ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ବାଂଲାଦେଶ ପ୍ରଧାନମନ୍ତ୍ରୀଙ୍କ ଭାରତ ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରେସ୍ ବିବୃତ୍ତି

Posted On: 06 SEP 2022 5:53PM by PIB Bhubaneshwar

ମହାମହିମ ପ୍ରଧାନମନ୍ତ୍ରୀ ଶେଖ୍ ହସିନା, ଦୁଇ ଦେଶର ସମ୍ମାନିତ ସଦସ୍ୟ ଗଣ, ଗଣମାଧ୍ୟମ ବନ୍ଧୁଗଣ

ନମସ୍କାର !

ସର୍ବ ପ୍ରଥମେ ମୁଁ ପ୍ରଧାନମନ୍ତ୍ରୀ ଶେଖ୍ ହସିନା ଜୀ ଏବଂ ତାଙ୍କ ସହିତ ଆସିଥିବା ପ୍ରତିନିଧି ମଣ୍ଡଳୀଙ୍କୁ ହାର୍ଦ୍ଦିକ ସ୍ୱାଗତ ଜଣାଉଛି । ଗତ ବର୍ଷ ଆମେ ବାଂଲାଦେଶ ସ୍ୱାଧୀନତାର ପଚାଶ ବର୍ଷ ଓ ଆମର କୂଟନୈତିକ ସମ୍ପର୍କର ସ୍ୱର୍ଣ୍ଣ ଜୟନ୍ତୀ ଏବଂ ବଙ୍ଗବନ୍ଧୁ ଶେଖ୍ ମୁଜିବୁର ରହମାନ୍‌ଙ୍କର ଜନ୍ମ ଶତବାର୍ଷିକୀକୁ ଏକା ସହିତ ପାଳନ କରିଥିଲୁ । ଗତ ବର୍ଷ ଡିସେମ୍ବର ୬ରେ ଆମେ ପ୍ରଥମ ‘ମୈତ୍ରୀ ଦିବସ’ ମଧ୍ୟ ଏକା ସହିତ ମିଶି ସାରା ବିଶ୍ୱରେ ପାଳନ କରିଥିଲୁ । ଆଜି ପ୍ରଧାନମନ୍ତ୍ରୀ ଶେଖ୍ ହସିନା ଜୀ ଆମର ଆଜାଦୀ / ସ୍ୱାଧୀନତାର ଅମୃତ ମହୋତ୍ସବ ସମୟରେ ଏଠାକୁ ପରିଦର୍ଶନରେ ଆସିଛନ୍ତି । ଏବଂ ମୋର ସମ୍ପୂର୍ଣ୍ଣ ବିଶ୍ୱାସ ରହିଛି ଯେ, ଆଗାମୀ ୨୫ ବର୍ଷର ଅମୃତ କାଳରେ ଭାରତ – ବାଂଲାଦେଶ ମଧ୍ୟରେ ରହିଥିବା ବନ୍ଧୁତା ଏକ ନୂତନ ଶିଖର ଛୁଇଁବ । 

ବନ୍ଧୁଗଣ, 

ପ୍ରଧାନମନ୍ତ୍ରୀ ଶେଖ୍ ହସିନା ଜୀ’ ଙ୍କର ନେତୃତ୍ୱରେ ବାଂଲାଦେଶ ଉଲ୍ଲେଖନୀୟ ପ୍ରଗତି କରିଛି । ଗତ କିଛି ବର୍ଷ ଗୁଡିକ ମଧ୍ୟରେ ଆମ ଭିତରେ ପାରସ୍ପରିକ ସହଯୋଗ ମଧ୍ୟ ପ୍ରତ୍ୟେକ କ୍ଷେତ୍ରରେ ଦ୍ରୁତ ଗତିରେ ବୃଦ୍ଧି ପାଇଛି । ଆଜି ବାଂଲାଦେଶ ଭାରତର ସବୁଠାରୁ ବଡ ଭାଗୀଦାର ଏବଂ ଏହି ଅଂଚଳରେ ଆମର ସବୁଠାରୁ ବଡ ବ୍ୟବସାୟିକ ଭାଗୀଦାର ।

