଛନ୍ତି

Posted On: 29 OCT 2022 12:45PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ୨୧୯.୧୦.୨୦୨୨) ଭିଡିଓ ବାର୍ତ୍ତା ଜରିଆରେ ଗୁଜରାଟ ରୋଜଗାର ମେଳାରେ ଅଭିଭାଷଣ ପ୍ରଦାନ କରିଛନ୍ତି । ପ୍ରଧାନମନ୍ତ୍ରୀ ବିଭିନ୍ନ ଶ୍ରେଣୀରେ ନିଯୁକ୍ତିପତ୍ର ହାସଲ କରିଥିବା ହଜାର ହଜାର ଯୁବ ପ୍ରାର୍ଥୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ ଧନତେରାସ ଭଳି ପବିତ୍ର ଦିବସରେ କିପରି ଜାତୀୟ ସ୍ତରରେ ୭୫ହଜାର ପ୍ରାର୍ଥୀଙ୍କୁ ନିଯୁକ୍ତିପତ୍ର ବାଣ୍ଟିଥିଲେ ତାହାର ସ୍ମୃତିଚାରଣ କରିଥିଲେ । ଧନତେରାସ ଦିନ ହିଁ ପ୍ରଧାନମନ୍ତ୍ରୀ ଏପରି ରୋଜଗାର ମେଳା ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଆୟୋଜିତ ହେବ ବୋଲି କହିଥିଲେ । ଗୁଜରାଟ ଏ ଦିଗରେ ତ୍ୱରିତ ପଦକ୍ଷେପ ନେବା ଯୋଗୁଁ ଆଜି ୫୦୦୦ ପ୍ରାର୍ଥୀ ଗୁଜରାଟ ପଞ୍ଚାୟତ ସେବା ବୋର୍ଡରୁ ନିଯୁକ୍ତି ପତ୍ର ଗ୍ରହଣ କରୁଥିବାବେଳେ, ଗୁଜରାଟ ସବ୍‌ଇନ୍ସିପେକ୍ଟର ନିଯୁକ୍ତି ବୋର୍ଡ ଓ ଲୋକରକ୍ଷକ ନିଯୁକ୍ତି ବୋର୍ଡରୁ ଆଠହଜାର ପ୍ରାର୍ଥୀ ନିଯୁକ୍ତି ପତ୍ର ଗ୍ରହଣ କରିଛନ୍ତି । ଏହିପରି ଦ୍ରୁତ ପଦକ୍ଷେପ ଦେଇଥିବାରୁ ପ୍ରଧାନମନ୍ତ୍ରୀ ଗୁଜରାଟ ମୁଖ୍ୟମନ୍ତ୍ରୀ ଓ ତାଙ୍କ ଦଳର ସଦସ୍ୟଙ୍କୁ ସାଧୁବାଦ ଜଣାଇଥିଲେ । ପ୍ରଧାନମନ୍ତ୍ରୀ ଜଣାଇଥିଲେ ନିକଟରେ ଗୁଜରାଟରେ ହଜାର ହଜାର ଯୁବକ ଯୁବତୀଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରାଯାଇଛି ଓ ବର୍ଷକ ମଧ୍ୟରେ ୩୫ହଜାର ପଦବୀ ପୂରଣ କରିବା ଲକ୍ଷ୍ୟ ଦିଗରେ କାର୍ଯ୍ୟ ଆରମ୍ଭ ହୋଇଯାଇଛି । 

ଗୁଜରାଟରେ ନିଯୁକ୍ତି ଓ ଆତ୍ମନିଯୁକ୍ତି ସୁଯୋଗ ସୃଷ୍ଟି କରିଥିବା ଶ୍ରେୟ ପ୍ରଧାନମନ୍ତ୍ରୀ ରାଜ୍ୟର ନୂତନ ଶିଳ୍ପ ନୀତିକୁ ଦେଇଥିଲେ । ସେ ଡିଜିଟାଲ ପ୍ଲାଟଫର୍ମ ଓଜା ଓ ତୃତୀୟ ଏବଂ ଚତୁର୍ଥ ଶ୍ରେଣୀ ପଦବୀ ନିମନ୍ତେ ସାକ୍ଷାତକାର ବ୍ୟବସ୍ଥା ଉଚ୍ଛେଦ ନୀତିରେ ପ୍ରଶଂସା କରିଥିଲେ ।

