ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ

ରାମକୃଷ୍ଣ ମିଶନର ‘ଜାଗ୍ରତ ନାଗରିକ’ କାର୍ଯ୍ୟକ୍ରମର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ


ସବୁ ସ୍କୁଲରେ ମୂଲ୍ୟ ଆଧାରିତ ଶିକ୍ଷା ପାଇଁ ରୂପରେଖ ପ୍ରସ୍ତୁତ କରିବାକୁ ପରାମର୍ଶ ଦେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଜାତୀୟ ଶିକ୍ଷା ନୀତି ସ୍ୱାମୀ ବିବେକାନନ୍ଦଙ୍କ ଦର୍ଶନରେ ଗଭୀର ଭାବରେ ଅନୁପ୍ରାଣିତ

ସାମାଜିକ ପରିବର୍ତ୍ତନ ହେଉଛି ଶିକ୍ଷାର ମୂଳ ଉଦ୍ଦେଶ୍ୟ

ସାମାଜିକ ସଚେତନ ପିଢି ପ୍ରସ୍ତୁତ କରିବା ପାଇଁ ମୂଲ୍ୟଭିତ୍ତିକ ଶିକ୍ଷା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ

ମୂଲ୍ୟବୋଧ ଆଧାରିତ ଶିକ୍ଷା ଶିଶୁର ସାମଗ୍ରିକ ବ୍ୟକ୍ତିତ୍ୱ ବିକାଶକୁ ସୁନିଶ୍ଚିତ କରିବ

Posted On: 15 SEP 2022 3:41PM by PIB Bhubaneshwar

କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗୁରୁବାର ନୂଆଦିଲ୍ଲୀ ଠାରେ ପ୍ରଥମରୁ ପଞ୍ଚମ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ପାଇଁ ରାମକୃଷ୍ଣ ମିଶନର ‘ଜାଗ୍ରତ ନାଗରିକ’ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି ।

ଏହି ଅବସରରେ ଶ୍ରୀ ପ୍ରଧାନ ବାଲବାଟିକା ଠାରୁ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ସ୍କୁଲ ଗୁଡ଼ିକରେ ମୂଲ୍ୟ ଆଧାରିତ ଶିକ୍ଷାକୁ ପ୍ରୋତ୍ସାହନ ଦେବା ପାଇଁ ଏକ ପରାମର୍ଶ ରୂପରେଖ ପ୍ରସ୍ତୁତ କରିବାକୁ ସିବିଏସଇକୁ ପରାମର୍ଶ ଦେଇଛନ୍ତି । ଏହା ଦ୍ୱାରା ଜାତୀୟ ପ୍ରଗତି ଏବଂ ବିଶ୍ୱ କଲ୍ୟାଣ ପାଇଁ ପ୍ରତିବଦ୍ଧ ପ୍ରତିଭାବାନ ଯୁବବର୍ଗ ତିଆରି ହୋଇପାରିବେ ବୋଲି ସେ କହିଛନ୍ତି ।

 

