ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରଣାଳୟ

‘ମେକ୍ ଇନ୍ ଇଣ୍ଡିଆ’ର ଆଠବର୍ଷ ପୂର୍ତ୍ତି; ବାର୍ଷିକ ଏଫଡିଆଇ ପରିମାଣ ଦ୍ୱିଗୁଣିତ ହୋଇ ୮୩ ବିଲିୟନ ଡଲାରରେ ପହଞ୍ଚିଲା


ପ୍ରଧାନମନ୍ତ୍ରୀଙ୍କ ଆତ୍ମନିର୍ଭର ଭାରତ ଲକ୍ଷ୍ୟ ହାସଲ କରିବା ପାଇଁ କେନ୍ଦ୍ର ସରକାର ‘ସେମି କଣ୍ଡକ୍ଟର’ ଭଳି ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ର ଉପରେ ଦୃଷ୍ଟି କେନ୍ଦ୍ରିତ କରିବେ

ଅନୁପାଳନ ଜନିତ ବୋଝ ହ୍ରାସ ଯୋଗୁଁ ଖର୍ଚ୍ଚ କମିଛି ଏବଂ ଦେଶରେ ବ୍ୟବସାୟିକ ସୁଗମତା ବଢିଛି

ଉତ୍ପାଦନଭିତ୍ତିକ ପ୍ରୋତ୍ସାହନ ଯୋଜନା (ପିଏଲ୍‌ଆଇ) ଦ୍ୱାରା ସ୍ଥାନୀୟ ମାନୁଫାକଚରିଂକୁ ବିପୁଳ ଲାଭ ମିଳିଛି; ୧୪ଟି ଯାକ ପିଏଲ୍‌ଆଇକୁ ସ୍ଥାନୀୟ ଉତ୍ପାଦନ/ନିର୍ମାଣ ଉଦ୍ୟୋଗ ସହିତ ସଂଯୁକ୍ତ କରାଯାଇଛି

୨୦୨୨ ଏପ୍ରିଲ-ଅଗଷ୍ଟ ସମୟ ମଧ୍ୟରେ ଭାରତର ଖେଳଣା ରପ୍ତାନୀ କ୍ଷେତ୍ରରେ ବିପୁଳ ଅଭିବୃଦ୍ଧି ଘଟିଛି; ୨୦୧୩ର ଏହି ସମୟ ତୁଳନାରେ ଖେଳଣା ରପ୍ତାନୀ ଅଭିବୃଦ୍ଧି ହାର ୬୩୬%

‘ମେକ୍ ଇନ୍ ଇଣ୍ଡିଆ’ ଯୋଜନାରେ ପ୍ରସ୍ତୁତ ସେବା, କାମ ଓ ସାମଗ୍ରୀ କ୍ରୟ କ୍ଷେତ୍ରରେ ସରକାରୀ ଅଗ୍ରାଧିକାର ନୀତି ୨୦୧୭ ଫଳରେ ସ୍ଥାନୀୟ ଉଦ୍ୟୋଗଗୁଡିକ ବିଶେଷ ଉପକୃତ ହେଉଛନ୍ତି; ଏହି ନୀତି ଅନୁସାରେ ସରକାରୀ ବ୍ୟବହାର ପାଇଁ କିଣା ଯାଉଥିବା ସେବା, କାମ ଓ ସାମଗ୍ରୀଗୁଡିକୁ ‘ମେକ ଇନ୍ ଇଣ୍ଡିଆ’ ରେ ଅଗ୍ରାଧିକାର ପ୍ରଦାନ କରାଯାଇଛି

