ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଜାତୀୟ ଲଜିଷ୍ଟିକ୍ସ ନୀତିର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ


‘‘ଭାରତ ଏକ ଉତ୍ପାଦନ କେନ୍ଦ୍ର ଭାବେ ଉଭା ହେଉଥିବାର ଧାରଣା ବିଶ୍ୱବ୍ୟାପୀ ଧୀରେ ଧୀରେ ସୁଦୃଢ଼ ହେଉଛି’’

‘‘ନୀତି କେବଳ ଏକ ଆରମ୍ଭ, ନୀତି ସହିତ ପ୍ରଦର୍ଶନ ମିଶିଲେ ପ୍ରଗତି ଆସିଥାଏ’’

‘‘ଜାତୀୟ ଲଜିଷ୍ଟିକ୍ସ ନୀତି ହଠାତ୍‌ ଆରମ୍ଭ ହୋଇନାହିଁ, ବରଂ ଏହା ପଛରେ ୮ ବର୍ଷର କଠିନ ପରିଶ୍ରମ ରହିଛି’’

‘‘ଲଜିଷ୍ଟିକ୍ସ ଖର୍ଚ୍ଚକୁ ୧୩-୧୪ ପ୍ରତିଶତରୁ କମାଇ ଯଥାଶୀଘ୍ର ସମ୍ଭବ ଏକ ଅଙ୍କ ବିଶିଷ୍ଟ କରିବା ଲାଗି ଆମେ ସମସ୍ତେ ଲକ୍ଷ୍ୟ ରଖିବା ଉଚିତ୍‌’’

‘‘ଏକୀକୃତ ଲଜିଷ୍ଟିକ୍ସ ଇଣ୍ଟରଫେସ ପ୍ଲାଟଫର୍ମ-ୟୁଏଲଆଇପି ପରିବହନ କ୍ଷେତ୍ର ସହ ଜଡ଼ିତ ସବୁ ଡିଜିଟାଲ ସେବାକୁ ଗୋଟିଏ ପୋର୍ଟାଲରେ ଏକତ୍ରିତ କରିବ’’

‘‘ଗତିଶକ୍ତି ଏବଂ ଜାତୀୟ ଲଜିଷ୍ଟିକ୍ସ ନୀତି, ଉଭୟ ଦେଶକୁ ଏକ ନୂଆ କାର୍ଯ୍ୟ ସଂସ୍କୃତି ଦିଗରେ ଆଗେଇ ନେଉଛନ୍ତି’’

‘‘ଭାରତ ବିକଶିତ ହେବା ଲାଗି ସଂକଳ୍ପବଦ୍ଧ ରହିଛି, ଏବେ ଏହା ବିକଶିତ ରାଷ୍ଟ୍ରମାନଙ୍କ ସହିତ ଅଧିକ ପ୍ରତିଦ୍ୱନ୍ଦ୍ୱିତା କରିବା ଆବଶ୍ୟକ, ତେଣୁ ସବୁକିଛି ପ୍ରତିଦ୍ୱନ୍ଦ୍ୱୀ ହେବା ଉଚିତ୍‌’’

‘‘ଭିତ୍ତିଭୂମି ବିକାଶ, ବ୍ୟବସାୟ ସମ୍ପ୍ରସାରଣ ଏବଂ ନିଯୁକ୍ତି ସୁଯୋଗ ବଢ଼ାଇବା ପାଇଁ ଜାତୀୟ ଲଜିଷ୍ଟିକ୍ସ ନୀତିରେ ବ୍ୟାପକ ସମ୍ଭାବନା ରହିଛି’’

Posted On: 17 SEP 2022 7:41PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀର ବିଜ୍ଞାନ ଭବନ ଠାରେ ଜାତୀୟ ଲଜିଷ୍ଟିକ୍ସ ନୀତି (ଏନଏଲପି)ର ଶୁଭାରମ୍ଭ କରିଛନ୍ତି ।

ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଏକ ବିକଶିତ ରାଷ୍ଟ୍ର ଭାବେ ଭାରତକୁ ପ୍ରତିଷ୍ଠିତ କରିବା ଲାଗି ନିଆଯାଇଥିବା ‘ପ୍ରଣ’ ବା ସଂକଳ୍ପକୁ ସାକାର କରିବା ଦିଗରେ ଜାତୀୟ ଲଜିଷ୍ଟିକ୍ସ ନୀତି ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ । ଦ୍ରୁତ ଗତିରେ ଅନ୍ତିମ ସୋପାନରେ ସାମଗ୍ରୀ ବିତରଣ ସୁବିଧା ଯୋଗାଇ ଦେବା, ପରିବହନ ସଂକ୍ରାନ୍ତ ସମସ୍ୟା ଦୂର କରିବା, ଉତ୍ପାଦନକାରୀମାନଙ୍କର ସମୟ ଓ ଅର୍ଥ ସଞ୍ଚୟ କରିବା, କୃଷି ଉତ୍ପାଦକୁ ନଷ୍ଟ ହେବାରୁ ରକ୍ଷା କରିବା ଲାଗି ନିରନ୍ତର ଭାବେ ମିଳିତ ପ୍ରୟାସ କରାଯାଉଛି, ଫଳରେ ଦେଶରେ ଆଜି ଜାତୀୟ ଲଜିଷ୍ଟିକ୍ସ ନୀତି କାର୍ଯ୍ୟକାରୀ ହେବାକୁ ଯାଉଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ସମନ୍ୱୟରେ ସୁଧାର ଆସିବା ଫଳରେ ଏହି କ୍ଷେତ୍ରରେ ଆଶାନୁରୂପ ପରିଣାମ ମିଳିପାରିବ । 

ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ଯେ, ଭାରତ ଆଜି ବିଶ୍ୱର ପଞ୍ଚମ ସର୍ବବୃହତ ଅର୍ଥବ୍ୟବସ୍ଥାରେ ପରିଣତ ହୋଇଛି । ଦେଶରେ ଦ୍ରୁତ ଗତିରେ ପରିବର୍ତ୍ତନ ସଂଘଟିତ ହେଉଛି । ଆଜି ସକାଳେ ଚିତାମାନଙ୍କୁ ଛଡ଼ାଯିବା ସମ୍ପର୍କରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଚିତାଙ୍କ ଭଳି ଲଗେଜ୍‌ ବା ମାଲଗୁଡ଼ିକ ଦ୍ରୁତ ଗତିରେ ପରିବହନ ହେବା ଆବଶ୍ୟକ ବୋଲି ଆମେ ଚାହୁଁଛୁ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ, ମେକ୍‌ ଇନ୍‌ ଇଣ୍ଡିଆର ବାର୍ତ୍ତା ଚତୁର୍ଦ୍ଦିଗରେ ପହଞ୍ଚିଛି । ଭାରତ ଆଜି ସବୁ କ୍ଷେତ୍ରରେ ଆତ୍ମନିର୍ଭରଶୀଳ ହେଉଛି । ଭାରତ ଏବେ ବଡ଼ ରପ୍ତାନି ଲକ୍ଷ୍ୟ ନିର୍ଦ୍ଧାରଣ କରିବା ସହିତ ତାହାକୁ ହାସଲ ମଧ୍ୟ କରୁଛି । ଭାରତ ଏକ ଉତ୍ପାଦନ କେନ୍ଦ୍ର ଭାବେ ଉଭା ହେଉଥିବାର ଧାରଣା ବିଶ୍ୱବ୍ୟାପୀ ଧୀରେ ଧୀରେ ସୁଦୃଢ଼ ହେଉଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ସେ ଆହୁରି କହିଥିଲେ ଯେ, ଉତ୍ପାଦନ ଭିତ୍ତିକ ପ୍ରୋତ୍ସାହନ ଯୋଜନା (ପିଏଲଆଇ)କୁ ଅନୁଧ୍ୟାନ କଲେ ଆମେ ଦେଖିପାରିବା ଯେ ସାରା ବିଶ୍ୱ ଏହାକୁ ଗ୍ରହଣ କରିଛି ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଏଭଳି ପରିସ୍ଥିତିରେ ଜାତୀୟ ଲଜିଷ୍ଟିକ୍ସ ନୀତି ସବୁ କ୍ଷେତ୍ର ପାଇଁ ଏକ ନୂଆ ଉତ୍ସାହ ନେଇ ଆସିଛି । ସେ କହିଥିଲେ ଯେ, ନୀତି କେବଳ ଏକ ଆରମ୍ଭ, ନୀତି ସହିତ ପ୍ରଦର୍ଶନ ମିଶିଲେ ପ୍ରଗତି ହାସଲ ସମ୍ଭବ ହୋଇଥାଏ। ପ୍ରଧାନମନ୍ତ୍ରୀ ବିଶେଷ ଭାବେ ଉଲ୍ଲେଖ କରି କହିଥିଲେ ଯେ, ମାପଦଣ୍ଡ (ପାରାମିଟର), କାର୍ଯ୍ୟଖସଡ଼ା (ରୋଡମ୍ୟାପ) ଏବଂ ପ୍ରଦର୍ଶନ ପାଇଁ ନିର୍ଦ୍ଧାରିତ ସମୟ (ଟାଇମଲାଇନ) ଏକ ସଙ୍ଗେ ମିଶି କାର୍ଯ୍ୟକାରୀ ହେଲେ ପ୍ରଗତି ଅବଶ୍ୟମ୍ଭାବୀ ହୋଇଥାଏ। ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଆଜି ଦେଶରେ କୌଣସି ନୀତି କାର୍ଯ୍ୟକାରୀ କରାଯିବା ପୂର୍ବରୁ ଏଥିପାଇଁ ପ୍ରଥମେ କ୍ଷେତ୍ର ପ୍ରସ୍ତୁତି କରାଯାଉଛି, ଏହାପରେ ଯାଇ ନୀତି କାର୍ଯ୍ୟକାରୀ କରାଯାଉଛି । ଫଳରେ ଦେଶରେ ସବୁ ନୀତି ଓ ଯୋଜନା ସଫଳ ହେଉଛି । ଜାତୀୟ ଲଜିଷ୍ଟିକ୍ସ ନୀତି ହଠାତ୍‌ ଆସି ନାହିଁ । ଏହାପଛରେ ୮ ବର୍ଷର କଠିନ ପରିଶ୍ରମ ରହିଛି । ଏଥିରେ ନୀତିଗତ ପରିବର୍ତ୍ତନ, ବୃହତ ନିର୍ଣ୍ଣୟ ରହିଛି । ଯଦି ମୁଁ ମୋ କଥା କହିବି, ତା’ହେଲେ ଏହା ପଛରେ ମୋର ୨୨ ବର୍ଷର ପ୍ରଶାସନିକ ଅଭିଜ୍ଞତା ସାମିଲ ରହିଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ସାଗରମାଳା, ଭାରତମାଳା ଭଳି ଯୋଜନାର ଅବତାରଣା କରିଥିଲେ । ସେହିପରି ଲଜିଷ୍ଟିକ୍ସ ପରିବହନରେ ସୁଧାର ପାଇଁ ସମର୍ପିତ ମାଲ କରିଡର କାର୍ଯ୍ୟ ତ୍ୱରାନ୍ୱିତ ହେବା ବିଷୟରେ କହିଥିଲେ । ଏସବୁ ଯୋଜନା ଦେଶରେ ଭିତ୍ତିଭୂମି ବିକାଶକୁ ବ୍ୟବସ୍ଥିତ କରିଛି । ଶ୍ରୀ ମୋଦୀ କହିଥିଲେ ଯେ, ଭାରତୀୟ ବନ୍ଦରଗୁଡ଼ିକର ମୋଟ୍‌ କ୍ଷମତା ଉଲ୍ଲେଖନୀୟ ଭାବେ ବୃଦ୍ଧି ପାଇଛି ଏବଂ ମାଲବାହୀ ଜାହାଜଗୁଡ଼ିକର ହାରାହାରୀ ପରିଚାଳନା ସମୟ ବା ଟର୍ଣ୍ଣ-ଆରାଉଣ୍ଡ ଟାଇମ୍‌ ୪୪ ଘଣ୍ଟାରୁ ୨୬ ଘଣ୍ଟାକୁ ହ୍ରାସ ପାଇଛି । ରପ୍ତାନିକୁ ପ୍ରୋତ୍ସାହନ ଦେବା ଲାଗି ୪୦ଟି ବିମାନ କାର୍ଗୋ ଟର୍ମିନାଲ ନିର୍ମାଣ କରାଯାଇଛି । ୩୦ଟି ବିମାନ ବନ୍ଦରରେ ଶୀତଳ ଭଣ୍ଡାର ସୁବିଧା କରାଯାଇଛି । ଦେଶରେ ୩୫ଟି ବହୁମୁଖି କେନ୍ଦ୍ର ବା ହବ୍ ନିର୍ମାଣ କରାଯାଉଛି । ପ୍ରଧାନମନ୍ତ୍ରୀ ଆହୁରି କହିଥିଲେ ଯେ, ଜଳମାର୍ଗ ଜରିଆରେ ଆମେ ପରିବେଶ ଅନୁକୂଳ ଏବଂ ମିତବ୍ୟୟୀ ପରିବହନ ସୁବିଧା ଯୋଗାଇ ଦେଉଛୁ । ଏଥିପାଇଁ ଦେଶରେ ଅନେକ ନୂଆ ଜଳମାର୍ଗ ନିର୍ମାଣ କରାଯାଉଛି । ସେ ଆହୁରି ମଧ୍ୟ କରୋନା ମହାମାରୀ ସମୟରେ ଆରମ୍ଭ ହୋଇଥିବା କିଷାନ ରେଳ ଏବଂ କିଷାନ ଉଡ଼ାନ୍‌ କାର୍ଯ୍ୟକ୍ରମ ବିଷୟରେ ଉଲ୍ଲେଖ କରିଥିଲେ । ସେ କହିଥିଲେ ଯେ ଆଜି, ୬୦ଟି ବିମାନ ବନ୍ଦରରେ କୃଷି ଉଡ଼ାନ ସୁବିଧା ରହିଛି ।

