ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଥାଇଲାଣ୍ଡରେ ଭାରତୀୟ ସମ୍ପ୍ରଦାୟ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ଭାଷଣର ଅନୁବାଦ

Posted On: 19 OCT 2022 8:05PM by PIB Bhubaneshwar

ଥାଇଲାଣ୍ଡ ସାମ୍ରାଜ୍ୟର ମାନନୀୟ ସାମାଜିକ ବିକାଶ ମନ୍ତ୍ରୀ, ଥାଇଲାଣ୍ଡ- ଭାରତ ସଂସଦୀୟ ବନ୍ଧୁତ୍ୱ ଗୋଷ୍ଠୀର ସମ୍ମାନନୀୟ ସଦସ୍ୟଗଣ,

ବନ୍ଧୁଗଣ,

ନମସ୍କାର,

କେମ ଛୋ

ସତ ଶ୍ରୀ ଅକାଲ,

ବଣକ୍କମ,

ନମସ୍କାରମ,

ସାଭାଦୀ ଖୁପ,

ଥାଇଲାଣ୍ଡର ଏହି ପ୍ରାଚୀନ ସୁବର୍ଣ୍ଣଭୂମିରେ ପହଞ୍ଚି ମନେ ହେଉଛି ଯେପରି ଆପଣମାନେ ଏହି ସୁବର୍ଣ୍ଣଭୂମିକୁ ନିଜ ରଙ୍ଗରେ ରଙ୍ଗାଇ ଦେଇଛନ୍ତି । ଏହି ପରିବେଶ, ବେଶଭୂଷା ସବୁଆଡୁ ଆପଣାପଣ ଝଲକି ଉଠୁଛି । ଆପଣମାନେ ଭାରତୀୟ ବଂଶୋଦ୍ଭବ ବୋଲି ନୁହେଁ ବରଂ ଥାଇଲାଣ୍ଡର କୋଣ ଅନୁକୋଣରେ, ଲୋକଙ୍କ ମଧ୍ୟରେ ଆପଣପଣ ଦୃଷ୍ଟିଗୋଚର ହେଉଛି । ଏଠାକାର କଥାବାର୍ତ୍ତା, ଖାଦ୍ୟପାନୀୟ, ପରମ୍ପରା, ଆସ୍ଥା, ସ୍ଥାପତ୍ୟରେ ଭାରତୀୟତାର ମହକ ଅନୁଭୂତ ହେଉଛି । ବନ୍ଧୁଗଣ, ସାରା ବିଶ୍ୱ ନିକଟରେ ଦୀପାବଳି ଉତ୍ସବ ପାଳନ କରିଛି । ଥାଇଲାଣ୍ଡରେ ମଧ୍ୟ ଭାରତର ପୂର୍ବାଞ୍ଚଳରୁ ବହୁସଂଖ୍ୟକ ଲୋକ ଆସିଛନ୍ତି । ଏବଂ ଆଜି କେବଳ ପୂର୍ବ ଭାରତ ନୁହେଁ ବରଂ ସାରା ଭାରତରେ ସୂର୍ଯ୍ୟ ଦେବ ଓ ଛଠ ମାଆଙ୍କ ଉପାସନାର ମହାପର୍ବ ଧୂମଧାମରେ ପାଳିତ ହେଉଛି । ମୁଁ ଭାରତବାସୀଙ୍କ ସହ ଥାଇଲାଣ୍ଡରେ ରହୁଥିବା ବନ୍ଧୁମାନଙ୍କୁ ଛଠ ପୂଜାର ଅନେକ ଶୁଭକାମନା ଜଣାଉଛି ।

ବନ୍ଧୁଗଣ,

ଥାଇଲାଣ୍ଡକୁ ଏହା ମୋର ପ୍ରଥମ ଔପଚାରିକ ଗସ୍ତ । ତିନି ବର୍ଷ ପୂର୍ବରୁ ଥାଇଲାଣ୍ଡ ରାଜାଙ୍କ ମୃତ୍ୟୁ ଅବସରରେ ଶୋକସନ୍ତପ୍ତ ଭାରତ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଜଣାଇବାକୁ ଏଠାକୁ ବ୍ୟକ୍ତିଗତ ଭାବେ ଆସିଥିଲି । ଆଜି ଥାଇଲାଣ୍ଡର ନୂଆ ରାଜାଙ୍କ ଶାସନ କାଳରେ ତଥା ମୋର ବନ୍ଧୁ ପ୍ରଧାନମନ୍ତ୍ରୀ ପ୍ରୟୁତ ଚାନ-ଓ-ଚାଙ୍କ ଆମନ୍ତ୍ରଣ କ୍ରମେ ଭାରତ- ଆସିଆନ ଶିଖର ସମ୍ମିଳନୀରେ ଭାଗ ନେବାକୁ ଏଠାକୁ ଆସିଛି । ମୁଁ ସମ୍ପୂର୍ଣ୍ଣ ରାଜ ପରିବାର, ଥାଇଲାଣ୍ଡ ସାମ୍ରାଜ୍ୟର ସରକାର ଓ ଥାଇ ବନ୍ଧୁମାନଙ୍କୁ ୧୩୦ କୋଟି ଭାରତୀୟଙ୍କ ତରଫରୁ ଶୁଭକାମନା ଜଣାଉଛି ।

ବନ୍ଧୁଗଣ,

ଥାଇଲାଣ୍ଡ ରାଜ ପରିବାରର ଭାରତ ସହ ଘନିଷ୍ଠତା ଆମ ନିବିଡ ଓ ଐତିହାସିକ ସମ୍ବନ୍ଧର ପ୍ରତୀକ । ରାଜକୁମାରୀ ମହାଚକ୍ରୀ ସଂସ୍କୃତ ଭାଷାର ଜଣେ ମହାନ ବିଦ୍ୱାନ ଓ ସଂସ୍କୃତି ପ୍ରତି ତାଙ୍କର ଗଭୀର ଋଚି ରହିଛି । ଭାରତ ସହ ତାଙ୍କର ବେଶ ଆତ୍ମୀୟତା ରହିଛି ଏବଂ ତାଙ୍କର ଭାରତ ସମ୍ପର୍କିତ ଜ୍ଞାନର ପରିସର ବେଶ ବ୍ୟାପକ । ଆମ ପାଇଁ ସୌଭାଗ୍ୟର କଥା ଯେ, ଭାରତ ତାଙ୍କୁ ପଦ୍ମଭୂଷଣ ଓ ସଂସ୍କୃତ ସମ୍ମାନ ପ୍ରଦାନ କରି ଆଭାର ବ୍ୟକ୍ତ କରିପାରିଛି । 
ବନ୍ଧୁଗଣ,

