ସ୍ଵରାଷ୍ଟ୍ର ବ୍ୟାପାର ମନ୍ତ୍ରଣାଳୟ

27 ଓ 28 ଅକ୍ଟୋବର, 2022 ରେ ହରିୟାଣାର ସୁରଜକୁଣ୍ଡରେ ରାଜ୍ୟ ‘ଗୃହ ମନ୍ତ୍ରୀମାନଙ୍କର ଚିନ୍ତନ ଶିବିର’ ରେ ଅଧ୍ୟକ୍ଷତା କରିବେ କେନ୍ଦ୍ର ଗୃହ ଏବଂ ସମବାୟ ମନ୍ତ୍ରୀ ଶ୍ରୀ ଅମିତ୍ ଶାହ


28 ଅକ୍ଟୋବର, 2022 ରେ ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ଚିନ୍ତନ ଶିବିରକୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ

ଚିନ୍ତନ ଶିବିରରେ ରାଜ୍ୟର ଗୃହ ମନ୍ତ୍ରୀ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ମାନଙ୍କର ଉପରାଜ୍ୟପାଳ ଏବଂ ପ୍ରଶାସକ ଭାଗ ନେବେ

ଚିନ୍ତନ ଶିବିର ଉଦ୍ଦେଶ୍ୟ ହେଉଛି ‘ଭିଜନ୍ 2047’ ଏବଂ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ସ୍ବତନ୍ତ୍ରତା ଦିବସ ଭାଷଣରେ ଘୋଷିତ ପଞ୍ଚ ପ୍ରାଣର କାର୍ଯ୍ୟକାରୀତା ପାଇଁ ଯୋଜନା ପ୍ରସ୍ତୁତ କରିବା

ଶିବିରରେ ସାଇବର ଅପରାଧ ପରିଚାଳନା ପାଇଁ ଇକୋ-ସିଷ୍ଟମ ବିକାଶ, ପୁଲିସ୍ ବଳର ଆଧୁନିକୀକରଣ, ଅପରାଧିକ ନ୍ୟାୟ ପ୍ରଣାଳୀରେ ଆଇ.ଟି.ର ବ୍ୟବହାର, ଭୂମି ସୀମା ପରିଚାଳନା ଏବଂ ଉପକୂଳ ସୁରକ୍ଷା ଓ ଆଭ୍ୟନ୍ତରୀଣ ସୁରକ୍ଷା ସମ୍ବନ୍ଧିତ ଅନ୍ୟ ବିଷୟ ଉପରେ ଆଲୋଚନା କରାଯିବ

ବର୍ଷ ‘2047 ସୁଦ୍ଧା ବିକଶିତ ଭାରତ’ ର ଲକ୍ଷ୍ୟ ପ୍ରାପ୍ତ କରିବା ପାଇଁ ନାରୀ ଶକ୍ତିଙ୍କର ଭୂମିକା ମହତ୍ତ୍ବପୂର୍ଣ୍ଣ, ଚିନ୍ତନ ଶିବିରରେ ଦେଶରେ ମହିଳାମାନଙ୍କ ସୁରକ୍ଷା ଏବଂ ତାଙ୍କ ପାଇଁ ସୁରକ୍ଷିତ ବାତାବରଣ ସୃଷ୍ଟି କରିବାରେ ବିଶେଷ ଧ୍ୟାନ ଦିଆଯିବ

ଚିନ୍ତନ ଶିବିରର ଉଦ୍ଦେଶ୍ୟ ଉପରୋକ୍ତ କ୍ଷେତ୍ରରେ ଜାତୀୟ ନୀତି ନିର୍ମାଣ ଏବଂ ଉନ୍ନତ ଯୋଜନା ଏବଂ ସମନ୍ବୟକୁ ସୁଗମ କରିବା ଅଟେ

ଶିବିରର ପ୍ରଥମ ଦିନ ହୋମଗାର୍ଡ଼, ନାଗରିକ ସୁରକ୍ଷା, ଅଗ୍ନିରୁ ସୁରକ୍ଷା, ଶତ୍ରୁ ସମ୍ପତ୍ତି ପରି ବିଷୟ