ଲଜିଷ୍ଟିକ୍ସ କ୍ଷେତ୍ରକୁ ସୁଦୃଢ଼ କରିବା ଲାଗି ପ୍ରଯୁକ୍ତିକୁ ଗ୍ରହଣ କରିବା ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ । ସେ କହିଥିଲେ ଯେ, ସରକାର ଇ-ସଞ୍ଚିତ ଜରିଆରେ ଏକ୍‌ଜିମ୍‌ ବାଣିଜ୍ୟ ପ୍ରକ୍ରିୟା, ବର୍ହିଶୁଳ୍କ ପାଇଁ ଫେସଲେସ ଆସେସମେଣ୍ଟ ସୁବିଧା, ଇ-ୱେ ବିଲ ବ୍ୟବସ୍ଥା, ଫାଷ୍ଟଟ୍ୟାଗ ଆଦି ପଦକ୍ଷେପ ନେବା ଦିଗରେ କାର୍ଯ୍ୟ କରୁଛନ୍ତି । ଲଜିଷ୍ଟିକ୍ସ କ୍ଷେତ୍ରରେ ରହିଥିବା ସମସ୍ୟା ଦୂର କରିବା ଲାଗି ଜିଏସଟି ଭଳି ଏକକ ଟିକସ ବ୍ୟବସ୍ଥାର ଗୁରୁତ୍ୱ ଉପରେ ମଧ୍ୟ ସେ ଆଲୋକପାତ କରିଥିଲେ । ଡ୍ରୋନ ନୀତିରେ ପରିବର୍ତ୍ତନ ଏବଂ ଏହାକୁ ପିଏଲଆଇ ଯୋଜନା ସହ ଯୋଡ଼ିବା ଫଳରେ ଲଜିଷ୍ଟିକ୍ସ କ୍ଷେତ୍ରରେ ଡ୍ରୋନର ବ୍ୟବହାର ନିମନ୍ତେ ମାର୍ଗ ପ୍ରଶସ୍ତ ହୋଇଛି । ଏସବୁ ପଦକ୍ଷେପ ଗ୍ରହଣ କରାଯିବା ପରେ, ଆମେ ଜାତୀୟ ଲଜିଷ୍ଟିକ୍ସ ନୀତି ନେଇ ଆସିଛୁ ବୋଲି ପ୍ରଧାନମନ୍ତ୍ରୀ ବିଶେଷ ଭାବେ କହିଥିଲେ । ସେ ଆହୁରି କହିଥିଲେ ଯେ, ଲଜିଷ୍ଟିକ୍ସ ଖର୍ଚ୍ଚକୁ ୧୩-୧୪ ପ୍ରତିଶତରୁ କମାଇ ଯଥାଶୀଘ୍ର ସମ୍ଭବ ଏକ ଅଙ୍କ ବିଶିଷ୍ଟ କରିବା ଲାଗି ଆମେ ସମସ୍ତେ ଲକ୍ଷ୍ୟ ରଖିବା ଉଚିତ୍‌ । ଏହା ଏକ ପ୍ରକାରରେ ଆମ ହାତପାଆନ୍ତାରେ ଥିବା ଫଳ ଭଳି, ବିଶ୍ୱ ସ୍ତରରେ ପ୍ରତିଦ୍ୱନ୍ଦ୍ୱୀ ହେବାକୁ ହେଲେ ଆମକୁ ଏହା କରିବାକୁ ପଡ଼ିବ ବୋଲି ପ୍ରଧାନମନ୍ତ୍ରୀ ଜୋର ଦେଇ କହିଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏକୀକୃତ ଲଜିଷ୍ଟିକ୍ସ ଇଣ୍ଟରଫେସ ପ୍ଲାଟଫର୍ମ-ୟୁଏଲଆଇପି ପରିବହନ କ୍ଷେତ୍ର ସହ ଜଡ଼ିତ ସବୁ ଡିଜିଟାଲ ସେବାକୁ ଗୋଟିଏ ପୋର୍ଟାଲରେ ଏକତ୍ରିତ କରିବ। ଯାହାଫଳରେ ରପ୍ତାନିକାରୀମାନେ ଖୁବ ଲମ୍ବା ଏବଂ ଜଟିଳ ପ୍ରକ୍ରିୟାର ଜାଲରୁ ମୁକ୍ତି ପାଇବେ । ଅନୁରୂପ ଭାବେ, ଏହି ନୀତି ଅଧୀନରେ ଏକ ନୂଆ ଡିଜିଟାଲ ପ୍ଲାଟଫର୍ମ ଇଜ୍‌ ଲଜିଷ୍ଟିକ୍ସ ସେବା- ଇ-ଲଗ୍ସ ମଧ୍ୟ ଆରମ୍ଭ କରାଯାଇଛି । ଏହି ପୋର୍ଟାଲ ଜରିଆରେ, ଶିଳ୍ପ ସଂଘମାନେ ସେମାନଙ୍କର ପରିଚାଳନା ଏବଂ ପ୍ରଦର୍ଶନରେ ବାଧା ସୃଷ୍ଟି କରୁଥିବା ଏଭଳି ସବୁ ପ୍ରସଙ୍ଗକୁ ସରକାରୀ ଏଜେନ୍ସିଙ୍କ ଦୃଷ୍ଟିକୁ ଆଣିପାରିବେ । ଏଭଳି ମାମଲାର ଦ୍ରୁତ ସମାଧାନ ପାଇଁ ଏକ ସମ୍ପୂର୍ଣ୍ଣ ବ୍ୟବସ୍ଥା କରାଯାଇଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