ଆପଣମାନେ କେବେ ଭାବିଛନ୍ତି ଯେ, ଆମ ସମ୍ପର୍କ ଏତେ ଘନିଷ୍ଠ କିପରି ହେଲା ? ଆମ ସମ୍ପର୍କ ଓ ସମ୍ବନ୍ଧର ଏହି ନିବିଡତାର କାରଣ କଣ?  ଏହି ପାରସ୍ପରିକ ବିଶ୍ୱାସ, ଏକାଠି ରହିବା, ସଦ୍ଭାବ- ଏସବୁ କେଉଁଠୁ ଆସିଛି ? ଏସବୁ ପ୍ରଶ୍ନର ଗୋଟିଏ ସରଳ ଉତ୍ତର ରହିଛି । ପ୍ରକୃତରେ ଆମ ସମ୍ପର୍କ କେବଳ ସରକାରଙ୍କ ମଧ୍ୟରେ ସୀମିତ ନୁହେଁ । କିମ୍ବା ଆମେ କୌଣସି ନିର୍ଦ୍ଦିଷ୍ଟ ସରକାରଙ୍କ ବେଳେ ଏଭଳି ନିବିଡ ସମ୍ପର୍କ ଗଢି ଉଠିଥିଲା ବୋଲି କହିପାରିବା ନାହିଁ । ସତ କଥା ହେଲା ଇତିହାସର ପ୍ରତ୍ୟେକ କ୍ଷଣ, ପ୍ରତ୍ୟେକ ତାରିଖ, ପ୍ରତ୍ୟେକ ଘଟଣା ଆମର ଏହି ଘନିଷ୍ଠତାକୁ ବିକଶିତ, ବିସ୍ତୃତ, ଗଭୀର କରିଛି ତଥା ନୂଆ ସ୍ତରକୁ ନେଇଛି । ଏହି ସମ୍ପର୍କ ହୃଦୟ, ଆତ୍ମା, ଆସ୍ଥା ଓ ଅଧ୍ୟାତ୍ମର । ପୌରାଣିକ ଯୁଗରୁ ଭାରତର ନାମ ଜମ୍ବୁ ଦ୍ୱୀପ ସହିତ ଜଡିତ ରହିଛି । ଥାଇଲାଣ୍ଡ ସୁବର୍ଣ୍ଣଭୂମିର ଅଂଶ । ଜମ୍ବୁ ଦ୍ୱୀପ ଓ ସୁବର୍ଣ୍ଣଭୂମି, ଭାରତ ଏବଂ ଥାଇଲାଣ୍ଡ- ଏହି ସମ୍ପର୍କ ହଜାର ହଜାର ବର୍ଷ ପୁରୁଣା । ଭାରତର ଦକ୍ଷିଣ, ପୂର୍ବ ଓ ପଶ୍ଚିମ ତଟ ହଜାର ହଜାର ବର୍ଷ ପୂର୍ବରୁ ସାମୁଦ୍ରିକ ପଥରେ ଦକ୍ଷିଣ ପୂର୍ବ ଏସିଆ ସହ ସଂଯୋଗ ହୋଇରହିଛି । ଆମ ନାବିକମାନେ ସେତେବେଳେ ସମୁଦ୍ର ଢେଉରେ ହଜାର ହଜାର ମାଇଲ ଦୂରତ୍ୱ ଅତିକ୍ରମ କରି ସମୃଦ୍ଧି ଓ ସଂସ୍କୃତିର ଯେଉଁ ସେତୁ ନିର୍ମାଣ କରିଥିଲେ ତାହା ଏବେ ବି ବିଦ୍ୟମାନ ରହିଛି । ଏହି ରାସ୍ତା ଦେଇ ସମୁଦ୍ରରେ ବ୍ୟବସାୟ ହୋଇଛି । ଏହି ରାସ୍ତାରେ ଲୋକ ଆସିଛନ୍ତି- ଯାଇଛନ୍ତି । ଆଉ ଏହି ରାସ୍ତା ମାଧ୍ୟମରେ ଆମ ପୂର୍ବପୁରୁଷ ଧର୍ମ, ଦର୍ଶନ, ଜ୍ଞାନ, ବିଜ୍ଞାନ, ଭାଷା, ସାହିତ୍ୟ, କଳା, ସଂଗୀତ ଓ ନିଜ ଜୀବନଶୈଳୀ ବାଣ୍ଟିଛନ୍ତି ।

ଭାଇ ଓ ଭଉଣୀମାନେ,

ମୁଁ ପ୍ରାୟତଃ ଭଗବାନ ରାମଙ୍କ ମର୍ଯ୍ୟାଦା ଓ ଭଗବାନ ବୁଦ୍ଧଙ୍କ କରୁଣା କଥା କହିଥାଏ । ଏମାନେ ଆମର ମିଳିତ ଐତିହ୍ୟ । କୋଟି କୋଟି ଭାରତୀୟଙ୍କ ଜୀବନ ରାମାୟଣରୁ ପ୍ରେରିତ ହେଉଥିବା ବେଳେ ଥାଇଲାଣ୍ଡବାସୀଙ୍କୁ ରାମାକିଏନଙ୍କ ଦିବ୍ୟତା ପ୍ରେରିତ କରିଥାଏ । ଭାରତର ଅଯୋଧ୍ୟା ଥାଇଲାଣ୍ଡରେ ଆ-ୟୁଥ୍ୟା ପାଲଟିଯାଏ । ଯେଉଁ ନାରାୟଣ ଅଯୋଧ୍ୟାରେ ଅବତାର ଭାବେ ଜନ୍ମ ନେଇଥିଲେ ତାଙ୍କ ପବିତ୍ର ବାହନ ଗରୁଡ ପ୍ରତି ଥାଇଲାଣ୍ଡରେ ବେଶ ଶ୍ରଦ୍ଧା ରହିଛି ।

ବନ୍ଧୁଗଣ,

ଆମେ କେବଳ ଭାଷା ନୁହେଁ ଭାବନା ସ୍ତରରେ ମଧ୍ୟ ପରସ୍ପରର ନିକଟତର । ଏତେ ଘନିଷ୍ଠ ଯେ ଆମେ ବେଳେବେଳେ ଏହା ଜାଣି ପାରୁନାହିଁ । ଉଦାହରଣ ସ୍ୱରୂପ, ଯେତେବେଳେ ଆପଣମାନେ କହିଲେ ସୱାଦି ମୋଦି । ସୱାଦି ସଂସ୍କୃତ ଶବ୍ଦ ସ୍ୱସ୍ତି ସହ ଜଡିତ । ଏହାର ଅର୍ଥ ସୁ ଯୁକ୍ତ ଅସ୍ତି (କଲ୍ୟାଣ) । ଆପଣଙ୍କର କଲ୍ୟାଣ ହେଉ । ଏହି ଶୁଭେଚ୍ଛା ହେଉ କିମ୍ବା ବିଶ୍ୱାସ ଯୋଗୁଁ ହେଉ ସବୁଆଡେ ଆମ ଘନିଷ୍ଠ ସମ୍ପର୍କର ଚିହ୍ନ ଦେଖିବାକୁ ମିଳୁଛି ।
ବନ୍ଧୁଗଣ,