Posted On: 24 SEP 2022 4:11PM by PIB Bhubaneshwar

ଭାରତ ସରକାରଙ୍କ ‘ମେକ୍ ଇନ୍ ଇଣ୍ଡିଆ’ ଯୋଜନା ଇତିମଧ୍ୟରେ ଆଠବର୍ଷ ପୂରଣ କରିଛି । ଏହା କେନ୍ଦ୍ର ସରକାରଙ୍କର ଏକ ଧ୍ୱଜାଧାରୀ ଜାତୀୟ କାର୍ଯ୍ୟକ୍ରମ ଏବଂ ଏଥିରେ ଦେଶରେ ପୁଞ୍ଜିନିବେଶ, ଇନୋଭେସନ, ଦକ୍ଷତା ବିକାଶ, ବିଶ୍ୱସ୍ତରୀୟ ଭିତ୍ତିଭୂମି ନିର୍ମାଣ କରି ମାନୁଫାକଚରିଂ ବା ଉତ୍ପାଦନ ବଢାଇବା ଅଗ୍ରାଧିକାର ପାଇଛି । ୨୦୧୪ ସେପ୍ଟେମ୍ବର ୨୫ତାରିଖରେ ଏହି ଯୋଜନାଟି ଆରମ୍ଭ ହୋଇଥିଲା । 

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରେରଣାଦାୟୀ ନେତୃତ୍ୱରେ ଆରମ୍ଭ ହୋଇଥିବା ଏହି ‘ମେକ୍ ଇନ ଇଣ୍ଡିଆ’ ଯୋଜନା ଭାରତକୁ ଏକ ପ୍ରମୁଖ ମାନୁଫ୍ୟାକଚରିଂ ହବ୍ ଓ ପୁଞ୍ଜିନିବେଶ ଲକ୍ଷ୍ୟସ୍ଥଳୀରେ ପରିବର୍ତ୍ତିତ କରୁଛି । ନୂଆ ଭାରତର ଅଭିବୃଦ୍ଧି ପ୍ରକ୍ରିୟାରେ ଅଂଶୀଦାର ହୋଇ ଏହାର ବେଗକୁ ତ୍ୱରାନ୍ୱିତ କରିବା ପାଇଁ ଏହି ଯୋଜନା ଦେଶ ବିଦେଶର ଆଶାୟୀ ନିବେଶକ ଓ ଅଂଶୀଦାରମାନଙ୍କୁ ଏକ ମୁକ୍ତ ଆମନ୍ତ୍ରଣ । ମେକ୍ ଇନ୍ ଇଣ୍ଡିଆରେ ଦେଶର ୨୭ଟି କ୍ଷେତ୍ରକୁ ଅନ୍ତର୍ଭୁକ୍ତ କରାଯାଇଛି ଏବଂ ଏହି ଆଠ ବର୍ଷ ମଧ୍ୟରେ ଏହି ସମସ୍ତ କ୍ଷେତ୍ରରେ ଭଲ ସଫଳତା ମିଳିଛି । ଦେଶର ଷ୍ଟ୍ରାଟେଜିକ ଓ ସର୍ଭିସ ସେକ୍ଟର ମଧ୍ୟ ଏହାର ଅନ୍ତର୍ଭୁକ୍ତ ହୋଇଛି । 

