ରାଷ୍ଟ୍ରପତିଙ୍କ ସଚିବାଳୟ

ସ୍ୱଚ୍ଛତା ସର୍ବେକ୍ଷଣ ପୁରସ୍କାର ୨୦୨୨ ପ୍ରଦାନ କଲେ ରାଷ୍ଟ୍ରପତି

Posted On: 01 OCT 2022 7:36PM by PIB Bhubaneshwar

ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଆଜି (ଅକ୍ଟୋବର ୧, ୨୦୨୨) ନୂଆଦିଲ୍ଲୀ ଠାରେ ଆୟୋଜିତ ଏକ ସମାରୋହରେ ସ୍ୱଚ୍ଛତା ସର୍ବେକ୍ଷଣ ପୁରସ୍କାର ୨୦୨୨ ପ୍ରଦାନ କରିଛନ୍ତି ।

ଏହି ଅବସରରେ ବକ୍ତବ୍ୟ ପ୍ରଦାନ କରି ପୁରସ୍କାର ବିଜେତା ସହରଗୁଡିକର ବାସିନ୍ଦା, ସଫେଇ କର୍ମଚାରୀ ଓ ସ୍ଥାନୀୟ ପ୍ରଶାସନକୁ ରାଷ୍ଟ୍ରପତି ଶୁଭେଚ୍ଛା ଜଣାଇଥିଲେ । ଲଗାତର ଷଷ୍ଠ ଥର ପାଇଁ ଇନ୍ଦୋର ସହର ପ୍ରଥମ ସ୍ଥାନ ଅଧିକାର କରିଥିବା ସେ ଉଲ୍ଲେଖ କରିବା ସହ ଦେଶର ଅନ୍ୟ ସହରଗୁଡିକ ଇନ୍ଦୋର ସହର ବାସିନ୍ଦା ଆପଣାଇଥିବା ଜନ ଭାଗିଦାରୀ ମଡେଲ ଅନୁସରଣ କରିପାରିବେ ବୋଲି ପରାମର୍ଶ ଦେଇଛନ୍ତି । 

ସ୍ୱଚ୍ଛ ସର୍ବେକ୍ଷଣ ରାଜ୍ୟ ଓ ସହରଗୁଡିକ ମଧ୍ୟରେ ସ୍ୱଚ୍ଛତାକୁ ନେଇ ସୁସ୍ଥ ପ୍ରତିଯୋଗିତାକୁ ପ୍ରୋତ୍ସାହନ ଦେଉଛି । ଚଳିତ ବର୍ଷର ସର୍ବେକ୍ଷଣରେ ୪ ହଜାରରୁ ଅଧିକ ସହରର ପ୍ରାୟ ନଅ କୋଟି ବାସିନ୍ଦା ଭାଗ ନେଇଥିଲେ । ନାଗରିକମାନଙ୍କ ମଧ୍ୟରେ ସ୍ୱଚ୍ଛତା ବଜାୟ ରଖିବା ପାଇଁ ବ୍ୟାପକ ସଚେତନତା ସୃଷ୍ଟି କରୁଥିବାରୁ ଗୃହ ନିର୍ମାଣ ଓ ନଗର ବ୍ୟାପାର ମନ୍ତ୍ରଣାଳୟକୁ ରାଷ୍ଟ୍ରପତି ପ୍ରଶଂସା କରିଥିଲେ । 

ସ୍ୱଚ୍ଛ ଭାରତ ମିଶନର ସଫଳତା ପଛରେ ବିଗତ ଆଠ ବର୍ଷ ଧରି କେନ୍ଦ୍ର, ରାଜ୍ୟ ସରକାର ଓ ସମସ୍ତ ନାଗରିକଙ୍କ ଲଗାତର ପ୍ରୟାସ ରହିଛି । ଏହି ସଫଳତା ହାସଲ କରିବାରେ ଆମ ସଫେଇ ମିତ୍ରମାନେ ବେଶ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛନ୍ତି । ସ୍ୱଚ୍ଛତା ବଜାୟ ରଖିବା ପାଇଁ ସେମାନେ ସଦାବେଳେ ଏପରିକି କୋଭିଡ ମହାମାରୀ ବେଳେ ମଧ୍ୟ କାମ କରିଥିଲେ ବୋଲି ରାଷ୍ଟ୍ରପତି କହିଛନ୍ତି । 

ଗତବର୍ଷ ଅକ୍ଟୋବର ୧ରେ ସ୍ୱଚ୍ଛ ଭାରତ ମିଶନ ଅର୍ବାନ ୨.୦ ଆରମ୍ଭ ହୋଇଥିଲା । ୨୦୨୬ ସୁଦ୍ଧା ସମସ୍ତ ସହରକୁ ବର୍ଜ୍ୟ ମୁକ୍ତ କରିବା ଏହାର ଲକ୍ଷ୍ୟ ଥିଲା । ଉତ୍ତମ ବର୍ଜ୍ୟ ପରିଚାଳନା ପାଇଁ ଘରେ ଓଦା ଓ ଶୁଖିଲା ବର୍ଜ୍ୟ ଅଲଗା କରିବାକୁ ନାଗରିକମାନଙ୍କୁ ସଚେତନ କରିବାକୁ ଅକ୍ଟୋବର ୨, ୨୦୨୨ରୁ ଅଭିଯାନ ଆରମ୍ଭ ହେଉଥିବାରୁ ସେ ସନ୍ତୋଷ ବ୍ୟକ୍ତ କରିଛନ୍ତି । ଆମ ଗଳି, ରାସ୍ତା, ଅଞ୍ଚଳ ଓ ସହରକୁ ସ୍ୱଚ୍ଛ ରଖିବା ନାଗରିକମାନଙ୍କ ଦାୟିତ୍ୱ । ସେ ସମସ୍ତଙ୍କୁ ବିଶେଷ କରି ଯୁବପୀଢିଙ୍କୁ ଏହି ଅଭିଯାନରେ ଭାଗ ନେଇ ସମାଜରେ ସ୍ୱଚ୍ଛତା ପାଇଁ ସଚେତନତା ବୃଦ୍ଧି କରିବାକୁ ଆହ୍ୱାନ ଦେଇଛନ୍ତି ।   

Please click here to see the President's Speech -

 

SR



(Release ID: 1864282) Visitor Counter : 133