ବିଗତ ପାଞ୍ଚ ବର୍ଷ ମଧ୍ୟରେ ମୋତେ ବିଶ୍ୱର ଅନେକ ଦେଶକୁ ଗସ୍ତ କରିବାର ସୁଯୋଗ ମିଳିଛି ଓ ପ୍ରତ୍ୟେକ ସ୍ଥାନରେ ଭାରତୀୟ ସମ୍ପ୍ରଦାୟଙ୍କୁ ଭେଟିବା, ସେମାନଙ୍କୁ ସାକ୍ଷାତ କରିବା ସହ ସେମାନଙ୍କ ଆଶୀର୍ବାଦ ନେବାକୁ ଚେଷ୍ଟା କରିଥାଏ । ଆଜି ମଧ୍ୟ ଆପଣମାନେ ଏତେ ସଂଖ୍ୟାରେ ଆଶୀର୍ବାଦ ଦେବାକୁ ଆସିଥିବାରୁ ଆପଣମାନଙ୍କ ନିକଟରେ କୃତଜ୍ଞ । ତେବେ ଯେତେବେଳେ ଏପରି ସାକ୍ଷାତ ହୋଇଥାଏ ସେତେବେଳେ ଭାରତୀୟ ସମ୍ପ୍ରଦାୟ ଓ ସେମାନେ ରହୁଥିବା ଦେଶର ସଭ୍ୟତାର ସଙ୍ଗମ ଦେଖିବାକୁ ମିଳିଥାଏ । ମୁଁ ଗର୍ବିତ ଯେ, ଯେଉଁଠି ଥିଲେ ବି ଆପଣମାନଙ୍କ ମଧ୍ୟରେ ଭାରତର ସଂସ୍କୃତି ଓ ସଭ୍ୟତା ଜୀବନ୍ତ ରହିଛି । ଯେତେବେଳେ ସେହି ଦେଶର ନେତୃତ୍ୱ, ନେତା, ପ୍ରମୁଖ ବ୍ୟବସାୟୀମାନେ ଭାରତୀୟ ସମ୍ପ୍ରଦାୟର ପ୍ରତିଭା, ପରିଶ୍ରମ ଓ ଶୃଙ୍ଖଳାକୁ ପ୍ରଶଂସା କରନ୍ତି ସେତେବେଳେ ମୁଁ ଆହୁରି ଗର୍ବିତ ଅନୁଭବ କରିଥାଏ । ସେମାନେ ଆପଣମାନଙ୍କ ଶାନ୍ତି ଓ ସୌହାର୍ଦ୍ଦ୍ୟପୂର୍ଣ୍ଣ ଜୀବନଯାପନକୁ ପସନ୍ଦ କରନ୍ତି । ସାରା ବିଶ୍ୱରେ ଭାରତୀୟ ସମ୍ପ୍ରଦାୟର ଏହି ଛବି ସମସ୍ତ ଭାରତୀୟଙ୍କ ପାଇଁ ଗର୍ବର କଥା ଓ ଏଥିପାଇଁ ସାରା ବିଶ୍ୱରେ ବସବାସ କରୁଥିବା ସମସ୍ତ ବନ୍ଧୁମାନଙ୍କୁ ଧନ୍ୟବାଦ ।

ବନ୍ଧୁଗଣ,

ମୁଁ ଖୁସି ଯେ, ବିଶ୍ୱର ଯେଉଁଠି ବି ଭାରତୀୟ ଅଛନ୍ତି ସେମାନେ ଭାରତ ସହ ଯୋଗାଯୋଗରେ ରହିଛନ୍ତି । ଭାରତରେ କଣ ହେଉଛି, ତାର ଖବର ରଖୁଛନ୍ତି ଓ କିଛି ଲୋକ ଖବର ନେଉଛନ୍ତି । ଏବଂ ଭାରତର ପ୍ରଗତି ବିଶେଷ କରି ବିଗତ ପାଞ୍ଚ ବର୍ଷର ଉପଲବ୍ଧି ଯୋଗୁଁ ସାରା ବିଶ୍ୱରେ ରହୁଥିବା ମୋ ଦେଶବାସୀ ଗର୍ବିତ ବୋଧ କରୁଛନ୍ତି । ସେମାନଙ୍କ ଆତ୍ମବିଶ୍ୱାସ ଅନେକ ଗୁଣ ବଢିଛି ଓ ଏହା ହିଁ ଦେଶର ଶକ୍ତି । ସେମାନେ ନିଜ ବିଦେଶୀ ବନ୍ଧୁମାନଙ୍କୁ କହିପାରିବେ ଦେଖ, ମୁଁ ଭାରତୀୟ ସମ୍ପ୍ରଦାୟର ଓ ମୋ ଭାରତ କେମିତି ସମୃଦ୍ଧି ପଥରେ ଦ୍ରୁତ ଅଗ୍ରସର ହେଉଛି । ଆଉ ଯେତେବେଳେ ବିଶ୍ୱର ଜଣେ ଭାରତୀୟ କିଛି କହିଥାଏ ସେତେବେଳେ ସାରା ବିଶ୍ୱ ତାଙ୍କ କଥା ଗୁରୁତ୍ୱର ସହ ଶୁଣିଥାଏ । ୧୩୦ କୋଟି ଭାରତୀୟ ଆଜି ନୂଆ ଭାରତ ନିର୍ମାଣରେ ଲାଗି ପଡିଛନ୍ତି । ଆପଣମାନଙ୍କ ମଧ୍ୟରୁ ଅନେକ ବନ୍ଧୁ ଯେଉଁମାନେ ୫-୭ ବର୍ଷ ପୂର୍ବରୁ ଭାରତ ଯାଇଥିବେ ସେମାନେ ଏବେ ସେଠାକୁ ଗଲେ ସାର୍ଥକ ପରିବର୍ତ୍ତନ ସ୍ପଷ୍ଟ ଅନୁଭବ କରିପାରିବେ । ଆଜି ଯେଉଁ ପରିବର୍ତ୍ତନ ଭାରତରେ ହୋଇଛି ତାର ପରିଣାମ ସ୍ୱରୂପ ଦେଶବାସୀ ଆଉ ଥରେ ମୋତେ, ନିଜର ଏହି ସେବକକୁ ବିଗତ ଲୋକସଭା ନିର୍ବାଚନରେ ଗତଥର ଠାରୁ ଅଧିକ ଆଶୀର୍ବାଦ ପ୍ରଦାନ କରିଛନ୍ତି ।

