ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

୧୭ ସେପ୍ଟେମ୍ବରରେ ଜାତୀୟ ଲଜିଷ୍ଟିକ୍ସ ନୀତିର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ


ଆନ୍ତଃବିଷୟକ, ଆନ୍ତଃକ୍ଷେତ୍ରୀୟ ଏବଂ ବହୁ-କ୍ଷେତ୍ରାଧିକାର ବିଶିଷ୍ଟ ଏକ ଢାଞ୍ଚା ପ୍ରସ୍ତୁତ କରିବା ଜରିଆରେ ଲଜିଷ୍ଟିକ୍ସ ଖର୍ଚ୍ଚ ହ୍ରାସ କରିବ ଏହି ନୀତି

ସାମଗ୍ରିକ ଯୋଜନା ପ୍ରସ୍ତୁତି ଓ କାର୍ଯ୍ୟକାରିତା ପାଇଁ ସବୁ ଅଂଶୀଦାରମାନଙ୍କୁ ଏକତ୍ରିତ କରି ଦକ୍ଷତା ଓ ସମନ୍ବୟ ହାସଲ କରିବା ଲାଗି ପ୍ରଧାନମନ୍ତ୍ରୀଙ୍କ ସଂକଳ୍ପକୁ ସାକାର କରିବ

ବ୍ୟବସାୟିକ ସୁଗମତା ଓ ସହଜ ଜୀବନଧାରଣକୁ ପ୍ରୋତ୍ସାହିତ କରିବ ଏହି ନୀତି

ପିଏମ ଗତିଶକ୍ତି ପାଇଁ ସହାୟକ ହେବ ଜାତୀୟ ଲଜିଷ୍ଟିକ୍ସ ନୀତି

Posted On: 16 SEP 2022 6:42PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୧୭ ସେପ୍ଟେମ୍ବର, ୨୦୨୨ ଅପରାହ୍ଣ ୫:୩୦ ମିନିଟ ସମୟରେ ନୂଆଦିଲ୍ଲୀର ବିଜ୍ଞାନ ଭବନ ଠାରେ ଜାତୀୟ ଲଜିଷ୍ଟିକ୍ସ ନୀତି (ଏନଏଲପି)ର ଶୁଭାରମ୍ଭ କରିବେ ।

ଅନ୍ୟ ବିକଶିତ ଅର୍ଥବ୍ୟବସ୍ଥା ତୁଳନାରେ ଭାରତରେ ଲଜିଷ୍ଟିକ୍ସ ଖର୍ଚ୍ଚ ଅଧିକ ହୋଇଥିବା କାରଣରୁ ଦେଶରେ ଏକ ଜାତୀୟ ଲଜିଷ୍ଟିକ୍ସ ନୀତି ଆଣିବାର ଆବଶ୍ୟକତା ରହିଛି । ଭାରତରେ ଲଜିଷ୍ଟିକ୍ସ ଖର୍ଚ୍ଚ ହ୍ରାସ କରିବା ସହିତ ଉଭୟ ଘରୋଇ ଏବଂ ରପ୍ତାନି ବଜାରରେ ଭାରତୀୟ ଉତ୍ପାଦର ପ୍ରତିଦ୍ବନ୍ଦ୍ବିତାରେ ସୁଧାର ଆଣିବା ଲାଗି ଏଭଳି ଏକ ନୀତି ଅତ୍ୟନ୍ତ ଆବଶ୍ୟକ ହୋଇପଡ଼ିଛି । ଅର୍ଥବ୍ୟବସ୍ଥାର ବିଭିନ୍ନ କ୍ଷେତ୍ରରେ ଲଜିଷ୍ଟିକ୍ସ ଖର୍ଚ୍ଚରେ ସୁଧାର ଆସିବା ଫଳରେ ମୂଲ୍ୟ ସମ୍ବର୍ଦ୍ଧନ ଏବଂ ଉଦ୍ୟମିତାକୁ ପ୍ରୋତ୍ସାହନ ମିଳିବ ।