ଆମର ଘନିଷ୍ଠ ସାଂସ୍କୃତିକ ଏବଂ ପାରସ୍ପରିକ ସମ୍ପର୍କ ମଧ୍ୟ କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି । ଆଜି ପ୍ରଧାନମନ୍ତ୍ରୀ ଶେଖ୍ ହସିନା ଜୀ ଏବଂ ମୁଁ ସମସ୍ତ ଦ୍ୱିପାକ୍ଷିକ, କ୍ଷେତ୍ରୀୟ ଏବଂ ଅର୍ନ୍ତରାଷ୍ଟ୍ରୀୟ ପ୍ରସଙ୍ଗ ଗୁଡିକ ଉପରେ ବ୍ୟାପକ ରୂପରେ ଚର୍ଚ୍ଚା କରିଛୁ । 

ଆମ ଦୁଇ ଜଣଙ୍କର ବିଚାର ହେଉଛି ଯେ କୋଭିଡ୍ ମହାମାରୀ ଏବଂ ନିକଟରେ ଘଟିଥିବା ବିଶ୍ୱସ୍ତରୀୟ ଘଟଣାକ୍ରମ ଠାରୁ ଶିକ୍ଷା ଲାଭ କରି, ଆମକୁ ନିଜର ଅର୍ଥ ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବାକୁ ପଡିବ । 

ଆମ ଭିତରେ ସଂଯୋଗର ବ୍ୟାପକତା ଫଳରେ, ଏବଂ ସୀମାରେ ବାଣିଜ୍ୟ ବ୍ୟବସାୟର ଭିତିଭୂମିର ବିକାଶ ଯୋଗୁଁ, ଦୁଇ ଦେଶର ଅର୍ଥ ବ୍ୟବସ୍ଥା ପରସ୍ପର ସହିତ ଆହୁରି ଅଧିକ ପରିମାଣରେ ଯୋଡି ହୋଇ ଯିବ, ପରସ୍ପରକୁ ସମର୍ଥନ କରି ପାରିବ । ଦୁଇ ଦେଶ ଭିତରେ ଦ୍ୱିପାକ୍ଷିକ ବ୍ୟବସାୟ ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି । ବାଂଲାଦେଶର ରପ୍ତାନୀ ନିମନ୍ତେ ସମ୍ପୂର୍ଣ୍ଣ ଏସିଆ ମହାଦେଶରେ ଭାରତ ହେଉଛି ସବୁଠାରୁ ବଡ ବଜାର । ଏହି ଅଭିବୃଦ୍ଧିକୁ ଆହୁରି ଦ୍ରୁତ କରିବା ନିମନ୍ତେ ଆମେ ଖୁବ୍ ଶୀଘ୍ର ଦ୍ୱିପାକ୍ଷିକ ବିସ୍ତୃତ ଅର୍ଥନୈତିକ ଭାଗୀଦାରୀ ଚୁକ୍ତି ଉପରେ ଚର୍ଚ୍ଚା ଆରମ୍ଭ କରିବୁ ।  

ଆମେ ସୂଚନା ପ୍ରଯୁକ୍ତି, ଅନ୍ତରୀକ୍ଷ ଏବଂ ପରମାଣୁ ଶକ୍ତି ଭଳି ବିଭିନ୍ନ କ୍ଷେତ୍ର ଗୁଡିକରେ ମଧ୍ୟ ପରସ୍ପର ମଧ୍ୟରେ ସହଯୋଗ ବୃଦ୍ଧି କରିବା ପାଇଁ ନିଶ୍ଚୟ କରିଛୁ, ଯେଉଁ କ୍ଷେତ୍ରରେ ଆମ ଯୁବ ପିଢ଼ି ମାନେ ବିଶେଷ ରୁଚି ରଖୁଛନ୍ତି । ଆମେ ଜଳବାୟୁ ପରିବର୍ତନ ଏବଂ ସୁନ୍ଦରବନ ଭଳି ଉଭୟ ପକ୍ଷର ସାଧାରଣ ଐତିହ୍ୟକୁ ସଂରକ୍ଷିତ ରଖିବା ନିମନ୍ତେ ମଧ୍ୟ ଦୁଇ ଦେଶ ମଧ୍ୟରେ ସହଯୋଗକୁ ଜାରି ରଖିବୁ । 