ବନ୍ଧୁଗଣ,

ଭାରତ ବିଶ୍ୱର ସବୁଠାରୁ ବୃହତ ଗଣତନ୍ତ୍ର ଓ ସାରା ବିଶ୍ୱ ଏହା ଜାଣେ । ତେବେ ଗଣତନ୍ତ୍ରର ମହାକୁମ୍ଭ ଅର୍ଥାତ ନିର୍ବାଚନ କିପରି ହୁଏ, ଜଣେ ଭାଗ ନନେଲେ ବୁଝିବା ଏକପ୍ରକାର ଅସମ୍ଭବ । ଆପଣମାନେ ସମ୍ଭବତଃ ଜାଣିଥିବେ ଚଳିତ ବର୍ଷ ହୋଇଥିବା ସାଧାରଣ ନିର୍ବାଚନରେ ଇତିହାସରେ ସର୍ବାଧିକ ୬୦ କୋଟି ଲୋକ ମତଦାନ କରିଛନ୍ତି । ବିଶ୍ୱ ଗଣତନ୍ତ୍ର ଇତିହାସରେ ଏହା ଏକ ବଡ କାର୍ଯ୍ୟକ୍ରମ ଓ ପ୍ରତ୍ୟେକ ଭାରତୀୟ ଏଥିପାଇଁ ଗର୍ବିତ ହେବା ଉଚିତ । ହେଲେ ଆପଣମାନେ ଜାଣିଛନ୍ତି କି ଭାରତ ଇତିହାସରେ ପୁରୁଷ ଭୋଟରଙ୍କ ସମକକ୍ଷ ସଂଖ୍ୟାର ମହିଳା ଭୋଟର ମତଦାନ କରିଛନ୍ତି । କେବଳ ଏତିକି ନୁହେଁ ପୂର୍ବଥର ଗୁଡିକ ତୁଳନାରେ ଚଳିତ ଥର ଅଧିକ ସଂଖ୍ୟକ ମହିଳା ସାଂସଦ ଲୋକସଭାକୁ ନିର୍ବାଚିତ ହୋଇଛନ୍ତି । ଗଣତନ୍ତ୍ର ପ୍ରତି ଆମ ପ୍ରତିବଦ୍ଧତା ଏତେ ଗଭୀର ଯେ ଗୁଜରାଟର ଗିର ଜଙ୍ଗଲରେ ଥିବା ଜଣେ ମାତ୍ର ଭୋଟର, କେବଳ ଜଣେ ଭୋଟରଙ୍କ ପାଇଁ ସ୍ୱତନ୍ତ୍ର ପୋଲିଂ ବୁଥ ସ୍ଥାପନ ହୋଇଥିଲା । ଆମ ଗଣତନ୍ତ୍ର କେତେ ବ୍ୟାପକ ଓ କେତେ ଗୁରୁତ୍ୱପୂର୍ଣ୍ଣ ଏହା ତାର ଉଦାହରଣ ।       
ଭାଇ ଓ ଭଉଣୀମାନେ,

ହୁଏତ ଏହା ଆପଣମାନଙ୍କ ପାଇଁ ନୂଆ ଖବର ହୋଇଥିବ, ଛଅ ଦଶକ ବା ୬୦ ବର୍ଷ ପରେ ଭାରତରେ କୌଣସି ସରକାରଙ୍କୁ ପାଞ୍ଚ ବର୍ଷ ସମୟସୀମା ପୂରଣ କରିବା ପରେ ପୂର୍ବଠାରୁ ଅଧିକ ଜନମତ ମିଳିଛି । ୬୦ ବର୍ଷ ପୂର୍ବରୁ ଏପରି ହୋଇଥିଲା, ୬୦ ବର୍ଷ ପରେ ପ୍ରଥମ ଥର ହୋଇଛି । ବିଗତ ପାଞ୍ଚ ବର୍ଷରେ ଭାରତର ସଫଳତା ଯୋଗୁଁ ଏହା ହୋଇପାରିଛି । କିନ୍ତୁ ଅନ୍ୟ ଅର୍ଥରେ କହିଲେ ଭାରତବାସୀଙ୍କ ଆଶା ଓ ଆକାଂକ୍ଷା ବଢିଛି । ଯିଏ କାମ କରିଥାଏ ଲୋକେ ତାକୁ ହିଁ ତ କାମ କରିବାକୁ କହିଥାନ୍ତି । ଯିଏ କାମ କରନ୍ତି ନାହିଁ, ଲୋକେ ସେମାନଙ୍କ ଯିବା ଦିନକୁ ଅପେକ୍ଷା କରିଥାନ୍ତି । ଏଥିପାଇଁ ବନ୍ଧୁଗଣ, ସେହି ଲକ୍ଷ୍ୟ ହାସଲ ପାଇଁ ଆମେ କାମ କରୁଛୁ ଯାହା ଦିନେ ଅସମ୍ଭବ ମନେ ହେଉଥିଲା, ଚିନ୍ତା କରା ଯାଇପାରୁନଥିଲା । ଆପଣମାନେ ସମସ୍ତେ ଜାଣିଥିବେ ଯେ ଆତଙ୍କ ଓ ବିଚ୍ଛିନ୍ନତାବାଦୀ ବୀଜ ବପନ କରୁଥିବା ଏକ ବଡ କାରଣରୁ ଦେଶକୁ ମୁକ୍ତ କରିବା ପାଇଁ ଭାରତ ନିଷ୍ପତ୍ତି ନେଇଛନ୍ତି । ଜାଣିଛନ୍ତି କି ? ଥାଇଲାଣ୍ଡରେ ରହୁଥିବା ପ୍ରତ୍ୟେକ ଭାରତୀୟ ଜାଣିଛନ୍ତି କି ନିଷ୍ପତ୍ତି ହୋଇଛି । ଯେତେବେଳେ ନିଷ୍ପତ୍ତି ସଠିକ ଥାଏ, ଉଦ୍ଦେଶ୍ୟ ମହତ ଥାଏ, ସେତେବେଳେ ତାର ଗୁଞ୍ଜରଣ ସାରା ବିଶ୍ୱରେ ଶୁଣା ଯାଇଥାଏ ଏବଂ ଆଜି ମୋତେ ଥାଇଲାଣ୍ଡରେ ଶୁଣିବାକୁ ମିଳୁଛି । ଆପଣମାନଙ୍କ ଏହି କରତାଳି ଭାରତର ସଂସଦ ପାଇଁ, ଭାରତୀୟ ସାଂସଦଙ୍କ ପାଇଁ ଆପଣମାନଙ୍କ ଏହି ସମର୍ଥନ ପ୍ରତ୍ୟେକ ଭାରତୀୟ ସାଂସଦମାନଙ୍କୁ ଆହୁରି ଶକ୍ତି ପ୍ରଦାନ କରିବ । ଆପଣମାନଙ୍କ ନିକଟରେ କୃତଜ୍ଞ, ଦୟାକରି ବସିପଡନ୍ତୁ । ଧନ୍ୟବାଦ ।  

 

 

