କ୍ୟାବିନେଟ

ମାଳଦ୍ୱୀପ ସହିତ ଭାରତର ବିପର୍ଯ୍ୟୟ ପରିଚାଳନା ସହଯୋଗ ବୁଝାମଣାପତ୍ରକୁ କ୍ୟାବିନେଟର ଅନୁମୋଦନ

Posted On: 07 SEP 2022 4:03PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆଜି ଏଠାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ସହଯୋଗ ପାଇଁ ଉଦ୍ଦିଷ୍ଟ ଭାରତ-ମାଳଦ୍ୱୀପ ବୁଝାମଣାପତ୍ରକୁ ଅନୁମୋଦନ ପ୍ରଦାନ କରାଯାଇଛି । ଏହି ବୁଝାମଣାପତ୍ର ୨୦୨୨ ଅଗଷ୍ଟ ୨ତାରିଖରେ ଭାରତର ଜାତୀୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ଏନ୍‌ଡିଏମ୍‌ଏ ଓ ମାଳଦ୍ୱୀପର ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ସ୍ୱାକ୍ଷରିତ ହେଇଥିଲା ।  ବୁଝାମଣାପତ୍ରର ସର୍ତ୍ତ ଅନୁସାରେ ଉଭୟ ପକ୍ଷର ଦୁଇ ସମ୍ପୃକ୍ତ ପକ୍ଷ ବିପର୍ଯ୍ୟୟ ପରିଚାଳନାରେ ପାରସ୍ପାରିକ ସହଯୋଗ ଭିତ୍ତିରେ କାର୍ଯ୍ୟ କରିବେ ।

ବୁଝାମଣା ଅନୁସାରେ ଦୁଇ ପକ୍ଷ ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ସହଯୋଗ ପାଇଁ ଏକ ମିଳିତ ବ୍ୟବସ୍ଥା ତିଆରି କରି ତଦନୁସାରେ କାମ କରିବେ ଏବଂ ପରସ୍ପରର ଆବଶ୍ୟକତା ଅନୁସାରେ ଜଣେ ଅନ୍ୟ ଜଣକୁ ସାହାଯ୍ୟ ସହଯୋଗ ଯୋଗାଇବ । ପ୍ରାକୃତିକ ଓ ଅନ୍ୟାନ୍ୟ ସମ୍ଭାବ୍ୟ ବିପତ୍ତିର ମୁକାବିଲା ପାଇଁ ପ୍ରସ୍ତୁତି, ଏଥି ନିମନ୍ତେ ଦକ୍ଷତା ନିର୍ମାଣ ଓ ବିପର୍ଯ୍ୟୟ ପରିଚାଳନା ଆଦି କ୍ଷେତ୍ରକୁ ସୁଦୃଢ କରିବାକୁ ପରସ୍ପର ପରସ୍ପରକୁ ସାହାଯ୍ୟ ସହଯୋଗ କରିବେ ।

 ଜରୁରୀକାଳନୀ ସ୍ଥିତିରେ ସାହାଯ୍ୟ ଓ ଉଦ୍ଧାର କାର୍ଯ୍ୟ, ରିଲିଫ ଏବଂ ଥଇଥାନ ବ୍ୟବସ୍ଥା, ବିପନ୍ନକୁ ଆଶୁ ସହାୟତା ଯୋଗାଣ ସହିତ ସେମାନଙ୍କ ନିରାପଦ ପୁନର୍ବାସ ବ୍ୟବସ୍ଥା ଆଦି କ୍ଷେତ୍ରରେ ଉଭୟ ପକ୍ଷ ମିଳିତଭାବେ କାମ କରିବେ । ଏହାଛଡା ସୁନାମି, ବାତ୍ୟା, ପାଣିପାଗ ଆଦି ସମ୍ପର୍କରେ ଉଭୟପକ୍ଷ ମଧ୍ୟରେ ଆଗୁଆ ସତର୍କ ସୂଚନା ତଥା ତଥ୍ୟାବଳୀ ଆଦାନପ୍ରଦାନ କରାଯାଇ ତାହାର ମୁକାବିଲା ପାଇଁ ପ୍ରସ୍ତୁତ ରହିବା ଦିଗରେ କାମ କରାଯିବ ।

 ବିପତ୍ତିର ପ୍ରକୋପକୁ କିପରି ହ୍ରାସ କରିହେବ ଏବଂ ଏଥିପାଇଁ ଯେଉଁ ସବୁ ପ୍ରତିକାର ବ୍ୟବସ୍ଥା ଲୋଡା ସେଥି ନିମନ୍ତେ ଉଭୟପକ୍ଷ ପାଖରେ ଥିବା ଜ୍ଞାନକୌଶଳ ଓ ପ୍ରଯୁକ୍ତି ବିଦ୍ୟାର ଆଦାନପ୍ରଦାନ ହେବ । ଭାରତ ଦୂରସଂବେଦୀ ବ୍ୟବସ୍ଥାରେ ପ୍ରାପ୍ତ ପାଣିପାଗ ତଥ୍ୟ, ଉପଗ୍ରହ, ତଥ୍ୟାବଳୀ ଓ ଚିତ୍ର ଆଗୁଆ ସୂଚନା ଆଦି ମାଳଦୀପକୁ ଯୋଗାଇବ ।

ଦୁଇପକ୍ଷର ଗବେଷକମାନଙ୍କୁ ଏ କ୍ଷେତ୍ରରେ ଗବେଷଣା ପାଇଁ ପରସ୍ପର ସୁବିଧାସୁଯୋଗ ପ୍ରଦାନ କରିବେ । ଦୁଇପକ୍ଷ ପ୍ରତିବର୍ଷ ବିପର୍ଯ୍ୟୟ ପରିଚାଳନା ଅଭ୍ୟାସ କାର୍ଯ୍ୟ ଦୁଇ ଦେଶର ବିଭିନ୍ନ ଅଞ୍ଚଳରେ କରିବେ ।

 

*****

TKM/SLP

 



(Release ID: 1857638) Visitor Counter : 109