ବିଦେଶୀ ପୁଞ୍ଜିନିବେଶଙ୍କୁ ଆକର୍ଷିତ କରିବା ପାଇଁ ଭାରତ ସରକାର ଏକ ଉଦାରବାଦୀ ଏବଂ ସ୍ୱଚ୍ଛ ନୀତି କାର୍ଯ୍ୟକାରୀ କରିଛନ୍ତି । ଏଥିପାଇଁ ଅଟୋମେଟିକ ରୁଟ୍ ବା ସ୍ୱୟଂକ୍ରିୟ ମାର୍ଗରେ ବିନା ବାଧାବିଘ୍ନରେ ନିବେଶକ ସହଜରେ ଭାରତରେ ପୁଞ୍ଜିନିବେଶର ସୁବିଧା ପାଇଛନ୍ତି । ୨୦୧୪-୧୫ରେ ଭାରତରେ ମୋଟ ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜିନିବେଶ (ଏଫ୍‌ଡିଆଇ) ପରିମାଣ ଥିଲା ୪୫.୧୫ବିଲିୟନ ଡଲାର । ବିଗତ ଆଠବର୍ଷ ମଧ୍ୟରେ ଏହା କ୍ରମାଗତ ଭାବେ ବୃଦ୍ଧି ପାଇ ରେକର୍ଡ ପରିମାଣରେ ପହଛିଛି । ୨୦୨୧-୨୨ରେ ଏଫଡିଆଇ ପରିମାଣ ସର୍ବାଧିକ ୭୩.୬ ବିଲିୟନ ଡଲାର ଥିଲା । ମୋଟ ୧୦୧ଟି ଦେଶରୁ ଏହି ଏଫ୍‌ଡିଆଇ ଆସିଛି ଏବଂ ଦେଶର ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୫୭ଟି କ୍ଷେତ୍ରରେ ବିନିଯୋଗ କରାଯାଇଛି । ନିକଟ ଅତୀତରେ ଭାରତର ଆର୍ଥିକ ସଂସ୍କାର ଓ ଇଜ୍ ଅଫ୍ ଡୁଇଂ ବିଜ୍‌ନେସ ବା ବ୍ୟାବସାୟିକ ସୁଗମତା ବଳରେ ଦେଶର ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜିନିବେଶ ପ୍ରକ୍ରିୟା ତ୍ୱରାନ୍ୱିତ ହୋଇଛି । ଚଳିତ ଆର୍ଥିକ ବର୍ଷରେ ଭାରତ ମୋଟ ୧୦୦ ବିଲିୟନ ଡଲାର ଏଫ୍‌ଡିଆଇ ପାଇବ ବୋଲି ଆକଳନ କରାଯାଇଛି । 

ଦେଶର ୧୪ଟି ମାନୁଫ୍ୟାକଚରିଂ କ୍ଷେତ୍ରରେ ଉତ୍ପାଦକଭିତ୍ତିକ ପ୍ରୋତ୍ସାହନ ଯୋଜନା ବା ପିଲଆଇ ୨୦୨୦-୨୧ରୁ ଲାଗୁ କରାଯାଇଛି । ଏହା ଫଳରେ ମେକ୍ ଇନ୍ ଇଣ୍ଡିଆ କାର୍ଯ୍ୟକ୍ରମକୁ ବଡ ପ୍ରୋତ୍ସାହନ ମିଳିଛି । ଭାରତ ଯେଉଁ ସବୁ ଗୁରୁତ୍ୱପୂର୍ଣ୍ଣ ବା ଷ୍ଟ୍ରାଟେଜିକ୍ କ୍ଷେତ୍ରରେ ଅପେକ୍ଷାକୃତ ଭଲ ସ୍ଥିତିରେ ରହିଛି ଏବଂ ସେଠାରେ ଉତ୍ପାଦନ/ମାନୁଫ୍ୟାକଚରିଂ ମୋଟାମୋଟି ଏକ ସୁବିଧାଜନକ ସ୍ଥିତିରେ ଅଛି, ସେସବୁ ଘରୋଇ କ୍ଷେତ୍ରରେ ପିଏଲ୍‌ଆଇ ସ୍କିମ୍‌ରେ ଅଧିକ ଉତ୍ପାଦନ ପାଇଁ ପ୍ରୋତ୍ସାହନ ଯୋଗାଉଛନ୍ତି । ଫଳରେ ଏହି ଯୋଜନାରେ ଘରୋଇ ଉତ୍ପାଦକମାନେ ଅଧିକ ଉପକୃତ ହେଉଛନ୍ତି । ପିଏଲ୍ ଆଇ ସ୍କିମ୍‌ରେ ସେମାନଙ୍କୁ ସ୍ଥିତିସ୍ଥାପକ ଯୋଗାଣ ଶୃଙ୍ଖଳା, ରପ୍ତାନୀ ସୁଯୋଗ ଆଦି ଯୋଗାଇ ଦିଆଯାଇ ଅଧିକ ପ୍ରତିଯୋଗିତାମୂଳକ କରିବାର ପ୍ରୟାସ ହେଉଛି । ଏହାର ସୁଫଳ ସିଧାସଳଖ ଉତ୍ପାଦନ ଓ ନିଯୁକ୍ତି ଉପରେ ପଡୁଛି । ଉତ୍ପାଦନ ବୃଦ୍ଧି ଏବଂ ଏହାର ଯୋଗାଣ ଶୃଙ୍ଖଳା ନିର୍ମାଣରେ ଅଧିକରୁ ଅଧିକ କର୍ମନିଯୁକ୍ତି ସୁଯୋଗ ସୃଷ୍ଟି ହେଉଛି । ସର୍ବୋପରି ଦେଶର ଏମ୍‌ଏସ୍‌ଏମ୍‌ଇ ସେକ୍ଟର ପାଇଁ ଏକ ଅନୁକୂଳ ପରିବେଶ ସୃଷ୍ଟି ହୋଇଛି ଏବଂ ତାହାର ଲାଭ ସମ୍ପୃକ୍ତ ଉଦ୍ୟୋଗୀ ଉଠାଉଛନ୍ତି । 