 ସେ କହିଥିଲେ ଯେ ଅନୁସନ୍ଧାନ ମୋବାଇଲ ଆପ୍ ଓ ନିଯୁକ୍ତି ୱେବ ପୋର୍ଟାଲ ଯୋଗୁ କର୍ମନିଯୁକ୍ତି ଅନୁସନ୍ଧାନକାରୀଙ୍କ ପାଇଁ ଅନେକ ସୁବିଧା ହୋଇଛି । ଏହି ଆପ୍ ବଳରେ ନିଯୁକ୍ତି ପ୍ରଦାନ କାରୀ ଓ ନିଯୁକ୍ତି ଅପେକ୍ଷାରେ ପ୍ରାର୍ଥୀଙ୍କ ମଧ୍ୟରେ ଯୋଗସୂତ୍ର ସ୍ଥାପନ ହୋଇପାରୁଛି । ସେହିଭଳି ଗୁଜରାଟ ଲୋକସେବା ଆୟୋଗଙ୍କ ଦ୍ୱାରା ତ୍ୱରିତ ନିଯୁକ୍ତି ପ୍ରକ୍ରିୟା ମଧ୍ୟ ଜାତୀୟସ୍ତରରେ ପ୍ରଶଂସା ଭାଜନ ହୋଇଛି । 

 ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏ ପ୍ରକାର ରୋଜଗାର ମେଳା ଆଗାମୀ ଦିନରେ ଉଭୟ ଜାତୀୟ ଓ ରାଜ୍ୟସ୍ତରରେ ଆୟୋଜିତ ହେବ । କେନ୍ଦ୍ର ସରକାର ୧୦ଲକ୍ଷ ନିଯୁକ୍ତି ଦେବା ନେଇ କାର୍ଯ୍ୟ କରୁଥିବାବେଳେ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ମଧ୍ୟ ଏହି ଅଭିଯାନରେ ସାମିଲ ହେଉଥିବାରୁ ଏହି ସଂଖ୍ୟା ଆହୁରି ବୃଦ୍ଧି ପାଇବ । “ଏହା ବ୍ୟାପକ ଭାବେ ଅଭିଯାନକୁ ତ୍ୱରାନ୍ୱିତ କରି ସରକାରୀ ଯୋଜନାର ପୂର୍ଣ୍ଣତା ଦିଗରେ ସହାୟକ ହେବ’ ବୋଲି ସେ କହିଥିଲେ । 

୨୦୪୭ ସୁଦ୍ଧା ଦେଶକୁ ଉନ୍ନତ ରାଷ୍ଟ୍ରର ମାନ୍ୟତା ଦେବାକୁ ଏହି ଯୁବପିଢି ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବେ । ଏହା ସହ ପ୍ରଧାନମନ୍ତ୍ରୀ ସେମାନଙ୍କୁ ଦେଶ ତଥା ସମାଜ ପ୍ରତି ସେମାନଙ୍କ କର୍ତ୍ତବ୍ୟ ପାଳନ କରିବାକୁ ଆହ୍ୱାନ ଦେଇଥିଲେ । ସେ ସେମାନଙ୍କୁ ଅଧିକ ଶିଖିବା ଓ କୌଶଳ ବିକାଶ ପାଇଁ କାର୍ଯ୍ୟ କରିବାକୁ ପରାମର୍ଶ ଦେବା ସହ ଚାକିରି ପାଇବା ପରେ ସେମାନଙ୍କ ଅଭିବୃଦ୍ଧି ଶେଷ ହୋଇଗଲା ବୋଲି ଭାବିବା ଅନୁଚିତ ବୋଲି କହିଥିଲେ । “ଏହା ଆପଣ ମାନଙ୍କ ପାଇଁ ଅନେକ ଦ୍ୱାରା ଖୋଲିବ । ଉତ୍ସର୍ଗୀକୃତ ମନୋଭାବ ନେଇ କର୍ତ୍ତବ୍ୟ ସମ୍ପାଦନ କଲେ ଏହା ଆପଣମାନଙ୍କୁ ପ୍ରବଳ ଆତ୍ମସନ୍ତୋଷ ପ୍ରଦାନ କରିବା ସହ ପ୍ରଗତିର ଦ୍ୱାର ମଧ୍ୟ ଉନ୍ମୁକ୍ତ କରିବ କହି ପ୍ରଧାନମନ୍ତ୍ରୀ ତାଙ୍କ ବକ୍ତବ୍ୟ ସମାପନ କରିଥିଲେ ।

 

*****

SM/SLP



(Release ID: 1871826) Visitor Counter : 155