ଶ୍ରୀ ମୋଦୀ ଆହୁରି କହିଥିଲେ ଯେ, ପିଏମ ଗତିଶକ୍ତି ମାଷ୍ଟର ପ୍ଲାନ ସବୁ ଦିଗରୁ ଜାତୀୟ ଲଜିଷ୍ଟିକ୍ସ ନୀତି ପାଇଁ ସହାୟକ ହେବ । ପ୍ରଧାନମନ୍ତ୍ରୀ ଖୁସି ବ୍ୟକ୍ତ କରି କହିଥିଲେ ଯେ ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ସମର୍ଥନ ମିଳିବା କାରଣରୁ ସବୁ ବିଭାଗ ମିଳିତ ଭାବେ କାର୍ଯ୍ୟ କରିବା ଆରମ୍ଭ କରିଛନ୍ତି । ରାଜ୍ୟ ସରକାରଙ୍କ ବିଭିନ୍ନ ଭିତ୍ତିଭୂମି ପ୍ରକଳ୍ପ ସଂକ୍ରାନ୍ତରେ ବ୍ୟାପକ ସୂଚନାକୁ ନେଇ ଏକ ଡାଟା ପ୍ରସ୍ତୁତ କରାଯାଇଛି । ଆଜି, କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ସମ୍ପର୍କରେ ପ୍ରାୟ ୧୫୦୦ ସ୍ତରର ଡାଟା ବା ତଥ୍ୟ ପିଏମ ଗତିଶକ୍ତି ପୋର୍ଟାଲରେ ଉପଲବ୍ଧ ହୋଇପାରିଛି ବୋଲି ପ୍ରଧାନମନ୍ତ୍ରୀ ସୂଚନା ଦେଇଥିଲେ । ସେ କହିଥିଲେ ଯେ, ଗତିଶକ୍ତି ଏବଂ ଜାତୀୟ ଲଜିଷ୍ଟିକ୍ସ ନୀତି ମିଳିତ ଭାବେ ଏବେ ଦେଶକୁ ଏକ ନୂଆ କାର୍ଯ୍ୟ ସଂସ୍କୃତି ଦିଗରେ ଆଗେଇ ନେଉଛନ୍ତି । ନିକଟରେ ମଞ୍ଜୁରି ପାଇଥିବା ଗତିଶକ୍ତି ବିଶ୍ୱବିଦ୍ୟାଳୟରୁ ଆସିବାକୁ ଥିବା ପ୍ରତିଭାମାନେ ଏହି କ୍ଷେତ୍ରରେ ଯଥେଷ୍ଟ ସହାୟକ ହୋଇପାରିବେ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଆଜି ସାରା ବିଶ୍ୱ ଭାରତକୁ ଏକ ‘ଗଣତାନ୍ତ୍ରିକ ମହାଶକ୍ତି’ ଭାବେ ଦେଖୁଛି । ସେ କହିଥିଲେ ଯେ, ଭାରତର ‘ଅସାଧାରଣ ପ୍ରତିଭା ଇକୋସିଷ୍ଟମ’ କ୍ଷେତ୍ର ବିଶେଷଜ୍ଞମାନଙ୍କୁ ଚକିତ କରିଛି ଏବଂ ସେମାନେ ଭାରତର ‘ପ୍ରତିବଦ୍ଧତା’ ଓ ‘ପ୍ରଗତି’କୁ ପ୍ରଶଂସା କରୁଛନ୍ତି । ପ୍ରଧାନମନ୍ତ୍ରୀ କହିଥିଲେ ଯେ, ବିଶ୍ୱର ଦୃଷ୍ଟିକୋଣ ଆଜି ଭାରତ ପ୍ରତି ବଦଳିବାକୁ ଲାଗିଛି । ଆଜି ସାରା ବିଶ୍ୱ ଭାରତକୁ ସକାରାତ୍ମକ ଦୃଷ୍ଟିକୋଣ ନେଇ ମୂଲ୍ୟାଙ୍କନ କରୁଛି ଏବଂ ଭାରତ ଠାରୁ ଅନେକ କିଛି ଆଶା କରୁଛି ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ, ସାରା ବିଶ୍ୱ ସଙ୍କଟ ମଧ୍ୟରେ ପଡ଼ିଥିବା ବେଳେ ଭାରତ ଏବଂ ଭାରତୀୟ ଅର୍ଥବ୍ୟବସ୍ଥା