ବିଶ୍ୱ ଅର୍ଥନୀତିରେ ସେମିକଣ୍ଡକ୍ଟର ଭଳି ସାମଗ୍ରୀର ଗୁରୁତ୍ୱ ଥିବା ଉପଲବ୍ଧି କରି ଭାରତ ସରକାର ଏ କ୍ଷେତ୍ରରେ ୧୦ବିଲିୟନ ଡଲାରର ଏକ ପ୍ରୋତ୍ସାହନ ଯୋଜନା ଆରମ୍ଭ କରିଛନ୍ତି । ଏଥିରେ ସେମିକଣ୍ଡକ୍ଟର, ଡିସ୍‌ପ୍ଲେ ଓ ଡିଜାଇନ ନିର୍ମାଣ ଗୁରୁତ୍ୱ ପାଇଛି । ଏସବୁ ସାମଗ୍ରୀର ଉତ୍ପାଦନକୁ ଉଲ୍ଲେଖନୀୟ ଭାବେ ବଢାଇବାକୁ ସରକାର ଉଦ୍ୟମ କରୁଛନ୍ତି ଏବଂ ଏଥିପାଇଁ ପ୍ରୋତ୍ସାହନ ନୀତି କାର୍ଯ୍ୟକାରୀ ହେଉଛି । 