୨୦୧୪ ପରଠାରୁ, ସରକାର ବ୍ୟବସାୟିକ ସୁଗମତା ଏବଂ ସହଜ ଜୀବନ ଧାରଣରେ ସୁଧାର ଆଣିବା ଉପରେ ବିଶେଷ ଗୁରୁତ୍ବାରୋପ କରି ଆସୁଛନ୍ତି । ଆନ୍ତଃବିଷୟକ, ଆନ୍ତଃକ୍ଷେତ୍ରୀୟ ଏବଂ ବହୁ-କ୍ଷେତ୍ରାଧିକାର ବିଶିଷ୍ଟ ଏକ ଢାଞ୍ଚା ପ୍ରସ୍ତୁତ କରିବା ଜରିଆରେ ଲଜିଷ୍ଟିକ୍ସ ଖର୍ଚ୍ଚ ହ୍ରାସ କରିବାରେ ଜାତୀୟ ଲଜିଷ୍ଟିକ୍ସ ନୀତି ସହାୟକ ହୋଇପାରିବ । ଲଜିଷ୍ଟିକ୍ସ କ୍ଷେତ୍ରରେ ରହିଥିବା ଅକ୍ଷମତା ଦୂର କରିବା ସହିତ ସମ୍ପୂର୍ଣ୍ଣ ଲଜିଷ୍ଟିକ୍ସ ଇକୋସିଷ୍ଟମରେ ପରିବର୍ତ୍ତନ ଆଣିବା ଦିଗରେ ଏନଏଲପି ସହାୟକ ହୋଇପାରିବ ବୋଲି ଆଶା କରାଯାଉଛି । ଭାରତୀୟ ଉତ୍ପାଦର ପ୍ରତିଦ୍ବନ୍ଦ୍ବିତାରେ ସୁଧାର ଆଣିବା, ଆର୍ଥିକ ଅଭିବୃଦ୍ଧି ଏବଂ ନିଯୁକ୍ତି ସୁଯୋଗ ବଢ଼ାଇବା ଦିଗରେ ଏହି ନୀତି ଏକ ପ୍ରମୁଖ ପଦକ୍ଷେପ ।

ଦେଶରେ ବିଶ୍ବସ୍ତରୀୟ ଆଧୁନିକ ଭିତ୍ତିଭୂମି ବିକଶିତ କରିବା ଲାଗି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଲକ୍ଷ୍ୟ ରଖିଛନ୍ତି । ସାମଗ୍ରିକ ଯୋଜନା ପ୍ରସ୍ତୁତି ଏବଂ କାର୍ଯ୍ୟକାରିତାରେ ସବୁ ଅଂଶୀଦାରମାନଙ୍କୁ ଏକତ୍ରିତ କରିବା ଏହି ଜାତୀୟ ଲଜିଷ୍ଟିକ୍ସ ନୀତିର ଉଦ୍ଦେଶ୍ୟ, ଯାହାଫଳରେ ପ୍ରକଳ୍ପ କାର୍ଯ୍ୟକାରିତା କ୍ଷେତ୍ରରେ ଦକ୍ଷତା ଓ ସମନ୍ବୟ ଆସିପାରିବ । ଗତ ବର୍ଷ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀଙ୍କ ଦ୍ବାରା ପିଏମ ଗତିଶକ୍ତି – ବହୁମୁଖି ଯୋଗାଯୋଗ ପାଇଁ ଜାତୀୟ ମାଷ୍ଟର ପ୍ଲାନ୍‌- ଯୋଜନାର ଶୁଭାରମ୍ଭ କରାଯାଇଥିଲା, ଯାହାକି ଏ ଦିଗରେ ଏକ ପ୍ରାରମ୍ଭିକ ପ୍ରୟାସ ଥିଲା । ଏବେ ଜାତୀୟ ଲଜିଷ୍ଟିକ୍ସ ପଲିସିର ଶୁଭାରମ୍ଭ ହେବା ସହିତ ପିଏମ ଗତିଶକ୍ତିକୁ ଅଧିକ ପ୍ରୋତ୍ସାହନ ମିଳିବା ସହିତ ଏହି ନୀତି ଏକ ସହାୟକ ବ୍ୟବସ୍ଥା ଭାବେ କାର୍ଯ୍ୟ କରିବ।

 

********

 

P.S. 



(Release ID: 1859914) Visitor Counter : 141