Posted On: 26 OCT 2022 1:18PM by PIB Bhubaneshwar

କେନ୍ଦ୍ର ଗୃହ ଓ ସମବାୟ ମନ୍ତ୍ରୀ ଶ୍ରୀ ଅମିତ୍ ଶାହ 27 ଓ 28 ଅକ୍ଟୋବର 2022 ରେ ହରିୟାଣାର ସୁରଜକୁଣ୍ଡରେ ବିଭିନ୍ନ ରାଜ୍ୟର ‘ଗୃହ ମନ୍ତ୍ରୀମାନଙ୍କର ଚିନ୍ତନ ଶିବିର’ ରେ ଅଧ୍ୟକ୍ଷତା କରିବେ। ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ 28, ଅକ୍ଟୋବର 2022 ରେ ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ଚିନ୍ତନ ଶିବିରକୁ ସମ୍ବୋଧିତ କରିବେ। 

ଦୁଇ ଦିନିଆ ଚିନ୍ତନ ଶିବିରରେ ଭାଗ ନେବା ପାଇଁ ସମସ୍ତ ରାଜ୍ୟର ଗୃହ ମନ୍ତ୍ରୀ ଏବଂ ସଂଘଶାସିତ ପ୍ରଦେଶର ଉପରାଜ୍ୟପାଳ ଏବଂ ପ୍ରଶାସକଙ୍କୁ ଆମନ୍ତ୍ରିତ କରାଯାଇଛି। ରାଜ୍ୟର ଗୃହ ସଚିବ, ପୁଲିସ୍ ମହାନିର୍ଦ୍ଦେଶକ ଏବଂ କେନ୍ଦ୍ରୀୟ ସଶସ୍ତ୍ର ପୁଲିସବଳ ଏବଂ କେନ୍ଦ୍ରୀୟ ପୁଲିସ୍ ସଙ୍ଗଠନର ମହାନିର୍ଦ୍ଦେଶକ ମଧ୍ୟ ଚିନ୍ତନ ଶିବିରରେ ଭାଗ ନେବେ। 

ଦୁଇ ଦିନର ଏହି ଚିନ୍ତନ ଶିବିରର ଉଦ୍ଦେଶ୍ୟ ହେଉଛି ‘‘ଭିଜନ୍ 2047’’ ଏବଂ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ସ୍ବତନ୍ତ୍ରତା ଦିବସ ଭାଷଣରେ ଘୋଷିତ ପଞ୍ଚପ୍ରାଣର କାର୍ଯ୍ୟକାରୀ କରିବା ପାଇଁ କାର୍ଯ୍ୟ ଯୋଜନା ପ୍ରସ୍ତୁତ କରିବା। ଗୃହ ମନ୍ତ୍ରୀଙ୍କ ଚିନ୍ତନ ଶିବିରରେ ସାଇବର ଅପରାଧ ପରିଚାଳନା ପାଇଁ ଇକୋ-ସିଷ୍ଟମ ବିକଶିତ କରିବା, ପୁଲିସ୍ ବଳର ଆଧୁନିକିକରଣ, ଆପରାଧିକ ନ୍ୟାୟ ପ୍ରଣାଳୀରେ ଆଇ.ଟିର ବଢ଼ୁଥିବା ବ୍ୟବହାର, ଭୂମି ସୀମା ପରିଚାଳନା ଏବଂ ଉପକୂଳ ସୁରକ୍ଷା ଏବଂ ଅନ୍ୟ ଆଭ୍ୟନ୍ତରୀଣ ସୁରକ୍ଷା ସମ୍ବନ୍ଧିତ ବିଷୟରେ ଚିନ୍ତନ କରାଯିବ। ବର୍ଷ ‘2047 ସୁଦ୍ଧା ବିକଶିତ ଭାରତ’ ର ଲକ୍ଷ୍ୟକୁ ପ୍ରାପ୍ତ କରିବା ପାଇଁ ନାରୀ ଶକ୍ତିର ଭୂମିକା ମହତ୍ତ୍ବପୂର୍ଣ୍ଣ ଅଟେ ଏବଂ ଚିନ୍ତନ ଶିବିରରେ ଦେଶର ମହିଳାଙ୍କ ସୁରକ୍ଷା ଏବଂ ତାଙ୍କ ପାଇଁ ସୁରକ୍ଷିତ ପରିବେଶ ସୃଷ୍ଟି କରିବାରେ ବିଶେଷ ଗୁରୁତ୍ବ ପ୍ରଦାନ କରାଯିବ। ଶିବିରର ଉଦ୍ଦେଶ୍ୟ ଉପରୋକ୍ତ କ୍ଷେତ୍ରରେ ରାଷ୍ଟ୍ରୀୟ ନୀତି ନିର୍ମାଣ ଏବଂ ଉନ୍ନତ ଯୋଜନା ଏବଂ ସମନ୍ବୟକୁ ସୁଗମ କରିବା ଅଟେ। 