ଆହୁରି ମଧ୍ୟ ‘ମେକ୍ ଇନ୍ ଇଣ୍ଡିଆ’କୁ ସଫଳ କରିବାକୁ ସରକାର ବିଭିନ୍ନ ସଂସ୍କାରର କାର୍ଯ୍ୟକାରୀ କରିଛନ୍ତି । ଏଥିରେ ପୁରୁଣା ଆଇନର ସଂଶୋଧନ, ନୀତି ନିୟମର ସରଳୀକରଣ, ନୀତି ନିୟମ ଅନୁପାଳନ ଜନିତ ଅନାବଶ୍ୟକ ବୋଝ ଓ ଜଟିଳତା ହ୍ରାସ, କଞ୍ଚାମାଲ ଓ ଅନ୍ୟାନ୍ୟ ମୂଳଧନୀ ସାମଗ୍ରୀର ମୂଲ୍ୟ ହ୍ରାସ ଏବଂ ବ୍ୟବସାୟିକ ସୁଗମତା ବା ଇଜ ଅଫ ଡୁଇଂ ବିଜ୍‌ନେସ୍ ଆଦି ଅନ୍ୟତମ । ଅତଏବ ମେକ୍ ଇନ୍ ଇଣ୍ଡିଆକୁ ବାସ୍ତବବାଦୀ କରିବାକୁ ଡିଜିଟାଇଜେସନ ଉପରେ ଗୁରୁତ୍ୱ ଦିଆଯାଇଥିବାବେଳେ ଛୋଟ ଛୋଟ ନୀତି ନିୟମ ଅନୁପାଳନରେ ଯେଉଁ ଅପରାଧିକ ଦଫା ଲଗାଯିବାର ବ୍ୟବସ୍ଥା ଥିଲା ତାହାକୁ ଉଠାଇ ନିଆଯାଇଛି । ଉଦ୍ୟୋଗ ସ୍ଥାପନ ଓ ବାଣିଜ୍ୟ ବ୍ୟବସାୟ ସହଜରେ କରିବାକୁ ନୀତି ନିୟମ ଅତ୍ୟନ୍ତ ସରଳ, ଯୁକ୍ତିସଂଗତ, ସହଜ ଓ ଅନୁକୂଳ ହୋଇଛି । ସିଙ୍ଗଲ ୱିଣ୍ଡୋ ବ୍ୟବସ୍ଥା ଫଳରେ ଉଦ୍ୟୋଗ ସ୍ଥାପନ ଓ ପୁଞ୍ଜିନିବେଶ ପ୍ରକ୍ରିୟା ସରଳ, ଯୁକ୍ତିସଂଗତ, ସହଜ ଓ ଅନୁକୂଳ ହୋଇଛି । ସିଙ୍ଗଲ ୱିଣ୍ଡୋ ବ୍ୟବସ୍ଥା ଫଳରେ ନିବେଶକ ବା ଉଦ୍ୟୋଗୀ ଉଦ୍ୟୋଗ ସ୍ଥାପନ ପାଇଁ ବାରଦ୍ୱାର ବୁଲି ନିରାଶ ହେବାର ସ୍ଥିତି ଆଉ ନାହିଁ । ଗୋଟିଏ ସ୍ଥାନରେ ସବୁ ସୁବିଧା ସୁଯୋଗ ଅବିଳମ୍ବେ ମିଳୁଛି । ସର୍ବୋପରି ଶ୍ରମ ଆଇନରେ ସଂଶୋଧନ କରାଯାଇ ଲୋକ ନିଯୁକ୍ତି ଓ ଛଟେଇ ବ୍ୟବସ୍ଥାକୁ ଅତ୍ୟନ୍ତ ସରଳ କରାଯାଇଛି । ସେହିଭଳି ସ୍ଥାନୀୟ ଉତ୍ପାଦର ମାନ ନିର୍ଦ୍ଧାରଣ କରିବାକୁ କ୍ୱାଲିଟି କଣ୍ଟ୍ରୋଲ ବ୍ୟବସ୍ଥା କାର୍ଯ୍ୟକାରୀ ହୋଇଛି । ଏହା ଫଳରେ ଉତ୍ପାଦକ ନିମ୍ନମାନର ସାମଗ୍ରୀ ଉତ୍ପାଦନ କରିପାରିବେ ନାହିଁ । ସେମାନଙ୍କୁ ଏକ ନିର୍ଦ୍ଦିଷ୍ଟ ସର୍ବନିମ୍ନ ମାନ ରକ୍ଷା କରିବାକୁ ପଡିବ । କର୍ପୋରେଟ ଟିକସ ହ୍ରାସ କରାଯାଇ ପୁଞ୍ଚିନିବେଶ ଓ ଉଦ୍ୟୋଗସ୍ଥାପନକୁ ପ୍ରୋତ୍ସାହିତ କରାଯାଇଛି । ସ୍ଥାନୀୟ ଉତ୍ପାଦକଙ୍କ ଠାରୁ ସରକାର ସାମଗ୍ରୀ କିଣିବାର ବ୍ୟବସ୍ଥା କରାଯିବା ଫଳରେ ସ୍ଥାନୀୟ ଉଦ୍ୟୋଗ ଲାଭବାନ ହେଉଛନ୍ତି ଏବଂ ସେମାନଙ୍କୁ ଏକ ନିଶ୍ଚିତ ବଜାର ମିଳୁଛି । 