ବନ୍ଧୁଗଣ,

ନିକଟରେ ଗାନ୍ଧିଜୀଙ୍କ ୧୫୦ତମ ଜୟନ୍ତୀ ଅବସରରେ ଭାରତ ନିଜକୁ ଖୋଲା ମଳତ୍ୟାଗ ମୁକ୍ତ ଘୋଷଣା କରିଛି । ଏତିକି ନୁହେଁ, ଆଜି ଭାରତର ଗରିବମାନଙ୍କ ରୋଷେଇ ଘର ଧୂଆଁ ମୁକ୍ତ ହେଉଛି । ୮ କୋଟି ପରିବାରକୁ ଆମେ ତିନି ବର୍ଷରୁ କମ ସମୟ ମଧ୍ୟରେ ମାଗଣା ଏଲପିଜି ଗ୍ୟାସ ସଂଯୋଗ ଦେଇଛୁ । ୮ କୋଟି ଜନସଂଖ୍ୟା ଥାଇଲାଣ୍ଡର ଜନସଂଖ୍ୟା ଠାରୁ ଅଧିକ । ବିଶ୍ୱର ସବୁଠାରୁ ବଡ ସ୍ୱାସ୍ଥ୍ୟ ଯୋଜନା ଆୟୁଷ୍ମାନ ଭାରତ ଆଜି ପ୍ରାୟ ୫୦ କୋଟି ଭାରତୀୟଙ୍କୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଚିକିତ୍ସା ପାଇଁ କଭରେଜ ପ୍ରଦାନ କରୁଛି । ଏହି ଯୋଜନା ପ୍ରଣୟନ ହେବାର ବର୍ଷକ ମଧ୍ୟରେ ପ୍ରାୟ ୫୦ ଲକ୍ଷ ଲୋକଙ୍କୁ ମାଗଣା ଚିକିତ୍ସା ମିଳିପାରିଛି । ଅର୍ଥାତ ଆଗାମୀ ଦୁଇ ତିନି ମାସ ମଧ୍ୟରେ ଏହି ସଂଖ୍ୟା ବ୍ୟାଙ୍କକର ଜନସଂଖ୍ୟା ଠାରୁ ଅଧିକ ହେବ ।

ବନ୍ଧୁଗଣ,

ବିଗତ ପାଞ୍ଚ ବର୍ଷ ମଧ୍ୟରେ ଆମେ ପ୍ରତ୍ୟେକ ଭାରତୀୟଙ୍କୁ ବ୍ୟାଙ୍କ ଖାତା ସହ ଯୋଡିଛୁ, ବିଦ୍ୟୁତ ସଂଯୋଗ ଦେଇଛୁ । ଏବେ ଆମେ ପ୍ରତ୍ୟେକ ପରିବାରକୁ ପର୍ଯ୍ୟାପ୍ତ ପାଣି ଯୋଗାଇବାକୁ ଏକ ମିଶନ ଆରମ୍ଭ କରିଛୁ । ୨୦୨୨ରେ ଭାରତ ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ପାଳନ କରିବ । ୨୦୨୨ ସୁଦ୍ଧା ଗରିବମାନଙ୍କୁ ପକ୍କା ଘର ଦେବାକୁ ଉଦ୍ୟମ ଜାରି ରହିଛି । ମୋର ବିଶ୍ୱାସ ଏସବୁ ସଫଳତା ସମ୍ପର୍କରେ ଶୁଣି ଆପଣମାନେ ଗୌରବାନ୍ୱିତ ମନେ କରୁଥିବେ ।    
ବନ୍ଧୁଗଣ,

ଆଜି ମଞ୍ଚକୁ ଆସିବା ପୂର୍ବରୁ ମୋତେ ଭାରତର ଦୁଇ ମହାନ ସୁପୁତ୍ରଙ୍କ ସ୍ମାରକୀ ଉନ୍ମୋଚନ କରିବାର ସୌଭାଗ୍ୟ ମିଳିଛି । ୩-୪ ବର୍ଷ ପୂର୍ବରୁ ସନ୍ଥ ଥିରୁ ବଲ୍ଳୁଭରଙ୍କ ଅନବଦ୍ୟ କୃତି ଥିରୁକ୍କୁରାଲର ଗୁଜୁରାଟୀ ଅନୁବାଦ ଉନ୍ମୋଚନ କରିବାର ସୁଯୋଗ ମିଳିଥିଲା । ମୋର ବିଶ୍ୱାସ ଯେ ଏବେ ଥିରୁକ୍କୁରାଲର ଥାଇ ଭାଷାରେ ଅନୁବାଦ ଦ୍ୱାରା ଏଠାକାର ଲୋକେ ବେଶ ଉପକୃତ ହେବେ । କାରଣ ଏହା କେବଳ ଏକ ଗ୍ରନ୍ଥ ନୁହେଁ ଆମ ଜୀବନର ଦିଗବାରେଣୀ । ପ୍ରାୟ ଅଢେଇ ହଜାର ବର୍ଷ ପୂର୍ବରୁ ଏହି ଗ୍ରନ୍ଥରେ ଯେଉଁ ମୂଲ୍ୟବୋଧ ସ୍ଥାନିତ ହୋଇଥିଲା ତାହା ଆଜି ବି ଆମ ପାଇଁ ଅମୂଲ୍ୟ ଐତିହ୍ୟ । ଉଦାହରଣ ସ୍ୱରୂପ, ସନ୍ଥ ଥିରୁ ବଲ୍ଲୁଭର କହିଛନ୍ତି ତାଲାଟ୍ରି ତଂଦ ପୋରୁଲ-ଏଲ୍ଲାମ ତକ୍କରକ ଭେଲାନମଇ ସୟଦାର ପାରୁଟଟ୍ଟି । ଯାହାର ଅର୍ଥ ଯେତେବେଳେ ଯୋଗ୍ୟ ବ୍ୟକ୍ତି ପରିଶ୍ରମ କରି ଉପାର୍ଜନ କରେ ସେତେବେଳେ ସେ ତାହା ଅନ୍ୟମାନଙ୍କ କଲ୍ୟାଣରେ ବିନିଯୋଗ କରେ । ଭାରତ ଓ ଭାରତୀୟମାନଙ୍କ ଜୀବନ ଆଜି ବି ଏହି ଆଦର୍ଶ ଦ୍ୱାରା ପ୍ରତିଭାତ ।            

ବନ୍ଧୁଗଣ,

ଆଜି ଗୁରୁ ନାନକ ଦେବ ଜୀଙ୍କ ୫୫୦ତମ ପ୍ରକାଶୋତ୍ସବ ଉପଲକ୍ଷେ ସ୍ମାରକୀ ମୁଦ୍ରା ଜାରି କରାଯାଇଛି । ବ୍ୟାଙ୍କକରେ ୫୦ ବର୍ଷ ପୂର୍ବରୁ ଗୁରୁ ନାନକ ଦେବ ଜୀଙ୍କ ପାଞ୍ଚ ଶହ ତମ ପ୍ରକାଶୋତ୍ସବ ବେଶ ଧୂମଧାମରେ ପାଳିତ ହୋଇଥିଲା ବୋଲି ମୋତେ ଅବଗତ କରାଯାଇଛି । ମୋର ବିଶ୍ୱାସ ଯେ, ତାଙ୍କ ୫୫୦ତମ ପ୍ରକାଶୋତ୍ସବ ବେଶ ଧୂମଧାମରେ ପାଳିତ ହେବ । ଶିଖ ସମ୍ପ୍ରଦାୟ ଦ୍ୱାରା ଫିସ୍ତା ନୁଲୋକ ବା ବିଷ୍ଣୁଲୋକରେ ପ୍ରସ୍ତୁତ ଗୁରୁ ନାନକ ଦେବ ଜୀ ଉଦ୍ୟାନ ଏକ ପ୍ରଶଂସନୀୟ ପଦକ୍ଷେପ ।