ପ୍ରଦର୍ଶନ କରିଥିବା ସହନଶୀଳତା ବିଶ୍ୱରେ ଏକ ନୂତନ ଆତ୍ମବିଶ୍ୱାସ ସୃଷ୍ଟି କରିଛି । ବିଗତ କିଛି ବର୍ଷ ହେବ ଭାରତରେ ଆସିଥିବା ସଂସ୍କାର ଏବଂ କାର୍ଯ୍ୟକାରୀ କରାଯାଇଥିବା ନୀତି ଅଭୂତପୂର୍ବ ବୋଲି ଶ୍ରୀ ମୋଦୀ କହିଥିଲେ । ପ୍ରଧାନମନ୍ତ୍ରୀ ଆହୁରି କହିଥିଲେ ଯେ, ଏହି କାରଣରୁ ଭାରତ ପ୍ରତି ସାରା ବିଶ୍ୱର ଭରସା ବୃଦ୍ଧି ପାଇଛି । ଏହି ଭରସାକୁ ବଜାୟ ରଖିବା ଲାଗି ପ୍ରଧାନମନ୍ତ୍ରୀ ସମସ୍ତ ଦେଶବାସୀଙ୍କୁ ଅନୁରୋଧ କରିଥିଲେ । ସେ କହିଥିଲେ ଯେ, ଏହା ଆମର ଦାୟିତ୍ୱ, ଆମ ସମସ୍ତଙ୍କର ଏକ ଦାୟିତ୍ୱ ରହିଛି । ଆଜି ଆରମ୍ଭ କରାଯାଇଥିବା ଜାତୀୟ ଲଜିଷ୍ଟିକ୍ସ ନୀତି ଏ କ୍ଷେତ୍ରରେ ଦେଶକୁ ବିଶେଷ ଭାବେ ସହାୟକ ହେବ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଭାରତୀୟମାନଙ୍କ ମଧ୍ୟରେ ଏକ ପ୍ରତିଦ୍ୱନ୍ଦ୍ୱୀ ମନୋଭାବ ସୃଷ୍ଟି ହେବା ଉଚିତ୍‌ । ସେ କହିଥିଲେ ଯେ, ଭାରତ ବିକଶିତ ହେବା ଲାଗି ସଂକଳ୍ପବଦ୍ଧ ରହିଛି, ଏବେ ଏହା ବିକଶିତ ରାଷ୍ଟ୍ରମାନଙ୍କ ସହିତ ଅଧିକ ପ୍ରତିଦ୍ୱନ୍ଦ୍ୱିତା କରିବା ଉଚିତ୍‌ । ତେଣୁ ସବୁକିଛି ପ୍ରତିଦ୍ୱନ୍ଦ୍ୱୀ ହେବା ଆବଶ୍ୟକ । ସେ ଆହୁରି କହିଥିଲେ ଯେ, ସେବା କ୍ଷେତ୍ର, ଉତ୍ପାଦନ କ୍ଷେତ୍ର, ଅଟୋମୋବାଇଲ, ଇଲେକ୍ଟ୍ରୋନିକ୍ସ ଆଦି ସବୁ କ୍ଷେତ୍ର ବଡ଼ ଲକ୍ଷ୍ୟ ନିର୍ଦ୍ଧାରଣ କରିବା ସହିତ ସେସବୁକୁ ହାସଲ କରିବା ଦିଗରେ ଅଗ୍ରସର ହେବା ଉଚିତ୍‌ । ମେଡ୍‌ ଇନ୍‌ ଇଣ୍ଡିଆ ଉତ୍ପାଦ ପ୍ରତି ସାରା ବିଶ୍ୱର ଆଗ୍ରହ ଧୀରେ ଧୀରେ ବୃଦ୍ଧି ପାଉଛି । ଭାରତର କୃଷିଜାତ ଉତ୍ପାଦ ହେଉ କିମ୍ବା ଭାରତର ମୋବାଇଲ ଅଥବା ଭାରତର ବ୍ରହ୍ମୋସ କ୍ଷେପଣାସ୍ତ୍ର, ଏସବୁ ବିଷୟରେ ଆଜି ସାରା ବିଶ୍ୱରେ ଚର୍ଚ୍ଚା ହେଉଛି । ପ୍ରଧାନମନ୍ତ୍ରୀ ଆହୁରି ଭାରତ ନିର୍ମିତ କୋଭିଡ ଟିକା ଏବଂ ଔଷଧ ବିଷୟରେ ଉଲ୍ଲେଖ କରିଥିଲେ ଯାହାକି କରୋନା ମହାମାରୀ ସମୟରେ ବିଶ୍ୱବ୍ୟାପୀ ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ରକ୍ଷା କରିବାରେ ସଫଳ ହୋଇଥିଲା ।