ସରକାର ପ୍ରତିବର୍ଷ ନିୟମିତ ଭାବେ ନିଜର ଆବଶ୍ୟକତା ପାଇଁ ବିଭିନ୍ନ ପ୍ରକାର ସାମଗ୍ରୀ, ସେବା ଓ କାମ କିଣିଥାନ୍ତି । ୨୦୧୭ରେ ସରକାର ଏ ସଂକ୍ରାନ୍ତ ନୀତିରେ ସଂଶୋଧନ କରି ଲୋକାଲ ପ୍ରଡକ୍ଟ କ୍ରୟକୁ ଅଗ୍ରାଧିକାର ଦେବା ଫଳରେ ସ୍ଥାନୀୟ ଉଦ୍ୟୋଗୀ, ଲୋକ ଏବଂ ସେବାପ୍ରଦାନକାରୀ ଉପକୃତ ହେଉଛନ୍ତି ।

 ମେକ୍ ଇନ ଇଣ୍ଡିଆର ଆଉ ଏକ ବିଶେଷତ୍ୱ ହେଲା ଗୋଟିଏ ଜିଲ୍ଳା ଗୋଟିଏ ସାମଗ୍ରୀ ଉତ୍ପାଦନ ନୀତି । ଏହା ଫଳରେ ଦେଶୀ/ସ୍ଥାନୀୟ ସାମଗ୍ରୀର ଉତ୍ପାଦନକୁ ପ୍ରୋତ୍ସାହନ ମିଳିଛି ଏବଂ ସ୍ଥାନୀୟ କାରିଗର, ଶିଳ୍ପୀ ଏବଂ ଉତ୍ପାଦକଙ୍କୁ ଆନ୍ତର୍ଜାତିକ ସ୍ତରରେ ନିଜର ସାମଗ୍ରୀ ପହଞ୍ଚାଇବାର ସୁବିଧା ପାଇଛନ୍ତି । ଆମ ହସ୍ତତନ୍ତ୍ର, ବୟନ ଶିଳ୍ପ, କୃଷିଜାତ ପଦାର୍ଥ ଓ ଅନ୍ୟାନ୍ୟ ପାରମ୍ପରିକ ଜିନିଷ ପାଇଁ ଉତ୍ତମ ବଜାର ସୁବିଧା ଏବଂ ଅନୁକୂଳ ପରିବେଶ ସୃଷ୍ଟି ହୋଇଛି । ପିଏମ୍ ଗତିଶକ୍ତି ଯୋଜନା ମଧ୍ୟ ମେକ୍ ଇନ୍ ଇଣ୍ଡିଆ ପାଇଁ ଆଉ ଏକ ବଡ ସୁବିଧା ଆଣିଛି । ଏହା ଫଳରେ ସାମଗ୍ରୀ / କଞ୍ଚାମାଲ ଓ ରସଦ(ଲଜିଷ୍ଟିକ୍ସ) ଆଦି ସଂଗ୍ରହ କରିବା ଆଉ ଦୁରୁହ ନୁହେଁ । ଉଦ୍ୟୋଗୀ ନିଜର ଆବଶ୍ୟକତା ଅନୁସାରେ ଶସ୍ତାରେ ଏସବୁ ସାମଗ୍ରୀ ପାଇବା ଫଳରେ ତାଙ୍କର ଉତ୍ପାଦନ ଖର୍ଚ୍ଚ ହ୍ରାସ ପାଇଛି ଏବଂ ସେମାନେ ଶସ୍ତାରେ ଉନ୍ନତମାନର ସାମଗ୍ରୀ ରପ୍ତାନୀର ସୁଯୋଗ ପାଇଛନ୍ତି । ଗତିଶକ୍ତି ଯୋଜନା ଦ୍ୱାରା ମଧ୍ୟ ବଜାର ଓ ବିପଣନ ସୁବିଧା ବଢିଛି, ଏହା ଦ୍ୱାରା ନୂଆ ନୂଆ ହବ୍ ଓ ବ୍ୟାବସାୟିକ ସୁଯୋଗ ସୃଷ୍ଟି ହୋଇଛି ।

