କ୍ୟାବିନେଟ

ଶୈକ୍ଷିକ ଯୋଗ୍ୟତାକୁ ସ୍ୱୀକୃତି ଦେବା ସଂକ୍ରାନ୍ତ ଭାରତ-ବ୍ରିଟେନ ବୁଝାମଣାପତ୍ରକୁ କେନ୍ଦ୍ର କ୍ୟାବିନେଟର ଅନେୁମାଦନ

Posted On: 07 SEP 2022 4:08PM by PIB Bhubaneshwar

ପରସ୍ପରର ଶୈକ୍ଷିକ ଯୋଗ୍ୟତା (ଏକାଡେମିକ କ୍ୱାଲିଫିକେସନ)କୁ ମାନ୍ୟତା/ସ୍ୱୀକୃତି ପ୍ରଦାନ ପାଇଁ ଭାରତ ଏବଂ ବ୍ରିଟେନ ଓ ଆୟାରଲାଣ୍ଡ ମଧ୍ୟରେ ଚଳିତବର୍ଷ ଏପ୍ରିଲ ୨୫ ତାରିଖରେ ଯେଉଁ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଥିଲା ତାହାକୁ କେନ୍ଦ୍ର କ୍ୟାବିନେଟର ଅନୁମୋଦନ ମିଳିଛି । ଆଜି ଏଠାରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଏହାକୁ ଅନୁମୋଦନ କରାଯାଇଛି ।

ଏହି ବୁଝାମଣା ଫଳରେ ଉଭୟପକ୍ଷ ପରସ୍ପରର ଶୈକ୍ଷିକ ଅନୁଷ୍ଠାନଗୁଡିକର ଶିକ୍ଷାଗତ ଯୋଗ୍ୟତା ଯଥା ଡିଗ୍ରୀ, ଡିପ୍ଲୋମା, ଏମ୍‌ଫିଲ ଓ ପିଏଚ୍‌ଡି ଆଦିକୁ ମାନ୍ୟତା ପ୍ରଦାନ କରିବେ ଏବଂ ଏଥିରେ କୌଣସି ବ୍ୟତିକ୍ରମ ରହିବ ନାହିଁ । ଏହା ଫଳରେ ଉଭୟ ପକ୍ଷ ମଧ୍ୟରେ ଶୈକ୍ଷିକ ସହଯୋଗ ବଢିବ । ଉଭୟପକ୍ଷର ବିଦ୍ୟାର୍ଥୀ, ଗବେଷକ, ବୃତ୍ତିଧାରୀ ସୁବିଧାରେ ଦୁଇ ଦେଶରେ ନିଜର ଶୈକ୍ଷିକ କାର୍ଯ୍ୟ ସମ୍ପାଦନ କରି ପାରିବେ । ଭାରତର ଏକବର୍ଷିଆ ସ୍ନାତକୋତ୍ତର ପାଠ୍ୟକ୍ରମ ଓ ଏହାର ଉପାଧିଧାରୀଙ୍କୁ ବ୍ରିଟେନ ଏଣିକି ସ୍ୱୀକୃତି ପ୍ରଦାନ କରିବ ।

ଏହି ବୁଝାମଣାପତ୍ର ପରିସରରୁ ଇଞ୍ଜିନିୟରିଂ, ଡାକ୍ତରୀ, ନର୍ସିଂ,ଫର୍ମାସୀ, ଆଇନ ଓ ସ୍ଥାପତ୍ୟ ଆଦି ବୃତ୍ତିଗତ ଶିକ୍ଷାନୁଷ୍ଠାନକୁ ଦିଆଯାଇଛି । ତେବେ ୨୦୨୦ର ନୂଆ ଶିକ୍ଷାନୀତି ଅନୁସାରେ ଭାରତରେ ଯେଉଁ ଡିଗ୍ରୀ କୋର୍ସ ପ୍ରବର୍ତ୍ତନର ବ୍ୟବସ୍ଥା ହୋଇଛି ତାହାକୁ ବ୍ରିଟେନ ମାନ୍ୟତା ପ୍ରଦାନ କରିବ । 

ବୁଝାମଣାପତ୍ର ଅନୁସାରେ ଉଭୟ ପକ୍ଷ ଶିକ୍ଷାର ଢାଞ୍ଚା, କାର୍ଯ୍ୟକ୍ରମ ଓ ମାନ ଆଦି ସମ୍ପର୍କରେ ପରସ୍ପର ମଧ୍ୟରେ ସୂଚନାର ଆଦାନପ୍ରଦାନ କରିବେ । ଆହୁରି ମଧ୍ୟ ଏହା ଦ୍ୱାରା ଦୁଇପକ୍ଷର ବିଦ୍ୟାର୍ଥୀ ଓ ବୃତ୍ତିଧାରୀମାନେ ସହଜରେ ଦୁଇଦେଶକୁ ନିଜର ବୃତ୍ତିଗତ ଓ ଶୈକ୍ଷିକ କାର୍ଯ୍ୟ ପାଇଁ  ଯିବା ଆସିବା କରିବାର ସୁଯୋଗ ପାଇବେ । ଉଭୟପକ୍ଷ ଆବଶ୍ୟକସ୍ଥଳେ ଷ୍ଟଡି ପ୍ରୋଗାମର ବିକାଶ, ଶିକ୍ଷାର ବିଭିନ୍ନ କ୍ଷେତ୍ରରେ ସହଯୋଗ ଭିତ୍ତିରେ କାମ କରିପାରିବେ ।

ଦୁଇ ଦେଶର ନୀତି, ଆଇନ, କାନୁନ, ନିୟମ ଓ ବିଧି ବ୍ୟବସ୍ଥା ମଧ୍ୟରେ ଯେଉଁ ସବୁ ଶିକ୍ଷାଗତ ଯୋଗ୍ୟତା ଶୈକ୍ଷିକ ଅନୁଷ୍ଠାନମାନେ ପ୍ରଦାନ କରୁଛନ୍ତି ତାହାକୁ ଉଭୟ ପକ୍ଷ ସ୍ୱୀକୃତି ପ୍ରଦାନ କରିବାକୁ ବୁଝାମଣାପତ୍ରରେ ସର୍ତ୍ତ ରହିଛି ।

 

*****

TKM/SLP



(Release ID: 1857637) Visitor Counter : 114