ଭାଇ ଓ ଭଉଣୀମାନେ,

ଏହି ପବିତ୍ର ପର୍ବ ଅବସରରେ ଭାରତ ସରକାର ବିଗତ ଏକ ବର୍ଷ ଧରି ବ୍ୟାଙ୍କକ ସମେତ ସାରା ବିଶ୍ୱରେ କାର୍ଯ୍ୟକ୍ରମ ଆୟୋଜନ କରି ଆସୁଛନ୍ତି । ଗୁରୁ ନାନକ ଦେବ ଜୀ କେବଳ ଭାରତର ନୁହଁନ୍ତି, କେବଳ ଶିଖ ପନ୍ଥରେ ସୀମିତ ନୁହନ୍ତି । ତାଙ୍କ ଚିନ୍ତାଧାରା ଓ  ଉପଦେଶ ସାରା ବିଶ୍ୱ, ମାନବ ସମାଜର ଐତିହ୍ୟ । ସାରା ବିଶ୍ୱକୁ ଆମ ଐତିହ୍ୟର ସୁଫଳ ପ୍ରଦାନ କରିବା ଭାରତୀୟମାନଙ୍କ ଦାୟିତ୍ୱ । ସାରା ବିଶ୍ୱର ଶିଖ ପନ୍ଥ ସହ ଜଡିତ ବନ୍ଧୁମାନଙ୍କୁ ନିଜ ଆସ୍ଥାର କେନ୍ଦ୍ର ସହିତ ଜଡିତ କରିବାକୁ ଆମେ ପ୍ରୟାସ କରୁଛୁ ।

 

 

ବନ୍ଧୁଗଣ,
ଆପଣମାନେ ଜାଣିଥିବେ, କିଛି ଦିନ ମଧ୍ୟରେ କର୍ତ୍ତାରପୁର ସାହେବ ସହିତ ସଡକପଥ ଖୋଲିବାକୁ ଯାଉଛି । ନଭେମ୍ବର ୯ରେ କର୍ତ୍ତାରପୁର କରିଡର ଖୋଲିବା ପରେ ଭାରତର ଭକ୍ତମାନେ ସିଧାସଳଖ କର୍ତ୍ତାରପୁର ସାହେବ ଯାଇପାରିବେ । ବହୁ ସଂଖ୍ୟାରେ ସପରିବାର ଭାରତ ଆସି ଗୁରୁ ନାନକ ଦେବ ଜୀଙ୍କ ଉପସ୍ଥିତିକୁ ଅନୁଭବ କରିବା ପାଇଁ ଆପଣମାନଙ୍କୁ ଅନୁରୋଧ କରୁଛି ।

ବନ୍ଧୁଗଣ,
ଭାରତରେ ଭଗବାନ ବୁଦ୍ଧଙ୍କ ସହ ଜଡିତ ତୀର୍ଥସ୍ଥାନଗୁଡିକୁ ଅଧିକ ଆକର୍ଷଣୀୟ କରିବା ପାଇଁ ଭାରତ ସରକାର ନିରନ୍ତର କାର୍ଯ୍ୟ କରୁଛନ୍ତିଲଦାଖ ଠାରୁ ଆରମ୍ଭ କରି ବୋଧଗୟା, ସାରନାଥ, ସାଞ୍ଚି ପର୍ଯ୍ୟନ୍ତ ଭଗବାନ ବୁଦ୍ଧଙ୍କ ସହ ଜଡିତ ସ୍ଥାନଗୁଡ଼ିକୁ ସଂଯୋଗ କରିବା ପାଇଁ ଅଭୂତପୂର୍ବ ଉଦ୍ୟମ ହେଉଛି । ଏସବୁ ସ୍ଥାନଗୁଡିକୁ ବୁଦ୍ଧ ସର୍କିଟ୍ ଭାବେ ବିକଶିତ କରାଯାଉଛି । ସେଠାରେ ଆଧୁନିକ ସୁବିଧାସୁଯୋଗ ନିର୍ମାଣ କରାଯାଉଛି । ନିଜ ଥାଇଲାଣ୍ଡ ବନ୍ଧୁମାନଙ୍କ ସହ ଆପଣମାନେ ସେଠାକୁ ଗସ୍ତ କଲେ ଅଦ୍ୱିତୀୟ ଅନୁଭୂତି ପାଇପାରିବେ ବୋଲି ମୋର ବିଶ୍ୱାସ ।

ବନ୍ଧୁଗଣ,

ଆମର ପ୍ରାଚୀନ ବାଣିଜ୍ୟିକ ସମ୍ପର୍କରେ ବୟନଶିଳ୍ପର ଭୂମିକା ଗୁରୁତ୍ୱପୂର୍ଣ୍ଣ । ଏବେ ପର୍ଯ୍ୟଟନ ଏହି ସମ୍ପର୍କକୁ ମଜବୁତ କରିଛି । ଥାଇଲାଣ୍ଡ ସହ ସମସ୍ତ ଆସିଆନ ଦେଶର ବନ୍ଧୁମାନଙ୍କ ପାଇଁ ଭାରତ ଏକ ଆକର୍ଷଣୀୟ ଗନ୍ତବ୍ୟସ୍ଥଳ ଭାବରେ ଉଭା ହୋଇଛି । ଗତ ୪ ବର୍ଷ ମଧ୍ୟରେ ଭାରତ ଟ୍ରାଭେଲ ଆଣ୍ଡ ଟୁରିଜିମ ବିଶ୍ୱ ସୂଚକାଙ୍କରେ ୧୮ତମ ସ୍ଥାନରେ ରହିଛି । ଭବିଷ୍ୟତରେ ଏହି ପର୍ଯ୍ୟଟନ ସମ୍ପର୍କ ଅଧିକ ମଜବୁତ ହେବ । ଐତିହ୍ୟ, ଆଧ୍ୟାତ୍ମିକ ଏବଂ ସ୍ୱାସ୍ଥ୍ୟ ପର୍ଯ୍ୟଟନ ସହ ଜଡିତ ସୁବିଧାସୁଯୋଗକୁ ଆହୁରି ସୁଦୃଢ କରିଛୁ । କେବଳ ପର୍ଯ୍ୟଟନ ନୁହେଁ ସଂଯୋଗୀକରଣ ଭିତ୍ତିଭୂମିରେ ମଧ୍ୟ ଅନେକ କାମ ହୋଇଛି ।