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୨୦୨୦ଅଗଷ୍ଟରେ ତାଙ୍କ ‘ମନ୍ କି ବାତ୍‌’ କାର୍ଯ୍ୟକ୍ରମରେ ଭାରତକୁ ବିଶ୍ୱର ଏକ ପ୍ରମୁଖ ଖେଳଣା ଉତ୍ପାଦନକାରୀ ହବ୍‌ରେ ପରିଣତ କରିବା ଇଚ୍ଛା ପ୍ରକାଶ କରିଥିଲେ । ଏଥିରେ ଖେଳଣାର ଡିଜାଇନ ପ୍ରସ୍ତୁତି ଓ ଉତ୍ପାଦନ ଦକ୍ଷତା ବୃଦ୍ଧି କଥା ମଧ୍ୟ ଥିଲା । ଭାରତୀୟ ଖେଳଣା ଉଦ୍ୟୋଗ ମୁଖ୍ୟତଃ ଆମଦାନୀ ଉପରେ ନିର୍ଭରଶୀଳ । କଞ୍ଚାମାଲ, ଟେକ୍‌ନୋଲୋଜି, ଡିଜାଇନ ଓ ଉତ୍ପାଦନ ସୁବିଧା ଅଭାବରୁ ଏହି ଉଦ୍ୟୋଗ ଭାରତରେ ଆଗେଇ ପାରୁ ନଥିଲା; ଅଥଚ ଭାରତରେ ଖେଳଣାର ଚାହିଦା ପ୍ରଚୁର । ୨୦୧୮-୧୯ରେ ଭାରତ ୩୭୧ନିୟୁତ ଡଲାର ବା ୨୯୬୦ କୋଟି ଟଙ୍କାର ଖେଳଣା ଆମଦାନୀ କରିଥିଲା । ଏହି ଖେଳଣା ମଧ୍ୟରୁ ଅଧିକାଂଶ ଅସୁରକ୍ଷିତ, ନିମ୍ନମାନର, ନକଲି ଏବଂ ଶସ୍ତା । 

ଅତଏବ ପ୍ରଧାନମନ୍ତ୍ରୀଙ୍କ ଇଚ୍ଛା ପୂରଣ କରିବାକୁ ସରକାର ଭାରତୀୟ ଖେଳଣା ଉଦ୍ୟୋଗକୁ ପ୍ରୋତ୍ସାହିତ କରିବାକୁ ବିଭିନ୍ନ ପଦକ୍ଷେପ ଆରମ୍ଭ କରିଥିଲେ । ଏଥିରେ ଖେଳନା ଆମଦାନୀକୁ ନିରୁତ୍ସାହିତ କରିବାକୁ ସୀମା ଶୁଳ୍କ ହାର ୨୦ରୁ ୬୦%କୁ ବୃଦ୍ଧି କରାଯାଇଥିଲା । ଆମଦାନୀ ଖେଳଣାର ମାନ ନିର୍ଦ୍ଧାରଣ କରିବାକୁ ଏକ କ୍ୱାଲିଟି କଣ୍ଡ୍ରୋଲ ନିୟମ ଲାଗୁ ହୋଇଛି । ନମୁନା ପରୀକ୍ଷାକୁ ବାଧ୍ୟତାମୂଳକ କରାଯିବା ସହିତ ଘରୋଇ ଖେଳଣା ଉଦ୍ୟୋଗକୁ ପ୍ରୋତ୍ସାହିତ କରିବାକୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି । ଏହାର ଲାଭ ମିଳିଛି ଏବଂ ୨୦୨୧-୨୨ ଆର୍ଥିକ ବର୍ଷରେ ଏପ୍ରିଲ-ଅଗଷ୍ଟ ସମୟରେ ଭାରତ ଘରୋଇ ଆବଶ୍ୟକତା ପୂରଣ କରି ୨୬୦୮.୫ କୋଟି ବା ୩୨୬ ନିୟୁତ ଡଲାର ପରିମାଣର ଖେଳଣା ବିଦେଶକୁ ପଠାଇଛି । ଏହାର ଲାଭ ଭାରତୀୟ ଖେଳଣା ଉଦ୍ୟୋଗକୁ ମିଳିଛି । ୨୦୧୩ର ଏହି ସମୟର ଖେଳଣା ରପ୍ତାନୀ ସହିତ ତୁଳନା କଲେ ଭାରତ ଏ କ୍ଷେତ୍ରରେ ରେକର୍ଡ ୬୩୬% ଏବଂ ୨୦୧୮-୧୯ ତୁଳନାରେ ୬୧% ଅଭିବୃଦ୍ଧି ହାସଲ କରିଛି ।