ପ୍ରଧାନମନ୍ତ୍ରୀ ଜୋର ଦେଇ କହିଥିଲେ ଯେ ଭାରତରେ ନିର୍ମିତ ହେଉଥିବା ଉତ୍ପାଦ ବିଶ୍ୱ ବଜାରରେ ଆଧିପତ୍ୟ ବିସ୍ତାର କରିବାର କ୍ଷମତା ରହିଛି । ତେବେ ଏଥିପାଇଁ ଏକ ଦୃଢ଼ ସହାୟକ ବ୍ୟବସ୍ଥା ନିର୍ମାଣ କରିବା ଜରୁରି । ଏହି ସହାୟକ ବ୍ୟବସ୍ଥାକୁ ଆଧୁନିକୀକରଣ କରିବାରେ ଜାତୀୟ ଲଜିଷ୍ଟିକ୍ସ ନୀତି ବିଶେଷ ସହାୟକ ହୋଇପାରିବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ଶ୍ରୀ ମୋଦୀ ଆହୁରି କହିଥିଲେ ଯେ, ଲଜିଷ୍ଟିକ୍ସ ସହ ଜଡ଼ିତ ସମସ୍ୟା ହ୍ରାସ ପାଇଛି ଏବଂ ଦେଶର ରପ୍ତାନି ବଢ଼ିବା କାରଣରୁ କ୍ଷୁଦ୍ର ଉଦ୍ୟୋଗ ଏବଂ ଏଥିରେ କାର୍ଯ୍ୟ କରୁଥିବା ଲୋକମାନେ ସର୍ବାଧିକ ଲାଭ ପାଇପାରୁଛନ୍ତି । ଲଜିଷ୍ଟିକ୍ସ କ୍ଷେତ୍ରକୁ ସୁଦୃଢ଼ କରିବା ଦ୍ୱାରା କେବଳ ସାଧାରଣ ଲୋକଙ୍କ ଜୀବନ ସହଜ ହେବ ନାହିଁ ବରଂ ସମାଜରେ ଶ୍ରମିକ ଓ କର୍ମଜୀବୀମାନଙ୍କ ପାଇଁ ସମ୍ମାନ ବୃଦ୍ଧିରେ ଏହା ସହାୟକ ହୋଇପାରିବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

ଶେଷରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଭିତ୍ତିଭୂମି ବିକାଶ, ବ୍ୟବସାୟ ସମ୍ପ୍ରସାରଣ ଏବଂ ନିଯୁକ୍ତି ସୁଯୋଗ ବଢ଼ାଇବା ଲାଗି ଜାତୀୟ ଲଜିଷ୍ଟିକ୍ସ ନୀତିରେ ବ୍ୟାପକ ସମ୍ଭାବନା ରହିଛି । ଆମ ସମସ୍ତଙ୍କୁ ମିଶି ଏହି ସମ୍ଭାବନାକୁ ସାକାର ରୂପ ଦେବାକୁ ହେବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

ଏହି ଅବସରରେ ଲଜିଷ୍ଟିକ୍ସ କ୍ଷେତ୍ରର ପ୍ରତିନିଧିଗଣ, ଟିଭିଏସ ସପ୍ଲାଇ ଚେନ୍‌ ସଲ୍ୟୁସନ୍ସର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ଆର ଦିନେଶ, ଅଗ୍ରୱାଲ ପ୍ୟାକର୍ସ ଏଣ୍ଡ ମୁଭର୍ସର ସିଇଓ ଶ୍ରୀ ରମେଶ ଅଗ୍ରୱାଲ, ଏକ୍ସପ୍ରେସ ବିଜ୍‌ ଲଜିଷ୍ଟିକ୍ସର ପ୍ରତିଷ୍ଠାତା ଏବଂ ସିଇଓ ଶ୍ରୀ ଅମିତାଭ ଶାହା ସେମାନଙ୍କର ମତ ରଖିଥିଲେ ।

କେନ୍ଦ୍ର ବାଣିଜ୍ୟ ଓ ଉଦ୍ୟୋଗ ମନ୍ତ୍ରୀ ଶ୍ରୀ ପୀୟୂଷ ଗୋୟଲ, କେନ୍ଦ୍ର ଅର୍ଥ ମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣ, କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ଶ୍ରୀ ନୀତିନ ଗଡ଼କରୀ, କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଶ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ, କେନ୍ଦ୍ର ରେଳ ମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ, କେନ୍ଦ୍ର ବନ୍ଦର, ଜାହାଜ ଚଳାଚଳ ଏବଂ ଜଳମାର୍ଗ ମନ୍ତ୍ରୀ ଶ୍ରୀ ସର୍ବାନନ୍ଦ ସୋନସ୍ୱାଲ, କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ଶ୍ରୀ ସୋମ ପ୍ରକାଶ ଏହି ଅବସରରେ ଉପସ୍ଥିତ ଥିଲେ ।

ପୃଷ୍ଠଭୂମି

ଅନ୍ୟ ବିକଶିତ ଅର୍ଥବ୍ୟବସ୍ଥା ତୁଳନାରେ ଭାରତରେ ଲଜିଷ୍ଟିକ୍ସ ଖର୍ଚ୍ଚ ଅଧିକ ହୋଇଥିବା କାରଣରୁ ଦେଶରେ ଏକ ଜାତୀୟ ଲଜିଷ୍ଟିକ୍ସ ନୀତି ଆଣିବାର ଆବଶ୍ୟକତା ଅନୁଭୂତ ହୋଇଥିଲା । ଭାରତରେ ଲଜିଷ୍ଟିକ୍ସ ଖର୍ଚ୍ଚ ହ୍ରାସ କରିବା ସହିତ ଉଭୟ ଘରୋଇ ଏବଂ ରପ୍ତାନି ବଜାରରେ ଭାରତୀୟ ଉତ୍ପାଦର ପ୍ରତିଦ୍ୱନ୍ଦ୍ୱିତାରେ ସୁଧାର ଆଣିବା ଲାଗି ଏଭଳି ଏକ ନୀତି ଅତ୍ୟନ୍ତ ଆବଶ୍ୟକ ହୋଇପଡ଼ିଛି । ଅର୍ଥବ୍ୟବସ୍ଥାର ବିଭିନ୍ନ କ୍ଷେତ୍ରରେ ଲଜିଷ୍ଟିକ୍ସ ଖର୍ଚ୍ଚରେ ସୁଧାର ଆସିବା ଫଳରେ ମୂଲ୍ୟ ସମ୍ବର୍ଦ୍ଧନ ଏବଂ ଉଦ୍ୟମିତାକୁ ପ୍ରୋତ୍ସାହନ ମିଳିବ ।