ଶ୍ରୀ ପ୍ରଧାନ କହିଛନ୍ତି ଯେ ଜାତୀୟ ଶିକ୍ଷା ନୀତି ସ୍ୱାମୀ ବିବେକାନନ୍ଦଙ୍କ ଦର୍ଶନରେ ଗଭୀର ଭାବରେ ଅନୁପ୍ରାଣିତ । ସ୍ୱାମୀ ବିବେକାନନ୍ଦଙ୍କ ଠାରୁ ଶ୍ରୀ ଅରବିନ୍ଦ ଏବଂ ମହାତ୍ମା ଗାନ୍ଧିଙ୍କ ପରି ଆମର ଅନେକ ମହାପୁରୁଷ ଏକ ସୁଦୃଢ଼ ଶିକ୍ଷା ବ୍ୟବସ୍ଥାର କଳ୍ପନା କରିଥିଲେ । ଏପରି ଏକ ଶିକ୍ଷା, ଯାହା ପ୍ରଗତିଶୀଳ ହେବା ସହ ଆମ ସଭ୍ୟତାର ମୂଲ୍ୟବୋଧର ଆଧାରଶୀଳା ହୋଇ ଦେଶକୁ ଆଗକୁ ନେବ । ସାମାଜିକ ପରିବର୍ତ୍ତନ ହେଉଛି ଶିକ୍ଷାର ମୂଳ ଉଦ୍ଦେଶ୍ୟ । ଭୌତିକ ସମ୍ପଦ ଠାରୁ ମୂଲ୍ୟ ଏବଂ ଜ୍ଞାନ ଅଧିକ ମୂଲ୍ୟବାନ । ଭବିଷ୍ୟତ ପ୍ରସ୍ତୁତ ତଥା ସାମାଜିକ ସଚେତନ ପିଢି ତିଆରି କରିବା ପାଇଁ ମୂଲ୍ୟଭିତ୍ତିକ ଶିକ୍ଷା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ।

 

ବ୍ୟବହାରିକ ଶିକ୍ଷା ପ୍ରଦାନ କରିବାରେ ରାମକୃଷ୍ଣ ମିଶନର ଗୌରବମୟ ଇତିହାସ ରହିଛି । ଯେତେବେଳେ ଆମେ ନୂଆ ଜାତୀୟ ଶିକ୍ଷା ନୀତି କ୍ରିୟାନ୍ୱୟନ କରୁଅଛେ, ସେହି ସମୟରେ ରାମକୃଷ୍ଣ ମିଶନକୁ ନବମରୁ ଦ୍ୱାଦଶ ଛାତ୍ରଛାତ୍ରୀଙ୍କ ପାଇଁ ମୂଲ୍ୟ ଆଧାରିତ ଶିକ୍ଷା କାର୍ଯ୍ୟକ୍ରମକୁ ଗୁରୁତ୍ୱ ଦେବା ସହ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ମଧ୍ୟ ଅତିରିକ୍ତ ପାଠ୍ୟକ୍ରମ ପ୍ରସ୍ତୁତ କରିବାକୁ ହେବ । ଜାତୀୟ ଶିକ୍ଷା ନୀତି ବିଚାରରେ ମୂଲ୍ୟବୋଧ ଆଧାରିତ ଶିକ୍ଷା ଶିଶୁର ସାମଗ୍ରିକ ବ୍ୟକ୍ତିତ୍ୱ ବିକାଶକୁ ସୁନିଶ୍ଚିତ କରିବା ପାଇଁ ଏକ ବଳିଷ୍ଠ ପଦକ୍ଷେପ ।  

 

ଆମ ଶିକ୍ଷା ବ୍ୟବସ୍ଥା ଜାତୀୟ ପ୍ରାଥମିକତା ସହିତ ସମାନ ହେବା ହେବା ଦରକାର ଉପରେ ଶ୍ର ପ୍ରଧାନ ଯୋର୍ ଦେଇଛନ୍ତି । ସେ କହିଛନ୍ତି ଆମକୁ ଏକବିଂଶ ଶତାବ୍ଦୀରେ ସେହିଭଳି ନାଗରିକ ତିଆରି କରିବାକୁ ହେବ ଯେଉଁମାନେ ବୈଶ୍ୱିକ ଦାୟିତ୍ୱ ନେବା ପାଇଁ ସକ୍ଷମ ହେବେ । ଜାତୀୟ ଶିକ୍ଷା ନୀତି ଛାତ୍ରଛାତ୍ରୀଙ୍କ ପାଇଁ ଶିକ୍ଷକ ନେତୃତ୍ୱାଧୀନ ସାମଗ୍ରିକ ଶିକ୍ଷା ବ୍ୟବସ୍ଥା ଉପରେ ଗୁରୁତ୍ୱ ଦେଉଛି ।

***

DP



(Release ID: 1859658) Visitor Counter : 196