ମେକ୍ ଇନ୍ ଇଣ୍ଡିଆ କାର୍ଯ୍ୟକ୍ରମ ଭାରତୀୟ ଉଦ୍ୟୋଗ ପାଇଁ ବିପୁଳ ସୁଯୋଗ ଓ ସମ୍ଭାବନା ଆଣିଛି ଓ ଅନେକ କ୍ଷେତ୍ରରେ ତାହାର ଲାଭ ମିଳିଲାଣି । ଏହି ଯୋଜନା ମଧ୍ୟରେ ଭାରତର ଗବେଷଣା ଓ ଉନ୍ନୟନ, ଘରୋଇ ମୂଲ୍ୟ ମିଶ୍ରଣ, ଲୋକାଲ ସୋର୍ସିଂ ଆଦିକୁ ପ୍ରୋତ୍ସାହିତ କରି ଏକ ଉତ୍ତମ ସ୍ଥିତି ଉପଲବ୍ଧ ହୋଇଛି । ଏହା ଫଳରେ ପୁଞ୍ଜିନିବେଶ, ପୁଞ୍ଜି ପ୍ରବାହ ଏବଂ ନିଯୁକ୍ତି ବଢିଛି ଏବଂ ଭାରତ ଅନେକ କ୍ଷେତ୍ରରେ ଆତ୍ମନିର୍ଭରଶୀଳ ହୋଇ ରପ୍ତାନୀ ବୃଦ୍ଧି ସହିତ ବିଶ୍ୱ ବଜାରରେ ତାହାର ସ୍ଥିତିରେ ଉନ୍ନତି ଆଣିଛି ।

 ମେକ୍ ଇନ୍ ଇଣ୍ଡିଆ ମାଧ୍ୟମରେ ଭାରତରେ ତିଆରି ବା ମେଡ୍ ଇନ୍ ଇଣ୍ଡିଆ ପ୍ରୟାସ କ୍ରମଶଃ ମେଡ୍ ଫର ୱାର୍ଲଡ ବା ବିଶ୍ୱ ପାଇଁ ତିଆରିରେ ପରିଣତ ହେବାକୁ ଯାଉଛି । ଏହି ପ୍ରକ୍ରିୟାରେ ଉତ୍ପାଦିତ ସାମଗ୍ରୀର ମାନରକ୍ଷା ଓ ମୂଲ୍ୟକୁ ସର୍ବାଧିକ ଗୁରୁତ୍ୱ ଦେଇ କାମ ଚାଲିଛି ।

 

*****

 

TKM/SLP



(Release ID: 1862003) Visitor Counter : 531