ବନ୍ଧୁଗଣ,  

ଏବେ ଶକ୍ତିର ବଢ଼ୁଥିବା ମୂଲ୍ୟ ସମସ୍ତ ବିକାଶଶୀଳ ଦେଶ ଗୁଡିକ ନିମନ୍ତେ ଆହ୍ୱାନ ହୋଇ ଠିଆ ହୋଇଛି । ଆଜି ମୈତ୍ରୀ ଥର୍ମାଲ ପାୱାର (ତାପଜ ଶକ୍ତି) ପ୍ଲାଂଟର ପ୍ରଥମ ୟୁନିଟ୍‌ର ଅନାବରଣ ଫଳରେ ବାଙ୍ଗଲାଦେଶରେ ସୁଲଭ ମୂଲ୍ୟରେ ବିଦ୍ୟୁତ୍‌ର ଉପଲବ୍ଧତା ବୃଦ୍ଧି ପାଇବ । 

ଦୁଇ ଦେଶ ଗୁଡିକ ମଧ୍ୟରେ ପାୱାର ଟ୍ରାନ୍ସମିଶନ (ଶକ୍ତି ସରବରାହ) ଲାଇନ୍ ଗୁଡିକୁ ସଂଯୋଗ କରାଯିବା ଉପରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ କଥାବାର୍ତା ଚାଲୁ ରହିଛି । ରୂପ୍‌ସା ନଦୀ ଉପରେ ରେଲୱେ ପୋଲର ଉଦ୍‌ଘାଟନ, ସଂଯୋଗକୁ ବୃଦ୍ଧି କରିବା ଦିଗରେ ଏକ ଉଲ୍ଲେଖନୀୟ ପଦକ୍ଷେପ ଅଟେ । ଏହି ପୋଲ ଭାରତର ଲାଇନ୍ ଅଫ୍ କ୍ରେଡିଟ୍ ଅନୁସାରେ ଖୁଲଣା ଏବଂ ମଙ୍ଗଳା ବନ୍ଦର ମଧ୍ୟରେ ନିର୍ମାଣ କରା ଯାଉଛି, ଏହା ନୂତନ ରେଳ ଲାଇନ୍‌ର ଏକ ମହତ୍ୱପୂର୍ଣ୍ଣ ଅଂଶ ବିଶେଷ ଅଟେ । ବାଙ୍ଗଲାଦେଶର ରେଳ ବ୍ୟବସ୍ଥାର ବିକାଶ ଏବଂ ବିସ୍ତାର ନିମନ୍ତେ ଭାରତ ସବୁ ପ୍ରକାରର ସହଯୋଗ ଜାରି ରଖିବ । 

ବନ୍ଧୁଗଣ, 

ଏମତି ୫୪ଟି ନଦୀ ରହିଛି ଯାହା ଭାରତ ଏବଂ ବାଙ୍ଗଲାଦେଶ ସୀମା ଦେଇ ପ୍ରବାହିତ ହେଉଛି, ଏବଂ ଯୁଗ ଯୁଗ ଧରି ଦୁଇ ଦେଶର ଲୋକ ମାନଙ୍କର ଜୀବିକା ସହିତ ଯୋଡି ହୋଇ ରହିଛି । ଏହି ନଦୀ ଗୁଡିକ ସମ୍ପର୍କରେ ପ୍ରଚଳିତ ଅନେକ ଲୋକ – କାହାଣୀ, ଲୋକ – କଥା, ଆମର ଭାଗୀଦାର ସାଂସ୍କୃତିକ ଐତିହ୍ୟର ମଧ୍ୟ ସାକ୍ଷୀ ହୋଇ ରହି ଆସିଛି । ଆଜି ଦୁଇ ଦେଶ ମଧ୍ୟରେ କୁଶିଆରା ନଦୀର ଜଳ ଆବଂଟନ ଉପରେ ଏକ ମହତ୍ୱପୂର୍ଣ୍ଣ ରାଜିନାମା ଉପରେ ସ୍ୱାକ୍ଷର କରା ଯାଇଛି । ଏଥିରେ ଭାରତରେ ଦକ୍ଷିଣ ଆସାମ ଏବଂ ବାଙ୍ଗଲାଦେଶର ସିଲହଟ କ୍ଷେତ୍ରକୁ ଲାଭ ମିଳିବ ।  