ଚିନ୍ତନ ଶିବିରରେ ଛଅଟି ଅଧିବେଶନରେ ବିଭିନ୍ନ ବିଷୟ ଉପରେ ଆଲୋଚନା କରାଯିବ। ଶିବିରର ପ୍ରଥମ ଦିନ ହୋମ ଗାର୍ଡ଼, ନାଗରିକ ସୁରକ୍ଷା, ଅଗ୍ନିରୁ ସୁରକ୍ଷା ଏବଂ ଶତ୍ରୁ ସମ୍ପତ୍ତି ଆଦି ଅନେକ ଗୁରୁତ୍ବପୂର୍ଣ୍ଣ ବିଷୟ ଉପରେ ବିଚାର-ବିମର୍ଷ କରାଯିବ। ଦ୍ବିତୀୟ ଦିନ ସାଇବର ସୁରକ୍ଷା, ମାଦକ ଦ୍ରବ୍ୟର ଚୋରା ଚାଲାଣ, ମହିଳା ସୁରକ୍ଷା ଏବଂ ସୀମା ପରିଚାଳନା ପରି ଅନ୍ୟ ଗୁରୁତ୍ବପୂର୍ଣ୍ଣ ବିଷୟ ଉପରେ ଆଲୋଚନା ହେବ। ମାଦକ ଦ୍ରବ୍ୟର ଚୋରା ଚାଲାଣ ବିଷୟରେ ଏନଡିପିଏସ୍ ଅଧିନିୟମ, ଏନକୋର୍ଡ଼ ନିଦାନ ଏବଂ ନିଶାମୁକ୍ତ ଭାରତ ଅଭିଯାନ ଉପରେ ମଧ୍ୟ ଚିନ୍ତନ ଶିବିରରେ ଆଲୋଚନା କରାଯିବ। ଭୂମି ସୀମା ପରିଚାଳନା ଏବଂ ଉପକୂଳ ସୁରକ୍ଷା ଅନ୍ତର୍ଗତ ସୀମାର ସୁରକ୍ଷା ଏବଂ ସୀମାବର୍ତ୍ତୀ କ୍ଷେତ୍ରର ବିକାଶ ଉପରେ ଚିନ୍ତନ କରାଯିବ। ଆଇସିଜେଏସ୍ ଏବଂ ସିସିଟିଏନଏସ୍ ସିଷ୍ଟମ ଏବଂ ଆଇଟି ମଡ୍ୟୁଲ୍ – ଏନଏଏଫଆଇଏସ୍, ଆଇଟିଏସଏସଓ ଏବଂ କ୍ରି-ମାକର ଉପଯୋଗ କରି ପ୍ରଯୁକ୍ତି ଆଧାରିତ ଯାଞ୍ଚ ଦ୍ବାରା କନ୍‌ଭିକ୍‌ସନ ହାର ବଢ଼ାଇବାର ଉପାୟ ଉପରେ ମଧ୍ୟ ବିଚାର ବିମର୍ଷ କରାଯିବ। ସେଫ୍ ସିଟି ପ୍ରୋଜେକ୍ଟ, 112- ସିଙ୍ଗିଲ୍ ଏମରଜେନ୍ସି ରେସ୍‌ପନ୍ସ ସିଷ୍ଟମ, ଜିଲ୍ଲାରେ ମାନବ ଚାଲାଣ-ରୋଧୀ ୟୁନିଟ୍, ପୁଲିସ୍ ଥାନାରେ ମହିଳା ହେଲ୍‌ପ ଡେସ୍କ ଏବଂ ମତ୍ସ୍ୟଜୀବିମାନଙ୍କ ପାଇଁ ବାୟୋମେଟ୍ରିକ୍ ପରିଚୟ ପତ୍ର ପରି ପଦକ୍ଷେପ ଉପରେ ଆଲୋଚନା କରାଯିବ। ବିଭିନ୍ନ ବିଷୟ ଉପରେ ଅଧିବେଶନର ଉଦ୍ଦେଶ୍ୟ ଏହି ବିଷୟ ଉପରେ ରାଜ୍ୟ ସରକାରଙ୍କ ସହଭାଗୀତାକୁ ପ୍ରୋତ୍ସାହିତ ଏବଂ ସୁନିଶ୍ଚିତ କରିବା ଅଟେ।  

 

BS



(Release ID: 1871052) Visitor Counter : 152