ବନ୍ଧୁଗଣ,

ମୁଁ ଆସିଆନ- ଭାରତ ତଥା ଆନୁଷଙ୍ଗିକ ବୈଠକ ପାଇଁ ଏଠାକୁ ଆସିଛି । ପ୍ରକୃତରେ ଆସିଆନ ଦେଶଗୁଡିକ ସହ ଆମର ସମ୍ପର୍କକୁ ପ୍ରୋତ୍ସାହିତ କରିବା ଆମ ସରକାରଙ୍କ ବୈଦେଶିକ ନୀତିର ଅନ୍ୟତମ ପ୍ରାଥମିକତା । ଏଥିପାଇଁ ଆମେ ଆକ୍ଟ ଇଷ୍ଟ ନୀତିକୁ ଗୁରୁତ୍ୱ ଦେଇଛୁ । ଗତ ବର୍ଷ ଭାରତ-ଆସିଆନ ମିଳିତ ବାର୍ତ୍ତାଳାପର ରୌପ୍ୟ ଜୟନ୍ତୀ ଥିଲା ଏହି ଅବସରରେ ପ୍ରଥମ ଥର ପାଇଁ ସମସ୍ତ ଦଶଟି ଆସିଆନ ଦେଶର ଶୀର୍ଷ ନେତାମାନେ ଭାରତରେ ଏକ ସ୍ମାରକ ଶିଖର ସମ୍ମିଳନୀ ପାଇଁ ଏକାଠି ହୋଇଥିଲେ ଓ ସେମାନେ ଜାନୁଆରୀ ୨୬ରେ ଗଣତନ୍ତ୍ର ଦିବସରେ ସାମିଲ ହୋଇ ଆମକୁ ଗୌରବାନ୍ୱିତ କରିଥିଲେ । 

ଭାଇ ଓ ଭଉଣୀମାନେ,

ଏହା କେବଳ ଏକ କୂଟନୈତିକ କାର୍ଯ୍ୟକ୍ରମ ନଥିଲା । ଆସିଆନ ସହ ଭାରତର ସହଭାଗୀ ସଂସ୍କୃତିର ଝଲକ କେବଳ ଗଣତନ୍ତ୍ର ଦିବସ ପରେଡରେ ନୁହେଁ ବରଂ ଭାରତର କୋଣ ଅନୁକୋଣରେ ପହଞ୍ଚିଥିଲା ।
ବନ୍ଧୁଗଣ,

ଭୌତିକ ଭିତ୍ତିଭୂମି ହେଉ ଅବା ଡିଜିଟାଲ ଭିତ୍ତିଭୂମି ହେଉ, ଆଜି ଆମେ ଥାଇଲାଣ୍ଡ ଓ ଅନ୍ୟ ଆସିଆନ ଦେଶଗୁଡିକୁ ଯୋଡିବା ପାଇଁ ଭାରତର ବିଶ୍ୱସ୍ତରୀୟ ସୁବିଧାଗୁଡିକର ବିସ୍ତାର କରୁଛୁ । ବାୟୁ, ସମୁଦ୍ର କିମ୍ବା ସଡକ ସଂଯୋଗୀକରଣ କ୍ଷେତ୍ରରେ ଭାରତ ଏବଂ ଥାଇଲାଣ୍ଡ ଦ୍ରୁତ ପ୍ରଗତି କରୁଛନ୍ତି । ଏବେ ଦୁଇ ଦେଶ ମଧ୍ୟରେ ପ୍ରାୟ ୩୦୦ ବିମାନ ଚଳାଚଳ କରୁଛି । ଭାରତର ୧୮ ଗନ୍ତବ୍ୟସ୍ଥଳ ଥାଇଲାଣ୍ଡ ସହ ସିଧାସଳଖ ସଂଯୁକ୍ତ ହୋଇଛି । ପରିସ୍ଥିତି ଏପରି ହୋଇଛି ଯେ, ଉଭୟ ଦେଶର ଯେକୌଣସି ଦୁଇ ଗନ୍ତବ୍ୟ ସ୍ଥଳ ମଧ୍ୟରେ ହାରାହାରି ଉଡ଼ାଣ ସମୟ ମାତ୍ର ୨ରୁ ୪ଘଣ୍ଟା ରହିଛି । ଯେପରି ଆପଣ ଭାରତ ମଧ୍ୟରେ ବିମାନ ଯାତ୍ରା କରୁଛନ୍ତି । ଚଳିତବର୍ଷ ମୋ ସଂସଦୀୟ ନିର୍ବାଚନମଣ୍ଡଳୀ ତଥା ବିଶ୍ୱର ସର୍ବ ପୁରାତନ ସହର କାଶୀରୁ ବ୍ୟାଙ୍କକକୁ ଆରମ୍ଭ ହୋଇଥିବା ସିଧାସଳଖ ବିମାନ ଉଡ଼ାଣ ବେଶ ଲୋକପ୍ରିୟ ହୋଇପାରିଛି । ଏହାଦ୍ୱାରା ଆମର ପ୍ରାଚୀନ ସାଂସ୍କୃତିକ ସମ୍ପର୍କ ମଜବୁତ ହୋଇଛି ଓ ସାରନାଥ ପରିଦର୍ଶନ କରିବାକୁ ଚାହୁଁଥିବା ବୌଦ୍ଧ ପର୍ଯ୍ୟଟକ ଆସୁଛନ୍ତି । ଉତ୍ତର ପୂର୍ବ ଭାରତକୁ ଥାଇଲାଣ୍ଡ ସହ ଯୋଡିବାକୁ ଆମେ ଗୁରୁତ୍ୱ ଦେଇଛୁ । ଦକ୍ଷିଣ ପୂର୍ବ ଏସିଆର ପ୍ରବେଶ ଦ୍ୱାର ଭାବରେ ଉତ୍ତର ପୂର୍ବ ଭାରତକୁ ବିକଶିତ କରାଯାଉଛି । ଭାରତର ଏହି ଅଞ୍ଚଳ ଆମର ଆକ୍ଟ ଇଷ୍ଟ ନୀତି ଓ ଥାଇଲାଣ୍ଡର ଆକ୍ଟ ୱେଷ୍ଟ ନୀତିକୁ ସୁଦୃଢ କରିବ । ଚଳିତ ଫେବୃୟାରୀରେ ଭାରତ ବାହାରେ ବ୍ୟାଙ୍କକରେ ଉତ୍ତର ପୂର୍ବ ଭାରତ ଉତ୍ସବ ପାଳନ କରିବା ପଛର ଉଦ୍ଦେଶ୍ୟ ଏହା ହିଁ ଥିଲା । ଏହାଦ୍ୱାରା ଥାଇଲାଣ୍ଡରେ ଉତ୍ତର ପୂର୍ବ ଭାରତ ପ୍ରତି ଜିଜ୍ଞାସା ଓ ବୁଝାମଣା ବଢିଥିବା ମୋତେ ଅବଗତ କରାଯାଇଛି । ଭାରତ-ମିଆଁମାର-ଥାଇଲାଣ୍ଡ ରାଜପଥ ଅର୍ଥାତ ତ୍ରିପାକ୍ଷିକ ରାଜପଥ ଆରମ୍ଭ ହେବା ପରେ ଉତ୍ତର ପୂର୍ବ ଭାରତ ଏବଂ ଥାଇଲାଣ୍ଡ ମଧ୍ୟରେ ବିରାମହୀନ ସଂଯୋଗ ସ୍ଥାପନ ହୋଇପାରିବ । ଏହାଦ୍ୱାରା ସମଗ୍ର ଅଞ୍ଚଳରେ ବାଣିଜ୍ୟ, ପର୍ଯ୍ୟଟନ ଓ ପରମ୍ପରା ମଜବୁତ ହେବ ।