ବନ୍ୟା ନିରୋଧ ସମ୍ବନ୍ଧରେ ସହଯୋଗ ବୃଦ୍ଧି କରିବା ଉପରେ ମଧ୍ୟ ମୋର ଏବଂ ବାଙ୍ଗଲାଦେଶର ପ୍ରଧାନମନ୍ତ୍ରୀ ଶେଖ ହାସିନା ଜୀ’ଙ୍କ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ କଥାବାର୍ତା ହୋଇଛି । ଭାରତ ବାଙ୍ଗଲାଦେଶ ସହିତ ବାସ୍ତବ ସମୟ (ରିଅଲ୍ ଟାଇମ୍‌) ଆଧାରରେ ବନ୍ୟା ସମ୍ବନ୍ଧୀୟ ତଥ୍ୟ ବଂଟନ କରିଥାଏ ଏବଂ ଆମେ ଏହି ତଥ୍ୟ ବଂଟନର ଅବଧିକୁ ମଧ୍ୟ ବୃଦ୍ଧି କରିଛୁ । 

ଆଜି ଆମେ ଆତଙ୍କବାଦ ଏବଂ ଉଗ୍ରବାଦ ବିରୋଧରେ ସହଯୋଗ ଉପରେ ମଧ୍ୟ ଜୋର୍ ଦେଇଛୁ । ୧୯୭୧ର ସେହି ଉତ୍ସାହ ଉଦ୍ଦୀପନାକୁ ଜୀବନ୍ତ ରଖିବା ପାଇଁ ମଧ୍ୟ ଏହା ବହୁତ ଆବଶ୍ୟକ ଯେ, ଆମେ ଏମିତି ଶକ୍ତି ଗୁଡିକୁ ଏକାଠି ହୋଇ ମୁକାବିଲା କରିବା, ଯାହା ଆମ ଭିତରେ ରହିଥିବା ପାରସ୍ପରିକ ବିଶ୍ୱାସ ଉପରେ ଆଘାତ କରିବାକୁ ଚାହୁଁଛି । 

ବନ୍ଧୁଗଣ, 

ବଙ୍ଗବନ୍ଧୁ ଯେଉଁ ସ୍ଥିର, ସମୃଦ୍ଧ ଏବଂ ପ୍ରଗତିଶୀଳ ବାଙ୍ଗଲାଦେଶର ସ୍ୱପ୍ନ ଦେଖିଥିଲେ, ତାହାକୁ ସାକାର କରିବା କ୍ଷେତ୍ରରେ ଭାରତ ବାଙ୍ଗଲାଦେଶ ସହିତ ପାଦ ସହିତ ପାଦ ମିଶାଇ ଚାଲିଥିବ । ଆଜି ଆମର କଥାବାର୍ତା ଏହି ମୂଳ ପ୍ରତିବଦ୍ଧତାକୁ ଦୋହରାଇବା କ୍ଷେତ୍ରରେ ମଧ୍ୟ ଏକ ଉତ୍ତମ ଅବସର ହୋଇ ପାରିଛି । 

ପୁଣି ଆଉ ଥରେ, ପ୍ରଧାନମନ୍ତ୍ରୀ ଶେଖ୍ ହସିନା ଜୀ ଏବଂ ତାଙ୍କର ପ୍ରତିନିଧି ମଣ୍ଡଳୀଙ୍କୁ ଭାରତରେ ହାର୍ଦ୍ଦିକ ସ୍ୱାଗତ ଜଣାଉଛି ଏବଂ ଭାରତରେ ତାଙ୍କର ସୁଖଦ ରହଣୀର କାମନା କରୁଛି । 

ବହୁତ ବହୁତ ଧନ୍ୟବାଦ ।

***

SSP

 

 

 



(Release ID: 1857231) Visitor Counter : 124