୨୦୧୪ ପରଠାରୁ, ସରକାର ବ୍ୟବସାୟିକ ସୁଗମତା ଏବଂ ସହଜ ଜୀବନ ଧାରଣରେ ସୁଧାର ଆଣିବା ଉପରେ ବିଶେଷ ଗୁରୁତ୍ୱାରୋପ କରି ଆସୁଛନ୍ତି । ଆନ୍ତଃବିଷୟକ, ଆନ୍ତଃକ୍ଷେତ୍ରୀୟ ଏବଂ ବହୁ-କ୍ଷେତ୍ରାଧିକାର ବିଶିଷ୍ଟ ଏକ ଢାଞ୍ଚା ପ୍ରସ୍ତୁତ କରିବା ଜରିଆରେ ଲଜିଷ୍ଟିକ୍ସ ଖର୍ଚ୍ଚ ହ୍ରାସ କରିବାରେ ଜାତୀୟ ଲଜିଷ୍ଟିକ୍ସ ନୀତି ସହାୟକ ହୋଇପାରିବ । ଲଜିଷ୍ଟିକ୍ସ କ୍ଷେତ୍ରରେ ରହିଥିବା ଅକ୍ଷମତା ଦୂର କରିବା ସହିତ ସମ୍ପୂର୍ଣ୍ଣ ଲଜିଷ୍ଟିକ୍ସ ଇକୋସିଷ୍ଟମରେ ପରିବର୍ତ୍ତନ ଆଣିବା ଦିଗରେ ଏନଏଲପି ସହାୟକ ହୋଇପାରିବ ବୋଲି ଆଶା କରାଯାଉଛି । ଭାରତୀୟ ଉତ୍ପାଦର ପ୍ରତିଦ୍ୱନ୍ଦ୍ୱିତାରେ ସୁଧାର ଆଣିବା, ଆର୍ଥିକ ଅଭିବୃଦ୍ଧି ଏବଂ ନିଯୁକ୍ତି ସୁଯୋଗ ବଢ଼ାଇବା ଦିଗରେ ଏହି ନୀତି ଏକ ପ୍ରମୁଖ ପଦକ୍ଷେପ ।

ଦେଶରେ ବିଶ୍ୱସ୍ତରୀୟ ଆଧୁନିକ ଭିତ୍ତିଭୂମି ବିକଶିତ କରିବା ଲାଗି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଲକ୍ଷ୍ୟ ହୋଇ ଆସିଛି । ସାମଗ୍ରିକ ଯୋଜନା ପ୍ରସ୍ତୁତି ଏବଂ କାର୍ଯ୍ୟକାରିତାରେ ସବୁ ଅଂଶୀଦାରମାନଙ୍କୁ ଏକତ୍ରିତ କରିବା ଏହି ଜାତୀୟ ଲଜିଷ୍ଟିକ୍ସ ନୀତିର ଉଦ୍ଦେଶ୍ୟ, ଯାହାଫଳରେ ପ୍ରକଳ୍ପ କାର୍ଯ୍ୟକାରିତା କ୍ଷେତ୍ରରେ ଦକ୍ଷତା ଓ ସମନ୍ୱୟ ଆସିପାରିବ । ଗତ ବର୍ଷ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀଙ୍କ ଦ୍ୱାରା ପିଏମ ଗତିଶକ୍ତି – ବହୁମୁଖି ଯୋଗାଯୋଗ ପାଇଁ ଜାତୀୟ ମାଷ୍ଟର ପ୍ଲାନ୍‌- ଯୋଜନାର ଶୁଭାରମ୍ଭ କରାଯାଇଥିଲା, ଯାହାକି ଏ ଦିଗରେ ଏକ ପ୍ରାରମ୍ଭିକ ପ୍ରୟାସ ଥିଲା । ଏବେ ଜାତୀୟ ଲଜିଷ୍ଟିକ୍ସ ପଲିସିର ଶୁଭାରମ୍ଭ ହେବା ସହିତ ପିଏମ ଗତିଶକ୍ତିକୁ ଅଧିକ ପ୍ରୋତ୍ସାହନ ମିଳିବା ସହିତ ଏହି ନୀତି ଏକ ସହାୟକ ବ୍ୟବସ୍ଥା ଭାବେ କାର୍ଯ୍ୟ କରିବ ।

 

*******

P.S.



(Release ID: 1860262) Visitor Counter : 465