ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ

ମିଥ୍ୟା ବନାମ ସତ୍ୟ


ନ୍ୟୁମୋକୋକଲ ଟିକା ଅଭାବ ସମ୍ପର୍କିତ ଗଣମାଧ୍ୟମ ଖବର ମିଥ୍ୟା ଏବଂ ଭ୍ରମାତ୍ମକ

୭୦.୧୮ ଲକ୍ଷ ଡୋଜରୁ ଅଧିକ ପିସିଭି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡିକରେ ଉପଲବ୍ଧ ଅଛି

କେନ୍ଦ୍ର ସରକାର ଯୋଗାଇ ଦେଇଥିବା ୩.୨୭ କୋଟିରୁ ଅଧିକ ପିସିଭି ଡୋଜ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳଗୁଡିକ ଦ୍ୱାରା ଜାନୁୟାରୀ ୨୦୨୨ରୁ ସେପ୍ଟେମ୍ବର ୨୦୨୨ ମଧ୍ୟରେ ଉପଯୋଗ ହୋଇଛି

Posted On: 08 OCT 2022 11:18AM by PIB Bhubaneshwar

ନିକଟରେ ଏକ ଜାତୀୟ ଦୈନିକ ଖବରକାଗଜରେ ସାରା ଦେଶରେ ନ୍ୟୁମୋକୋକଲ (ପିସିଭି) ଟିକା ଅଭାବ ସମ୍ପର୍କିତ ଖବର ପ୍ରକାଶିତ ହୋଇଛି । ଏଥିରେ ରାଜ୍ୟ ସ୍ୱାସ୍ଥ୍ୟ ଅଧିକାରୀ (ଏସଆଇଓ, ମହାରାଷ୍ଟ୍ର ସାମିଲ ଅଛନ୍ତି)ଙ୍କ ଉଦ୍ଧୃତି ଦେଇ ଟେଣ୍ଡର ବିଳମ୍ବ ଯୋଗୁଁ ସାରା ଦେଶରେ ମାସକରୁ ଅଧିକ ସମୟ ଧରି ଲକ୍ଷ ଲକ୍ଷ ଶିଶୁଙ୍କ ଟିକାକରଣ ବାଧାପ୍ରାପ୍ତ ହୋଇଥିବା ଲେଖାଯାଇଛି ।

ଏହି ଖବର ଭ୍ରମାତ୍ମକ ଓ ଅସତ୍ୟ ତଥ୍ୟ ପ୍ରଦାନ କରୁଛି ।

ଅକ୍ଟୋବର ୭,୨୦୨୨ ପର୍ଯ୍ୟନ୍ତ ଉପଲବ୍ଧ ତଥ୍ୟ ଅନୁଯାୟୀ ପିସିଭି ଟିକାର ପର୍ଯ୍ୟାପ୍ତ ଡୋଜ ଉପଲବ୍ଧ ଅଛି । ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡିକରେ ସମୁଦାୟ ୭୦,୧୮, ୮୧୭ (୭୦.୧୮ ଲକ୍ଷ) ପିସିଭି ଡୋଜ ଉପଲବ୍ଧ ଅଛି । ଏଥିରୁ ୩,୦୧,୭୯୪ (୩.୦୧ ଲକ୍ଷ) ପିସିଭି ଡୋଜ ମହାରାଷ୍ଟ୍ର ରାଜ୍ୟରେ ରହିଛି ।

ସେହିପରି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ଏଚଏମଆଇଏସ ତଥ୍ୟ ଅନୁଯାୟୀ ଜାନୁୟାରୀ ୨୦୨୨ରୁ ସେପ୍ଟେମ୍ବର ୨୦୨୨ ଅବଧି ମଧ୍ୟରେ କେନ୍ଦ୍ର ସରକାର ଯୋଗାଇ ଦେଇଥିବା ସମୁଦାୟ ୩,୨୭,୬୭,୦୨୮ (୩.୨୭ କୋଟି) ପିସିଭି ଡୋଜ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳଗୁଡିକ ଦ୍ୱାରା ଉପଯୋଗ ହୋଇଛି । ଏଥିରେ ମହାରାଷ୍ଟ୍ର ରାଜ୍ୟରେ ୧୮,୮୦,୭୨୨ (୧୮.୮୦ ଲକ୍ଷ) ପିସିଭି ଡୋଜ ସାମିଲ ରହିଛି ।

୨୦୨୨-୨୩ ବର୍ଷ ପାଇଁ କିଣା ହୋଇଥିବା ପିସିଭି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳଗୁଡିକୁ ଯୋଗାଣ ଆରମ୍ଭ ହୋଇଛି ।

ଶିଶୁ ମୃତ୍ୟୁର ପ୍ରମୁଖ କାରଣ ମଧ୍ୟରୁ ନିମୋନିଆ ଅନ୍ୟତମ ଓ ଏହି ସମସ୍ୟାର ସଠିକ ମୁକାବିଲା ପାଇଁ ଭାରତ ସରକାର ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛନ୍ତି ।

୨୦୧୭ରେ ଭାରତ ସରକାରଙ୍କ ଦ୍ୱାରା ପର୍ଯ୍ୟାୟ କ୍ରମେ ସର୍ବାଧିକ ପ୍ରଭାବିତ ପାଞ୍ଚଟି ରାଜ୍ୟ ଯଥା- ବିହାର, ହିମାଚଳ ପ୍ରଦେଶ, ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଉତ୍ତର ପ୍ରଦେଶରେ ନ୍ୟୁମୋକୋକଲ କଂଜୁଗେଟ ଭ୍ୟାକ୍ସିନ (ପିସିଭି) ଆରମ୍ଭ ହୋଇଥିଲା । ପରେ ପିସିଭିକୁ ସାର୍ବଜନୀନ ଟିକାକରଣ କାର୍ଯ୍ୟକ୍ରମ (ୟୁଆଇପି) ଅନ୍ତର୍ଗତ ସାରା ଦେଶରେ ଆରମ୍ଭ କରାଯାଇଥିଲା ।

ଏବେ ପିସିଭି ଭାରତର ସାର୍ବଜନୀନ ଟିକାକରଣ କାର୍ଯ୍ୟକ୍ରମ (ୟୁଆଇପି)ର ଅଭିନ୍ନ ଅଙ୍ଗ ପାଲଟିଛି ଓ ୨ କୋଟି ୭୧ ଲକ୍ଷ ନବଜାତକଙ୍କୁ ବିନା ମୂଲ୍ୟରେ ପ୍ରଦାନ କରାଯାଉଛି । ଏହାକୁ ତିନି ଡୋଜ ସୂଚୀ (୬ ସପ୍ତାହ, ୧୪ ସପ୍ତାହ ଓ ୯ରୁ ୧୨ମାସ ମଧ୍ୟରେ ବୁଷ୍ଟର ଡୋଜ) ଅନୁଯାୟୀ ପ୍ରଦାନ କରାଯାଉଛି ।

 

SR



(Release ID: 1866098) Visitor Counter : 117