ଭାଇ ଓ ଭଉଣୀମାନେ,

ମୁଁ ଖୁସି ଯେ ଥାଇଲାଣ୍ଡର ଅର୍ଥନୀତିକୁ ମଜବୁତ କରିବାରେ ଆପଣମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛନ୍ତି । ଥାଇଲାଣ୍ଡ ଓ ଭାରତର ସୁଦୃଢ ବାଣିଜ୍ୟିକ ଓ ସାଂସ୍କୃତିକ ସମ୍ପର୍କ ପାଇଁ ଆପଣମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛନ୍ତି । ଏବେ ଭାରତ ବିଶ୍ୱର ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥନୀତି ମଧ୍ୟରୁ ଅନ୍ୟତମ । ଆଗାମୀ ୫ ବର୍ଷ ମଧ୍ୟରେ ୫ ଟ୍ରିଲିୟନ ଡଲାରର ଅର୍ଥନୀତି ହେବାକୁ ଭାରତ ଉତ୍ସର୍ଗୀକୃତ ଉଦ୍ୟମ କରୁଛି । ଏଥିରେ ଆପଣମାନଙ୍କର ଭୂମିକା ବେଶ ଗୁରୁତ୍ୱପୂର୍ଣ୍ଣ
ବନ୍ଧୁଗଣ,
ଏବେ ଆମେ ଭାରତରେ ଅଭିନବ ଚିନ୍ତାଧାରା ଓ ପ୍ରତିଭାକୁ ଉତ୍ସାହିତ କରୁଛୁ ସୂଚନା ଏବଂ ଯୋଗାଯୋଗ ପ୍ରଯୁକ୍ତି କ୍ଷେତ୍ରରେ ଭାରତର କାର୍ଯ୍ୟ ଦ୍ୱାରା ଥାଇଲାଣ୍ଡ ମଧ୍ୟ ଉପକୃତ ହେଉଛି । ମହାକାଶ ପ୍ରଯୁକ୍ତି, ଜୈବ ପ୍ରଯୁକ୍ତି ଅବା ଫାର୍ମା କ୍ଷେତ୍ରରେ ଭାରତ ଓ ଥାଇଲାଣ୍ଡ ମଧ୍ୟରେ ସହଯୋଗ ଦ୍ରୁତ ଗତିରେ ବଢୁଛି । ନିକଟରେ ଭାରତ ଓ ଆସିଆନ ଦେଶଗୁଡିକ ମଧ୍ୟରେ ଗବେଷଣା ଏବଂ ବିକାଶ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତିଆସିଆନ ଦେଶଗୁଡିକର ଏକ ହଜାର ଯୁବକଯୁବତୀଙ୍କୁ ଆଇଆଇଟିରେ ପୋଷ୍ଟ-ଡକ୍ଟରାଲ୍ ଫେଲୋସିପ୍ ପ୍ରଦାନ କରିବାକୁ ନିଷ୍ପତ୍ତି ନିଆଯାଇଛି । ଆପଣଙ୍କର ସମସ୍ତ ଥାଇ ସହକର୍ମୀ ଓ ଛାତ୍ରଛାତ୍ରୀଙ୍କୁ ଅନୁରୋଧ ଏହାର ଫାଇଦା ନିଅନ୍ତୁ ଓ ଅନ୍ୟମାନଙ୍କୁ ଏହା କୁହନ୍ତୁ ।
ବନ୍ଧୁଗଣ,

ବିଗତ ପାଞ୍ଚ ବର୍ଷ ଧରି ସାରା ବିଶ୍ୱରେ ବସବାସ କରୁଥିବା ଭାରତୀୟଙ୍କୁ ନିରନ୍ତର ସରକାର ଉପଲବ୍ଧ କରାଇବା ସହ ଭାରତ ସହ ଯୋଡିବା ପାଇଁ ନିରନ୍ତର ଉଦ୍ୟମ ଜାରି ରହିଛି । ଏଥିପାଇଁ ଓସିଆଇ କାର୍ଡ ଯୋଜନାକୁ ଅଧିକ ନମନୀୟ କରାଯାଇଛିନିକଟରେ ନିଷ୍ପତ୍ତି ନେଇଛୁ ଯେ, ଓସିଆଇ କାର୍ଡଧାରୀମାନେ ମଧ୍ୟ ନୂଆ ପେନସନ ଯୋଜନାରେ ପଞ୍ଜିକରଣ କରିପାରିବେ । ଆମ ଦୂତାବାସଗୁଡ଼ିକ ଆପଣାନଙ୍କ ସମସ୍ୟାର ସମାଧାନ ପାଇଁ ପୂର୍ବାପେକ୍ଷା ଅଧିକ ସକ୍ରିୟ ଓ ୨୪ ଘଣ୍ଟା ଉପଲବ୍ଧ ଅଛନ୍ତି । କନସୁଲାର ସେବାକୁ ଅଧିକ କ୍ରିୟାଶୀଳ କରିବା ପାଇଁ ନିରନ୍ତର ପ୍ରୟାସ କରୁଛୁ ।

ବନ୍ଧୁଗଣ,

ଆଜି ବିଶ୍ୱରେ ଭାରତର ଉପସ୍ଥିତି ବଢିବାରେ ଆପଣମାନଙ୍କ ପରି ବନ୍ଧୁମାନଙ୍କର ପ୍ରମୁଖ ଭୂମିକା ରହିଛି । ଏହି ଭୂମିକାକୁ ଆହୁରି ମଜବୁତ କରିବାକୁ ପଡିବ । ମୋର ବିଶ୍ୱାସ ଆପଣମାନେ ଯେଉଁଠାରେ ଥାଆନ୍ତୁ, ଆପଣମାନଙ୍କ ପାଖରେ ଯାହା ସମ୍ବଳ ଥାଉ,  ଯେତିକି ସାମର୍ଥ୍ୟ ଥାଉ ଆପଣମାନେ ନିଶ୍ଚିତ ଭାବେ ଭାରତମାତାର ସେବା କରିବାକୁ ସୁଯୋଗ ଖୋଜି ନେବେ । ଏହି ବିଶ୍ୱାସ ସହିତ ଆମମାନଙ୍କୁ ଆଶୀର୍ବାଦ ଦେବାକୁ ଆସିଥିବା ସମସ୍ତଙ୍କୁ କୃତଜ୍ଞତା ଜଣାଉଛି ।

ଅନେକ-ଅନେକ ଅଭିନନ୍ଦନ
ଧନ୍ୟବାଦ!
ଖୋପ ଖୁନ ଖାପ !!!


ସ୍ୱଷ୍ଟୀକରଣ: ଏହା ପ୍ରଧାନମନ୍ତ୍ରୀ ହିନ୍ଦୀରେ ପ୍ରଦାନ କରିଥିବା ଭାଷଣର ଆନୁମାନିକ ଅନୁବାଦ ।

 

SR



(Release ID: 1869313) Visitor Counter : 96